Unknown

 

 

 

 

 

 

 

 

 

 

 

ମଣିମା ଶୁଣିମା ହେଉ

କୁଞ୍ଜବିହାରୀ ଦାଶ

 

ଚାଖୁଣିଆଙ୍କ ଚାହାଣୀରେ

 

ମଶାଣିତୁଳସୀ :—

 

ଫକୀରମୋହନଙ୍କ ଲେଖନୀରେ ଯେଉଁ ଗଦ୍ୟଶୈଳୀର ଉନ୍ମେଷ, ଗୋପାଳପ୍ରହରାଜଙ୍କ ଲେଖନୀରେ ବିକାଶ, କୁଞ୍ଜବିହାରୀଙ୍କ ଲେଖନୀରେ ତାହାର ଶୀର୍ଷବିନ୍ଦୁରେ ଆରୋହଣ ।

 

ଲୋକୋକ୍ତି ଓ ଲୋକକଥନ୍‌ ଭଙ୍ଗୀରେ ଆପଣାର ବକ୍ତବ୍ୟ ପ୍ରକାଶ କରିବାର ଅପୂର୍ବ କୌଶଳ ତାଙ୍କର ଆୟତ୍ତରେ । ମୂଳରୁ ଚୂଳଯାଏଁ ସେ ସର୍ବତ୍ର ଲୋକକଥନଭଙ୍ଗୀ ଅନୁସରଣ କରିଛନ୍ତି, ଯାହା ଉପନ୍ୟାସକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାରେ ଭୂଷିତ କରିଛି ।

 

ସୃଷ୍ଟିଛଡ଼ା, ‘‘ଡଗର’’

 

ମଣିମା ଶୁଣିମା ହେଉ :—

 

(‘କୈବଲ୍ୟ’ ପତ୍ରିକାରେ ପ୍ରକାଶିତ ଉପନ୍ୟାସର କେତେକାଂଶ ପାଠ ପରେ)

 

‘‘ଲୋକକାହାଣୀର ଆଙ୍ଗିକରେ ଓଡ଼ିଆ ଜାତିର ଏ ଯେଉଁ ଆଧୁନିକ ଜୀବନବେଦ ଆପଣ ରଚନା କରିଛନ୍ତି, ସେଥିପାଇଁ ପ୍ରଶଂସା କରିବାର ଉପଯୁକ୍ତ ଭାଷାଜ୍ଞାନ ମୋର ନାହିଁ । ପରିଚିତ ବିଶେଷଣମାନଙ୍କ ମଧ୍ୟରୁ ଅଳ୍ପ କେତୋଟିର ସାହାଯ୍ୟ ନେଇ ମୁଁ କହିବି—ସାଂପ୍ରତିକ ଓଡ଼ିଆ ଉପନ୍ୟାସଜଗତରେ ‘ମଣିମା ଶୁଣିମା ହେଉ’ ଅପୂର୍ବ, ଅଭିନବ, ଅସାଧାରଣ ଏବଂ ଅତୁଳନୀୟ ।

 

ମୁଁ ମଫସଲର ମଣିଷ । ଏଇ ଉପନ୍ୟାସଟି ପଢ଼ୁ ପଢ଼ୁ ନାକରେ ମଫସଲର ମହକ, କାନରେ ଗ୍ରାମୀଣ ଭାଷା ଏବଂ ଅନ୍ତର ମଧ୍ୟରେ ଶୈଶବର ସ୍ୱାଦ ମୁଁ ଅନୁଭବ କରୁଚି ।

 

କିଏ କେଉଁଠି ଆପଣଙ୍କୁ କେଉଁଦିନ କେତେବେଳେ ଲୋକରତ୍ନ ଉପାଧି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ, ତେବେ ଏହି ଉପନ୍ୟାସର ଉନ୍ମେଷ, ତାର ଉତ୍ତରଣ ଓ ଉପସଂହାର ପର୍ଯ୍ୟନ୍ତ ଯଦି ଭଗବାନ୍‌ଙ୍କ ଦୟାରୁ ରସ ଉଦ୍‌ବୋଧନ ଦୃଷ୍ଟିରୁ ସମତା ରକ୍ଷାକରି ଚାଲେ, ତେବେ କେବଳ ଓଡ଼ିଶାର ଲୋକ ନୁହନ୍ତି, ସମଗ୍ର ବିଶ୍ୱର ଲୋକ ମନରେ ରତ୍ନଟିଏ ହୋଇ ଆପଣ ବହୁଦିନ ପର୍ଯ୍ୟନ୍ତ ଉଜ୍ଜ୍ୱଳ ରହିବେ ।’’

 

ଜଣେ ପାଠକ, ବାଲେଶ୍ୱର

Image

 

।। ଏକ ।।

 

କଥାଟିଏ କହୁଁ

 

କି କଥା ?

 

ରଜା କଥା

 

କି ରଜା ?

 

ଧାନ କାଟୁ କାଟୁ ସପନା ପଚାରିଲା—ମାମୁଁ, ରଜା କ’ଣ ? ଟିକିଏ ରହିଯାଇ ରତନା କହିଲା—କିରେ ରଜା କ’ଣ ଜାଣିନାହୁଁ ? ଇନ୍ଦ୍ର, ଯା ତଳେ ଗୋଟା ପୃଥିବୀ, ଯେ ନ ବର୍ଷିଲେ ସମସ୍ତେ ଚୁଡ୍‍ ଚୁଡ଼୍‌ ହୋଇ ମରିଯାନ୍ତି, ସେ ସ୍ୱର୍ଗର ରଜା; ବାସୁକୀ ଯେ ପୃଥୀକି ମୁଣ୍ଡରେ ଧରିଚି, ଟିକିଏ ମୁଣ୍ଡ ଦୋହଲେଇଲେ ପୃଥୀ ଥରହର ହୁଏ, ସେ ପାତାଳର ରଜା; ସେମିତି ବାଘ ବଣର ରଜା, ତା ରଡ଼ି ଶୁଣିଲେ ଛାତି ପଡ଼େ ଉଠେ ।

 

‘ହଁ, ରଜା କ’ଣ ଜାଣିନାଇଁକି ? ମୁଁ ତାଆସ ଖେଳିନାଇଁକି ? ଯାତ୍ରା ଦେଖିନାଇଁ କି ? ଦିହରେ ଜରି କୁରୁତା, ମୁଣ୍ଡରେ ଚାରିଶିଖ ମୁକୁଟ, ହାତରେ ଖଣ୍ଡା, ଦାଢ଼ିକି ନିଶ, ବୁଲିପଡ଼ି ପଛପଟେ ଚାଲିଥିବା ମନ୍ତ୍ରୀଙ୍କି ଗୁମାନରେ ପଚାରନ୍ତି—

 

ରେ ମନ୍ତ୍ରୀବର,

 

କହ ଏବେ ରାଜ୍ୟର ଖବରରେ ।

 

ଦୁଆରୀ ମଣିମା, ମଣିମା ହୁରି ପକାଇଥାଏ—ଭାରି ତେଜ, ଭାରି ଦିମାକ୍‌, ହୁକୁମ୍‌ ଜାରୀ, ସତେ ଯେମିତି ପୃଥୀକି ଓଲଟେଇ ପକେଇବେ ! କଂସ ରାଜାର ରଡ଼ି ଶୁଣିଲେ ମୋ କୁମ୍ଭକରନ ନିଦ ବି ଚାଉଁକିନେ ଭାଙ୍ଗିଯାଏ !’

 

‘ଆରେ, ସେ କ’ଣ ସତରେ ରଜା ? ରଜା ଭେଶ ପିନ୍ଧି ସେମିତି ଆଡ଼୍ଡ଼ା ଦେଖଉଥାଏ ନା; ଭେଶ ଖୋଲିଦେଲେ ଆମରିପରିକା ମୂଲିଆଟାଏ—ସକାଳୁ ଉଠିଲେ ଲଙ୍ଗଳେ ଯୋଏ ତୋରାଣି ହିମକାକର ! ହାଣ୍ଡି ମାଙ୍କଡ଼ଚିତ୍‌ ମାରୁଚି । ମାଇପ ମୁଣ୍ଡରେ ବାୟାଚଢ଼େଇ ବସା ! ତାସ ରଜା ତ ଚିତ୍ରଟାଏ; ସେ କ’ଣ ସର୍ବେସର୍ବା ? ତା’ ଉପରେ ଟିକ୍‌କା !’

 

‘ଆଲୋ ମାମୁଁ, ତୁ ତ କେତେ ରଜା କଥା କହୁ, କହୁନୁ ଗୋଟେ ।’

 

‘ଆରେ ରଜା କଥା କ’ଣ ଶୁଣିବୁ ? ରଜା ଗୋଜା, ଯାହା ବୁଝିଥିବେ ସେଇଆ । ପୁଣି ଅବୁଝା ରଜାକୁ ପାଳବିଣ୍ଡା ମନ୍ତ୍ରୀ । ସେ ସବୁବେଳେ ପାଳବିଣ୍ଡାଟାଏ ମୁହଁରେ ମାଡ଼ିବସିଥାନ୍ତି । ରଜାଙ୍କ କଥାରେ ଉଁ କି ଚୁଁ କହିବାକୁ ଜୁ ନାଇଁ; ଏଡ଼େ ଲୋକର ଯେବେ ମୁହଁ ବନ୍ଦ, ଆଉ କାହା ପାଟି ଫିଟିବରେ ବାପା ! ପିଠିରୁ ଚମଡ଼ା ଉତାରିଦେବେ, ଆଖି ଫୁଟାଇଦେବେ, ହାତୀ ପାଦରେ ଦଳିଦେବେ । ଭୋକିଲା ବାଘ ଆଗରେ ଫିଙ୍ଗିଦେବେ, ଶୂଳିରେ ବସାଇଦେବେ, ନଇଲେ ତୁଳିରେ ପାଦ ବାନ୍ଧି ତଳକୁ ଝୁଲାଇ ଦେବେ, କାନ୍ଥ ଭିତରେ ରଖି ପଲସ୍ତରା କରିଦେବେ, ଅଜଗର ମୁହଁକୁ ପେଲିଦେବେ, ନଇଲେ ହରିକାଠରେ ପକାଇଦେବେ ! କ’ଣ ସେ ରଜା କଥା ଶୁଣିବୁ ?’

 

‘ମାମୁଁ, ସବୁଦିନ ତ ଭଲ ଭଲ କଥା କହୁ, ଆଜି ତୋର କ’ଣ ହେଇଚି କିଲୋ ? ରଜା ନାଆଁ ଶୁଣିଲେ ଫିଡ଼୍‌କି ଉଠୁଚୁ କାଇଁକି ?’’

 

‘ତୁ ତ ହୁଣ୍ଡାଟାଏ, କାହାକୁ କ’ଣ ବସେଇ ଉଠେଇଦବୁ ?’

 

ଆରେ ରଜା କଥା ଭାବିଲେ ମୋ ଦିହ ଶୀତେଇ ଉଠୁଚି, ଛାତି ଧଡ଼୍‌ ଧଡ଼୍‌ ପଡ଼ୁଚି !

 

ହଇରେ ସେ କ’ଣ କଲା ? କେଡ଼େ ମାଇପବୋଲାଟାଏ ବା ? ନିଜର କିଛି ବୁଦ୍ଧି ଅକଲ ନାହିଁ ? ଯେ ଯାହା ବତେଇଦେଲା ସେଇଆ ।

 

ଛି ଛି, ମାଇପ କଥାରେ ପଡ଼ି ପିଲା ଦିଟାକୁ ଶୂଳିଆପଦାକୁ ପଠାଇଦେଲା ! କ’ଣ ପାଞ୍ଚୁଟା ତିନିଟା ଅଛନ୍ତି ? ଗଣ୍ଠିଧନ ବୋଇଲେ ସେତିକି । ଏ ରାଜାଠୁଁ ହାଣୁଆ ଢେର୍‌ ଭଲ; ତା ମନରେ ଦୟାପଦ । ସେ ପିଲାଦିଟାଙ୍କୁ ରାଜ୍ୟପାର କରାଇଦେଇ କୁମ୍ଭାଟୁଆଟାଏ ମାଇଲା, ଶାଳପତ୍ର ଦନାରେ ରକ୍ତ ରଖିଲା, ସେଥିରେ ଲୁଣ ମିଶାଇଆଣି ରାଣୀଙ୍କି ଦେଲା; ରାଣୀ ତାକୁ ଚାଖିଲା ପରେ ଶୁଳେଇକି ବିଜେ କଲେ, ତାଙ୍କର କାଠିଲାଗି, ମାଜଣା ହେଲା, ମୁଣୋହିଁ ବଢ଼ିଲା, ଗମ୍ଭୀରିସାଆନ୍ତ ଗଲେ, ପଟ୍ଟାୟତ ବି ଗଲେ । ସେ ରଜାଟା କେମିତି ବାୟା ହୋଇ ନ ଗଲା ? ଛାତିଟା ପଥର ନା ଲୁହା ?’

 

‘ଆଉ ସେଦିନ କ’ଣ ଗାତକୁ ପେଲିଦବା କଥା କହୁଥେଲୁ ?’ ହଁ ମନେ ପଡ଼ିଲା; ନୂଆ ଅସୁରୁଣୀ ରାଣୀର କଥାରେ ପଡ଼ି ସତେ ରଜା କି ଅକଥାଟାଏ ନ କଲା !

 

ହାତୀଶାଳରେ ହାତୀ, ଘୋଡ଼ାଶାଳରେ ଘୋଡ଼ାଙ୍କୁ କିଏ ଖାଉଚି ? ଆଉ କିଏ ? ସେଇ ସେଇ ।

 

ଉଆସରେ ଯେତେ ଯେତେ ଅନର୍ଥ ଘଟୁଚି, ଘଟାଉଚି କିଏ ?

 

ଆଉ କିଏ ? ସେଇ ସେଇ ଡାହାଣୀମାନେ ।

 

ସେଦିନ ରାଜ୍ୟର ଏଡ଼େବଡ଼ ବତାସ ବୋହିଲା କାହିଁକି ?

 

ଜୋର୍‌ରେ ନିଃଶ୍ୱାସ ମାଇଲେ ସେଇ ପିତାଶୁଣୀମାନେ ।

 

ରାଜ୍ୟରେ ଅକାଳ ପଡ଼ିଲା କାହିଁକି ?

 

ସବୁ ଖାଇଗଲେ ସେଇ କଞ୍ଚାଖାଇମାନେ ।

 

କଥାରେ ଅଛି—ପାଖରେ ଶୁଏ, କାନରେ କୁହେ ତା କଥା କି ଅନ୍ୟଥା ହୁଏ ?

 

ହେଲା ଯେ......, ସେ କାହିଁକି ହୋଇଗଲେ ସାତପର ? ସେ କ’ଣ ହାତଧରି ବାହା ହେଇ ନ ଥିଲେ ? ଯାନିଯଉତୁକ ଆଣି ନ ଥିଲେ, ନା ସ୍ନେହସୋହାଗ ଦେଖାଇ ନ ଥିଲେ ?

 

ନୂଆ ରାଣୀର କଥା ହୋଇଗଲା ବେଦର ଗାର । ଦୋଷୀ କି ଅଦୋଷୀ କିଛି ବୁଝିଲେ ନାଇଁ ସେ; କେତୁଟା ଖଣିଗାତ ଖୋଳି ସାତ ରାଣୀଙ୍କି ଡକାଇଆଣିଲେ, ଖଣିରେ କେତେ ଧାନ ଧରିବ, ପଚାରିଲେ । ରାଣୀଏ କଳନା କରୁ କରୁ ଅବିଶ୍ୱାସୀ ସମସ୍ତଙ୍କୁ ଖଣିଭିତରକୁ ପେଲିଦେଲେ-। ତଳ କଣ୍ଟା ଉପର କଣ୍ଟା କରି ପୋତିପକାଇଲେ । ରାଣୀମାନେ ଚିତ୍କାରଟାଏ କରିବାକୁ ବେଳ ଟିକିଏ ପାଇଲେ ନାଇଁ ।’

 

‘ମାମୁଁ, ଆଲୋ ଏଇଟା ରାଣୀ ନା ଚନ୍ଦ୍ରକାଣୀ ? ୟାକୁ ବସୁଧା ସହିଲା କେମିତି ?’

 

‘ପାପ ବଢ଼ୁଥିଲାବେଳେ ବଢ଼େ, ଯାହା ଉପରକୁ ଆଉ ବଢ଼ିବାକୁ ନ ଥାଏ, ଯେତେବେଳେ ଛିଡ଼େ, ଚେର ଛିଡ଼ିଯାଏ, ମୂଳ ଉଡ଼ିଯାଏ । ଏ ସାତ ରାଣୀଙ୍କର ଗୋଟିଏ ବୋଲି ପୁଅ, ସାତ କୋଳରେ ବସୁଥିଲା, ସାତ ମୁହଁରୁ ଚୁମା ଖାଉଥିଲା । ମାଆମାନଙ୍କର ଏ ଦଶା ଦେଖି ପ୍ରାଣଭୟରେ ସେ ଉଆସରୁ ଖସି ପଳାଇଲା, ଯାଇ ଜ୍ଞାନଦେଈ ମାଳୁଣୀ ଘରେ ଆଶ୍ରା ନେଲା । କେତେବର୍ଷ ଗଲା; ମାଳୁଣୀ ଏ ଟୋକାଲାଗି ଗୋଟେ ଘୋଡ଼ା କିଣିଦେଲା—ଟପକ୍‌ ଟପକ୍‌ ଟପକ୍‌–ଦିହରୁ ଆଲୋକ ଛିଟିକି ପଡ଼ୁଥାଏ—ଅସୁରୁଣୀ କେମିତି ବାରିଲା—ଏ ସେଇ ଟୋକା । ରାଜାଙ୍କ ଆଗେ ସାକୁଲେଇ ହେଇ କହିଲା—ମୋ ଆଖିରେ ଆଲୁଅ ଉଠିଚି, ଟପଟପଣ ପାଣି ଛଡ଼ା ଏ କାହିଁରେ ଭଲ ହୁଏ ନାହିଁ; କିଏ ଯିବ ? ସେଇ କାଠେଇଖିଆ ଟୋକା !

 

ଟୋକା ପାଗପଟ୍‌କା, ଚାରି ହତିଆର ବାନ୍ଧି ସାତ ପରସ୍ତ ପର୍ବତ ଡେଇଁଗଲା । କିଟିକିଟିଆ ଅନ୍ଧାର, ଅଗନାଗ୍ନି ବନସ୍ତ, ପତରଟାଏ ପଡ଼ିଲେ ପଥରଟାଏ ପଡ଼ିଲା ପରି ଶବଦ ହଉଚି । ଘୋଡ଼ା ଆଉ ଚଙ୍କିଲା ନାଇଁ; ଟୋକା ସେଠି ଓହ୍ଲେଇଲା, ଅଳ୍ପ ଦୂରରେ ଆଲୁଅଟିଏ ଜଳିବା ଦେଖି ଯାଇ ଯାହା ଦେଖିଲା, ତା ଆଖି ଖୋସି ହୋଇଗଲା । ଅସୁରୁଣୀବୁଢ଼ୀ ଗୋଡ଼ଟା ଚୂଲୀକି ମୋହିଁ ଦେଇଛି, ଚୂଲୀ ଜଳୁଚି । ଏ ଟୋକାକୁ ଦେଖି ବୁଢ଼ୀ ଗୋଡ଼ଟା ଓଟାରି ଆଣି ଫୁଙ୍କି ନିଆଁ ଲିଭାଇ ଦେଲା, କଅଁଳିଆ କଥା କହି ହେପାଜତରେ ରଖିଲା, ପିଲାଏ ସକାଳୁ ଫେରିଲେ ମୁସୁମୁସୁ କରି ଚୋବେଇବେ !

 

ଜାଙ୍ଗୁଲୁ ଜାଙ୍ଗୁଲୁ ରାତି, ଟୋକା ଝପଟ ମାରିବାବେଳେ ବୁଢ଼ୀ ବେସ୍ତ ବିକଳ ହୋଇ ଘୋଡ଼ା ଲାଞ୍ଜରେ ମୁଠାଏ ସୋରିଷ ବାନ୍ଧି ଦେଲା । ସୋରିଷ ବୁଣି ବୁଣି ଯାଉଥାଏ, ଗଛ ଉଠି ଉଠି ଯାଉଥାଏ, ଫୁଲ ଫୁଟି ଫୁଟି ଯାଉଥାଏ । ଚରାରୁ ଫେରିଲାକ୍ଷଣି ମାଆଠୁ ସବୁ କଥା ଶୁଣି ଅସୁର ଟୋକାଏ ଗୋଡ଼ାଇଲେ । ପଛକୁ ଲାଗିଆସିବା ଦେଖି ଏ ଟୋକା ଫୁଂକିନେ ଫୁଙ୍କିଦେଲା ଯେ ଚାରିଆଡ଼େ କୁହୁଡ଼ି ଘୋଟିଗଲା । ମୁହଁକୁମୁହଁ ନ ଦିଶେ । ତା’ରି ଭିତରେ କଚଡ଼ା କଚଡ଼ା ପଡ଼ି ଅସୁର ଗୋଡ଼େଇଲେ । ଫେର୍‌ ପଛକୁ ଲାଗି ଆସିବା ଦେଖି ଟୋକା କଣ ମନ୍ତ୍ର ଫୁଙ୍କିଦେଲା ଯେ ଚାରିଆଡ଼େ ନିଆଁ ଘେରିଗଲା, ବହୁତ ଉପରକୁ ଧୂଆଁ ଉଠୁଥାଏ; ନିଆଁକୁ ଛେପ ପକେଇ ଲିଭେଇ ଅସୁର ପୁଣି ଗୋଡ଼େଇଲେ । ପାଖକୁ ଲାଗି ଆସିବା ଦେଖି ଟୋକା ଟିକିଏ କାଠି ମନ୍ତିରେଇ ଫିଙ୍ଗିଦେଲା । ଚାରିଆଡ଼େ ବେତବଣ ହୋଇଗଲା । ବଣକୁ ଦାନ୍ତରେ ଛିଣ୍ଡେଇ ମାଡ଼ି କୁଦି ପୁଣି ଅସୁରେ ଧାଇଁଲେ । କିଛି ଉପାୟ ନପାଇ ଏ ଟୋକା ଗୋଟିଏ ଆମ୍ବଗଛ କତିରେ ଛିଡ଼ାହୋଇ କହିଲା—ତୁ ଯେବେ ସତ୍ୟ ଯୁଗର ଆମ୍ବଗଛ ହୋଇଥିବୁ, ତୁ ଫାଟିଯିବୁ, ମୁଁ ପଶିଯିବି, ତୁ ବନ୍ଦ ହୋଇଯିବୁ । ସତକୁ ସତ ସେଇଆ ହେଲା ।

 

ଏ କଥା ଅସୁରୁଣୀ ରାଣୀ କାନରେ ପଡ଼ିଲାକ୍ଷଣି ସେ ଗଛକୁ ହଣେଇଲା, କାଠକୁ ଟିକି ଟିକି କରି ଚୋବେଇଲା । ଗଛ ହଣା ହେଲା ବେଳେ କେଣ୍ଡାଟିଏ ବଉଳ ହେଲା, ଚଣା ହେଲା, ଆମ୍ବ ପାଚି ଝଡ଼ିପଡ଼ିଲା, ତାକୁ ଗୋଟିଏ ବାଳିଆ ମାଛ ଗିଳିଦେଲା, ମାଛଟି କେମିତି ଯାଇ ପୁଣି ସେଇ ମାଲୁଣୀ ହାତରେ ପଡ଼ିଲା—ଥିରି ଥିରି କରି କାଟ ହେ ମାଆ, ମୋ କାନ କଟିଯିବଟି ! ମୋ ଆଖି ଫୁଟିଯିବଟି ।

 

ଦେଖୁ ଦେଖୁ ସେ ଟୋକା ତା ଭିତରୁ ବାହାରିଲା, ପୁଣି ଘୋଡ଼ା ଝପଟେଇ ଦୌଡ଼ିଲା, ଅସୁରୁଣୀ ତାକୁ ଚିହ୍ନି ପୁଣି ଟପଟପଣ ପାଣି ଆଣି ପଠାଇଲା । ବାଟୋଇକି ପଢ଼େଇ ଏ ଟୋକା ନୂଆ ଭାଷା ଲେଖେଇଲା, ଅସୁର ରାଇଜରେ ଖୁବ୍‌ ହେପାଜତରେ ରହିଲା, ଚିହ୍ନିଜାଣି ଅସୁରୁଣୀର ଜୀବନନାଟୀ ‘ଲାଉ’ଟିକି ଆଣିଲା, ତାକୁ ପିଟିଦେଲାରୁ ଅସୁରୁଣୀ ହାତେ ଜିଭ କାଢ଼ି ମରି ଶୋଇଲା-

 

ରଜାର ମନ୍ଦ ବୁଦ୍ଧିରୁ ଏତେ କଥା ହେଲା । ଖଣିରୁ ମାଆମାନଙ୍କ ହାଡ଼ କଢ଼େଇ ଟୋକା ରାତିସାରା କାନ୍ଦିଲା, ଈଶ୍ୱରପାର୍ବତୀ ଦୟା ପାଇ ବେଲପତ୍ରି ପାଣି କରି ତିନିମୁଠା ଛିଞ୍ଚି ଦେଲାରୁ ରାଣୀମାନେ ଜୀବନ ପାଇ ଉଠି ବସିଲେ ।’

 

‘ରଜା କଥା କହୁଁ କହୁଁ କେତେକୁଆଡ଼େ ଅମଡ଼ା ମାଡ଼ିଗଲୁ, ମାମୁଁ ?’

 

‘ଆରେ କଥା ଯେ ଲତା ସେ, ଲତା କଣ ଖାଲି ରଞ୍ଜା ଉପରେ ମାଡ଼େ ନା ରହେ ? କୁଆଡ଼େ ବୋଲି କୁଆଡ଼େ ସେ ଡଙ୍କ ମେଲେ, ଫୁଟେ, ଫଳେ, ସେମିତି ରଜା କଥା କହୁଁ କହୁଁ ରାଣୀ ଆସନ୍ତି, ଯୁବରାଜ ଆସନ୍ତି, ଚାରି ସଙ୍ଗାତଙ୍କ କଥା ପଡ଼େ । ମନ୍ତ୍ରୀପୁଅ, ସାଧବ ପୁଅ, କି କଟୁଆଳ ପୁଅ କିଏ ମରି ହଜିଗଲେ ଚାରିଖଣ୍ଡ ଦାନ୍ତକାଠିରୁ ତିନିଖଣ୍ଡ ଘଷାଯାଏ, ଖଣ୍ଡେ ପାଣିକି ଫୋପାଡ଼ି ଦିଆହୁଏ, ଚାରିଗିନା ତେଲରୁ ତିନିଗିନା ଲଗାଯାଏ । ଗିନାଏ ପାଣିରେ ଅଜଡ଼ା ହୁଏ । ଚାରିପତର ବଢ଼ା ଭାତରୁ ତିନି ପତର ଖିଆଯାଏ, ପତରେ ପାଣିକି ପକେଇ ଦିଆହୁଏ ।

 

ରଜା କଥା କହିଲେ ମନପବନ ଡଙ୍ଗା, ପକ୍ଷୀରାଜ ଘୋଡ଼ା କଥା ଆସେ, ଜ୍ଞାନଦେଈ ମାଳୁଣୀ, ଯେ ଭେଣ୍ଡାକୁ ମେଣ୍ଢା କରେ, ତା କଥା ଆସେ, ଭୋକଶୋଷ ଲଡ଼ୁ, ଯାହାକୁ ଖାଇଲେ ଭୋକ ଶୋଷ ହୁଏନାହିଁ, ବାନ୍ଧ୍‌ ବାନ୍ଧ୍‌ ଦଉଡ଼ି ମାର୍‌ ମାର୍‌ ଠେଙ୍ଗା, ଆଜ୍ଞା ମାତ୍ରେ ଯେ ଶତ୍ରୁକୁ ବାନ୍ଧି ପିଟେ, ଅମ୍ବୁଜମଣି, ଯାହାକୁ ଧରିଲେ ଯାହା ଖୋଜିବ ତା ମିଳେ, କୁହୁକ କଠଉ, ଯାହାକୁ ପିନ୍ଧିଲେ ମଣିଷ ପାହୁଣ୍ଡକେ କୋଶେ ଯାଏ, ତା କଥା ବି ଆସେ । ଯୋଉ ଅସୁର ଅସୁରୁଣୀଙ୍କି ରଜାପୁଅ ମାରନ୍ତି, ତାଙ୍କର କଣ ମଣିଷଙ୍କ ପରି ଗୋଟାଏ ଜୀବନ ? ତାଙ୍କ ଜୀବନନାଟୀ ସାତ ତାଳ ପାଣି, ଚଉଦ ତାଳ ପଙ୍କର କୋଉ କଇଞ୍ଚ, କଇଞ୍ଚ ଭିତରେ କୋଉ ଅନ୍ଧ ସାପ, ତା ଭିତରେ ଭଅଁର, ଭଅଁରର ଚଅଁର ଭିତରେ । ରଜା ଅସୁର ଅସୁରୁଣୀଙ୍କି ମାରି ରାଜଜେମାକୁ ଉଦ୍ଧାର କରି ଆଣନ୍ତି । ତାକୁ ବାଟରେ ଏକୁଟିଆ ବସାଇଦେଇ ଯାନବାହନ ଆଣିଯାଆନ୍ତି । ବେଳେ କୁଣ୍ଡିଭୁଷୁଣ୍ଡୀ ଆସି କହିଲା—ତୁମ ଚନ୍ଦ୍ରଝୁମ୍ପୀ ଟିକିଏ ପିନ୍ଧନ୍ତି, କେମିତି ସୁନ୍ଦର ଦିଶନ୍ତି । ତୁମ ମଥାମଣି ଟିକିଏ ପିନ୍ଧନ୍ତି କେମିତି ସୁନ୍ଦର ଦିଶନ୍ତି, ତୁମ କଳା ବୋଇତ ଶାଢ଼ୀ ଟିକିଏ ପିନ୍ଧନ୍ତି, କେମିତି ସୁନ୍ଦର ଦିଶନ୍ତି । ଏମିତି ଫୁସୁଲେଇ ସବୁତକ ଆୟଅଳଙ୍କାର ପିନ୍ଧିଲା, କାଳେ କୂଅରେ ଅଳଙ୍କାର ଖସି ପଡ଼ିବ, ମାଠିଆଏ ପାଣି କାଢ଼ିଦିଅ ବୋଲି ଶେଷକୁ କହିଲା, ଜେମା ତ ଏତେ ଛନ୍ଦକପଟ ଜାଣେନାଇଁ, ଯେମିତି ପାଣି କାଢ଼ିଚି, ଭୁଷଣ୍ଡୀ ତାକୁ କୂଅକୁ ପେଲିଦେଲା । ସେତୁରୁ ଜେମା କଇଁଫୁଲ ହେଇ ଫୁଟିଲା, ତାକୁ ଚିରି ଫିଙ୍ଗିଦେଲାରୁ ବେଲ ହେଲା, ବେଲରୁ ବେଲବତୀ କନ୍ୟା ବାହାରି ସବୁକଥା କହିଲା । ରାଣୀକି ତଳ କଣ୍ଟା ଉପରକଣ୍ଟା କରି ପୋତିଦିଆ ହେଲା, ରଜାପୁଅ କେଡ଼େ ଓଲୁ ! ଏତେଦିନ ଏ ମାଙ୍କଡ଼ୀକି ସେ ଚିହ୍ନିପାରି ନ ଥିଲା ।’

 

‘ଯେତେ ହେଲେ ବେଲବତୀକି ନେଲେ ତ ! ରଜା ଭାରି ଭଲ ।’

 

‘ଚୋପାଟା ବୁଝିଲୁ, ସାତକାଣ୍ଡ ରାମାୟଣ ଶୁଣିଲା ପରେ ପଚାରୁଚି—ସୀତା ମାଈ କି ଅଣ୍ଡିରା ? ହଇରେ ରଜାଟା ଭଲ କ’ଣ ? ଅମାପ ଧନ, ଅଖଣ୍ଡ କ୍ଷମତା ତା ମୁଣ୍ଡ ଖାଏ, ପରଝିଅ ଉପରେ ଆଖି, ରାଣୀ ହଂସପୁରେ ତହୁଁ ବଳି ତହୁଁ ବଳି ରାଣୀ ଥିଲେ କ’ଣ ହେଲା ?’

 

ସାଧବ ଭାରିଯା ଗାଧୋଇବା ବେଳେ କେମିତି ତା ଉପରେ ଆଖି ପଡ଼ିଲା କେଜାଣି, ଖାଲି ବାଇଆ ବିଲୁଆ ପରି ତ ହେଲା, ମାଲୁଣୀକି ଡାକି କହିଲା—ଆଲୋ ହେ, ମୁଁ ତତେ ଆଞ୍ଜୁଳାଏ ଅସରପି ଦେବି, ତୁ ସେ ସାଧବାଣୀକି ଶିଖେଇ ମଣେଇ ଆଣ୍‌ ।

 

ରଜାର ଏ ଢଙ୍ଗରଙ୍ଗ ଦେଖି ଦରିଆ ସେପାରିକି ବୋଇତ କରି ଯାଉଥିବା ସାଧବ କହିଲା—ବାଡ଼ିରେ ବାଗବଗିଚା କରିଚି, କୂଅପୋଖରୀ ଖୋଳିଛି, ପୋଇଲୀପରିବାରୀ ଖଞ୍ଜିଚି, ନଈକି ଗାଧେଇ ଯିବୁନାଇଁଟି । ମୋ ସାଙ୍ଗେ ଏ ତୁଳସୀ କୁଡ଼ୁଆଟି ଗଲା, ଯେତେବେଳେ ତୁଳସୀ ଝାଉଁଳିବ, ଜାଣିବି ବିପତ୍ତି ପଡ଼ିଲା । ହେଇ ତିନିଗାର କାଟିଲି । ଏକୁ ଡେଇଁଲେ ବିପତ୍ତି ପଡ଼ିବ, ଜାଣିଥା—

 

ରଜା ପୁଅ ବଡ଼ ହଟିଆ ବୋଲେ ହୁଁଟି

ବାଟରେ ରଖିଚି ଖଟିଆ ବୋଲେ ହୁଁଟି

ସୁନାର ବନିଶି କରିଚି ବୋଲେ ହୁଁଟି

ମିଛେ ମିଛେ ମାଉ ଧରୁଚି ବୋଲେ ହୁଁଟି

 

‘‘କୋଉ ଛଟକେ ହେଲେ ସେ ସାଧବାଣୀକି ଫୁସୁଲେଇନେଇ ଚାଲିଗଲା ।’’

 

‘ମାମୁଁ, ସେଦିନ କ’ଣ ଗୀତଟାଏ ବୋଲୁଥେଲୁ ?

 

ମା ବୋଲେ ଝିଅ ଦେଉଳକୁ ନ ଯା

ବାଳ ତ କୁଞ୍ଚି କୁଞ୍ଚି ଅଣ୍ଟା ସରୁ ମଝା

ତୋତେ ତ ନେବ ବୋଲି ଲୋ ବସିଚି କଳିଙ୍ଗ ଦେଶ ରଜା !’

 

‘କିରେ ତୁମ ଦାଉରେ ଲୋକେ ଦେବଦର୍ଶନ କରି ଯିବେନାହିଁ ? ତୁମେ କ’ଣ ମଣିଷଖିଆ ବାଘ ନା ଗଣ୍ଡାଗୟଳ ? କିରେ କାହାଘରେ ଝିଅଟିଏ ବଢ଼ିଲେ ରଜା କାଇଁକି ଶିରିପଡ଼ିଆ ନାଚ ନାଚେ ? ତୁମ ବାଟେ ତୁମେ ଯାଅ, ତୁମର ଏତେ ବିଷ୍‍ କ’ଣ ? ସେ ତା ଶାଶୂଘରକୁ ଯାଉ, ତା ଗେରସ୍ତକୁ ଘେନି ରହୁ । କେଡ଼େ ମାଇପୀ ଡାହାଣା ତୁମେ ! ସପନୁ, ଶୁଣିଚୁ ତ ସେ ଅପରଛନୀ ଝିଅଟା କୋଳି ତୋଳୁଥିଲା ବେଳେ ରଜା କେମିତି ଝାମ୍ପି ଘେନି ପଳାଇଲା, ଝୁରି ଝୁରି ତା ଅନାଥ ଭାଇଟି ମଲା, ତା ମୁଣ୍ଡ ଖପୁରିରେ କେମିତି ଅନ୍ଧ ଅନ୍ଧୁଣୀ କେନ୍ଦରା ଗଢ଼ିଥିଲେ, ସେ କେନ୍ଦରା ଯେ ଶୁଣିଲା କେମିତି କାନ୍ଦିଲା, ରଜା ସେ କେନ୍ଦରାକୁ କେମିତି ପୋଡ଼ିଦେଲେ, ରାଣୀ କେମିତି ସେ ନିଆଁକୁ ଡେଇଁଲେ, ତାଙ୍କ ସଙ୍ଗେ କେମିତି ରଜା; ପ୍ରଜାଙ୍କ କାକୁତିମିନତିରେ ଶିବପାର୍ବତୀ ଫୁଲ ପାଣି ଛିଞ୍ଚିଲାରୁ ଭାଇକି କେମିତି ଭଉଣୀ ଚିହ୍ନିଲା, ରଜା କେମିତି କାଳିଆ ମିଶି ତାକୁ କେମିତି ଝୁଣି ଭିଣି ଝିଞ୍ଜାରି କୁତୁକୁତା କରିଦେଲେ, ପରଝିଅ ହରଣଚାଳ୍‌ କରିବାର ଫଳ କେମିତି ସିଧାସଳଖ ମିଳିଗଲା, ଦେଖିଲୁ ତ ?’

 

‘ମାମୁଁ, ଏ ରଜା କେମିତି ହଅନ୍ତି ? ମୁଁ ହଅନ୍ତି ନି !’

 

‘ଉଠ୍‌ ଉଠ୍‌, ବାସି ଓଳିକି ଦାନା ନାଇଁ, ମନେ ମନେ ଛେନାଗୁଡ଼ ଖାଉଚି !

 

ହଇରେ ଏ ଝଡ଼ିଆ ପାଗରେ ରଜା କ’ଣ କରୁଥିବେ ? ଆଉ କ’ଣ କରୁଥିବେ ? ରାଶି ଚାଉଳଭଜା ମିଶାଇ ଚୋବାଉଥିବେ !

 

ଆରେ ଅଲାଜୁକ, ତୁ ରଜା ହବୁନାଇଁ ବୋଲି କିଏ କହିଲା ? ସବୁବେଳେ କ’ଣ ଖାଲି ରଜାପୁଅ ରଜା ହୋଇଥାନ୍ତି ? ହାତୀ ତ ଫେର୍‌ ସୁବର୍ଣ୍ଣ କଳସ ଢାଳେ । କେତେ ତ ପାଟହାତୀ ପଛରେ କୋରା ମିଠେଇ ଘେନି ଦୌଡ଼ୁଥାନ୍ତି, ଏକୁ ଖାଉ, ଆମ ମୁଣ୍ଡରେ ସୁନା କଳସ ଢାଳୁ ! ସେ କଥା କ’ଣ ହୁଏ ?

 

ଆରେ ସେମିତି ଯୋଗଭାଗ୍ୟ ପାଇଥିଲେ ହବନା ! ହଇରେ ସପନୁ, ଯଦି ହାତୀ ପାଦତଳେ ଦଳି ନ ଦେଇ ସତକୁ ସତ ତୋ ମୁଣ୍ଡରେ ସୁବର୍ଣ୍ଣ କଳସ ଢାଳିଦିଏ, ତୁ ଆଉ ବୁଢ଼ାବୁଢ଼ୀ ମାମୁଁ ମାଇଁଙ୍କି ପଚରାଉଚରା କରିବୁଟି ? ସିଂହାସନକୁ ଚଢ଼ିଲାବେଳେ ମୁଣ୍ଡକୁ ପିତ୍ତ ଚିହିଙ୍କି ଯାଉଥିବ, ମଣିଷସବୁ ମାଛି ପରି ଦିଶୁଥିବେ ! କ’ଣ କହିନାଇଁ......

 

ଆଗର କହ୍ନେଇକି

କହ୍ନେଇ କାନ୍ଧରେ ଲାଲ୍‌ ଗାମୁଛା

କହ୍ନେଇ ମଣିଷ ଚିହ୍ନେଇ କି ?

 

ହୀନ ଦୃଷ୍ଟି ନ ପଡ଼ିଲେ ହେଲା । କ’ଣ ମିଛକୁ କହିଚି—

 

ଗଡ଼ଜାତରେ ଯେବେ କରିବୁ କର

ଦାଣ୍ଡଘର ଖଣ୍ଡି ଅଛୁଆଁ କର ।

 

ଦାଣ୍ଡଘରୁ ଧନସମ୍ପତ୍ତିର କଳନା କରି ପାଖ ଲୋକେ ରଜାଙ୍କ ଆଗରେ ଯାଇ ଗୁହା ଗୁଜୁରନ୍ତି । ଦିନେ ରଜାଙ୍କ ତାଳବେତାଳ ଆସି ସବୁ ବୋହିନିଅନ୍ତି, ଦାଣ୍ଡର ଭିକାରୀ କରି ଛାଡ଼ିଦିଅନ୍ତି ।

 

ମୁଁ ତ ଯାହାକୁ କରୁଚି ଗୁହାରି

ମୋର ସେଇ ତ ହେଇଚି ବଇରି !

 

ରଜା ନଅର ସାମନାରେ କେହି ଜୋତା କି କଠଉ ମାଡ଼ି କି ଛତା ଟାଣି ଯିବେନାଇଁ, କାନକୁହା ଏତିକି ଦେଖି କଅଣ ବୋଲି କଅଣ ଲଗେଇଲୁଟେଇ କହେ; ମାଡ଼ ବସେ, ତେଣେ କାନ୍ଦ ସ୍ୱର ଡୁବେଇବାକୁ ମାଦଳ ବାଜେ, ନିଶ ଗୋଟି ଗୋଟି ହୋଇ ଓପଡ଼ା ହୁଏ, ନଖ କୋଣରେ ପିନ୍‌କଣ୍ଟା ବାଡ଼େଇ ଦିଆହୁଏ; ଆରେ ଯୋଉଠି ହାତୀ ପରି ଜନ୍ତୁ ଯତନନଗରକୁ ପଥର ବୋହୁ ବୋହୁ କାନ୍ଦେ, ସେଠି ମଣିଷଙ୍କୁ ଦୁଃଖକଷ୍ଟ କେତେ ହଉଥିବ, କିଏ ଦେଖେ ? ଆମେ ମୁଣ୍ଡକୁ ଚନ୍ଦା ଆଉ କାନ୍ଧକୁ ବିଣ୍ଡି କରି ଯୋଉ ରାସ୍ତା ଗଢ଼ୁ, ସେଥିରେ ଚାଲେ କିଏ ? ରଜାଙ୍କ ପାଟହାତୀ ନଇଲେ ମଟରଗାଡ଼ି । ଦଇବେ ଶଗଡ଼ଟାଏ କୋଉଠି ଉଠିଗଲେ ଶଗଡ଼ିଆ ପିଠରୁ ଛୋପା ଛାଡ଼ିଯାଏ ।

 

ରଜାଙ୍କ ଲାଠି ଗାଁକୁ ଗାଁ ବୁଲେ—ବେଠି, ଭେଟି, ମାଗଣରେ କିମ୍ବା ହାତୀ ଖେଦା ହେଲାବେଳେ । କୋଉ ବାଟରେ ତ୍ରାହି ନାଇଁରେ ବାପା ! ସେଥିଲାଗି ହଳିଆ ଗୀତରେ କହିଚି—

 

‘‘ବୁଢ଼ାକୁ ନ ପିଟ ପଞ୍ଜରା କାଠି ଦେଖି

ବୁଢ଼ା ଥିଲେ ବୋଲ କରିବ ବାମଣ୍ଡାଗଡ଼ ବେଠି

ବାମଣ୍ଡାଗଡ଼ ବେଠି ରିଆମାଳ ଚଟି

ବୁଢ଼ା ଥିଲେ କଢ଼ାଇବ ଚୂନ ଯେ ଗେଙ୍ଗୁଟି !

 

ତାଳମୂଳ ବୋଲି ରାଜ୍ୟ, ବ୍ରାହ୍ମଣୀ ନଈକୂଳ; ବାଉଁଶଦିଆ ପାଚିଲା ଧାନ ଏକମୁହାଁ ଶୋଇଯାଇଛି । କଜ୍ଜଳପାତିଆ ଚକ୍‌କର ଦେଉଛି । ଉଡ଼ିଯାଉଛନ୍ତି ଦଳ ବାନ୍ଧି ସାଇଁ ସାଇଁ ଧାନଖିଆ ଚଢ଼େଇ । ମୂଲିଆ ପାହିକି ପାହି ଧାନ କାଟି ଚାଲିଛନ୍ତି, ଧାଡ଼ି ଧାଡ଼ି କଚଡ଼ା ପକାଇ । ଶୀତଦିନ, ବ୍ରାହ୍ମଣୀ ନଈର କାକରିଆ ପବନ, ମୁଣ୍ଡରେ ଗାମୁଛାଟିଏ ପକାଇ ହିଡ଼ଉପରେ ବୁରୁନ୍ଦି ସାଆନ୍ତେ ବସିଛନ୍ତି । ଏକ ଓଳିକିଆ । କିଆରି ସରିବ ତ ମୂଲିଆ ଉଠିବେ ।

 

ଏକ ଲୟରେ ଶୁଣୁ ଶୁଣୁ ସାଆନ୍ତେ କହିଲେ—କିରେ ରତନା, ତୋ ତୁଣ୍ଡରେ ତ ବାଟୁଳି ବାଜୁନାଇଁ । ଯୁଆଡ଼େ ମେଲୁଛୁ ସିଆଡ଼େ ଶାଖା ମେଲିହେଇଯାଉଚି; କୋଉଠୁ ଏତେ କଥା ଶିଖିଲୁ କିରେ ?

 

ସପନା କହିଲା—ଏ କ’ଣ ଶୁଣିଲେ ମ ସାଆନ୍ତେ ? ଏମିତି ସାତ ରାତି ସାତ ଦିନ ପାହିଯିବ, ତା ଗପ ସରିବ ନାଇଁ କି ତାକୁ ଭୋକ ଶୋଷ ହବନାଇଁ । ସେ ସାଙ୍ଗରେ ଥିଲେ ଯେତେ ବାଟ ଚାଲିଲେ ବି ଗୋଡ଼ ଘୋଳି ହୁଏ ନାହିଁ । ଯେତେ କାମ କଲେ ବି ବାଧା ଲାଗେନାଇଁ ।

 

ସଞ୍ଜବେଳେ ସେ କୋଉଠି ଟିକେ ବସିଗଲେ ପିଲେ ଘେରିଯାନ୍ତି, ଭେଣ୍ଡିଆ ବି । ତା ତୁଣ୍ଡ ବି ଖୁଜୁବୁଜୁ ହଉଥାଏ, ଯେତେ ଗପିଲେ ବି ପାଟିରୁ ବଜ ବାହାରେନାଇଁ ।

 

ଖାଲି କଥା ରକ୍ଷଣକୁ ପଚାରିଦିଏ—କି କଥା କହିବିରେ ପିଲେ ? ସୁଖ ନା ଦୁଃଖ ?

 

‘ଟାକୁଆ କୁମର କଥା’, ‘ଚଉଦଶିଙ୍ଘା ରଜା’ କଥା, ‘ମଉନାବତୀ’ କଥା, ନା ଯା ଅଙ୍ଗେ ନିଭେଇଚି, ସେ କଥା ?

 

ସୂର୍ଯ୍ୟ ବୁଡ଼ିଯାନ୍ତି, ଆକାଶସାରା ଉଆ ଚାଉଳ ପରି ତରା ବୁଣି ହୋଇଯାନ୍ତି, ଗଛବୃଛରେ ଜୁଳୁଜୁଳିଆ ଲିଭୁଥାନ୍ତି, ପୁଣି ଜଳୁଥାନ୍ତି । ଶାଳବଣର କୁମ୍ଭାଟୁଆ ଘୁମୁରେ, ମୁଣ୍ଡ ଉପରେ ଉଡ଼ି ଯାଉ ଯାଉ କୋଇଲି ବି ପଦେ ପଦେ ଗୀତ ପକେଇଦେଇ ଯାଏ । ପିଲାଏ ମାରୁଥାନ୍ତି ଏକାବେଳକେ ହୁଁ, ଅନେକ ହୁଁ କୁମ୍ଭାଟୁଆକୁ ଖତେଇ ହେଲା ଭଳି । ମାମୁଁଙ୍କର ଓଠ ପଡ଼ୁଥାଏ, ଉଠୁଥାଏ । କେତେଟା ପିଲା ସେଇଠି ଗଡ଼ିପଡ଼ନ୍ତି । ପହରିକିଆ ବୋବାଏ, କେତେଟା ପିଲାଙ୍କୁ ମାଆ ଘୋଷାରି ଘୋଷାରି ନିଅନ୍ତି ଖୋଇବାକୁ । କୁଆଁତାରା ଉଠେ । ବେଳେ ବେଳେ ମାମୁଁ ବି ସେଇଠି ଗଡ଼ିପଡ଼େ । ସାତଥାନେ ଚିରା ଗାମୁଛା, ପେଟ ପଡ଼ୁଚି ହାକୁ ହାକୁ, ହେଲେ ସବୁବେଳେ ମନରେ ତାର ହସଖୁସ-

 

ବୁରୁନ୍ଦି ସାଆନ୍ତେ କହିଲେ—ଆରେ ଆମର ତ ସବୁବେଳେ ରଜାଘର ସାଙ୍ଗେ କାରବାର । ରଜାଙ୍କୁ ଘେରି ବସିଗଲେ ଆମକୁ କୋଟିନିଧି ମିଳିଲା ପରି ଲାଗେ ।

 

ସତକୁସତ, ସେଇ ଆମ ସାଇଟାଯାକର ଘର ତୋଳିଦେଇଛନ୍ତି, ସବୁ ସାଆନ୍ତଙ୍କ ନାଆଁରେ ଜମି ଖଞ୍ଜି ଦେଇଛନ୍ତି, ଚଷିବେ ତ ଖାଇବେ ।

 

ମୋ ମନେ ମନେ ମୂର୍ଖ ମାନେ ମୂର୍ଖ, ଶ୍ରୀ ଅକ୍ଷର ବରୁଣେଇଁ ପର୍ବତ, ତାଙ୍କ ଭିତରେ ଏଡ଼େ ଏଡ଼େ ପଣ୍ଡିତ ଅଛନ୍ତି ବୋଲି ମୁଁ କଣ ଜାଣେ ?

 

ଆମ ଦରବାରକୁ ଜଣେ ପଣ୍ଡିତ ଆସନ୍ତି, କାନରେ କୁଣ୍ଡଳ, ହାତରେ ଖଡ଼ୁ, ଅନନ୍ତବ୍ରତ । ପାଟ ଖଦିକି ଦୋଶଡ଼ା, କେତେ ଚିତା ଚଇତନ । ଶ୍ଳୋକ ପରେ ଶ୍ଳୋକ ବାହାରେ, ଚଉପଦୀ ପରେ ଚଉପଦୀ, ମଝିରେ ମଝିରେ ଗୋଟିଏ ଗୋଟିଏ ଢମାଳୀ । ପାଟିରେ ବାଜା ବଜାଏ–ଢୋଲ, ଯୋଡ଼ିନାଗରା, ଡେମ୍ପନାଗରା, ମହୁରୀ । ବାହାଘର ଭୋଜି, ନାଚ, ତାମ୍‌ସା କଥା କହୁଁ କହୁଁ ପହରେ ବିତେ । ଗୋଟାଏ ଗପ ସାରିବାକୁ ତାଙ୍କୁ ତିନିଦିନ ଲାଗେ । ରଜା ତାଙ୍କୁ କେତେ କଅଣ ଦିଅନ୍ତି—ଶହେ କି ପଚାଶେ ବିଦାକୀ, ସୁନା ମୁଦି, ପାଟ ଯଥା । ଏ ଗଳ୍ପସାଗର । ରତନା ବି ଦେଖୁଚି ଗୋଟାଏ ରତ୍ନାକର । କିଏ କାହାକୁ କମ୍‌ ନୁହେଁ, ରତନା, ତୋର ସବୁ ଭଲ ଯେ.... ?’

 

‘ମୋ ଭୁଲ୍‌ କ’ଣ ହେଲା ଆଜ୍ଞା ଆପଣ ?’

 

‘ସବୁ ରଜା ଖରାପ ହେଲେ ପୃଥିବୀରେ ଏଡ଼େ କୀର୍ତ୍ତି ହୁଅନ୍ତା କେମିତି ?

 

ମଧୁବନ ତୋଟା ଲଗାନ୍ତା କିଏ ? ରସସାଗର ବା ଖୋଳାନ୍ତା କିଏ ? ବଡ଼ଦେଉଳ ତୋଳନ୍ତା କିଏ ? ମେଳାମେଳଣ ସବୁ ବସାନ୍ତା କିଏ ? ଅମଣିଆଙ୍କୁ ମଣ, ଅସାଧ୍ୟଙ୍କୁ ସାଧ୍ୟ ବା କରନ୍ତା କିଏ ?

 

ରତନା, ରାଜବାଟି ଦେଖୁଚୁ ? ରଜା ?’

 

‘ନାଇଁ ସାଆନ୍ତେ, ରଜା ଦେଖିନାଇଁ, ସିଂହ ଦରଜା ବାଟେ ଯାଇଚି, ଯୋଡ଼େ ପଥରସିଂହ ଜିଭ କାଢ଼ି ବସିଛନ୍ତି । ବନ୍ଧୁକ ଧରି ସିପାହି କେତୁଟା ଆଗକୁ ଯାଆସ କରୁଥାନ୍ତି । ଏଇ ତ ଉଆସ, ଆଖି ପାଏ ନାଇଁ, କେତେ ଉଞ୍ଚକୁ ଉଠିଚି । ଏ ବାଟରେ ଗଲାବେଳେ ତ ଛାତି ଦମ୍‌ ଦମ୍‌ ପଡ଼େ, ଭିତର ଦେଖିବାକୁ କାହା ମନ ବଳେ ?’

 

‘ଏଥିରେ ସାହାଲା ଉପରେ ସାହାଲା, ମହଲ ପରେ ମହଲ—ସୂର୍ଯ୍ୟ ମହଲ, ଚନ୍ଦ୍ର ମହଲ, ମେଘ ମହଲ, ହାଓ୍ୱା ମହଲ, ରାଣୀହଂସପୁର, ଦରବାର ଆଉ ଅଭିଷେକ ମହଲ, ମୁଦୁସୁଲୀ ସାହାଲା, ଖନ୍ଦାଘର, ମନ୍ଦିର, କୋଠି, ଖମାର, ଷୋଳ ଖମ୍ବର ବିବାହ ବେଦୀ, ଜେନାମଣି ଜେମାମଣିମାନଙ୍କ ପଢ଼ାଘର, ଖେଳଘର ।

 

ରାଜବାଟି ପିଣ୍ଡା କାନ୍ଥଯାକ ମହାବଳ ବାଘ ମୁଣ୍ଡ, ଦନ୍ତାବଳ ମୁଣ୍ଡ, ଗୟଳ ମୁଣ୍ଡ, ଅରଣା ମଇଁଷି ମୁଣ୍ଡ, ବାରଶିଙ୍ଘା, କୃଷ୍ଣସାର ମୁଣ୍ଡ, କଲରାପତ୍ରିଆ ମୁଣ୍ଡ, ବାଘ ଛାଲ ଟଙ୍ଗା । ଏସବୁ ରଜା ନିଜେ ଶିକାର କରିଥିଲେ । ବାପା ବଡ଼ବାପା ତାଙ୍କ ନିଜର ବୀରତ୍ୱ ଓ ସାହସର ସଂକେତ ଆଉ କେତେ । ପାହାଡ଼ ଖୋଲରେ, ପ୍ରପାତ ଧାରରେ, ବନ୍ୟ ହ୍ରଦର କୂଳରେ ବା ପାହାଡ଼ୀ ଘାଟିରେ ମଞ୍ଚ ବନ୍ଧା ହୋଇ ମଢ଼ ଥୋଇ କାହାକୁ ବା ଶିକାର କରା ହୋଇଥିଲା ।

 

ଏ ଯୋଉ କିମ୍ବୀରଟା, ଏଟା ରେଙ୍ଗାଳି ଗଣ୍ଡର ଗୋଟାଏ ଘଡ଼ିଆଳ । କେତେ ଚରୁଥିବା ଗାଈମଇଁଷିଙ୍କି ସେ ଖଗ ମାରି ଝିଙ୍କିନିଏ, କେତେ ମାଇପେ ଗାଧୋଇଯାଇ ଆଉ ଲେଉଟି ଆସନ୍ତି ନାହିଁ । ସେ କିମ୍ଭୀର ପେଟ ଚିରାହୋଇ କେତେ ବଳା, ପାହୁଡ଼, ଖଡ଼, ବନ୍ଦରିଆ କତରିଆ ବାହାରୁଚି-

 

ଝୁଲାହେଇଚି, କେତୁଟା ଅଜଗର, ଅହିରାଜଙ୍କର ଚମଡ଼ା, ଗୋଟାଏ ଗଣ୍ଡା ଆଉ ତ୍ରିପଣ୍ଡ କଳାବାଘର ମୁଣ୍ଡ, ବୈଠକ ଘରେ ପଡ଼ିଚି ମୁଣ୍ଡ ସମେତ ଗୋଟାଏ କଳା ଭାଲୁର ଚମଡ଼ା ।

 

ରାଜଉଆସକୁ ଲାଗି ବଗିଚା, କେତେ ଜାତିର ଫୁଲ, ପାଏଡ଼ା ପଡ଼ିଲେ ରାଜଜେମା ବୁଲି ବିଜେକରନ୍ତି ।

 

ଉଆସ ପଛକୁ ଗୋଟାଏ ରଗଡ଼ି, ଘୋର ଜଙ୍ଗଲ, ପାଣିଚତରାକୁ ବନ୍ଧେଇ ଚୁଆ କଲାପରି ରଜା ପାଚେରୀ ଘେରେଇ ଦେଇଛନ୍ତି । ଚଉବଚାରେ ମାଛ ଜୀଆଁଇଲାପରି ହଜାର ହଜାର ମିରିଗ, ଶମ୍ବର ଧରିଆଣି ଏଠି ଛାଡ଼ିଛନ୍ତି । ଶିକାର ନ ମିଳିଲେ ଏଥିରୁ ଗୋଟିଏ ଗୋଟିଏ ମାରନ୍ତି ।

 

ଏଇ ବଣରେ ଚନ୍ଦନପୋଖରୀ, ଚାରି ପାଖଯାକ ଚନ୍ଦନ ଆଉ କର୍ପୂର ଗଛ, ଗୋଟାଏ କେଳିକଦମ୍ବ ଗଛ । ବସ୍ତ୍ରହରଣ କରିନେଇ କୃଷ୍ଣ ଝଙ୍କା ଡାଳରେ ବସି ହସୁଛନ୍ତି । ଗୋପୀମାନେ ବସ୍ତ୍ର ଫେରାଇଦେବା ଲାଗି କାକୁତିମିନତି କରୁଛନ୍ତି ।

 

ପୋଖରୀ ପାଖରେ ଗୋଟାଏ ପ୍ରପାତ, ଅଳ୍ପ ଉଚ୍ଚ ପାହାଡ଼ରୁ ପଡ଼ୁଚି, ନଈଟି ବଣେ ବଣେ ବୁଲି ବୁଲି ଯାଉଚି, ବୁଲୁଛନ୍ତି ଦଳ ଦଳ ମୟୂର, ରଙ୍ଗୀନ୍‌ ଡେଣା ଟେକି ଟେକି ।

 

ଅଳ୍ପ ଦୂରରେ ମୂର୍ତ୍ତି ଆଉ ଚିତ୍ରଶାଳା । ଅଜନ୍ତା ଆଉ ରାବଣଛାୟାର ଚିତ୍ର, ଓଡ଼ିଶୀ ନୃତ୍ୟ, ନରସିଂହଦେବ ଓ କପିଳେନ୍ଦ୍ରଦେବଙ୍କ ପଟଚିତ୍ର, ମାଣିକୀ ଗଉଡ଼ୁଣୀଠାରୁ ବଳଭଦ୍ର ଜଗନ୍ନାଥଙ୍କ ଦହିଖିଆ, ଲିଙ୍ଗରାଜ, ମୁକ୍ତେଶ୍ୱର ଆଉ ରାଜରାଣୀର ଛୋଟ ନମୂନା ଦେଉଳ ।

 

ରଜାଙ୍କର ଏ ଉଆସ କେମିତି ତୋଳାହେଲା ଜାଣିଚ ?

 

ନାଇଁ ସାଆନ୍ତେ ।

 

ଠେକୁଆ ମାଡ଼ିବସିଥିଲା ଏଠି ଗୋଟାଏ କଲରାପତ୍ରିଆ ବାଘକୁ । ଏ ଅଘଟଣ କେମିତି ହେଲା ? ଜାଗାର କିଛି ଗୁଣଥିବ । ୟା ବିଚାରି ରଜା ଏଠିକି ପୁରୁଣା ଉଆସ ଉଠେଇଆଣିଲେ । ସେଇ ଦିନରୁ ଖୁବ୍‌ ବଢ଼ତି ହେଲା ।

 

ଆଜ୍ଞା, ପିଣ୍ଡାକୁ ତ ଲୁଣି ଖାଇଯାଉଚି ଯେ ମାଟି ଟିକେ ଛାଟି ପାରୁନାହିଁ, ଆମ ମୁଣ୍ଡରେ ଏ କଥା ପଶୁଚି ?

 

ତୁମ ଚଳଣି ତାଙ୍କ ଚଳଣି ପ୍ରକୃତରେ ନିଆରା ! ସେ ଛାମୁଁ, ତୁମେ ତୁ ବା ଆପଣ; ତାଙ୍କ ଶୋଇବା ପହଡ଼, ଖାଇବା ମୁଣୋହିଁ, ଗାଧୁଆ ମାଜଣା, ପୋଖରୀପାଣି ଶୁଳେଇବିଜେ ।

 

ସେ ମଣିଷରୂପୀ ଦେବତା, ଦେବତା ପୂଜାରେ ଯେତିକି ସିଦ୍ଧି, ୟାଙ୍କ ସେବାରେ ସେତିକି ସିକ୍‌ଚିଲି । ଦେବତାଙ୍କ ନୀତିର, ଧୂପଦୀପର କାଳବେଳ ଅଛି, ଛାମୁଙ୍କର ନାଇଁ, ତାଙ୍କ ପାଠ ଓଲଟା, ସମସ୍ତେ ରାତିରେ ଶୁଅନ୍ତି, ଛାମୁ ଶିକାର କରିଯାନ୍ତି । ରାତି ପାହାନ୍ତାରେ ମୁଣୋହିଁ, ଉପରବେଳାକୁ ପହଡ଼ି ଭାଜେ—ଘଡ଼ିଏ ପହରେ ରାଜ୍ୟର ହାନିଲାଭ ବିଚାର ହୁଏ ।

 

ଏସବୁ ଆମ ପରି ଗରିବଗୁରୁବାଙ୍କୁ ନ ପାଏ । ରଜା କାମ ନ କଲେ ତାଙ୍କୁ କହିବାକୁ କିଏ ଅଛି ? ଆମ ଉପରେ ତ ସମସ୍ତେ ହେଣ୍ଟ, ସାଇର ମାମଲତକାରଠୁ ଘରର ମାଇପ ପର୍ଯ୍ୟନ୍ତ.........

 

ଆରେ ରଜାଙ୍କ କାରଖାନା ଶୁଣ, କର୍ଣ୍ଣ ପବିତ୍ର ହୋଇଯିବ ! ରଜା ସିଂହାସନରେ ବସିଲାଠୁ ପାଇକ ତାର ବଚନିକା ଗାଇଯାଏ—

 

କଳିଯୁଗ ଷଣ୍ଢା

ଝାଡ଼ ପାତିଶା ଖଣ୍ଡା

ନବକୋଟି କର୍ଣ୍ଣାଟ କୁଳବର୍ଗ ଚଣ୍ଡା

ଅତୁଳ ବଳ ପରାକ୍ରମ ନୃପତିଙ୍କ ନୃପତି

ସୁବର୍ଣ୍ଣ ସିଂହାସନରେ ବିଜେ କରିଅଛନ୍ତି

ସଂଗ୍ରାମେ ସହସ୍ର ବାହୁ

ବୀରଙ୍କ ଶିରୋମଣି

ପାତ୍ରମନ୍ତ୍ରୀ ଚଉପାଶେ ସେବକ ଖଟଣି

ଢାଳନ୍ତି ଚାମର ପାଖ ଲୋକ

ବାଜେ କାହାଳୀ, ମହୁରୀ

ଭାଟ କୈବାର କରେ ଖୁଣ୍ଟିଆ ପୁରୀ ହୁରିଜୁରି

ଛାମୁଁରେ ଉଭା ଚଣ୍ଡ ସହସ୍ର ବେତ ଧରି

ଆଲଟ ତ୍ରାସ ଧରି ଅନେକ ସେବାକାରୀ

ଶ୍ରୀ ଶ୍ରୀ ଶ୍ରୀ ପୟରେ ଅଗ୍ରଳ ତୋଢ଼ର

ଧଳା କଳା ଛତ୍ର ଯେ ଉଡ଼ଇ ଫର ଫର

ରାଜ୍ୟ ତାଳମୂଳ ଖଣ୍ଡାଏତ ବୀର

ସାହାଣାଖାମଣା ଖଣ୍ଡା ତରବାରୀ ଧରି ଶ୍ରୀଛାମୁଁରେ ହାଜର ।

 

ପାଇକବୀରର ଅଭିନନ୍ଦନ ପରେ ରଜା ଅତିଥିଅଭ୍ୟାଗତଙ୍କ ହାନିଲାଭ, ପ୍ରଜାଙ୍କ ହାରିଗୁହାରି ଶୁଣନ୍ତି, ମାଲିମକଦ୍ଦମା ଫଇସଲା କରନ୍ତି । ମୁହେଁ ମୁହେଁ ରାୟ, ମୁକ୍ତିଲାଭ ବା ଶାସ୍ତିବିଧାନ ହୋଇଯାଏ । ଦସ୍ୟୁର ମୁଣ୍ଡକାଟ, ରାଜଦ୍ରୋହୀର କେଶମୁଣ୍ଡନ, ହତ୍ୟାକାରୀକି ‘‘ବଉଳମୂଳ ଆଗୁଳା’’ ଦଣ୍ଡ ଅର୍ଥାତ୍‌ ଗୃହସମେତ ସର୍ବସ୍ୱ ଜରିମାନା ଦେଲେ ରକ୍ଷା ମିଳୁଥିଲା ।

 

ଭଲ କାର୍ଯ୍ୟ କଲେ ରାଜକର୍ମଚାରୀଙ୍କ ମୁଣ୍ଡରେ ଶାଢ଼ୀ ଶିରିପା ବନ୍ଧାହେଉଥିଲା, ପାଲିଙ୍କି ବା ହାତୀରେ ବସାଇ ତାଙ୍କୁ ସସମ୍ମାନେ ଘରେ ଛାଡ଼ିଦିଆହେଉଥିଲା, ଯାତ୍ରାକାଳରେ ଶଙ୍ଖମହୁରୀ ବାଜୁଥିଲା, ରାତି ହୋଇଥିଲେ ଦୋପଖା ମଶାଲ ଜଳୁଥିଲା ।

 

‘ହଁ ସାଆନ୍ତେ, ରଜାଙ୍କ ଖିଆଲ ତ ଆଇନ୍‌, କାହା ଭାଗରେ ମେଞ୍ଚାଏ, କାହା ଭାଗରେ କେଞ୍ଚାଏ, କିଏ ଖିରୀ ଖିରିସା ଖାଉଥିଲା, କିଏ ବା ବାସିତୋରାଣି ଢୋକେ ନ ପାଇ ଗଡ଼ି ମରୁଥିଲା-।’

 

‘ହୁଁ, ଅନ୍ୟାୟ ହଉ ନଥିଲା, କହୁନାଇଁ । ରାଜମର୍ଜିର ଶିକାର କିଏ କେମିତି ହୋଇ ଯାଉଥିଲେ । ତଥାପି ଆମ ଏ ତାଳମୂଳ ରାଜ୍ୟ ଭଲ ଥିଲା—ରାଜା ଆଠଜଣଙ୍କ ସାହାଯ୍ୟରେ ରାଜ୍ୟକୁ ଅକ୍ତିୟାରରେ ରଖିଥିଲେ—ତାଙ୍କ ପ୍ରଧାନମନ୍ତ୍ରୀ ପାତ୍ର—ପାତ୍ରଙ୍କ ତଳେ କେତେକ ମନ୍ତ୍ରୀ ଥିଲେ । ତାଙ୍କ ସେନାପତି ସର୍ଦ୍ଦାର—ସର୍ଦ୍ଦାରଙ୍କ ତଳେ ଗଡ଼ନାୟକ, ଦଳବେହେରା ଥିଲେ । ଏମାନେ ରାଜ୍ୟରେ ଶାନ୍ତିରକ୍ଷା କରୁଥିଲେ; ଅପରାଧୀକି ରଜାଙ୍କ ଆଗେ ବିଚାର ଲାଗି ହାଜର କରୁଥିବା ବ୍ୟକ୍ତି ହୁଆଲଦାର୍‌, ଆୟ ବ୍ୟୟ ହିସାବ ରଖୁଥିବା ବ୍ୟକ୍ତି ପାଞ୍ଜିଆ, ଦେଶବିଦେଶକୁ ରାଜାଙ୍କ ହୁକୁମ୍‌ ଓ ଚିଠିପତ୍ର ଲେଖୁଥିବା ବ୍ୟକ୍ତି ଛାମୁଁକରଣ, ବେଠି ବେଗାର ଲାଗି ତଲବ୍‌ କରୁଥିବା ବ୍ୟକ୍ତି ବକ୍‌ସି । ଏମାନେ ସମସ୍ତେ ଦିନକେ ଥରେ ରଜାଙ୍କୁ ସାକ୍ଷାତ କରୁଥିଲେ ।’

 

‘‘ଆପଣ ରଜାଙ୍କ ନିଜ ଲୋକ, ଆପଣଙ୍କ ଦିନକାଳ ବହୁତ ସୁଖରେ ଯାଇଛି । ହେଲେ ତିନିପୁରୁଷ ଧରି ଆମ ଦଶା ସମାନ—ପିଠିକି ଥେଲେ ପେଟକୁ ନାଇଁ, ପେଟକୁ ଥେଲେ ପିଠିକି ନାଇଁ ।’’

 

‘‘ଏବେ ଆଉ ଆମର କ’ଣ ଅଛି ବା ? ରାଜା ସିଂହାସନରେ ବସିଥିଲେ, ଆମେ ବସିଥିଲୁ ଖଟୁଲୀରେ; ଏବେ ରଜା ଚୌକୀରେ ବସିଲେ, ଆମେ ବସିଲୁ ତଳେ । ସେକାଳ ଆଉ କିଏ ଦେଲାରେ—ମଣିମାଙ୍କ ସାଙ୍ଗେ ଆମେ ଯେତେବେଳେ ନଗର ପରିକ୍ରମା କରି ବାହାରୁଥିଲୁ, କଣ ଦେଖିବ ସେ ନାଗରା ଧାମ୍‌ସା, ତୂରୀ ରଣଶିଙ୍ଘା, ବାଇଦବଡ଼କାଠ, ମଦନଭେରୀ, ଛତ୍ରବୈରେଖ, କଳା ଧଳା ଛତା, ଦନ୍ତାମତ୍ତା ହାତୀ, ଉଡ଼ଣବାରଣ ଘୋଡ଼ା, ନିକିନିକି ବାଇଦ, ଘଣ୍ଟା ଘୁଙ୍ଗୁରମାନ, ମୁଖବଂଶୀମାନ, ନାକବଂଶୀମାନ, ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ, ମଗରମୁହାଁ ପାଲିଙ୍କିରେ ରଜା ବୁଲି ବିଜେ କଲାବେଳେ ଆମେ ପାଲିଙ୍କି ବାଡ଼ ଧରି ଚାଲୁ ।

 

ଏ କାଙ୍ଗାଳ ଯୁଗରେ ବେଳେ ବେଳେ ମନେ ପଡ଼ିଯାଏ ରଜାଙ୍କର ସେ ଭୋଜି—ଖଣ୍ଡ ଖଣ୍ଡ ବସାଦହି ମୁଣ୍ଡା ମୁଣ୍ଡା ଛେନା, କି ପୁରିକାକରାନାନମାନ, କି ଖିରୀ ଆରିଷା, ଗୁଆଘିଅପୁଆଁ କେତେ କଅଣରେ ସେ, ପାଟିରେ ଥୋଉ ଥୋଉ ଅନ୍ତର୍ଧାନ ହୋଇଯାଏ ।

 

କି ଗୀତ ନାଟ୍ୟାଙ୍ଗୀରେ ସେ ! କି ଠିଆପାଲା ! ତୁ ତ ରତନା ବହୁତ ପାଲା ଦେଖିଥିବୁ, କହିଲେ ବୁଝିବୁ ?

 

ଥରେ ଗାୟକ ବାଙ୍କନାଥ ପଚାରିଲା—ବିଷ୍ଣୁ ଚକ୍ର, ଗଦା, ପଦ୍ମ ଛାଡ଼ି ଶଙ୍ଖ କାହିଁକି ଧରିଲେ ?

 

ଗାୟକ ଦୟାନିଧି ୟାର ଉତ୍ତର ଦେଲା—ଲକ୍ଷ୍ମୀଙ୍କ ଗଳା ଶଙ୍ଖ ପରି, ଏତେ ସ୍ୱଚ୍ଛ ଯେ ପାନ ପିକ ଗଳିଗଲା ବେଳେ ଦିଶେ । ବିଷ୍ଣୁଙ୍କ ହାତର ଶଙ୍ଖରେ କଙ୍କଣର ମାଣିକ୍ୟ ତେଜ ପଡ଼ି ସେମିତି ଦିଶିଲା । ତେଣୁ ଅତି ଆଦରରେ ବିଷ୍ଣୁ ଶଙ୍ଖକୁ ଧଇଲେ, ଗଦା ବା ଚକ୍ରକୁ ନୁହେଁ ।’

 

ତାପରେ ଦୟାନିଧି ବାଙ୍କକୁ ଗୋଟାଏ ପ୍ରଶ୍ନ କଲା—ଲକ୍ଷ୍ମୀ ବକ୍ଷଲୋମକୁ ଏତେ ପୋଛୁଛନ୍ତି କାହିଁକି ?

 

ବାଙ୍କନିଧି ଉତ୍ତର ଦେଲା—ବରାହ ଅବତାରରେ ବିଷ୍ଣୁ ଲକ୍ଷ୍ମୀଙ୍କ ବକ୍ଷକୁ ଚୁମ୍ବନ କଲାବେଳେ ମୃତ୍ତିକା ଲାଗିଥିଲା । ବାମନାବତାରରେ ବଳୀଙ୍କ ଦାନ ପାଣିରେ ବିଷ୍ଣୁ ସେ ବକ୍ଷକୁ ଧୌତ କଲେ । ମାଟି ପାଣି ଧାର ବୋହିବାରୁ ଲକ୍ଷ୍ମୀ ବକ୍ଷଲୋମକୁ ପୋଛୁଛନ୍ତି ।

 

ତେବେ ରାଜା ବିଜେ କରିଛନ୍ତି, ରତ୍ନମଞ୍ଜରୀ ଜେମାଙ୍କ ବିଭାଘର, କେତେ କବି, ପଣ୍ଡିତ ସମାରୋହ । ରାଜକବି ସମସ୍ୟା ପୂରଣ ଲାଗି ପଚାରିଦେଲେ—

 

‘‘ଚନ୍ଦ୍ରମା ଶରୀରେ ଏହା ନୁହେ କଳଙ୍କ’’

 

ନିମନ୍ତ୍ରିତ କବିମାନେ ଏଇ ପ୍ରକାରେ ପଦ ପୂରଣ କଲେ ।

 

‘‘ସମୁଦ୍ର ମନ୍ଥନରୁ ଐରାବତ ଉଠିଲା—ଚନ୍ଦ୍ର ଦର୍ପଣରେ ତା ଆଖି ପଡ଼ିଗଲା; ତା ଭିତରେ ଆଉ ଗୋଟାଏ ହାତୀ ଅଛି ବିଚାରି ସେ ଦନ୍ତାଘାତ କଲା, ଦର୍ପଣ ଚଡ଼କି ଗଲା—

 

ତେଣୁ ସିନା ରହିଚି ଅଙ୍କ

ଚନ୍ଦ୍ରମା ଶରୀରେ ଏହା ନୁହେ କଳଙ୍କ ।

 

ସମୁଦ୍ରମନ୍ଥନରୁ ଲବ୍‌ଧ ଅମୃତକୁ ଗୋଟିଏ କାଚ କଳସୀରେ ରଖାଯାଇଛି । ତାକୁ ଖାଇବା ଲାଗି କଳା ପିମ୍ପୁଡ଼ି—

 

ବେଢ଼ିଛନ୍ତି ହୋଇଣ ରଙ୍କ

 

ଚନ୍ଦ୍ରମା ଶରୀରେ ଏହା ନୁହେ କଳଙ୍କ ।

 

ଇନ୍ଦ୍ର ବଜ୍ରରେ ପର୍ବତମାନଙ୍କ ଡେଣା ଛିଣ୍ଡାଇଲା ବେଳେ ଗୋଟାଏ ପର୍ବତ ଆସି ଚନ୍ଦ୍ରରେ ଲୁଚିଗଲା—

 

ଦିଶୁଚି ଏ ତାହାର ଟଙ୍କ

ଚନ୍ଦ୍ରମା ଶରୀରେ ଏହା ନୁହେ କଳଙ୍କ ।

 

ଏ ଆଖି ସେସବୁ ଦେଖିଚି—କି ରାଜା, କି ଭୋଜି, କି ଆଡ଼ମ୍ବର ! ତୁ ରତନା, କି ରଜା କଥା କହୁଚୁ ! ନ ଦେଖିଲା ଓଉ ଛପଡ଼ା । ତୁ ତ ପ୍ରକୃତ ରଜା ଦେଖିନାହୁଁ, ଗପ ରଜା କଥା କହିବୁନି ତ କ’ଣ କହିବୁ ?

 

ଏକ ଓଳିକିଆ କ’ଣ, କଥାଲହସରେ ବେଳ ବୁଡ଼ିଲାଣି ।

 

ଆଜି ଥାଉ ଏତିକି, ଫୁଲ ଫୁଟୁ କେତକୀ ।

 

କାଲି ରାଜା କାର୍ତ୍ତିଚନ୍ଦ୍ରଙ୍କ କଥା କହିବି । ସେ ତ ଏବ ରଜା; ତାଙ୍କ ଅଭିଷେକ ଦେଖିଚି ମୁଁ ।

 

।। ଦୁଇ ।।

 

ବାସିଓଳିକି ଦାନା ନାଇଁ, ହାଣ୍ଡି ମାଙ୍କଡ଼ଚିତ୍‌ ମାରୁଚି । ଓଲରା ଚାଳ, ଆଲୁରୀବାଲୁରୀ ଭାରିଯା, ଅସଣାମସଣା କେତୁଟା ଛୁଆ । ଦୁଆରେ ତାଲା ପଡ଼େନାଇଁ, ଚୋରୀ ଯିବାକୁ କିଛି ନାଇଁ ବୋଲି । କାନ୍ଧ ଅଳଗୁଣି, ପେଟ ଭଣ୍ଡାରଘର । ଏତେ ‘ନାହିଁ’ ଭିତରେ ସବୁ ଅଛିର ଆନନ୍ଦ ସେ ଭୋଗ କରେ । ଚାରିପାଆା ନଈବଢ଼ି ପରି ଆନନ୍ଦ ମନର ଦିକୂଳ ଖାଉଥାଏ । କଥା କହୁଁ କହୁଁ ସେ ଗୀତ ଗାଏ, ଗୀତ ଗାଉଁ ଗାଉଁ ପୁଣି କଥାସୁଅରେ ଭାସିଯାଏ । ଯେତେକ ଅଜଣା ସ୍ୱପ୍ନ ତା ମନରେ ବସା ବାନ୍ଧିଚି । ଯେତକ ଅଜବ କଳ୍ପନା କରି ସେ ହସେ, ହସାଏ । ବାଟଘାଟର ଫୁଲଟିଏ ଦେଖିଲେ ସେ ଗେଲ କରେ, କୋଇଲିର ସ୍ୱର ଶୁଣିଲେ ପ୍ରେମରେ ଫୁଲିଉଠେ; କୋଳର ପିଲା ଅଚିହ୍ନା ବାରନ୍ତି ନାଇଁ, ତା କୋଳକୁ ଡେଇଁପଡ଼ନ୍ତି । ଯେଡ଼େ କବିକାର ସେ ତେଡ଼େ ଗପୁଡ଼ି, ଗାଆଣ । ଆଜିଯାଏ ଶୁଣାଇ ଆସିଥିଲା, ଆଜି ଶୁଣିଚି, ତା ମନକୁ ଭାରି ପାଇଯାଇଚି । ସେ ତ ମନକୁ ତୋଳି କଥା କହେ, ଏ ଆଉ ପ୍ରକାରେ କଥା—ସଂସାରରେ ଘଟିଥିବା, ଅଙ୍ଗେ ଲିଭାଇଥିବା କଥା । ଆଜି ବକ୍ତା ନୁହେ ଶ୍ରୋତା ସେ ।

 

ରତନାକୁ ରାତିରେ ନିଦ ନାଇଁ, ବଡ଼ିଭୋରରୁ ଉଠି ସେ ଧାନ ବିଲରେ । ଅନ୍ୟ କଟାଳୀ ପହଞ୍ଚିଲାବେଳକୁ ତାର ପାହିଟିଏ ଲାଗିଲାଣି । ବୁରୁନ୍ଦି ସାଆନ୍ତ ଛତାଟିକି ଥୋଇ ହିଡ଼ମୁଣ୍ଡାରେ ବସିଛନ୍ତି କି ନାଇଁ, ରତନା ମନେ ପକେଇଦେଲା—ଅଧା ଥିଲା କାଲିର ଗପ.....

 

ହାଲପାଟା ପଡ଼ିଚି, ମଞ୍ଜ ଥରିଯାଉଚି । ତୋର କିଛି ବେପାର ନାଇଁ କିରେ ? ପିଲାମାଇପଙ୍କ ଚିନ୍ତା ମୁଣ୍ଡରେ ପଶେନାଇଁ ? କେଡ଼େ ପିଲା ହେଇଯାଉଚୁ ବା !

 

ସାଆନ୍ତେ, ବେଳ ପରା ଆଖର ହେଲାଣି, ଖରା ଆଖି ତରାଟିଲାଣି, ହେମାଳିଆ ପବନ ଆଉ ନାଇଁ ?

 

ଗପ ଶୁଣିବାକୁ କିଏ ଭଲ ନ ପାଏ କି ? ମତେ କାହିଁକି ପିଲା କହୁଚ ?

 

ଦରବୁଢ଼ା ହେଲେ ବି ତୁଟା ଭାରି ପିଲା—ଗୋଟାଏ କଞ୍ଚା ମେଞ୍ଚଡ଼ି ।

 

ଆଜ୍ଞା ରଜା ଭଲ ବୋଲି କହୁଚ ଯେ......

 

କାଇଁକି କ’ଣ ହେଲା ?

 

ଆଳିରଜା କେମିତି ବାଘ ଆଗରେ ମଣିଷକୁ ପକାଇଦିଏ..... ?

 

ଆଳିରେ ତ ରାଜା ନ ଥିଲେ, ଜମିଦାର ଥିଲେ ! ତାଙ୍କର ଏଡ଼େ ଛାତି ହବ—ମଣିଷକୁ ବାଘ ଆଗେ ପକାଇଦେବେ !

 

ଠାକୁରରଜା, ଲକ୍ଷେ ରାଜାର ମହୁଡ଼ମଣି ଦିବ୍ୟସିଂହଦେବଙ୍କୁ କଳାପାଣି ଭୋଗିବାକୁ ହେଲା, ମଣିଷ ମାରିଥିଲେ ବୋଲି । ସେମିତି ଏକ ଅପରାଧରେ ବାଙ୍କୀ ରାଜାଙ୍କ ମୂଳ ବୁଡ଼ିଲା, ମାନେ ରାଜ୍ୟ ଖାସ୍‌ ହେଲା । ରାଜନୀତିକ ବିଭାଗର ବିନା ସମ୍ମତିରେ ଗଡ଼ଜାତ ରଜାର ଯେତେବେଳେ ଫାଶି ଦେବାଇ ହୁକୁମ୍‌ ନାଇଁ, ଜମିଦାର କି ଛାର ! କେତେକଡ଼ାରେ ଗଣ୍ଡାଏ ! ଇଂରେଜ ସରକାର ବାଘ ବକରିକି ଏହା ତୁଠରେ ପାଣି ପେଉଥିଲା ଟିକି !

 

ତେବେ ଆଳିରାଜା ଜମିଦାର ହେଲେ କ’ଣ ହବ, ରାଜାର ଦିଲ୍‌ ଥିଲା ତାଙ୍କର, ଭାରି ଅମାନିଆଁ, ଭାରି ବେପରୁଆ । ସେ ହାତ ଓଲଟେଇଲେ ଯୁଗ ଓଲଟୁ ଥିଲା । ବାଘବାରେଣି ମନ୍ତ୍ର ତାଙ୍କୁ ଜଣା ଥିଲା । ବାଘକୁ ବିଲେଇ ଛୁଆ ପରି ସେ କୋଳରେ ବସାଉଥିଲେ । ତାଙ୍କ ସର୍କସ୍‌ ଭାରି ନାଁଡ଼ାକ ଥିଲା ।

 

ଆଜ୍ଞା, ଗୋପିଆ ସେଦିନ ମରିଥାନ୍ତା ନା ନାଇଁ ?

 

ଏ ଗୋପିଆ କିଏ ? କଥା କ’ଣ ?

 

ଏ ଗୋପିଆଟାକୁ କିଏ ନ ଜାଣେ ? ଆମର ଏଇ ତାଳମୂଳର ଲୋକ ପରା ! ଯେମିତି ଗଣ୍ଡମୂର୍ଖ, ସେମିତି ହୁଣ୍ଡା । ଦିନେ ରାଜାଙ୍କୁ ଗୁହାରି କଲା—ଛାମୁଁ, ଏ ଘୋଡ଼ାଶାଳ କାମ ଆଉ କରିବି ନାଇଁ ।

 

କିରେ କାଇଁକି ?

 

ଛାମୁଁ, ଦେଖ, ମୋ ପିଠିଯାକ କେମିତି ଆବୁ ! କାଲି ତିନି ନାତ, ଆଜି ଦି ନାତ ଖାଇଚି-! ମୋତେ ଦେଖିଲାମାତ୍ରେ ଏ ଘୋଡ଼ାଗୁଡ଼ାକ ହେଁ ହେଁ—ଫେଁ ଫେଁ ହଉଚନ୍ତି !

 

ସେ ସେମିତି ହଉଥାନ୍ତୁ, ତୋର କ’ଣ ଗଲା !

 

ଯେତେବେଳେ ପଶୁ ସେଗୁଡ଼ାକ, ଆମେ ତାଙ୍କୁ ପାଳୁ, ପୋଷୁ, ତାଙ୍କ ପିଠିରେ ବସୁ, ମତେ ଏମିତି କ’ଣ କରି ପାଇଲେ କି କିରି କିରି ହସିବେ ! ମଣିଷ ବୋଲି ଟିକିଏ ମାନ୍ୟଧର୍ମ ନାଇଁ-! କିଏ କେତେବେଳେ କୋରଡ଼ାଏ ପକାଇଚି ବୋଲି ସବୁ ଦାଉ ମୋରି ଉପରେ ସାଧିବେ-!

 

ଛାମୁଁ ସବୁ କଥା ବୁଝ, ମୁଁ ହେଲେ ରାମ କି ବିଷ୍ଣୁ କହିଥାନ୍ତି । ଛାମୁଁଙ୍କର ଯୋଉ ‘ପବନା’ ଘୋଡ଼ା ନାତ ପଣି ପକାଇଲା, ମୁଁ ଖୁଆ ଉଠାଇ ପାରୁନାଇଁ ।

 

ରଜା ହସି ହସି କହିଲେ—ଘୋଡ଼ାଶାଳ କାମ ତ ତତେ ଗନ୍ଧେଇଲାଣି, ଦିପହରକୁ ଆ, ଅନ୍ୟ କାମ ଦବା ।

 

ଗୋପିଆ ଦିପହରକୁ ଗଲାରୁ ବରାଦ୍‌ ହେଲା—ବାଘଙ୍କୁ ଖାଇବାକୁ ଦେ ।

 

ଘୋଡ଼ା ନାତ ମାରୁଚି, ବାଘ ଖାଇଦବ, ଏ ହୋସ୍‌ ହେଲାନାଇଁ ନିଶା ଜୋର୍‌ରେ ।

 

ତିନିଟା ବାଘରୁ ଦୁଇଟା ମହାବଳ, ଗୋଟାଏ ଚିତା । ତାଙ୍କ ଲାଗି କଟକ କିଲ୍‌ଖାନାରୁ ଅଠର ସେର ଗୋରୁମାଉଁସ ଆସେ । ତା ଛଡ଼ା ପ୍ରତ୍ୟେକ ପାଇଁ ପାଞ୍ଚ ସେର ମଇଁଷି ଦୁଧ ବରାଦ୍‌ ।

 

ଯେତିକି ମନମୋଟିଆ, ସେତିକି ବେଖାତିରିଆ । ବିଚାରିଲା ଏ ଭଅଲ ହେଲା; ଘୋଡ଼ାଗୁହାଳ ପୋଛିବାକୁ ଦିନଯାକ ଲାଗୁଥିଲା । ବାଘ ତ ମୋଟେ ତିନିଟା, ତାଙ୍କ ଗୁହାଳ ପୋଛିବା, ଜଞ୍ଜାଳ ବୁଝିବା କିଛି କଷ୍ଟକର ନୁହେଁ । ବରଜୁଆ ହାଡ଼ିଝିଅ ଲାବଣ୍ୟ, ଛାର ମାଇକିନିଆଁଟାଏ ହେଇ ବୁଝୁଚି ! ମତେ ବଳେଇଯିବ !

 

ଆ ଚୁ ଚୁ କରି ଗାଈକି ଡାକିଲା ପରି ଦୁଆର ଫିଟାଇ ଗୋପିଆ ବାଘକୁ ଡାକିଲା ।

 

ଖାଇବା ଡେରି । ଭୋକରେ ବାଘର ଆଖିରୁ ଜୁଳୁଜୁଳିଆ ପୋକ ବାହାରୁଥିଲା । ଦୁଆର ଖୋଲିବାମାତ୍ରେ ସେ ଖପ୍‌କିନେ ଡେଇଁ କେଁ କରି ମାଡ଼ିବସିଲା । ଶଙ୍ଖି ଚିପିଦେଇଥାନ୍ତା । ଭାଗ୍ୟକୁ ଅଳ୍ପ ଦୂରରେ ଲାବଣ୍ୟ ଥିଲା, ଦୌଡ଼ିଆସି ସେ ଲୁହାଛଡ଼ରେ ବାଘ ମୁଣ୍ଡରେ ଶକତ ପାହାରେ ଦେଲା । ବାଘ ଛାଡ଼ିଦେଲା ।

 

ରକ୍ତସ୍ନାନ, ଗୋପିଆ ମରୁ ମରୁ ବଞ୍ଚିଗଲା । ରଜା ଡାକ୍ତରଖାନାକୁ ପଠାଇ ଚିକିତ୍ସା କରାଇଲେ । ଭଲ ହେଲା । ଛାତିରେ ଛନକା ପଶିଯାଇଥିଲା । ଗୋପିଆ ସ୍ୱପ୍ନରେ ବାଘକୁ ଦେଖଇ ଚମକି ପଡ଼ୁଥିଲା । ତା’ପରେ ସେ ରଜାଘର ଚାକିରି ଛାଡ଼ି କୋଇଲାଖଣିରେ ପଶିଲା ।

 

ଏଥିରେ ରଜାଙ୍କର କି ଦୋଷ ? ବାଘ ପରା ଜନ୍ତୁ, କ’ଣ ଗୋରୁ ନା ଗାଈ ? ତାକୁ ଚୁ ଚୁ କରି ଡାକୁଥିଲା କାହିଁକି ? ନିଶାଖୋର୍‌ ଲୋକର କୋଉ ହିତାହିତ ଜ୍ଞାନ ରହେ କି ?

 

ଏମିତି ବେକୁବ୍‌କୁ ବାଘ ନ ଖାଇ ଛାଡ଼ିଦେଲା ଯାହା !

 

ଆଜ୍ଞା ସାଆନ୍ତେ, ମୁଁ ବୁଝିଗଲି, ଏ ସେଇଠି ଥାଉ । ଆଜି ରଜାଙ୍କ ଅଭିଷେକ କଥା କହିବ ପରା !

 

ତୋ କଥା ତୁ ରଖିଲୁନାଇଁ; ମଝିରେ ପଚାରିଲେ ସୁଅ ଭାଙ୍ଗିଯାଏ । ମଝିରେ ଯଦି ଆଉ ପଚାରୁ, କଥା ସେଇଠି ଶେଷ ହେଲା, ଜାଣିବୁ ! ଏଥର ଶୁଣ୍‌ ।’

 

ରାଜା ଉଦୟଚନ୍ଦ୍ରଙ୍କ ପରଲୋକ, ଯୁବରାଜ କୀର୍ତ୍ତିଚନ୍ଦ୍ରଙ୍କର ଅଭିଷେକ ।

 

ରାଜା ଚିରଜୀବୀ, ସେ ମରନ୍ତି ନାଇଁ, ମରନ୍ତି ଜଣେ ଗୌରବଚନ୍ଦ୍ର, ଜଣେ ଚଣ୍ଡାଦିତ୍ୟ, ଜଣେ ବିକ୍ରମସିଂହ । ପ୍ରଜାଙ୍କର ବି ସେଇ କାମନା—ରଜା ଚିରଜୀବୀ ହୁଅନ୍ତୁ ।

 

ରାଜଗାଦି କେବେ ଖାଲି ରହେ ନାଇଁ, ଜଣେ ସିଂହାସନରୁ ଓହ୍ଲେଇବାମାତ୍ରେ ଆଉ ଜଣେ ବସେ । ବସି ଆଦେଶ ଦେଲେ ଯାଇ ପୂର୍ବ ରଜାଙ୍କର ଶବ ଦାହ ହୁଏ । ଏ ସନାତନ ନିୟମ-

 

ସୁଖ ଦୁଃଖ ଯଦି ଖୁବ୍‌ ଲଗାଲଗି ହୋଇ କୋଉଠି ରହିଛନ୍ତି, ସେ ଏଇ ରାଜବାଟିରେ । ଏଠି ଏକାବେଳକେ ଗୋଟିଏ ଆଖି କାନ୍ଦେ, ଆର ଆଖିଟି ହସେ କିମ୍ବା ଆଖିଦୁଇଟି ଲୁହରେ ଜୁଡ଼ୁବୁଡ଼ୁ ହୁଏ, ସେତିକିବେଳେ ଓଠ ଦିଫାଳିରୁ କୁରୁ କୁରୁ ହସ ବାହାରେ । ପୂର୍ବକୁ ଚାହିଁଲେ ହସ, ପଶ୍ଚିମକୁ ଚାହିଁଲେ କାନ୍ଦ । କେଡ଼େ ବେଗି ମନର ଭାବ ବଦଳେ ।

 

ଗୋଟେପଟେ ଶଙ୍ଖମହୁରୀ ବାଜେ, ଏକାବେଳକେ ବହୁ ସ୍ୱରରେ ହୁଳହୁଳି ପଡ଼େ । ଖୋଲା ଆକାଶରେ ଚନ୍ଦ୍ର ଉଇଁଛି, ଗଛଲତା ହସି ଉଠୁଛନ୍ତି ।

 

ଆର ପଟେ ସୂର୍ଯ୍ୟ ଅସ୍ତାଚଳର ବହୁତ ତଳକୁ ଖସିଯାଇଛନ୍ତି, ଲିଭିଯାଇଚି ସବୁ ତେଜ, ସବୁ ରାଗରଙ୍ଗିମା । ସେଠି କାଳକି–କାନ୍ଦଣା, ଗୋଟେ ପାଖେ ଜୁଆର ଆରପାଖେ ଭଟ୍ଟା, ଗୋଟେପାଖେ ଆଲୋକର ଝଲକ, ଆରପାଖେ ଅନ୍ଧାରର ଘନଘଟା । ଗୋଟେପାଖେ ଶୋକାକୁଳ ପ୍ରଜା, ଆରପାଖେ ବି ସେଇ ପ୍ରଜାରୁ କେତେ ଉଛୁଳୁଛନ୍ତି ହସରେ ।

 

ଗୋଟେପଟେ ଶବର ପଟୁଆର, ଉଠୁଚି ଶବ୍ଦ—ରାମନାମ ସତ୍ୟ ହେ । ବାଜୁଚି ଢୋଲ, କରୁଣ ସ୍ୱରରେ ମହୁରୀ, ପଡ଼ିଚି ଫୁଲର ଶ୍ରଦ୍ଧାଞ୍ଜଳି; ଆରପଟେ ବାଜୁଚି ଯୋଡ଼ିନାଗରା, ତେଲିଙ୍ଗିବାଜା, ଶୁଭଶଙ୍ଖ ଓ ମହୁରୀ ।

 

ଯୁବରାଜ ଖିଅର ହେଉଛନ୍ତି, ଗାଧୋଉଛନ୍ତି, ନୂଆ ଲୁଗା ପିନ୍ଧୁଛନ୍ତି, ମୁଣୋହିଁ ରନ୍ଧାହେଉଚି, ବୋଦା କଟାହେଉଛି । ଏସବୁ ବିଧି ମାତ୍ର; ପ୍ରକୃତରେ ରଜା ମୁଣୋହିଁ କରନ୍ତି ନାହିଁ । ତେଣେ ମଶାଣିରେ ବି ବିଧି ପାଳନ ହେଉଛି । ଶବକୁ ଖିଅର କରି ଗାଧୋଇ ଦିଆହେଉଛି, ନୂଆ ଲୁଗା ପିନ୍ଧେଇ ଦିଆହେଉଛି । ଭାତ ବି ରନ୍ଧା ହେଉଛି, ଯଦି ବା ମାଲଭାଇ ଜାଣନ୍ତି ଯେ ଶବ ଖାଏ ନାହିଁ ।

 

ନାମକୁ ମାତ୍ର ଅଭିଷେକ ହେଉଛି କୀର୍ତ୍ତିଚନ୍ଦ୍ରଙ୍କର, ସଙ୍ଗରେ ନାହାନ୍ତି ରାଣୀ ସୁରତରଙ୍ଗିଣୀ ।

 

ରାଜଅଭିଷେକ ପୂର୍ବରୁ ରାମସୀତାଙ୍କର ଅଭିଷେକ ହେବା ବିଧି । ଏ ଅଶୌଚ ଅଭିଷେକରେ ରାମସୀତାଙ୍କ ମୂର୍ତ୍ତି ଅଣାଗଲା ନାହିଁ । ଦୁର୍ଗାମାଧବ ପଟିକଳସ ମାତ୍ର ବସିଲା, ରାଜପୁରୋହିତ ଯୁବରାଜଙ୍କ ମୁଣ୍ଡରେ ଶାଢ଼ୀ ବାନ୍ଧିଦେଲେ । ଏତିକିରେ ଯୁବରାଜ ହେଲେ ରାଜା । ସିଂହାସନରେ ବସିବାମାତ୍ରେ ତାଙ୍କର ପ୍ରଥମ ଆଦେଶ–ପିତାଙ୍କର ଶବଦାହ ।

 

ମୁଖାଗ୍ନି ଦେଲେ ରାଜାଙ୍କ ଦ୍ୱିତୀୟପୁତ୍ର—ପଟ୍ଟାୟତ, ଦଶଦିନ କ୍ରିୟା ଧରିଲେ ବ୍ରାହ୍ମଣ ନୁହେଁ, ସ୍ୱୟଂ ପଟ୍ଟାୟତ । ଶୁଦ୍ଧିପରେ ଏକାଦଶାହ, ଦ୍ୱାଦଶାହ କାର୍ଯ୍ୟ କଲେ ନିଜେ ରାଜା ।

 

ରଜାଘର ଛଡ଼ା ଏକାବେଳକେ ସୁଖଦୁଃଖର ଏଇ ବିଚିତ୍ର ଦୃଶ୍ୟ ଅନ୍ୟତ୍ର ଦୁର୍ଲଭ ।

 

ଶବ ଉଠିବା ପରେ ପରେ ଆଉ ଗୋଟିଏ ଛାତିଫଟା ଦୃଶ୍ୟ ଦିଶେ—ସେ ରାଣୀ ବଗିଚାର ରସସାଗର ହଦର ଅଣତୁଠରେ । ସେଠି ରାଣୀ ରତ୍ନପ୍ରଭା । ଆଖିରୁ ଝର ଝର ଲୁହ ବୋହିଯାଉଚି । ବୁଝାଉଛନ୍ତି ଚିତ୍ରଲେଖା, ମଦାଳସା ଆଦି ମୃଦୁସୁଲୀ, ଯଦି ବା ଏ ଦୁଃଖ ବୁଝିବାର ବାହାରେ । ‘ତୂନୀହ’ କହିଲେ ଏଥିରେ ବେଶୀ କୋହ ଉଠେ, ଲୁହ ବହେ ।

 

ରୋଲୀ ଭଣ୍ଡାରୁଣୀ ରାଣ୍ଡ କରୁଚି । ଅଳଙ୍କାର କାଢ଼ୁ କାଢ଼ୁ ଆଖିର ଲୁହରେ ତା ମୁହଁ ଭାସିଉଠୁଚି । ସେ ମୁଣ୍ଡରୁ କାଢ଼ୁଚି ଟଏରା, ଅଳକାପାଟି, ମଥାମଣି, ଚନ୍ଦ୍ରସୂର୍ଯ୍ୟ, ଝାମ୍ପରା, ବେଣୀର ଯେତେ ସାଜ, ଝୁମ୍ପା ।

 

ନାକରୁ ନାକପୁଟୁକି, ଦଣ୍ଡି ।

 

କାନରୁ ମଲ୍ଲକଢ଼ି, ଚନ୍ଦ୍ରବାଉଲି ।

 

ଗଳାରୁ କଣ୍ଠା, ହାର ।

 

ହାତରୁ ବାହୁବନ୍ଧ, କଙ୍କଣ, ଗୁଞ୍ଜର, ରତ୍ନଚୁଡ଼ି, ହସ୍ତପଦ୍ମ ।

 

କଟିରୁ ଓଡ଼ିଆଣୀ, ମେଖଳା, କମରପଟା ।

 

ପାଦରୁ ନୂପୁର, ପାହୁଡ଼, ପାଦପଦ୍ମ, ଝୁଣ୍ଟିଆ । ପାଦର ସବୁ ଅଳଙ୍କାର ସୁନା, ରାଣୀଙ୍କି ଯୋଗାଏ । ଅନ୍ୟ ସ୍ତ୍ରୀ ପିନ୍ଧିଲେ ଲକ୍ଷ୍ମୀ ଛାଡ଼ିଯାନ୍ତି ।

 

‘‘କ୍ଷତ୍ରିୟ ଘରେ ତ ରଖନ୍ତି, କାନରେ ଏ ହୀରା ଫୁଲ ଦିଓଟି ଥାଉ ମଣିମା,’’ ପଚାରିଲା ଗେଲୀ ।

 

‘‘ନାଇଁ, ନାଇଁ ।’’

 

‘‘ପଦ୍ମରାଗ, ନୀଳମଣି ମିଶା ଏ ମୋତିମାଳାଟି ଗଳାରେ ଥାଉ ।’’

 

‘‘ନାଇଁ, ନାଇଁ ! ପୋଡ଼ା ତିଅଣରେ ଆଉ କି ସୁଆଦ ଅଛି ?

 

ରାଜ୍ୟ ଯାଇଥିଲା, ଦିନେ ହେଲେ ଭାବି ନ ଥିଲି; ସେ ଥିଲେ; ମୋର ସବୁ ଥିଲା । ତାଙ୍କ ମୁହଁଙ୍କୁ ଚାହିଁଦେଲେ ମତେ ସବୁ ସୁଖ, ସବୁ ଶାନ୍ତି ମିଳି ଯାଉଥିଲା । ଏବେ ସେ ଗଲେ, ମୋର ସବୁ କିଛି ଗଲା ।

 

ମୋର କୋଉ କଥା ଦିନେ ତଳେ ପଡ଼ି ନଥିଲା । କଟକ ଗଲେ ମୋ ଲାଗି ଆଣିଥିଲେ ନୂଆ ନୂଆ ଅଳଙ୍କାର, କଲିକତା ଗଲେ ନୂଆ ନୂଆ ଶାଢ଼ୀ ।

 

ମୋ ଲାଗି ଆଣିଥିଲେ ନୂଆ ବେଶକାରିଣୀ, ନିତି ନୂଆ ନୂଆ ବେଶ ନହେଲେ ତାଙ୍କ ମନକୁ ଘେନୁ ନ ଥିଲା । କୋଉଦିନ ମୋତି, ମାଣିକ, ବୈଡ଼ୁର୍ଯ, ପୋଖରାଜ, ହୀରା, ନୀଳାର ବେଶ, କୋଉଦିନ କେବଳ ସୁନାରେ, କୋଉଦିନ ମଣିମାଣିକ୍ୟରେ, କୋଉଦିନ ରୂପା ତାରକସିରେ, କୋଉଦିନ ହାତୀଦାନ୍ତ ଅଳଙ୍କାରରେ ସଜେଇ ହୁଏ, କୋଉଦିନ ବା ପକ୍ଷୀପର, କଅଁଳ ପତ୍ର, ଫୁଲରେ ଶବରୁଣୀ ବେଶ ହୋଇଥାଏ । ସଜେଇଲା ବେଳେ ବେଶକାରିଣୀ ମାଳବିକା କହୁଥିଲା—ରାଣୀଙ୍କି ବେଶ କରିବା କି ଲୋଡ଼ା ? ସେ ତ ସିଆଡ଼ୁ ବେଶ ହୋଇ ଆସିଛନ୍ତି । ସଜେଇଲେ ବଳକା ଉପରେ ବହକା ହୁଏ, ସୁନ୍ଦର ଉପରେ ସୁନ୍ଦର ନଦି ହେଲା ପରି ଦିଶେ ।

 

ମତେ କେଡ଼େ ଦେଖିପାରୁଥିଲେ ସେ । ରାଜ ଆଖି ତାଙ୍କର, କେତେ ରୂପ ଚାଖିଚି, ହେଲେ ଲାଖି ରହିଥିଲା ଏଇଠି । ମତେ ଦେଖିଲାକ୍ଷଣି କେଡ଼େ କବିକାର ହୋଇଯାଉଥିଲେ ସେ, କହୁଥିଲେ—ଦିହରେ ମିଶି ଗୋଟିଏ ହୋଇଯାନ୍ତି ଯଦି, କେଜାଣି ଏ ମନ ତୃପ୍ତିଲାଭ କରନ୍ତା । ତ ନହେଲେ ନାଇଁ, ବାସିଚନ୍ଦନ ହୋଇଥିଲେ ଦିହରେ ଲିପି ହୋଇ ରହିଥାନ୍ତି ।

 

ରାଣୀ ରତ୍ନପ୍ରଭା ଉଦୟଚନ୍ଦ୍ରଙ୍କ ଏଇସବୁ କଥା କହୁଁ କହୁଁ କାନ୍ଦୁଥିଲେ; ବଡ଼ ପାଟିକରି ଗାଉଁଲୀ ସ୍ତ୍ରୀ ପରି ବାହୁନୁ ନଥିଲେ । ଯଦିବା ଶୋକ ପ୍ରକାଶରେ ସେ ଅନ୍ୟ ସ୍ତ୍ରୀଠାରୁ ଭିନ୍ନତର ନଥିଲେ । ରାଜବାଟିରେ ସେ ଏକାନ୍ତ ଏକୁଟିଆ । ରାଜାଙ୍କର ପଡ଼ୋଶୀ ନାଇଁ, ଯେ ଦୁଃଖରେ ସମବେଦନା ପ୍ରକାଶ କରିବେ । ବେଦନା ତେଣୁ ଶେଳ ପରି ଅନ୍ତରରେ ଭେଦିଯାଏ, ଭେଦୁଥାଏ ।

 

ରାଣୀ ରତ୍ନପ୍ରଭା କାନ୍ଦୁ କାନ୍ଦୁ ଅଚେତା ହୋଇଗଲେ, ବହୁ ଛିଞ୍ଚାବିଞ୍ଚା ପରେ ତାଙ୍କ ଚେତା ଫେରିଲା । ଦାସୀମାନେ ତାଙ୍କୁ ଗାଧୋଇପାଧୋଇ ଉଆସକୁ ନେଲେ—ଅଳତା ପୋଛା ଛେତା ପାଦ ଟଳମଳ ।

 

ଚାଲିଗଲାବେଳେ ବାଟରେ ଖରା ତେଜରେ ରତ୍ନ ବୁଣି ହୋଇଯାଉଥିଲା, ପଦେ ପଦେ ସୁନା ପଦ୍ମ ଫୁଟି ଉଠୁଥିଲା । ଏବେ ସେ ଫୁଲପତ୍ରହୀନ ଝାଞ୍ଜିପିଟା ଝାଟିଟିଏ । ଅଳଙ୍କାରପତ୍ର କାଢ଼ିନେଲା ପରେ ସୌଭାଗ୍ୟସମ୍ପଦ ସବୁ କିଏ ଝାଡ଼ିଝୁଡ଼ି ନେଲା ପରି ଲାଗିଲା ।

 

ରତ୍ନପ୍ରଭା ! ସେ ଆଉ ତାଳମୂଳ ରାଜ୍ୟର ରାଣୀ ନୁହନ୍ତି । ସବୁ ସୁଖ ସରିଯାଇଛି । ଅସ୍ତସୂର୍ଯ୍ୟ ପଛେ ପଛେ ଛାଇ ପରି ଯାଇଛି ତାଙ୍କ ମନ, ଦିହଟା ଯାହା ପଡ଼ି ରହିଚି ଉଆସରେ । ପୁଅ ରଜା ହେଲେ ମାଆର ଯଥେଷ୍ଟ ଗର୍ବ କରିବାର ଅଛି । ରାଜମାତା ସେ, ସେଦିନର ପାଟମହାଦେଈ, ପୁଅ ମୁଣ୍ଡରେ ଶାଢ଼ୀ ବାନ୍ଧିଲେ ପୁଅ ରଜା ହୁଏ । ସେତିକି । ରାଜ୍ୟଶାସନରେ ତାଙ୍କର ପାଟି ଫିଟେଇବାକୁ ନଥାଏ । କଥାରେ ଅଛି—

 

‘ଭାଇ ରଜା ହେଲେ ଭଉଣୀ ନୁହଇ ରାଣୀ

ଯେତେ ହେଲେ କହୁଥାନ୍ତି ରଜାଙ୍କ ଭଉଣୀ ।’

 

ସେହିପରି ରାଜମାତା । ଉଆସରେ ଥିଲେ ବି ଠାକୁର ଘର ତାଙ୍କର ଆଶ୍ରା; ଭକ୍ତିଭାବ ହିଁ ତାଙ୍କର ଭାବ, ଶାନ୍ତିରସ ହିଁ ଏକମାତ୍ର ରସ ।

 

ସ୍ୱାମୀ ବିୟୋଗରେ ଦୁର୍ଭାଗ୍ୟ, ପୁତ୍ର ରଜା ହେବାର ସୌଭାଗ୍ୟ ତାଙ୍କୁ ଏକାବେଳକେ ଭେଟନ୍ତି । ପତି ବିଚ୍ଛେଦରେ ବାହୁନା ପକାଇବେ ନା ପୁତ୍ର ଗୌରବରେ ଛାତି ଫୁଲେଇବେ ?

 

ଏକାବେଳକେ ଜୁଆର ଆଉ ଭଟ୍ଟାର ହଟହଟା ଭାଗ୍ୟ ତାଙ୍କୁ ଭୋଗିବାକୁ ହୁଏ । ସଂସାରର ଜୀବନ ଗୋଟିଏ ନଈ ପରି ହେଲେ ରଜା ଘର ନଈର ଗୋଟିଏ ଗଣ୍ଡ ପରି, ସେଠି ଜୁଆର ଆଉ ଭଟ୍ଟାର ପ୍ରକୋପ ବେଶୀ, ସ୍ରୋତ ଯେତିକି ପ୍ରଖର, ଡଅଁର ସେତିକି ମୁଖର । କୁମ୍ଭୀର ଯେତିକି ମଗର ସେତିକି ।

 

ପୌଷ ପୂର୍ଣ୍ଣିମା, ଜଗନ୍ନାଥଙ୍କ ଅଭିଷେକ ଉତ୍ସବ । ଜଗନ୍ନାଥଙ୍କ ଅଭିଷେକ ଦିନ ହିଁ ଓଡ଼ିଆ ରଜାମାନଙ୍କ ଅଭିଷେକ ଦିନ । ଜନ୍ମଦିନ ପରି ପ୍ରତିବର୍ଷ ରାଜବାଟିରେ ରାଜାରାଣୀଙ୍କ ଅଭିଷେକଉତ୍ସବ ପାଳିତ ହୁଏ । ଜଗନ୍ନାଥ ବିଶ୍ୱବ୍ରହ୍ମାଣ୍ଡର ରାଜା—ଏକମାତ୍ର ରାଜା; ଅନ୍ୟ ରାଜାମାନେ ତାଙ୍କର ସେବକ ମାତ୍ର । ପ୍ରଭୁଙ୍କ ପଥ ଅନୁସରଣରେ ପୌଷ ପୂର୍ଣ୍ଣିମାକୁ ତାଳମୂଳ ବର୍ଷର ଅଭିଷେକ ତିଥି ଭାବେ ଗ୍ରହଣ କରିଛି ।

 

ନାମକୁ ମାତ୍ର କୀର୍ତ୍ତିଚନ୍ଦ୍ରଙ୍କର ଅଭିଷେକ ହୋଇଥିଲା । ପୌଷ ପୂର୍ଣ୍ଣିମାକୁ ପ୍ରକୃତ ଅଭିଷେକ ଉତ୍ସବ ଯୋଗାଡ଼ ଲାଗିଗଲା ।

 

ବିଦେଶୀ ଇଂରେଜ ଶାସକ ବିଦାୟ ନେଇଛି । ଭାରତ ସ୍ୱାଧୀନ । ଉଦୟଚନ୍ଦ୍ରଙ୍କ ଅମଳରୁ ରାଜ୍ୟ ଯାଇଛି । ଏବେ ରାଜ ଉପାଧି ଅଛି । ବାର୍ଷିକ ସରକାରୀ ଭତ୍ତା ମିଳେ । ରାଜ ଉପାଧି ଥିବା ସ୍ଥଳେ ବିଧି ମୁତାବକ ଅଭିଷେକ ନୋହିବ କିପରି ? ଅଭିଷେକ ତାଳମୂଳ ରାଜବାଟିର ସବୁଠାରୁ ବଡ଼ ଉତ୍ସବ । ରାଜା ହାତ ଖୋଲି ଦିଅନ୍ତି । ଆଖିବୁଜା ଖର୍ଚ୍ଚ ହୁଏ । ଗାଦିନାସିନ ଉତ୍ସବକୁ ବହୁ ଗଣ୍ୟମାନ୍ୟ ରାଜା, କ୍ଷମତାଶାଳୀ ଅଫିସର, ବହୁ ବିଜ୍ଞ ବିଦଗ୍‌ଧ କବିକୁ ନିମନ୍ତ୍ରଣ କରାଯାଏ । ଖୁବ୍‌ ଯାନିଯାତ୍ରା, ଭୋଜି ମଉଜ ହୁଏ ।

 

ରାଜା ଛାମୁକରଣଙ୍କୁ ଡାକି ରାଜବଂଶ ରୀତି ଅନୁସାରେ ପହିଲି ନିମନ୍ତ୍ରଣ ପତ୍ର ଇଷ୍ଟଦେବୀ ହିଙ୍ଗୁଳା ଓ ଶ୍ରୀ ଜଗନ୍ନାଥଙ୍କୁ ଲେଖାଇଲେ । ତାପରେ ରାଜାମାନଙ୍କ ନିକଟକୁ ଏହି ପ୍ରକାର ଚିଟଉ ଚିଠା କରାଗଲା—

 

ସ୍ୱସ୍ତି ଶ୍ରୀ ସମସ୍ତ ପ୍ରଶସ୍ତ ସହିତେଷୁ ଶ୍ରୀ ସୋମନାଥ ଦେବଗଣ, ଶ୍ରୀ ଭୁବନେଶ୍ୱରୀ ଚରଣେ ଶରଣ, ଶ୍ରୀ କାଳଜୟୀ ଦେବୀଙ୍କର ବରପ୍ରସାଦ, ଶ୍ରୀ ମାଣିକେଇ ଦେବୀଙ୍କର ଚରଣେ ଶରଣ, ଶ୍ରୀ ଗାଙ୍ଗପୁର ଶୁଭସ୍ଥାନ ଅଧିପତି, ଶ୍ରୀ ରାଜଶେଖର ଦେଓଙ୍କୁ ଯେ ଯାହାର ବିଧି, ତାଳମୂଳର ରାଜା ଶ୍ରୀ ଶ୍ରୀ ଶ୍ରୀ କୀର୍ତ୍ତିଚନ୍ଦ୍ରଙ୍କ ଅଭିଷେକ ଚିଟାଉ ।

 

ସ୍ୱସ୍ତି ଶ୍ରୀ ସମସ୍ତ ପ୍ରଶସ୍ତ ସହିତେଷୁ, ଶ୍ରୀ ଉମାମହେଶ ଦେବଗଣ, ଶ୍ରୀ ଲକ୍ଷ୍ମୀନାରାୟଣ ଚରଣେ ଶରଣ, ଶ୍ରୀ ମୁକୁତେଶ୍ୱର ଦେବ ତାଙ୍କର ବରପ୍ରସାଦ, ଶ୍ରୀ ବାମଣ୍ଡା ଶୁଭ ସ୍ଥାନର ମହାରାଜାଧିରାଜ ଶ୍ରୀ ଶ୍ରୀ ଶ୍ରୀ ୧୦୮ ଶ୍ରୀ ତ୍ରିଭୁବନେଶ୍ୱରଙ୍କୁ ତାଳମୂଳର ରାଜା ଶ୍ରୀ ଶ୍ରୀ ଶ୍ରୀ କୀର୍ତ୍ତି ଚନ୍ଦ୍ରଙ୍କର ଅଭିଷେକ ବିଧି ଚିଟାଉ......

 

ସ୍ୱସ୍ତି ଶ୍ରୀ ସମସ୍ତ ପ୍ରଶସ୍ତ ସହିତେଷୁ, ଶ୍ରୀ ବଡ଼ମ୍ବଦେବଗଣ, ଅୟୋନିସମ୍ଭୂତ, ମୟୁର ଡିମ୍ବଜାତ, ବଶିଷ୍ଠ ଋଷି ପ୍ରତିପାଳନ, ଶ୍ରୀ ରାମଚନ୍ଦ୍ରଦେବ ଟୀକାସାରଣ, ଶ୍ରୀ ହରିଣ୍ୟଦେବୀଙ୍କର ବରପ୍ରସନ୍ନ, ଚୈଦ ସହସ୍ର ରାଉତାଳ, ଶ୍ରୀ ଜୟଗୋପାଳ ଭଗତ, ଶ୍ରୀ ହରିହର ଚରଣେ ଶରଣ, ଶ୍ରୀ କେନ୍ଦୁଝଡ଼ୀ ଶୁଭସ୍ଥାନ, ଶ୍ରୀ ଦେବନାରାୟଣ ଭଞ୍ଜଦେଓ ମହାରାଜାଙ୍କୁ ତାଳମୂଳ ରାଜାଙ୍କ ଶ୍ରୀ ଶ୍ରୀ ଶ୍ରୀ କୀର୍ତ୍ତିଚନ୍ଦ୍ରଙ୍କର ଅଭିଷେକ ଚିଟାଉ......

 

ସ୍ୱସ୍ତି ସମସ୍ତ ପ୍ରଶସ୍ତ ସହିତେଷୁ, ଶ୍ରୀ ଗଣେଶ୍ୱର ଦେବଗଣ, ଶ୍ରୀ କୁମାରୀଦେବୀ ଚରଣେ ଶରଣ, ଶ୍ରୀ କୋପେଶ୍ୱର ବରପ୍ରସାଦ, ଶ୍ରୀ ବଣେଇ ଚାଳିଶସହସ୍ର ଶୁଭ ସ୍ଥାନ ଅଧିପତି, ରାଜାଧିରାଜ କୁମାର ରାଜ୍ୟେ ରାଜ୍ୟେଶ୍ୱର ତ୍ରିଲୋକ ମଣ୍ଡଳେଶ୍ୱର ଶ୍ରୀ ଚନ୍ଦ୍ରଭଞ୍ଜ ଦେଓଙ୍କୁ ତାଳମୂଳ ରାଜା ଶ୍ରୀ ଶ୍ରୀ ଶ୍ରୀ କୀର୍ତ୍ତଚନ୍ଦ୍ରଙ୍କର ଅଭିଷେକ ଚିଟାଉ.......

 

ପାଟଣାରାଜାଙ୍କୁ ଚିଟାଉ.......

 

ସ୍ୱସ୍ତି ଶ୍ରୀ ସମସ୍ତ ପ୍ରଶସ୍ତ ସହିତେଷୁ ଶ୍ରୀ ଗଙ୍ଗବଂଶକୁ ନିଦ୍ରୋହ ଧବଳ ବଇରି, ଦୁର୍ଜୟ ସଙ୍ଗମ ଗଡ଼ ଶନିଶ୍ଚର, ଅନିର୍ବାଣଦଳ ସନ୍ନିବାର ସିଧୀ, ବୁଡ଼ନ୍ତା ଗଡ଼ ଉଦ୍ଧରଣ, ଧୀରେ ଗନ୍ଧେ ଗନ୍ଧବାରଣ, ବୀରମଣ୍ଡଳୀଙ୍କ ମସ୍ତକେ ତ୍ରିଶୂଳ ଶ୍ରୀରଣରାଙ୍କସ, ଶ୍ରୀ ବିମଳେଶ୍ୱର ଦେବଗଣ, ଶ୍ରୀ ସମଲାଈଦେବୀ ଶରଣ, ଶ୍ରୀ ପଟଣେଶ୍ୱରୀ ଦେବୀଙ୍କର ବରପ୍ରସାଦ । ଶ୍ରୀ ପଟଣ ଶୁଭସ୍ଥାନ ଅଧିପତି ନୃପେନ୍ଦ୍ରନାରାୟଣ ସିଂହଦେଓଙ୍କୁ ସ୍ୱସ୍ତି ଶ୍ରୀ ପ୍ରତାପାଦିତ, ପରତାପ ଦାନସମ୍ପନ୍ନ ମହାରାଜାଧିରାଜ ତାଳମୂଳ ଶୁଭସ୍ଥାନ ଅଧିପତି, ଶ୍ରୀ ହିଙ୍ଗୁଳାଦେବୀଙ୍କ ବରପ୍ରସାଦ, ବୀରାଧିବୀରବର ଶ୍ରୀ ଶ୍ରୀ ଶ୍ରୀ ୧୦୮ ଶ୍ରୀ ରାଜା କୀର୍ତ୍ତିଚନ୍ଦ୍ରଙ୍କ ଅଭିଷେକ ଚିଟାଉ—

 

ସାହାଣଭଣ୍ଡାର, ଦଳପରିବାର, ସମସ୍ତ କ୍ଷେମ କୁଶଳ, ଏ ଜାଣି ଆପଣଙ୍କର ସମସ୍ତ ପାଟସାହାଣ ଭଣ୍ଡାର, ଦଳପରିବାର, ଶ୍ରୀ ଅଙ୍ଗରାଇଜ କ୍ଷେମକୁଶଳ—ଏ କଥାମାନ ଲେଖା ହେବ ହୋଇବ ।

 

ଶୁଣି ଚିତ୍ତାର ଆନନ୍ଦ ହୋଇବ—ଶ୍ରୀ ତାଳମୂଳ ପାଟଣା ଏକ ରାଇଜ, ଏକା ଧର୍ମେ, ଏକା କର୍ମେ, ପାଟଣା ଭଲେ, ତାଳମୂଳ ଭଲ, ତାଳଭୂଳ ଭଲେ ପାଟଣା ଭଲ, ତାଳମୂଳର ଯେ ଶତ୍ରୁ, ପାଟଣାର ସେ ଶତ୍ରୁ, ପାଟଣାର ଯେ ମିତ୍ର ତାଳମୂଳର ସେ ମିତ୍ର । ଆଜି ବୋଲି ନୁହଇ ସଦାସର୍ବଦା, ପୁରୁଷାନୁକ୍ରମେ ଆମ୍ବ ଦୁଇ ରାଇଜ ନଖ ମାଂସ ଅଛେଦ ଅଭେଦ ହୋଇ ଦିନ ଯାଉଅଛି । ଏ ନିମନ୍ତେ ଅଭିଷେକ ଚିଟଉ ପଠାଗଲା ।

 

ଏଇ ପ୍ରକାରେ ମୟୁରଭଞ୍ଜ, ଢେଙ୍କାନାଳ, ଆଠଗଡ଼, ତିଗିରିଆ, ନରସିଂହପୁର, ପାଲହଡ଼ା, ଷଢ଼ୈକଳା, ଖରସୁଆଁ, ହିନ୍ଦୋଳ, ନୟାଗଡ଼, ସୋନପୁର, କଳାହାଣ୍ଡି, ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର ପ୍ରଭୃତି ରାଜା ଓ ରାଜା ଉପାଧିଧାରୀ ଜୟପୁର, ପାରଳାଖେମିଡ଼ି, ବଡ଼ଖେମିଡ଼ି, ସାନଖେମିଡ଼ି, ଖଲ୍ଲିକୋଟ, ଆଳି, କନିକାର ଜମିଦାରମାନଙ୍କୁ ଚିଟାଉ ଲେଖାଗଲା ।

 

କିଏ ପାଲିଙ୍କି ଉପରେ ପାଟଛତି ଟାଣି, କିଏ ଦନ୍ତାମତ୍ତା ହାତୀର ଭେଲ୍‌ଭେଟ୍‌ ଗଦି ଉପରେ ବସି, କିଏ ବା ଉଡ଼ଣବାରଣ ଘୋଡ଼ା ଖପଟାଇ, କିଏ ବା ମୂଲ୍ୟବାନ୍‌ ମଟରଗାଡ଼ିରେ ଚଢ଼ି ପାତ୍ରମନ୍ତ୍ରୀଙ୍କ ସହ ସଦଳବଳେ ଆସି ପହଞ୍ଚୁଥିଲେ । ସେମାନଙ୍କ ଲାଗି ତିଆରି ହେଉଥିଲା କେତେ ଅସ୍ଥାୟୀ ଘର, ପଡ଼ୁଥିଲା ଧାଡ଼ି ଧାଡ଼ି ତମ୍ବୁ । କୋଶ କୋଶ ମାଡ଼ି ରହୁଥିଲେ ସେମାନେ । ଗହଳଚହଳରେ ଚୌଦିଗ ଉଛୁଳୁଥିଲା ।

 

ଆଜି ପୁଷପୁନିଅଁ, ରାଜାଙ୍କ ଅଭିଷେକ ଦିନ । ଜଗନ୍ନାଥ ଦର୍ଶନ ଲାଗି ହଜାର ହଜାର ଯାତ୍ରୀ ଆସୁଥିବେ । ଦେଉଳରେ ଯେପରି ଦେବତା, ନଅରେ ସେପରି ରଜା । ଏଡ଼େ ଶୁଭଦିନ, ହେଲେ ନଅରରେ ସେପରି ଗହଳଚହଳ ନାହିଁ । ରଜା ଭାବିତ ହେଲେ—ଏତେ ଚିଟାଉ ପଠାଇଲି, ଭାଇବନ୍ଧୁ କୁଟୁମ୍ବଙ୍କ ଛଡ଼ା ଆଉ ଜଣେ ହେଲେ ରଜା ଏଯାକେ ମୁହଁ ଦେଖାଇଲେନାଇଁ । କେବଳ ଆସିଛନ୍ତି ସୁଜନଗଡ଼ର ମୋ ଶଳା, ବଉଦର ଭିଣେଇଁ, କୁରୁପମ୍‌ର ମୋ ଭଣଜା ।

 

ନଅରରେ କାହାରି ମନରେ ଉତ୍ସାହ ନାଇଁ । ସେଦିନର ପ୍ରଜା ଆଜି କଡ଼ ଆଡ଼େଇ ଯାଉଛନ୍ତି । ପ୍ରଜାଙ୍କର ରଜା ମୁଁ ନୁହେଁ । ମୁଁ ରଜା କେବଳ ଏଇ ନଅରର, ସେମିତି ବୁଝିଲେ ତ ଯେଝା ଘରେ ସେ ରଜା । ରଜା ହବା ଲାଗି କାହା ଘରେ କ’ଣ ଅଭିଷେକ ହଉଚି ? ଯଦି ହଉନି, ନଅରରେ ହବ କାଇଁକି ? କାଇଁକି ମିଛକୁ ଏ ସୁଆଙ୍ଗ ?

 

ନା ନା ଏ କଥା ଠିକ୍‌ ନୁହେଁ; ରଜା ଯେ ରଜା, ପ୍ରଜା ଯେ ପ୍ରଜା । ଆଜି ରାଜ୍ୟ ଚାଲିଗଲା ତ କଅଣ ହେଲା ? ତାର ଆକାଶଛୁଆଁ ନଅର ତ ଅଛି, ସିଂହାସନ ତ ଅଛି । ଯେମିତି ଥିଲା ସେମିତି ରାଜଉପାଧି ଅଛି । ରାଜବଂଶର ବିଧି ଭାଙ୍ଗିବାକୁ ମୁଁ କିଏ ?

 

ରଜାଏ ଆଜି ମୋ ଚିଟାଉକୁ ମାନ୍ୟ କଲେନାହିଁ, କାଲି ତାଙ୍କ ଚିଟାଉ ଆସିବ । ମୁଁ ଯିବିନାଇଁ କି ଜବାବ୍‌ ଦେବିନାଇଁ । ତାଙ୍କ ଅଭିଷେକ ଯେମିତି ମନ ସେମିତି ହଉ ।

 

ଶୁଭ ଲଗ୍ନ; ରାଜପୁରୋହିତ ରାଜା କୀର୍ତ୍ତିଚନ୍ଦ୍ର ଓ ରାଣୀ ସୁରତରଙ୍ଗିଣୀଙ୍କୁ ଅଭିଷେକଗୃହକୁ ପାଛୋଟି ନେଲେ । ଏଠି ରାଜାରାଣୀଙ୍କର ପ୍ରତିମୂର୍ତ୍ତି । ଧରାଯାଉ, ଏମାନେ ଜୀବନ୍ତ । ରାଜାର ଅଭାବ ପୂର୍ଣ୍ଣ କରିଛନ୍ତି ଏମାନେ । ଦିଶୁଛନ୍ତି ହର୍ଷୋତ୍‌ଫୁଲ୍ଲ । କୀର୍ତ୍ତିଚନ୍ଦ୍ର ଉତ୍ସାହିତ ହେଲେ । ତାଙ୍କ ଆନନ୍ଦ ଅନ୍ୟମାନଙ୍କୁ ଆନନ୍ଦିତ କଲା ।

 

ଅଭିଷେକ ଆସନ ସୁନାରେ ଛାଆଣି ହୋଇଥିଲା । ହୀରା, ନୀଳା, ମୋତି ମାଣିକ ଏଠି ସେଠି ଝଟକୁଥିଲା । ଆଜି ସବୁ କାଢ଼ିନିଆହୋଇଛି, ହୁଏତ ରାଜବାଟିର କୋଉ ଅଭାବ ପୂର୍ଣ୍ଣ କରିଛି-। ତାର ଦାରିଦ୍ର୍ୟ କିନ୍ତୁ ପଦାକୁ ପୁଟନାହିଁ । ପଳଖଛଡ଼ା, ଖଣ୍ଡିଆଖାବରା ସେଇ ଆସନଟିକୁ ଘୋଡ଼ାଇ ଦିଆହୋଇଛି ପାଟମୁଚୁଳିରେ ।

 

କୀର୍ତ୍ତିଚନ୍ଦ୍ର, ଦିହରେ ଅଚକନ୍‌, ଅଣ୍ଟାରେ କମରବନ୍ଧ, ପିନ୍ଧା ଚୁଡ଼ିଦାର ପାଇଜାମା, ମୋଜା, ନାଗରା ଜୋତା, ମୁଣ୍ଡରେ ବେନାରସୀ ଜରୀପଗଡ଼ି, ତା ଉପରେ ଶ୍ରୀପେଞ୍ଚ—ଏ ସାଧାରଣ ରାଜବେଶ । ଆଜି ଅଭିଷେକବେଳେ ତାଙ୍କ ବେଶ ଭିନେ । ସେ ପିନ୍ଧିଛନ୍ତି ପାଟ ଖଦି, ଶରୀର ଆଉ ମୁଣ୍ଡ ମୁକୁଳା । କାନ୍ଧରେ ପାଟ ଚାଦରଟିଏ ମାତ୍ର, ଗଳାରେ ସୁନାଗୋପ, ହାତରେ ହୀରା ମୁଦିଟିଏ । ତାଙ୍କ ପାଖରେ ବସିଛନ୍ତି ଅଷ୍ଟାଳଙ୍କାର ଭୂଷିତା ରାଣୀ ସୁରତରଙ୍ଗିଣୀ ।

 

ସାମ୍ନାରେ ପୂର୍ଣ୍ଣକୁମ୍ଭ, ଜାଗର, ଦୁର୍ଗାମାଧବପଟି, ଆଉ ରାମ ସୀତାଙ୍କର ସୁବର୍ଣ୍ଣ ପ୍ରତିମୂର୍ତ୍ତି-

 

ପହିଲେ ତୀର୍ଥଜଳରେ ରାମସୀତାଙ୍କର ଅଭିଷେକ ହେଲା, ରାଜାରାଣୀ ରାମସୀତାଙ୍କର ପ୍ରତିନିଧି ମାତ୍ର । ରାମ ସୀତା ପ୍ରକୃତରେ ରାଜା ରାଣୀ । ସେ ରାଜ୍ୟ ଅଯୋଧ୍ୟା ପରି, ଅଯୋଧ୍ୟା ଆଦର୍ଶରେ ରାଜ୍ୟକୁ ଗଢ଼ିବା ରାଜାର ମନସ୍କାମନା । ଯେମିତି ଜଗନ୍ନାଥ ଓଡ଼ିଶାର ରାଜା, ଓଡ଼ିଶାର ଠାକୁରରାଜା ତାଙ୍କର ପ୍ରତିନିଧି, ଚଳନ୍ତୀ ପ୍ରତିମା ।

 

ତାଳମୂଳ ରାଜ୍ୟରେ ଅନୁକୃତ ସେଇ ରୀତି । ରାଜାରାଣୀ ହେଲେ ବୋଲି ଅହଙ୍କାର କରିବାର ନାହିଁ ।

 

ଶୁଭଶଙ୍ଖ, ଯୋଡ଼ିନାଗରା, ଯୋଡ଼ି ମହୁରୀ ବାଜୁଥାଏ । ରାଜପୁରୋହିତ ‘ମଙ୍ଗଳଂ ଭଗବାନ୍‌ ବିଷ୍ଣୁ’ ଇତ୍ୟାଦି ମନ୍ତ୍ର ବୋଲି ରାଜା ରାଣୀଙ୍କ ମୁଣ୍ଡରେ ତୀର୍ଥଜଳ ଛିଞ୍ଚିଦେଲେ ।

 

ଏଥର ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା, ସିନ୍ଧୁ, କାବେରୀ, ସରସ୍ୱତୀର ତୀର୍ଥଜଳ ଆସିନାହିଁ । ରାଜାଙ୍କର ପଣ୍ଡାମାନଙ୍କ ପାଖକୁ ଚିଟାଉ ଯାଇଥିଲା; ରାଜ୍ୟହୀନ ରାଜାଙ୍କର ନିମନ୍ତ୍ରଣକୁ ସେମାନେ ବି ପାସଙ୍ଗରେ ପକାଇନାହାନ୍ତି । ଅସଲ କଥା, ଭଲ ପାଉଣା, ଏପରି କି ଭଲ ସିଧାଟିଏ ମିଳିବାର ଆଶା ହେଉନାଇଁ—

 

ଏଇ ନାନମାନ ଏଇ କାକରା

ଏଇଥିପାଇଁକି ଏତେ ଡାକରା !

 

ଆରମ୍ଭ ଭୁବନାନନ୍ଦ, ଆଡ଼ମ୍ବରଟା ଫମ୍ପା । ହାତୀଖିଆ କଇଥ ଯେ ରଜା ସେ ! ମାନେ ରଜା ପରି ଦିଶନ୍ତି, ରଜା ନୁହନ୍ତି । କହନ୍ତି ଯେଡ଼େ ନୁହନ୍ତି ତେଡ଼େ । ଉପରକୁ ଭୁବନମୋହନ ଖୋସା ଦେଖାଇ କି ଲାଭ ? ଭିତରେ ଯେ ବାୟାଚଢ଼େଇ ବସା !

 

କେବଳ ଜଗନ୍ନାଥଙ୍କ ପଣ୍ଡା ଆସିଛନ୍ତି । ଜଗନ୍ନାଥେ ସୁଖର ଦୁଃଖର; ସମସ୍ତେ ଛାଡ଼ିଗଲେ ବୋଲି କଣ ଜଗନ୍ନାଥ ଛାଡ଼ିଯିବେ ?

 

ଶ୍ରୀମନ୍ଦିରରେ ତାଳମୂଳ ବଂଶର ସେବା ଅଧିକାର ଅଛି, ଠାକୁରରାଜା ଦେଇଛନ୍ତି । ପଣ୍ଡା ନ ଆସିବେ କେମିତି ?

 

ପୁରୀ ପଣ୍ଡାଙ୍କୁ ଦେଖି କୀର୍ତ୍ତିଚନ୍ଦ୍ର ଆଶ୍ୱସ୍ତ । ସବୁଆଡ଼ୁ ଛାଡ଼ବାଡ଼ ହେଲେ କି ଜଗନ୍ନାଥ କୋଳଛଡ଼ା କରିନାହାନ୍ତି । ସେଇଥିଲାଗି ତ କହନ୍ତି—ସାରା ଜଗତର ଠାକୁର ସେ ।

 

ପୁରୀ ପଣ୍ଡା ଆଣିଛନ୍ତି ବିନ୍ଦୁସାଗରର ଜଳ—ବିନ୍ଦୁଏ ବିନ୍ଦୁଏ କରି ସବୁତୀର୍ଥ ଜଳ ପକାଯାଇ ବିନ୍ଦୁସାଗର ହ୍ରଦ ଗଢ଼ାଯାଇଛି, ଆଣିଛନ୍ତି କୋଟିତୀର୍ଥର ଜଳ, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡେଶ୍ୱର; ଏଇ ପଞ୍ଚତୀର୍ଥର ଜଳ, ସର୍ବୋପରି ତୀର୍ଥରାଜ ସମୁଦ୍ରର ଜଳ, ଓଡ଼ିଶା ତ ଗୋଟିଏ ଛୋଟ କାଟର ଭାରତବର୍ଷ, ଏଠି ଭାରତର କୋଉ ଦୃଶ୍ୟ ନାଇଁ, କୋଉ ତୀର୍ଥ ବା ନାଇଁ ।

 

ପୁରୋହିତ ସେଇ ତୀର୍ଥବାରି ରାଜାରାଣୀଙ୍କ ମୁଣ୍ଡରେ ଛିଞ୍ଚିଦେଲେ । ପାଟମହାଦେଈ କୀର୍ତ୍ତିଚନ୍ଦ୍ରଙ୍କ ମୁଣ୍ଡରେ ଶାଢ଼ୀ ବାନ୍ଧି ପାଟଖଣ୍ଡା ଧରାଇ ଦେଲେ, ରାଜା ଆଉ ରାଣୀଙ୍କ ଗଳାରେ ଫୁଲମାଳା ପିନ୍ଧାଇଦେଲେ ସାତଜଣ ବ୍ରାହ୍ମଣ ଆଶୀର୍ବାଦ ବୋଲିଲେ ସାତଜଣ ବ୍ରାହ୍ମଣୀ ଦୂବ ବରକୋଳି ପତ୍ର ଓ ହଳଦିଆ ଉଆ ଚାଉଳ ପକାଇ ହୁଳହୁଳି ଦେଇ ଧୂପଦୀପରେ ରାଜାରାଣୀଙ୍କୁ ବନ୍ଦାପନା କଲେ ।

 

ବ୍ରାହ୍ମଣଙ୍କ ଆଶୀର୍ବାଦର ମର୍ମ ଥିଲା—ଉଆସରେ ଚଞ୍ଚଳା ଅଚଞ୍ଚଳା ହୋଇ ରହନ୍ତୁ, କଣ୍ଠଦେଶରେ ସରସ୍ୱତୀ ବିଜେ କରିଥାନ୍ତୁ । ବହୁତ ବନ୍ଧୁବାନ୍ଧବ ହୁଅନ୍ତୁ, ଶତ୍ରୁ କ୍ଷୟ ଯାନ୍ତୁ । ଦେଶେ ଦେଶେ କୀର୍ତ୍ତି ବିସ୍ତୃତ ହେଉ । ରାଜଲକ୍ଷ୍ମୀଙ୍କର ମହିମା ସବୁଠି ପ୍ରକାଶ ପାଉ ।

 

ରାଜା କୀର୍ତ୍ତିଚନ୍ଦ୍ର ଜାଣନ୍ତି—ଏ ଆଶୀର୍ବାଦ କଣ; ରାଜବାଟିରୁ ଲକ୍ଷ୍ମୀ ବିଦାୟ ନେଇଛନ୍ତି । ପିଲାଦିନେ ଜେଜେବାପାଙ୍କ ପ୍ରଭାବରେ ସେ ଖଣ୍ଡିଏ କାବ୍ୟ ଲେଖିଥିଲେ, ସେଇଦିନୁଁ ସରସ୍ୱତୀ ବି ବିଦାୟ ନେଇଛନ୍ତି । କେତେ ବନ୍ଧୁ ବଢ଼ୁଛନ୍ତି ଅଭିଷେକରୁ ତ ବୁଝାଯାଏ । ଧନ ନାଇଁ କି କ୍ଷମତା ନାଇଁ । କିଏ ଶତ୍ରୁ ହେବ କାଇଁକି ? ତଥାପି ପୁରୁଣା ଚଳଣି, ମୁଣ୍ଡ ପାତି ବୋହିନବାକୁ ହବ !

 

ଅଭିଷେକ ପରେ ‘ପାଟବରି’ ପୂଜା—ଅର୍ଥାତ୍‌ ଦେବୀ ଦୁର୍ଗାଙ୍କ ପୂଜା ଓ ବଳି । ଦେବୀଙ୍କୁ ସମର୍ପଣ ପରେ ଶାଢ଼ୀ ଆଣି ଦେହୁରୀ ରଜାଙ୍କ ମୁଣ୍ଡରେ ବାନ୍ଧିଦିଏ ।

 

ତାଳମୂଳ ରାଜ୍ୟ ଦିନେ ଶଅରର ଥିଲା । ଏଠି ଶଅର ରାଜା ଶାସନ କରୁଥିଲେ । ତାର ସୂଚନା ଏଇ ଅଭିଷେକ ପ୍ରଥା ମଧ୍ୟରେ ରହିଯାଇଚି । ଅଭିଷେକ ପରେ ଶଅରୁଣୀ ନୂଆ ରଜାଙ୍କୁ କୋଳରେ ବସାଏ । କପାଳରେ ସିନ୍ଦୂର, ଆଖିରେ କଜ୍ଜଳ ଲଗାଇଦିଏ । ଶାଢ଼ୀ କାହୁଁ ପାଇବ ? ତା ବଦଳରେ ଖଣ୍ଡେ ଶିଖଳୀ ଲଟା ମୁଣ୍ଡରେ ବାନ୍ଧି ଦିଏ, କହେ—ଆମେ ତତେ ରଜା କଲୁ, ତୁ ଭଲରେ ମୁଲକ ଚଳା ।

 

ହିଙ୍ଗୁଳା ଠାକୁରାଣୀ ଇଷ୍ଟଦେବୀ, ବାଘ ରୂପରେ ସେ ତାଳମୂଳର ଶତ୍ରୁ ନାଶ କରିଛନ୍ତି, ବାଘମୁଣ୍ଡ ଏବେ ତାଳମୂଳ ରାଜବଂଶର ସଂକେତ ।

 

ହିଙ୍ଗୁଳା ଠାକୁରାଣୀ—ହୁତୁ ହୁତୁ ଜଳୁଥିବା ନିଆଁରେ ତାଙ୍କ ଉଗ୍ର ରୂପ ପ୍ରକାଶ ପାଏ । କେତେବେଳେ ସେ କୋଉଠି ଜଳି ଉଠନ୍ତି । କାହାକୁ ପୋଡ଼ି ପକାନ୍ତି, ଗାଁ ଗଣ୍ଡା ଜାଳିଦିଅନ୍ତି । ତାଙ୍କ କୋପ ସମ୍ଭାଳି ପାରିବ କିଏ ?

 

ଖରାଦିନେ ତାଙ୍କ ପ୍ରକୋପ ବେଶୀ—ବଣ ପୋଡ଼ନ୍ତି । ତାଳମୂଳ ପରି କୋଇଲା ରାଜ୍ୟରେ ସବୁଠି ଜଳିଉଠନ୍ତି ସେ । ହିଙ୍ଗୁଳାଙ୍କ କ୍ରୋଧରୁ ତ୍ରାହି ନାଇଁ, ଘରଦ୍ୱାର, ଧନଦଉଲତ ଘଡ଼ିକେ ପୋଡ଼ି ନାରଖାର ହୋଇଯାଏ । ପୋଡ଼ାଜଳାରୁ ରକ୍ଷା ପାଇବା ପାଇଁ ଲୋକେ ତାଙ୍କୁ ପୂଜନ୍ତି । ଯାତ୍ରାଦିନ ହୋମ ନିଆଁ ବହୁତ ଉପରକୁ ଉଠେ, ଲୋକେ ତୁହାକୁ ତୁହା ଏଇ ଜଳନ୍ତା ଦେବୀଙ୍କ ଉପରକୁ ଗୋଛା ଗୋଛା ଝୋଟ, ପକାଉଥାନ୍ତି । ଜୀଅନ୍ତା କୁକୁଡ଼ା ବି ଫିଙ୍ଗୁଥାନ୍ତି । ଯେ ପଡ଼ିବାର ପଡ଼େ, ଯିଏ ନିଆଁକୁ ଡେଇଁ ଉଡ଼ିଯାଏ ସେ ରକ୍ଷା ପାଇଯାଏ ।

 

ହିଙ୍ଗୁଳାଙ୍କର ମୂର୍ତ୍ତି ନାଇଁ, ତାଙ୍କର ପ୍ରତୀକ ଦୁଇଟି କାଷ୍ଠ ସ୍ତମ୍ଭ ମାତ୍ର । ନୂଆ ରଜା ହେଲେ ସ୍ତମ୍ଭ ବଦଳେ । ଯୋଉ ଦେହୁରୀ ପୁରୁଣା ସ୍ତମ୍ଭ ଓପାଡ଼ି ନୂଆ ସ୍ତମ୍ଭ ପୋତେ, ସେ ମରେ । ଦେହୁରୀକୁ ତ ସେ କାର୍ଯ୍ୟ କରିବାକୁ ହୁଏ । ତା ନହେଲେ ଅଭିଷେକ ଲୋକ ଆଖିରେ ସିଦ୍ଧ ନୁହେଁ-। ଦେହୁରୀ ସ୍ତମ୍ଭ ବଦଳାଏ, ତିନି ମାଣ ଜମି ଜାଗିରୀ ପାଏ । ବହୁ ଧନରତ୍ନ ପାଏ । ବଳି, ପୂଜା ପରେ ଦେହୁରୀ ରାଜାଙ୍କ ମୁଣ୍ଡରେ ଶାଢ଼ୀ ବାନ୍ଧିଥାଏ ।

 

କନକେଇ ଠାକୁରାଣୀ ଓ ଅନ୍ୟାନ୍ୟ ଦେବାଦେବୀ ଦର୍ଶନ, ଗୁରୁଦର୍ଶନ ପରେ ରାଜା ଏଥର ରାଜଧାନୀ ପରିକ୍ରମାରେ ଗଲେ ନାହିଁ । କୋଉ ମୁହଁରେ ବା ଯିବେ ? ପଟୁଆରରେ କିଏ ବା ଯିବ ? ରାଜବେଶ ପିନ୍ଧି ପଦାକୁ ବାହାରିବାକୁ ଯେ ଲାଜ ମାଡ଼ୁଛି ।

 

ରାଜାଙ୍କ ନଅର ପ୍ରବେଶ ପରେ ରାଜଦର୍ଶନ । ମନ୍ତ୍ରୀ ଦର୍ଶନରେ କିଛି ଫଳ ଫଳିପାରେ, ରାଜ ଦର୍ଶନରେ କି ଲାଭ ? ବୁଢ଼ା ବୁଢ଼ା ପ୍ରଜାଏ ନିରସ୍ତ ରହିଲେ । ଆସିଲେ ରାଜବଂଶୀୟ ସାମନ୍ତ, କେତେକ ଭାବଭାବୁସି, କିଏ ଘଣ୍ଟାଟିଏ, କିଏ ଫାଉଣ୍ଟେନ୍‌ ପେନ୍‌, କିଏ କୁକର୍‌ ବା ଷ୍ଟୋଭଟିଏ ବା ଷ୍ଟେନ୍‌ଲେସ୍‌ ବାସନ ସେଟ୍‌ଟିଏ, ଟିସେଟ୍‌ ବା ରେଡ଼ିଓଟିଏ ଘେନି । ଯେ ରଜାଙ୍କ ହକରା ଖାନ୍ତି, ଜମି ଭାଗ କରନ୍ତି, ଡିହରେ ପଡ଼ିଛନ୍ତି ବା କୋଉ ପ୍ରକାରେ ରାଜ ଅନୁଗ୍ରହରେ ଚଳନ୍ତି, ସେମାନଙ୍କର ଭିତରୁ କିଏ ସରୁ ଚାଉଳ ବସ୍ତାଟିଏ, ମୁଗ, ବିରି ବା ସୋରିଷ ବସ୍ତାଟିଏ, କିଏ ସାରୁ, କଖାରୁ, କଦଳୀ, ଖମ୍ବଆଳୁ ବେତାଏ ଦର୍ଶନୀ ଘେନି ଆସିଛନ୍ତି । ଯେମିତି ଠାକୁରଦର୍ଶନ, ସେମିତି ରାଜଦର୍ଶନ । ଭୋଗରାଗ ନ ଦେଇ ପାରିଲେ ଫୁଲ କେଣ୍ଡାଟିଏ ବା ଘିଅ ଦୀପଟିଏ ଦେବାକୁ ହୁଏ । ବିନା ଦର୍ଶନରେ ଠାକୁରଦର୍ଶନ ବା ରାଜଦର୍ଶନ ପାପ ।

 

ଏଥର ଯାତ୍ରା ବା ଥିଏଟରଦଳ ଆସିନାହାନ୍ତି । ସେମିତି ନାମଜାଦା ଗାୟକଙ୍କୁ ବି ଡକା ହୋଇନାହିଁ । ବାରାଣାସୀର ବେଶ୍ୟା ନାଚ ବ୍ୟବସ୍ଥା ବି ହୋଇନାହିଁ । ଏସବୁ ପାଇଁ ପଇସା କାହିଁ ? ମନରେ ବା କୋଉ ସରାଗ ଅଛି ?

 

ତଥାପି ସଙ୍ଗୀତ ବୈଠକୀଟିଏ କେତେକ ସ୍ଥାନୀୟ ଓସ୍ତାତ୍‌ଙ୍କୁ ଘେନି ହୋଇଥିଲା । ନବୀନବାବୁ କଲିକତା ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର, ରାଜା କୀର୍ତ୍ତିଚନ୍ଦ୍ରଙ୍କର ବାଲ୍ୟବନ୍ଧୁ । ଅଭିଷକରେ ଯୋଗ ଦେବା ଲାଗି ସେ ଛୁଟି ଘେନି ଆସିଛନ୍ତି—ସେ ଏଇ ବୈଠକୀରେ ସ୍ୱର ଲମ୍ବାଇଲେ ।

 

ରାଜଭୋଜିରେ ମିଠା ପ୍ରଧାନ, ଖଜା, ମିଠାଇ, ଗଜା, ଅମାଲୁ, ପୁରୁକାକରା, ଆରିଷା, ଲଡ଼ୁ, ଝିଲିପି—ମୂଳରେ ମିଠା, ମଝିରେ ମିଠା, ଶେଷକୁ ବି ସେଇ ମିଠା—ରଜାଘରେ ଖଟା, ପିତା, କଷାର କଳ୍ପନା କରାଯାଇ ନ ପାରେ, ତେଣୁ ମିଠାରେ ପାଟି ବାନ୍ଧିଗଲା । ସଂସାରର ବହୁତ କିଛି ପିତା, କଷା ଉଆସ ଭିତରକୁ ପଶି ଆସିଥିଲେ ବି ତାର କ୍ଷୀଣ ପରିଚୟ ଭୋଜିରେ ମିଳିଲା ନାହିଁ ।

 

ଏମିତି ଅଭିଷେକ ସରିଲା,

ଫୁଲ ଗଛଟି ମରିଲା ।

 

ରାଜା କୀର୍ତ୍ତିଚନ୍ଦ୍ର ସେ ଫୁଲଗଛ । ମନରେ କେମିତି ଗୋଟେ ପୋଡ଼ାଜଳା ବ୍ୟଥା ଅନୁଭବ କଲେ ସେ । କିଛି ନୋହିଲାର ଭାବ, ମିଛ ବଢ଼ତି ଦେଖାଇ ଭାଙ୍ଗିଗଲାର ଭାବ । ଘୋର ଗ୍ଳାନି ।

 

ଇତିହାସର ଏ କି ଉପହାସ ! ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।

 

ରାଜା ଦିନେ ରାଜ୍ୟର ଥିଲା ମୁଣ୍ଡିଆଳ । ତାର କୋଉ କଥା ତଳେ ପଡ଼ୁ ନଥିଲା । ମୁହଁରୁ ଆଦେଶ ନ ବାହାରୁଣୁ କେତେ ଲୋକ ଛାମୁଁ ଛାମୁଁ କହି ପାଳିବାକୁ ତତ୍ପର ହୋଇ ଉଠୁଥିଲେ-। ରାଜାର ଧର୍ମ ପ୍ରଜାର ଧର୍ମ ଥିଲା । ଲୋକେ କହୁଥିଲେ—ତାପରେ କେବଳ ରଜାଙ୍କ କଥା-। ‘ଗୋଟିଏ ଦେଶରେ ଜଣେ ରଜା ଥିଲେ । ତାଙ୍କ ରାଣୀଙ୍କ କଥା, ଯୁବରାଜଙ୍କ କଥା, ଉଆସ କଥା, ତାଙ୍କ କଥା ଛଡ଼ା ଯେମିତିକି ଆଉ କଥା ନାହିଁ । ପ୍ରଜାଙ୍କ ମନ ଚିହ୍ନିବାକୁ ମନ ନ ଥିଲା । ପ୍ରଜାଙ୍କ କଥା ଶୁଣିବାକୁ କାନ ନଥିଲା । ଆଜି ଏ କଣ ହେଲାରେ ! ଯୁଗଟା ଏକଦମ୍‌ ଓଲଟି ଗଲା । ରଜାକୁ ବାସି ମୁହଁରେ ପଚାରୁ ନାହାନ୍ତି କେହି । କେଡ଼େ କେଡ଼େ ଶିଳ୍ପବାଣିଜ୍ୟକୋଠି, କେତେ କେତେ ଗାଡ଼ି-। ରଜା ଉଆସକୁ ବଳି ନଅର ତୋଳିଛନ୍ତି ବ୍ୟବସାୟୀ ।

 

କୁଆଡ଼େ ଗଲେ ସେ ଶକ୍ତିଶାଳୀ ବ୍ରିଟିସ୍‌ କେଶରୀ ! ତାଙ୍କ ହେଣ୍ଟାଳରେ ଦିନେ ଉଠୁଥିଲା ପଡ଼ୁଥିଲା ପୃଥିବୀର ଛାତି; ଏତେ ବଡ଼ ସାମ୍ରାଜ୍ୟ ଯେ, ଏଠି ସୂର୍ଯ୍ୟ ଅସ୍ତ ହେଲେ ଆଉ କୋଉଠି ଉଦୟ ହେଉଥିଲା । ଏ କଣରେ ଅମାସ୍ୟା ହୋଇଥିଲେ ସେ କଣରେ ହେଉଥିଲା ପୂର୍ଣ୍ଣିମା । କେଡ଼େ କେଡ଼େ ବୀର, ଅସ୍ତ୍ର ଶସ୍ତ୍ର ଆଉ ଧନରେ ବଳୀୟାର ଦେଶ, ଯାହା ସଙ୍ଗେ ପନ୍‌ଝା ମିଳେଇବାକୁ ଡରୁଥିଲେ, ତାଙ୍କ ମୁଛକୁ ଧରି ଝୁଙ୍କେଇ ଦେଲା ଜଣେ ଅଧା ଲଙ୍ଗଳା ଫକୀର ! କ’ଣ କହନ୍ତିନି—

 

ବିଲେଇ ଅଣପୁରୁଷା ଦେଖି

ମୂଷା ମାରୁଚି ଆଖି ।

 

ଏ ସେମିତି କଥା ।

 

।। ତିନି ।।

 

ଗାଦିନାସୀନ ଗହଳଚହଳ ଭାଜିଲାବେଳକୁ ରାତି ଅଧ—ଦୋତାଲା ଉପରକୁ ଉଠି ଅନାଇଲା ବେଳକୁ ବ୍ରାହ୍ମଣୀ ନଈ ଉପରେ ବହଳ ଚାନ୍ଦିନୀ—ତାକୁ ମଳିନ କରି ଦେଇଛି ପୁଷମାସର ନାଳୀ କୁହୁଡ଼ି । ନଈର ଫାଳକରେ ପାଣି, ଫାଳକରେ ବାଲି ହେଲେ ବି କୁହୁଡ଼ିଆ ଚାନ୍ଦିନୀ ଯୋଗୁଁ ପାଣି ଏକୂଳ ସେ କୂଳ ଖାଇଲା ପରି ଦିଶୁଚି । ଏତେ ରାତିରେ ବୋବେଇ ବୋବେଇ ଏ ଟେଣ୍ଟୋଇଟି କୁଆଡ଼େ ଭାସି ଯାଉଚି ? ତା ଆଖିରେ ନିଦ ନାଇଁ କାହିଁକି ?

 

ରାତି ଅଧ କି ତିନି ପହରକୁ ରାଜା କୀର୍ତ୍ତିଚନ୍ଦ୍ରଙ୍କର ପହଡ଼ ପଡ଼େ, ଆଜି ଆଖି କଷା ପଡ଼ିନାହିଁ । ହାତୀଦାନ୍ତ ପଲଙ୍କରେ ହଂସୁଲୀ ତୂଳୀ ଶେଯରେ ରାଣୀ ସୁରତରଙ୍ଗିଣୀ ବସିଛନ୍ତି । ଅଳଙ୍କାର ଝଲମଲ, ଏଠି ସେଠି ଆଲୁଅ ଟୋପା ଛିଟିକି ପଡ଼ୁଚି । ରଜାଙ୍କ ମନରେ ଭାବନା ପଶିଚି, ସେ ଗମ୍ଭୀର, ସେ ଗାମ୍ଭୀର୍ଯ୍ୟ ରାଣୀଙ୍କି ସଂକ୍ରାମିତ କରିଛି । ରାଜା କେତେ କାଳ ଭାବି ଭାବି ମୁହଁ ଖୋଲି ଏତିକିମାତ୍ର କହିଲେ—

 

କ’ଣ ଥିଲୁ

କ’ଣ ହେଲୁ ଆମେ !

 

କିସ ପୁଣି ଦେଖା ନ ଯାଏ......

 

ଭିତର ଦାସୀ ମଦାଳସା ଉପରୁ ତଳକୁ ତଳୁ ଉପରକୁ ଯା ଆସ କରୁଚି, ବିଡ଼ିଆ ଯୋଗଉଚି, ଆଜ୍ଞାକୁ ଅବଧାନ ରହିଚି ।

 

ରାଣୀ ସୁରତରଙ୍ଗିଣୀ, ବ୍ରାହ୍ମଣୀ ନଈର ସେଇ ମଇଳା ଚାନ୍ଦିନୀ ପରି କରୁଣ ରୂପ, ଆଜିର ପ୍ରହସନ ମନର ସକ୍‌ ଭାଙ୍ଗି ଦେଇଚି, ତଥାପି ସେ ଚେଷ୍ଟା କରୁଛନ୍ତି, ସ୍ୱାମୀଙ୍କ ଦୁଃଖରୁ ନିଜ ଉପରକୁ କିଛି ଖସେଇ ନେବା ଲାଗି । ସେ ବୁଝଉଛନ୍ତି—

 

ନାଥ, ବୃଥା ଭାବନା କରି କି ଲାଭ ? ଯେତେବେଳେ ଯାହା ଭାଗ୍ୟ ପଡ଼ିବ, ଭୋଗିବାକୁ ତ ହେବ । ରଜା, ପ୍ରଜା କାହାକୁ ରୋଗ, ଶୋକ ବା ବିପତ୍ତି ଛାଡ଼ିଚି ? କିଏ ଛାତିରେ ହାତ ଦେଇ କହିପାରିବ—ତାର ଚଉଦ ପୁରୁଷ ସୁଖରେ ସଂସାର କରିଯାଇଛନ୍ତି ବୋଲି ?

 

‘‘ପ୍ରିୟେ, ମୋର କଣ ଦୋଷ ହେଲା ? ରାଜବଂଶରେ ଜନ୍ମହୋଇ ମୁଁ ରଜା ନ ହୋଇପାରିଲି କାହିଁକି ? ବଡ଼ବଡ଼ିଆଙ୍କ ଭିତରୁ କାହାର କଣ ପାପ ଥିଲେ ଥିବ, ତାର ଫଳ ମୁଁ ଭୋଗ କରିବି କାହିଁକି ? ଯଦି ପାପ ଭୋଗ ହେଲା, ପୁଣ୍ୟ କାହିଁକି ଭୋଗ ନ ହେବ ? ସେମାନେ ତ ବହୁତ ପୁଣ୍ୟ କରିଥିବେ । ପାପର ବଳ କଣ ପୁଣ୍ୟ ବଳଠାରୁ ବେଶୀ ?’ ‘‘ରଜା କଣ ପାପ କରନ୍ତି ? ଯାହା କରନ୍ତି, ତାକୁ ପାପ ବୋଲି କିଏ କହେ ? ତାଙ୍କ ହାତରେ ତ ଦଣ୍ଡ, ପାପ କଲେ ବି ତାର ବିଚାର କରେ କିଏ ? ଶାସ୍ତି ବା ଦେଇପାରେ କିଏ ? ଦେଲେ ଦଉଥିବ ଦୈବ ।

 

ପାପୀ ରାଜାର ପାପ ଫଳରୁ କଣ ପୁଅ ରଜା ହୁଏ ନାହିଁ ?’’

 

‘‘ହଁ ହୁଏ ଯେ....ହେଲେ ମୋ ପରି କିଏ ? ନୁଖୁରା ରଜା ! ଭାବିଲେ ଛାତି କଅଣ ହୋଇଯାଏ ।’’

 

‘‘ଏ ରାଜବଂଶର ପାପ ଭାଗ କେତେ, ପୁଣ୍ୟ ଭାଗ କେତେ ମୁଁ ଜାଣେନାହିଁ । ସୁଜନଗଡ଼ ରାଜାଙ୍କର ବଡ଼ ଜେମାମଣି ମୁଁ, ଗୋଲାପ ଜଳରେ ଗାଧଉ ଥିଲି, ପାଟ ପାଏଡ଼ାରେ ଚାଲୁଥିଲି, ସୁନା ଚାମୁଚରେ ଦୁଧ ପିଇ ବଢ଼ିଥିଲି । କି କାଳ ଚଡ଼କ ପଡ଼ିଲା, ରାଜବାଟିରେ କାହା ଦିହରେ ସେ ନିଆଁ ଝୁଲି ନ ପଡ଼ିଚି ନାଇଁ, ମୋର ଯୋଉ ଭାଇମାନେ ବଦନ ବୋହିଥିଲେ, ଦିହରୁ ମାଛି ଖସି ପଡ଼ୁଥିଲା, ସେମାନେ ଭାବି ଭାବି କଙ୍କାଳସାର ହେଲେ । ମେଘନାଦ ପାଚେରୀଟା ବିନା ବତାସରେ ଭୁଷୁଡ଼ି ପଡ଼ିଲା । ସିଂହ ଦରଜାର ସେ ସିଂହଟା ମୁହଁ ମାଡ଼ି ପଡ଼ିଥିଲା, କେହି ଉଠାଇ ନ ଥିଲା । ଘରର ଶଙ୍ଖମଲମଲ ପଥର ତଡ଼ାହୋଇ ବିକ୍ରି ହେଉଥିଲା—ବିକା ହେଉଥିଲା ଝାନ୍‌ସିରାଣୀ ଲକ୍ଷ୍ମୀବାଈଙ୍କର ସେଇ ମାର୍ବଲ ମୂର୍ତ୍ତିଟି, ଫୁଆରା ଆଉ ସବୁଜ ଘାସ ପଡ଼ିଆଁ ସାମ୍ନାରେ ଖୋଲା ଖଣ୍ଡା ହାତରେ ଘୋଡ଼ା ଉପରେ ଝପଟିବା ଭଙ୍ଗୀରେ ଥିଲା ।

 

କବିବର ରାଧାନାଥ ଗଡ଼ଜାତ ରଜାଙ୍କୁ କାଠସିଂହ ବୋଲି କହିଛନ୍ତି, ସିଂହର ପ୍ରକୃତ କ୍ଷମତା ତା ପାଖେ ନ ଥିଲା ବୋଲି । ରାଜ୍ୟରେ ଯେତେ ଯେତେ ପାପ କାର୍ଯ୍ୟ ହୁଏ, ସବୁ ଜାଣି ନ ଜାଣିଲା ପରି ସେ ରହେ ।

 

ଦୁଷ୍ଟକୁ ମାରି ସନ୍ଥକୁ ପାଳିବା ରଜାର ଧର୍ମ । ରାଜା ସେ କାମ ନ କରି ଦିନରାତି ଭୋଗରେ ବୁଡ଼ି ରହିଲା, ଦଳେ ଅମଣିଷଙ୍କ ମେଳରେ ଅତି ଅମଣିଷ ହୋଇ ବହୁତ ତଳକୁ ଖସିଗଲା ।’’

 

‘କୁଆଁତରା ଉଠିଲାଣି, ବଣଚଢ଼େଇ ସକାଳ ଗୀତ ଲାଗି କଣ୍ଠ ସଫା କଲେଣି; ସାଇଁ ସାଇଁ ଶବ୍ଦ କରି ଉଡ଼ିଗଲେଣି ଧାନଖିଆ । ରାତିସାରା ତ ଅନିଦ୍ରା, ଆଉ କଣ ନିଦ ଲାଗିବ ?

 

ତାଳମୂଳର ବଡ଼ବଡ଼ିଆଙ୍କ କାହାଣୀ ଟିକିଏ କହ, ମୋର ଦଇନି ।’

 

ରାଜା କୀର୍ତ୍ତିଚନ୍ଦ୍ର କହିଲେ—ରାଣୀ, ଶୁଣିବାକୁ ତୁମର ମନ, ପୂର୍ବ କଥାସବୁ ଉଗାରି ନ ପକାଇଲେ ମୋ ମନରେ ଶାନ୍ତି ଆସିବ ନାଇଁ, ଦେଖୁଚି—

 

ଆମର ଏ ତାଳମୂଳ ଗୋଟିଏ ପାହାଡ଼ୀ ମୃଲକ, ତାକୁ ଘୋର ଜଙ୍ଗଲ ଘୋଡ଼ାଇ ରଖିଥିଲା; ଏଠି ବାଘ କହୁଥିଲା ମୁଁ, ଭାଲୁ କହୁଥିଲା ମୁଁ । ଅହିରାଜ, ଅଜଗର, ଚିତିସାପ ଭେଳା ଭେଳା; ସେମିତି ନଈ ଗଣ୍ଡରେ କିମ୍ଭୀର ।

 

କନ୍ଧ, ନହୁରା, ଶଅର, ତଅଁଳା, ଘଣ୍ଡରା ଏହାର ପହିଲି ବାସିନ୍ଦା; ପତ୍ର ପିନ୍ଧନ୍ତି, କନ୍ଦା କରବା, ଆମ୍ବମହୁଲ, ମହୁ, କାଇଡ଼ିମ୍ବ, ଠେକୁଆ, ମାଙ୍କଡ଼, ମିରିଗ, ଶମ୍ବର ମାଉଁସ ଖାନ୍ତି, ଠାକୁର ବା ଠାକୁରାଣୀଙ୍କ ପାଖେ ମେରିଆ ବଳି ଦିଅନ୍ତି । ସମତଳ କ୍ଷେତ୍ରରୁ ଯୁବକ ବା ବାଳକଟିଏ ଚୋରାଇ ତାକୁ ଜଗୁଆଳୀ ଜଗାଇ ରଖନ୍ତି, ତାର ଯାବତୀୟ କାମନା ଅକୁଣ୍ଠଭାବେ ପୂର୍ଣ୍ଣ କରନ୍ତି ।

 

ବଳିଦିନ ମେରିଆର ମୁଣ୍ଡ ଖିଅର କରି ଦିଅନ୍ତି, ଗାଧୋଇ ଦିଅନ୍ତି, ବହୁତ ନିଶା ପିଆଇ ଦିଅନ୍ତି, ଫୁଲମାଳ ପିନ୍ଧାଇ ପଟୁଆର କରନ୍ତି ।

 

ତାପରେ ତାକୁ ଗୋଟିଏ ଖମ୍ବରେ ବାନ୍ଧି ଦିଅନ୍ତି, ଦିଶାରୀ ତା ବେକରେ ଟିକିଏ କୁରାଢ଼ି ଲଗାଇ ଦିଏ । ରକ୍ତଧାରା ଝରଝର ବୋହୁଥାଏ । କନ୍ଧମାନେ ତା ହାଡ଼ ଟିକି ଟିକି କରି ଭାଙ୍ଗି ଦିଅନ୍ତି, ମୁଣ୍ଡକୁ ଛାଡ଼ି ଜୀଅନ୍ତା ଅବସ୍ଥାରେ ଟିକିଏ ଟିକିଏ ମାଉଁସ କାଟି ନିଅନ୍ତି । ନରବଳି ଦେଲେ ଫସଲ ଭଲ ହୁଏ, ବିଶ୍ୱାସ ।

 

ଅଳ୍ପ କେତେକ ଆର୍ଯ୍ୟ ଆସି ତାଳମୂଳରେ ବସବାସ କରିଥାନ୍ତି । ବ୍ରାହ୍ମଣୀ କୂଳରେ ଉର୍ବର ଜମିରେ ଅଳ୍ପ ଶ୍ରମରେ ଆଣ୍ଠୁଆଣି ଚାଷ । ବାରବାଟି ପଡ଼ିଆ ପଡ଼ିବି, ଚଷିବାକୁ କିଏ କାହାନ୍ତି-? ଲୋକେ ଖାଇପିଇ ହେଉଡ଼ି ମାରୁଥାନ୍ତି, ପହ୍ଲ ପହ୍ଲ ଗୋରୁଗାଈ, ମେଣ୍ଢା ଛେଳି, ଚରାଭୂଇଁ ଆଉ ବଣବୁଦାର ପାହାଡ଼ ଲମ୍ବିଚି କୋଉଠୁ କୋଉଯାଏ । ଘିଅ ମହୁରେ ଦେଶ ଭାସୁଚି କହିଲେ ଚଳେ-। କେବଳ ଡର–ବଣର ରଜା ମହାବଳ ବାଘକୁ, ଦେଶର ରଜା ବୋଇତା ଶଅରଙ୍କୁ-

 

କନ୍ଧ, ନହୁରା, ତଅଁଲାଙ୍କୁ ହଟାଇ ରାଜୁତି କରୁଥାଏ ବୋଇତା । ରଜା ହେଲେ ବି ପାହାଡ଼ ଉପରେ ଡାଳପତ୍ରର କୁଡ଼ିଆ ତାର ଉଆସ, ଫଳମୂଳ, ମାଂସ ତାର ଆହାର । ଚାଷ କରେ ନାଇଁ ଚାଷ ସଙ୍ଗେ ବାସର ସମ୍ପର୍କ । ଚାଷ ନ କଲାରୁ ବାସର ଉନ୍ନତି ବି ହୋଇପାରେ ନାଇଁ ।

 

ଯୁଗ ଯୁଗ ଧରି ଏକା ରୀତିର ଜୀବନ, ବଣ ପାହାଡ଼ରେ ସ୍ୱାଧୀନ ଚଳାଚଳ, ନାଚଗୀତ, କେହି କିଛି ସଞ୍ଚେ ନାହିଁ, କେହି କାହାରିକି ଠକେନାଇଁ, କାହାରିକି ଅବିଶ୍ୱାସ ନାଇଁ, କୁଡ଼ିଆରେ ଚାବି ପଡ଼େ ନାଇଁ ।

 

ହେଲେ ଆର୍ଯ୍ୟଙ୍କର ସୁଖସମୃଦ୍ଧି ସେମାନେ ସହି ପାରନ୍ତିନାହିଁ । କେଡ଼େ କେଡ଼େ ଘରେ ସେମାନେ ରହିଛନ୍ତି, କେଡ଼େ ବଦନ ବୋହିଛନ୍ତି, କେତେ ଧନଦଉଲତ କମେଇଛନ୍ତି ?

 

ଚାଷ ଅନୁକରଣରେ ସେମାନେ ପାହାଡ଼ରେ ପୋଡ଼ୁଚାଷ କରୁଥିଲେ, ଫସଲ ସେମିତି ଉଧେଇଲା ନାଇଁ । ଅନ୍ୟ ଅନ୍ୟ ପାହାଡ଼କୁ ଗଲେ ସିନା, ପାହାଡ଼ ତଳକୁ ଓହ୍ଲାଇଲେ ନାଇଁ; ଜୀବନ ରୀତିର କିଛି ହେଲେ ଅଦଳବଦଳକୁ ପସନ୍ଦ କରନ୍ତି ନାହିଁ ସେମାନେ; ଫଳରେ ଯୋଉଠି ରହନ୍ତି ସେଇଠି । ପରିବର୍ତ୍ତନ ନାଇଁ ତ ପ୍ରଗତି ନାଇଁ ।

 

ଧନୁଶର ଧରି ହଜାର ହଜାର ସଂଖ୍ୟାରେ ସେମାନେ ଚଢ଼ାଉ କରନ୍ତି ଆର୍ଯ୍ୟ ଗାଆଁ ଉପରେ । ଘର ପୋଡ଼ି ଦିଅନ୍ତି । ଧାନଚାଉଳ ବୋହି ନିଅନ୍ତି, ଗାଈ ମେଣ୍ଢା ପହ୍ଲକୁ ବଣକୁ ଘଉଡ଼ି ଘେନିଯାନ୍ତି । ଗାଆଁମାନଙ୍କର ଏମିତି କଳାକନା ବୁଲିଯାଏ । ସବୁ ଛିଞ୍ଚିଛାଞ୍ଚି ଥୋଇଥିବ, ମୁହୂର୍ତ୍ତକେ ଖତମ୍‌ । ଏ ଉପଦ୍ରବ କେତେ ସହିବେ ? କେତେ ସହିବେ ?

 

ସେତେବେଳେ ଓଡ଼ିଶାର ସିଂହାସନରେ ବିଜେ କରିଥାନ୍ତି—ବୀରଧିବୀରର ନବକୋଟି କର୍ଣ୍ଣାଟୋତ୍କଳକଳବର୍ଗେଶ୍ୱର ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବ; ଏ ଉପାଧି ତାଙ୍କୁ ମାନୁଥିଲା । ଯେମିତି ଅତୁଳବଳପରାକ୍ରମ, ସେମିତି ପୁରୁଷୋତ୍ତମ; ଗଙ୍ଗାଠାରୁ କାବେରୀ ଓ ତା ପରବର୍ତ୍ତୀ ରାଜ୍ୟମାନ ସେ ଜୟ କରିଥିଲେ । ଶିଳାଲେଖ ସବୁ ଏବେ ତାଙ୍କ କୀର୍ତ୍ତି ଘୋଷଣା କରନ୍ତି-

 

ଦକ୍ଷିଣ କଟକାଇରୁ ଫେରିଲା ପରେ ଜଣେ ରାଜପୁତ ବୀର ରାଜଦର୍ଶନ କଲା; ଉଚ୍ଚ ଆସନକୁ ଚାହିଁ ମାନ୍ୟତା ଦେଖାଇବା କଥା; ହେଲେ ରାଜପୁତ ସାଷ୍ଟାଙ୍ଗ ପ୍ରଣିପାତ ନ କରି ନମସ୍କାରଟିଏ ମାତ୍ର କଲା । ଆଗନ୍ତୁକର ଏ ଦାମ୍ଭିକତା ଦେଖି ଗଜପତି ସମ୍ରାଟ ବିଚାରିଲେ—ପ୍ରଣବରୁ ଅଶୁଦ୍ଧ, ୟା କଥା ଆଉ ଶୁଣିବ କଣ ? କିଏ ଅଛରେ ୟାକୁ ନେଇ କଏଦୀଖାନାରେ ଠୁଁକିଦିଅ । ମୁଣ୍ଡ ଥଣ୍ଡା ହେଲା ପରେ ସେ ବୁଝିବ—‘ଯେ ଦେଶେ ଯାଇ ସେ ଫଳ ଖାଇ’ । ଏଠିକି ଆସିଲେ ଏଠା ବିଧି ଅନୁସାରେ ଚଳିବାକୁ ହେବ ।

 

ଗଜା ଭେଣ୍ଡା—ନାଁ ପୃଥ୍ୱିରାଜ ସିଂହ, ଅସାଧ୍ୟ ସାଧିବା ଲାଗି ଏକୁଟିଆ ବାହାରି ପଡ଼ିଥାଏ । ହୃଦୟର ସାହସ ଏକମାତ୍ର ସମ୍ବଳ ।

 

ସେତେବେଳେ ଗୋଟାଏ ଦନ୍ତାବଳ ପାଗଳ ହୋଇଥାଏ, ରାଜାଙ୍କ ପାଟହାତୀ, ଗଛ ତାକୁ ମାରିଦେବାକୁ ଚାହୁଁ ନ ଥାନ୍ତି । ଆୟତ୍ତରେ ଆଣିବା ଲାଗି ନାନା ଉପାୟ ଖଞ୍ଜି ବ୍ୟର୍ଥ ହୋଇଥାନ୍ତି । ବହୁ ଉପଦ୍ରବ ସୃଷ୍ଟି କରେ ସେ, ଲୋକଙ୍କୁ ଦଳି ମନ୍ଥି ପଳାଇଯାଏ, ଗାଆଁର ଚାଳ କୁଡ଼ିଆସବୁ ଥୋରପାରରେ ଓଲାରି ପକାଏ, ପିଲାଙ୍କୁ ଟେକି ଉପରକୁ ଫିଙ୍ଗିଦିଏ, ତଳେ ପଡ଼ି ଯଦି ଦୈବାତ୍‌ ବଞ୍ଚେ, ତା ଛାତିରେ ଗୋଡ଼ଟି ଥୋଇଦିଏ ।

 

କେଡ଼େ କେଡ଼େ ବୀର ହଦେଇଗଲେ, ଶେଷକୁ ରାଜା ଘୋଷଣା କଲେ—ଯେ ହାତୀକୁ ଜବତ୍‌ କରିପାରିବ, ତା ମୁଣ୍ଡରେ ରାଜଦରବାରରେ ଶାଢ଼ୀ ବନ୍ଧାଯିବ, ବହୁତ ଧନରତ୍ନ ଉପହାର ଦିଆଯିବ । ଏ ସମ୍ବାଦ କାନରେ ବାଜିଲା, ସେ ଉଦ୍ଧତ ଭାବେ ଏ ଆହ୍ୱାନ ଗ୍ରହଣ କଲା, ରାଜାଙ୍କୁ ଦାମ୍ଭିକ ଭାଷାରେ ଜବାବ୍‌ ଦେଲା—ହାତୀକି ଜବତ କରେ କିଏ ? ସିଂହ; ଦନ୍ତାବଳକୁ ଆୟତ୍ତରେ ଆଣିପାରିବ କିଏ ? ପୃଥ୍ୱିରାଜ ସିଂହ !

 

ସତକୁ ସତ, ପୃଥ୍ୱିରାଜ ଓଲଟା ଶୂନ୍ୟ ମାରି ହାତୀ ପିଠିରେ ଉଠି ବସିଲା, ଅଙ୍କୁଶ ମାରି ମାରି ତାକୁ ବଶକୁ ଆଣିଲା । ଶାଢ଼ୀ, ସୁନାବଳା ପିନ୍ଧି ରାଜଧାନୀ ପରିକ୍ରମା କଲାବେଳେ ତାଳମୂଳରେ ପ୍ରଜା ତାଙ୍କର ଶରଣ ପଶିଲେ, ତାଙ୍କୁ ଆଣି ସିଂହାସନରେ ବସାଇଲେ ।

 

ସିଂହ ନାଆଁ ଶୁଣି ବୋଇତା ଛାନିଆଁ; କେତେ ହାଣ ଖାଇଲେ; କାହାକୁ କାହାକୁ ମାରି ଗଛ ଡାଳରେ ଟାଙ୍ଗିଦେଲେ—ମାନେ—ବିରିମାଡ଼ ଦେଖି କୋଳଥ ଚୋପା’ ହେଉ ।

 

କାହାର କାହାର ହାତ ଗୋଡ଼ କାଟି ଦିଆଗଲା । ତାପରେ ସବୁ ଥଣ୍ଡା ପଡ଼ିଲା, ବୋଇତା ଆଉ ପାହାଡ଼ ଛାଡ଼ି ତଳକୁ ଓହ୍ଲାଇଲା ନାଇଁ ।

 

ରାଜା ଓଡ଼ିଆ ଭାଷା ଶିଖିଲେ, କିଛି ଦିନ ପରେ ଖାଣ୍ଟି ଓଡ଼ିଆ ହୋଇଗଲେ, ଦିଅଁଦେଉଳ, ବ୍ରତ ବିବାହାଦି କାର୍ଯ୍ୟ କରିବା ପାଇଁ ସେ ପୁରୀରୁ ବାହ୍ମଣ ଡକାଇ ଶାସନଟିଏ ବସାଇଲେ—ନାଆଁ ପୃଥ୍ୱିରାଜପୁର । ସେ ଗାଁରେ ଜଗନ୍ନାଥ ମନ୍ଦିରଟିଏ ତୋଳାଇଲେ, ହୟାନ୍ତ ପୋଖରୀଟିଏ ଖୋଳାଇଲେ, ଚନ୍ଦନକୁ ମଦନମୋହନ ଏଥିରେ ଚାପ ଖେଳିଲେ ।

 

ପାଞ୍ଚଶେଣିଆ, ମହୁଡ଼ମରା ଚାଳ ଘରଟିଏ ସେ ତୋଳାଇଲେ—ଏ ରାଜଉଆସ । ପ୍ରଜା ଭଲରେ ରାଜାର ଭଲ ବିଚାରି ସେ ଗାଁଗଣ୍ଡା ବୁଲି ପ୍ରଜାଙ୍କ ହାରିଗୁହାରି ଶୁଣୁଥିଲେ; କେତେବେଳେ ଘୋଡ଼ାରେ ବା ଶଗଡ଼ ଗାଡ଼ିରେ ବସି ବା ଚାଲି ଚାଲି ସେ ଯାଉଥିଲେ ।

 

ରାଜାଙ୍କୁ ଦେଖିବା ମାତ୍ରେ ଆଦିବାସୀ ପ୍ରଜା ହଳଦିପାଣିରେ ତାଙ୍କ ଗୋଡ଼ ଧୋଇ ଦେଉଥିଲେ; ମାଣ୍ଡିଆ, ମହୁ, ହାଁଡ଼ିଆ ପାଣି ଥୋଉଥିଲେ । ଗାଁ ମଝିରେ ଖଣ୍ଡିଏ ପଟି ବା ଜୁଣ ମସିଣା ଉପରେ ବସି ରାଜା ମାଡ଼ପିଟ୍‌ରୁ ଚୋରୀ ଡକେଇତୀ ମକଦ୍ଦମା ବୁଝୁଥିଲେ, ସଙ୍ଗେ ସଙ୍ଗେ ରାୟ ଘୋଷଣା କରି ଦେଉଥିଲେ ।

 

ରାଜା ଆଉ ପ୍ରଜାଙ୍କ ଚଳଣି ଭିତରେ ଆକାଶପାତାଳ ତଫାତ୍‌ ନ ଥିଲା । ପ୍ରଜାଙ୍କ ଲୁହବୁହା ଧନରେ ସେ ମଉଜମଜଲିସ୍‌ କରୁ ନ ଥିଲେ ।

 

ତାପରେ ରାଜୁତି କଲେ ତାଙ୍କ ବଡ଼ପୁଅ କ୍ଷତ୍ରିବର ସିଂହ । ସେତେବେଳକୁ ତାଳମୂଳ ଓଡ଼ିଶା ସମ୍ରାଟଙ୍କର ଗୋଟିଏ କରଦ ରାଜ୍ୟ । ଗଜପତିଙ୍କର ଲୋଡ଼ା ପଡ଼ିଲେ ସେ ସୈନ୍ୟସାମନ୍ତ ଯୋଗାଉଥିଲେ ଓ ନିଜ ରାଜ୍ୟରେ ଅଖଣ୍ଡ ସ୍ୱାଧୀନତା ଭୋଗ କରୁଥିଲେ ।

 

ବିଜୟନଗର ପରାସ୍ତ; ବାହମନୀ ସୁଲତାନଙ୍କ ସଙ୍ଗେ କପିଳେନ୍ଦ୍ରଙ୍କ ଘୋର ଲଢ଼େଇ । ରଶଦ ଶଗଡ଼ ଲମ୍ବିଥାଏ କୋଉଠୁ କୋଉଯାଏ । ଆଗେଇ ଚାଲିଥାନ୍ତି ଗଜାରୋହୀ, ଅଶ୍ୱାରୋହୀ ବାହିନୀ । କ୍ଷତ୍ରିବର ସୈନ୍ୟସାମନ୍ତ ଘେନି ନିଜେ ଏଇ ଯୁଦ୍ଧରେ ଯୋଗ ଦେଲେ, ଗୋଟିଏ ପଟେ ବାହମନୀ ବାହିନୀକୁ ଏକଦମ୍‌ ପଦା କରିଦେଲେ । ମଢ଼ା ଉପରେ ପାଦ ଦେଇ ମାଡ଼ିଯିବା ଛଡ଼ା ଅନ୍ୟବାଟ ନ ଥିଲା ।

 

କପିଳେନ୍ଦ୍ରଙ୍କ ଦୁର୍ଦ୍ଧର୍ଷ ପାଇକବାହିନୀର ତୁଳନା ସେତେବେଳେ ନ ଥିଲା । ସଚଳ ପାହାଡ଼ ପରି ମାଡ଼ି ଚାଲିଥାନ୍ତି ଅପରାଜେୟ ଦନ୍ତାବଳବାହିନୀ । ପୁରାଣ ଢଙ୍ଗରେ ମହାକବି ସାରଳା ଦାସ ମହାବୀର କପିଳେନ୍ଦ୍ରଙ୍କ ଦିଗ୍‌ବିଜୟକୁ କାବ୍ୟ ରୂପ ଦେଉଥାନ୍ତି ।

 

ବିଭିନ୍ନ ରଣାଙ୍ଗନରେ କ୍ଷତ୍ରିବରଙ୍କ ବୀରତ୍ୱର ପରିଚୟ ପାଇ ଗଜପତି ତାଙ୍କୁ ‘ମହାବୀର କେଶରୀ’ ଉପାଧି ଦେଇଥାନ୍ତି । କାଞ୍ଚୀ ଅଭିଯାନରେ ଅନୁରୂପ ବୀରତ୍ୱର ପ୍ରମାଣ ଦେବାରୁ ଗଜପତି ପୁରୁଷୋତ୍ତମଦେବ ଶଙ୍ଖମହୁରୀ ସିଲ୍‌ ସହିତ ପୂର୍ବ ଉପାଧିକୁ ବ୍ୟବହାର କରିବାକୁ ଅନୁମତି ଦେଲେ-

 

ତାପରେ ଯୁବରାଜ ଲୋକନାଥ ‘ମହାବୀରକେଶରୀ’ ଉପାଧି ଘେନି ରଜା ହେଲେ । ତାଙ୍କ ଇଷ୍ଟଦେବୀ ତାଳମୂଳେଶ୍ୱରୀ ଠାକୁରାଣୀ । ତାଙ୍କ ବେଢ଼ାରେ ଦଶହରାକୁ ହଜାର ହଜାର ବୋଦା, କୁକୁଡ଼ା ବଳି ପଡ଼ୁଥିଲେ, ବଳି ପଡ଼ୁଥିଲା ଗୋଟାଏ ପଣ୍ଡା ମଇଁଷି । ଲାଲ୍‌ ନଈଟିଏ ପରି ରକ୍ତଧାରା ବୋହି ଯାଉଥିଲା । ଜୀବଜନ୍ତୁଙ୍କ ରକ୍ତ ପିଇ ପିଇ ଚିଟା ଲାଗିଥିଲା, ଦେବୀ ଲୋଡ଼ୁଥିଲେ ମଣିଷର ତାଜା ରକ୍ତ ।

 

ରାଜା ଥରେ ରାଗିଯାଇ କହିଲେ—ଏଇଟା ଦେବୀ ନା ଦାନବୀ ? ମଣିଷକୁ ନୀରୋଗ, ନିରାପଦ ରଖିବା ଲାଗି ଆମେ ଦେଉଛୁ ଜୀବବଳି, ସେ ଖୋଜୁଚି ମଣିଷ ବଳି, ଏ ଆଉ ମଣିଷକୁ ରକ୍ଷା କରିବ କଣ ?

 

ଏତେ ମୁଣ୍ଡ ଖାଇ ତୋଷ ନାଇଁ, ଆଉରି ଜିଭ ଲହ ଲହ କରୁଚି । ଲେଭେଡ଼ାଙ୍କ ଭଳି ଦେହୁରୀକି ସପନେଇ ମେରିଆ ମାଗୁଚି । ଆଉ ୟା ମୁହଁ ଚାହିଁକରି ନାଇଁ । ୟା କହି ଦେବୀଙ୍କି ତାଡ଼ି ନେଇ ମୁହଁ ମଡ଼ାଇ ବ୍ରାହ୍ମଣୀ ନଈ ବାଲିରେ ଫିଙ୍ଗିଦେଲେ । ଏତିକିରେ ଦେବୀଙ୍କ ମହିମା ଲୋପ ପାଇଲା ।

 

ମଣିଷ କଣ ଦେବଦେବୀଙ୍କ ମହିମା ଲୋପ କରିପାରେ ? ଦେବତା କଣ କରନ୍ତି ? ମଲା ପରେ ତାଙ୍କ ପ୍ରେତ କଣ ଉପଦ୍ରବ ସୃଷ୍ଟି କରିପାରେ ? ହେଲେ ହେଇଥିବ, କିଏ ଜାଣେ ? ଶୁଣା କଥା ତ ।

 

ଦେବୀଙ୍କ ପ୍ରେତ କୁଆଡ଼େ ତାଳମୂଳରେ ଲଗାଇଦେଲା ବାଘଗୋଳ । ବାଟଘାଟ ପଡ଼ିଗଲା । ଦିନ ଦିପହରେ ବାଘ ଘର ଭିତରେ ପଶି ଗୋରୁଗାଈ, ଏମିତିକି ମଣିଷକୁ ଟାଣି ନେଉଥିଲା ।

 

କିଛି ବାଟ ନ ପାଇ ଶେଷକୁ ରଜା କେନ୍ଦୁଆ ଠାକୁରାଣୀଙ୍କି ପୂଜା କଲେ—ଚୁଆ, ହଳଦୀ, ସିନ୍ଦୂର, କଳାଖଦି, ରୂପା ଟିକିଲି, ସୁନା ଛତି ଦେଇ ବର୍ଷକୁ ବର୍ଷ ଦେବୀଙ୍କ ଗାଧୁଆ ବେବସ୍ଥା ହେଲା, ବହୁତ ଭୋଗରାଗ ହେଲା । ଜମି ଖଞ୍ଜାପଡ଼ା ହେଲା । ତାପରେ ବାଘ ଉପଦ୍ରବରୁ ରକ୍ଷା ମିଳିଲା ।

 

ପ୍ରଜା ଚାଷଆୟର ଛ’ ଭାଗରୁ ଭାଗେ ରଜାଙ୍କୁ କର ଦେଉଥିଲେ । ଦଶହରାରୁ ଏ ରଜା ସନକଟା ଆରମ୍ଭ କଲେ । ଭଲ କାମ କଲେ ପାତ୍ରମନ୍ତ୍ରୀଙ୍କ ମୁଣ୍ଡରେ ଶାଢ଼ୀଶିରୋପା ବାନ୍ଧୁଥିଲେ, ତାଳପତ୍ରରେ ଦାନ ସନନ୍ଦ ଲେଖାଇ ଶ୍ରୀହସ୍ତ ସନ୍ତକ ଦେଉଥିଲେ । ସେ ପାଟରାଣୀଙ୍କି ସରଘର, ଗନ୍ତାଘର ଭାର ଦେଇଥିଲେ, ତାଙ୍କ ନିଜର ଚଳାଚଳ ଖର୍ଚ୍ଚ ଲାଗି ହଳଦୀ ମାଲପା ମାହାଲଟିଏ ଖଞ୍ଜି ଦେଇଥିଲେ ।

 

ଏ ରଜାଙ୍କର ଚାରି ରାଣୀ, ତଥାପି ପିଲା ବକଟେ ହେଲାନାଇଁ, ଦିଲୀପ ମହାରାଜା ଯେପରି ନନ୍ଦିନୀର ସେବା କରି ରଘୁଙ୍କୁ ଲାଭ କରିଥିଲେ, ଲୋକନାଥ ସେହିପରି କଲେ । ସେ କୃଷ୍ଣଚନ୍ଦ୍ରଙ୍କ ଶରଣ ନେଲେ, ଗାଈଜଗା ଟୋକାଙ୍କ ସହିତ ମିଶି ବୃନ୍ଦାବନରେ ଗାଈ ଚରାଇଲେ । ତାପରେ ବଗବାନ୍‌ ଶ୍ରୀକୃଷ୍ଣଙ୍କ ଦୟାରୁ ପୁଅଟିଏ ପାଇଲେ ।

 

ସେତେବେଳେ ରଜା ରଜାଙ୍କ ଭିତରେ ସୀମା ବିବାଦ ଘେନି କଳି ଉପୁଜୁଥିଲା, ତୁଣ୍ଡ କଳିରୁ ମୁଣ୍ଡ କୋଡ଼ାକୋଡ଼ି ଯାଏ ଯାଉଥିଲା—କେବେ କେବେ ଝିମିଟିଖେଳରୁ ମହାଭାରତ ଯୁଦ୍ଧ ଲାଗି ଯାଉଥିଲା । ତୁମେ ଶୁଣିଥିବ—ଅନୁଗୁଳ ଆଉ ଢେଙ୍କାନାଳର ବୁଢ଼ାପଙ୍କ ଯୁଦ୍ଧକଥା । ସେମିତି ଗୋଟାଏ ଯୁଦ୍ଧ ଲାଗିଗଲା ତାଳମୂଳର ଲୋକନାଥ ମହାବୀର କେଶରୀ ଆଉ ପାଲହଡ଼ାର ଜଗନ୍ନାଥ ପାଳଙ୍କ ମଧ୍ୟରେ । ପହିଲେ ପାଳ କଣ୍ଟେଇକୋଳି କଣ୍ଟାରେ କାନି ପକାଇଲେ, ତାଳମୂଳର କେତେ ଖଣ୍ଡି ଗାଁ ଦଖଲ କରିଦେଲେ, କେତେ ପେଣ୍ଡା ଗାଈଗୋରୁ, କେତେ ପନ୍‌ଝା ମେଣ୍ଢା ଛେଳି ତଡ଼ି ଘେନିଗଲେ । ଗାଈ ଆଉ ମେଣ୍ଢାଜଗାଳୀଙ୍କୁ ନିସ୍ତୁକ ମାଡ଼ ଚଢ଼ାଇଲେ । ସେମାନେ କାନ୍ଦିବୋବେଇ ଆସି ସବୁକଥା ବୟାନ କଲେ ।

 

ରଜା ଗାଁ ଆଉ ଗାଈଗୋରୁ ଫେରାଇ ଦେବା ଲାଗି ଚିଟଉ ଲେଖିଲେ । ଦୂତ ଅପମାନ ପାଇ ଫେରିଲା । ତାପରେ ତାଳମୂଳ ସାରା ଗୋଟାଏ ତାତିଲା ଝାଞ୍ଜି ବୋହିଗଲା, ସାଜ୍‌ ସାଜ୍‌ ରବ ଖେଳିଗଲା । ବଡ଼ି ଭୋରରୁ ଦି’ ରାଜ୍ୟ ସୀମାରେ ଘମାଘୋଟ ଲଢ଼େଇ ଲାଗିଗଲା ।

 

ଏପଟେ ସେପଟେ କେତୁଟା ହାତୀ, କେତୁଟା ଘୋଡ଼ା ଦଉଡ଼ାଦଉଡ଼ି କରୁଥାନ୍ତି, ସୈନ୍ୟମାନେ ଫିଙ୍ଗୁଥାନ୍ତି ପରସ୍ପର ଉପରକୁ ସାବେଳି, ଏକମୁନା, ଘୋଡ଼ାଚଢ଼ାଳୀଙ୍କ ଭିତରେ ଖଣ୍ଡାଯୁଦ୍ଧ ଲାଗିଥାଏ; ସୈନ୍ୟମାନେ ଫଡ଼ି, ପରଶୁ ବାଙ୍କ ଛୁରି ବ୍ୟବହାର କରୁଥାନ୍ତି । କେତେକଙ୍କ ଭିତରେ ଧରାଧରି, ପରାପରି ମଲ୍ଲଯୁଦ୍ଧ ବି ଲାଗି ଯାଇଥାଏ, କେତେ ଜାଗାରେ ଗୋଡ଼ାଗୋଡ଼ି, ଠେଙ୍ଗାରେ ପିଟାପିଟି ହେଉଥାଏ, ଟେକା ପଥର ଫିଙ୍ଗାଫିଙ୍ଗି ବି ଚାଲିଥାଏ । ଯାହାଙ୍କ ହାତରେ ଅସ୍ତ୍ରଶସ୍ତ୍ର ନାଇଁ, ରାଗରିଷା ମେଣ୍ଟାଇବାକୁ ଚାହାନ୍ତି, ସେମାନେ ଏଇ ପ୍ରକାର ଲଢ଼େଇ କରୁଥାନ୍ତି । ଏ ଫଉଦାରିଟା ଭାରି ଗୋଟାଏ ମାର୍‌ପିଟ୍‌ ପରି ଦିଶୁଥିଲା, ଖୁବ୍‌ ଧୂଳି ଉଠୁଥିଲା ।

 

ଏ ଯୁଦ୍ଧର ଶେଷ ମୀମାଂସ କଲା ଯାମୁକୀ ନଳୀ । ଯାମୁକୀ ନଳୀର ଗୋଳାରେ ଲହଡ଼ାର କେତେ ଘର ହାତୀ ଶୋଇଗଲେ, କେତେ ହାତୀ ଚମକି ଉଠି ଆପଣା ପକ୍ଷ ସୈନ୍ୟଙ୍କୁ ଚକଟି ମନ୍ଥି ଧାଇଁଲେ ।

 

ତାପରେ ପାଲହଡ଼ା ସୈନ୍ୟ ଭାଜି ପଳାଇଲେ; ତାଳଭୂଳ ସୈନ୍ୟ ଗୋଡ଼ାଇ ଗୋଡ଼ାଇ ମାଇଲେ । ଶେଷକୁ ଚାରି ଦିଗରୁ ଘେରିଗଲେ; ପଳାଇବାକୁ ଗୋଟିଏ ମାତ୍ର ପାହାଡ଼ୀ ଘାଟି, ଘାଟି ମୁହଁରେ ତାଳମୂଳ ସୈନ୍ୟ ତରବାରୀ ଧରି ଜଗି ବସିଲେ, ଘାଟିରେ ଅଗଣିତ ମୁଣ୍ଡ ଗଡ଼ିଲା ।

 

ଜଗନ୍ନାଥ ପାଳ ଯୁଦ୍ଧରେ ହାରି ସନ୍ଧିପତ୍ରରେ ସନ୍ତକ କଲେ । ତାଳମୂଳ ହୃତ ଗ୍ରାମ ଓ ଗୋରୁଗାଈ ଫେରି ପାଇଲା, ଯୁଦ୍ଧକ୍ଷେତ୍ର ଅଞ୍ଚଳ ତା ଦଖଲରେ ରହିଲା ।

 

ରଣକ୍ଷେତ୍ରରେ ଲଡଡ଼ାର ଦୁଇଜଣ ବ୍ରାହ୍ମଣ ମରିଥିଲେ । ଲୋକନାଥ ବ୍ରହ୍ମହତ୍ୟା ପାତକ ଲାଗିଲା । ପ୍ରାୟଶ୍ଚିତ୍ତ ଲାଗି ସେଇ ଯୁଦ୍ଧ କ୍ଷେତ୍ରରେ ରାଜା ‘ଲୋକନାଥପୁର’ ନାମରେ ଗୋଟିଏ ବ୍ରାହ୍ମଣ ଶାସନ ବସାଇ ଲାଖରାଜ ବୃତ୍ତି ଖଞ୍ଜିଦେଲେ—ଦାନପତ୍ରରେ ଲେଖିଲେ—‘ଆମ୍ଭ ଅଣାୟତ୍ତରୁ ବ୍ରହ୍ମହତ୍ୟା ହେଲାରୁ ବ୍ରହ୍ମହତ୍ୟା ଦୋଷ ବ୍ୟାପୋହନାର୍ଥ ଶାସନ ମହାଦାନ ଅବଧାନ କଲୁଁ । ଏ ଭାଗଭୂମି ବା ୧।୫ ମାଣ ଲେଖାଁଏ କରିବ । ଏ ଦେଶ ଆୟେ ସୀମାନ୍ତ ଗଛ, ମାଛ, ଜାଣ, ଜୋଡ଼, ହିଡ଼, ଡିଙ୍ଗର, ସିଆ, ଲିଆ, ରଇତ, ପରଜା ମଧ୍ୟ ଦାନ କରି ଅବଧାନ କଲୁଁ, ଏ ଭୂମି ସକଳ ଜଳ, ସ୍ଥଳ, ନିଧିନିଖାତ କାଷ୍ଠ ପାଷାଣ ସହିତ ଯାବଚ୍ଚନ୍ଦ୍ରାର୍କେ ଭସ୍ମାନ୍ତିକେ ଆୟ କରିବ ।

 

ଏ ଶାସନରେ ଧୋବା ଏକ ଘର, ଭଣ୍ଡାରୀ ଏକ ଘର, ଗଉଡ଼ ଏକ ଘର, ମାଳୀ ଏକ ଘରୁ, କୁମ୍ଭାର ଏକ ଘର, ବଢ଼ାଇ ଏକ ଘର, ତେଲୀ ଏକ ଘର, ଗୁଡ଼ିଆ ଏକ ଘର, ଗଢ଼ି ଏକ ଘର ରଖିବ । ଏ ପ୍ରାୟଶ୍ଚିତ୍ତକୁ ଏ ଶାସନ କରି ମହାଦାନ କରି ଅବଧାନ କଲୁଁ । ଏଥିରେ ଯେ କିଛି ଅନ୍ୟଥା ବିଚାରିବ ସେ ବ୍ରହ୍ମହତ୍ୟା ଦୋଷ ପାଇବ ।’

 

ସନ୍ତକ, ମହାରାଜ

 

ବାଘ ମୁଣ୍ଡ ଚିହ୍ନ

 

ଲୋକନାଥଙ୍କ ବଡ଼ ପୁଅ ଦୋଳଗୋବିନ୍ଦ । ସେତେବେଳେ ଓଡ଼ିଶାର ସିଂହାସନରେ ବସିଥାନ୍ତି ଶେଷ ସ୍ୱାଧୀନ ରାଜା ତେଲେଙ୍ଗା ମୁକୁନ୍ଦ ହରିଚନ୍ଦନ । ମୁସଲମାନମାନେ ଘନ ଘନ ଓଡ଼ିଶା ଆକ୍ରମଣ କରୁଥାନ୍ତି, ଏଣେ ରାଜ୍ୟ ଭିତରେ ବହୁ ବିପ୍ଳବ ମୁଣ୍ଡ ଟେକୁଥାଏ । ସେ ସବୁ ବିପ୍ଳବ ଦମନରେ ସାହାଯ୍ୟ କରୁଥିଲେ ଦୋଳଗୋବିନ୍ଦ । ମୁକୁନ୍ଦଦେବ ଏଥିରେ ତୁଷ୍ଟ ହୋଇ ତାଙ୍କୁ ଧଳାକଳା ଛତ୍ରଚାମର, ଯାଉଁଳି ମଶାଲ, ସୁନା ରୂପାର କାହାଳୀ ଉପହାର ଦେଇଥିଲେ । ପଶ୍ଚିମ ଦ୍ୱାର କଲରା ହାଟ ବାଟେ ସେ ବଢ଼ ଦେଉଳ ପ୍ରବେଶ ସିଦ୍ଧି ଲାଭ କରିଥିଲେ, ପ୍ରବେଶ ଆଗରୁ ଦେଉଳଶୋଧ ଆଦେଶ ମିଳିଥିଲା । ଦୋଳଗୋବିନ୍ଦ ପ୍ରତିବର୍ଷ ଦୋଳଯାତ୍ରାବେଳେ ଜଗନ୍ନାଥଙ୍କ ଅବିର ଚର୍ଚ୍ଚା ଲାଗି ମହାରାଜାଙ୍କ ପାଖକୁ ପଚାଶ କାହାଣ କଉଡ଼ି ପଠାଉଥିଲେ ।

 

ବହୁତ ରଜା, ଜମିଦାର ଆଉ ବଡ଼ଲୋକଙ୍କର ପିଲା ବକଟେ ହୁଏନାଇଁ କାହିଁକି ? ଅଥଚ ଯାହାର କାଣିକଉଡ଼ିଟିଏ ନାଇଁ, ତା ଘରେ ପିଲା ଭେଳା ଭେଳା; ହନ୍ତସନ୍ତ ହେବେ, ରୋଗିଣାନାସଣା ହୋଇ ଗଡ଼ିମରିବେ, ସେ ଭଲ; ସରଲବଣୀକି ଥୁ ଥୁ କରିବେ, ସୁନାଦୋଳିରେ ଦୋଳୁଥିବେ, କାଖକୁ କୋଳକୁ ଅନ୍ତର ହେବେନାଇଁ, ଆଖିରୁ ଟିକିଏ ଆଡ଼ ହେଲେ ହୋ–ହଲ୍ଲା ପଡ଼ିଯାଉଥିବ, ସେ ମନ୍ଦ । ବିଧାତାର ଏ କି ରୀତି ? ତେଲିଆ ମୁଣ୍ଡରେ ତେଲ ଢାଳୁଥିବ, ଏଣେ ନୁଖୁରାକୁ ଆହୁରି ମାଖରା କରୁଥିବ; ନଥିଲା ଘରକୁ ଫଉଜ ଧାଡ଼ି ଲାଗିଥିବେ, ଥିଲା ଘରେ ଟିକିଏ ହେଲେ ପିଲାଗୋଳ ଶୁଣାଯାଉ ନ ଥିବ ।

 

ରଜା କେତେ ଦେଉଳ ତୋଳେଇଲେ, କେତେ ବ୍ରାହ୍ମଣଶାସନ ବସାଇଲେ, କେଡ଼େ ଆଡ଼ମ୍ବରରେ ଷଠିଦୁଛୀ ପୂଜା କଲେ, କେତେ ବାଳଗୋପାଳ ମେଳା କରାଇଲେ, ‘ପୁଅ କଲେ ପୁଅ ହୁଏ’ ବିଶ୍ୱାସରେ ଧର୍ମପୁଅ କଲେ; ଦୁଃଖୀରଙ୍କୀରକାଳେ ନିଃଶ୍ୱାସ ପଡ଼ିଥିବ; ଏଥିଲାଗି କାଙ୍ଗାଳଭୋଜନ ଦେଲେ । ଏ ସବୁରେ କିଛି ଫଳ ନ ମିଳିବାରୁ ଯାଜପୁର ଯାଇ ପୁତ୍ରେଷ୍ଟି ଯଜ୍ଞ କରାଇଲେ—ଏଥର ଶୁଭ ଫଳ—‘ଆହା ମୋ ନନ୍ଦକୋଳେ ଗୋବିନ୍ଦ !’ ଏକୋଇଶାକୁ ନାଆଁଦିଆ ହେଲା ସୁରେନ୍ଦ୍ର । ରଜା ଆଖି ବୁଜିଲେ, ନିଜେ ଯିବାର ଅଳ୍ପଦିନ ମଧ୍ୟରେ ଡାକିନେଇଗଲେ ରାଣୀଙ୍କି-

 

ସୁରେନ୍ଦ୍ର ମହାବୀରକେଶରୀଙ୍କୁ ପାତ୍ରମନ୍ତ୍ରୀ, ରାଜଗୁରୁ ଓ ପ୍ରଜାମାନେ ସିଂହାସନରେ ବସାଇଲେ । ପାଟମହାଦେଈ ରହସ୍ୟମଞ୍ଜରୀ ମୁଣ୍ଡରେ ଶାଢ଼ୀ ବାନ୍ଧି ହାତରେ ପାଟଖଣ୍ଡା ଧରେଇବା କଥା; ବିମାତା ସେ; ମନରେ ଈର୍ଷା; ଅଭିଷେକଦିନ କିଛି ଆଳରେ ସେ ବାପଘରକୁ ଚାଲିଗଲେ ।

 

ତା’ପରେ ଫେରିଆସି ଗୋଟାଏ ମନ୍ଥରା ଦାସୀ ସହିତ ମିଶି ବହୁତ କୁପାଞ୍ଚ ଚଳାଇଲେ-। ସଉତୁଣୀ ପୁଅ ରାଜା ହବ, ଏ କଥା ସେ ଦି ଆଖିରେ ଦେଖିପାରୁ ନଥିଲେ; କଳେବଳେ କୌଶଳେ ସେ ସୁରେନ୍ଦ୍ରଙ୍କୁ ରାଜଗାଦିରୁ ତଡ଼ିବା ଉପାୟ ଖଞ୍ଜୁଥିଲେ ।

 

ସୀମା ଘେନି ଝକସ୍‌ଗଡ଼ ସାଙ୍ଗେ ତାଳମୂଳକର ବିବାଦ ଥାଏ । ଝକସର ରଜା ରିହ ସାଧିବାକୁ ବାଟ ଖୋଜୁଥାନ୍ତି । ତାଳମୂଳର ଏ ଗୋଟିଏ ଦୁର୍ବଳ ମୁହୂର୍ତ୍ତ; ପିଲାରଜା, ଖେଳରେ ମନ; ଫୁଲବଗିଚାରେ କେତେକ ସାଆନ୍ତ ପିଲାଙ୍କ ସହିତ ମିଶି ପ୍ରଜାପତି ଧରୁଥାନ୍ତି ।

 

ମିରିଗଛୁଆଙ୍କ ସାଙ୍ଗେ ବେଳେ ବେଳେ ଖେଳ ଲାଗିଯାଏ, ତାଙ୍କୁ ଦଉଡ଼ରେ କେମିତି ହଟାଇଦେବେ, ଏଇ ଜିଦ୍‌ । ଭାରି ଭଲ ପାଆନ୍ତି—ସତେ ଯେମିତି ଭାଇଭଉଣୀ, ଚାରିଗୋଡ଼ିଆ ହୋଇଛନ୍ତି ଯାହା । ଗେଲ କରନ୍ତି, ଗେହ୍ଲା ହୋଇଥାନ୍ତି, ମିରିଗଛୁଆ ତାଙ୍କ ମୁଣ୍ଡବାଳକୁ କାମୁଡ଼ଇ ଭିଡ଼ନ୍ତି, ତାଙ୍କ ଦିହରେ ଘଷି ହେଉଥାନ୍ତି । ସୁରେନ୍ଦ୍ର କାହା ମୁହଁକୁ ନେଇ ମାଆ ଚିରରେ ମାଡ଼ିଦିଅନ୍ତି, କଅଁଳ ଘାସ, ପତର ଛିଣ୍ଡାଇଆଣି କାହା ପାଟିରେ ଦିଅନ୍ତି । ଏମିତି ବାଳଲୀଳା ଲାଗିଥାଏ, ଦେଖିଲେ ରହସ୍ୟମଞ୍ଜରୀଙ୍କ ଆଖିରେ ଶୁଖୁଆକଣ୍ଟା ମାଡ଼ିହୋଇଯାଏ ।

 

ଭଲାରେ ଭଳା, ଏ କ’ଣ ହେଲା ! ଖାଲି ରଜା ସିଂହାସନରେ ବସିବେ, ରାଣୀ ବସିବେ ନାଇଁ—ଏ କଥା କୋଉ ଶାସ୍ତ୍ରରେ ଲେଖା ଅଛି ? ହଁ ଜାଣନ୍ତେଁ ? ରଜା ଭାରି ପାରିବାର, ନାକରେ ଫୁଟି କାନରେ ବାହାରୁଛନ୍ତି । ଡିମ୍ବଟାଏ, ଗାଲ ଚିପିଲେ ଜନମଦୁଧ ବାହାରିପଡ଼ିବ—ଏ କରିବ ରାଜ୍ୟଶାସନ । କ’ଣ ଖେଳଘର ହେଇଚି ! କ’ଣ କହନ୍ତି ନାଇଁ—

 

କହିବି ନାଇଁ

କହିଲେ ଏ ଘରେ ରହିବ ନାଇଁ ।

 

ହେଲେ ନ କହି ରହିହଉଚି କୋଉଠି ? କୁଟୁମ୍ବ କ’ଣ, ରାଜ୍ୟ ଯେ ଭାସିଯାଉଚି !

 

ସେ ପୋଡ଼ାମୁହାଁ ପାଟଯୋଷୀର ଆଖି କ’ଣ ଫୁଟିଯାଇଚି ? ସେ ଗଡ଼ନାୟକ ଆଖି କ’ଣ ଫୁଟିଯାଇଚି ? ସେ ଗଡ଼ନାୟକ ଆଖିରେ କ’ଣ ପରଳ ପଡ଼ିଚି ? ସର୍ଦ୍ଦାରଗୁଡ଼ାଙ୍କର ମୁଣ୍ଡରେ କ’ଣ କିଛି ନାଇଁ ?

 

ରହରେ ଚୂଲିପଶାଏ, ତୁମକୁ ଦଉଚି ଚେଙ୍ଖେ, ଆରେ ଅନ୍ଧ, ଭାବୁଚ କି ଏ ସୃଷ୍ଟିରେ ଚନ୍ଦ୍ରସୂର୍ଯ୍ୟ ନାହାନ୍ତି ବୋଲି ? ଯେତେବେଳେ କିମ୍ଭୀର ଘୋଷାରିନେଇ ମଝିନଈରେ କରିବ, ସେତେବେଳେ ବୁଝିବ ରେ ଗଛଜଳାଏ—ମାଇପୀଙ୍କ ମୁଣ୍ଡରେ ବୁଦ୍ଧି ଅଛି କି ନାଇଁ ?

 

ହଠାତ୍‌ ଦିନେ ମୁଣ୍ଡରେ ପଗଡ଼ି ଭିଡ଼ି ଘୋଡ଼ାରେ ଝପଟିଆସିଲା ଏ କିଏ ? ଅଣ୍ଟାରେ ତରବାରୀ, ବାଙ୍କ ଛୁରି । ଚଟ୍‌କିନେ ତଳକୁ ଡେଇଁ ପଟ୍‍କିନେ ସୁରେନ୍ଦ୍ରକୁ ଝାମ୍ପିନେଇ ଘୋଡ଼ାରେ ଥୋଇ ଦେ ଦୌଡ଼ । ଚାକରବାକର ବୋକା ପରି ଚାହିଁଥାନ୍ତି—ଆରେ ଏ କ’ଣ ହେଲା ? ଆମ ରଜାଙ୍କୁ ଘେନି ପଳାଇଗଲା ସେଟା କିଏ ? ତାକୁ ଧରରେ ଧର, କହୁ କହୁ ଝକସ୍‌ ମାରିଲା ଝପଟ, କୋରଡ଼ାରେ ଘୋଡ଼ା ପଛକୁ ପାହାରେ ପିଟିଦେଇ । ଦଣ୍ଡକ ଭିତରେ କୁଆଡ଼େ ସେ ଦିଗ ତଳେ ଛପିଗଲା, ଉଡ଼ନ୍ତି ଧୂଳି ଗଛପତରରେ, ତଳେ ପୁଣି ବସିଗଲା ।

 

ରାଜଗୁରୁ, ପାଟଯୋଷୀ, ଗଡ଼ନାୟକ, ସର୍ଦ୍ଦାର ବେସ୍ତବିକଳ ହୋଇ ଚାରିଆଡ଼େ ବହୁତ ଖୋଜାଖୋଜି କଲେ । କିଏ କହିଲା—ଏ ଡକେଇତିଙ୍କ କାମ; ଆଉ କିଏ କହିଲା—ଡକେଇତ ସିନା ରଜାଙ୍କ ଧନଦରବ ଲୁଟିକରି ନେଇଥାନ୍ତା, ସେ ରଜାଙ୍କୁ ନେଇ କ’ଣ କରିବ ? ପୁଣି ସେ ରାତିରେ ସଦଳବଳେ ନ ଆସି ଏକୁଟିଆ ଦିନରେ ଆସନ୍ତା କାଇଁକି ?

 

କିଏ କହିଲା—ଝକସ୍‌ ଆସିଥିବ, ରଜାଙ୍କୁ ମାରିଦେଇଥିବ କି ଜିହଲରେ ପୂରାଇ ରଖିଥିବ । ହଠାତ୍‌ କୋଉ ଦିନ ସୈନ୍ୟବଳ ଘେନିଆସି ତାଳମୂଳ ଦଖଲ କରି ସିଂହାସନରେ ବସିବ । ରାଜବାଟିରେ କୂଟନୀତିର ଦୁର୍ଗନ୍ଧ, ଯେତେ ବିଷବାଷ୍ପ ତାରି ଭିତରୁହିଁ ବାହାରେ । ଏଠି ସମସ୍ତେ କିଛି ନ ଜାଣିବାର ପରି ହୋଇ ଆଖି ବୁଜି ଦୁଧ ପିଅନ୍ତି । କିରେ ରହସ୍ୟମଞ୍ଜରୀଙ୍କର ଅଜାଣତରେ କ’ଣ ଏ ଘଟଣା ଘଟିଲା ? ଭିତରକୁ ଭିତରକୁ ଆଳୁ ଖୋଳ, ଦେଖିବ, କେମିତି ମହାଦେବ ବାହାରିବେ !

 

ଆଉ କିଏ କହିଲା—ସେଟା ଡକେଇତ ନୁହେଁ; ପିଲାଚୋର । ରଜାଙ୍କ ସୁନାଖଡ଼ୁ, ଅନନ୍ତବ୍ରତ, ନୋଳି, ବେକର ଗୋପ କାଢ଼ିନେଇ ଆଖି ଫୁଟାଇଦେବ, ଭିକ ମଗାଇବ । ରଜାଘରେ ଜନମ ହେଲେ କ’ଣ ହେଲା, ଭାଗ୍ୟକୁ ଭୋଗ ବସୁନ୍ଧରୀ । ପୋଡ଼ା କରମ ହେଇଥିଲେ ପାଟିରେ କାମୁଡ଼ିଥିବା ପାଚିଲା ଆମ୍ବ ତଳକୁ ଖସିପଡ଼ିବ ।

 

ପାହାଡ଼, ଜଙ୍ଗଲ, ଗାଁଗଣ୍ଡାରେ ଖୁବ୍‌ ଖୋଜ ଖୋଜି ଚାଲିଥାଏ । ଏଣେ ମନ୍ତ୍ରଣା ବି ହେଉଥାଏ—ରାଜଗାଦି ତ ଖାଲି ରହିବ ନାଇଁ, ଯାହାକୁ ହେଲେ ବସାଇବାକୁ ହବ । ରାଣୀ ରହସ୍ୟମଞ୍ଜରୀ ଆପଣା ଲୋକଙ୍କୁ ଟିହାଉଥାନ୍ତି—ମୋ କଥା ପାଟଯୋଷୀ ଆଉ ସର୍ଦ୍ଦାରମାନଙ୍କୁ କହନ୍ତି—ଭାରି ବୁଦ୍ଧିମତୀ, ସିଂହାସନରେ ବସିଲେ ମନବୋଧ କରିଦେବେ । ସେମାନଙ୍କୁ ସବୁ କଥାରେ ପଚାରିଉଚାରି ରାଜ୍ୟ ଚଳାଇବେ ।

 

ହେଲେ ଏ କଥା କାହା ମନକୁ ପାଉ ନ ଥାଏ । ରାଜାଝିଅ, ରଜାଘର ବୋହୂ ସତ, ହେଲେ ମାଇପୀଟିଏ । ତାର ବୁଦ୍ଧି କେତେ ! ଝିଅଜନମ ତ ଚୂଲୀମୁଣ୍ଡକୁ । ରାଜ୍ୟଶାସନ କ’ଣ ରୋଷଇବାସ କଥା ହେଇଚି !

 

ଆଗରୁ ତ କେତେ ମିଣିପେ ରଜା ହେଇଚନ୍ତି, ମାଇପେ କୋଉଠି ରାଜୁତି କରିବା, ଶୁଣିଚ ? ଅଭିଲା କଥା ଏ; ବୋଇଲା—

 

ନ ଦେଖିଲା କଥା ଦେଖ

କଇଁଚ କାଢ଼ିଚି ବେକ !

 

ୟାଙ୍କ ମୁହଁକୁ ଦେଖ, ୟେ ଖାଉଛନ୍ତି ଜୀରାମରିଚ ଛୁଙ୍କ । ଏକଥା ଶୁଣି ରାଣୀଙ୍କ ମୁହଁ କେଶରା ପଡ଼ିଗଲା ।

 

ରଜାଙ୍କ ଭାଇବିରାଦରମାନେ ମନେ ମନେ ଛେନାଗୁଡ଼ ଖାଉଥାନ୍ତି । ମୁକୁଟ ପିନ୍ଧାଇଲାବେଳେ କେମିତି ମୁଣ୍ଡ ଦେଖାଇବ, କେମିତି ମୁକୁତା ଜାଲି ଦେଇ ନୂଆ ରାଜପୋଷାକ କରାଇବେ, କେମିତି ଆଡ଼୍‌ଡ଼ାରେ ରାଜପାହୁଲ ପକାଇବେ; ରାଜଥାଟ୍‌ ବଜାୟ ରଖିବେ, ଭାବୁଥାନ୍ତି-। ହେଲେ ପାତ୍ରମନ୍ତ୍ରୀମାନେ ଅପହୃତ ରାଜାଙ୍କ ବଦଳରେ କୋଉ ସାଆନ୍ତପୁଅକୁ ସିଂହାସନରେ ବସାଇବା କଥା ଭାବୁ ନ ଥାନ୍ତି ।

 

ରାଣୀଙ୍କ ଉପରେ ସନ୍ଦେହ, ତାଙ୍କ ଅଜଣାରେ ରାଜାଙ୍କ ବଗିଚାରେ କିଏ ପଶିପାରେ ? ଖୋଦ୍‌ ରାଜାଙ୍କୁ ହରଣଚାଳ୍‌ କରିନେବାର ସାହସ କାହାର ହୋଇପାରେ ? ଏମିତି କାର୍ଯ୍ୟ କରିପାରେ ପାଲହଡ଼ା, ତା ସାଙ୍ଗେ ତାଳମୂଳର ଯୁଦ୍ଧ ହୋଇଥିଲା, କରିପାରେ ଝକସ୍‌ଗଡ଼, ତା ସାଙ୍ଗେ ତାଳମୂଳର ଅପଡ଼ ହୋଇଚି, ଦଇବେ ତାର ରଜା ପାଟମହାଦେଈଙ୍କ ମାମୁଁ ।

 

ପାଟଯୋଷୀ ଦିନେ ଘୋଡ଼ାରେ ଚଢ଼ି ଚାଲିଗଲେ ଲହଡ଼ା, ତା’ପରେ ସୁକିନ୍ଦା, ବଳରାମପୁର, ଅନୁଗୁଳ; କୋଉଠି କିଛି ଟେର୍‌ ପାଇଲେ ନାଇଁ, ଶେଷକୁ ଗଲେ ଝକସ୍‌ଗଡ଼ । ଚାରିଆଡ଼ ବୁଲି ବୁଲି ନିରାଶ ହୋଇ ପୋଖରୀକୂଳ ଶିବମନ୍ଦିରରେ ବସିଛନ୍ତି, ସଞ୍ଜ ହୋଇ ହୋଇନାହିଁ । କେତେ ଜଣ ସ୍ତ୍ରୀଲୋକଙ୍କ କଥାବାର୍ତ୍ତା ଶୁଣିଲେ—

 

ଏଇବାଟେ ପରା ଗଲେ ଲୋ ।

 

କିଏ ବା ? କାହା କଥା କହୁଚୁ ?

 

ଆଲୋ ମୁଲକଯାକ ଚହଳ ପଡ଼ିଚି, ତୁ କାଇଁକି ଅଜଣା ଚାଉଳର ଭାତ ଖାଇଚୁ ବା ?

 

ମୋ କଥା ମତେ ବଳେଇଚି ଲୋ ଅପା, ଏତିକି ସରି ହେଲିଣି, ଆଉ କାହା ଲାଗି ମୋ ମୁଣ୍ଡ ବଥେଇବ କାଇଁକି ?

 

ତୋ ମୁଣ୍ଡ ବଥେଇଲେ କେତେ ନ ବଥେଇଲେ କେତେ, କାହାର କ’ଣ ଅଛି କିଲୋ ? କିଛି କୋଉଠି ଘଟିଗଲେ କୋଉ ମଣିଷ କାନ ପାତେନାଇଁ ବା ? କ’ଣ କାଠ ନା ପଥର ?

 

ହଉ, ହଉ ମୋର ଏବେ କାଇଲି ହେଲା, କଥାଟା କ’ଣ କହ ବା ?

 

ହବ ଛେନାଗୁଡ଼, ଅଗ ତ ଭାଙ୍ଗିଦେଲ, କାହା ମନ ଆଉ କହିବାକୁ ଡଙ୍କେଇବ ?

 

‘କାଇଲି ପରା ମାନିଲି, ଆଉ କ’ଣ ? ଗୋଡ଼ତଳେ ପଡ଼ିବି ?’

 

‘ନାଇଁ, ନାଇଁ ଶୁଣ୍‌—ତାଳମୂଳ ରଜାପିଲାକୁ ପରା ଆମ ରଜା ଚୋରେଇ ଆଣିଚନ୍ତି ଲୋ.... !’

 

‘ଚୁପ୍‌ ଚୁପ୍‌, ରଜା କ’ଣ ଚୋରୀ କରନ୍ତି ? ଆମ ରାଜାଙ୍କର ତ ତହୁଁ ବଳି ତହୁଁ ବଳି ପିଲା–ରଜା ଦାମୁଡ଼ି ଆଉ କଅଁଳା ବାଛୁରୀ ପରି ଡିଆଁ ମାରୁଛନ୍ତି ! ସେ କାହିଁକି ପରପିଲା ଚୋରୀକରିବେ ବା ? ତୁଚ୍ଛା ମିଛ, ହେ ମହାପୁରୁ, ଏମିତି ଡାହା ମିଛ କହୁଚି, ତା ପାଟିରେ ପୋକ ପଡ଼ୁ ।’

 

‘ତତେ ଅଡ଼ୁଆ ଲାଗୁଚି ଯଦି ନ ଶୁଣ୍‌, ମୋ ପାଟିରେ କାଇଁକି ପୋକ ପଡ଼ିବ କିଲୋ ?

 

କିଲୋ, ଏ ସଂସାରରେ ଚୋରୀକରେ କିଏ ? ଯାହାଙ୍କର ବହୁତ ଅଛି ।

 

ବଡ଼ବଡ଼ିଆ ଚୋରୀକରନ୍ତି, ଭଣ୍ଡାରୀ ମୁଣ୍ଡରେ ଅଠା । ଚୋରୀ କରିବ, ଅଥଚ ଚୋର ବୋଲି କେହି କହିବେ ନାଇଁ; ଗରିବ ଲାଉ କି କଖାରୁଟାଏ ଚୋରୀକରେ, ସେ ଦାଗୀ ହୁଏ—ଏ ଦୁନିଆଁର ରୀତି ।’

 

‘ଆଲୋ ତୁ ତ କଣ ଭୁଆସୁଣୀଟାଏ, ତତେ ଏ ତିନିପୁର କଥା ଗୋଚର ହଉଚି କେମିତି-?’

 

‘ଇଏ ପରା ମତେ କହୁଥେଲେ ! କାନେ କାନେ କହିଛନ୍ତି—କଥାଟା ଯେମିତି ଫୁଟିଆରା ନହୁଏ । ସାତ ଥର କାନ ମୋଡ଼ି ହୋଇଥିଲି, କୋଉଠି ପାଟି ଫିଟାଇବିନାଇଁ ବୋଲି । ହେଲେ ଏ ନିଆଁଲଗା ପୋଡ଼ପୋଡ଼ା ମନରେ କ’ଣ କିଛି ରହୁଚି ?

 

ତତେ ସାତଥର କରି ମହାପୁରୁଙ୍କ ଦୋହି, ତୋ ଶାଶୂ ମୁଣ୍ଡଖା, ତୋ ଦିଅର ରାଣେ, ନାଇଁ ନାଇଁ ତୋ ବଡ଼ପୁଅରାଣେ, କୋଉଠି କହିବୁନାଇଁ ।’

 

‘ଦେ ଉଠ୍‌ବା, ଭାରି କଥାଟାଏ କହିଲା । ମୋର ତ ଏକୋଇର ବାଳା ବିଶିକେଶନ, ତା ରାଣେ କାଇଁକି ପକାଉଚୁ କିଲୋ !

 

ହେଇ କାନିରେ ସାତଗଣ୍ଠି ପଡ଼ିଲା, ଦେଖ୍‌, ଏ କଥା କୋଉଠି କହିବିନାଇଁ ।’

 

‘ଆମ ଗଡ଼ରଜା କେମିତି ରଜା ଜାଣିଚୁ ତ, ଦିହରୁ ମାଉଁସ ଛେଲି କୁତୁକୁତା କରି କୁକୁରଙ୍କ ଆଗରେ ପକାଇଦେବେ । ତୋ ମୁଣ୍ଡ ଗଡ଼ିବ, ତା ସାଙ୍ଗେ ମୋ ମୁଣ୍ଡ ବି ।’

 

ପାଟଯୋଷୀ ଏ କଥା ଶୁଣିବାମାତ୍ରେ ସଞ୍ଜ ଅନ୍ଧାରରେ ତୋଟାବାଟେ କୁଆଡ଼େ ଖସିଗଲେ, ମନରେ ଭାବନା—ସାଆନ୍ତମାନେ ରଜାଙ୍କ ଘରଢ଼ିଙ୍କି, ଏବେ କିମ୍ଭୀର ପାଲଟିଛନ୍ତି । ସେମାନଙ୍କ ଭିତରୁ ଜଣେ ରଜା ହେଲେ ରାଜବାଟିରେ ରାଜନୀତିରେ ଅକ୍ତିୟାର ରହିବ, ଅଧିକ ବୃତ୍ତି, ଜାଗିର ମିଳିବ ।

 

କେତେକ ନିଜକୁ ରଜାଙ୍କର ଅତି ପାଖ ବୋଲି ମନେ କରୁଛନ୍ତି । ଅନ୍ତର ପୁଅ ନିଜ ପୁଅ ତ ଏକା; ରଜାଙ୍କ ରକତ ଦିହିଙ୍କ ଦିହରେ ବୋହୁଚି, ପୋଷାପୁଅଟିଏ ଆଣି ଗାଦିରେ ବସାଇଲେ ହୁଅନ୍ତା; ହେଲେ କଥା ଅଛି—

 

ପୋଷାପୁଅ, ଗୁଞ୍ଜା ରୁଅ

ଡାକିଲାବେଳେ ନ କରନ୍ତି ଉଅ ।

 

ନିଜ ସ୍ୱାର୍ଥସାଧନ କରିଚାଲିବେ, ପ୍ରଜାଙ୍କ ମୁହଁକୁ ଚାହିଁବେ ନାଇଁ ।

 

ରାଣୀ ରହସ୍ୟମଞ୍ଜରୀ ଖରାତରା ଦେଖିନାହାନ୍ତି । ଏ ରାଜ୍ୟର ବଣବୁଦା, ପାହାଡ଼ ଚିହ୍ନିନାହାନ୍ତି; ଶତ୍ରୁଙ୍କର ଗୋଟାଏ ଧଡ଼ସରେ ସେ ଯାଇ ଅନ୍ତଃପୁରର କୋଉ କଣରେ ପଶିବେ, ସେତେବେଳେ ପିଠିରେ ପଡ଼ିବ କିଏ ? ସପକ୍ଷରେ ଥିଲେ ସାଆନ୍ତେ ପଡ଼ନ୍ତେ; ସେମିତି ସୈନ୍ୟବଳ ଥିଲେ ନିଆଁକୁ ଡିଅଁନ୍ତେ । ଏବେ ତ ୟା ମୁହଁ ୟାଡ଼େ, ତା ମୁହଁ ସିଆଡ଼େ ।

 

ଦଳେ ସାଆନ୍ତଙ୍କ ପଟେ, ତଳେ ରାଣୀଙ୍କ ପଟେ; ରାଜା ତ ଗଲେ; ସେ ଯେମିତି ଗଲେ, ମଲେ ବୋଲି ପ୍ରଜାଏ ଧରିନେଇଛନ୍ତି; ସେ ଯଦି ଫେରି ପୁଣି ଗାଦିରେ ବସନ୍ତି, ତେବେ ଉଷୁନା ଧାନ ଗଜା ହେଲା ବୋଲି ବୁଝିବାକୁ ହବ, ଯେ ନାହିଁ, ତା ପକ୍ଷରେ କେହି ନାହିଁ; ରାଜଗୁରୁ ତ ସୁବିଧାବାଦୀ; ଯୁଆଡ଼୍‌ ବର୍ଷା, ସିଆଡ଼କୁ ଛତା ଦେଖାନ୍ତି । କର୍ମଚାରୀମାନେ କ’ଣ ରାଜ୍ୟର ହାନିଲାଭ ବୁଝୁଛନ୍ତି ? ପାଉଣାତକ ପାଇଲେ କଥା ଶେଷ । ଏବେ ଏକା ବାଘ ଗଡ଼ନାୟକ ସକାଶେ ରାଜ୍ୟ ଚଳୁଛି । ରାଜାଙ୍କର ଖୁବ୍‌ ବିଶ୍ୱସ୍ତ ସେ । ପାଟଯୋଷୀ ତାଙ୍କୁ ମୂଳ କରି ଧରିଥାନ୍ତି । ଏକା ତାଙ୍କ ସଙ୍ଗେ ରାତିଅଧରେ ମନ୍ତ୍ରଣା ଚାଲେ ।

 

ବାଘକୁ ରଜାଙ୍କ ହାଲ୍‌ସବୁ କହି ପାଟଯୋଷୀ ରାତିଅଧରେ ଘୋଡ଼ା ଝପଟେଇ କଟକ ବାହାରିଗଲେ । ସେତେବେଳେ ଓଡ଼ିଶାରେ ମରହଟ୍ଟା ରାଜୁତି, ଗାଦିରେ ରାଜାରାମ୍‌; ଗଡ଼ଜାତ ରାଜାମାନେ ତାଙ୍କ ପେସ୍‌କିସ୍‌ ଦେଉଥାନ୍ତି ।

 

ଚେମଣା ରାଜାରାମ୍‌ଙ୍କ ସେନାପତି । ଝକସ୍‌ଗଡ଼ ଆକ୍ରମଣ କରି ସେ ଥରେ ପରାଭବ ପାଇଥିଲେ, ମନରେ ପ୍ରତିହିଂସା ସାଧିବାର ଲିପ୍‌ସା, ସୈନ୍ୟ ସଜାଇ ଏକ ସୁଯୋଗକୁ ସେ ଚାହିଁବସିଥିଲେ । ପାଟଯୋଷୀ ଜଣାଇଲେ—ଝକସ୍‌ର ବୀର ରାଜା ସେ ପାରିରେ, ନୂଆ ରଜା ମଦ ଖାଇ ଚୁର୍‌ । ଧନ ଅକୁଳାଣ ହେଲେ କାଣୀ ବିଲେଇ କୁଜ୍ଜି ଅସରପା ଉପରେ ଝାମ୍ପ ଦେଲା ପରି ସେ ପ୍ରଜାଙ୍କ ଉପରକୁ କୁଦିପଡ଼ନ୍ତି, ଧନଦଉଲତ ବୋହିଆଣନ୍ତି ।

 

ଅତି ଦୁର୍ବଳ ରଜା, ସୈନ୍ୟ କିଏ କୁଆଡ଼େ ଛିନ୍‌ଛତର ହୋଇ ରହିଛନ୍ତି, ରଜା ନାହିରେ ତେଲ ପକାଇ ବସିଛନ୍ତି ।

 

ତଥାପି ବାଘର ଫାଗକୁ ଡର, ଥରେ ଚେଙ୍ଖେ ପାଇଛନ୍ତି, ପ୍ରସ୍ତୁତ ହେବାକୁ କେତେ ବର୍ଷ ଲାଗିଗଲା । ପାଟଯୋଷୀ ସେନାପତି ଚେମେଣାଙ୍କୁ ବାଟ କଢ଼ାଇନେଲେ । ସୂର୍ଯ୍ୟ ଉଠ୍‌ ନ ଉଠୁ ଝକସ୍‌ ରାଜଧାନୀରେ ମରହଟ୍ଟା ସୈନ୍ୟଙ୍କ ଘୋଡ଼ା ଝପଟ ଶୁଣାଗଲା । ଲୋକଙ୍କୁ ଛାନିଆଁ କରିବା ଲାଗି କେତୁଟା ତୋପ ଦାଗିଦିଆଗଲା । ଯେ ଯୁଆଡ଼େ ଛିନ୍‌ଛତର ହୋଇପାରେ ବଣରେ ଲୁଚିଲେ-। ଝକସ୍‌ର ରାଜାଙ୍କୁ ବାରବାଟି ଦୁର୍ଗରେ ବନ୍ଦୀକରି ରଖାଗଲା । ତାଳମୂଳର ରାଜା ସୁରେନ୍ଦ୍ର ମୁକ୍ତ ହେଲେ ।

 

ଏ ଶୁଭସମ୍ବାଦ ଗୋପନୀୟ ଭାବରେ ବାଘଙ୍କ ନିକଟକୁ ପଠାଇ ଦିଆଗଲା । ବାଘ କିଛି ସୈନ୍ୟ ପ୍ରସ୍ତୁତ କରି ରଖିଲେ । ସୁରେନ୍ଦ୍ର ତାଳମୂଳରେ ପହଞ୍ଚିବାମାତ୍ରେ ସେମାନେ ତାଙ୍କୁ ପାଛୋଟି ଘେନିଗଲେ ଓ ରାଜବାଟିକୁ ଘେରାଉ କଲେ, ରାଣୀ ରହସ୍ୟମଞ୍ଜରୀ ପଳାଇବାକୁ ବାଟ ନ ପାଇ ନଜରବନ୍ଦୀ ଭାବେ ରହିଲେ ।

 

ରାଜା ଫେରିଆସିବା ସମ୍ବାଦ ବିଜୁଳି ପରି ସାରା ରାଜ୍ୟରେ ଖେଳିଗଲା, ହଜାର ହଜାର ପ୍ରଜା ରାଜଧାନୀକି ମାଡ଼ିଆସିଲେ । ସାଆନ୍ତମାନଙ୍କ ଅକଲ ଗୁଡ଼ୁମ୍‌ । ପ୍ରଜାଙ୍କ ଆନନ୍ଦରେ ହିଲ୍ଲୋଳ ମଧ୍ୟରେ ପୁଣି ଥରେ ସୁରେନ୍ଦ୍ରଙ୍କ ଅଭିଷେକ ହେଲା ।

 

ରାଜା ସୁରେନ୍ଦ୍ର ମହାବୀରକେଶରୀ ଏବେ ସାବାଳକ, ବଳିଷ୍ଠ ଯୁବକ, ଆତ୍ମରକ୍ଷା କରିବାକୁ ସମ୍ପୂର୍ଣ୍ଣ ସମର୍ଥ । ପହିଲେ ତାଙ୍କର ଲାଲ୍‌ ଆଖି ପଡ଼ିଲା ସାଆନ୍ତମାନଙ୍କ ଉପରେ; ଯେତେ ଷଡ଼ଯନ୍ତ୍ର ତାର ମୂଳ ଏଇମାନଙ୍କ ଘରେ । ଏମାନେ ଭାଇ ବୋଲାନ୍ତି, କିନ୍ତୁ ପ୍ରକୃତରେ ଭଗାରି, ଗଛ ଉପରକୁ ଚଢ଼ାଇଦେଇ ମୂଳ କାଟନ୍ତି ।

 

ରଜାଙ୍କ ହରଣଚାଳ୍‌ ପରେ ୟାଙ୍କ ଭିତରୁ ଖୋଜି ଯାଇଥିଲା କିଏ ? କେହି ନାହିଁ । ଉଆସକୁ ଫେରିଆସିଲା ପରେ ପାଛୋଟିନେବାକୁ ଆସିଥିଲା କିଏ ? କେହି ନାହିଁ । ସବୁତକ ସୁବିଧା ମାରିନେଲାବେଳକୁ ଆଗ; ବିପଦରେ ଛାତି ପତାଇବାକୁ କେହି ନାହିଁ । ରଜା ଏକା, ଏକାନ୍ତ ଏକୁଟିଆ । ଏବେ କେତେ ପାଖକୁ ଆସି ଲୁଙ୍ଗୁପୁଙ୍ଗୁ ହେଉଛନ୍ତି, କେତେ ସଫେଇ ଦେଉଛନ୍ତି, ଭଲେଇ ହେଉଛନ୍ତି, ମୁରବିଗିରି ଦେଖେଇ ହଉଛନ୍ତି । ରଜାକୁ ହାତ କରିବାକୁ କେତେ ମତେ ଚେଷ୍ଟା ଚଳାଇଛନ୍ତି । ରଜା ଭାବିଲେ—

 

ଘଷର ଘଷର ପୁଣି ଘଷର

ଆଉରି ଘଷରେ ପାଣି

ତୁମେ ଯହିଁପାଇଁ ନସରପସର

ଆମେ ସେ କଥାଟି ଜାଣି ।

 

ଏ ଲୋକଙ୍କୁ ଦୟାମାୟା ନାଇଁ, କୌଣସି ପ୍ରଶ୍ରୟ ଦେବା ଭଲ ନୁହେଁ । ମୂଳରୁ ନିକାଶ କଲେ ଯାଇ ନିଜେ ନିରାପଦ ରହିପାରିବ । ନଇଲେ ମେଖ ସଜାଡ଼ିବେ, ବାଟରେ କଣ୍ଟା ପୋତିବେ-। ଘାଟି ଉଣ୍ଡି ବୁଲୁଥିବେ ।

 

ରଜା ପାଇକ ବରଗି ଫେରେଇ ଆଣିଲେ ସେଇମାନଙ୍କୁ, ଯେ ରାଜଠାଣିରେ ଫିରେଇ କାଟୁଥିଲେ, ଶ୍ରୀପେଞ୍ଚ ପିନ୍ଧିବେ ବୋଲି ମନେ ମନେ କଲି ହେଉଥିଲେ । ପଛଆଡ଼ୁ ହାତକଡ଼ି ପକାହେଲା; ସାଆନ୍ତଙ୍କ ଭିତରୁ ଷାଠିଏ ଜଣଙ୍କୁ ମେଣ୍ଢା ଅଡ଼େଇଲା ପରି ତଡ଼ିନିଆଗଲା ଶୁଳିଆପଦାକୁ । ମୁହଁ ମାଡ଼ି ଶୁଆଇଦେଇ ସମସ୍ତଙ୍କ ବେକ କାଟିଦିଆଗଲା ।

 

ସାଆନ୍ତସାଇ ପ୍ରାୟ ପୁରୁଷଶୂନ୍ୟ ହୋଇଗଲା; ଏକାବେଳକେ ଶାଶୂ ରାଣ୍ଡ, ବୋହୂ ରାଣ୍ଡ-। ଘରେ ଘରେ କେବଳ ରାଣ୍ଡ । ରାଣ୍ଡଙ୍କ କାନ୍ଦବୋବାଳିରେ ସାଆନ୍ତସାଇ ଉଛୁଳିଲା । କିଏ ତୂନୀ କରିବ ?

 

ଏ ବିକଳ କାନ୍ଦ ଶୁଣି ଯେ ସାଆନ୍ତଙ୍କ ପାଖକୁ ଯିବ, ସେ ରାଜାଙ୍କ କୋପଦୃଷ୍ଟିରେ ପଡ଼ିବ-। ତେଣୁ ଏ ରୋଦନ ଅରଣ୍ୟରୋଦନ ହୋଇଗଲା ।

 

ଦୋଷୀ ଅଦୋଷୀ ବାରୁଚି କିଏ ? କେତେ ଝିଅ ପୁଅ ଯେ ଅଥାତା ହେଲେ କଳନା କରୁଚି କିଏ ? ରଜାର ଖିଆଲ ବଳୀୟାର, ଉଠାଇଲେ ଆକାଶକୁ ଉଠାଏ, କଚାଡ଼ିଲେ ପାତାଳରେ କଚାଡ଼େ । ଉପରେ କେତେବେଳେ ଚଡ଼କ ପଡ଼ିବ କେହି କହି ନ ପାରେ; ରାଜାର କ୍ରୋଧକୁ ଦୈବୀ ବିପତ୍ତି ବୋଲି ଧରିନିଆଯାଏ ।

 

ସୁରେନ୍ଦ୍ର ଏଡ଼େ ଦୁର୍ଦ୍ଦାନ୍ତ, ପ୍ରତିହିଂସାପରାୟଣ ହୋଇଉଠିଲେ କାହିଁକି ? ପିଲାଦିନୁଁ ତାଙ୍କ ମନ ଭାଙ୍ଗି ଯାଇଥିଲା । ବାପ ମାଆ ଛାଡ଼ିଗଲେ; ସେପରି ସ୍ନେହ–ସୋହାଗ ଆଉ ଦେଇପାରିଲା କିଏ ?

 

ବିମାତାଙ୍କ ବିଷଦୃଷ୍ଟିରେ ପଡ଼ିଥିଲେ ସେ; ରହସ୍ୟମଞ୍ଜରୀ ରାନ୍ଧୁଣିଆକୁ ହାତ କରି ଆହାରରେ ବିଷ ଦେଇଥିଲେ; ମୁଣୋହିଁ ଆଗରୁ ଆହାରରୁ କିଛି ଫିଙ୍ଗିଦିଆଯାଏ । ଦିନେ ତାକୁ ଖାଇ କେତୋଟି କୁଆ ମରିଥିଲେ । ରଜାଙ୍କ ପହୁଡ଼ଘରେ ଗୋଟାଏ ଗୋଖୁରସାପ ଛାଡ଼ିଦିଆହୋଇଥିଲା । ଦୈବୀ କୃପାରୁ ରଜା ରକ୍ଷାପାଇଥିଲେ; ହେଲେ ତାଙ୍କ ମନବଳ ତିକ୍ତ ହୋଇଯାଇଥିଲା । ରହସ୍ୟମଞ୍ଜରୀଙ୍କ ଉପରେ ସେ ପ୍ରତିଶୋଧ ନେଇପାରିଥାନ୍ତେ; ରାମାୟଣର କୈକେୟୀଙ୍କ କଥା ମନେ ପଡ଼ିଲା । ସାପକୁ ପେଡ଼ିରେ ରଖିଲା ପରି ସେ ତାଙ୍କୁ ବନ୍ଦିନୀ କରି ରଖିଲେ, ସଦା ସତର୍କ ରହିଲେ ।

 

ଝକସ୍‌ଗଡ଼ରେ ଦୀର୍ଘକାଳ ବନ୍ଦୀ ହୋଇ ରହିବାଫଳରେ ତାଙ୍କ ମନ ବିଷେଇଯାଇଥିଲା; ଜୀବନ ମାତ୍ର ବଞ୍ଚେଇବା ଲାଗି ମୋଟାସୋଟା ଯାହି ମୁଠେ ଖାଇବାକୁ ଦିଆହେଉଥିଲା, ପିନ୍ଧିବାକୁ ମୋଟା ବାଉରିବୁଣା ଖଦି, ଶୋଇବାଲାଗି କାଠଖଟରେ ଜୁଣ ମସିଣାଟିଏ; ନଜରବନ୍ଦୀ ସେ, କଡ଼ା ପହରା ମଧ୍ୟରେ ରହିଥିଲେ, ପାଟି ଫିଟାଇବାକୁ ଜୁ ନ ଥିଲା । ପେଡ଼ିଭିତରେ ଦରମଲା ସାପ ପରି ମୋଡ଼ିମାଡ଼ି ହୋଇ ପଡ଼ିରହିଥିଲେ ସେ ।

 

କ୍ରୋଧର ନିଆଁ ଦହକୁ ଥିଲା, ସେଥିରେ ପଡ଼ି ପୋଡ଼ିହୋଇ ମଲେ ପହିଲେ ସାଆନ୍ତମାନେ, ପରେ ଆଉ କେତେ କିଏ ।

 

ପାଟଯୋଷୀ ରଜାଙ୍କର ଯୋଉ ଉପକାର କରିଥିଲେ, ତାକୁ ଟଙ୍କାରେ ଶୁଝିହୁଏ ନାହିଁ । ସେ ଉଚ୍ଚ ଆସନ, ପଦବୀ ବା ଅର୍ଥ ଚାହୁଁ ନ ଥିଲେ । ଶାକାନ୍ନ ଆହାର ତୃଣଶଯ୍ୟା, ଠାକୁରପୂଜା ଓ ପରୋପକାର ମଧ୍ୟରେ ସେ ଅତ୍ୟନ୍ତ ସୁଖୀ ଥିଲେ; ତାଙ୍କ ଦେହରୁ ଯେଉଁ ତେଜ ବାହାରୁଥିଲା, ଯୋଗଶକ୍ତିରେ ସେ ତାହା ଅର୍ଜନ କରିଥିଲେ । ସେ ତାଳମୂଳର ସର୍ବସମ୍ମାନିତ ବ୍ୟକ୍ତି ଥିଲେ ।

 

ପାଟମୁଦି ଆଉ ଚନ୍ଦନଟୀକ୍‌କା ପରେ ରାଜା ସୁରେନ୍ଦ୍ରବାଙ୍କୀର ଜେମାମଣି ଲାବଣ୍ୟମଞ୍ଜରୀଙ୍କୁ ବିଭା ହୋଇଥିଲେ । ଦୁଇଶହ ଖଣ୍ଡ ଶଗଡ଼ରେ ବାଙ୍କୀରୁ ତାଳମୂଳ ଯଉତୁକ ବୁହାହୋଇ ଆସିଥିଲା । କୋଶେ ବାଟଯାଏ ଭାରୁଆ ଲମ୍ବିଥିଲେ—ଖଜାମିଠେଇ, ମନୋହର, ଚୁଡ଼ାପୁଆ, ଛାଚିଖଇ ଆଉ କେତେ କ’ଣ ଭାର ।

 

ଲାବଣ୍ୟମଞ୍ଜରୀ ଲାବଣ୍ୟମୟୀ, କିନ୍ତୁ ତାଙ୍କର ସବୁ ଲାବଣ୍ୟକୁ ଘୋଡ଼ାଇ ପକାଇଥିଲା ହୀରା, ମୁକ୍ତା, ପଦ୍ମରାଗ, ନୀଳକାନ୍ତ, ପ୍ରବାଳ ଆଦି ପଞ୍ଚରତ୍ନ, ବାହୁଟିସାର, ଅତୁଲ, ମରକତଚୁଡ଼ି, ମାଣିକର ମଥାମଣି, କିଆପତ୍ରୀ, ମୋତିଜାଲ, ଝିଲିମିଲିକା ଚନ୍ଦ୍ରଝୁମ୍ପୀ, ବେଣ୍ଟଲା, ବନ୍ଦିଆ, ମଲ୍ଲିକଢ଼ି, ନାକର ନାକଚଣା, ସୁନାର ଗୁଣା, ମୁକ୍ତାର ନୋଥ, ଯୋଡ଼ିମାଳ ଆଦି ଅଳଙ୍କାର; ହଳଦିଆ ଗୋରା ଗଣ୍ଡଦେଶରେ ମକରୀଚିତ୍ର, କସ୍ତୁରୀର ଗୋଟିଏ ବିନ୍ଦୁ ଚିବୁକରେ, ଆଖିରେ କଜ୍ଜଳ ଲାଞ୍ଜି, ଲଲାଟରେ ସିନ୍ଦୂରବିନ୍ଦୁ ।

 

ହୀରା, ପାନ୍ନା, ପଦ୍ମରାଗ, ପୋଖରାଜ, ମୁକ୍ତା ଆଉ ମଣିମାଣିକ୍ୟର ଝଲମଲ ମଧ୍ୟରେ ଜଳୁଥିଲା ତାଙ୍କର ଦୁଇଟି ଆଖି, ଐଶ୍ୱର୍ଯ୍ୟ ଆଉ ଆଭିଜାତ୍ୟରେ ଭରା; ଓଡ଼ିଆ କାରିଗରୀର ନମୁନା ସ୍ୱରୂପ ଥିଲା ବାଉଁଶ ନଳୀରେ ରଖା ତାଙ୍କର ପିନ୍ଧା ସୂକ୍ଷ୍ମ ନୀଳ ଶାଢ଼ୀଟି । ପାନଖିଆ ଓଠରୁ ତାଙ୍କର ଝରୁଥିଲା ଭଞ୍ଜକବିତା । ଯୋଡ଼ିଯମକ, ମାଳ ଯମକ, ସର୍ବଯମକ ଆଉ ବିଭିନ୍ନ ବନ୍ଧ କବିତା ଉଦ୍ୟାନ ଭ୍ରମଣକାଳରେ ସେ ଶୁଣାଉଥିଲେ ସଖୀମାନଙ୍କୁ ।

 

ଯୌତୁକ ମଧ୍ୟରେ ରଜାଙ୍କ ଆଖିଦୃଶିଆ ହୋଇଥିଲା ହାତୀଦାନ୍ତ, ଚନ୍ଦନକାଠ ଆଉ ମୋତିରତ୍ନର ପଲଙ୍କଟି, ମହଣେ ଓଜନର ସୁନା ଶିଳ ଆଉ ଶିଳୁପୁଆଟି ।

 

ରାଣୀ ଆଣିଥିଲେ ସଙ୍ଗରେ ସତେଇଶଟି ଦାସୀ—ମେନକା, ମାଳିନୀ, ପ୍ରମଦା, ମଦମତ୍ତା, ଚଞ୍ଚଳା, ଚିତ୍ରୋତ୍ପଳା, ମନ୍ଦାକିନୀ, ବଳାଙ୍ଗୀ, ଚିତ୍ରଲେଖା, ସୁବର୍ଣ୍ଣରେଖା, କୁସୁମଲତା, କାବେରୀ, ଚଳାଚଳରେ ସାହାଯ୍ୟ କରିବା ଲାଗି । ସମବୟସୀ, ସୁନ୍ଦରୀ—ଚିତାଲେଖା, ଝୋଟିଦିଆ, ଛବିଅଙ୍କା, କବିତାଲେଖା, ସଙ୍ଗୀତବୋଲା ଓ ଚତୁର ବକ୍ରୋକ୍ତିରେ ଜଣେ ଜଣକୁ ବଳିଥିଲେ । କିନ୍ତୁ ଶେଷକୁ ସେମାନେ ହେଲେ ଗୋଡ଼କୁ ଶିକୁଳି, ଗଳାକୁ ଫାଶି ।

 

ରାଜାଙ୍କର ଚାରି ରାଣୀ, ଦାସୀଙ୍କ ସଂଖ୍ୟା ଶତାଧିକ । ଏତେ ଦାସୀଙ୍କ ଲାଗି ଉଆସରେ କିଛି କାମ ନଥିଲା; ଏ ରାଣୀଙ୍କ ଦାସୀ ସଙ୍ଗେ ସେ ରାଣୀଙ୍କ ଦାସୀର ଝଗଡ଼ା ଲାଗି ଯାଉଥିଲା । ଜଣକର ଫୁଟାଣି, ଫୁଲାପଣ ଆଉ ଜଣେ ହୁଏତ ସହିପାରୁ ନଥିଲା । ଜଣେ ଛଟା ମେଲିଲେ ଆଉ ଜଣେ ଉତ୍ତର ଦେଇ ନପାରି ରାମ୍ପୁଡ଼ିକାମୁଡ଼ି ହଉଥିଲା । ଏମିତି ଟିକି ଟିକି କଥାରୁ ଅନ୍ତଃପୁରର ଯାବତୀୟ କଳି । ଚୌଦିଗ କୋଳାହଳମୟ ହୋଇଉଠୁଥିଲା । କେହି ଶାନ୍ତିଶୃଙ୍ଖଳା ରକ୍ଷାକରି ପାରୁ ନଥିଲେ । ନପୁଂସକ ଜଗୁଆଳୀ ଜଣକ ବୁଢ଼ା, ତାଙ୍କୁ ଅଜା ଅଜା......କହି ଥଟ୍ଟା କରୁଥିଲେ ଦାସୀମାନେ ବିଶେଷତଃ ମଦନିକା, ମଦାଳସା । ମୋହମୁଲାଜାରେ ଏ ଯୁବତୀ ନାତୁଣୀମାନଙ୍କ ମୁହଁ ଭାଙ୍ଗି ପାରୁ ନ ଥିଲା କଞ୍ଚୁକୀ । ଏତେ ନାଗୁଣୀଙ୍କୁ କି ପଦ୍ମତୋଳାରେ ମୁଗ୍‌ଧ କରି ରଖିପାରିବ ସେ ?

 

ମଦନିକା ଗହଳମାଳରେ କେତେବେଳେ ପଦାକୁ ଖସିଯାଏ, ବାହାରେ ତାର କିଏ ଜଣେ ପ୍ରେମିକ ଥିଲା, ଅନ୍ୟ ଦାସୀମାନେ ତା ଭାଗ୍ୟକୁ ହିଂସା କରନ୍ତି, ଖୋଳିତାଡ଼ି କେତେ କଥା ପଚାରନ୍ତି । ମଦନିକା ନୀରବ ରହେ; ଦାସୀମାନେ ଅଜବ କଳ୍ପନାରେ ମସ୍‌ଗୁଲ୍‌ ହୁଅନ୍ତି ।

 

ଏତେଗୁଡ଼ିଏ କୁମାରୀ, ଏମାନଙ୍କୁ ବିଭାଦେବା ଚିନ୍ତା କେହି କରେନାଇଁ, ମନର କାମନାକୁ ଚାପିଚୁପି ଏମାନେ ଚଳିବେ, ମୁଠିଏ ଆହାର, ଖଣ୍ଡିଏ ବସ୍ତ୍ର, କିଛି ପ୍ରସାଧନ—ଏତିକିରେ ଉଆସ ସୀମା ଭିତରେ ଚଳାଚଳ ହେବେ, ରାଣୀମାନଙ୍କ ସେବା କରିବେ, କିଏ ମୁଣ୍ଡ କୁଣ୍ଡାଇଦେବ, କିଏ ଫୁଲମାଳା ଗୁନ୍ଥିଦେବ, ଚନ୍ଦନ ଘୋରିଦେବ, ତୈଳ ମର୍ଦ୍ଦନ କରିଦେବ, ମାଜଣା କି ମୁଣୋହିଁ ଯୋଗାଡ଼ କରିବ । କାମ ନିଅଣ୍ଟ, କଳିତକରାଳ ଲାଗି ବହୁତ ବେଳ ମିଳେ । ଖୋଦ୍‌ ରାଣୀ ଏସବୁ ମୀମାଂସ କରନ୍ତି ।

 

କେତେବେଳେ ରାଜଦୃଷ୍ଟି ପଡ଼ିଗଲେ ଭାଗ୍ୟ ବଦଳିଯାଏ, ଦି ସାରି ପିଲା ଜନମ ହୁଅନ୍ତି, ଦଳେ ରାଣୀଙ୍କ ଆଡ଼, ଦଳେ ଦାସୀଙ୍କ ଆଡ଼ୁ, ଯାହା ଉପରେ କୃପାଆଖି ନ ପଡ଼େ, ସେ ଭାଗ୍ୟକୁ ନିନ୍ଦି ଲାଗିଥାଏ । ମଦକିନା ସେ ଦିଗରୁ ଭାଗ୍ୟହୀନା, ଲିପ୍‌ସା ସମ୍ଭାଳି ନପାରି ସେ ଜଣେ ଯୁବକର ପ୍ରେମରେ ବା ପାଲରେ ପଡ଼ିଗଲା, କଥାଟା ଫୁଟିଆରା ହଉ ହଉ ଯାଇ ରାଜାଙ୍କ କାନରେ ବାଜିଲା କିମ୍ବା ରଜା ଧମକ ଦେଇ ସବୁ କଥା ଜଣେ ଦାସୀଠାରୁ ଆଦାୟ କରିନେଲେ, ଅନ୍ତଃପୁରର ଶାସନ ଦାୟିତ୍ୱ ତ ତାଙ୍କର, କଡ଼ା ଦୃଷ୍ଟି ନ ରଖିଲେ ସବୁ ଖିନିଖରାପ ହେଇଯିବ ।

 

ରଜାଙ୍କ କ୍ରୋଧର ଅସଲ କାରଣ ହେଲା ଏଇ—ଅନ୍ତଃପୁରର ମର୍ଯ୍ୟାଦା ଉପରେ ଆଞ୍ଚ୍‌ ଆସିବା ଯାହା, ନାଗସାପର ଲାଙ୍ଗୁଡ଼ରେ ହାତ ବାଜିଯିବା ସେଇଆ । କେତେକଙ୍କୁ ଛାଡ଼ିଦେଲେ ରଜା ବିଚାରନ୍ତି, ଅନ୍ତଃପୁରିକା ମାତ୍ରେ ତାଙ୍କର ସ୍ତ୍ରୀ । ଏ ଗୋଟିଏ ଗାଈଗୋଠ, ଏଇ ଗୋଠର ସେ ଏକମାତ୍ର ବୃଷଭ । ଏଇ ଶୃଙ୍ଖଳାରୁ ଦାସୀଟିଏ ମୁକୁଳିଗଲା ମାନେ ଘୋର ଅନଧିକାର ଚର୍ଚ୍ଚା ହେଲା-

 

ଆଜି ଗୋଟିଏ ଗଲା, କାଲି ଆଉ ଗୋଟିଏ ଯିବ, ଉଦାଖିଆ ଗୋରୁ କିଆବାଡ଼ ଡେଇଁ ଫସଲଖେତରେ ପଶିଲା ପରି ଏମିତି ଯାଉଥିବେ । ଆଉ ଗୋଠଆଳମାନେ ତାଙ୍କୁ ଉସ୍କଉଥିବେ, ରଜା ସାକ୍ଷୀଗୋପାଳ ପରି ବସି ଏ ନାଟ ଦେଖୁଥିବେ । ହଁ ନାଟ ନୁହେ ତ କଣ, ବାଘ ଘରେ ମିରିଗର ନାଟ ଏ ।

 

ଦାସୀଙ୍କ ସଙ୍ଗେ ରଜା ମାତିବାର ବିକଟ ଦୃଶ୍ୟ ରାଣୀ ଦେଖନ୍ତି, କିଛି ନ ଦେଖିଲା ପରି ହୋଇ ରହନ୍ତି ।

 

ସ୍ତ୍ରୀତ୍ୱ ପ୍ରତି ଚରମ ଅପମାନ, ହେଲେ ପ୍ରତିକାର ନାସ୍ତି । ଗୋଟାଏ ଆଳରେ ସବୁ ଉଡ଼ିଯାଏ, କଣ ନା ପୁରୁଷପୁଅ ଭ୍ରମର ଜାତି, ଏ ଫୁଲରୁ ସେ ଫୁଲରେ ବସେ । ଫୁଲ ମାରା ହୋଇଯାଏ ନାଇଁ, ଭ୍ରମର ଚରିତ୍ରବାନ୍‌ ହୋଇ ରହେ ।

 

ରଜାଘରେ ଏକଥା ପୂରାପୂରି ସତ୍ୟ । ରଜାଙ୍କ ଚରିତ୍ରହାନି ହୋଇଗଲା, କାହା ଜିଭରେ ହାଡ଼ ଅଛି, କହିବ ?

 

ରାଜ ଅନ୍ତଃପୁରେ ମାନଭଞ୍ଜନ ଚଳେନାଇଁ । ରାଣୀ ମାନ କଲେ ରାଣୀ ହଂସପୁରକୁ ରଜାଙ୍କ ଆସିବା ବନ୍ଦ ହୋଇଯାଏ । ମାନଭଞ୍ଜନ କରିବାର ଧୈର୍ଯ୍ୟ ରଜାଙ୍କର ନାଇଁ । ମାନ କରିବା ଅର୍ଥ ନିଜ ଜିଭ ନିଜ ହାତରେ କାଟିବା, ଆପଣା ସେରକ ହାନି କରିବା । ରଜାଙ୍କୁ ହାତରେ ନ ରଖିପାରିଲେ ରାଣୀଙ୍କର ହାରକ ହେଲା, ଧରାଯାଏ । ଅନ୍ୟ ରାଣୀ ଆଉ ଦାସୀଙ୍କ ଆଖିରେ ମାନିନୀ ଛୋଟ ହୋଇଯାନ୍ତି । ତେଣୁ ରଜାଙ୍କ ନିକୃଷ୍ଟ ଆଚରଣ ସବୁ ଦିନର ଏକ ଚିହ୍ନା ଦୃଶ୍ୟ । ଆଖି, କାନ ବୁଜି ରହିବା ରାଣୀଙ୍କ ପକ୍ଷେ ମଙ୍ଗଳକାରକ ।

 

ଉଆସର ଅଳ୍ପ ଦୂରରେ ଭଙ୍ଗା ଦେଉଳଟିଏ, ପଛରେ ତାର ବୁଦିବୁଦିକିଆ ବଣ । ମାଛି ଅନ୍ଧାର ହେଲେ ନୂପୁର କାଢ଼ି ଥୋଇଦିଏ, କଳା ଖଦି ଖଣ୍ଡିଏ ପିନ୍ଧି ମଦନିକା ଅଭିସାରରେ ବାହାରି ପଡ଼େ ।

 

ଚୋରା ପ୍ରୀତି; ଏଥିରେ ଭୟ ବେଶୀ, ବୋଧେ ସେଇ ଭୟ ଲାଗି ଏ ଏତେ ମଧୁର । ହେଲେ ଆଜିର ଭୟ ସୀମା ଅତିକ୍ରମ କରିଛି । ଧରା ପଡ଼ିଯାଇଛି ମଦନିକା । ମନ ତରଙ୍ଗ ତରଙ୍ଗ । ଶଙ୍କା—କି ଦଶା ଘଟିବ !

 

ଏତିକିବେଳେ ଶଶଧର ଗଛ ତଳକୁ ଓହ୍ଲାଇ ଆସିଲା ।

 

‘ମଦ, ଆଜି ଏତେ ଡେରି କାହିଁକି ?’

 

‘କଥା ସରିଯାଇଛି । ପ୍ରେମ କଲେ ତ ଅପବାଦ । ସବୁ ଅପବାଦ ମୁଁ ମୁଣ୍ଡ ପାତି ସହି ଯାଉଥିଲି । ଭୟ ଆଉ ଅପବାଦ ଲାଗି ତ ଚୋରା ପ୍ରୀତି ସ୍ୱାଦୁ ଲାଗେ ।’

‘କିନ୍ତୁ ଏ ବିପଦର ଥଳକୂଳ ପାଉନାଇଁ; ରାଜା ଯାହା ଉପରେ ରାଗନ୍ତି, ତାର କ’ଣ ଗତିଗୋତର ରହେ ?’

‘କାଲି ପଳାଇବା ?’

‘ଆଜି ରାତି ପାହୁ ଆଗେ ।’

ସତକୁ ସତ ରାତି ପାହିଲା ନାଇଁ । ଉଆସରେ ପହଞ୍ଚିଛି କି ନାଇଁ, ସାମ୍ନାରେ ହାଜର ହେବା ଲାଗି ରଜାଙ୍କ ହୁକୁମ୍‌ ଆସିଗଲା । ଛାତି ଦାଉଁ ଦାଉଁ ପଡ଼ୁଥାଏ, ଗୋଡ଼କୁ ଗୋଡ଼ ଛନ୍ଦି ହୋଇଯାଉଥାଏ, ପଛରୁ କିଏ ଠେଲିଲା ପରି ମଦନିକା ଆସି ଛାମୁଁରେ ହାଜର ହେଲା ।

ରଜାଙ୍କ ଲାଲ୍‌ ଆଖି ଆଉ ବାଘ ନିଶକୁ ଚାହିଁଦେଲା ମାତ୍ରେ ସତେ କି ମଦକିନା ଦିହରୁ ଜୀବ ଛାଡ଼ିଗଲା, ପାଟି ଅଠା ଅଠା ହୋଇଗଲା ।

ଛାତିରେ ଛୁରୀ ମାରିଲା ପରି ରଜାଙ୍କ କଥା । ସ୍ତ୍ରୀ ବୋଲି ଟିକିଏ ହେଲେ ଉପ୍ରୋଧ ନ ରଖି ସେ ପଚାରିଲେ—ତୋ ନାଆଁରେ ଏ କଣ ଶୁଣାଯାଉଚି ମଦନିକା ?

‘ସହି ନ ପାରି ମୋ ନାଆଁରେ ଲଗେଇଲୁଟେଇ କହୁଛନ୍ତି ଛାମୁଁ । ସବୁ ଡାହା ମିଛ ।’

‘ଆଉ ତ କାହା ନାଆଁରେ କହୁ ନାହାନ୍ତି, ତୋ ନାଆଁରେ କାହିଁକି ?’ ନିଆଁ ନ ଥାଇ କଣ ଧୂଆଁ ବାହାରେ ?’

Unknown

‘ମୋ ଭାଗ୍ୟର ଦୋଷ ।’

‘ନା କଲା କର୍ମର ଦୋଷ ? ଦୋଷ କରିଛ, ଦଣ୍ଡ ଭୋଗିବ, ଭାଗ୍ୟକୁ କାହିଁକି ଟାଣୁଚ ?’

‘ଆରେ ସେ ଲୋକଟା କିଏ ?’

ମଦନିକା ନୀରବ, ଜଣେ ଚର ସାମ୍ନାକୁ ଆସି କହିଲା—ଶଶଧର !

‘ଆରେ ସେ ଶଶାଟାର ଏଡ଼େ ସାହସ ? ସିଂହ ମୁଛରେ ହାତ ମାରୁଛି ! ଯାଅ, ତା ମୁଣ୍ଡଟା କାଟି ଆଣି ମୋତେ ଦେଖାଅ ।’

ଏଇ ସମୟରେ ବାଙ୍କିଆଣୀ ମଣିମା ରାଜାଙ୍କ ସାମ୍ନାରେ ଛିଡ଼ାହୋଇ କହିଲେ—ଏଟା ଅପବାଦ.....

‘ମିଛ ?’

‘ସ୍ତ୍ରୀ ଆଉ ଅପବାଦ ଏକା ସଙ୍ଗେ ଚାଲନ୍ତି । ସତୀ ସୀତାଙ୍କ ନାଆଁରେ କହିବାକୁ ତ ଫେର୍‌ ଖଳଙ୍କ ଜିଭ ଲେଉଟେ ।’

‘ତୁମେ ମଦନିକା ଲାଗି ଆପ୍‌ତଲା ଖାଉଚ କାଇଁକି ? ଓକିଲାତୀ କରିବାକୁ ବା ସାକ୍ଷୀ ହବାକୁ ତ ମୁଁ ଡାକିନାଇଁ । ଏଟା ଶାସନକାର୍ଯ୍ୟ; ସେଥିରେ ହସ୍ତକ୍ଷେପ କରୁଚ କାହିଁକି ? ଜାଣିଚ ତ ରାଗିଲେ ମୁଁ କାହାରି ନୁହେ । ଏଠୁ ଶୀଘ୍ର ଭା’ରି ଯାଅ ।’

ଲାବଣ୍ୟମଞ୍ଜରୀଙ୍କ ମୁହଁରୁ ଆଉ କଣ ବାହାରୁଥିଲା । ଅଟକି ଗଲା, ହୁଏତ ଲୁହ ହୋଇ ବୋହିଗଲା ।

 

ମଦନିକା ଅତିପ୍ରିୟ ଦେହଲଗା ଦାସୀଟିଏ ତାଙ୍କର । ତା ଉପରେ ରାଜରୋଷ ବାଙ୍କିଆଣୀ ମଣିବା ସହିପାରୁ ନଥିଲେ । ପାଟରାଣୀ ସେ, କେଜାଣି ରଜା ତାଙ୍କ କତା ଘେନା କରିବେ ।

 

ଘେନା ତ କଲେ ନାଇଁ, ଓଲଟି ଅପମାନ ଦେଲେ । ଶାସନରେ କଣ ରାଣୀଙ୍କର କିଛି ଭାଗ ନାଇଁ ? ତେବେ ରାଣୀ କିଏ ?

 

ଲାବଣ୍ୟମଞ୍ଜରୀ ଲାବଣ୍ୟମୟୀ, ବହୁ ଯାନିଯଉତୁକ ଆଣିଥିଲେ । ରଜା ତାଙ୍କୁ ବେଶୀ ଭଲପାନ୍ତି ବୋଲି ମନରେ ଗର୍ବ ଥିଲା । ସବୁ ଚୁର୍‌ମାର୍‌ ହୋଇଗଲା ।

 

ରାଣୀ ହେବା ତେବେ କେଉଁ ଭାଗ୍ୟରେ ଲେଖା ? ସାଧାରଣ ପ୍ରଜାର ସ୍ତ୍ରୀ ତ ନାନା ଅଭାବ ମଧ୍ୟରେ ବହୁ ସୁଖରେ କାଳ କଟାଏ ।

 

ବାହାରୁ ଦେଖିଲେ ବହୁତ ବଡ଼ ଦିଶେ—ଉଆସ, ଶାଢ଼ୀ, ଅଳଙ୍କାର, ଯାନବାହନ । କିନ୍ତୁ ଭିତରଟା ଫମ୍ପା । ରାଣୀଠାରୁ ଦୁଃଖିନୀ କିଏ ଅଛି ?

 

ରାଣୀ ଉଆସକୁ ଚାଲିଗଲା ପରେ ହୁକୁମ୍‌ ହେଲା—ମଦନିକାର ଗୋଟାଏ ସ୍ତନ କାଟିଦିଅ ।

 

‘ବେକଟା କାଟିଦିଅ’ ଆଦେଶ ମିଳିଥିଲେ ମଦନିକା ଏତେ ଭୟ କରି ନଥାନ୍ତା । ଏମିତି ତ କେତେ ହାଣିକାଟି କୁକୁରଙ୍କ ଆଗେ ଫିଙ୍ଗି ଦିଆହୁଏ । ରାଜରୋଷ ତ ଚରମ ଘଟଣା, ସେଠି ଗଡ଼ଜାତ ରାଜ୍ୟର ସବୁ ନାଟକର ଯବନିକା ପଡ଼େ, ଆଲୁଅ ଲିଭେ ।

 

ଏକସ୍ତନୀ ମଦନିକା ଲୁହ ଆଉ ଲହୁରେ ଭାସୁଥିଲା । ନାରୀତ୍ୱ ପ୍ରତି ଚରମ ଅପମାନ । କୁଆଡ଼େ ଯିବ, କୋଉଠୁ କିପରି ମୁହଁ ଦେଖିାଇବ ? କାହାର କୃପାର ପାତ୍ର ହେବ ? ନିର୍ଲଜ୍ଜ ଜୀବନ ଘେନି ଏମିତି ବଞ୍ଚି ରହିବା ଅପେକ୍ଷା ଜୀବନ ହାରିନେବା ଭଲ ।

 

ଏ ଭୟଙ୍କର ଘଟଣା ପରେ ମଦନିକା ଯୋଉ ରୋଗଶଯ୍ୟାରେ ଶୋଇଲା, ଆଉ ଉଠିଲା ନାହିଁ; ରୋଗ, ଦୁଶ୍ଚିନ୍ତା, କ୍ଷୁଧା କୋଉଦିନ ତାର ନିଃଶ୍ୱାସ ଉଡ଼ାଇନେଲା ।

 

।। ଚାରି ।।

 

ରାଣୀ ହେଲେବି ଜଣେ ପ୍ରଜା; ଦୋଷ କଲେ ପ୍ରଜା ଯେପରି ରାଣୀ ସେହିପରି ଦଣ୍ଡ ପାଇବା ଉଚିତ । ଘର ଆଉ ବାହାର ଭିତରେ ଯେ ବାଛବିଚାର କରେ, ସେ ପକ୍ଷପାତୀ, ରାଜପଦକୁ ଅଯୋଗ୍ୟ ।

 

ଅପରାଧୀ ଯେପରି, ତାକୁ ଯେ ଘଣ୍ଟ ଘୋଡ଼ାଇ ରଖେ, ସେ ସେହିପରି ଦଣ୍ଡ ପାଇବା କଥା ।

 

ଅନ୍ତଃପୁରରେ ପତି, ସିଂହାସନରେ ରାଜା ବା ଶାସକ । ଲାବଣ୍ୟମଞ୍ଜରୀ, ଏତିକି ତାରତମ୍ୟ ବୁଝିପାରିଲ ନାଇଁ ? ହଉ, ନ ବୁଝିଲ ତ ନାଇଁ, ଏବେ ଫଳ ଭୋଗ । ଘର ନିଆଁ ବୋଲି ତ ମୁଁ ଅଣ୍ଟିରେ ପୂରାଇ ରଖି ନ ପାରେ ।

 

ଲାବଣ୍ୟମଞ୍ଜରୀ ଅନ୍ତଃପୁରରେ କାନ୍ଦୁଥିଲେ, ଆଉ ଭାବୁଥିଲେ—ନିଜ ଲୋକ ଲାଗି ପଦେ କହିବା କଣ ପାପ ? ଏ ସଂସାରରେ ଏ କଥା କିଏ କରେନାହିଁ ?

 

ନିଜ ପକ୍ଷ ଲୋକ ମାଡ଼ ଖାଉଥିବ, ଜଳ ଜଳ ଚାହିଁଥିବ, ଏ କୋଉ ଧର୍ମ ? ବିପଦରୁ ରକ୍ଷା କରିବା କ’ଣ ପାପ ?

 

ମୁଁ କଣ କରିବି ? ଛାତି ବିଦାରି ହୋଇଗଲା ପରି ଲାଗୁଚି । କି ଅପମାନ !

 

କାହିଁକି ମଦନିକା ପାଇଁ କହିବାକୁ ଗଲି ? ମୋ କୁହାବୋଲାରେ ଶାସ୍ତି କମିଲା ନା ବଢ଼ିଲା ? ନ କହି କେମିତି ରହି ପାରିଥାନ୍ତି ?

 

ଯୌବନର ସୁନାର କଳସଟି, ପ୍ରେମର ଅମୃତ କଳସୀଟି, ମାତୃ ସୌଭାଗ୍ୟର ସ୍ନେହର ଝରଣାଟି ! ଆହା, କଣ କଲେ !

 

ପ୍ରାଣର ମଦନିକା ମୋର, ସୁଖରେ ଦୁଃଖରେ କିଏ ଆଉ ମୋର ଏତେ ଆପଣାର ହୋଇ ପାରିବ ?

 

ଝଡ଼ ପରେ ମହାଘୂର୍ଣ୍ଣି ପରି ଏଇ ସମୟରେ ପହଞ୍ଚିଲା ମହାରାଜାଙ୍କ ଆଦେଶ—ଅନ୍ତଃପୁରରୁ ବାହାରିଯାଅ ।

 

ଲାବଣ୍ୟମଞ୍ଜରୀଙ୍କ ଲୁହଭରା ଆଖିରେ ହଠାତ୍‌ ଦିଟା ଆଙ୍ଗୁଠି ଗେଞ୍ଜି ହେଇଗଲା ପରି ଲାଗିଲା, ଝରିଗଲା ଲୁହ ନା ଲହୁ ?

 

ମନର କୋହ କାହା ଆଗରେ ପ୍ରକାଶ କରିବେ ? ଯେହେଲେ କହିବ—ରାଣୀ ସେମିତି କିଛି ପାପ କରିଥିବେ ନା ! ରଜା କ’ଣ ବାଇଆ ହୋଇଛନ୍ତି ?

 

ବଡ଼ଦେଉଳରୁ ରାଗରେ ତମ୍‌ ତମ୍‌ ହୋଇ ମହାଲକ୍ଷ୍ମୀ ବାହାରିଗଲା ପରି ତିଳେହେଲେ ପଛକୁ ନ ଚାହିଁ ଲାବଣ୍ୟମଞ୍ଜରୀ ବାହାରିଗଲେ, ପଛରେ ପହ୍ଲେଦାସୀ, ସମସ୍ତଙ୍କ ଆଖିରେ ନୀରବ ଅଶ୍ରୁଜଳ । କେହି କିଛି ଭରସି କହିପାରୁ ନ ଥାନ୍ତି, ରଜାଙ୍କର ନିଷ୍ଠୁର କାର୍ଯ୍ୟକୁ ମନେ ମନେ ଘୋର ନିନ୍ଦା କରୁଥାନ୍ତି ।

 

ଏତିକିବେଳେ ତିନିଜଣ ନିଆଁଗିଳା, ମୁହଁକୁହା ବ୍ରାହ୍ମଣ ଆସି ପହଞ୍ଚିଲେ; ବ୍ରହ୍ମହତ୍ୟା ଦୋଷ ଭୟରେ ରଜା ମାରିବେ ନାଇଁ, ଏଇ ଭରସାରେ ପ୍ରଜାମାନେ ପଠାଇଛନ୍ତି, ସେମାନଙ୍କର ମଧ୍ୟ ଜୀବନକୁ ଭୟ ନାଇଁ, ମାଇପଙ୍କୁ ରାଣ୍ଡ କରି ଆସିଛନ୍ତି ।

 

ଦୁଆରୀ ସମ୍ବାଦ ଦେବାମାତ୍ରେ ରଜା ଡକାଇଲେ, ନମସ୍କାର କରିବା ପରେ ରଜା ପଚାରିଲେ—ମିଶ୍ର ଆପଣେ, କୁଆଡ଼େ ଆସିବା ହେଲେ ? କିଛି ହେଲେ ଅବତରଣିକା ନକରି ମିଶ୍ରେ କହିଲେ—ଛାମୁଁ ମଦନିକାର ସ୍ତନ କାଟିଦେଲେ !

 

‘ଅପରାଧୀକି ଶାସ୍ତିଦେବା ରଜାଙ୍କର କାର୍ଯ୍ୟ ।’

 

‘ଜାଣେ, ଜଣେ ଅବଳା, ଶୁଣୁଚି ଦିହର ସବୁ ରକ୍ତ ବୋହି ଗଲାଣି, ଧକଉଚି, ଏଇନେ ମରିବ କି କଣ !’

 

‘ମରୁ, ରଜା ଏମିତି କେତେ ମାରନ୍ତି, କେତେ ବା ତାରନ୍ତି । ତୁମ ମୁଣ୍ଡ କାଇଁକି ବଥଉଚି-?’

 

‘ଅବଳା ଅବଧ୍ୟା, ଛାମୁଁ, ପରୋଷରେ ମଦନିକାକୁ ହତ୍ୟା କଲେ !’

 

‘କଲି ତ କଲି, ଭଅଲ କଲି, ରାଜାଙ୍କ ରାୟ ଉପରେ ଟିପ୍‌ପଣୀ ଦେବାକୁ ତୁମେ କିଏ ? ଜାଣ ତ ୟାର ଫଳ ?’

 

‘ବାଇନନା ?’

 

‘ଛାମୁଁ ?’

 

‘ଆମ୍ବ ଛାମୁଁ କୁଆଡ଼େ ପାପ କଲେ ?’

 

ଜିଭ କାମୁଡ଼ିପକାଇ ବାଇନନା କହିଲେ—ଛାମୁଁଙ୍କର ସବୁ କାର୍ଯ୍ୟ ଧର୍ମକାର୍ଯ୍ୟ, ରଜା କୌଣସି ପାପ କରନ୍ତି ନାଇଁ ।

 

କାଳକେତୁ, ୟା କପାଳରେ ତାତିଲା ଲୁହାରେ ଲେଖିଦିଅ—ନିମକ୍‍ହାରାମ୍‍ ।

 

‘କିଓ, ତ୍ରିପାଠୀ, କୁଆଡ଼େ ?’

 

‘ଛାମୁଁଙ୍କ ଦର୍ଶନ ଲାଗି ।’

 

‘କିଛି ମାଗୁଣି ଅଛି ?’

 

‘ନାଇଁ ଦଇନି ।’

 

‘କ’ଣ ?’

 

‘ଛାମୁଁ ରାଜ୍ୟର ପାଟରାଣୀଙ୍କି ଚୋରଚଣ୍ଡାଳ ପରି ତଡ଼ିଦେଲେ ?

 

‘ଦେଲି ତ ଦେଲି; ରଜାଘର କଥାରେ ମୁଣ୍ଡ ପୂରଉଚ କାଇଁକି ? ଭଲ ହବନାଇଁ, ଆଗରୁ କହିଦେଲି, ସାବଧାନ ।’

 

‘ରାଜ୍ୟର ଭଲ ଚାହେଁ, ମୋର ଭଲମନ୍ଦ ଯାହାହଉପଛକେ; ରାଣୀ ରାଜ୍ୟର ଅଧେ, ତାଙ୍କ ପ୍ରତି ଅପମାନ, ଏ ରାଜ୍ୟର ମାତୃଜାତି ପ୍ରତି ଅପମାନ, ପ୍ରଜାଙ୍କୁ ଅପମାନ । ପ୍ରଜାମାନେ ମୋତେ ପଠାଇଛନ୍ତି ।’

 

ତ୍ରିପାଠିଏ, ଛୋଟ ମୁହଁରେ ବହୁତ ବଡ଼ ବଡ଼ କଥା କହୁଚ, ବୁଝି ଖବରଦାର !’

 

‘ବାଇନନା, କହିବଟି ଆମ୍ଭ ଛାମୁଁ କି ଦୋଷ କଲେ ?’

 

‘ଧର୍ମବତାର, ଛାମୁଁଙ୍କ କାର୍ଯ୍ୟ ଧର୍ମକାର୍ଯ୍ୟ, ରାଜା କୌଣସି ପାପ କରନ୍ତି ନାହିଁ ।’

 

କାଳକେତୁ, ୟା କପାଳରେ ତାତିଲା ଲୁହାରେ ଲେଖିଦିଅ—ନିମକ୍‌ହାରାମ୍‌ ।

 

କିଓ ମହାପାତ୍ରେ, କୁଆଡ଼େ ?

 

‘ବାଙ୍କୀରଜାଙ୍କ ସୁକୁମାରୀ, ଗେଲବସରୀ ଜେମାମଣି, ତାଳମୂଳର ପାଟରାଣୀ, ସେ ଏମିତି କି ପାପ କଲେ ଯେ ତାଙ୍କୁ ଛାମୁଁ ଗୋଟାଏ ଗାତ ଭିତରକୁ ପେଲିଦେଲେ !’

 

‘ଦେଖ ମହାପାତ୍ରେ, ତୁମ କଥାର ଜବାବ ଦେବାକୁ ମୁଁ ବାଧ୍ୟ ନୁହେଁ, ଆସିଛ ଯେବେ, ବାଇନନାଙ୍କ ବିଚାର ଶୁଣିଯାଅ ।’

 

‘ବାଇନନା, ଆମ୍ଭ ଛାମୁଁ କି ପାପ କରିଛନ୍ତି ?’

 

‘ରାମଚନ୍ଦ୍ର ଯେମିତି ଅଯୋଧ୍ୟାର ମଙ୍ଗଳ ଲାଗି’ ସୀତାଙ୍କୁ ତଡ଼ିଥିଲେ, ଛାମୁଁ ସେମିତି ଧର୍ମପତ୍ନୀଙ୍କୁ ତଡ଼ି ଧର୍ମକାର୍ଯ୍ୟ କରିଛନ୍ତି; ରାଜା କୌଣସି ପାପ କରନ୍ତି ନାହିଁ ।’

 

କାଳକେତୁ, ତାତିଲା ଲୁହାରେ ୟା କପାଳରେ ଲେଖିଦିଅ—ନିମକ୍‌ହାରାମ୍‌ ।

 

ରାଜଧାନୀର କିଛି ଦୂରରେ ଗୋଟାଏ ପାହାଡ଼ କରରେ କେତୁଟା ତୋପ ଦାଗିଦିଆଗଲା ତଳମୁହାଁ; ଫଳରେ ଗୋଟାଏ ଲମ୍ବା ଚଉଡ଼ା ଓ ଗହିଡ଼ା ଗାତ ଖୋଳିହୋଇଗଲା । ରାଣୀଙ୍କୁ ତାରି ଭିତରକୁ ଠେଲିଦିଆଗଲା, ତାଙ୍କ ସଙ୍ଗେ ସଙ୍ଗେ କେତୁଟା ବିଶ୍ୱସ୍ତା ଦାସୀଙ୍କୁ ବି ।

 

ଲାବଣ୍ୟମଞ୍ଜରୀଙ୍କୁ ଦାସୀମାନେ ବୁଝାଇଲେ— ବାପଘରକୁ ଚାଲିଯାଅ, ଘଇତାମାଇପଙ୍କ କଳିରେ ସ୍ତ୍ରୀଲୋକ ଏମିତି ରୁଷିଯାନ୍ତି । ବାପଭାଇ ମୂଲିଆ ହେଇଥିଲେ ବି ମାନ୍‌ ସାରନ୍ତିନାଇଁ, ମୂଲ ଲାଗି ଝିଅ ବା ଭଉଣୀଙ୍କି ପୋଷନ୍ତି । ମଣିମାଙ୍କ ବାପା ତ ରଜା । ତାହେଲେ ଆଉ ଭାବନା କ’ଣ ? ଲୋଡ଼ାପଡ଼ିଲେ ସାରାଜୀବନ ସେଇଠି ବିତାଇବେ, କେହି ପଦେ କହିବାକୁ ନାଇଁ ।

 

ମଣିମା କହିଲେ—କ୍ଷତ୍ରିୟ ଘର ଝିଅ ଶଶୁରଘରକୁ ଗଲେ ଆଉ ବାପଘରକୁ ଫେରେ କୋଉଠି ? ରାଜାଘରେ ତ ଏ ବିଧି ବେଶି କଡ଼ାକଡ଼ି । ପହିଲିପାଳି, ଦୁହାଁପାଳି, ବହୁତ କଣ୍ଟ ବା ବହୁତ ପାଳି ଏଠି ନାଇଁ, ବାପଘରକୁ ଫେରିବା ନିନ୍ଦାର କଥା ।

 

‘ପଥ ସୁମରି ପିତାଘର ଯିବ

ଆଉ ଅଯୋଧ୍ୟାକୁ ମନ ନ କରିବ ।’

 

ବାପଘରକୁ ଫେରିଲ ତ କଥା ସରିଗଲା, ଆଉ ସ୍ୱାମୀଘରକୁ ଫେରିବା କଥା ନାହିଁ, କୁଳକୁ ଲଜ୍ଜା ଏ । କାଳକାଳକୁ ଲୋକେ ଖୁଣ୍ଟା ଦେବେ; ମୋ’ରି ଦୋଷ ବାଛିବସିବେ । ମୁଁ ଏଇ ଖରାକାକରରେ ପଡ଼ି ମରିବି ପଛେ ବାଙ୍କୀ ଫେରିବିନାଇଁ, ରୁଙ୍କୁଣାରଥ ଅଣବାହୁଡ଼ା, ଏ କଥା ଜାଣିବ, କାନିରେ ଗଣ୍ଠିପକାଇ କହୁଚି ।

 

ଲାବଣ୍ୟମଞ୍ଜରୀଙ୍କ ଆଦେଶରେ ଦାସୀମାନେ କେତୋଟି ପତରକୁଡ଼ିଆ ତିଆରିକଲେ, ସତ କି ନୂଆ ପ୍ରମିଳାରାଜ୍ୟଟିଏ ଗଢ଼ା ହୋଇଗଲା !

 

ରାଜବାଟିରେ ରୁଦ୍ଧ, ବିଷାକ୍ତ ବାତାବରଣ । ଫୁସ୍‌ ଫୁସ୍‌ କଥା, ମନ୍ତ୍ରଣା କଳିକୋଳାହଳ ଏଠି କିଛି ନାହିଁ । ଦାସୀଙ୍କ ଆଲଟ, ହାତଚଲା ପଙ୍ଖା ହାଓ୍ୱା କ’ଣ ଭଲ ଲାଗେ ?

 

କି ଖୋଲା ଏ ଜାଗା, କେଡ଼େ ଭଲଲାଗୁଚି ଏ ହାଓ୍ୱା । ପ୍ରକୃତି କୋଳରେ ନିରୀହ ବାଳୁତ ଝିଅଟିଏ ପରି ବସିଚି, କେଡ଼େ ଶାନ୍ତି ଲାଗୁଚି ! ଘୋର ଦୁଃଖ ଭିତରେ ଏତେ ସୁଖ, ଲୁହ ଭିତରେ ଏତେ ରସ !

 

ଭାବିଥିଲି, ଏ ଗଛଗୁଡ଼ାକ ମୂକ, କିନ୍ତୁ ଅସଂଖ୍ୟ ପୁଷ୍ପ ମୁଖରେ କି ଅପୂର୍ବ କଥା କହିବା ଭଙ୍ଗୀ ! କ’ଣ ପଚାରିବେ, ପଚାରିବେ ହଉଚନ୍ତି, ପାଟି ଫିଟୁନାଇଁ ।

 

କେଡ଼େ ଜକଜକ ଏ ତାରା, କେତେପାଖରେ ଦିଶୁଛନ୍ତି ମ ! ସତେ ଯେମିତି ଗଛଉପରକୁ ଉଠିଗଲେ ତୋଳି ଆଣିହବ ! ଗଛଲତାର ଏ ମର୍ମର କେଡ଼େ ମିଠା, କି ଆନନ୍ଦରେ ପ୍ରାଣ ପୂରିଯାଉଚି ।

 

କେଡ଼େ ପଡ଼ୋଶୀ ସ୍ନେହଭାବ ଏ ପକ୍ଷୀମାନଙ୍କର ! ଟିକିଏ ହେଲେ ଡରୁନାହାନ୍ତି, କେତେ ପାଖକୁ ଲାଗି ଲାଗି ଆସୁଚନ୍ତି ! ମୋର ଧରିବା ମତଲବ୍‌ ନାଇ, ମୁହଁକୁ ଚାହିଁଦେଇ କେଡ଼େ ସହଜରେ ସେମାନେ ବୁଝିଯାଉଛନ୍ତି ! କେଡ଼େ ବୁଦ୍ଧିଆ ବୋଲି କହନ୍ତି, ମଣିଷ ଆଗେ ଜାଣିପାରିବ-!

 

ଟିକି ବାୟାଚଢ଼େଇଟି, କେଡ଼େ କାରିଗର ସେ, ଯୋଉ ବସା ଗଢ଼େ ଛୋଟିଆ ଥଣ୍ଟଟିରେ, ଟୋପାଟିଏ ହେଲେ ପାଣି ଗଳିବ ? ଛୋଟିଆ ଉଇଟି, ଯୋଉ ବହୁ ଶାଖାର ଦେଉଳ ଗଢ଼େ, ତା ଭିତରେ ଯୋଉ ଗଳି ଅର୍ଗଳି ତିଆରିକରେ, ଗୋଟିଏ ଅଂଶ ଭାଙ୍ଗିଗଲେ ଯୋଉ ଉତ୍ସାହରେ ଏକଜୁଟ୍‌ ହୋଇ ସେମାନେ ଲାଗିପଡ଼ନ୍ତି, ଦେଖି ମଣିଷ ଶିଖିବାର କଥା ।

 

ଏମିତି ସେଁ ସେଁ ହୋଇ କିଏ ବୋବଉଚି ? ମିଛକୁ କାଇଁକି ବୋବଉଚି ? ରାହା ଧରିଚି ଯେ ଧରିଚି, ତା ନିଃଶ୍ୱାସ ବନ୍ଦ ହୋଇ ଯାଉନାହିଁ ? ରାତିଯାକ କ’ଣ ଶୁଏନାଇଁ ? ରାତିର କଥା ସବୁ ଯେମିତି ଏକା ଗପୁଚି ସେ; କାହାକୁ କିଛି କହିବାକୁ ଦଉନାଇଁ, କେଡ଼େ ଟିକିଏ ପୋକ, ତାର ଦିମାକ୍‌ ଦେଖ ।

 

ଖୋଲାପବନ, ପକ୍ଷୀଗହଳ ଆଉ ବଣର ସରସର ମରମର ମଧ୍ୟରେ ତେରେଛା ଲାଲ୍‌ ସୂର୍ଯ୍ୟକିରଣ ଆସି ପଡ଼ିଲା, ଦୁଶ୍ଚିନ୍ତା ଭିତରେ ରାତିରେ ପେଟକୁ ତ ଦାନା ଯାଇ ନଥିଲା, ସେଥିରେ ବାଟଚଲା ବାଧା, ନିଦ କେତେବେଳେ ଆସି ଆଖି ସିଇଁଦେଲା; କେହି ଜାଣିପାରିଲେ ନାହିଁ ।

 

କୁମ୍ଭାଟୁଆକୁ କପୋତ, ବଣକୁଆକୁ କଜଳପାତୀ, କୁଣ୍ଡାଖାଇକି ଘୂଳାକିଳା ଆଉ ଶୁଆଇ ଦେଲେନାହିଁ । ଗୁଳି ପରି ଛୁଟିଥାନ୍ତି ଏଣେତେଣେ ପ୍ରଜାପତି; ଲାବଣ୍ୟମଞ୍ଜରୀଙ୍କ ନିଦ ଭାଜିଲା । ଯାହିତାହି ନୀତି ବଢ଼ାଇବାରେ ଦାସୀମାନେ ଆସି ସାହାଯ୍ୟ କଲେ ।

 

ଯଉତୁକ ସୁନାଶିଳରୁ ଖଣ୍ଡେ କା ବିକି ସଉଦା କିଣି ଆଣିବା ଲାଗି ରାଣୀ କେତେ ଜଣ ଦାସୀଙ୍କି ପଠାଇଲେ । ମୂଲ କରୁଚି କିଏ ? ଦୋକାନୀ ଯାହା ଦେଲା ଦେଲା । ଶାଗ ମାଛ ଦରରେ ସୁନାଶିଳରୁ ପ୍ରାୟ ଅଧାଅଧି ବିକ୍ରୀ ହୋଇଗଲା ।

 

ଏ ମଧ୍ୟରେ ରାଜ୍ୟରେ ଚହଳ ପଡ଼ିଗଲା—ରଜା ପାଟରାଣୀଙ୍କି ରାଣୀହଂସପୁରରୁ ତଡ଼ିଦେଇଛନ୍ତି । ରାଜା କାହାର ? ଆମର; ରାଣୀ କାହାର ? ଆମର; ରାଜା ନାରାୟଣ ହେଲେ ରାଣୀ ମହାଲକ୍ଷ୍ମୀ । କିଏ କାହାକୁ ଊଣା ?

 

ରାଣୀ ମେଲାରେ ପଡ଼ିଛନ୍ତି, ଆମେ ରହିବା ଘରେ ? ସେ ଓପାସେ ରହିଛନ୍ତି, ଆମ ପାଟିକି କେମିତି ଗୁଣ୍ଡା ଯାଉଚି ?

 

ବାପ ମାଆଙ୍କର ଯଦି କୋଉ କଥାରେ ଅପଡ଼ ହୋଇଗଲା, ସେ କଥା ବୁଝିବ କିଏ ? ଆମେ ତ ! ରଜା ଆଉ ରାଣୀଙ୍କି ବୁଝେଇବ କିଏ ? ଆମେ ତ; ତାଙ୍କ ବେଳକୁ ଆମେ, ଆମ ବେଳକୁ ସେ ରହିବେ, ବାପ ମାଆ ସେ, ଆପଦବିପଦରେ ଚାହିଁବା ପିଲାମାନଙ୍କର ଧର୍ମ ।

 

ଦେଖୁଦେଖୁ ରାଜ୍ୟର ଚାରିଆଡ଼ ସିଧା ବା ଛଞ୍ଚା ବୋହି ଆସିଲା । କନ୍ଧ, ସଉରାଙ୍କ ଭିତରୁ କିଏ କୋଳି, କିଏ ବା କେନ୍ଦୁ, ଆମ୍ବ, ପଣସ ବା ବହୁ ଆଣି ପହଞ୍ଚାଇ ଦେଲେ । ରାଣୀ ଆଖି ଛଳଛଳ କରି କହିଲେ—ତୁମମାନଙ୍କ ସ୍ନେହ ସବୁକାଳେ ମନେ ରହିବ ।

 

ଦେଖୁଦେଖୁ ପାହାଡ଼ ପ୍ରମାଣେ ଜିନିଷ ଆସି ଗଦା ହୋଇଗଲା, ରାଣୀ କହିଲେ—ଏତେ ଜିନିଷ ମୁଁ କଣ କରିବି ? ସମସ୍ତେ ରାନ୍ଧି ବାଢ଼ି ଖାଅ । ମୋରି କିଛି ଲୋଡ଼ା ନାହିଁ । ମୁଠାଏ ଖାଇ ବଞ୍ଚିବାକୁ ମୋ ଦିହରେ ଢେର୍‌ ଅଳଙ୍କାର ଅଛି ।

 

‘କଣ ? ରାଣୀମାଆ ଦିହର ଅଳଙ୍କାର ବିକି ଖାଇବେ ? ଆମେ ଏତେ ପୁଅ, ଝିଅ ଆଉ ଅଛୁ କାଇଁକି ?’

 

ଏତିକିବେଳେ ବାଙ୍କୀରୁ ରାଜଗୁରୁ ଆସି ପହଞ୍ଚିଗଲେ—ସଙ୍ଗରେ ବହୁତ ସରଞ୍ଜାମ—ଲାବଣ୍ୟମଞ୍ଜରୀ ଯଦି ବାଙ୍କୀ ନ ଯାନ୍ତି, ରଜା ଏଇଠି ଉଆସ ତୋଳାଇଦେବେ, ସବୁ ଖଞ୍ଜା କରିଦେବେ । ରାଣୀ ରାଜଗୁରୁଙ୍କୁ ପାଦତଳେ ପଡ଼ି କହିଲେ—ଯାହା ସରଞ୍ଜାମ ଆଣିଛ, ମୋର ବରଷେ ଚାଲିଯିବ । ବାପାଙ୍କୁ କହିବ, ଆଉ କିଛି ପଠାଇବେ ନାଇଁ, ମୋ ଭାଗ୍ୟଫଳ ମୁଁ ଭୋଗୁଚି, କିଛି ମନକଷ୍ଟ କରିବେ ନାଇଁ । ମାଆକୁ କହିବ; ମୁଁ ଏଠି ସୁଖରେ ଅଛି, ସେ ମିଛକୁ କାନ୍ଦୁଚି କାହିଁକି-? ଭାବୁଥିଲି—ଏଟା ନିର୍ଜନ ଜାଗା ବୋଲି, ଦେଖୁ ଦେଖୁ ଏଠି ବହୁତ ଜନଗହଳି ହୋଇଗଲାଣି-। ମୁଁ କାହାରି ସାହାଯ୍ୟ ଲୋଡ଼ି ନାଇଁ, ଏତେ ସାହାଯ୍ୟ ପହଞ୍ଚୁଚି ଯେ ସାଇତିବାକୁ ଏଠି ଜାଗା ନାଇଁ-। ମୋର କିଛି ଭୟ ନାଇଁ, ସ୍ୱୟଂ ଭଗବାନ୍‌ ହିଁ ମୋ ପଛେ ପଛେ ଅଛନ୍ତି ।

 

ରାଜା ଅନ୍ତଃପୁରରେ ପଶି ଦେଖିଲେ, ମାଛି ମରିଯାଇଛି, କାହାରି ମନରେ ସୁଖ ନାଇଁ । ହସକୌତୁକର ସତ୍ତା ନାହିଁ । ଘୋର ଶଙ୍କା । ପାଟରାଣୀ ଲାବଣ୍ୟମଞ୍ଜରୀ ଯିବା ସଙ୍ଗେ ସଙ୍ଗେ ଶ୍ରୀ ତୁଟି ଯାଇଛି ।

 

ପ୍ରଜାଙ୍କ ଧାଡ଼ି ଲାଗିଛି, ଯୋଉଠି ରାଣୀ, ସେଇ ଦିଗକୁ । କାହାକୁ କି ଶାସ୍ତି ଦେବେ ?

 

ମନ ବିକଳ ହୋଇ ଉଠିଲା—ଛି, କି କାମଟାଏ କଲି ମୁଁ ! ଯାହାଙ୍କୁ ଚନ୍ଦ୍ରସୂର୍ଯ୍ୟ ଦେଖୁ ନଥିଲେ, ଛଡ଼ା ଫୁଲଟାଏ ଲାଗିଲେ ଯାହାର ଶ୍ରୀପଦକୁ ବାଧୁଥିଲା, ତାକୁ ଟେକା ପଥର ବାଟରେ ଚଲାଇ ଚଲାଇ ନେଲି, ସତେ ଯେମିତି ମଣିଷମାରୁ, ଡାକୁ । ଶଶୁର ଆଉ ଶଳାମାନଙ୍କ କାନକୁ ଏକଥା ଯିବଣି, କଣ ଭାବୁଥିବେ ସେମାନେ !

 

ଏତିକିବେଳେ ପାଟଯୋଷୀ ଆସି ରାଜବାଟିରେ ପହଞ୍ଚିଲେ । ପାଟଯୋଷୀ ରାଜାଙ୍କୁ ଶତ୍ରୁ କବଳରୁ ଉଦ୍ଧାର କରିଛନ୍ତି, ପୁଣି ତାଳମୂଳର ସିଂହାସନରେ ବସାଇଛନ୍ତି । ଉପକାର ବଦଳରେ ଧନରତ୍ନ ବା ଜମିଦାରୀ, ଜାଗିରୀ କିଛି ଚାହିଁ ନାହାନ୍ତି, ଲୋଭ ତାଙ୍କୁ ଛୁଇଁ ନାହିଁ । ନିଜ ସାଧନା ଓ ସଦ୍‌ଗୁଣରେ ଦାରିଦ୍ର୍ୟ ମଧ୍ୟରେ ମହାନ୍‌ ହୋଇ ଉଠିଛନ୍ତି ସେ ।

 

କପାଳରେ ଚନ୍ଦନଟୋପା, କାନ୍ଧରେ ଚିକ୍‌ ଚିକ୍‌ ପଇତା; ମୁହଁରେ ତମ୍ବାଳିଆ ଦାଢ଼ି, ଆଖିରେ ଦିବ୍ୟ ଜ୍ୟୋତି, ପାଦରେ କଠଉ । ରାଜା ତାଙ୍କୁ ଦେଖିବାମାତ୍ରେ ସାଷ୍ଟାଙ୍ଗ ପ୍ରଣିପାତ କଲେ-। ବିଶ୍ୱସ୍ତ କର୍ମଚାରୀ ବାଘ ଗଡ଼ନାୟକ ରାଜାଙ୍କୁ ସେହିପରି ଯଥାମାନ୍ୟ ନମସ୍କାର କଲା-

 

ପାଟଯୋଷୀ କ୍ଷଣେ ନୀରବ ରହି ପାଟି ଫିଟାଇଲେ—ନ ଆସି ରହିପାରିଲିନି ବୋଲି ଆସିଲି, ତ୍ରିସନ୍ଧ୍ୟାରେ ରଜାଙ୍କ କଲ୍ୟାଣ କାମନା କରେ, ପ୍ରଜାଙ୍କର ବି—ସର୍ବରିଷ୍ଟ ଶାନ୍ତିର୍ଭବତୁ ।

 

କିନ୍ତୁ ଏ କଣ ହଉଚି—ସମସ୍ତ ରାଜ୍ୟ ଏବେ ବାଙ୍କିଆଣୀ ମଣିମାଙ୍କ ପଛରେ । କେତେବେଳେ ବିପ୍ଳବ ଘଟିଯିବ, କହି ନ ପାରେ, ବହୁ କଷ୍ଟରେ ଅର୍ଜିତ ଏ ରାଜ୍ୟ ନାରଖାର ହୋଇଯାଉ, ଚାହେଁ କିଏ ?

 

ଝକସ୍‌ ଖଣ୍ଡା ପଜଉଚି, ଲହଡ଼ା ଦାନ୍ତ ରଗଡ଼ୁଚି, ପ୍ରଜାଙ୍କ ଆଡ଼ୁ ଟିକିଏ ଇସାରା ପାଇଲେ ମାଡ଼ି ଆସିବେ ।

 

ବାଙ୍କିଆଣୀ ମଣିମାଙ୍କୁ ଯୋଉ ଦଣ୍ଡ ଦେଲେ ଏହା ଲାଉଚୋରୀକି ମୁଣ୍ଡକାଟ ଶାସ୍ତି ପରି ହେଲା; ବିଭା କାଳରେ ସ୍ତ୍ରୀର ଦଶ ଦୋଷ କ୍ଷମା କରିବେ ବୋଲି ବେଦୀ ଉପରେ ଅଗ୍ନି ସାକ୍ଷ୍ୟରେ ଯେଉଁ ସଂକଳ୍ପ କରିଥିଲେ, ତାହା ଭୁଲିଗଲେ କି ?

 

ରାଜଧର୍ମ ପ୍ରଜାଙ୍କ ଧର୍ମ, ରଜା ଯୋଉ ବାଟ ଦେଖାନ୍ତି, ପ୍ରଜା ସେଇ ବାଟରେ ଚାଲନ୍ତି । ରଜା ଏଇ ଯୋଉ ଦୃଷ୍ଟାନ୍ତ ଦେଖାଇଲେ, ତାକୁ ଅନୁସରଣ କଲେ କାହାରି ଘରେ ଆଉ ମାଇପେ ରହିବେ ନାଇଁ । ଟିକିଏ ଟିକିଏ ଦୋଷରେ ପ୍ରଜାମାନେ ମାଇପଙ୍କୁ ଘରୁ ତଡ଼ିଦେଇ ଗାତ ଖୋଳି ଜୀଅନ୍ତା ପୋତି ଦେବାର ବ୍ୟବସ୍ଥା କରିବେ । ଲୋକସମାଜ ନଷ୍ଟଭ୍ରଷ୍ଟ ହୋଇଯିବ ।

 

ଧନ ଆଉ କ୍ଷମତାରେ ବାଇ, ମଣିଷ ଅମଡ଼ା ମାଡ଼ି ଚାଲିଯାଏ, ବୁଝିପାରେନାହିଁ—ସେ କି ଅକର୍ମ କରୁଚି ! କେବେ ଭାବେନାଇଁ ତାର ଫଳାଫଳ କ’ଣ ?

 

ଛାମୁଁ ବାଙ୍କିଆଣୀ ମଣିମାଙ୍କୁ ତଡ଼ିଲେ, ସେ ଦୁଷ୍ଟା ବା ପତିତା ନୁହନ୍ତି, ତାଙ୍କ ଦୋଷ ମଧ୍ୟ ନଗଣ୍ୟ । ପରାଶର ସ୍ମୃତି କହେ—ଏଭଳି କର୍ମର ଫଳ ଭୟଙ୍କର—ଦଣ୍ଡଦାତା ସାତ ଜନ୍ମଯାଏ ଝିଅ ହୋଇ ଜନ୍ମ ହେଉଥାଏ, ବିଭାହେବା ପରେ ପରେ ସ୍ୱାମୀ ମରେ, ହାତର କାଚ ଛେଚା ହୁଏ । ସ୍ତ୍ରୀ ପକ୍ଷରେ ବୈଧବ୍ୟଦୁଃଖରୁ ବଳି ଦୁଃଖ ନାହିଁ ।

 

ପ୍ରଜାମାନେ କି ପାଞ୍ଚ ମନରେ ରଖି ଛାମୁଙ୍କ ପାଖକୁ ତିନି ଜଣ ବ୍ରାହ୍ମଣ ପଠାଇଥିଲେ ଛାମୁଁ ତାହା ସମଝିବାକୁ ଚେଷ୍ଟା କଲେ ନାହିଁ । ଏ ରାଜ୍ୟରେ କଣ ସାହସୀ କ୍ଷତ୍ରିୟ ବା ବୈଶ୍ୟ ନଥିଲେ ? ବ୍ରାହ୍ମଣ କାହିଁକି ପଠାଇଲେ ? ତର୍କତାର୍କରେ ଏସବୁ ବୁଝିବା କଥା; ତା ନହେଲେ ରାଜ୍ୟ ଚଳିବ କେମିତି ?

 

ପ୍ରଥମ କଥା, ପ୍ରଜାମାନେ ବୁଝିଥିଲେ—ବ୍ରାହ୍ମଣ ଅବଧ୍ୟ । ବ୍ରହ୍ମହତ୍ୟାର ପ୍ରାୟଶ୍ଚିତ୍ତ ଭୟଙ୍କର—ଜୋତା ମାଡ଼ିବେ ନାହିଁ କି ଛତା ଟାଣିବେ ନାହିଁ, ରାଜା ଖାଲି ପାଦରେ ଖରା ବର୍ଷାରେ ବୁଲି ବୁଲି ଚାରି ବର୍ଣ୍ଣଙ୍କଠାରୁ ଭିକ ମାଗିବେ, ଆଉ ସମସ୍ତଙ୍କ ଆଗେ ନିଜର ପାପ ପ୍ରକାଶ କରିବେ-

 

ଛାମୁଁ ବ୍ରହ୍ମହତ୍ୟା କରିନାହାନ୍ତି, ଛାମୁଁଙ୍କ ଆଜ୍ଞାରେ ବ୍ରାହ୍ମଣଙ୍କ କପାଳରେ ‘ନିମକ୍‌ ହାରାମ୍‌’ ଲେଖାଗଲାବେଳେ ରକ୍ତପାତ ହେଲା । ଏଥିଲାଗି କୃଜ୍ରବ୍ରତ ଅବଲମ୍ବନ କରିବାକୁ ହବ, ନ’ଦିନ ପର୍ଯ୍ୟନ୍ତ ଦୈନିକ ଏକ ମୁଷ୍ଟି ମାତ୍ର ଭୋଜନ, ତାପରେ ତିନିଦିନ ନିର୍ଜଳ ଉପବାସ ଶାସ୍ତ୍ରୀୟ ପ୍ରାୟଶ୍ଚିତ୍ତ ବ୍ୟବସ୍ଥା ଏ ।

 

ପ୍ରଜାମାନେ ଏ ଦୁଇ ଘଟଣା ପରେ ଅତି ଉତ୍ତ୍ୟକ୍ତ ଅବସ୍ଥାରେ ଅଛନ୍ତି । ନେଡ଼ି ଗୁଡ଼ କହୁଣୀକି ବୋହି ଗଲାଣି । କେତେବେଳେ ନିଆଁ ଜଳି ଉଠିବ, କିଏ କହିବ ? ସାରା ରାଜ୍ୟ ଏବେ ରାଣୀଙ୍କ ସପକ୍ଷରେ ।

 

ତଥାପି କହିବି, ଅବସ୍ଥା ଅଣାୟତ୍ତ ହୋଇନାହିଁ । ୟାକୁ ଏବେ ଆପଣା ବାଟରେ ଆଗେଇନେଇ ହବ ।

 

ବାଙ୍କିଆଣୀ ମଣିମାଙ୍କ କୋପ ଶାନ୍ତି କରି ଫେରାଇ ଅଣାହଉ । ଦେଖିବେ, ନିଆଁରେ ପାଣି ପଡ଼ିଲା ପରି ସବୁ ଥଣ୍ଡା ପଡ଼ିଯିବ ।

 

ପାଟଯୋଷୀଙ୍କ କୋଉ କଥା ତଳେ ପଡ଼େନାହିଁ, ପଡ଼ିଲା ନାହିଁ । ରଜା ବିଚାରିଲେ—ଏ ମୋର ପ୍ରକୃତ କଲ୍ୟାଣକାମୀ ଗୁରୁଜନ, ୟାଙ୍କ କାଳୋପଯୋଗ ଉପଦେଶ ନ ମାନିବା ଅର୍ଥ ବିପଦ ବରଣ କରିବା ।

 

ବାଘ କାଇଁକି ଆସିଚି ? ରାଜ୍ୟର ଅବସ୍ଥା ଅସମ୍ଭାଳ ବୋଲି ଜଣାଇବାକୁ ଆସିଛି, ଯଦିବା ସେ କଥା ପ୍ରକାଶ କରିନାହିଁ । ବୋଧହୁଏ, ଦୁହେଁ ବିଚରାବିଚରି ହୋଇ ଆସିଛନ୍ତି ।

 

ଭଲକଥା ନ ଶୁଣିଲେ ମନ୍ଦରେ ପଡ଼ିବାକୁ ହୁଏ । କାଳ ବିଳମ୍ବ ନ କରି ଅନ୍ୟ ତିନି ରାଣୀଙ୍କି ଘେନି ରାଜା ଥାଟ ପଟୁଆରରେ ବାଙ୍କିଆଣୀ ମଣିମାଙ୍କ ପାଖେ ପହଞ୍ଚିଲେ, ତିନି ରାଣୀ ରାଜାଙ୍କ ଅନୁତାପ କଥା ଲାବଣ୍ୟମଞ୍ଜରୀଙ୍କୁ ବୁଝାଇ ଦେଲେ ।

 

ନଅରକୁ ଫେରିଆସ ବୋଲି ତୁଣ୍ଡରେ ନ କହିଲେ ବି ରାଜାଙ୍କ ବିନୀତ ଭାବ ଦେଖି ରାଣୀଙ୍କ ମନ ତରଳି ଗଲା, ତାଙ୍କ କୋପ ଶାନ୍ତ ହୋଇଗଲା, ସେ ରାଜାଙ୍କୁ ମନେ ମନେ କ୍ଷମା ଦେଲେ—ଏଡ଼େ ବଡ଼ ଦର୍ପିଷ୍ଠ ରାଜା, ଯେ ନିଆଁ ହେଲେ ସାରା ରାଜ୍ୟରେ ଚିଆଁ ମାଡ଼ି ହୋଇଯାଏ, କଥା ଟିକିଏ ଏପଟ ସେପଟ ହେଲେ ଶିବଙ୍କ ପରି ତାଙ୍କ କପାଳର ବୀରଭଦ୍ର ବାହାରି ପଡ଼ନ୍ତି, ସେ ଯେତେବେଳେ ସବୁ କ୍ରୋଧ, ଅଭିମାନ ଭୁଲି ପାଦ ତଳକୁ ଅଇଲେଣି, ସେଇ କଣ ହେଲା ନାଇଁ ? ସୂତା ମାଜିଲେ ସରୁ, କଥା ମାଜିଲେ ଗରୁ, ଛିଣ୍ଡି ଆସୁଥିବା କଥାକୁ ଏବେ ମାନଅଭିମାନରେ ମୋଟ କରିବା ବୃଥା । ଲାବଣ୍ୟମଞ୍ଜରୀ ସଙ୍ଗିନୀ ସଉତୁଣୀମାନଙ୍କ ସହିତ ପାଲିଙ୍କି ଉପରେ ପାଟଛତା ଟାଣି ଉଆସକୁ ଲେଉଟି ଆସିଲେ । ସେତେବେଳେ ପାଟଯୋଷୀ ବା ଗଡ଼ନାୟକଙ୍କ କଥା କାହାରି ମନେ ପଡ଼ିଲା ନାହିଁ—

 

ତେଲୀ ତେଲ ହେଲେ ଏକା

ପଡ଼ିଆ ଖଣ୍ଡ ପଛକୁ ପକା ।

 

ଯେତିକି ବିପ୍ଳବ ଭୟ, ସେତିକି ଧର୍ମ ଭୟ, ଧର୍ମ ଭୟ ମାନେ ରାଜା କୁଳ ବୁଡ଼ିଯିବାର ଶଙ୍କା କରୁଥିଲେ; ଚାରି ରାଣୀ, ହେଲେ କାହାର ବକଟେ ପିଲା ନଥିଲା । ରାଜା ଭାବିତ ଥାନ୍ତି—ଅନ୍ତେ ଗାଦିରେ କିଏ ବସିବ ? ଅନ୍ତରପୁଅକୁ ଗାଦିରେ ବସାଇଲେ ଲୋକେ କଣ କହିବେ ! ତାଙ୍କୁ ରଜା ବୋଲି ନ ମାନିଲେ କଣ ହେବ ?

 

ଏମିତି ଦୁଃଖର ଭାବନା ଭିତରେ ପାଟଯୋଷୀଙ୍କ ପ୍ରସ୍ତାବରେ ଦୁର୍ଦ୍ଦାନ୍ତ ଖିଆଲୀ ରାଜା ସୁରେନ୍ଦ୍ର ସାଲିସ୍‌ ଲାଗି ରାଜି ହୋଇଗଲେ । ସାଲିସ୍‌ ପରେ ସେ ଜଟାଧାରୀ ସନ୍ନ୍ୟାସୀଙ୍କ ଶରଣ ନେଲେ, ସନ୍ନ୍ୟାସୀଙ୍କ ପରାମର୍ଶ—ଯାଜପୁର ବିରଜା ମନ୍ଦିରରେ ପୁତ୍ରେଷ୍ଟି ଯଜ୍ଞ କର ।

 

ରାଜା କାଷ୍ଠାନିଷ୍ଠାରେ ଯଜ୍ଞ କଲେ, ପୂର୍ଣ୍ଣାହୁତି ଆଗରୁ ଅଖିଆ ଅପିଆ ଦେବୀଙ୍କ ସମକ୍ଷରେ ଅଧ୍ୟା ପଡ଼ିଲେ, ଦେବୀଙ୍କ ମସ୍ତକରୁ ମନ୍ଦାର ଫୁଲ ଖସିବା କାର୍ଯ୍ୟସିଦ୍ଧିର ଲକ୍ଷଣ ।

 

ତାପରେ ରାଜା ତାଳମୂଳ ଫେରିଯାଇ ରାଣୀମାନଙ୍କୁ ଯଜ୍ଞଚରୁ ଓ ବିରଜାଙ୍କ ପାଦୁକା ଖାଇବାକୁ ଦେଲେ । ଏକାଦିକ୍ରମେ ଚାରି ରାଣୀଙ୍କର ମାସ ଗଡ଼ିଲା ।

 

କୂଳର ପୁଅଟିଏ ପାଇବାକୁ ଏତେ ଆଗ୍ରହ ଯେ ରଜା ନିଜେ ରାଣୀମାନଙ୍କ ସଧ ମେଣ୍ଟାଇବାକୁ ଚେଷ୍ଟା କଲେ । ଗରୁଗର ଅବସ୍ଥାରେ ଗରିବ ସ୍ତ୍ରୀଙ୍କ ସଧ ଆଉ ରାଣୀଙ୍କ ସଧ ମଧ୍ୟରେ ତାରତମ୍ୟ ଥିଲା । ସ୍ଥୂଳତଃ ଗରିବ ସ୍ତ୍ରୀର ସଧ ଭଲ ଖାଇବା, ଯଦି ବା କେହି କେହି ବେଳେ ବେଳେ କାନ୍ଥ ମାଟି ବା ଚୂଲୀ ପାଉଁଶ ଖାଇଯାନ୍ତି ।

 

ରାଣୀଙ୍କ ସଧ ଗରିବାନି ଖାଦ୍ୟ ଉପରେ—ପିତାଶାଗ, ମୁଳା କାଞ୍ଜି, ସଜପଖାଳ ଦହି, ମଦରଙ୍ଗାଶାଗ ରାଇତା, ବାଲିଛତୁ, ନଡ଼ିଆଫାମ୍ପି ପିଠା କିମ୍ବା ଲିମ୍ବପତ୍ର ଛୁଙ୍କକରା ଖୁଦପିତାରେ, ରାଶିମିଶା ଚାଉଳଭଜା, ମାଛପୋଡ଼ା, ଗଇଁଠାପିଠା, ବାଉଁଶ କରଡ଼ି ଖଟାରେ ।

 

ରାଣୀମାନେ ଯେତେବେଳେ ଯାହା ଖାଇ ମନ କଲେ, ରଜା ଆଣିଦେଲେ, ଦେବଦର୍ଶନ କରାଇଲେ, ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖାଇଲେ ।

 

ଏକାବେଳକେ ଚାରି ରାଣୀଙ୍କର ଚାରୋଟି ପୁଅ ହେଲା । ପାଞ୍ଚ ବର୍ଷ ଏଇ ରୀତିରେ ପିଲା ହେଲେ; କୋଡ଼ିଏଟି ପିଲା ମଧ୍ୟରେ ଊଣେଇଶଟି ପୁଅ, ଗୋଟିଏ ମାତ୍ର ଝିଅ । ରଜା ଏ ଝିଅକୁ ଅନୁଗୁଳର ଯୁବରାଜ ସୋମନାଥ ସିଂହଙ୍କୁ ବିଭା ଦେଇଥିଲେ ।

 

ଦାସୀଙ୍କ ଆଡ଼ୁ ରଜାଙ୍କର ଯେତେ ପିଲା ହୋଇଥିଲେ, ସେଥିରେ ଗୋଟିଏ ଗାଁ ବସିପାରିବ । ଝିଅଙ୍କୁ କିଏ ଗଣେ ? ଶତାଧିକ ଦାସୀଙ୍କ ଗର୍ଭରୁ ପଚାଶଟି ଅନ୍ତରପୁଅ ହୋଇଥିଲେ-

 

ଦାସୀ ଆଉ ଛୁଆଙ୍କ ଗହଳଚହଳରେ ଅନ୍ତଃପୁରରେ ପଶି ହେଲାନାହିଁ । କେଁ କାଁ ଭେଁ ଭାଁ ଚିତ୍କାରକୁ ତେଣେ ଦାସୀଙ୍କ ଭିତରେ କଳି । ସତେ ଯେମିତି ରାଣୀହଂସପୁରେ ଗୋଟାଏ ମାଛହାଟ ବସିଚି ! କେହି କାହା କଥା ଶୁଣୁନାହାନ୍ତି, ସମସ୍ତେ କହୁଛନ୍ତି ବା ପରସ୍ପର ମଧ୍ୟରେ ବିକାବକି ହଉଛନ୍ତି । ରଜାଙ୍କୁ ଦେଖିଲେ ଆଉ ଶଙ୍କିଯାଉନାହାନ୍ତି । କାହାରି ପାଟି ବନ୍ଦ ହୋଇଯାଉନାହିଁ । ଜାଣିଶୁଣି ରଜା ତ ଏସବୁ ଭେଇଛନ୍ତି ! କହିବେ କାହାକୁ ?

 

ଜଣେ ବେହୀ ଭାରିଯା, ଆଉଜଣେ ଧୋଇଲୀ ପୋଇଲୀ, ଉଭୟେ ତାଙ୍କୁ ପତିରୂପରେ ଦେଖୁଛନ୍ତି, ଗେଲେଇ ଲୁଟେଇ ହଉଛନ୍ତି; ପୋଇଲୀ ଯାହା ଟିକେ ଦୂରେଇ ରହୁଛନ୍ତି । ରାଜମର୍ଜିକି ଚାହିଁ କାରବାର । କାଳେ ସେ ମନରୁ ଭୂତ ବାହାରି ନିକାଶ କରିଦେବ, ଏ ଭୟ ରହିଚି । ତଥାପି ଗର୍ବ କମ୍‌ ନାଇଁ; ରାଣୀଙ୍କ ପରି ପୋଇଲୀ ବି ପୁଅର ମାଆ ! ତାର ପୁଅ ବି ରଜାପୁଅ, ଯଦି ବା କିଛି ଅନ୍ତର । ବଢ଼ାଇଲାବେଳେ ପାତରଅନ୍ତର ନ ଥାଏ, ସମସ୍ତେ ପ୍ରାୟ ଭଲ ଖାନ୍ତି, ଭଲ ପିନ୍ଧନ୍ତି ।

 

ପୁଅ ହେବାପରେ ରଜାଙ୍କ ମନ ବଦଳିଗଲା, ଅନ୍ତର ପୁଅମାନଙ୍କଠାରୁ କରଛଡ଼ା ଦେଲେ, ପାତରଅନ୍ତର ଭାବ ପ୍ରକାଶ ପାଇଲା, ସେଦିନର ପ୍ରୀତିମତୀ ପୋଇଲୀକି ଦୁର୍‌ ଦୁର୍‌ ମାର୍‍ ମାର୍‌ କଲେ ।

 

ଦିନେ ଘୋର କୋଳାହଳରେ ରାଜା ରାଗି ନିଆଁ ହୋଇଯାଇ କହିଲେ—ସମସ୍ତେ ଅଭି ବାହାର; ନଇଲେ ଦେଖିବ ।

 

ଦେଖୁ ଦେଖୁ ସାଆନ୍ତ ଗାଁଟିଏ ବସିଗଲା—ନା ସୁରେନ୍ଦ୍ରପୁର; ପ୍ରତ୍ୟେକ ଅନ୍ତରପୁଅ ନାଁରେ ରଜା ଖଣ୍ଡିଏ ଖଣ୍ଡିଏ ଗାଁ ଖଞ୍ଜିଦେଲେ ।

 

ଏ ରାଜା କଉଡ଼ିଚଳଣି ବନ୍ଦ କଲେ, ସ୍ୱରାଜ୍ୟରେ ମରହଟ୍ଟୀ ମୁଦ୍ରା ଚଳାଇଲେ । ଜମି ମାପ୍‌ଚୁପ୍‌ କରି ଭାଗ, ଗୁଣ୍ଠ, ବିଶ୍ୱା ହିସାବରେ କର ଆଦାୟ କଲେ । ପ୍ରତି ପାଞ୍ଚ ଭରଣ ଧାନ ଆୟ ହେଉଥିବା ଜମିକୁ ଏକ ବିଶ୍ୱା, କୋଡ଼ିଏ ଭରଣ ଧାନ ଆୟ ଜମିକୁ ଏକ କାଣି, ଅଶୀ ଭରଣ ଧରନ ଆୟ ଜମିକୁ ଏକ ଭାଗ ଧରାଯାଉଥିଲା । ପ୍ରତି ବିଶ୍ୱାରୁ ଏକ ପୁଡ଼୍‌ଗ ଧାନ ଓ ଏକ ଟଙ୍କା ଖଜଣା ଆଦାୟ ହେଉଥିଲା । ଲାଖରାଜୀ ଶାସନମାନଙ୍କରୁ ଏଇ ବିଭାଗ ଅନୁସାରେ ଗ୍ରାମର ଛେଦା, ଭେଦା, ପଞ୍ଚା ଆଦାୟ କରାହେଉଥିଲା ।

 

ରାଜ୍ୟର ଆୟ ରଜାଙ୍କୁ ନଅଣ୍ଟ; ପ୍ରଜାଙ୍କ ଲାଗି କାଣିକଉଡ଼ିଟିଏ ଖର୍ଚ୍ଚ ହେଉ ନ ଥିଲା । ରଜା ବହୁକୁଟୁମ୍ବୀ, ଖର୍ଚ୍ଚ ସମତୁଲ କରି ନ ପାରି ବ୍ୟତିବ୍ୟସ୍ତ ହେଉଥିଲେ; ମନ ସଂସାରରୁ ଛାଡ଼ିଗଲା ପରି ଲାଗୁଥିଲା । ସେ ଏକୁଟିଆ ଭାବିବସୁଥିଲେ, ଭାବନାର ଥଳକୂଳ ନ ଥିଲା । କେହି ପାଖରେ ପଶିବାକୁ ଭରସୁ ନ ଥିଲେ, ପଚାରିବେ କ’ଣ ?

 

କାହାକୁ କିଛି ନ କହି ରାଜ୍ୟ ଦାୟିତ୍ୱ କାହା ମୁଣ୍ଡରେ ନ ଥୋଇ ଦିନେ ଟାଙ୍ଗଣ ଘୋଡ଼ାରେ ବସି ରାଜା ତୀର୍ଥବ୍ରତ କରି ବାହାରିଗଲେ, ରାଜାର ଖିଆଲ, କହିବ କିଏ ସେ ? ଗଙ୍ଗାସାଗରସଙ୍ଗମ, କାମାକ୍ଷା, ବାରଣାସୀ, ପ୍ରୟାଗ, ବୃନ୍ଦାବନ, ମଥୁରା, ଦ୍ୱାରକା, ବୈଦ୍ୟନାଥ, ଜଗନ୍ନାଥ ପ୍ରଭୃତି ତୀର୍ଥସ୍ଥାନ ବୁଲି ଦେଖିବାରେ ପ୍ରାୟ ପାଞ୍ଚ ବର୍ଷ ବୋହିଗଲା ।

 

ରାଜ୍ୟ ଚୂଲୀକି ଗଲା କି ଚାଳରେ ରହିଲା, କିଏ ଦେଖୁଚି ? ରାଜା ନ ଥାଇ ରାଜ୍ୟ ଚଳିବ କିପରି ? ଚାରିଆଡ଼େ ଲୁଟ୍‌ପାଟ୍‌, ଅରାଜକତା; ରାଜକର୍ମଚାରୀ ହିଁ ଦିନ ଦିପହରେ ରାଜାଙ୍କ ଗଣ୍ଠି କାଟୁଥିଲେ, ତଣ୍ଟି କାଟୁଥିଲେ ।

 

ଏ ଅବସ୍ଥା ଦେଖି ପାତ୍ରମନ୍ତ୍ରୀଙ୍କ ଭିତରେ ଭାଳେଣି ପଡ଼ିଲା—କ’ଣ କରିବା ? ଚାରିଆଡ଼େ ଘରପୋଡ଼ି, ଚୋରୀ, ଡକାୟତୀ, ବଦ୍‌ମାସୀ; ଦିମାକ୍‌ ବହୁତ ବଢ଼ିଚି; ଚାଲିଲା ଗୋଡ଼କୁ ପଛଆଡ଼ୁ ଟାଣିଦେଇଛନ୍ତି ସେମାନେ । ବିବାହବେଦୀରୁ କନ୍ୟାକୁ ହରଣ କରିନେଉଛନ୍ତି । ବାଟଘାଟ ପଡ଼ିଗଲାଣି; ବାଘ ନ ଥିବାରୁ ମିରିଗଙ୍କର ଏ ନାଟ ଲାଗିଚି ।

 

ବିଚରାବିଚରି ହୋଇ ପାତ୍ରମନ୍ତ୍ରୀ ଗମ୍ଭୀରସାଆନ୍ତଙ୍କୁ ଗାଦିରେ ବସାଇଦେଲେ । ରାଜ୍ୟ ସମ୍ଭଳା ପଡ଼ିଲା; ରାଜଦଣ୍ଡ ଭୟରେ ଲୁଟତରାଜ ଊଣା ହୋଇଗଲା ।

 

ଏଥିକି ବଳ କାହାର ? ଏ ରଜାଘର ପାଠ; ଏ ପାଠରେ ସବୁ ଚଳେ ।

 

‘ପାଣ୍ଡେ ପଢ଼ିଲେ ପାଠ, ତିନ୍‌ ଦୁଗୁଣେ ଆଠ’; ଏ ଠିକ୍‌ କି ଭୁଲ୍‌ କହିବାକୁ ଛାତି କାହାର ଅଛି ?

 

ରଜାଙ୍କ ମନ କେତେବେଳେ କ’ଣ । ଏଇନେ ବିଚାରିଲେ ରହିବେ, ଆର କ୍ଷଣକୁ ଛାଡ଼ି ଚାଲିଯିବେ । ‘ବେଙ୍ଗ ବୋଲେ ବେଙ୍ଗୁଲୀ ଲୋ, ପୃଥୀ କ୍ଷଣକ୍ଷଣକେ ଆନ ।’ ଏ ରଜାଙ୍କ ମନର ପୃଥିବୀ । ଦଣ୍ଡକେ ବଦଳିଯାଏ, ଏ କ୍ଷଣି ଉଆ ତ ଆର କ୍ଷଣକୁ ଉଷୁନା ।

 

ରାଜା ସୁରେନ୍ଦ୍ର ମହାବୀରକେଶରୀ ଦିନେ ଯେମିତି ହଠାତ୍‌ ଝଡ଼ ପରି ଯାଇଥିଲେ, ସେମିତି ଆସି ପହଞ୍ଚିଗଲେ; ରଜାଙ୍କ ଆସିବା ଖବର ପାଇ ପାତ୍ରମନ୍ତ୍ରୀମାନେ ତାଙ୍କ ସୁଦୂରରୁ ଦଣ୍ଡପ୍ରଣାମ କଲେ ।

 

ଆଗେ ବାନପ୍ରସ୍ଥ, ପରେ ଯତିବ୍ରତ; ଆର୍ଯ୍ୟଜୀବନର ବିଧି ଏଇଆ । ଆଗର ବଡ଼ ବଡ଼ ଭାରତୀୟ ରଜାମାନେ ଏଇଆ କରୁଥିଲେ, ପୁଅ ଉପରେ ରାଜ୍ୟଭାର ଦେଇ ବୁଢ଼ାବୟସରେ ବାନପ୍ରସ୍ଥରେ ଯାଉଥିଲେ । ଛାମୁଁ ସେଇ ପରମ୍ପରା ରକ୍ଷା କରିଛନ୍ତି, ପ୍ରଜାଙ୍କ ବଧାଇ ନିଅନ୍ତୁ ।

 

ସଂସାରମାୟାରୁ କେହି ସହଜରେ ମୁକୁଳି ପାରେ ନାଇଁ; ହେଲେ ସଂସାରମାୟା ଛାମୁଙ୍କ ମନକୁ ବାନ୍ଧିପାରି ନାହିଁ ।

 

ଛାମୁଁଙ୍କ ମନ ପଦ୍ମପତ୍ରର ନୀର, ଲାଗି ଲାଗେନାଇଁ । ଅସାର ସଂସାରର କ୍ଷଣିକ ମାୟା ଛୁଇଁ ଛୁଇଁପାରେ ନାହିଁ । ସାଧୁ, ଯୋଗୀଙ୍କ ମନ ଯେପରି, ଛାମୁଙ୍କ ମନ ସେହିପରି ।

 

ଛାମୁଁଙ୍କ ଗାଦିରେ ଆମେ ଗମ୍ଭୀରସାମନ୍ତଙ୍କୁ ବସାଇଛୁ । ଛାମୁଁ ତୀର୍ଥବ୍ରତ କରି ହବୁ ବୈରାଗ୍ୟ, ଜ୍ଞାନ ଅର୍ଜନ କରିଛନ୍ତି । ଏବେ କପଟ ମାୟାରେ ନ ପଶି ଗମ୍ଭୀରସାମନ୍ତଙ୍କୁ ଆଶୀର୍ବାଦ କରି ପୁରସ୍ତମରେ ତୀର୍ଥବାସୀ ହୁଅନ୍ତି କିମ୍ବା ତାଳମୂଳରେ କୌଣସି ଖମାରରେ ରହି ନିତି ଦେବଦର୍ଶନ କରନ୍ତୁ ।

 

ମଣିଷ କ୍ଷମତାପ୍ରିୟ; ଯମ ହାତ ଧରି ସେପୁରକୁ ଭିଡ଼ୁଥିଲେ ବି ସେ କ୍ଷମତାଲିପ୍‌ସା ଛାଡ଼ିପାରେ ନାଇଁ । ପାତ୍ରମନ୍ତ୍ରୀଙ୍କ ମୁହଁରୁ ଏ ପ୍ରସ୍ତାବ ଶୁଣିବାମାତ୍ରେ ରଜା ରାଗି ପାଚିଗଲେ, ମୁଣୋହିଁ ରନ୍ଧା ହେଉଥିବା ହାଣ୍ଡିକି ଗୋଟାଏ କାଠଫାଳିଆରେ ପିଟି ଗୁଣ୍ଡା କରିଦେଲେ । କହିଲେ–ତୁମେସବୁ ମୋ ଆଗରୁ ପଳାଇଯାଅ, ନଇଲେ ଦେଖିବ, କେମିତି ଅନିଷ୍ଟ ଘଟିବ; ମୁଁ ସଂସାରତ୍ୟାଗୀ ସନ୍ନ୍ୟାସୀଙ୍କଠାରୁ ବହୁତ ଧର୍ମଉପଦେଶ ଶୁଣିଆସିଛି, ସେସବୁ ପୁଣି ଶୁଣିବା ଲାଗି ରାଜ୍ୟକୁ ଫେରିନାଇଁ ।

 

ରଜାଙ୍କର ଏ ଗତିରୀତି ଦେଖି ପାତ୍ରମନ୍ତ୍ରୀ କିଏ କୁଆଡ଼େ ପଳାଇଲେ; ରଜା ଗୋଟାଏ ତିନ୍ତୁଳି ଗଛ ମୂଳେ ଡେରା ପକାଇଲେ । ସେତେବେଳକୁ ଅନୁଗୁଳର ଲିଙ୍ଗରା ନଈରେ ସୂର୍ଯ୍ୟ ବୁଡ଼ୁଥାନ୍ତି । ରଜା ରାଗରେ ତମ୍‌ ତମ୍‌ ହୋଇ ଦିଶୁଥାନ୍ତି ଠିକ୍‌ ସେମିତି । ରାତି ଛ’ଘଡ଼ିକି ମୁଣୋହିଁ ବଢ଼ିଲା, ତିନ୍ତୁଳି ଗଛମୂଳେ ଗୋଟିଏ ଖଟିଆରେ ପହଡ଼ ପଡ଼ିଲା—ଏଣେ ମନ ଭିତରେ ଦୁଶ୍ଚିନ୍ତାକୁ, ବାହାରେ ମଶା, ଆଖି କଷା ପଡ଼ିଲା ନାଇଁ ।

 

ଅନୁଗୁଳର ରାଜା ସୋମନାଥ ସିଂହ ସୁରେନ୍ଦ୍ରଙ୍କ ଜୋଇଁ । ରାଜାଙ୍କର ଏ ଦୁର୍ଦ୍ଦଶା ଦେଖି ସେ ଉଆସକୁ ନିମନ୍ତ୍ରଣ କଲେ । ‘ଶଶୁର ହୋଇ ଜୋଇଁର ଅନ୍ନରେ ଚଳିବି ? ତା ଅପେକ୍ଷା ଏ ଗଛମୂଳ ଢେର୍‌ ଭଲ ।’

 

ସୋମନାଥ ପ୍ରତିଦିନ ସିଧାଟିଏ ଶଶୁରଙ୍କ ପାଖକୁ ପଠାଇଦେଲେ । ‘ଜୋଇଁର ଖୁଦକଣାଟିଏ ବି ମୁଁ ଛୁଇଁବିନାଇଁ । ଏ ଅମର୍ଯ୍ୟାଦା । କୃଷ୍ଣଚକ୍ର ଗଡ଼ର ଏ ଦାନାମୁଠାକ ବିନା ମୁଁ କ’ଣ ଚଳିପାରିବି ନାଇଁ ?

 

ସୁରେନ୍ଦ୍ର ନିଜ ପାଖରେ ଯାହା ଥିଲା ବିକିଭାଙ୍ଗି ଖାଇଲେ । ‘ବସି ଖାଇଲେ ନଈବାଲି ସରେ’, ଯାହା ଧନଦଉଲତ ଥିଲା, ଦେଖୁଦେଖୁ ସରିଆସିଲା । ପଧାନଘର ଭାରି ଥିଲାବାଲା, ନାଁଡ଼ାକ୍‌ । ତା ଘରୁ ଚାଉଳ ମାଗିଆଣିବା ଲାଗି ରାଜା ଲୋକ ପଠାଇଲେ । ପଧାନ ଆତ୍ମଗର୍ବୀ; ସେ ରାଜଭିକ୍ଷୁକକୁ ଅପମାନ ଦେଇ ଫେରାଇ ଦେଲା ।

 

‘ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ’ ସତ । ନିଜ ରାଜ୍ୟ ହୋଇଥିଲେ ସେ ପଧାନର ମଜ୍ଜା ନିକାଲି ଦେଇଥାନ୍ତେ । ପର ରାଜ୍ୟ, କ’ଣ କହିବେ ! ତଳିପା ରାଗ ତାଳୁକୁ ଉଠି ରାଜାଙ୍କୁ ଅସମ୍ଭାଳ କଲା; ପ୍ରତିଶୋଧର ବାଟ ଖୋଜୁ ଖୋଜୁ ସେ ପାଇଗଲେ । ତାଙ୍କ ଶିଖାମଣାରେ ପାଣମାନେ ରାତିଅଧରେ ପଧାନର ଘର ପୋଡ଼ିଦେଲେ । ଧନଦଉଲତ ମୁଠାଏ ପାଉଁଶରେ ପରିଣତ ହେଲା । ପଧାନ ବହୁତ ପସ୍ତେଇହେଲା । ରାଜା କିଏ, ତାଙ୍କ ଶଶୁର କିଏ । ଅସମୟରେ ପଡ଼ି ସେ ମୁଠାଏ ଚାଉଳ ମଗାଇଥିଲେ । ଭିକାରୀ ବହୁତ ଆସନ୍ତି, ରାଜଭିକାରୀ କାହିଁ ? ମୁଠାଏ ଚାଉଳ ଲାଗି ମୁହଁକୁ ନ ଚାହିଁ ତାକୁ ସର୍ବସ୍ୱ ହରାଇବାକୁ ହେଲା ।

 

ଅନ୍ନାଭାବ ଉତ୍କଟ । ବଞ୍ଚିବାର କିଛି ବାଟ ନପାଇ ରାଜା ସୁରେନ୍ଦ୍ର ଜୋଇଁ ସୋମନାଥ ସିଂହକୁ ଅନୁରୋଧ କଲେ—ମୋତେ ସୈନ୍ୟସାମନ୍ତ ସାହାଯ୍ୟ ଦେ, ମୁଁ ତାଳମୂଳ ଜୟ କରିବି । ବାପ ବଞ୍ଚି ଥାଉଁ ଥାଉଁ ପୁଅ ରଜା ହବ, ଏ କୋଉ ନ୍ୟାୟ ? ପାତ୍ରମନ୍ତ୍ରୀଙ୍କର ଏ କି ବିଚାର ?

 

ହଉ ଯଦି ହେଲା, ବାପ ଫେରି ଆସିଲା ପରେ ସେ ସିଂହାସନରୁ ଓହ୍ଲେଇ ଆସିବା ଉଚିତ ନା ନାହିଁ ? ତା ନକରି ଓଲଟି ପାତ୍ରମନ୍ତ୍ରୀଙ୍କି ଶିଖେଇମଣେଇ ମୋ ପାଖକୁ ପଠାଇଛି । ସେ ମଉଜରେ ସିଂହାସନରେ ବସିବ, ମୁଁ ଦାଣ୍ଡରେ ଭିକ ମାଗି ବୁଲୁଥିବି !

 

‘ରଜା ତ ଅବୁଝା । କୋଉ କଥା କହୁଁ କହୁଁ କଣ ବୁଝିବେ, ଏ ବାପପୁଅଙ୍କ ଭିତରେ, ଶଳାଶଶୁରଙ୍କ ଭିତରେ କଳି ଲଗାଇବି ମୁଁ ? ଶଶୁରଙ୍କ ହାତରେ ଶଳାକୁ ମରାଇବି ମୁଁ ?’’ ରାଜା ସୋମନାଥ ସିଂହ ଭାବିତ ହେଲେ ।

 

ଶଶୁରଙ୍କ ଅଭିଶାପକୁ ଭୟ; ବାଧ୍ୟ ହୋଇ ସେ ବୁଢ଼ାପଙ୍କ ଆଉ ପାଞ୍ଚଗଡ଼ର ପାଇକମାନଙ୍କୁ ଲେଖିଲେ—

 

‘ଓଁ ଶ୍ରୀରାଜେ ସୋମନାଥ ସିଂହ ମହୀନ୍ଦ୍ର ବୀରବର ଜଗଦେବଙ୍କର ପାଞ୍ଚଗଡ଼ ଓ ବୁଢ଼ାପଙ୍କର ସାମନ୍ତ ଗଡ଼ନାୟକ ଓ ଦଳବେହେରାଙ୍କୁ ଆଜ୍ଞାପତ୍ର । ଏ ଅନ୍ତେ ୧୮ ଦିନ ଏ ନିମନ୍ତେ ଆଜ୍ଞା କଲୁକି ତୁମ୍ଭେ ସମସ୍ତେ ତାଳମୂଳ ରାଜା ସୁରେନ୍ଦ୍ର ମହାବୀର କେଶରୀଙ୍କ ସାହାଯ୍ୟାର୍ଥେ ଯିବ-।’

 

ରାଜା ଶ୍ରୀ ସୋମନାଥ ସିଂହ ଶ୍ରୀହସ୍ତ ସନ୍ତକ

 

ରାଜା ସୁରେନ୍ଦ୍ର ଜୋଇଙ୍କ ଫଉଜ ଘେନି ପୁଅ ଗମ୍ଭୀରସାଆନ୍ତଙ୍କ ରାଜ୍ୟ ତାଳମୂଳରେ ପଶିଲେ । ପାତ୍ରମନ୍ତ୍ରୀମାନେ ଏପରି ଶଙ୍କା କରୁଥିଲେ । କିଛି ପ୍ରତିରୋଧ ହେଲା ନାହିଁ । ରାଜା ସୁରେନ୍ଦ୍ର କେଡ଼େ ଦୁର୍ଦ୍ଦାନ୍ତ, ସମସ୍ତେ ଜାଣନ୍ତି । ପ୍ରିୟତମା ରାଣୀ ବାଙ୍କିଆଣୀ ମଣିମାଙ୍କ ମୁହଁକୁ ସେ ଚାହିଁନାହାନ୍ତି । ତାଙ୍କ ପୁଅ ମୁହଁକୁ ଚାହିଁବେ ? ପ୍ରତିରୋଧ କଲେ ତାଙ୍କ କ୍ରୋଧନିଆଁକୁ ତାହିଲା ପରି ହେବ । ମନକୁ ମନ ସେ ନିଆଁ ଜଳ ଉଠି ବରଂ ଲିଭିଯାଉ ।

 

ରାଜ୍ୟରେ ପାଦ ଦେଉଁ ନ ଦେଉଁ ବିଶ୍ୱସ୍ତତମ କର୍ମଚାରୀ ବାଘ ଗଡ଼ନାୟକ ଆସି ରାଜାଙ୍କ ପକ୍ଷରେ ଛିଡ଼ାହେଲା । ସୁରେନ୍ଦ୍ର ବିନା ବାଧାରେ ରାଜଧାନୀରେ ପଶିଲେ, ନଅର ଘେରାଉ କଲେ । ଗମ୍ଭୀର ସାଆନ୍ତେ ପଳାଇ ଯାଇ ଗୋଟିଏ ଖମାରରେ ଆଶ୍ରାନେଲେ । ରାଜା ସେ ଖମାରକୁ ଖାଦ୍ୟ ଯୋଗାଣ ବନ୍ଦ କଲେ—ମତେ ଭିକ ମଗାଇଛନ୍ତି, ନିଜେ ଏବେ ସେଇ ଦଶା ଭୋଗ କରନ୍ତୁ ।

 

ଏଇ ସମୟରେ ବାପପୁଅଙ୍କ କଳି ମଝିରେ ଆସି ଛିଡ଼ା ହେଲେ ରାଜା ସୋମନାଥ । ଏପଟେ ଶଶୁର, ସେପଟେ ଶଳା । ଏପଟକୁ କହିଲେ ସେପଟେ ବିପକ୍ଷ ହେବ । ବଡ଼ ଅଡ଼ୁଆ, ଅକଡ଼ିଆ କାମ ଏ ।

 

ପହିଲେ ରାଜା ସୁରେନ୍ଦ୍ରଙ୍କ କୋପଶାନ୍ତି ଲାଗି ଗମ୍ଭୀରସାଆନ୍ତ ଓ ସାଆନ୍ତାଣୀଙ୍କୁ ଆଣି ଗୋଡ଼ ତଳେ ପକାଇଲେ । ଗମ୍ଭୀରସାଆନ୍ତେ କହିଲେ—ବାପା, ମୋର ଭାରୀ ଭୁଲ୍‌ ହୋଇଛି, କ୍ଷମାଦିଅ । ରାଜ୍ୟରେ ବହୁତ ଅଶାନ୍ତି ଉପୁଜିବାରୁ ପାତ୍ରମନ୍ତ୍ରୀମାନେ ମୋତେ ରଜା କରିଥିଲେ । ଏବେ ଆଉ ଅରାଜକତା ନାଇଁ, ଶାନ୍ତି ଫେରି ଆସିଛି, ତା ସହିତ ଆପଣ ସ୍ୱରାଜ୍ୟକୁ ଫେରି ଆସିଛନ୍ତି । ଏହାଠାରୁ ଆମ ପକ୍ଷରେ ଅଧିକ ସୁଖକର ସମ୍ବାଦ ଆଉ କଣ ଥାଇପାରେ ? ଆପଣ ଏବେ ସିଂହାସନରେ ବସନ୍ତୁ, ଆମେ ପୂର୍ବପରି ଆପଣଙ୍କ ଚରଣସେବା କରିବୁ ।

 

ରାଜା ସିଂହାସନରେ ବସି ଏହି ସନନ୍ଦଟି ଲେଖାଇ ସନ୍ତକ କଲେ–ଶ୍ରୀଶ୍ରୀ ରାଜେ ସୁରେନ୍ଦ୍ର ମହାବୀର କେଶରୀଙ୍କ ବାଘ ଗଡ଼ନାୟକକୁ ଆଜ୍ଞା, ଏ ନିମନ୍ତେ ଅନୁଗ୍ରହ ଆଜ୍ଞା କଲୁ, ଏ ଅଙ୍କ ଆଦ୍ୟରୁ ଯେ ତୁମ୍ଭଙ୍କୁ ନୂଆପଡ଼ା ଗ୍ରାମ ଶୂଦ୍ର ଦାନ ଦକ୍ଷିଣା ରୂପ ଗୋମାଂସ ଗୋରକ୍ତ ପ୍ରମାଣରେ ଦିଆଗଲା । ଏ ଗ୍ରାମର ଆୟ ସୀମାନ୍ତ, ଗଛ, ମାଛ, ରାଣ୍ଡ, ଛେଉଣ୍ଡ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଭୋଗ କରୁଥିବ, ଆମ୍ଭ ଛାମୁଁର ସେବାରେ ହାଜର ଥିବ ।

 

ବାଘମୁଣ୍ଡ ସନ୍ତକ

ଶ୍ରୀ ରାଜା (ଦେବନାଗର ଅକ୍ଷର ସନ୍ତକ)

 

ବାଘଙ୍କ ଛଡ଼ା ଆଉ ଯୋଉମାନେ ସିଂହାସନପ୍ରାପ୍ତିରେ ସାହାଯ୍ୟ କରିଥିଲେ, ସମସ୍ତଙ୍କୁ ସେ ମୁକ୍ତ ହସ୍ତରେ ଦାନ କଲେ । ତାପରେ ସିଂହାସନରୁ ଓହ୍ଲାଇଆସି କହିଲେ—ସୁବର୍ଣ୍ଣମୁକୁଟ ଏ ଶୁକ୍ଳ ମସ୍ତକର ଶୋଭା ଆଉ ବଢ଼ାଉନାହିଁ, ଏ ଜରାଜୀର୍ଣ୍ଣ ଦେହକୁ ରାଜପୋଷାକ ଆଉ ମାନୁନାହିଁ । ଢେର୍‌ ଭୋଗ କଲି । ମନର ଯାବତୀୟ କାମନା ପୂର୍ଣ୍ଣ କଲି । ଏବେ ନିଷ୍କାମ ସୁଖ ଲୋଡ଼ା ।

 

ମୁଁ ଏବେ ଶ୍ରୀକ୍ଷେତ୍ରରେ ତୀର୍ଥବାସ କରିବି, ନିତି ଜଗନ୍ନାଥ ଦର୍ଶନ କରି କୈବଲ୍ୟକଣିକା ପାଇବି ।

 

ସ୍ୱର୍ଗଦ୍ୱାରରେ ଶାନ୍ତିର କୁଟୀରଟିଏ ଗଢ଼ି ରହିବି, ବନ୍ୟ ଝାଉଁ ମର୍ମର ଓ ସମୁଦ୍ରର ଆନନ୍ଦୋଚ୍ଛ୍ୱାସ ମୋତେ ପୁଲକିତ କରୁଥିବ ।

 

ମୋ ସହିତ ଦାସଦାସୀ ଯିବେନାହିଁ, ଜୀବନସାରା ପର ହାତରେ ଉଠିଚି, ବସିଚି । କିଏ ତୈଳ ମର୍ଦ୍ଦନ କରିଚି, ଦାନ୍ତୁଆଣି ଯୋଗାଇଛି, ସ୍ନାନ ଲାଗି ପାଣି ଯୋଗାଡ଼ିଚି, ଲୁଗା କୁଞ୍ଚ କରିଚି, ପଙ୍ଖା କରିଚି । ଛତି, ଆଲଟ, ଚାମର, ଭୋଜି ମଉଜମଜ୍‌ଲିସ୍‌ରେ ଦିନ ବୋହିଗଲା ।

 

ମତେ ସୁଖୀ କରିବା ଲାଗି ଅନ୍ତଃପୁରର ସମସ୍ତ ଲାଗିଥିଲେ । ମୁଁ ଦିନେ ହେଲେ କାହାକୁ ସୁଖୀ କରିବାକୁ ଚେଷ୍ଟା କରିନାହିଁ । ରଜା ହବା ଅର୍ଥ କଣ ଆପଣାସୁଖୀ ହବା ? କାହାକୁ ଆଡ଼ ଆଖିରେ ନ ଚାହିଁବା ।

 

ଦୁନିଆକୁ ଯଥେଷ୍ଟ ଦୋହନ କରି ଚଳିବି, ଆଜି ସେ ଇଚ୍ଛା ଆଉ ନାହିଁ ।

 

କେତେ କାହା ଉପରେ ଆଉଜି ପଡ଼ିଚି, ଭରା ଦେଇ ଉଠିଚି, ଭାଗ ହେଇଚି, ଲଦନ ହୋଇ କାନ୍ଧକୁ ବିଣ୍ଡି କରିଚି, ପର ଉପରେ ଚଳି ଚଳି ଜୀବନ ଗଲା । ପରକୁ ଆପଣାର କରିପାରିଲି ନାହିଁ । ପର ଯେ ପରମେଶ୍ୱର, ଏ ଚିନ୍ତା ମୁଣ୍ଡରେ ପଶିଲା ନାହିଁ । ମୁଁ ତ କାହା ବିଷୟରେ ଭାବିନାହିଁ, ଆଜି ମୋ ବିଷୟରେ କିଏ ଭାବୁ, ମୁଁ ଚାହେଁ ନାହିଁ ।

 

ଏତିକିବେଳେ ବାଙ୍କିଆଣୀ ଲାବଣ୍ୟମଞ୍ଜରୀ ଆଗେଇ ଆସି କହିଲେ—ମୁଁ ସବୁବେଳେ ଭାବି ଆସିଚି, ଆଜି ବି ଭାବିବି ।

 

‘ମହାରାଣୀ, ତୁମକୁ ଜୀବନରେ ବହୁତ ଦୁଃଖ ଦେଇଚି, ଆଉ ଦେବାକୁ ଚାହୁଁନାହିଁ; ବାକୀ କେତୋଟି ଦିନ ରାଜବାଟିରେ ସୁଖରେ କଟାଅ । ମୋ ସଙ୍ଗରେ ଯାଇ ଦୁଃଖ ଭୋଗ କରିବ କାହିଁକି ?’

 

‘ପତି ସାଙ୍ଗରେ ଥାଇ ନାରୀର ଯୋଉ ଦୁଃଖ, ସେଇ ତାର ପରମ ସୁଖ । ସେ ଏକୁଟିଆ, ଅଲଗା ରହିପାରେ ନାହିଁ, ନିଜର ସ୍ୱତନ୍ତ୍ର ସ୍ଥିତି ଅନୁଭବ କରିପାରେ ନାହିଁ । ପତିର ସ୍ଥିତିରେ ହିଁ ତାର ସ୍ଥିତି ।’

 

‘ମହାରାଣୀ, ତୁମକୁ ମୁଁ କେବେ ସମାସ୍କନ୍ଧ ଆସନ ଦେଇନାହିଁ, ଗୋଟିଏ ହେଲେ କଥା ଘେନା କରିନାହିଁ । ନାରୀକି ମୁଁ କେବେ ମଣିଷ ବୋଲି ଗ୍ରହଣ କରିନାହିଁ, ମନେ କରିଚି ଗୋଟାଏ ରକ୍ତମାଂସ ପିଣ୍ଡୁଳା, ପୁରୁଷର କାମନା ପରିତୃପ୍ତି ଲାଗି ଉଦ୍ଦିଷ୍ଟ; ଏକ ଜନନ ଯନ୍ତ୍ର । ତା କଥାକୁ କେବେ ପାସଙ୍ଗରେ ପକାଇ ଦେଖିନାହିଁ, ୟାର କିଛି ଓଜନ ଅଛି କି ନାହିଁ, ଜାଣିବା ଲାଗି । ଅଥଚ ତା’ରି ପେଟରୁ ମୁଁ ବାହାରିଚି, ତା’ରି ଲାଗି ମୋର ସବୁ ସୁଖ ।

 

ନା, ମହାରାଣୀ, ତୁମ୍ଭେ ଏ ସ୍ୱାର୍ଥପର ଲୋକଟା ସାଙ୍ଗରେ ଯାଅନାହିଁ, ସେ ଆହୁରି ଖଟାଇବ, ଦିହର ସବୁ ରକ୍ତ ଦୁହିଁଦବ, ତା ହୃଦୟରେ ଦୟାମାୟା ନାହିଁ ।’

 

ସେତେବେଳେ ରାଜା ଥିଲ, ରାଣୀ ହୋଇ ମୁଁ ସୁଖଭୋଗ କରିପାରିଲି ନାହିଁ; ଏବେ ମଣିଷ ହେଇଚ, ଯୋଉ ସୁଖ ମୁଁ ପାଇ ନ ଥିଲି, ତା ପାଇଚି । ସମୃଦ୍ଧିରେ ମୁଁ ମହା ଦରିଦ୍ର ଥିଲି, ଆଜି ଘୋର ଦାରିଦ୍ର୍ୟ ଭିତରେ ହେବି ମହାଧନୀ ।

 

ତୁମକୁ ଅତି ନିରୋଳାରେ ପାଇବି, ପାଖରେ ପାଇବି । ମୋତେ ଈର୍ଷା କରିବ ନାହିଁ ସଉତୁଣୀ ରାଜଲକ୍ଷ୍ମୀ । ଗୋଟିଏ ଡେମ୍ପରେ ଦୁଇଟି ଫୁଲ ଫୁଟିବାର ସୁଖ ଅନୁଭବ କରିବା, ତୁମେ ଯୋଗୀ ହେଲେ ଯୋଗିଆଣୀ ହେବି, ତୁମେ ବାୟା ହେଲେ ମୁଁ ବାୟାଣୀ ହୋଇ ସଙ୍ଗରେ ବୁଲିବି । ମିଳିଲେ ଖାଇବି, ନ ମିଳିଲେ ଓପାସ ଶୋଇବି । କାଳର ଡକରା ଆସିଲେ ତା କୋଳକୁ ଆନନ୍ଦରେ ଡେଇଁପଡ଼ିବି ।’

 

‘ଗୋଟାଏ ଜିଦ୍‌ରେ ଝଡ଼ ପରି ମାଡ଼ିଆସିଥିଲି—ବାପ ସିଂହାସନରେ ବସିଚି, ପୁଅ ପୁଣି ସେଥିରେ ବସିବ କେମିତି ? ଯେ ଏ କାମ କରିଚି, ତା ଟାଣ ଭାଙ୍ଗିବି, ଯୋଉ ପୁଅ ସିଂହାସନଲୋଭରେ ତାଙ୍କ କଥାରେ ଭଳିଗଲା, ତାକୁ ଉପଯୁକ୍ତ ଶିକ୍ଷା ଦେବି—ଏଇ ପାଞ୍ଚରେ ଆସିଥିଲି । ବାପର ମର୍ଯ୍ୟାଦା ଫେରିପାଇଲି, ସେଇ ଢେର୍‌; ଆଜି ଗମ୍ଭୀରସାଆନ୍ତଙ୍କର ଅଭିଷେକ କର, ମୋ ମନ ପରିତୃପ୍ତ ହେଉ ।

 

ଅଭିଷେକ ହେଲା, ଆଶୀର୍ବାଦ ପରେ ରାଜାରାଣୀ ଯୋଗୀ ଯୋଗିଆଣୀ ବେଶରେ ବାହାରିପଡ଼ିଲେ, ପୁରୁଷୋତ୍ତମ, ଯାହାଙ୍କ ପାଦତଳେ ସବୁ ଢେଉ ବାଜେ ଓ ଭାଜେ ।

 

।। ପାଞ୍ଚ ।।

 

ରାଜା ସୁରେନ୍ଦ୍ରଙ୍କ ଶାସନର ଶେଷ କାଳ, ଓଡ଼ିଶା ଇଂରେଜଙ୍କ ଅଧିକାରକୁ ଆସିଲା । ମରହଟ୍ଟାବାହିନୀର ପରାଜୟ ପରେ ରଘୁଜୀ ଭୋନ୍‌ସଲା ଦେଓଗାଁସନ୍ଧିରେ ଇଂରେଜଙ୍କ ହାତରେ ଓଡ଼ିଶାକୁ ଟେକିଦେଲେ । ମୋଗଲବନ୍ଦୀ ପୂରାପୂରି ମରହଟ୍ଟାଙ୍କ ଅକ୍ତିୟାରରେ ଥିଲା । ପାହାଡ଼ ଆଉ ଘୋର ଅରଣ୍ୟରେ ଦୁର୍ଗମ, ହିଂସ୍ର ଜନ୍ତୁପୂର୍ଣ୍ଣ ଗଡ଼ଜାତରେ ମରହଟ୍ଟାମାନେ ଅଧିକାର ଜାରୀ କରିପାରୁ ନ ଥିଲେ ।

 

ଗଡ଼ଜାତ ରାଜାମାନଙ୍କ ମଧ୍ୟରୁ କେହି କେହି ନିର୍ଦ୍ଧାରିତ ପେସ୍‌କିସ୍‌ ଦେଇ ନିର୍ଦ୍ୱନ୍ଦରେ ସ୍ୱରାଜ୍ୟରେ ଶାସନ ଚଳାଇଲେ । ପେସ୍‌କିସ୍‌ ନ ଦେଉଥିବା ରାଜ୍ୟରେ ମରହଟ୍ଟା ଅଶ୍ୱାରୋହୀ ବାହିନୀ ପଶି ବେଳେ ବେଳେ ଲୁଟ୍‌ତରାଜ କରୁଥିଲେ । ଢେଙ୍କାନାଳର ତ୍ରିଲୋଚନ ମହୀନ୍ଦ୍ରବାହାଦୁରଙ୍କ ପରି କୌଣସି କୌଣସି ରାଜା ସେମାନଙ୍କୁ ଯୁଦ୍ଧରେ ହରାଇ ପୂର୍ଣ୍ଣ ସ୍ୱାଧୀନତା ହାସଲ କରିଥିଲେ । ମରହଟ୍ଟା ଶାସନ ଅତ୍ୟନ୍ତ ଦୁର୍ବଳ ଓ ଶିଥିଳ ହୋଇପଡ଼ିଥିଲା । ଶେଷକାଳକୁ ପେସ୍‌କିସ୍‌ ଆଦାୟ ଲାଗି ବଳପ୍ରୟୋଗ ସମ୍ଭବ ହୋଇପାରୁ ନ ଥିଲା । ରାଜାମାନେ ପ୍ରାୟ ଅଖଣ୍ଡ ସ୍ୱାଧୀନତା ଉପଭୋଗ କରୁଥିଲେ ।

 

ଏ ଅବସ୍ଥା ଦେଖି ଓଡ଼ିଶା ଅଧିକାର ପରେ ଇଷ୍ଟଏଣ୍ଡିଆ କମ୍ପାନୀ କମିସନରମାନଙ୍କୁ ନିର୍ଦ୍ଦେଶ ଦେଲେ—

 

ଗଡ଼ଜାତ ରାଜାମାନେ ମରହଟ୍ଟାମାନଙ୍କ ବଶ୍ୟତା ସ୍ୱୀକାର କରନ୍ତି ନାହିଁ । ସେମାନଙ୍କର ଯେପରି ଅଧିକାର ଅଛି, ସେହିପରି ରହୁ, ସେମାନଙ୍କୁ ଇଂରେଜଙ୍କ ବଶ୍ୟତା ସ୍ୱୀକାର କରିବା ଲାଗି ବାଧ୍ୟ କରା ନ ଯାଉ । ସେମାନଙ୍କ ସ୍ୱାର୍ଥ ଉପରେ ଯେପରି ତିଳାର୍ଦ୍ଧ ଆଞ୍ଚ୍‌ ନ ଆସେ ବ୍ୟବସ୍ଥା ହେଉ-। ଭାରତର ଗଭର୍ଣ୍ଣର ଜେନେରାଲ ଓେଲ୍‌ସଲି ରାଜା ସୁରେନ୍ଦ୍ରଙ୍କ ସଙ୍ଗେ ସନ୍ଧି କରିଥିଲେ-। ତଦନୁସାରେ ରାଜା ସୁରେନ୍ଦ୍ର ଇଂରେଜଙ୍କୁ ବର୍ଷକୁ ମାତ୍ର ଏକ ହଜାର ଟଙ୍କା ପେସ୍‌କିସ୍‌ ଦେଲେ; ଇଂରେଜମାନେ ତାଙ୍କ ଆଭ୍ୟନ୍ତରୀଣ ରାଜ୍ୟଶାସନରେ ହସ୍ତକ୍ଷେପ କରୁ ନ ଥିଲେ ଓ ବହିଃ ଆକ୍ରମଣରୁ ରକ୍ଷା କରିବା ଦାୟିତ୍ୱ ବହନ କରିଥିଲେ ।

 

ବଣରେ ନିଆଁ, ପାହାଡ଼ରେ ନିଆଁ, ଖୋଲା ପଡ଼ିଆରେ ନିଆଁ, ନଈକୂଳରେ, ଗୁମ୍ପାରେ, ଟାଲମାନଙ୍କରେ ହଠାତ୍‌ ଜଳିଉଠେ ନିଆଁ । ହୋମର ନିଆଁ ନୁହେଁ, ଅହିଆର ବା ଚୂଲୀର ନିଆଁ ନୁହେଁ । ଏ କି ନିଆଁ ? ‘ହିଙ୍ଗୁଳାଠାକୁରାଣୀ’, ଦେହୁରୀ କହିଥିଲା, ପୂଜାଧୁଜା ବି ଧୁମ୍‌ ଚାଲୁଥିଲା ।

 

ଦିନେ ଦେଖୁ ଦେଖୁ ବିଜ୍ଞାନବୁଦ୍ଧି ଆଳୁ ଖୋଳୁ ମହାଦେବ ବାହାର କଲା । କଳା କଳା ମହାଦେବ—କଳା ରୁଦ୍ରମଣି ହୋ ଜୟ ।

 

ମୁଗୁନିପଥର ପରି ଦିଶୁଚି, ଏ ପଥରପରି ଟାଣ ନୁହେ, ପଥର ଜଳେନାହିଁ, ଏ—ହଁ ତ ଜଳୁଚି ହୁତୁ ହୁତୁ, ଶୁଖିଲା କାଠ ପରି । କଳା କାଠ ଏ—କିନ୍ତୁ କୁରାଢ଼ିରେ ହାଣିବାକୁ ପଡ଼େନାହିଁ । ଏ ଜ୍ୱାଳାଦେବୀ ନୁହନ୍ତି, ନୂଆ ଯୁଗର ଜାଳେଣି । ଏ ଠାକୁରାଣୀ ନୁହନ୍ତି, ଘରରାଣୀମାନଙ୍କର ଅତି ଆଦରର ଧନ—ପଥରକୋଇଲା । ‘ଜାଳ ନ ହେଲେ ଜୀରା ନ ଫୁଟ’—ଏ ତତ୍ତ୍ୱ ବୁଝନ୍ତି ଭଲ ସେଇମାନେ ।

 

ଦେହୁରୀ ତାକୁ ଠିକ୍‌ ଠିକ୍‌ ଚିହ୍ନିପାରି ନ ଥିଲା—ଚିହ୍ନିଲେ ଇଂରେଜସାହେବ କାପଟେନ୍‌ କିଟି । କୋଇଲା ଆବିଷ୍କାର ଦିନ ହିଁ କୃଷିରାଜ୍ୟ ତାଳମୂଳରେ ସେ ପହିଲେ ଶିଳ୍ପର ମୂଳଦୁଆ ପକାଇଲେ । ଲୋକେ ବୁଝିଲେ—କୃଷି ଛଡ଼ା ଅନ୍ୟ ଧନ୍ଦା ଥାଇପାରେ, ଯୋଉଥିରୁ ବହୁତ ବେଶୀ ରୋଜଗାର ହୁଏ ।

 

କଟକରୁ ରେଲ୍‌ଲାଇନ୍‌ ପଡ଼ିଲା, ପହିଲେ ମାଲଗାଡ଼ି ଚାଲିଲା; ଖଣିରୁ କୋଇଲା, ଜଙ୍ଗଲରୁ କାଠ ବୋହିନେଲା । ତା’ପରେ ଚାଲିଲା ପାସେଞ୍ଜର ଗାଡ଼ି । ଏହାର ପ୍ରଥମ ଯାତ୍ରୀ ହେବାର ଗୌରବଲାଭ କଲେ ରାଜା ଈଶ୍ୱରଚନ୍ଦ୍ର ।

 

ରାଜା ସୁରେନ୍ଦ୍ରଙ୍କ ରାଜତ୍ୱରେ କୋଇଲାର ଆବିଷ୍କାର । କୋଇଲାଖଣି ଭଲଭାବେ ଚାଲୁହେବା, ରେଲ୍‌ଲାଇନ୍‌ ପଡ଼ିବା ଓ ପାସେଞ୍ଜର ଗାଡ଼ି ଚାଲିବା ମଧ୍ୟରେ ପ୍ରାୟ ତିନି ପୁରୁଷ ଚାଲିଗଲା; ଖଣିରୁ ପ୍ରଚୁର ରୟାଲ୍‌ଟି ମିଳିଲା ଓ ତାଳମୂଳ ରାଜାଙ୍କ ଆୟ ଚତୁର୍ଗୁଣ ବଢ଼ିଗଲା ।

 

ଗମ୍ଭୀରସାଆନ୍ତ ଗୁଣସାଗର ମହାବୀରକେଶରୀ ନାମ ଧାରଣକରି ପୁଣି ଥରେ ଅଭିଷିକ୍ତ ହୋଇଥିଲେ । ପ୍ରଥମ ଗାଦିନାସୀନ ହେବାପରେ ତଡ଼ାଖାଇ ତାଙ୍କ ମୁହଁ କେଶରା ପଡ଼ିଯାଇଥିଲା । ବାପ ଥାଉଁ ଥାଉଁ ପୁଅ କେମିତି ଗାଦିରେ ବସିଲା ? ପାତ୍ରମନ୍ତ୍ରୀ କହିଦେଲେ କ’ଣ ହେଲା ? ୟାଙ୍କର ନିଜର ବୁଦ୍ଧି ନାଇଁ ? ବାପାଙ୍କ ପ୍ରତି ଭକ୍ତି, ସମ୍ମାନ ନାହିଁ ? ରାଜଗାଦିଟା କ’ଣ ଏତେବଡ଼ ଜିନିଷ ହୋଇଗଲା ? ଦଳ ଦଳ ପ୍ରଜା ଏମିତି ବିଚରାବିଚରି ହେଉଥିଲେ । ଗୁଣସାଗରଙ୍କ କାନରେ ଏ କଥା ବାଜିଲାକ୍ଷଣି ସେ ବିଚାରୁଥିଲେ—ମୁହଁ ବନ୍ଦ କରିଦେବେ । ଯୋଡ଼ି ଯୋଡ଼ି ବାନ୍ଧିଆଣି ତତଲା ବାଲିରେ ଛିଡ଼ାକରି ଯାଉଁଳିବେତ ଲଗାଇବେ, ନୋଳା ଫାଟି ରକ୍ତ ବୋହିଲାପର୍ଯ୍ୟନ୍ତ । ଜୁଆନ୍‌ ରାଜରକ୍ତ ଟିକେ ଟିକେ କଥାରେ ଗରମ ହୋଇଯାଉଥିଲା ।

 

ରାଜଯୋଗ୍ୟ ଚେହେରା ତାଙ୍କର ଥିଲା । ଥାଳୀପଟ ପରି ଜୁଆନ୍‌ ମୁହଁକୁ ମାନିଲାଭଳି ନିଶ ଦିପଟା ରଖିଥିଲେ—ଖୁବ୍‌ ଗହଳ, କାନରେ ଲାଗେ ନ ଲାଗେ । ତାକୁ ଚାହିଁ ଦିଟା ଢିମା ଢିମା ଆଖି; କ୍ରୋଧରେ ଗୋରା ମୁହଁ ଲାଲ୍‌ ପଡ଼ିଗଲେ ଆଖି ଦିଟା ଯେମିତି ହିଙ୍ଗୁଳ, ନିଶ ଦିପଟ ସେମିତି କରଡ଼ା କରଡ଼ା ହୋଇଯାଉଥିଲା ।

 

ବଦନ ତ ବେଶ୍‌ ବୋହିଥିଲେ, ସାଉଁଳା ଦିହରେ ମାଛି ବସୁ ନ ବସୁ ଖସିପଡ଼ୁଥିଲା । ଏଡ଼େ ସୁନ୍ଦର ଦିହରେ ବିଧାତା ଟିକିଏ ହେଲେ ବିବେକ ଦେଇ ନ ଥିଲା । ବିଚାରବୁଦ୍ଧି ଥିଲେ ସେ ଆଗପଛ ବିଚାରିଥାନ୍ତେ—ବାପା ଥାଉଁ ଥାଉଁ ଗାଦିରେ ବସିବା ଭୁଲ୍‌ କି ଠକ୍‌, ପରବୁଦ୍ଧିରେ ପଡ଼ିବା ଭୁଲ୍‌ କି ଠିକ୍‌ ? ତା’ହେଲେ ତାଙ୍କୁ ଏତେ ଅପଦସ୍ତ ହେବାକୁ ହୋଇ ନ ଥାନ୍ତେ । କେତେକାଳ କାହୁଁ ଅଇଲାପାରି ବାରଦୁଆର ଶୁଣ୍ଢିପିଣ୍ଡା ହୋଇ ବୁଲି ନ ଥାନ୍ତେ ।

 

ଅଜାତଶତ୍ରୁ ତଡ଼ିଥିଲେ ବିମ୍ବୀସାରଙ୍କୁ, ଅଉରଙ୍ଗଜେବ୍‌ ସାହାଜାନ୍‌ଙ୍କୁ । ବଳ ଥିଲେ ଗୁଣସାଗର ତଡ଼ିଦେଇଥାନ୍ତେ ସୁରେନ୍ଦ୍ରଙ୍କୁ । କ୍ଷମତାଲାଳସାରେ ଅନ୍ଧ ସେ; ବାପାଙ୍କ ପ୍ରତି କର୍ତ୍ତବ୍ୟ ଭୁଲିଯାଇଥିଲେ, ମାଆଙ୍କ କଥା ମାନୁ ନ ଥିଲେ । ସାଧାରଣ ଘର ପରି ରାଜବାଟିରେ କ’ଣ ସ୍ନେହ ଶ୍ରଦ୍ଧା ଥାଏ ? ନା ରଜା ଧନ, କ୍ଷମତାରେ ନିଜେ ବାୟା ହୋଇଥାନ୍ତି, ପିଲାମାନଙ୍କୁ ବାୟା କରିଦେଇଥାନ୍ତି ? କେହି ଅଛି ନ ଅଛି ବିଚାରି ସେ ମଦ୍ୟପାନ କରନ୍ତି ବା ଗର୍ହିତ, ଅନୁଚିତ କଥାମାନ କରନ୍ତି ? ଫଳରେ ରାଜାପିଲାଙ୍କ ମଧ୍ୟରେ ଜଣେ ଆର ଜଣକ ପରି— ହୋଇଥାଏ ଯାବତୀୟ ଦୁରଭ୍ୟାସର ନମୁନା ।

 

ଏଥର ଗାଦି ଦେଇ ରାଜା ସୁରେନ୍ଦ୍ର ତୀର୍ଥବାସୀ ହେଲେ; ଗୁଣ ବିନୀତ ପୁତ୍ରର ଏକ ଛଳ ଅଭିନୟ କରୁଥିଲେ । ତାଙ୍କ ଭିତରଟା ଯେ ପୋଡ଼ା, ଦେଖୁଚି କିଏ ? ସୁରେନ୍ଦ୍ର ବିଚାରିଲେ—ପୁଅ ପଶ୍ଚାତ୍‌ତାପ କରିଛି । ସେ ଶାନ୍ତ ମନରେ ବିଦାୟ ନେଲେ ।

 

କଥା ଅଛି—ଗୁଣସାଗର

ଗୁଣ ପଶିଗଲା ଅଖା ଭିତର

ଅଖା ଧୋଉଥିବି

ଗୁଣ ଗାଉଥିବି ।

 

ଏ ତୁଚ୍ଛା ନାଆଁଟାଏ—ଅନ୍ଧ ନାଆଁ ଯେପରି ପଦ୍ମଲୋଚନ । ନାଆଁ ସଙ୍ଗେ ରୂପ ବା ଗୁଣର କି ସଂପର୍କ ଅଛି ?

 

ପ୍ରଜାଙ୍କ ହାରିଗୁହାରି ଶୁଣିବା ରାଜାର ଧର୍ମ, ପ୍ରଜାଙ୍କ ଲାଗି ରାଜା ନିଜର କର୍ତ୍ତବ୍ୟ ନ କରି ତୀର୍ଥବ୍ରତ କରିଯିବାରେ ଆଉ କୋଉ ବଡ଼ ଧର୍ମ ଲାଭ ହୋଇପାରେ ?

 

ରାଜାଙ୍କୁ କେହି ବୁଝାନ୍ତି ନାଇଁ, ବୁଝେଇ ପାରନ୍ତି ନାଇଁ ବୋଲି । ରଜା ବୋଇଲେ ଅବୁଝାପଣର ଏକ ପ୍ରତିମୂର୍ତ୍ତି । କଣ କହନ୍ତିନି—‘ଭଲ ବତାଇଛି ଜଟାଧାରୀ ରେ ବରାଙ୍ଗୀ ।’

 

କାଳେ କାଳେ ମୁନିଋଷିଙ୍କି ରଜାଙ୍କ ଡରଭୟ ଥିଲା । ବେଳେ ବେଳେ ସେଇମାନଙ୍କ ପରାମର୍ଶରେ ରାଜ୍ୟଶାସନ ଚାଲୁଥିଲା । ପ୍ରଜାରଞ୍ଜନ ରାଜାଙ୍କ ଏକମାତ୍ର ଧର୍ମ; ପ୍ରଜାଙ୍କ ଲାଗି ରାମ ସବୁ ସୁଖଶାନ୍ତିରେ ଜଳାଞ୍ଜଳି ଦେଇଥିଲେ ।

 

ଗୁଣସାଗର ଅବୁଝାମଣା, ରାଣୀମଣିମାନଙ୍କ କଥା ତ ପାଣିର ଗାର, ଏ ଜିଦ୍‌ଖୋର ରଜାଙ୍କ ପାଖେ; ପାତ୍ରମନ୍ତ୍ରୀଙ୍କ କଥା କୋଉ ରହିବ ? କାହିଁକି ମିଛରେ ହାଣକୁରାଢ଼ି ବେକକୁ ଆଣିବେ ? ରାଜ୍ୟ ଚାଳରେ ରହୁ, ନହେଲେ ଚୂଲୀକି ଯାଉ । ମାରିପିଟି ଟିକସ ଆଦାୟ କରିବା ସେମାନଙ୍କର କାମ—ରାଜକୋଷକୁ ପଇସାଏ ଦେଲେ ଘରକୁ ନିଅନ୍ତି ଦିପଇସା । ରଜା ନ ରହିଲେ କୋଉ ଅଲାଭ ହୋଇଯାଉଚି ! ବରଂ ବାଘ ନଥିଲେ ମିରିଗଙ୍କ ନାଟଟା ଜମେ ଭଲ, ବାଦ୍ୟଟା ବାଁତାଳିଆ, ବେତାଳିଆ ହେଉଚି ବୋଲି କେହି ବାଛିବନାଇଁ । ଏକ ଜାଗାରେ ଅନେକ ଖିଆଲ କାମ କରେ, ଜଣକ ଜାଗାରେ ହୁଅନ୍ତି ଅନେକ ରାଜା ।

 

‘କେବଳ ଏତିକି ଶୁଭ କଥା ଯେ ରଜା ନିଜ ମୁଣ୍ଡକୁ ଆଉ କିଛି ଅଡ଼ୁଆ ରଖି ନ ଥିଲେ, ସଂସାର ଲୋକେ ନିନ୍ଦାବାର କିଛିହେଲେ ହେତୁ ନ ଥିଲା । କଥା ଅଛି—

 

ଘରେ ଝିଅ ରଖିଲେ ଅଡ଼ୁଆ

ଘିଅ ରଖିଲେ କଡ଼ୁଆ ।

 

ବେଶୀ ଦିନ ଝୋବାରେ ରଖିଲେ ଖାଣ୍ଟି ଗୁଆଘିଅ ହେଇଥିଲେ ବି ରହଣିଆଆ ଗନ୍ଧାଏ, ବଢ଼ିଲା ଝିଅ ବେଶୀ ଦିନ ଅବିହାଡ଼ୀ ରହିଲେ ନିଆଁ ରେ ନିନ୍ଦାରଟେ ।

 

ରଜାଙ୍କର ଗୁଡ଼ିଏ ଜେମାମଣି, ଯୋଗ୍ୟ ଜେନାମଣିମାନଙ୍କ ହାତରେ ଦେଇ ସେ ଖୁସି । ଲହଡ଼ାର ମୁନିପାଳ, ନରସିଂହପୁରର ମାନସିଂହ, ମଧୁପୁର ଗଡ଼ର ଧୀରେନ୍ଦ୍ରବୀରବର, ନୟାଗଡ଼ର ମାନ୍ଧାତାଙ୍କ ଜୋଇଁ ଭାବେ ପାଇ ତାଙ୍କ ଛାତି ଫୁଲି ଉଠୁଥାଏ । ଅପତିଆଣୀ ଡମୁଣୀ ଜେମାଙ୍କୁ ରେଢ଼ାଖୋଲର ଜେନାମଣିଙ୍କ ହାତରେ ସେ ଅର୍ପଣ କରିଥାନ୍ତି । ଜେମାମାନଙ୍କୁ ବିଭା ଦେବାରେ ରାଜକୋଷ ତ ଶୂନ୍ୟ ହେଲା, ମାଗଣରରେ ପ୍ରଜାମାନଙ୍କ କୋଠି, ଅମାର ମଧ୍ୟ ଓଳିଆ ପୋଳିଆ ହୋଇଗଲା ।

 

ସେତେବେଳେ ଘୋର ନଅଙ୍କ ଦୁର୍ଭିକ୍ଷ, ମଣିଷ ମାଉଁସ ଜାଣ ମଣିଷ ଖାଉଥାନ୍ତି । ଗଛର ପତର, ପୋଖରୀର କଇଁବେଣ୍ଟ, ଜଙ୍ଗଲର କନ୍ଦାକରବା, ବିଲର ମୁଠି, ଗଇଶ, ମଦରଙ୍ଗା ଶାଗ ବି ରହୁ ନଥାଏ । ଲୋକେ ପେଟ ଚିପି ଚିପି ଗୋରୁଗାଈଙ୍କ ପରି ଏଠି ସେଠି ଚରୁଥାନ୍ତି, ବାଡ଼ିପୋଖରୀରେ ପହ୍ଲ ପହ୍ଲ ମରୁଥାନ୍ତି । ବାଟ ଅବାଟ ସବୁଠି ମଡ଼ା, ଅମଡ଼ା ବାଟ ଇ ନାଇଁ ।

 

ଅତି ଆପଣାସୁଖୀ ଏ ରଜା, ଲୋକ ମଲାଗଲା ହୋଇ ପଡ଼ିଥିବା ବେଳେ ଜବରଦସ୍ତି ମାଗଣ ଆଦାୟ କରୁଥିଲେ; ନର କଙ୍କାଳମାନଙ୍କ କାନ୍ଦଣା ଭିତରେ ଜେମାମଣିମାନଙ୍କ ପାଟିମୁଦି, ବାଟହସ ଓ ମଙ୍ଗଳକୃତ୍ୟ ଉତ୍ସବ ବଢ଼ୁଥିଲା ।

 

ହଉ, ଭଲ ହେଲା, ଗୋଟାଏ ବଡ଼ କାମ ଛିଡ଼ିଲା; ଏଣିକି ଭଲା ଧାନଅମାର ଖୋଲ, ସାହୁକାରଙ୍କ ଦାଉରୁ ପ୍ରଜାଙ୍କୁ ରକ୍ଷା କର । ଅଳଙ୍କାରପତ୍ରରୁ ବାସନକୁସନ, ଆଖିର କଜ୍ଜଳରୁ ମୁହଁର ତେଜ, ମନର ଓଜ, ଦେହର ବଳବୀର୍ଯ୍ୟ ସବୁ ଶୋଷି ନେଉଥିଲେ ଏ ପଙ୍ଗପାଳଦଳ । ମନରେ ଚିନ୍ତାଦକ ନାଇଁ, ନାହିରେ ତେଲ ପକାଇ ହାୱା ଖାଇ ବୁଲୁଥିଲେ ଏ ରାଜା । ଏ କାଳମହରଗ ରାଜବାଟିକି ଟିକିଏ ହେଲେ ବାଧୁ ନଥିଲା । ପାନରୁ ଚୂନ ଖସୁ ନଥିଲା । ରଜାଙ୍କ ଫୁଲପତ୍ରି ପଡ଼ିଆ ହେଉ ନ ଥିଲା ।

 

ପ୍ରଜା ଘରେ ଜନ୍ମିଥିଲେ ମରିଥାନ୍ତା, ଏ ନଅଙ୍କିଆ ପୁଅର ହେପାଜତ କରିଥାନ୍ତା କିଏ ? ସାତ ଜେମାରେ ରଜାଘରେ ଜନ୍ମିଚି, ରୂପାବାଟିରୁ ସୁନା ଶାମୁକାରେ ଦୁଧ ପିଉଚି, ଜନ୍ମରୁ ସୁନାଦୋଳି, ପାଟମୁଚୁଳି । ଏତେ ବଡ଼ ମରୁଡ଼ିରେ ବି ରଜାବାଟିରେ ଘିଅ ମହୁ ବର୍ଷା ହଉଚି, ଦାନଖଇରାତ ଚାଲିଚି । ଅତି ଆନନ୍ଦ ଭିତରେ ହାଟବାଟ ଜୁର ହୁକୁମ୍‌ ହେଇଚି, ହାଟୁଆବାଟୁଆ ରଜାଘରୁ ମୂକ ଜମାରୁ ବହୁତ ବେଶୀ ନଉଛନ୍ତି ।

 

ସାତ ଜେମାରେ ପୁଅଟିଏ; ପୁଅ ହେଲେ ତୀର୍ଥବ୍ରତ କରିବେ ବୋଲି ରାଜା ମନେ ମନେ ସଂକଳ୍ପ କରିଥିଲେ । ବଡ଼ଲୋକଙ୍କ ସଂକଳ୍ପମାନେ କାର୍ଯ୍ୟ—

 

ତୁମେ ମନ କଲେ କେବେ କେବେ

ଆମେ ମନ କଲେ ଏବେ ।

 

ରଜାଙ୍କ କଥା—ମଥା କଟିଗଲେ ବି ଅନ୍ୟଥା ନୁହେ । ପୁଣି ମରଦ୍‌କା ବାତ୍‌ ହାତୀକା ଦାନ୍ତପରି ଶକ୍ତ । କାଳାକାଳ ବିଚାର ନାଇଁ । ରଜା ବାହାରି ପଡ଼ିଲେ—ଯିବେ କାମାକ୍ଷାରୁ କାଞ୍ଚୀ, ବଦ୍ରିନାଥରୁ ରାମନାଥ, ମଥୁରାପୁରୀରୁ ମଧୁରାପୁରୀ; ଭାଇବିରାଦର, ବ୍ରାହ୍ମଣ, ଚାକର ମିଶି ସଙ୍ଗରେ ପଚାଶ ଜଣ; ଚାଲିଲା ରାଜପଟୁଆର—ଘରେ ହାତୀ, ଦିଘର ଓଟ, ପନ୍ଦରବଖରା ଘୋଡ଼ା, ଖଣ୍ଡେ ଟମ୍‌ ଟମ୍‌ ଗାଡ଼ି । ରାଜକୋଷ ପ୍ରାୟ ଶୂନ୍ୟ; ଏଣେ ନଅଙ୍କ, ବିସୂଚିକା, ମହାମାରୀ । ରାଜ୍ୟ ସଙ୍ଗେ ରାଜାଙ୍କ ସଂପର୍କ କେବଳ ଟଙ୍କାକଉଡ଼ିର ସଂପର୍କ—କେତେ ଦୁହିଁ ପାରିବେ ? ଦୁହୁଁ ଦୁହୁଁ ଗାଈ ଚିରରୁ ଦୁଧ ନ ଝରି ଯେ ରକ୍ତ ଝରୁଥିଲା, ଏ ଦୃଶ୍ୟ ତାଙ୍କୁ ଦିଶୁ ନ ଥିଲା । ସେ ତୀର୍ଥ କ୍ଷେତ୍ରରୁ ବାରମ୍ବାର ବରାଳ ଗଡ଼ନାୟକଙ୍କ ନିକଟକୁ ଟଙ୍କା ଲାଗି ତାଗିଦ୍‌ କରି ଭାଷା ଲେଖୁଥିଲେ–

 

‘‘ଶ୍ରୀ ଶ୍ରୀ ରାଜେ ଗୁଣସାଗର ମହାବୀର କେଶରୀଙ୍କର ବରାଳ ଗଡ଼ନାୟକ ଓ ସୋମନାଥ ଦିଆନ ପଟ୍ଟନାୟକଙ୍କୁ ଅନୁଗ୍ରହ ଆଜ୍ଞା, ଏ ନିମନ୍ତେ ଆଜ୍ଞା ଅବଧାନ କଲୁଁ କି ବର୍ତ୍ତମାନ ତୁମ୍ଭେ ଯେଉଁ ତିନିହଜାର ଟଙ୍କା ପଠାଇ ଅଛ ସେ ଟଙ୍କା ପାଇ ଏ ପାଏକକୁ ବିଦାୟ କରିଦେଲୁଁ । ଏହା ତୁମ୍ଭ ଜାଣିବା କାରଣ ଲେଖାଗଲା । ବର୍ତ୍ତମାନ ଏଠାରେ ଶିବରାତ୍ର କଲୁଁ । ସପ୍ତମୀ କି ଅଷ୍ଟମୀ ଦିନ ଏଠାରୁ ଦମାଛ କରିବୁ, ଏ ବିଷଏ ।

 

ବର୍ତ୍ତମାନ ଆମ୍ଭ ଗହଣରେ ହାତୀ ଘରେ, ଓଟ ଦିଘର, ଘୋଡ଼ା ପନ୍ଦର ବଖରା, ଏକ ଗାଡ଼ି । ଏମାନେ ଥିବାରୁ ଗମ୍ଭୀରସାମନ୍ତଙ୍କ ପାଇଁ ପୋଷାକ ଖରିଦ୍‌ ପାଇଁ ଖର୍ଚ୍ଚ ନିଅଣ୍ଟ ହେଲା । ବର୍ତ୍ତମାନ ଲେଖା ଗଲେ କିଛି ଖର୍ଚ୍ଚ ଆସିବ । ଭିତରଆଡ଼େ ନାନୀଙ୍କର ହାତରେ ଖବର ଦେଇ ବଡ଼ି, ଆଚାର ଦୁଇଜଣ ସୁଆର ବ୍ରାହ୍ମଣ ହାତେ ପଠାଇବ । ଆଉ ଅଧିକ କି ଅଛି ।

 

ଆମ୍ଭ ଛାମୁଁରୁ ଲେଖ ନ ଯିବାପର୍ଯ୍ୟନ୍ତ ପଠାଇବନାହିଁ । ଯଦ୍ୟପି କୌଣସି ଲୋକ ପଠାଇବ ସେସବୁ ମଣିଷ ବଡ଼ ସଡ଼କରେ ରାଣୀଗଞ୍ଜ ବାଟେ ଆସି ରାୟା ବଳଦେବ କଟାରିୟା ଘରେ ତଲାସ ନେଲେ ଆମ୍ଭର ଲୋକକୁ ବୈଦ୍ୟନାଥରେ ଦେଖିବେ ।

 

ଶ୍ରୀରାଜା (ଦେବନାଗରୀ ସ୍ୱାକ୍ଷର)

 

ବେଳେ ବେଳେ ମୁଲକ କଥା ମନେ ପଡ଼ିଯାଏ; ସେ ଚିନ୍ତା କିନ୍ତୁ ବେଶୀ ଗହୀରକୁ ଭେଦେନାଇଁ । ଭସା ମେଘ ପରି ଆସୁ ଆସୁ କୁଆଡ଼େ ଉଡ଼ିଯାଏ ।

 

‘‘ବର୍ତ୍ତମାନ ମୁଲକଭାର ତୁମ୍ଭ ଉପରେ ଦେଇ ଦମାଛ କରୁଅଛୁ । ଏଥର ତୁମ୍ଭେ ଗମ୍ଭୀରସାମନ୍ତଙ୍କର ଶୀଅଙ୍ଗ ଓ କିଲ୍ଲାର ଭଲମନ୍ଦରେ ହୁସିଆରରେ ସବୁ ବ୍ୟବସ୍ଥା କରିବ । ଆଉ ଅଧିକ କି ଲେଖିବୁଁ । ସବୁ ଜାଣିବ । ଦଶ ଅଙ୍କ ତୁଳା ସତର ଦିନ ।’’

 

ପ୍ରଜାଙ୍କ ଦୁଃଖ ଧୋଇଲେ ଶୁଖେଇଲେ ସରୁନାଇଁ, ତେଣିକି ନିଘା ନାଇଁ । ସେଥିରେ ସେ ମନଇଚ୍ଛା ଖର୍ଚ୍ଚକରି ଆପେ ଚଳିବେ, ପୁଣି ଅସମୟ ସମୟରେ ବନ୍ଧୁବାନ୍ଧବଙ୍କୁ ଚଳାଇବେ । ବଣେଇରାଜାଙ୍କ ଚିଟାଉରୁ ସେ କଥା ଜଣାଯାଏ ।

 

ରାଜ୍ୟର ଦୂରବସ୍ଥାରେ ବି ସେ ବର୍ଷ ବଣେଇଁ ରାଜକୁମାରଙ୍କର ମଙ୍ଗଳକୃତ୍ୟରେ ତାଳମୂଳର ରାଜା ବହୁତ ଆର୍ଥିକ ସାହାଯ୍ୟ ଦେଇଥିଲେ । ବଣେଇଁ ଟୀକାଏତ ଇନ୍ଦ୍ରଦେଓ ସେଥିଲାଗି ବଧେଇ ଦେଇଛନ୍ତି । ସେ ରାଜା ଗୁଣସାଗରଙ୍କୁ ‘ବଡ଼ୁ’ ଅର୍ଥାତ୍‌ ବାପାଙ୍କ ବଡ଼ଭାଇ ବୋଲି ମାନ୍ୟ କରୁଥିଲେ । ରାଜାଙ୍କ ମୃତ୍ୟୁ ପରେ ସେ ପାତ୍ର ବରାଳ ଗଡ଼ନାୟକଙ୍କୁଦେଖି ଲେଖିଛନ୍ତି—

 

‘‘ସ୍ୱସ୍ତି ଶ୍ରୀ ମହାଧିରାଜାଧିରାଜ ଶ୍ରୀ ମହାରାଜକୁମାର ଶ୍ରୀଯୁତ ଇନ୍ଦ୍ରଜିତ ଦେଓ ଶ୍ରୀ ଟୀକାଏତ୍‌ ବାହାଦୁରଙ୍କର ବରାଳ ଗଡ଼ନାୟକଙ୍କୁ ଗୌରବ ହୁକୁମ୍‌ ଏମନ୍ତ ଯେ ଆମ୍ଭର ଓ ତାଳମୂଳର ଯେ ପ୍ରାୟ ସେତ ତୁମ୍ଭଙ୍କୁ ଗୋଚର ଯେ କିଛି କଥାର କହଁତ ଲେଖାଯିବ, ମାତ୍ରକ ବଡ଼ୁବାବାଙ୍କର ହେତୁରୁ ବହୁତ ଅବଶୁଷରେ ରହିଛୁଁ, ଆମ୍ଭଙ୍କୁ କିଛି ପରୱାୟେ ନ ଥିଲା, କେବଳ ଆମ୍ଭ ଦୁର୍ଭାଗ୍ୟର କଥା; ମାତ୍ରକ ତୁମ୍ଭେ ଯେଉଁ ଅଛ ଆମ୍ଭର କେହୁଣସି କଥାର ପରୱାୟେ ନାହିଁ ।

 

ବଡ଼ୁଙ୍କର ମଦତରୁ ଶ୍ରୀ ଶୁଭ ମଙ୍ଗଳକୃତ୍ୟ ଓତ୍ତମ ରୂପରେ ହଇହେଲା, ମାତ୍ରକ ଆମ୍ଭର ଏଠାରୁ ଦୁଇଶପଚାଶ ଟଙ୍କା ପଠାଇ ଦିଆଯାଇଥିଲା ।

 

ଡଙ୍ଗା ଚାଲାଣ କଲୁଁ । ଡଙ୍ଗା ଛତିଶଖଣ୍ଡ ପଠାଗଲା ଯେ ବାଟରେ କେତେ ରହିଲା ଯେ ଉକ୍ତ ବେଭାର ଧରି ପୂଜାରୀକୁ ପଠାଗଲା ।

 

ତୁମ୍ଭେ ଯାଇ ଯେ ବିଧି ତା କରାଇ ପୂଜାରୀଠାରୁ ଯେ ହାଲ ତା ଜାଣିବ । ତୁମ୍ଭେତ ଆମ୍ଭର ଘରର ମଣିଷ ବିଶେଷ କି ।’

 

ପ୍ରଜାଙ୍କ ଝାଳବୁହା ଧନ ଦେଶର କୌଣସି ହିତକାର୍ଯ୍ୟରେ ଲାଗୁ ନ ଥିଲା । ରାଜଚର୍ଚ୍ଚାରେ ଓ ରାଜାଙ୍କ ବନ୍ଧୁ କୁଟୁମ୍ବ ଚର୍ଚ୍ଚାରେ ପ୍ରାୟ ସବୁ ବିନିର୍ବୟ ହୋଇଯାଉଥିଲା ।

 

ରାଜାଙ୍କ ଜୀବନର ନୀତି ଥିଲା—ଆପେ ବଞ୍ଚିଲେ ବାପର ନାମ । ନିଜେ ଭଲ ତ ଦୁନିଆଁ ଭଲ । ଖାଇପିଇ ନିଜେ ଆରାମରେ ରହ; ପରଲାଗି ପୁଅମୁଣ୍ଡଛୁଆଁ କାଇଁକି ? ଯେଝା କଥା ସେ ବୁଝିବ । ତୁମ ମୁଣ୍ଡ ବଥାଉଚି କାଇଁକି ?

 

ଦୁନିଆଁରେ କେତେ ଦୁଃଖ ପୂରିରହିଚି, ତୁମର ବଳ କେତେ ? ତୁମେ କ’ଣ ସମସ୍ତଙ୍କ ଦୁଃଖ ଦୂର କରିପାରିବ ? ଯଦି ନ ପାରିବ, ମିଛକୁ ବାଡ଼େଇକଚାଡ଼ି ହଉଚି କାଇଁକି ?

 

ଅସଲ କଥା—ଏ ଦୁଃଖରାଜ୍ୟରେ ତୁମେକେତେ ସୁଖୀହୋଇପାରୁଚ; ତୁମେ ନିଜକୁ ସୁଖୀ କରୁ କରୁ କିଏ ଯଦି ଖାଲରେ ଖମାରେ ପଡ଼ିଗଲା, କ’ଣ କରିବ ? ତା ଦୁର୍ଭାଗ୍ୟ ସେ, ଦୁନିଆଁରେ ସମସ୍ତଙ୍କ ଭାଗ୍ୟଲିପି ଲେଖିବା ତୁମର କାମ ନୁହେଁ । ସେ କାମ ଜନ୍ମଦିନରୁ ସରିଛି । ଅନ୍ୟର ଭାଗ୍ୟ ବଦଳାଇପାରିବ କିଏ ? କୋଉ ଯୁଗରେ କିଏ କରିପାରିଛି ? ଆଉ ତୁମେ ମିଛକୁ ହମ ହମ ହଉଚ କାଇଁକି ?

 

ରଜା ଲୁଣିଆ ଲୁହରୁ ମିଠା ମହୁ ବାହାରକରି ପିଉଥିଲେ । ଏମିତି କରି କରି ତାଙ୍କ ଜୀବନ ବିତିଗଲା ।

 

ସଂସାରରେ ବହୁତ ସ୍ୱାର୍ଥପର ଲୋକ ଅଛନ୍ତି । ଗୁଣସାଗର ତା ଭିତରୁ ଜଣେ ହୋଇଥିଲେ ଚଳନ୍ତା । କିନ୍ତୁ ସେ ରଜା, ସବୁ ପ୍ରଜାଙ୍କ ପାଇଁ ତାଙ୍କର ସ୍ଥିତି, ପ୍ରଜାଙ୍କ ସୁଖ ପାଇଁ ଜୀବନ ମୂର୍ଚ୍ଛିବା ତାଙ୍କର କାମ । ଏ ଚେତନା ତାଙ୍କର ନ ଥିଲା ।

 

ଗୁଣସାଗରଙ୍କ ବଡ଼ ଅବିଗୁଣ ପ୍ରକାଶ ପାଇଲା ଶେଷଜୀବନରେ । ପିଲାଦିନରୁ ତାଙ୍କ ମନରେ ପ୍ରତିହିଂସା ବଡ଼ ତୀବ୍ର ଥିଲା । ବହୁ ତୀର୍ଥାଟନ, ଦେବଦେବୀ, ଯୋଗୀସନ୍ନ୍ୟାସୀ କିଛିହେଲେ ପରିବର୍ତ୍ତନ ଘଟାଇ ପାରି ନ ଥିଲେ । ସଂସାର ପ୍ରତି ନ ଥିଲା ଟିକିଏ ଉଦାସୀନ ଭାବ ବା ବୈରାଗ୍ୟ-

 

ତାଙ୍କର ଭିଣୋଇ ଅନୁଗୁଳର ସର୍ବମାନ୍ୟ ରାଜା ସୋମନାଥ ସିଂହ । ସେ ପିତା ସୁରେନ୍ଦ୍ରଙ୍କୁ ସୈନ୍ୟ ସାହାଯ୍ୟ ଦେଇ ତାଳମୂଳ ରାଜବାଟି ଘେରାଉ କରିଥିଲେ, ଲାଙ୍ଗୁଳ ଜାକି ପଳାଇବା ଛଡ଼ା ଅନ୍ୟ ବାଟ ନଥିଲା । ଶଳା ବୋଲି ସେ ଯଦି ମୁହଁକୁ ନ ଚାହିଁଲେ, ଭିଣୋଇଁ ବୋଲି ମୁଁ ଚାହିଁବି କାହିଁକି ?’

 

କଥା ଅଛି—

ଆପଣା ହସ୍ତେ ଜିହ୍ୱା ଛେଦି

 

କେ ତାର ଅଛି ପ୍ରତିବାଦୀ ?

 

ନିଜର ଯେ କ୍ଷତି ଘଟାଉଛନ୍ତି, ନିଜ ଭଉଣୀର କାଚ ଛେଚି ରାଣ୍ଡ କରାଉଛନ୍ତି, ଏ ଧାରଣା ମନରେ ପଶିଲା ନାହିଁ, ସୋମନାଥଙ୍କ ଚୁମ୍ବକୀୟ ବ୍ୟକ୍ତିତ୍ୱ ଯୋଗୁଁ ସୁରେନ୍ଦ୍ର ଯଦି ବ୍ରତ ଗ୍ରହଣ କଲେ, ଗୁଣ ପୁଣି ରାଜଗାଦି ଲାଭ କଲେ, ଏ ଉପକାର ମନେ ପଡ଼ିଲା ନାହିଁ । ମଣିଷ ଶୀଘ୍ର ଉପକାର ଭୁଲିଯାଏ;ଅପକାରକୁ ଆଜୀବନ ମନେ ରଖେ ।

 

ନିଜର ଶଳା ବିଶ୍ୱାସରେ ବିଷ ଦେବ, ଏ ଧାରଣା ସୋମନାଥଙ୍କର ନ ଥିଲା । ଚିଟାଉ ପାଇବାମାତ୍ରେ ଆଗପଛ କିଛି ନ ବିଚାରି ଘୋଡ଼ାରେ ବସି ସେ କୃଷ୍ଣଚକ୍ର ଗଡ଼ରୁ ତାଳମୂଳ ଚାଲିଆସିଲେ; ସିଂହଦ୍ୱାରରୁ ଉଆସ ଶଳା ପାଛୋଟିନେବ କ’ଣ, ବିପରୀତ କଥାଟାଏ ଘଟିଲା । ସିଂହଦ୍ୱାର ଦିପଟେ ଲୁଚିଥିବା ଇଂରେଜ ସୈନ୍ୟ ଆସି ଘେରିଗଲେ, ବନ୍ଧୁକ ଦେଖାଇଲେ । ତରବାରୀ ବୁଲାଇବାକୁ ବା ପିସ୍ତଲ ଚଳାଇବାକୁ ବେଳ କାଇଁ ରଜା ବାଧ୍ୟ ହୋଇ ଉପରକୁ ହାତ ଟେକିଲେ । ତାଙ୍କ ତରବାରୀ, ବାଙ୍କଛୁରୀ ଆଉ ପିସ୍ତଲ ଛଡ଼ାଇ ନିଆଗଲା । ହାତକଡ଼ି ଆଉ ଗୋଡ଼ବେଡ଼ି ଦେଇ ସଶସ୍ତ୍ର ଜଗୁଆଳଦଳ ଭିତରେ ତାଙ୍କୁ କଟକ ଚାଲଣ କରାଗଲା । ଯତ୍‌ସାମାନ୍ୟ ପେନ୍‌ସନ୍ ଦେଇ ନଜରବନ୍ଦିରେ ରଖାଗସ୍ତ । ଅପରାଧ—ରାଜଦ୍ରୋହ, ଯଦି ବା ତାର ତିଳାର୍ଦ୍ଧ ପ୍ରମାଣ ନ ଥିଲା ।

 

ପ୍ରବଳର ଏ ଗୋଟିଏ ଆଳ, ମେଣ୍ଢାଛୁଆକୁ ଗଧିଆର ଆଳ ପରି । କୌଣସି ଗୋଟେ ଅପବାଦ ଦେଇ ଇଂରେଜମାନେ ଏମିତି ଗୋଟିକ ପରେ ଗୋଟିଏ ରାଜ୍ୟ ଦଖଲ କରିଯାଉଥିଲେ ।

 

ରାଜା ବନ୍ଦୀ ହେବାପରେ ଅନୁଗୁଳ ଖାସ୍ ହେଲା; କାଲିର ରାଜପରିବାରରେ ଲୋକେ ଆଜି ଦାଣ୍ଡର ଭିକାରୀ ହେଲେ । ଅନୁଗୁଳର ରାଜଭକ୍ତ ପ୍ରଜା, ଦେଶପ୍ରେମୀ, ପ୍ରଜାରଞ୍ଜକ, ବୁଢ଼ାପଙ୍କ ଯୁଦ୍ଧବିଜେତା ମହାବୀର ରାଜା ସୋମନାଥ ସିଂହଙ୍କ ଲାଗି ସେତେବେଳେ ବହୁତ କାନ୍ଦିଛନ୍ତି । ଏବେ ବି ସେ ଦୁଃଖ ମନେପଡ଼ିଲେ ଲୁହ ଗଡ଼ିଆସେ ।

 

କେତେଦିନ ପରେ ରାଜା ସୋମନାଥଙ୍କୁ ହାଜାରୀବାଗ୍‌ ଜେଲକୁ ପଠାଗଲା, ସେନାପତି ସିନ୍ଧୁ ଗଡ଼ନାୟକଙ୍କୁ କଳାପାଣି ଦଣ୍ଡ ହେଲା ବନ୍ଦୀ ଅବସ୍ଥାରେ ରୁଗଣ୍‍ ସୋମନାଥ ଶେଷ

 

ରାଜା ଗୁଣସାଗର ବିଦେଶୀ ଶାସକଙ୍କଠାରୁ ବିଶ୍ୱାସଘାତକତାର ଉପଯୁକ୍ତ ପୁରସ୍କାର ଲାଭ କଲେ । ସରକାରୀ ଚିଠିରେ ତାଙ୍କୁ ମେହେରବାନ୍‌ ଦୋସ୍ତାନା (ପ୍ରିୟବନ୍ଧୁ) ସମ୍ବୋଧନ କରାଯାଉଥିଲା । ତାଙ୍କୁ ‘ମହୀନ୍ଦ୍ର ବାହାଦୁର୍‌’ ଉପାଧି ସହିତ ଏକ ଖିଲାତ୍ ଓ ଏକ ଘର ହାତୀ ପୁରସ୍କାର ମିଳିଥିଲା । ଏ କଥା ମନେପଡ଼ିଲେ ତାଳମୂଳର ସ୍ୱଦେଶପ୍ରେମୀଙ୍କ ମୁଖ ଘୃଣାରେ ବିକୃତ ହୋଇଯାଏ ।

 

ବିଦେଶୀ ଶାସକଙ୍କ ସହିତ ଅଧିକ ବନ୍ଧୁତା ଜମାଇବାକୁ ଗୁଣସାଗରଙ୍କୁ କାଳ ସହିଲା ନାହିଁ । ରାଜନଅର ପନ୍ଦାଡ଼ରୁ କେଳା ଧରିଥିଲା ଗୋଟାଏ କୋଳଥିଆ ନାଗ; ମାଠିଆରେ ସାପକୁ ରଖି ସରା ଘୋଡ଼ାଇ ରାଜାଙ୍କୁ ଦେଖାଇବାଲାଗି ଆଣିଥିଲା ସେ—ଆଶା—ପୁରସ୍କାର । ମନରେ ପିଲାଳିଆ କୌତୁକ । ରାଜା ସାପକୁ ଦେଖିବାକୁ ଚାହିଁଲେ । ସରା କାଢ଼ିବା ମାତ୍ରେ ରାଗରେ ନାଗ ରାଜାଙ୍କ ମୁହଁରେ ମାରିଲା ଚୋଟ । ଗୁଣସାଗର ସଙ୍ଗେ ସଙ୍ଗେ ଟଳିପଡ଼ିଲେ; କେଳା ଯେତେ ଜାଲମହୁରା ଲଗାଇଲା, କିଛି ଫଳ ହେଲାନାଇଁ । ନଅରରେ କାନ୍ଦବୋବାଳି ପଡ଼ିଗଲା । ପ୍ରଜାପାଟକଙ୍କ ଆଖି ସତେକି ପଥର ପାଲଟିଯାଇଥିଲା ! ଟିକିଏ ହେଲେ ଓଦା ହେଲାନାଇଁ ।

 

।। ଛଅ ।।

 

ତା’ପରେ ପ୍ରୀତିଚନ୍ଦ୍ର ରାଜା ହେଲେ, ବିଧି ଅନୁସାରେ ଯୁବରାଜ ରଜା ହୁଅନ୍ତି ବୋଲି । ରାଜୁତିରେ ତାଙ୍କ ମନ ନ ଥିଲା । ପୁନିଅଁ ଜୁଆର ପରି ସେ ଫୁଲୁଥିଲେ ପ୍ରୀତିରେ ।

 

ସେ ପ୍ରୀତିକବିତା ଲେଖୁଥିଲେ, ପ୍ରୀତିଗୀତ ଶୁଣୁଥିଲେ, ଜପୁଥିଲେ କେବଳ ପ୍ରୀତିମନ୍ତ୍ର । ସେ ବୁଝିଥିଲେ ଯେ ସଂସାରର ସାରପଦାର୍ଥ ପ୍ରୀତି । ପ୍ରୀତିହୀନ ଦେହ ଶବ ମାତ୍ର ।

 

ତାଙ୍କ ରାଣୀଙ୍କ ନାମ ନୟନପ୍ରତିମା । ସୁନ୍ଦରୀ; ଦେଖିଲେ ଆଖିଲାଖିରହେ; କିନ୍ତୁ ପ୍ରାଣରେ ବିନ୍ଦୁଏ ହେଲେ ରସ ନାଇଁ, କମକୁଟକରା ଶୁଖିଲା କାଠକୁଣ୍ଢାଇଟାଏ, ବକ୍ରୋକ୍ତି ବୁଝେନାଇଁ, ହାସ୍ୟରସର କଥା ପଡ଼ିଲେ ବାଲୁବାଲୁ କରି ଚାହେଁ ।

 

କିନ୍ତୁ ଶାଳୀ କନକମଞ୍ଜରୀ ଠିକ୍‌ ତାଙ୍କର ବିପରୀତ; ଚଞ୍ଚଳା; ବିଜୁଳିପରି ଏଠିସେଠି ଚମକି ଉଠନ୍ତି । ପାଠର ଉତ୍ତର ପାଠରେ ଦିଅନ୍ତି, ଶାଠର ଉତ୍ତର ଶାଠରେ । ‘ପାନ ଖଣ୍ଡେ ଦିଅ’ ଏଇ ଅର୍ଥ ଆସୁଥିବା ବହିର୍ଲିପିର ଉତ୍ତର ସେ ବହିର୍ଲିପିର ଦିଅନ୍ତି । କଥାକେ କଥାକେ ଭଞ୍ଜକବିତା; ରୀତିଯୁଗର ବନ୍ଧକୁ ଚିତାରେ ଲେଖନ୍ତି; ଚାଲିରେ ଚାଲିରେ ଭଞ୍ଜଛନ୍ଦ ଫୁଟାନ୍ତି । ଟିକେହେଲେ କୋଉଠି ନ ଅଟକି କେତେ ଛାନ୍ଦ, ଚଉପଦୀ ଗାଇଯାନ୍ତି ସେ । କଳକଣ୍ଠ, ଛଇଛଟକରେ ରସିକହାରାବଳୀ; ଆଖିଦୁଇଟି ନର୍ତ୍ତକୀ, କେତେବେଳେ କୋଉ ଛନ୍ଦରେ ନାଚେ; କେତେବେଳେ ବା ଢେଉଅକମ୍ପିତ ସ୍ଥିର ହ୍ରଦ । ଯୋଡ଼ିଯମକ, ମାଳଯମକ ବା ଶ୍ଳେଷରେ ସେ କଥା କହନ୍ତି । ଦିନେ ବାକ୍‌ଚାତୁରୀ ଭିତରେ ଚାରି ଚକ୍ଷୁ ମେଳ ହୋଇଗଲା ।

 

କନକମଞ୍ଜରୀ ଦିନେ କବାଟ କିଳି ଶୋଇପଡ଼ିଥିଲେ; ଠିକ୍‌ ଶୁଆ ନୁହେଁ, ଚେଇଁ ଶୁଆ; ଭେଣାଇଁପ୍ରାଣର ସ୍ୱାଦୁତା ଚାଖିବା ତାର ଉଦ୍ଦେଶ୍ୟ ।

 

କବାଟ କିଳା ଦେଖି ପ୍ରୀତିଚନ୍ଦ୍ର ଦୁଆରେ ହାତ ମାରିଲେ; ଭିତରୁ ପ୍ରଶ୍ନ—‘କିଏ ?’

 

‘ମୁଁ ମହୀଶ ।’

 

‘ମଇଁଷି ?’

 

‘ମୁଁ କଅଣ କରିବିଟି ?

 

ହାଣ୍ଡିଟା ଭିତରେ ପିହାଣଟାଏ—

 

ମୁଁ ଚମକିପଡ଼ିବିଟି !’

 

‘ମୁଁ ଭୋଗୀ !’

 

‘ସାପ ! ଗାତରେ ନ ପଶି କି ବଡ଼ପଡ଼ିଆରେ ଆହାର ନ ଖୋଜି ମୋ ପୁରକୁ ଅଇଲା କେମିତି ? ପୋଇଲୀମାନେ ଦୁଆର ଜଗିଛନ୍ତି ନାଁ କୁଆଡ଼େ ଟହଲ ମାରୁଛନ୍ତି ?’

 

‘ମୁଁ ଧରଣୀଧର—ଶିବ ।’

 

‘ଶିବ ! କନ୍ଦର୍ପର ଶତ୍ରୁ ଯୁବତୀପୁରକୁ କାହିଁକି ବିଜେ କରିବେ ? ସେ ଦେଉଳରେ ଦିଅଁହୋଇ ରହିବେ, ନଇଲେ ଷଣ୍ଢପିଠିରେ ଟୋଟୋ ହୋଇ ପୃଥୀ ତମାମ୍‌ ବୁଲୁଥିବେ ।

 

‘ମୁଁ ନରହରି—ନରଙ୍କ ଭିତରେ ନାରାୟଣ—ରାଜା ।’

 

‘ଓ, ନରଙ୍କ ଭିତରେ ହରି—ବାନର ? ରାତିଅଧରେ ନିବୁଜ ଅନ୍ତଃପୁରେ ତ ଖରା ପଡ଼ୁନାଇଁ, କି ତରା ଦିଶୁନାଇଁ । ମାଙ୍କଡ଼ଟାଏ ପଶିଲା କେମିତି ?’

 

‘ମୁଁ ଦଣ୍ଡଧର—ରାଜା !’

 

‘ଯମ ? ସେ ଅକାଳେ ମୋ ପୁରକୁ କାହିଁକି ଆସିବେ ?’

 

ପ୍ରୀତିଚନ୍ଦ୍ର ଆଉ ଉତ୍ତର ଦେଇପାରିଲେ ନାଇଁ, ଚତୁରୀ କନକମଞ୍ଜରୀ ପାଖରେ ହାରିଲେ; ବକ୍ରୋକ୍ତିର ଶବ୍ଦଯୁଦ୍ଧରେ ସିନା ହାରକ ହେଲା, ସେ ପ୍ରୀତିଯୁଦ୍ଧରେ ବିଜୟୀ ହେଲେ ବୋଲି ମନେ କଲେ ।

 

ସ୍ୱରାଜ୍ୟକୁ ଫେରିଗଲା ପରେ ସେ ରାଣୀ ନୟନପ୍ରିତିମାଙ୍କୁ ପଚାରିଲେ ନାଇଁ, ପ୍ରଜାମାନଙ୍କ ହାନିଲାଭ ବୁଝିଲେ ନାଇଁ, ଦିନରାତି କେବଳ ଭାଷାଲେଖା ଚାଲିଲା, ଜେମା କନକମଞ୍ଜରୀଙ୍କଠାରୁ ଘନ ଘନ ଉତ୍ତର ମଧ୍ୟ ମିଳିଲା ।

 

ପ୍ରୀତିଚନ୍ଦ୍ର ଲେଖିଲେ—

 

‘ଦାରୁଣ ବିରହବିଚ୍ଛେଦ

କି ଲାଭ ଅଛି ରାଜପଦେ ?

 

ମୋର ଏଠି ରଜା ହବାକୁ ମନ ନାଇଁ, ଯଦି କୋଉଠି ରଜା ହେବାକୁ ଇଚ୍ଛା, ସେ ତୁମ ହୃଦୟରାଜ୍ୟରେ ।

 

ଲୋକଲଜ୍ଜାକୁ ମୁହଁମାଡ଼ି ପଡ଼ିଚି, ଛଟପଟ ହଉଚି, ପାଣିର ମାଛ ଶୁଖିଲାରେ ପଡ଼ିଲେ ଯେମିତି । ତୁମ ଅଧରର ମଧୁରତା କୋଉ ମିଷ୍ଟାନରେ ନାଇଁ, ଦୁଇଟି ଦେହରେ ଗୋଟିଏ ପ୍ରାଣ ଆମର ଗୋ ଜେମା ।

 

ଏହାର ଉତ୍ତର କନକ ଲେଖିଲେ—

 

‘‘ହେ ପ୍ରାଣସଙ୍ଗାତ, ପ୍ରୀତି କାହାକୁ କହନ୍ତି, ଜାଣେନାଇଁ, ସେ ନାଲି ନା ନେଳୀ, କଳା ନା ଧଳା; କୋଉ ରୂପ ଆଉ ରଙ୍ଗରେ ଆସି ସେ ମନକୁ ଭୁଲାଏ ? କେମିତି ନିବୁଜ ଦିହ ଭିତରେ ସେ ପଶେ ? କେମିତି ଧୈର୍ଯ୍ୟର ମଣିମାଣିକ୍ୟ ଲୁଟ୍‌ କରେ ?

 

ସେ କେମିତି ଘୋର ଅନ୍ଧାରରେ ଅବାଟରେ ବାଟ କଢ଼ାଏ ? ମାନମହତକୁ ନିକାଶ କରି ଚାରିଆଡ଼େ ହାଟ ବସାଏ, ତା ଡେଙ୍ଗୁରା ଶୁଣିଲେ ଛାତି କଣ ହେଇଯାଏ ?

 

ସେ ନିଶା ନୁହେଁ, ମୁଣ୍ଡ ଘୂରାଇଦିଏ, ଉଚ୍ଚନୀଚ ଭେଦ ମାନେନାଇଁ, କାଳାକାଳ ବିଚାର ବି କରେନାଇଁ । ପ୍ରୀତି କି ପଦାର୍ଥ ମୋତେ ବୁଝାଇ ଲେଖିବ—

 

ପଥର ହେଲେ ତରଳିବ

ପୀରତି ଯାହା ହୃଦେ ଥିବ ।

 

ହେ ଭେଣାଇଁ, ମୋର ହାର ନିଅ, ଲୁହର ହାର, ରାତି ଉଜାଗର ରହି ଗୁନ୍ଥିଚି । ଦକ୍ଷିଣା ପଠାଇଦିଅ, ମୋକଥା ପଚାରିଚ, କ’ଣ ଲେଖିବି ?

 

‘ଯଥା ଗଙ୍ଗଶିଉଳି

ଅରୁଣ କିରଣେ ଯାଏ ଝାଉଁଳି ।’

 

ତୁମକୁ ଭୁଲିଯିବା କଥା ଲେଖିଚ ! କେମିତି ଭୁଲିବି ? ତୁମେ ମୋର ଜପାମାଳୀ, ମୁଁ ତୁମର ପାଦଧୂଳି, ତୁମେ ମୋର ଟୋପିଚନ୍ଦନ, ଗଳାରତନ ।

 

ତୁମେ ପୁରୁଷ, ଭ୍ରମର ଜାତି, ଏ ଫୁଲୁ ସେ ଫୁଲେ ବୁଲିବା ତୁମ ବେଉସା; କେତେ ରଙ୍ଗରହସ୍ୟ ଲେଖି ଭାଷା ଦଉଚ । ମତେ କ’ଣ କବିତା କି ଗୀତ କରିଆସେ ?

 

ଚରଣରେ ଥାନ ଦେଇ ରଖଏ ଦାସୀରେ

ତୁମେ ତ ଅନ୍ତରଧନ ନ ରହ ଅନ୍ତରେ ।’

 

ତୁମର ତ ଉଆସରେ ରାଣୀ, ଆଉ କିଏ କେତେ ଅଛନ୍ତି । ତୁମ ବିନା ମୋର ଆଉ କିଏ ଅଛି ?

 

ପିଣ୍ଡ ପ୍ରାଣ ତବ ଚରଣେ ବିକି

ପ୍ରାଣ ଥିବାଯାଏ ହେବି ସେବକୀ ।

ପ୍ରାଣ ସଙ୍ଗାତ

ପାସୋରି ଦେଲେଟି

ହେଲି ଅନାଥ

ଯାଉଅଛିଏବେ

ମେଲାଣି ହୋଇ

ମନେ କରୁଥିବ

ପଲଙ୍କେ ଶୋଇ

ହେ କଶିକାକୁଡ଼ି

ମନେ କରୁଥିବ

ଘଡ଼ିକି ଘଡ଼ି ।

 

ତା’ପରେ ପ୍ରୀତିଚନ୍ଦ୍ର ଲେଖିଲେ—

 

‘‘ପ୍ରାତିର ରୂପ ନାଇଁ କି ବର୍ଣ୍ଣ ନାଇଁ, ଥରେ ମନକୁ ଛୁଇଁଲେ ଚୁମ୍ବକ ପରି ସେ ଟାଣିଧରେ, ଯେତେ ଛଡ଼ାଇଲେ ଛାଡ଼େନାଇଁ ।

 

ପ୍ରୀତି ଗୋଟିଏ ନିଶା, ଏ ନିଶା ଧରି ଛାଡ଼ିଯାଏ, ସେ ଛାଡ଼େନାଇଁ; ସେ ସମ୍ରାଟକୁ ବାଟରେ କାଙ୍ଗାଳ ପରି ଛାଡ଼େ, କାଙ୍ଗାଳକୁ ବି ସମ୍ରାଟର ଦିଲ୍‌ ଦିଏ ।

 

ପ୍ରୀତି ନିଆଁରୁ ତାତିଲା; ପାଣିପକାଇଲେ ନିଆଁ ଲିଭେ, ଶୀତଳ ଜଳରେ ଯେତେ ଗାଧୋଇଲେ ବି ପ୍ରୀତିର ତାତି ସେମିତି ଥାଏ । ତଥାପି ରୋଗର ଓଷଦ ଅଛି, ବିରହିଣୀଙ୍କ ଛାତିର ଉତ୍ତାପ ଊଣା କରିବାର ଶୀତଳଉପଚାର ରାଜବାଟିରେ ଜେମାମଣିମାନେ ବ୍ୟବହାର କରି ଆସିଛନ୍ତି, ତୁମେ କରିବ, ପଦ୍ମପତ୍ର ଉପରେ କଇଁନାଡ଼ ପକାଇ ଶୋଇବ, ବାସିଚନ୍ଦନ, ବେଣାଚେର ଓ କର୍ପୂର ବାଟି ଛାତିରେ ବୋଳୁଥିବ, ଶିବ, ଶିବ ଜପୁଥିବ ।

 

କଳାହାଣ୍ଡିଆ ମେଘକୁ ଚାହିଁବ ନାଇଁ, ବିଜୁଳି ମାଇଲେ ଆଖି ବୁଜିଦେଉଥିବ, ପୁନେଇଁ ଚାନ୍ଦ କାହାକୁ ଭଲ, କାହାକୁ ସଲ, ଜାଣିବ, ଏ ଏକ ନିଆଁ ଉହ୍ମେଇ, ତାତିଲା ଛାତିକି ତରଳାଇ ଝରାଇଦିଏ, ଗବାକ୍ଷ ବନ୍ଦ କରିବ ।

 

ଦେଖୁଚ, ଫଗୁଣର ଏ ପଲାଶ, ବିରହିଣୀମାନଙ୍କ ବୁକୁ ବିଦାରି ରକ୍ତରେ କେମିତି ଲାଲ୍‌ ହେଇଚି !

 

ପ୍ରାଣର ପ୍ରିୟା, କେବଳ ସବୁବେଳେ ତୁମ କଥା ଭାବୁଚି । ସଂସାର ପିତା ଲାଗିଲାଣି ।’’

 

ପ୍ରୀତିଚନ୍ଦ୍ର ଦିନେ କନକକୁ ଧରି କୁଆଡ଼େ ଯେ ଅନ୍ତର୍ଧାନ ହୋଇଗଲେ କେହି ପତ୍ତା ପାଇଲେ ନାଇଁ । କେତେ କୁଆଡ଼େ ବେଉରା ଗଲା ।

 

ଦୂତ ବରଗି ପାତ୍ରମନ୍ତ୍ରୀମାନେ ଗୋଟା ଭାରତବର୍ଷ ଖୋଜାଇଲେ । କୌଣସି ସନ୍ଧାନ ମିଳିଲା ନାହିଁ । ଏ ମଧ୍ୟରେ ଦୁଇ ତିନି ବର୍ଷ ବିତିଗଲା । ରାଜ୍ୟ ଅପାଳକ ହେଲା । ଯୁଆଡ଼େ ଶୁଣିବ ଚୋରୀ, ଲୁଟି, ହଣାମରା, ପୋଡ଼ାଜଳା, ହରଣଚାଲ୍‌ ।

 

ପାତ୍ରମନ୍ତ୍ରୀମାନେ ବୁଝିବିଚାରି ପ୍ରୀତିଚନ୍ଦ୍ରଙ୍କ ସାନଭାଇ ପଟ୍ଟାୟତ ପୂର୍ଣ୍ଣଚନ୍ଦ୍ରଙ୍କୁ ଗାଦିନାସୀନ କଲେ ।

 

ସିଂହାସନରେ ବସିବାର କିଛି ଦିନ ପରେ ପୂର୍ଣ୍ଣଚନ୍ଦ୍ର ମହାବୀରକେଶରୀ ମହୀନ୍ଦ୍ର ବାହାଦୂରଙ୍କୁ ଅତିସାର ରୋଗଧରିଲା । କେଡ଼େ କେଡ଼େ କୁଣ୍ଡଳମଣ୍ଡିତ ପଣ୍ଡିତପ୍ରବର ରାଜକବିରାଜମାନେ ବଡ଼ ବଡ଼ ବଟୁଆମାନ ଘେନି ପହଞ୍ଚିଲେ, ସେମାନେ ନିଜ ଡିଣ୍ଡୀମ ନିଜେ ପିଟୁଥିଲେ, ନିଜ ହାତଯଶ କଥା ନିଜେ ବଖାଣୁଥିଲେ—କେଡ଼େ କେଡ଼େ ରୋଗକୁ ଫୁତ୍‌କାରରେ ଉଡ଼ାଇ ଦେଇଛନ୍ତି, ରୋଗୀକୁ ଗୋଟେ ଆଡ଼ୁ ଝିଙ୍କୁଚି ଯମ, ଅନ୍ୟ ଆଡ଼ୁ ଝିଙ୍କୁଛନ୍ତି ବୈଦ୍ୟରତ୍ନ; ଯମ ହାରିଯାଇ ଉଡ଼ନ୍ତ ମଇଁଷିରେ ବସି ପଳାଇଲା ଆଉ ଦିନେ ସାମ୍ନାକୁ ଆସେନାଇଁ, ଅମକ କବିରାଜ ଲାଗିଛନ୍ତି ବୋଇଲେ ସେ ବାଟ କାଟି ପଳାଏ; ଏ ଖଣ୍ଡମଣ୍ଡଳରେ ଯଶ ବ୍ୟାପିଚି—ଗୋଟିଏ ମୋଦକ, ପାନେ ଚୂର୍ଣ୍ଣକ, ଗୋଟିଏ ବଟିକା କି ଟିକିଏ ସୁବର୍ଣ୍ଣ ଭସ୍ମ ପଥିପାଚନ ବିଧିରେ ଖାଇଥିଲେ ରୋଗୀ ଏକାବେଳକେ ଆରୋଗ୍ୟ ହୋଇଯାଏ । ନପୁଂସକ ଛାଗଳ ଖୋଜିଆଣି ଯୋଉ ଛାଗଳାଦିଘୃତ ପ୍ରସ୍ତୁତ ହୋଇଚି, ସେଥିରୁ ଟୋପାଟିଏ ସେବା କଲେ ବାରବର୍ଷର ପୁରୁଣା ବେମାରି ଛାଡ଼ି ପଳାଏ—ଶ୍ୱାସ, ଅତିସାର, ଅପସ୍ମାର, ବାତ, ପିତ୍ତ ବା କମ୍ପଜ୍ୱର, ରାଜଯକ୍ଷ୍ମା ଆଦି ଯେଡ଼େ ଅସାଧ୍ୟ ରୋଗ ହେଉ, ଛାଗଳାଦିଘୃତର ବାଷ୍ପ ଆଘ୍ରାଣ କଲେ ଭଲ ହୋଇଯାଏ ।

 

ଏବେ ସର୍ବରୋଗ ମହୌଷଧଟିଏ ବାହାର କରିଚି—କୋଟିଏ ରୋଗକୁ ଗୋଟିଏ ମାତ୍ର ଓଷଧ । ବଡ଼ବଟୁଆ ଆଉ ବୋହିବାକୁ ହବନାଇଁ, ଏ ପାନଖିଆ ବଟୁଆର ଚୂନଦାନୀ ଖୋଳ ଭିତରେ ପଣେ ବଟିକା ରହିଯାଇପାରିବ । ତୁଳସୀପତ୍ର, ମହୁ କି ପାନପତ୍ର ରସ ଅନୁପାନରେ ବଟିକାଟିଏ ଦେଇ ନାହିରେ ମାଲପା ପକାଇ ବସିଥାଅ—ଦେଖିବ—କାଛୁକୁଣ୍ଡିଆରୁ କାଶଶର୍ଦ୍ଦି, ମୁଣ୍ଡବୁଲାରୁ ପେଟବଥା, ଅଣ୍ଟାବିନ୍ଧାରୁ ଆଖିଧରା, ବସନ୍ତରୁ ବାଡ଼ିପୋଖରୀ, ଗଣ୍ଠିବାତରୁ କଟିବାତ, ଗାଲୁଆଓହଳାରୁ ଗଳିତ କୁଷ୍ଠ, ଶାଣ୍ଡିକ, ପିଛୁଳିପଡ଼ାରୁ ଦାନ୍ତଝଡ଼ା—ରୋଗୀ ଘଡ଼ିକ ପରେ ଆସି ଗୋଡ଼ ତଳେ ପଡ଼େ; ରୋଗୀଙ୍କ ଆନନ୍ଦରେ ମୋ ଆନନ୍ଦ । ପାଉଣା ଦେଲେ କି ନ ଦେଲେ ସେ ପଛକଥା ।

 

ମହାମାରୀଶତ୍ରୁ ଶଲ୍ୟ, ବସନ୍ତଭୂତଭୈରବ, ଶ୍ୱାସମୁଗହର୍ଯ୍ୟକ୍ଷ, ଜ୍ୱରଜରାସନ୍ଧଭୀମ, ବାତବ୍ୟାଧିଧୂମକେତୁ ଆଦି ମହ୍ୟୈଷଧିର ଗୁଣ କିଏ ନ ଜାଣେ ?

 

ଏମିତି ବଡ଼ ବଡ଼ କଥା ଶୁଣିଲେ କେଡ଼େ କେଡ଼େ ‘ବ୍ୟାଧିତମ ଭାସ୍କର’, ‘ରସରତ୍ନବାରିଧି’ ଉପାଧିଧାରୀ ବୈଦ୍ୟମାନଙ୍କ ଓଷଧ ରାଜା ପୂର୍ଣ୍ଣଚନ୍ଦ୍ର ସେବନ କଲେ । ସବୁ ‘ନାମ୍‌ ବଡ଼ା ଦରଶନ୍‌ ଥୋଡ଼ା’ ।

 

କେଡ଼େ କେଡ଼େ ଗୁଣିଆଁ ଆସି ଦିହ ଝାଡ଼ିଲେ, କିଳିଲେ; କିଛି କାଟୁ କଲାନାଇଁ । ଶେଷକୁ ହାଡ଼ମାଳ, କଙ୍କାଳ ରହିଲା, ଚମଢ଼ାଙ୍କୁଣି ମାତ୍ର । ଉଠିବସିବାକୁ ବଳ ପାଉ ନ ଥାଏ । ଏକଦମ୍‌ କତରାଲଗା, ଆଖି ଗାଡ଼େ ଗାଡ଼େ ପଶିଚି । କୋଉ ମୁହୂର୍ତ୍ତରେ ପ୍ରାଣ ଛାଡ଼ିଯିବ, କିଏ ଜାଣେ ?

 

ତା’ହେଲେ ତାଳମୂଳ ରାଜାଙ୍କ କୁଳ ବୁଡ଼ିଯିବ, ଚଉଦିଗ ଅନ୍ଧାର !

 

ବଞ୍ଚିବାର କିଛିହେଲେ ଆଶା ନ ଦେଖି ରାଜମାତା କୁସୁମମାଳା ପୁତ୍ରକୁ ଜଗନ୍ନାଥଙ୍କୁ ସମର୍ପିଦେଲେ, କାନିପଣତକୁ ବେକରେ ଗୁଡ଼ାଇ ସାଷ୍ଟାଙ୍ଗ ନମସ୍କାର କଲେ, ଆଉ ସଂକଳ୍ପ କଲେ–ପୁଅ ଯଦି ଏ ଘାଟିରୁ ବର୍ତ୍ତିଯାଏ, ଶ୍ରୀମନ୍ଦିରରେ ଲକ୍ଷେ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ ଦେବି, ଲକ୍ଷେ ଯୋଡ଼ ପିନ୍ଧାଇବି, ବିଧିମତେ ଦକ୍ଷିଣା ଦେବି ।

 

ଏ ଶୁଭଇଚ୍ଛାର ବଳ କେତେ ସାଙ୍ଗେ ସାଙ୍ଗେ ଜଣାପଡ଼ିଗଲା । ଦିହରେ ଜଗନ୍ନାଥଙ୍କର ପାଦୁକ ବୋଳାହେଲା; ତାଜୁବ୍‌ କଥା, ସେଇଦିନଠାରୁ ଆସ୍ତେ ଆସ୍ତେ ରାଜା ଭଲଆଡ଼କୁ ଆସିଲେ ଓ ମାସକ ପରେ ପୂରା ଭଲ ହୋଇଗଲେ ।

 

ଜଗନ୍ନାଥଙ୍କ ଦୟାରୁ ବଞ୍ଚିଛନ୍ତି, ପ୍ରତିବର୍ଷ ଜଗନ୍ନାଥଦର୍ଶନ ତାଙ୍କର କାମ୍ୟ ହେଲା । ଅଷ୍ଟଶମ୍ଭୁଙ୍କ ସଙ୍ଗେ ଲିଙ୍ଗରାଜ, କେଦାରେଶ୍ୱର, ଧବଳେଶ୍ୱର, ପର୍ଶୁରାମେଶ୍ୱର, ମୁକ୍ତେଶ୍ୱର ଆଦି ଈଶ୍ୱରଙ୍କୁ ଦର୍ଶନ କରିବା ଲାଗି ମଧ୍ୟ ତତ୍ପର ରହିଥାନ୍ତି ।

 

ସବୁକିଛି ବିଳାସବ୍ୟସନ ହାତପାଆନ୍ତାରେ; ସେ ମାତିପାରିଲେ ନାଇଁ; ଭୟ—ପୁଣି କାଳେ ରୋଗ ହବ !

 

ରୋଗବ୍ୟାଧି ଭଗବାନଙ୍କ ହାତର ଚାବୁକ ପରି । ସେଥିରେ ସେ ଦୁର୍ଦ୍ଦାନ୍ତକୁ ଶାସନ କରନ୍ତି । ଶାସନ ବାହାରକୁ ଗଲେ ନିକାଶ କରନ୍ତି ।’

 

ପୂର୍ଣ୍ଣଚନ୍ଦ୍ର ଦେଉଳ ତୋଳାଇଲେ, ଦେଉଳ ଲଗାଏତ୍‌ ପୋଖରୀ ଖୋଳାଇଲେ; ଦେବଦେବୀଙ୍କ ଲାଗିବହୁତ ଖଞ୍ଜାପଡ଼ା କଲେ ।

 

ସେ ହରିହରିପୁର, ଜଗନ୍ନାଥପୁର, ଲୋକନାଥପୁର, ପୂର୍ଣ୍ଣଚନ୍ଦ୍ରପୁର ଆଦି ବ୍ରାହ୍ମଣଶାସନ ବସାଇଲେ—ତ୍ରିସନ୍ଧ୍ୟାରେ ସେମାନେ ଆଶୀର୍ବାଦ କରିବେ, ଲୋକଙ୍କ ମଙ୍ଗଳ କରିବେ, ହୋମଯଜ୍ଞ, ଜପତପ, ତୀର୍ଥବ୍ରତ, ଦେବପୂଜାରେ ଦିନ କଟାଇବେ । ଲୋକଙ୍କ ମନକୁ ସଂସାର ମାୟାରୁ ଦୂରେଇ ରଖିବେ, ପର ପରମେଶ୍ୱର, ପ୍ରତି ଜୀବ ଭିତରେ ପରମ ଅଛନ୍ତି, ଏଇ ଭାବ ପ୍ରଚାର କରିବେ ।

 

ସେ ପ୍ରତି ପରିବାର ଲାଗି ପାଞ୍ଚମାଣ ଲାଖରାଜ୍‌ ଜମି ଦାନ କଲେ, ପ୍ରତି ଦୁଆରେ ଗୋଟିଏ ଗୋଟିଏ ମଣ୍ଡପ ଗଢ଼ିଲେ, ପ୍ରତି ଗ୍ରାମରେ ଗୋଟିଏ ଚୌପାଢ଼ୀ, ଗୋଟିଏ ଭାଗବତଟୁଙ୍ଗୀ ବସାଇଲେ । ଖୁବ୍‌ ବିଦ୍ୟାଚର୍ଚ୍ଚା, ଧର୍ମଚର୍ଚ୍ଚା ଚାଲିଲା ।

 

ଗାଁର ଗୋଟେପାଖେ ଗୋପୀନାଥ, ଆରପାଖେ ନୀଳକଣ୍ଠେଶ୍ୱର ବା ମହୀମଣ୍ଡଳେଶ୍ୱର, ମଝିରେ ମଙ୍ଗଳା, ଏଠିକି ଲୋକେ ଦିଅଁମଙ୍ଗୁଳିଯାନ୍ତି, ଆଞ୍ଜୁଳି ଚାଉଳ, ଗୁଆ ଅର୍ଘ୍ୟ ଦିଅନ୍ତି । ଏଠି ଦଣ୍ଡନାଟ ହୁଏ, କଣ୍ଟାପାଟ, ନିଆଁପାଟ, ଖଣ୍ଡାପାଟ ହୁଏ । ପଣାସଂକ୍ରାନ୍ତିକି କାଳସୀ ସମେତ ଭକ୍ତମାନେ ଲିଆପଣା ଟିକିଏ ମାତ୍ର ପିଇ ଓପାସ କରିଥାନ୍ତି, ଶୁଦ୍ଧପୂତଭାବେ ରହିଥାନ୍ତି, ସେମାନେ ଜଳନ୍ତା ନିଆଁ କୁଣ୍ଡରେ ଚାଲନ୍ତି, ଚାଲିଲାବେଳେ ଝୁଣା ବିଞ୍ଚା ହେଉଥାଏ । ପାଦ ଉପରେ ନିଆଁଜଳୁଥାଏ, ଧୂଆଁ ଆଖି ରୁନ୍ଧି ଦେଉଥାଏ ।

 

ସେମିତି ଭକତାମାନେ ଭେଜିବାଇଗଣ କଣ୍ଟାରେ ଖରାରେ ଶୋଇରହନ୍ତି, ଖାଲି ଗୋଡ଼ରେ ଦାଢ଼ୁଆ ଖଣ୍ଡାରେ ଠିଆହୋଇ ରହନ୍ତି କି ଜିଭ ଫୋଡ଼ନ୍ତି, ‘ଦେଖ, ଠାକୁରାଣୀଙ୍କ ମହିମା କେଡ଼େ, ନିଆଁ ପୋଡ଼ୁନାଇଁ, ଖଣ୍ଡା କାଟୁନାଇଁ ।

 

ପରଲାଗି କଷ୍ଟପାଇବା ଭାବ ବହୁତ ଥାଏ । ସେଥିରେ ହିଁ ମଣିଷର ଇଷ୍ଟ, ଜଗତର କଲ୍ୟାଣ ।

 

ସେ ଜମିବାଡ଼ି ବନ୍ଦୋବସ୍ତ କରାଇ ଦେବୋତ୍ତର, ବ୍ରହ୍ମୋତ୍ତର, ଖୋରାପୋଷ୍‌, ବାମେରି, ମହତ୍ତ୍ରାଣ ଆଦି ଯାହାର ଯେପରି ପୂର୍ବ ସ୍ୱତ୍ତ୍ୱ ଥିଲା, ଦଖଲ ଅନୁସାରେ ବାହେଲ କରି ସନନ୍ଦ, ପଟା ଖଞ୍ଜି ଦେଇଥିଲେ ।

 

ରାଜା ସଂସ୍କୃତରେ ସୁପଣ୍ଡିତ ଥିଲେ । ବାର୍ଷିକ ବଡ଼ ଦରବାର ମହୋତ୍ସବ ଛଡ଼ା ପ୍ରତିଦିନ ରାଜଦରବାର ବା ସଭା ବସୁଥିଲା, ଏଥିରେ ବହୁ କବି, ପଣ୍ଡିତ, ଗଳ୍ପସାଗର, ବିଦୂଷକ, ଛାନ୍ଦଜ୍ଞ ଓ ଗାୟକରତ୍ନ ସ୍ଥାନ ପାଉଥିଲେ । ସେ ପଣ୍ଡିତମାନଙ୍କୁ ବାଣୀଭୂଷଣ, ତର୍କଭୂଷଣ, ତର୍କପଞ୍ଚାନନ, ଦୀକ୍ଷିତ, ପରମଗୁରୁ, ବାଚସ୍ପତି, ଖାଡ଼ଙ୍ଗା, ସାନ୍ତରା, ପାଟଯୋଷୀ; ସାହସୀ, ସର୍ଦ୍ଦାର ଓ ସେନାପତିମାନଙ୍କୁ ଓଲଟାସିଂହ, ପାଲଟାସିଂହ, ବାଘସିଂହ, ରଣସିଂହ, ଛୁଆଲସିଂହ, ଝପଟସିଂହ, ଅରିମର୍ଦ୍ଦନ, ବୈରିଗଞ୍ଜନ, ଶତ୍ରୁଶଲ୍ର, ଦକ୍ଷିଣକବାଟ, ଉତ୍ତରକବାଟ, ଗାୟକମାନଙ୍କୁ ଗାୟକରତ୍ନ, ଗାୟକଶିରୋମଣି, କବିମାନଙ୍କୁ କବିସୂର୍ଯ୍ୟ, କବିଚନ୍ଦ୍ର ଆଦି ଉପାଧି ଶାଢ଼ୀ, ସୁନାବଳା ସହିତ ଦେଇଥିଲେ ।

 

ସେ ପୁରସ୍ତମ ଅନୁକରଣରେ ଗଡ଼ର ଚନ୍ଦନପୋଖରୀରେ ଚନ୍ଦନଯାତ୍ରା କରାଉଥିଲେ । ଗଞ୍ଜାମରୁ ଆସୁଥିଲେ ଗୋଟିପିଲା । ଓଡ଼ିଶୀ ନାଚର ଘୁଙ୍ଗୁର, ପଖଉଜ ତାଳରେ ଗଡ଼ କମ୍ପୁଥିଲା ।

 

ଝୁଲଣକୁ ସୋଲର ଅଣ୍ଡିରା ମୟୂର, ଓଲଟ ଶୁଆ, କେଳିକଦମ୍ବ, ପଦ୍ମ, ସେବତୀ ଆସି ଫୁଲ ଆଉ ଅଷ୍ଟସଖୀର କୁଞ୍ଜଟିଏ ସଜାହେଉଥିଲା । କଟକରୁ ଆସୁଥିଲେ କେତେ ପଞ୍ଝା ଯାତ୍ରାବାଲା । ନ ଚାଖିଲା ଦ୍ରବ୍ୟ ଚାଖୁଥିଲେ, ନ ଦେଖିଲା ଦୃଶ୍ୟ ଦେଖୁଥିଲେ । ଶମ୍ବର ମାଉଁସ ଖାଇ ହେଉଡ଼ି ମାରି ଫେରୁଥିଲେ ସେମାନେ । ଯାହା ଦକ୍ଷିଣା, ମେଡ଼ାଲ ପାଉଥିଲେ, ସେଥିରେ ମନବୋଧ ହୋଇଯାଉଥିଲା ।

 

ପୁରୀ ଢାଞ୍ଚାରେ ପୂର୍ବମୁଖା ବଡ଼ଦେଉଳ ତୋଳା ହୋଇଥିଲା, ଗୁଣ୍ଡିଚାବାଡ଼ ଆଉ ବଡ଼ଦାଣ୍ଡ ତିଆରି ହୋଇଥିଲା । ଗୁଣ୍ଡିଚାକୁ ରଥ ଚାଲିଲାବେଳେ ବାହୁକ ବୋଲୁଥିଲା—

 

ମଇଁଷି ପିଠିଟା କଳା

ଆରେ ଜଗନ୍ନାଥେ ଷୋଳକଳା

ନନ୍ଦିଘୋଷ ରଥ ବାଜିଣୀ ବଳା

ବିଜେକଲେ ଚକାଡ଼ୋଳା;

ଯାରେ ରଥ ଯା

ଗୁଡ଼ିଆ ଘରକୁ ଯା

ଶୋଇବାକୁ ଦେବେ ବେଲୁରି ଖଟ

ଖାଇବାକୁ ଦେବେ ଖଜା ।

 

ଯେ ହୁଳହୁଳି ନ ପକେଇବ, ହରିବୋଲ ନ ଦେବ, ତା ପାଟିରେ ଘାଆ ହବ, ଯେ ରଥଦଉଡ଼ି ନ ଭିଡ଼ିବ, ତା ବଡ଼ପୁତ ପଡ଼ି ମରିବ, ଏମିତି ବହୁତ ରାଣନିଅମ ପକାଏ, ବହୁତ ତୁଣ୍ଡରେ ନ ଧରିବା କଥା ଧରେ, କାନ ବୁଜି ଧରିବାକୁ ମନ ହୁଏ, ଦିହ ଶୀତେଇଉଠେ, ରଥ ଘିଡ଼ିଘିଡ଼ି ହୋଇ ଆଗକୁ ମାଡ଼ିଚାଲେ ।

 

ପ୍ରଜାଙ୍କ ଗୁହାରିକି କାନ ଡେରିଥାନ୍ତି ସେ, ମୁହେଁ ମୁହେଁ ହୁକୁମ୍‌, ସାଙ୍ଗେ ସାଙ୍ଗେ କାମ ।

 

ଦିନେ ଜଣେ ପ୍ରଜା ଆସି ଗୁହାରି କଲା–ଛାମୁଁ, ଗଲା ସାଲେ ଭୋଗରାଗ କରିଥିଲି, ହିଙ୍ଗୁଳାଠାକୁରାଣୀଙ୍କର ମୋ ଉପରେ କାଇଁକି ରାଗ, କେମିତି ଜାଣିବି, ଛାମୁଁ ? ଆଶ୍ରା ନବାକୁ ଆଉ ବଖୁରିଏ ହେଲେ ଜାଗା ନାଇଁ, ନିଆଁ ସବୁ ଚାଟିଯାଇଚି । ଭାଗ୍ୟ ଭଲ, ଗୁହାଳ ଭିତରେ ସାହସ କରି ପଶି ପଘା କାଟିଦେଲେ । ଗୋରୁଗାଈ ବଞ୍ଚିଗଲେ ବାସନକୁସନ ସବୁ ଯାଇଚି ଛାମୁଁ, ପିନ୍ଧା ଲୁଗାଖଣ୍ଡିକ ଛଡ଼ା ଆଉ କିଛି ନାଇଁ ।

 

ହୁକୁମ୍‌ ହେଲା—ଶଗଡ଼ ନେଇ ଯାଅ, ଯାହା କାଠ, ବାଉଁଶ ତାର ଲୋଡ଼ା ହବ, କାଟି ଦୁଆରେ ପକାଇଦେଇ ଆସ । ଆରେ ପ୍ରଜା କିଏ, ପୁଅ କିଏ ? ତା ପିଲାଏ କ’ଣ ଭୋକ ଓପାସରେ ମରିବେ ? ଘର ତିଆରି କରି ଚଳାଚଳ ହବାଯାକେ ଯାହା ଚାଉଳ ଦରକାର, ଆମ ଖମାରରୁ ଦେଇଦିଅ ।

 

ଏତିକିବେଳେ ଗୋଟିଏ ଛଞ୍ଚା ଆସିପହଞ୍ଚିଲା—ପାଞ୍ଚ ଗୌଣୀ ସରୁ ଚାଉଳ, ସେଇ ଅନୁକ୍ରମେ ଡାଲି, ପରିବା, ମସଲାମସଲି, ହଳେ ପାଞ୍ଚି ସଙ୍ଗେ ନାଲିଅକ୍ଷରରେ ଲେଖା ଚିଟଉ ।

 

‘କିରେ କ’ଣ ?’

 

‘ଝିଅ ବିଭାଘର !’

 

‘ମାଛ ଯୋଗାଡ଼ କରିଚୁ ?’

 

‘କୁଆଡ଼ୁ ବେଭାର ଆସିପାରେ ।’

 

ବେବେର୍ତ୍ତାଙ୍କୁ ହୁକୁମ୍‌ ହେଲା, ୟାର ଯେତେ ମାଛ ଦରକାର ହବ, ଦେଇଦେବ । ଝିଅ ଜୋଇଙ୍କ ଲୁଗାପଟା ଓଗେର ରାଜବାଟିରୁ ଯିବ ।

 

ଏମିତି ରଜା; ରଜା ଥିଲାକୁ ପ୍ରଜାଙ୍କର କିଛିହେଲେ ଭାବନା ନ ଥିଲା । ଏ ଥିଲେ ପ୍ରଜାପାଳକ, ପୋଷାକ, ବିପଦର ପ୍ରକୃତ ବନ୍ଧୁ ।

 

ତାଙ୍କର ତିନି ରାଣୀ ଥିଲେ, ସେ ସମସ୍ତଙ୍କ ଲାଗି ସିନ୍ଦୂରଟୀକ୍‌କା ବା ହଳଦିଲଗା ମାହାଲ ଖଞ୍ଜିଥିଲେ । ତିନିଙ୍କି ସମାନ ଦୃଷ୍ଟିରେ ଦେଖୁଥିଲେ ।

 

ମହାରାଣୀ ଭିକ୍ଟୋରିୟାଙ୍କ ଭାରତସାମ୍ରାଜ୍ଞୀ ଉପାଧି ଧାରଣ ଉପଲକ୍ଷ୍ୟେ କଟକର ବାରବାଟୀ ପଡ଼ିଆରେ ଗୋଟିଏ ଦରବାର ହୋଇଥିଲା । ଶହ ଶହ ଚିତ୍ରିତ ଶୁଣ୍ଢାଳ, ହଜାରହଜାର ସଜ୍ଜିତ ଅଶ୍ୱ, ବଗିଗାଡ଼ି, ରକ୍ତବର୍ଣ୍ଣ ପୋଷାକଧାରୀ ସହସ୍ରାଧିକ ସୈନିକ, ଘନ ଘନ ତୋପଧ୍ୱନି, ବାଦ୍ୟଧ୍ୱନି ମଧ୍ୟରେ ପୁରୀର ଠାକୁରରାଜା ବିଜେ ହୋଇଥିଲେ; ତାଙ୍କ ପାଲିଙ୍କି ଆଗରେ ଶତ ଶତ ଲୋକ ଦଣ୍ଡ ପ୍ରଣାମ କରୁଥିଲେ ।

 

ଦରବାରର ପ୍ରଥମ ଧାଡ଼ିରେ ବସିଲେ ପାରମ୍ପରିକ ଆଡ଼ମ୍ବରପୂର୍ଣ୍ଣ ପୋଷାକ, ସ୍ୱର୍ଣ୍ଣମୁକୁଟ, ସ୍ୱର୍ଣ୍ଣାଳଙ୍କାର ପିନ୍ଧି ଗଡ଼ଜାତ ରାଜା, ଦ୍ୱିତୀୟ ଧାଡ଼ିରେ ସମ୍ମାନିତ ବ୍ୟକ୍ତିଗଣ । ତାଳମୂଳର ରାଜା ପୂର୍ଣ୍ଣଚନ୍ଦ୍ର ପ୍ରଥମ ଧାଡ଼ିରେ ସମ୍ମାନଜନକ ଆସନ ଲାଭ କରିଥିଲେ । ଲେପ୍‌ଟନାଣ୍ଟ୍‌ ଗଭର୍ଣ୍ଣର ସମସ୍ତ ରାଜାଙ୍କ କରମର୍ଦ୍ଦନ କରିଥିଲେ ! କେହି କେହି ରକ୍ଷଣଶୀଳ ରାଜା ଏହାକୁ ମ୍ଳେଚ୍ଛ ସ୍ପର୍ଶ ଜ୍ଞାନ କରି ଦରବାରର ପୋଷାକପରିହିତ ଅବସ୍ଥାରେ ମୁଣ୍ଡ ବୁଡ଼ାଇ ଗାଧୋଇଥିଲେ ।

 

ରାଜା ପୂର୍ଣ୍ଣଚନ୍ଦ୍ର ଇଂରାଜୀ ପଢ଼ି ନ ଥିଲେ, ଚାଲିଚଳଣିରେ ବଡ଼ବଡ଼ିଆଙ୍କୁ ଅନୁକରଣ କରୁଥିଲେ । ଦରବାରରେ ସେ ପାରମ୍ପରିକ ବେଶଭୂଷଣ, ମୁକୁଟ ଧାରଣ କରୁଥିଲେ, ବାହାରକୁ ଗଲେ ସେ ଆଧୁନିକ ରୀତିରେ ଚଳୁଥିଲେ, ମୋଗଲବନ୍ଦୀ ସହର ଅନୁକରଣରେ ସେ ନିଜ ରାଜଧାନୀକୁ ଗଢ଼ିବାକୁ ଚେଷ୍ଟା କରୁଥିଲେ । ସେ ପୋଷ୍ଟଅଫିସ୍‌, ଡାକ୍ତରଖାନା, ସଂସ୍କୃତି ଟୋଲ୍‌ ସଙ୍ଗେ ମାଇନର ସ୍କୁଲ ବସାଇଥିଲେ; ଥାନା, ଖଜଣାଖାନା, ମହାଫିସ୍‌ଖାନା, ନାଜରଖାନା, ଜେଲ୍‌ ଗଢ଼ିଥିଲେ । ବସନ୍ତ ନିବାରଣ ଲାଗି ସେ ଗୋବୀଜଟୀକା ପ୍ରଚଳନ କରିଥିଲେ, ଲାଞ୍ଚୁଆ, ମିଛୁଆ, ଖଚୁଆ, ଚୋର, ଡାକୁକୁ ଉପଯୁକ୍ତ ଦଣ୍ଡ ଦେଇ ଜବତ କରିଥିଲେ ।

 

ସେ ପଚିଶିଟି ମଛା ମଛା ଘୋଡ଼ା ପାଳିଥିଲେ; ଫିଟନ ଗାଡ଼ିରେ ଥରେ ଯାଉଁ ଯାଉଁ ଗାଡ଼ିରେ ଥିବା ରଜାଙ୍କଭରା ବନ୍ଧୁକ ଫୁଟିଗଲା । ଘୋଡ଼ା ଏ ଶବ୍ଦରେ ହୁରୁଡ଼ି ପାଗଳ ପରି ହୋଇଗଲା, ଗୋଟାଏ ପଥର ପାଚେରୀରେ ପିଟିହୋଇ ତଳେ ପଡ଼ି ଅଚେତା ହୋଇଗଲା । ରଜା ଆଉ ଅନୁଚରମାନେ ଏଠି ସେଠି ଛିନ୍‌ଛତର ହୋଇ ପଡ଼ି ଖଣ୍ଡିଆଖାବରା ହେଲେ । ସେହିଦିନରୁ ସେ ଫିଟନ୍‌ ଗାଡ଼ି ଛାଡ଼ିଲେ, ହାତୀରେ ବା ପାଲିଙ୍କିରେ ବସି ଚଳାଚଳ ହେଲା ।

 

ତାଙ୍କ ସମୟରେ ଘୋର ଅକାଳ ପଡ଼ିଲା, ଚାଉଳ ମାଣ ଚାରି ପଇସା ହେଲା, ହା—ଅନ୍ନ ଚିତ୍କାର ଶୁଣି ରାଜା ଅମାର ଖୋଲିଲେ, ଧାନ ସରିଯିବାରୁ ଧନୀଲୋକଙ୍କଠାରୁ ଧାନ ଆଣି ଲୋକଙ୍କୁ ବଞ୍ଚାଇଲେ । ହୃଦୟରେ ତାଙ୍କର ଦୟାପଦ ଥିଲା । ଗରିବ ଲୋକଙ୍କୁ କାମ ଯୋଗାଇବା ଲାଗି ସେ ବହୁତ ବନ୍ଧ ଖୋଳାଇଥିଲେ ।

 

ଲୋକବିଶ୍ୱାସ—ବାଇଶି, ବତିଶି, ବୟାଳିଶ, ବାଉନ ପ୍ରଭୃତି ଯୋଡ଼ାବର୍ଷ ଘାଟିବର୍ଷ । ରାଜା ପୂର୍ଣ୍ଣଚନ୍ଦ୍ରଙ୍କର ବତିଶ ବର୍ଷ ବୟସରେ ମାରକଦଶା । ନିଜେ ପଠାଣିସାଆନ୍ତ ଜାତକ ଗଣନା କରିଥିଲେ, ଏ ଭୁଲ ହେବାର ନୁହେଁ । କେଜାଣି ଦଶା ମେଣ୍ଟିବ, ରଜା ନାନା ଉପାୟ କଲେ । ଯୌବନ ବୟସରେ ଉଆସ, ରାଜଗାଦି ଆଉ ସୁନାର ସଂସାର ଛାଡ଼ିଯିବା ଇଚ୍ଛା କାହାରି ନ ଥାଏ, ତାଙ୍କର ନ ଥିଲା । ମନ ବଡ଼ ବିକଳ ହେଉଥିଲା । କାହାକୁ ସେ ଅଧା ବୟସରେ ମାରିଥିଲେ, କାହା ଦାନାରେ ଧୂଳି ଦେଇଥିଲେ ? କାହିଁକି ତାଙ୍କୁ ପ୍ରିୟତମା ରାଣୀ, ଅଖଣ୍ଡ କ୍ଷମତା, ଅକଳନ୍ତୀ ଧନଦୌଲତ, ସୁଖସମ୍ଭୋଗ ଛାଡ଼ି ଚାଲିଯିବାକୁ ହବ ?

 

ମାରକ ବର୍ଷ; ରାତିରେ ନିଦ ଭାଜିଲେ ମୃତ୍ୟୁଭୟ, ମୁଣୋହିଁ ବେଳେ, ରାଣୀମାନଙ୍କ ସହିତ ସୁଖାଳାପବେଳେ ମୃତ୍ୟୁଭୟ, ଉଆସର ଆଲୁଅରେ ମୃତ୍ୟୁର ଛାୟା; ଉଆସକୁ ଆବୋରି ବସିଛି ଯେପରିକି ଗୋଟାଏ କାଳରାତି । କେହି ଖୁସିରେ ହସିପାରେ ନାହିଁ, ରଜାଙ୍କ ବିପଦ ସମସ୍ତଙ୍କ ବିପଦ ।

 

ଯମଘଣ୍ଟ, କାଳଘଣ୍ଟ, ମାରକ, ଜୋତିଷେ କହିଛନ୍ତି; ସେଇମାନଙ୍କୁ ତୋଷିବା ଲାଗି ବର୍ଷସାରା ଦେଉଳରେ ଅଲଗା ପୂଜା ବ୍ୟବସ୍ଥା ହୋଇଛି । ପଶ୍ଚିମେଶ୍ୱର ମହାଦେବଙ୍କ ମୁଣ୍ଡରେ ଲକ୍ଷେ ବାଇଶ, ବେଲପତ୍ରୀ ଚଢ଼ା ହେଉଛି, ହିଙ୍ଗୁଳାଙ୍କଠି ଯନ୍ତାଳ, ଗୋପୀନାଥଙ୍କଠି ଚବିଶପ୍ରହରୀ; ଗାଁଗଣ୍ଡାରେ ମାନସିକ ପାଲା ଆଉ ନଗରକୀର୍ତ୍ତନ ଲାଗିରହିଛି । ଯାଗଯଜ୍ଞ, ନବଗ୍ରହପୂଜା ବି ଚାଲିଛି । କେଜାଣି କୋଉ ଦେବଦେବୀଙ୍କ କୃପାଦୃଷ୍ଟି ପଡ଼ିଯିବ, ଗ୍ରହଶାନ୍ତିସନ୍ତୋଷ ଆସିଯିବ । ରାଜା ଦାନଖଇରାତରେ ମାତିଛନ୍ତି । ଶେଷକୁ ପୁରୋହିତ କହିଲେ—ଛାମୁଁ ତୁଳାପୁରଷ ଦାନ କର, ସବୁ ରିଷ୍ଟ କଟିଯିବ ।

 

ହରିଚନ୍ଦନପୁରର ଦାନୁଆଁ ବ୍ରାହ୍ମଣ ମିଛସତ ମିଶ୍ରଙ୍କ ବରଣ କରାଗଲା— ‘ମିଛ ସତ’ ଏକୋଇଶାରେ ବାପାମାଆଙ୍କ ଦିଆ ନାଆଁ ନୁହେଁ, ଚାଲୁ ନାଆଁ, ଚରିତ୍ର ଓ ଚଳଣିକି ଚାହିଁ ଲୋକେ ଏ ନାଆଁ ଦେଇଛନ୍ତି—ମାନେ ମିଛକୁ ସତ ପରି କହି ଯେ ବିଶ୍ୱାସ ଜନ୍ମାଏ ।

 

ମିଶ୍ରେ କିଛି କାମ କରନ୍ତି ନାହିଁ, ଦାନଜମି ଅରାଏ ହୋଇ ତାଙ୍କର କେତେଗୁଡ଼ିଏ ହେଲାଣି; ସେଇଆକୁ ଭାଗ ଲଗାଇ ସେ ଚଳନ୍ତି । ମଝିରେ ମଝିରେ ଜମିଦାର, ବଡ଼ଲୋକଙ୍କଠୁଁ ମୋଟା ଦାନ ମିଳିଯାଏ ।

 

ବହୁତ ଜମିବାଡ଼ି, ଧନଦଉଲତ ଦେଖି ଅସହଣି ଲୋକେ କହନ୍ତି—ଏସବୁ ପାପ ଜମିଚି-। ମିଶ୍ରେ ସମସ୍ତଙ୍କ ପାପ ଝାଡ଼ିଝୁଡ଼ି ଆଣି ଡିହରେ ଜମାଇଛନ୍ତି । ମିଶ୍ରେ ଏସବୁ ଶୁଣି ହସି ହସି କହନ୍ତି—ଡିହରେ କ’ଣ, ଦିହରେ ତ, ସବୁ ପାପ ମୋ ହିରଣ୍ୟଗର୍ଭରେ ପଶି ବ୍ରହ୍ମାଗ୍ନିରେ ଭସ୍ମୀଭୂତ ହୋଇଯାଏ ।

 

ରାଜନିମନ୍ତ୍ରଣ ପାଇ ମିଶ୍ରେ ନିଜ ଭାଗ୍ୟକୁ ଧନ୍ୟ ଧନ୍ୟ କଲେ—ଏକାବେଳକେ ରଜା ବନିଯିବେ–ମାନେ ରଜା ସୁନାରୂପାରେ ଓଜନ ହେବେ, ସୁନାରୂପାତକ ମିଶ୍ରଙ୍କୁ ଦାନ କରାଯିବ, ଚଉଦପୁରୁଷକୁ ଦାରିଦ୍ର୍ୟ ଘୁଞ୍ଚିଯିବେ । ।

 

ସୁନା, ରୂପା ପ୍ରାୟ ଭାରେ, ତା ସାଙ୍ଗେ ଯେତେ ପାଟ, ମଠା । ମିଛସତ ମିଶ୍ରେ ସାଙ୍ଗରେ ଭାରୁଆ ନ ନେଇ ସବୁତକ ଯାଉଁଳି ବାନ୍ଧିଲେ, କାନ୍ଧରେ ପକାଇ ହିଡ଼େ ହିଡ଼େ ଗାଆଁକୁ ଚାଲିଲେ ।

 

ରାଜାଙ୍କ ଗ୍ରହଦଶା ସେ କିଛି ଝାଡ଼ିଝୁଡ଼ି ନେଇଥିଲେ, ମାରକ କେତୁଗ୍ରହ ତାଙ୍କ ପଛେ ପଛେ ଗୋଡ଼ାଇଥିଲା, ବାଡ଼ିଦୁଆର ପାହାଚକୁ ଉଠି ଘରଣୀକି ଡାକ ପକାଉ ଗୋଖୁରସାପ ରୂପରେ ଚୋଟ ମାଇଲା ସେ—ଏକାଥରକେ ରଜାହେବା ସ୍ୱପ୍ନ ଭାଙ୍ଗି ଚୁନ୍‌ଚାନ୍‌ !

 

ଦାନ ଧର୍ମ ପରେ ରାଜା ପୂର୍ଣ୍ଣଚନ୍ଦ୍ର ପାଲିଙ୍କିରେ ଚଢ଼ି ପୁରସ୍ତମ ଗଲେ—ଦିଦଳ ବୁହାଳୀ; ଦଳେ ଥକିଗଲେ ଆଉ ଦଳେ କାନ୍ଧେଇବେ । ସେତେବେଳେ ତାଳମୂଳରୁ କଟକ ଘୋର ଜଙ୍ଗଲ—ମେଣ୍ଢା ଛେଳିପରି ଏଠି ସେଠି ପହ୍ଲ ପହ୍ଲ ହରିଣ, ଶମ୍ବର ଚରୁଥାନ୍ତି । ସାମ୍ନାରେ ବାଟ ଏ ପାଖରୁ ସେପାଖ ଭାଲୁଟାଏ ଚାଲିଯାଏ—ଆଖି ଉପରକୁ ବାଳ ଲମ୍ବିଚି । ବେଳେ ବେଳେ କାନରେ ପଶେ ବାଘର ହେଣ୍ଟାଳ । ତା ମଧ୍ୟରେ ହୁମୁରା ଭାଇରେ ଖବଡ଼ଖାଡ଼ିରେ ଧବଡ଼ ଧାଡ଼ିରେ ଶବ୍ଦ, ରାଜାଙ୍କ ପାଲିଙ୍କି ପୁରସ୍ତମ ଚାଲେ ।

 

ମଗୁଶୀର ମାସର ସିରି ସିରି ଶୀତ; ବଡ଼ିଭୋର୍‌ରୁ ନାଳି କୁହୁଡ଼ି ଭିତରେ କୁଆଁରୀମାନେ ଦାଣ୍ଡ ଓଳଉଥାନ୍ତି—ଦାଣ୍ଡଓଳିଆ ଓଷା ।

 

‘ଆମ ରାଣୀମାନଙ୍କର ଯଦି ନିଃଶ୍ୱାସ ଥାଏ, କାଚ ବଜର ହୋଇଥାଏ, ଆମ ବିକଳ ମିନତି ଯଦି ଠାକୁରାଣୀ ଶୁଣନ୍ତି, କେଜାଣି ପତି ବଞ୍ଚିଯିବେ !’ ରାଣୀ ଚନ୍ଦ୍ରାବତୀ, ରାଣୀ ହେମରାଜଲକ୍ଷ୍ମୀ, ରାଣୀ ଗିରିରାଜକୁମାରୀଙ୍କ ମନରେ ବିଚାର ।

 

ମୂଲ୍ୟବାନ୍‌ ଅଳଙ୍କାରମାନ ଦିହରୁ କାଢ଼ି ଶୀତଳେଇ ଠାକୁରାଣୀଙ୍କ ନାଆଁରେ ପାଣି ଛଡ଼େଇଦେଲେ । ଗରିବାନି ଚଣ୍ଡାଳୁଣୀ ବେଶରେ ଆସି ତିନି ରାଣୀ ସିଂହଦୁଆର ଓଳାଇଲେ । ଠାକୁରରାଜା ସୁନାଖଡ଼ିକାରେ ଛେରାପହରା କରନ୍ତି । ରାଣୀମାନେ କୁଆଁରୀଙ୍କ ଦେଖାଦେଖି ବଜରମୂଳିରେ ଦାଣ୍ଡ ଓଳାଇଲେ—ଏ ଦାଣ୍ଡ କେତେ ବାଟୋଇଙ୍କ ଚରଣରଜ ପଡ଼ିଚି ଏଠି—ସବୁଠାରୁ ଯେ ଉପରେ, ଯେ ସମସ୍ତଙ୍କ ତଳେ, ଆଉ ମଝିରେ ଯେତେ ଯେତେ ଲୋକେ ନଡ଼ା ବା ପତରକୁଡ଼ିଆରେ ରହନ୍ତି—ସମସ୍ତଙ୍କ ପାଦରଜ ତଳକୁ ଆଜି ଓହ୍ଲାଇଆସିଛନ୍ତି ଉଆସର ରାଣୀମାନେ—ଯୋଉ ଜନମରେ ଯାହାର ଯେତେ ଦୋଷ ଆମେ କରିଚୁ, କ୍ଷମା ଦିଅ, ରଜାଙ୍କ ଜୀବନ ରକ୍ଷା କର—ମିଳିଚି କରୁଣ ସ୍ୱର ।

 

ସଞ୍ଜକୁ ଠାକୁରଘରେ ଘିଅଦୀପ ଜଳିଲା, ପାଟରାଣୀ ଚନ୍ଦ୍ରା ଦାଣ୍ଡପହଁରା ଓଷା ପୋଥି ପଢ଼ିଲେ—

 

ବିରଞ୍ଚିନଗରରେ ବୀରବିକ୍ରମ ରାଜା, ବସୁଦେବ ବୋଲି ସାଧବ, ତାର ସାତ ପୁଅ, ସାତ ବୋହୂ; ସାନବୋହୂ ଦିନେ ଠାକୁରାଣୀଙ୍କ ଭୋଗ ଛେନାଗୁଡ଼ ବାଣ୍ଟୁ ବାଣ୍ଟୁ ସରିଗଲା । ପଛନ୍ତେ ଅଇଲା ପିଲାକୁ ସେ ଗୁଡ଼ବଣାର ଖପରା ଖଣ୍ଡିଏ ଭଣ୍ଡିଦେଲା । ସେ ପିଲା ହରିହର କୁମର; ଖପରାଖଣ୍ଡେ ପାଇ ରାଗିଯାଇ କହିଲା—ତୁ ମତେ ଥରେ ଭଣ୍ଡିଚୁ, ମୁଁ ତତେ ସାତଥର ଭଣ୍ଡିବି । ତା’ପରେ ସେ ମରିଗଲା, ସାନବୋହୂର ପ୍ରଥମ ଗର୍ଭରେ ରହିଲା, ଜନ୍ମ ହେଲା । ସାଧବ ଚନ୍ଦନକାଠରେ ଇନ୍ତୁଡ଼ି ଜାଳିଲା, ଘିଅଦୀପ ଜାଳିଲା; ପିଲା ରକତ ମୁତି ମଲା, ଦ୍ୱିତୀୟ ଗର୍ଭ ପିଲା ଚମକିଉଠି ମଲା ।

 

ଏମିତି ବାରମ୍ବାର ପିଲା ମରିବାରୁ ସାଧବ ବ୍ରାହ୍ମଣ ବରଣ କରି ଶିବଙ୍କ ମୁଣ୍ଡରେ ଓଖର ଢଳାଇଲା, ଦଶ ଜଣ ଅହ୍ୟ ସ୍ତ୍ରୀ, ଦଶ ଜଣ ବାଳଗୋପାଳ ଡାକି ଖୁଆଇଲା, ଧାଈପରିବାରୀମାନେ ରାତିସାରା ଜଗିବସିଲେ, ପିଲା ତିନିଟା ବୋବାଳି ଛାଡ଼ି ମରିଶୋଇଲା ।

 

ସାଧବବୋହୂ ପୁଅର ଶବ ପଛେ ଗୋଡ଼ାଇଯାଇ ମଶାଣିରେ ବସି ବହୁତ କାନ୍ଦବୋବାଳି ପକାଇଲା । ଲୋକେ ଛିଛା କଲେଣି, ଅଲକ୍ଷଣୀ, ଅମଙ୍ଗୁଳୀ କହିଲେଣି—ଏଇଠ ମରେଁ ସରେଁ, ଆଉ ଘରକୁ ନ ଫେରିବି ।

 

ତା କାନ୍ଦଣା ଶୁଣି ନିତେଇଧୋବଣୀ ପଚାରିଲା—ମଣିଷ ନା, ଡାହାଣୀ ଚିରୁକୁଣୀ ? ସାଧବବୋହୂ ତା ଦୁଃଖ କାହାଣୀ କହିଲା ।

 

ସେତୁରୁ ସାଧବବୋହୂକୁ ଗୋଟିଏ ବୁଢ଼ିଆଣୀ କରି ପିଠିରେ ବସାଇ ନିତେଇ ଧୋବଣୀ ଘେନିଗଲା; ସେପୁରେ ହରିହରକୁମରର ରାଜ୍ୟ, ତାର ହୀରାବତୀ ନୀଳାବତୀ ଦୁଇ ରାଣୀ, ଧୋବଣୀ ସାଧବବୋହୂକୁ ଗୋଟିଏ କଲରା ଲଟିରେ ବସିଇଦେଲା । ଦୁଇ ରାଣୀ କହୁଥିଲେ—ତୁମେ ଏଥର ଯାଇ ମଞ୍ଚରେ ବହୁଦିନ ରହିଗଲ, ଏବେ ଗଲେ କେମିତି ଆସିବ କହ । ହରିହର ଝରା ଚଉଁରୀରୁ କହିଲେ—ମୋତେ କିଏ ଅଟକେଇ ରଖିପାରିବ ? ମୁଁ ଗୋଟାଏ ନାଁ ଗୋଟାଏ ଆଳ ଖୋଜି ଆସିବି ।

 

ମୁଁ ଗର୍ଭରେ ଥିବାବେଳେ ପ୍ରଥମ ମାସରେ ଦୁଧଗଇଁଠା ଦ୍ୱିତୀୟ ମାସରେ ଲେଉଟିଆ ଶାଗ, ତୃତୀୟ ମାସରେ ମୂଳା କାଞ୍ଜି, ଚତୁର୍ଥ ମାସରେ ତାଳଗଜା, ପଞ୍ଚମ ମାସରେ ଚକୁଳିପିଠା ଷଷ୍ଠମାସରେ ଚାଉଳଭଜା, ସପ୍ତମ ମାସରେ ଘାଣ୍ଟତିଅଣ, ଅଷ୍ଟମ ମାସରେ ମାଛ ମରିଚପାଣି, ନବମ ମାସରେ ଖରମରା ଘିଅପକା ସୁନାଖିଲ ଧାନର ଖେଚାଡ଼ି, ଦଶମ ମାସରେ ପୁରୁକାକରା, ନାନମାନ ଆଦିରେ ବୋଉ ସାଧନ ମେଣ୍ଟାଇଲେ ଆସିବି । ଜନ୍ମ ହେବାର ପାଞ୍ଚ ଦିନରେ ପଞ୍ଚୁଆତି, ଛଦିନରେ ଷଠୀ, ସାତଦିନରେ ଉଠିଆରୀ, ବାରଦିନରେ ବାର ଯାତ୍ରା, ଏକୋଇଶି ଦିନରେ ଏକୋଇଶା ନ ପାଳିଲେ ଆସିବି ।

 

ଜନ୍ମ ହେବାମାତ୍ରେ ବାଁ ଡାହାଣ କାନ ନ ଫୋଡ଼ାଇଲେ ଆସିବି । ଛକଡ଼ାକୁ ବିକି ନ କଡ଼ାରେ କିଣିବେ, ନାଁ ‘ବିକାକିଣା’ ଦେବେ, ତା ନ ହେଲେ ଆସିବି, ଗୁରୁଣ୍ଡୁ ଗୁରୁଣ୍ଡୁ ନିଆଁ ଉହ୍ମେଇରେ ପଡ଼ି ଆସିବି, କାନ୍ଥବାଡ଼ ଧରି ଛିଡ଼ା ହଉ ହଉ ପଡ଼ି ମରିବି, ଆସିବି । ଦାନ୍ତ ଉଠିବାମାତ୍ରେ ଦାନ୍ତଗଇଁଠା ନ କଲେ ଆସିବି, ଧାନକୁଟାରେ, ଭାତଗଳାରେ, ପାଣିଅଣାରେ ବୋଉ କାନି ଧରି କାନ୍ଦିବି, ସେ ସରପଞ୍ଚ ପିଲା ବୋଲି ଗାଳି ଦେଲାକ୍ଷଣି ଆସିବି ।

 

ଦାଣ୍ଡବାଲିରେ ଖେଳୁ ଖେଳୁ ତେଲୀର ତେଲପସରା ଭାଙ୍ଗିବି, କୁମ୍ଭାର ମୁଣ୍ଡର ହାଣ୍ଡିବୋଝ ଭାଙ୍ଗିବି । ଗାଳି ଦେଲେ ଆସିବି । ବୈଶାଖରେ ସୋରିଷଫୁଲ, ଶ୍ରାବଣରେ ଶଗଡ଼ଧୂଳି, ମାଘମାସରେ ପାଚିଲା ତାଳ ନ ଦେଲେ ଆସିବି, ମୋତେ ବିଭା ନ କଲେ ଆସିବି । ବିଭା କଲେ ବେଦୀରେ ମାଆର ଖୀର ଖାଇବାକୁ ମାଗିବି, ପୋଡ଼ପିଠା ମାଗିବି, କାଞ୍ଜି ମାଗିବି, ମାଛ ମାଗିବି, ନ ଦେଲେ ଫେରିଆସିବି, ବରକନ୍ୟା ଦୋଳିମୁକୁଟ ହୋଇଥିବେ, ଛାମୁଣ୍ଡିଆ କି ଘରଚାଳ ମୁଣ୍ଡରେ ବାଜିଲେ ଆସିବି । ଯଦି ସବୁ ଯୋଗାଇଦେବି, ତେବେ ସ୍ୱର୍ଗର ପଦାର୍ଥ ମୀନକେତନମାଳା, ଜୟବିଜୟ ଘଣ୍ଟ ମାଗିବି, ନ ଦେଲେ ଆସିବି ।

 

ହୀରାବତୀ, ନୀଳାବତୀ ହଳଦିମଳୁକୁଟି ସଙ୍ଗେ କେତେବେଳେ ମୀନକେତନମାଳା, ଜୟବିଜୟ ଘଣ୍ଟି କଲରାଲଟିଆଡ଼କୁ ଫିଙ୍ଗିଦେଲେ ଜାଣନ୍ତି ନାଇଁ । ସାଧବବୋହୂ ଗୋଟାଇ ରଖିଲା, ନିତାଇଧୋବଣୀ ସଙ୍ଗେ ମଞ୍ଚକୁ ଫେରିଆସିଲା ।

 

ତା’ପରେ ସାଧବବୋହୂର ଗର୍ଭବାସ ହେଲା । ଶୁଣିଥିବାମତେ ସେ ସବୁ ସୁଧ ମେଣ୍ଟାଇଲା, ପଞ୍ଚୁଆତି, ଷଠୀ ଆଦି କଲା । ସ୍ୱର୍ଗର ଜୟବିଜୟ ଘଣ୍ଟି, ମୀନକେତନମାଳା ଦେଲା ପରେ କୁମର ଆଶ୍ଚର୍ଯ୍ୟ ହୋଇ ପଚାରିଲା—ଏସବୁ କୋଉଠୁ ପାଇଲୁ ବୋଉ ?

 

ସାଧବବୋହୂ କହିଲା—ତୋ ଲାଗି ତିନିପୁର ବୁଲୁଚିରେ ପୁଅ ।

 

ଏମିତି ବହୁଦିନ ବୋହିଗଲା । ହରିହର ନ ଫେରିବାରୁ ହୀରାବତୀ, ନୀଳାବତୀ ହାଡ଼ିଆଣୀ ବେଶ ଧରି କୋଳି ବିକି ବୁଲିଲେ । କୋଳି କିଣିଆଣିବା ଲାଗି ଅଧଡ଼ିବାଏ ଚାଉଳ ଦେଇ ସାଧବାଣୀର ବୋହୂ ପଠାଇଲା । ବେଶୀ ଚାଉଳ ଦେଇ ଅଳ୍ପ କୋଳି ଦେବାରୁ ସେ କଳି କଲା; ହାଡ଼ିଆଣୀ କହିଲା—

 

‘ଆଣି ଠାଣି ମାଣି

ବ୍ୟାହୀ ଘଇତାର ନାମ ନ ଜାଣି ।’

 

ସ୍ତ୍ରୀ ଯାଇ ସ୍ୱାମୀକି କହିଲା—ହାଡ଼ିଆଣୀ କୋଳିବିକାଳୀ ମତେ ଏମିତି ଏମିତି ପଚାରୁଛନ୍ତି !

 

ମଞ୍ଚର ବିକାକିଣା ହାଡ଼ି ଓ ସ୍ୱର୍ଗର ହରିହର ପଚାରିଲା—ମୋତେ ଚାହଁ ନା ମୋ ନାଆଁକୁ ?

 

ଏମିତି ପଚାରୁ ପଚାରୁ ପୋଖରୀରେ ପଶି ଆଣ୍ଠୁଏରୁ ଅଣ୍ଟାଏ, ଛାତିଏ, ବେକେ ପାଣିକି ଗଲା । ତଥାପି ସ୍ତ୍ରୀ କହିଲା—ତୁମକୁ ଚାହେଁନାହିଁ, ତୁମ ନାଆଁକୁ ଚାହେଁ । ଏମିତି କଥା ଶୁଣି ବିକାକିଣା ହାଡ଼ି ବୁଡ଼ିମଲା । ହରିହର ନାମ ଧରି ହୀରାବତୀ ନୀଳାବତୀଙ୍କ ପାଖେ ଆସି ପହଞ୍ଚିଲା-

 

ଓଷା କାହାଣୀ ବୋଲା ସରିଲା, ଉଆସ ଭିତରୁ ଓଷେଇତୀ, ଭୋକଓପାସୀ ରାଣୀମାନଙ୍କ କରୁଣ କୋମଳ କଣ୍ଠର ହୁଳହୁଳି ଶୁଣାଗଲା ।

 

ଆଖପାଖ ଶାସନର ହଜାରେ ମହାଜନଙ୍କୁ ବ୍ରାହ୍ମଣ ନିମନ୍ତ୍ରଣ ଠାକୁରାଣୀଙ୍କ ଭୋଗ ପାଇବେ, ରଜାଙ୍କୁ ଆଶୀର୍ବାଦ କରିଯିବେ; କାଙ୍ଗାଳୀଙ୍କୁ ମଧ୍ୟ ନିମନ୍ତ୍ରଣ, ଭରି ଭୋଜନ ପରେ ରାଜାଙ୍କ ଶୁଭ ମନାସି ଯିବେ ।

 

ରାଜବାଟିରେ ପଶୁ ପଶୁ ରାଜଗୁରୁ ସିଂହଦୁଆର ଛାତରେ ଗୋଟାଏ ଫୁଲଶାଗୁଣା ବସିବାର ଦେଖିଲେ; ପାଇକ ଟେକା ପକାଇବାରୁ ସେଟା ଉଡ଼ିଗଲା । ହେଲେ ରାଜଗୁରୁଙ୍କ ମନକୁ ପାପ ଛୁଇଁଲା—ଏଡ଼େ ବୁଢ଼ା ହେଲିଣି; କେବେ ଏ ଆଖି ଏମିତି ଦେଖିଚି ?

 

ରାଜଗୁରୁ ଏ କଥା ପ୍ରଘଟ ନ କରି ଉଆସରେ ପଶିଲେ । ରାଣୀମାନେ ପାଦଧୂଳି ନେଲେ । ପାଦ ଗରମପାଣିରେ ଓଦା ହେଲା ପରି ଲାଗିଲା । ବାତ ଘରେ ସତେ କି ପିତ୍ତ ପଶିଯାଇଚି ! କାହାରି ମନରେ ସୁଖ ନାଇଁ, ବ୍ୟସ୍ତ ବିକଳ ହେଉଛନ୍ତି । କାଇଁକି କିଛି ଭଲ ଲାଗୁନାଇଁ, କିଏ କହିବ ?

 

ସିଆଳି ପତର ପଡ଼ିଗଲା, ପାଣି ଛିଞ୍ଚା ହେଇଗଲା—ଖଜା, ମିଠେଇ, ଜଲବି, କୋରା, ଖଇ, କାକରା, ଆରିଷା, ନାନମାନ ଆଦି କେତେ କ’ଣ ଲାଗିଗଲା । ବ୍ରାହ୍ମଣମାନେ ପାଟିକି ନେଇଛନ୍ତି କି ନାଇଁ, ଶୁଣାଗଲା ହୁମୁରା ଭାଇରେ.....

 

‘ମହାର୍ଜା ଆସିଗଲେ’ ଚହଳ ଚାରିଆଡ଼େ ପଡ଼ିଗଲା । ଉଆସର ମଝି ଅଗଣାରେ ଆପଟମାନେ କାନ୍ଧରୁ ପାଲିଙ୍କି ଓହ୍ଲାଇଲେ । ମହାରାଜାଙ୍କୁ ଅନ୍ତଃପୁର ଭିତରକୁ ଉଠାଇନେବା ଲାଗି ଭିତର ଲୋକେ ଅଇଲେ । ଅଇଲେ ରାଜଗୁରୁ, ଦେବାନ୍‌, ଗଡ଼ନାୟକ, ଅଫିସର୍‌ମାନେ ।

 

ହେଲେ ଛାମୁଁ ? ଚାହିଁଛନ୍ତି ନା ଆଖି ବୁଜିଛନ୍ତି ? କଥା କହିବା ଭଙ୍ଗୀରେ ଆଁ କରିଛନ୍ତି, କିଛି ହୁକୁମ୍‌ ମିଳୁନାଇଁ କାଇଁକି ?

 

କିଏ କାହାକୁ କ’ଣ କହିବ ? ସମସ୍ତେ ତାଟକା ହୋଇ ଚାହିଁଛନ୍ତି ।

 

ପାଦ କାଲୁଆ, କାକରିଆ; ନିଃଶ୍ୱାସ ଚାଲୁନାଇଁ । ହେଲେ କ’ଣ ଘଟିଚି, କେହି କାହାରିକୁ କହୁନାଇଁ, କହିବାକୁ ସାହସ ହେଉ ନାଇଁ । ସାଙ୍ଘାତିକ କିଛି ଘଟିଯାଇଚି ବୋଲି ମୁହଁରୁ ମୁହଁକୁ ଇସାରା ଚାଲିଚି । ସେଇ ଇସାରାରେ ମହାଜନମାନେ ଅଧା ଖିଆରୁ ଉଠିଯାଇଛନ୍ତି । ତଥାପି ସବୁ ନିଶ୍ଚଳ, ନୀରବ ।

 

କଥା କ’ଣ କି, ରାଜା ପୂର୍ଣ୍ଣଚନ୍ଦ୍ର କାଳେ କାଳେ ମୁହଁରୁ ବର୍ତ୍ତିଯିବେ ଏଇ ଭାବନା ମନରେ ଘେନି ଜଗନ୍ନାଥ ଦର୍ଶନ କରି ଯାଇଥିଲେ ।

 

ତ୍ରିମୂର୍ତ୍ତିଙ୍କ ଉପରେ ଦଏଣା, ତୁଳସୀ ଆଉ ଧଣ୍ଡା ମାଳମାନ ଚଢ଼ାଯାଇଥିଲା, ଗରୁଡ଼ସ୍ତମ୍ଭ ପାଖରେ ସହସ୍ର ଦୀପ ବସାଯାଇଥିଲା, ଭୋଗରାଗ ବି କରାଯାଇଥିଲା । ବିମଳା ଆଉ ମହାଲକ୍ଷ୍ମୀଙ୍କ ଦର୍ଶନ ପରେ ମହାର୍ଜା ଗରୁଡ଼ସ୍ତମ୍ଭ ସାମ୍ନାରେ ପାଲିଙ୍କିରେ ବସିଲେ । ଆପଟମାନେ ପାଲିଙ୍କି କାନ୍ଧଉ କାନ୍ଧଉ ଗୋଟାଏ ବାହି ଛିଡ଼ିପଡ଼ିଲା । ମହାର୍ଜା ଆଡ଼ ବାଗେ ତଳେ ପଡ଼ିଗଲେ । ଗୋଟେ ହାତ, ପାଦ ଓ ଦିହର ଗୋଟେ ପାଖ ଅଚଳ, ଅଥର୍ବ ହୋଇଗଲା ।

 

ପୁରସ୍ତମରେ ସେତେବେଳେ ଚିକିତ୍ସକ ବୋଇଲେ କବିରାଜ; ଅବଶ୍ୟ ମାଗୁଣି ବ୍ରହ୍ମାଙ୍କ ପରି ଭିଷକ୍‌ ଥିଲେ; ଦେଖାଇଥିଲେ କିଛି ବା ପ୍ରତିକାର ହୋଇଥାନ୍ତା, କିନ୍ତୁ ରଜା ଭାବିଲେ—

 

କତରା ଘୋଡ଼ି ହେଲେ

ଯମ କି ଛାଡ଼ିବ ଭଲେ ?

 

ଜଗନ୍ନାଥ ଶରଣ ନେଇ ବଞ୍ଚିଥିଲି; ଶେଷ ଜୀବନରେ ବି ତାଙ୍କରି ଆଶ୍ରା ନେବାକୁ ଆସିଥିଲି । କଥା ଅଛି—

 

ମାରେ ହରି ରଖେ କୌନ୍‌

ରଖେ ହରି ମାରେ କୌନ୍‌ ?

 

ଜଗନ୍ନାଥେ ଆଉ ଚକ୍ର ଆଢ଼ୁଆଳ କରୁନାହାନ୍ତି ସେଥି ଲାଗି ଏ ହୀନଅବସ୍ଥା, କାଳ ଏଡ଼େ ବଳୀଆର ହେଇଚି ।

 

ନଇଲେ ଏଡ଼େ ଟାଣ କାଠର ଏ ପାଲିଙ୍କି ବାହୀଟା ଭାଙ୍ଗିପଡ଼ିଲା କେମିତି ? ସେ ମାରିବାକୁ ଚାହୁଁଥିଲାବେଳେ ଛାର ବଇଦଟା ମତେ ବଞ୍ଚାଇବ କିପରି ?

 

ଫାଳେତ ମଲିଣି, ହାତଗୋଡ଼ ଆଉ ଚଳୁନାଇଁ, ତୁଣ୍ଡ ଯାହା ଫିଟୁଚି, ଏଇ ମାତ୍ର । ଚାଲ, ନଅରକୁ ବେଗି ଘେନିଚାଲ ମତେ । ରାଣୀମାନଙ୍କ ମୁହଁ ଦେଖୁ ଦେଖୁ ମରିବି, ଯୋଉ ପ୍ରଜାଙ୍କର ଏତେ ଆପଣାର ହେଇଥିଲି, ତାଙ୍କ ମୁହଁ ଦେଖୁ ଦେଖୁ ମରିବି ।

 

ଆପଟେ କି ଦିନ କି ରାତି ଓପାସଭୋକରେ ଏକା ନିଃଶ୍ୱାସରେ ଧାଇଁଲେ—ନଅରରେ ବଇଦ ଦେଖିବ, ହେପାଜତ ହବ ।

 

ରଜା ଏକ କଡ଼ରେ ପଡ଼ିଥାନ୍ତି, ପାଣି କି ପଣାଟିକିଏ ମାଗିନାହାନ୍ତି, ବିକୃତ ଶବ୍ଦରେ ମନର ଯନ୍ତ୍ରଣା ପ୍ରକାଶ କରିନାହାନ୍ତି ।

 

ହଜାର ହଜାର ପ୍ରଜା ରାଜଦର୍ଶନକୁ ଆସି ସିଂହଦୁଆରେ ଛିଡ଼ାହୋଇଛନ୍ତି । ପେଚାଟାଏ ବୋବାଳି ଛାଡ଼ିଲା; ମଗୁଶୀରର କାଲୁଆ ରାତିରେ ରାଣୀହଂସପୁରର କରୁଣ କାନ୍ଦଣା ସଙ୍ଗେ ମିଶିଗଲା କାପ୍‌ତାର ସ୍ୱର........ ମାଣ ପୂରିଲା ।

 

ଶୀତ କୁହୁଡ଼ିର ଏକ କାକରଝରା କାଳିମା ଘୋଟିଗଲା ରାଜ୍ୟସାରା ।

 

।। ସାତ ।।

 

‘ଦାନରେ ଛାମୁଁ କଳ୍ପତରୁ, କେବେ କୌଣସି ପ୍ରାର୍ଥୀ ନିରାଶ ହୋଇ ଖାଲିହାତରେ ଫେରେନାହିଁ ।

 

ନ୍ୟାୟାନ୍ୟାୟ ବିଚାରରେ ଛାମୁଁ ବୃହସ୍ପତିଙ୍କ ପରି ନିରପେକ୍ଷ, ଦୈତ୍ୟଗୁରୁ ଶତ୍ରୁଙ୍କ ପରି କବି, ଐଶ୍ୱର୍ଯ୍ୟରେ କୁବେରଙ୍କ ସମକକ୍ଷ, ସତ୍ୟରକ୍ଷାରେ ଛାମୁଁ ଶିବ ।

 

ପ୍ରଚଣ୍ଡ ମାର୍ତ୍ତଣ୍ଡ ତେଜଭରା ଗ୍ରୀଷ୍ମକାଳ ପରି ଛାମୁଁ ତେଜସ୍ୱୀ, ମହାସାଗର ପରି ଗୁରୁଗମ୍ଭୀର, ଶୌର୍ଯ୍ୟରେ ଅର୍ଜ୍ଜୁନ ।

 

ଛାମୁଁଙ୍କ ହୃଦୟରେ ଲକ୍ଷ୍ମୀ, ଅଧରରେ ସରସ୍ୱତୀ, ଶିରୋଦେଶରେ କେଶବ, ଭୁଜଦଣ୍ଡରେ ଚଣ୍ଡୀ, ଛାମୁଁଙ୍କ ରାଜାପ୍ରାସାଦରେ ସ୍ୱୟଂ କୁବେର ବିରାଜମାନ କରିଛନ୍ତି ।

 

ସହସ୍ର ମୁଖରେ ସ୍ୱୟଂ ଅନନ୍ତ ଛାମୁଁଙ୍କ ଗୁଣକୀର୍ତ୍ତନ କରିବାକୁ ଅକ୍ଷମ ।

 

ଆକାଶ କାଗଜ, ସାତ ସମୁଦ୍ର କାଳି; ଗଣେଶ ସ୍ୱୟଂ ଲେଖକ ହେଲେ ବି ଆପଣଙ୍କ ଅସଂଖ୍ୟ ଗୁଣ ଅବର୍ଣ୍ଣନୀୟ ହୋଇ ରହିଯିବ ।’

 

ସଦ୍ୟ ଲାଭ ଆଶାରେ ଚାଟକାରମାନେ ଏମିତି ଚାଟୁକଥା କହି ରଜାଙ୍କୁ ବହୁତ ଉପରକୁ ଟେକୁଥିଲେ । ରଜା ଯେ ଟେକି ହଉ ନ ଥିଲେ, ତା ନୁହେଁ । ତେବେ ଚେତା ଥିଲା, ସେ ବୁଝିଥିଲେ–ସେମାନେ କିଏ, କ’ଣ କହୁଛନ୍ତି । ନିଜର ବିଦ୍ୟାବୁଦ୍ଧି, ଧନସମ୍ପତ୍ତି କେତେ, ସେ ଜାଣିଥିଲେ-। ହେଲେ ଏ ଦୁର୍ବଳତା ଏଡ଼ିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା; ଚାଟକାରମାନେ ତାଙ୍କୁ ଘେରିରହି ମନକୁ ଫୁଲାଇ ରଖିଥିଲେ, ଗୋଟେ ଅଧେ ଗୀତ ବା ଶୋକ ବୋଲି ବେଶ୍‌ ଦି ପଇସା ଖସାଇ ନେଉଥିଲେ ।

 

ଚାଟୁକାରଙ୍କ ବ୍ୟତୀତ ବହୁତ ଅବାଞ୍ଚିତ ଲୋକ ରାଜାଙ୍କ ଚାରିପାଖେ ଥାନ୍ତି । କାନକୁହା ବହୁ ନିରୀହଙ୍କ ନାଆଁରେ ଲଗେଇଲୁଟେଇ କହନ୍ତି । ସାତ କଥାରେ ସତୀ ଟଳିଲା ପରି ରଜା ସେମାନଙ୍କ କଥାରେ ଟଳନ୍ତି, ବେଳେ ବେଳେ ଚଳନ୍ତି । ଫଳରେ କେତେ ଅନ୍ୟାୟ ହୁଏ, ନିରୀହ ଲୋକେ ଶାସ୍ତିଭୋଗ କରନ୍ତି ।

 

ବେଳେ ବେଳେ ବାହାପିଆଙ୍କ କଥାରେ ବି ରଜା ପଡ଼ିଯାନ୍ତି । ଆକାଶରୁ ତୋଳିଆଣି କଥାକହି ସେ ରଜାଙ୍କ ମନ ମଜ୍ଜାଇଦିଏ, ଏଣେ ଖଞ୍ଜରେ ନିଜର ସ୍ୱାର୍ଥ ହାସଲ କରିନିଏ; ଯେମିତି ନକଡ଼ି ଛକଡ଼ି ବାହାପିଆ । ଅଥଚ ରଜାଙ୍କ ମରଜିକି ଚାହିଁ କଥା ନ କହିପାରି କେତେ ବିଦ୍ୟାସାଗର ଅପମାନ ପାଇ ଫେରନ୍ତି ।

 

କାଳିନ୍ଦୀକି କାଳୀ ପରି ଖଚୁଆ, ମିଛୁଆ, ବାହାପିଆମାନେ ରାଜବାଟିକି ବିଷାକ୍ତ କରିଦେଇଥାନ୍ତି; ରାଣୀ, ଜ୍ଞାନୀ, କବିଙ୍କ ବିଷୟରେ ପ୍ରତିକୂଳ କ୍ରିୟା ସୃଷ୍ଟି କରିଥାନ୍ତି ।

 

ହେଲେ ଈଶ୍ୱରଚନ୍ଦ୍ରଙ୍କର ଏଇ ବିଶେଷତ୍ୱ ଯେ ବିଷକ୍ରିୟା ତାଙ୍କୁ କାବୁ କରିପାରୁ ନ ଥିଲା; ଗୋଟିଏ କାନ ଖୋସାମତିଆଙ୍କ ପାଇଁ ଥିଲେ ବି ଆର କାନଟି ସେ ରସିକଙ୍କ ଲାଗି ଖୋଲା ରଖିଥିଲେ ।

 

ସେ ବହୁତ କବିଙ୍କ ବହି ଛାପୁଥିଲେ, ବହୁ କବିଙ୍କୁ ଅର୍ଥ ସାହାଯ୍ୟ ଦେଉଥିଲେ । ବ୍ରତୋପନୟନ ଓ ବିବାହୋତ୍ସବରେ କବିସମ୍ମିଳନୀ କରୁଥିଲେ । ଅବହେଳିତ ଭାସ୍କରମାନଙ୍କୁ ଡକାଇ କେତେ ମୂର୍ତ୍ତି ଗଢ଼ାଉଥିଲେ, ନାମ୍‌ଜାଦା ଶିଳ୍ପୀଙ୍କୁ ହେପାଜତରେ ରଖି ବହୁତ ଛବି ଅଙ୍କାଉଥିଲେ । ସେ ଓଡ଼ିଆସାହିତ୍ୟ, କଳା, ଭାସ୍କର୍ଯ୍ୟର ବଡ଼ ପୋଷକ ଥିଲେ ।

 

ହାତୀରେ ବସାଇ ସେ କବିଙ୍କୁ ପ୍ରାକୃତିକ ଦୃଶ୍ୟ ଦେଖାଉଥିଲେ, ସ୍ୱରାଜ୍ୟର ଇତିହାସ ଶୁଣାଉଥିଲେ ।

 

ସେ କବିତା ଶୁଣୁଥିଲେ, କବିଙ୍କୁ ଶୁଣାଉଥିଲେ; ସେତେବେଳେ ସେ ଯେ ଜଣେ ରଜା, ସେ କଥା ଭୁଲିଯାଉଥିଲେ—ରସରାଜ୍ୟରେ ରଜା ପ୍ରଜା କ’ଣ, ବଡ଼ ସାନ କ’ଣ, ବ୍ରାହ୍ମଣ ଚଣ୍ଡାଳ କ’ଣ ! ରସ ସମସ୍ତଙ୍କୁ ସମାନ କରେ, ଅନେକ ପ୍ରାଣକୁ ଏକପ୍ରାଣ କରେ ।

 

କବିସୂର୍ଯ୍ୟଙ୍କ ସଙ୍ଗୀତରେ ଆଠଗଡ଼ ରଜା ଅଛନ୍ତି । ତାଳମୂଳର ରାଜା ସେମିତି ଅନଧିକାର ଚର୍ଚ୍ଚା କରିନାହାନ୍ତି । କବି ଭଣିତା ସ୍ଥାନରେ କୋଉଠ ରାଜଭଣିତା ଦେଖିବାକୁ ମିଳେନାହିଁ । ରାଜାଙ୍କ ମହତପଣିଆଁଏ ।

 

ମୟୁରଭଞ୍ଜ, ଷଢ଼ୈକଳା, ନୀଳଗିରିରୁ ଛଉନାଟ ଦଳ ଆସନ୍ତି; ଗଞ୍ଜାମରୁ ଦାସକାଠିଆ, ରଣପା, କଳାହାଣ୍ଡିରୁ ଘୁମୁରାନାଟ, ଢେଙ୍କାନାଳରୁ ସଖୀନାଟ, କଟକରୁ ଯାତ୍ରା, ପାଲା, ପୁରୀରୁ ନାଗା ଆସନ୍ତି । ରାଜଆଦର, ଅଭ୍ୟର୍ଥନା ଓ ପ୍ରଚୁର ଉପାୟନ ପାଇ ମହାନନ୍ଦରେ ବିଦାୟ ନିଅନ୍ତି ସମସ୍ତେ ।

 

ରାଜା ଈଶ୍ୱରଚନ୍ଦ୍ର ମହାବୀରକେଶରୀ; ରାଜାଙ୍କ ପିଲାଦିନ ଭାରି ଅୟସରେ କଟିଥିବ, ଘିଅ ମହୁରେ ଭାସିଥିବ—ଉପରଠାଉରିଆମାନେ ଭାବନ୍ତି । ଯୋଉମାନେ କଥାର ଭିତରେ ପଶନ୍ତି, ମର୍ମ ଠଉରାନ୍ତି, ସେମାନେ ଜାଣନ୍ତି—ରଜା ପ୍ରଜା ଦୁଃଖ କାହାରିକି ଛାଡ଼ିନାଇଁ । ଦୁଃଖ ଚଡ଼ୁ ଦାଗିନାଇଁ, ଏମିତି ଗୋଟିଏ ଲୋକ ବି ଆଖିରେ ପକାଇବାକୁ ମିଳେନାଇଁ । ଈଶ୍ୱରଚନ୍ଦ୍ରଙ୍କ ଜୀବନ ତ ନିଆରା, ସେ କୋଉ ରଜାଘରେ ବଢ଼ିଥିଲେ କି ?

 

ସାଆନ୍ତଘର ଦୁଃଖର ଘର; କିଛି ଜାଗିରି ମାତ୍ର ଭରସା, ହାତଚାଷ ନ କଲେ ସେଥିରୁ ଯତ୍‌ସାମାନ୍ୟ ଭାଗଧାନ ମିଳେ । ଆଡ଼ମ୍ବରରେ ଚଳିବାକୁ ଇଚ୍ଛା, ପଇସା ନାଇଁ । ଦୈହିକ ଶ୍ରମ କରିବାକୁ କୁଣ୍ଠା, ବଳ ନାଇଁ ବୋଲି ନୁହେଁ, ମାନ ତଳେ ପଡ଼ିଯିବ ! କେହି କେହି ରାଜାଘରେ ଚାକିରି କରନ୍ତି, ସିପାହିଙ୍କ ସର୍ଦ୍ଦାର, ଥାନାର ଦାରୋଗା, ଚିଡ଼ିଆଖାନାର ମ୍ୟାନେଜର, ବିଶ୍ୱସ୍ତ ଗୁପ୍ତଚର, ରାଜାପ୍ରଜାଙ୍କ ଯୋଗସୂତ୍ର ଅଫିସର—ବାହାର ଘର ଆୟ ମିଶି କେତେକଙ୍କର ଭଲ ଚଳେ ।

 

ସାହିରେ ସାତୋଟି ସାଆନ୍ତ ଘର, ପହ୍ଲ ପହ୍ଲ, ଝିଅ, ପୁଅକୁ ଚାହିଁ ଚାହିଁ ଝିଅଙ୍କ ସଂଖ୍ୟା ବଢ଼ିଯାଇଛନ୍ତି—ବଢ଼ି ଘରକଲେ ଗୋଟେ ଗାଆଁ ହେଇଯିବ ।

 

ଝିଅ ଗହଳରେ ସବା ସାନ ଭାଇ ଭାସ୍କର ସାଆନ୍ତଙ୍କର ଗୋଟିଏ ପୁଅ ହେଲା, ଭାରି ଚହଳ ପଡ଼ିଗଲା, ଏକ ସାହିରେ କାହିଁକି, ଚାରିଆଡ଼େ । କେଡ଼େ ତପସ୍ୟାବଳ, କେଡ଼େ ଭାଗ୍ୟଜୋର୍‌ ! ଅନ୍ଧାରଘରେ ଚାନ୍ଦ ଉଇଁଲା, ସାତ ସାଆନ୍ତାଣୀଙ୍କ ହାତର ପାଣ୍ଠି ସେ, କାନିର ଗଣ୍ଠି ।

 

କାର୍ତ୍ତିକେଶ୍ୱରଙ୍କୁ ବଳିଯାଇଥିଲା ଏ ପିଲା; ସେ ଛ’ ମାଆଙ୍କଠାରୁ ଦୁଧ ପିଉଥିଲେ, ଏ ସାତ ମାଆଙ୍କଠାରୁ ପିଇଲେ—ଏ କୋଳରୁ ସେ କୋଳକୁ ଡେଇଁ । ତେବେ ଗୋଟାଏ ପାଟି, କାର୍ତ୍ତିକଙ୍କର ଥିଲା ଛ’ଟା ପାଟି ।

ଏ ପିଲାକୁ କେହି ତଳେ ଥୋଇଦେଉ ନ ଥାନ୍ତି—ଆହା, କି କଲ, କି କଲ, ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ, ଭାବ ମର୍ମେ ମର୍ମେ । ଏ ପିଲା ଏ ବାପ କାନ୍ଧରୁ ସେ ବାପ କାନ୍ଧକୁ ଡେଉଁଥାଏ, ଏ ମାଆ କାଖରୁ ସେ ମାଆ କାଖରେ ଯାଇ ବସୁଥାଏ ।

କାନ୍ଦ ଶବଦ ହେଲେ ସାତ ସାଆନ୍ତାଣୀଙ୍କ ମନ ବିକଳ ହୁଏ, ଅଧା ଗାଧେଇ ବା ଦରଖିଆ ହୋଇ ଉଠିଆସନ୍ତି, କାଖେଇନେଇ ମାଙ୍କଡ଼, କୁକୁର, ବଣି କି ବାୟାଚଢ଼େଇ ଦେଖାନ୍ତି, ପାଟଦୋଳିରେ ଶୁଆଇ ଖେଳାନ୍ତି ।

ଆରେ ଦିନେ ଏ କ’ଣ ହେଲା ? ହଳଦିଗଣ୍ଠି ପରି ରଙ୍ଗ, ଏଇଟା କ’ଣ ? ନାଗସାପଟାଏ !

ପିଲା ଗହମ ନିଦରେ ଶୋଇଚି, ଏ ସାପ ତା ମୁଣ୍ଡ ଉପରେ ଫଣା ଟେକିଛି ! ସାନ ସାଆନ୍ତାଣୀ ଏ ଭୟଙ୍କର ଦୃଶ୍ୟ ଦେଖି କାବାକାଠ ହେଇଗଲେ—ମୁହଁରୁ କଥା ବାହାରିଲାନାଇଁ; ଏଡ଼େ ଭାଗ୍ୟର ଏ କି ଦଶା ! ସବୁ ଅକାରଣ ହୋଇଗଲା ! କି ପୋଡ଼ାକପାଳ !

ସାଆନ୍ତାଣୀ ପାଦ ଚିପି ଚିପି ଯାଇ ଅନ୍ୟ ଜାଆମାନଙ୍କୁ ଡାକିଆଣିଲେ । ସମସ୍ତେ ଦେଖି ତାଟକା । ନିଃଶ୍ୱାସ ଶବ୍ଦ ବି କାହାର ଶୁଭୁ ନ ଥାଏ; କାଳେ ଚମକିଉଠି ସାପ ଚୋଟ ମାରିଦବ !

ମାଆମାନଙ୍କ ମନ ବିକଳ—ସତେ କ’ଣ ଗଳାରତନ, ଗଣ୍ଠିଧନ ଏ କାଳ ମୁହଁରୁ ବର୍ତ୍ତିବ-?

ଏ ସଂସାରରେ ଏମିତି କୋଉଠି ଘଟେ ? ଠଣାବାଟେ ଖରା ଟିକେ ପଡ଼ିଚି, କାଳେ ନିଦ ଭାଙ୍ଗିଯିବ, ଏଥିଲାଗି ଏ ସାପ ଫଣା ଟେକି ରୋକିଚି । ଏ ଦୁଷ୍ଟ ସାପ ନୁହେଁ, ମହାଦେବଙ୍କ ଦିହରେ ଚଳବିଚଳ ହଉଥିବା ସାପ, ସାପ କ’ଣ ଏଠିକି ମନକୁ ଆସିଚି ? ମହାଦେବ ପଠାଇଛନ୍ତି ବୋଲି ଆସିଚି ! ଜନ୍ମରୁ ଏ ପିଲା ଉପରେ ମହାଦେବଙ୍କ ତିନି ଆଖି ପଡ଼ିଚି ! ଏ ଦିନେ ରଜା ହବ !

ୟାକୁ ସାପ ଯେତେବେଳେ ମାରିଲା ନାଇଁ, ୟାର କୋଉ ବିପଦ କିଛିହେଲେ କ୍ଷୟକ୍ଷତି ଘଟାଇପାରିବ ନାଇଁ, ମହାଦେବ ଡମ୍ବରୁ ବଜାଇ ସବୁ ବିପଦକୁ ଫୁତ୍‌କାରରେ ଉଡ଼ାଇଦେବେ ।

ସବୁ ସାଆନ୍ତାଣୀ ମୁହଁରେ ତିରଣ ଧରି ବେକରେ ପାଳଦଉଡ଼ି ପକାଇ ଗୋଡ଼ତଳେ ପଡ଼ିଲେ । ନେହୁରାନମସ୍ତେ ହେଲେ, ସାପ ମୁଣ୍ଡ ନୁଆଁଇ ଚାଲିଗଲାବେଳେ ତା ଉପରକୁ ହଳଦିପାଣି ପକାଉଥିଲେ; ଏହା ନାଗର ସନ୍ତୋଷବିଧାନ କରେ, ବିଶ୍ୱାସ ।

ଜନ୍ମବର୍ଷଠାରୁ ଚଉଦବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ସବୁ ସାଆନ୍ତମିଶି କପିଳାସର ଚନ୍ଦ୍ରଶେଖରଙ୍କଠାରେ ମେଳା କରାଇଲେ ।

ରାଜା ପୂର୍ଣ୍ଣଚନ୍ଦ୍ର ତ ଅଧା ବୟସରେ ଗଲେ; ତା ଆଗରୁ ଜାତକ ଗଣନା କରାଇ ନିଜର ଘୋର ମାରକଦଶା ଥିବା କଥା ଜାଣିଥିଲେ । ତାଙ୍କର ପିଲାଝିଲା ନ ଥିଲା । ତାଙ୍କ ଅନ୍ତେ କ’ଣ କୁଳ ବୁଡ଼ିଯିବ ? ଅନ୍ଧାର ଘୋଟିଯିବ ?

ରାଜା ଚାରିଆଡ଼େ ଆଖି ବୁଲାଇଲେ; ଦୂରଦୂରାନ୍ତର ବନ୍ଧୁବାନ୍ଧବଙ୍କ ଭିତରୁ କେତେ କିଏ ପୁଅ ଯଚାଯଚି କଲେ, ସେମାନଙ୍କ ରଙ୍ଗଢ଼ଙ୍ଗରେ ରାଜା ବହୁତ ଦୁର୍ଗନ୍ଧର ସୁରାକ୍‌ ପାଇଲେ; କଳେ ବଳେ କୌଶଳେ କୌଣସିମତେ ରାଜ୍ୟଟି ହାତକୁ ଆସିଲେ ବହୁ କାମନା ପୂରଣ କରିବେ । ରଜାଙ୍କ ମନ ମାନିଲାନାଇଁ । ଶେଷକୁ ସେ ଭାଇବିରାଦରମାନଙ୍କ ଉପରେ ଆଖି ପକାଇଲେ—ସାଆନ୍ତ କୁଳରେ ଏକମାତ୍ର ପୁଅ ଈଶ୍ୱର ! ଏଇ ହବ କୁଳଚନ୍ଦ୍ରମା, ତେଣୁ ଈଶ୍ୱର ବଦଳରେ ତା ନାଆଁ ଈଶ୍ୱରଚନ୍ଦ୍ର ଦିଅ ।

 

ସେଇଆହେଲା; ରଜାଙ୍କ ଶବ ପଡ଼ିଥିବାବେଳେ ଈଶ୍ୱରଚନ୍ଦ୍ରଙ୍କୁ ସାଆନ୍ତମାନଙ୍କ ଘରୁ ଆଣି ପାତ୍ରମନ୍ତ୍ରୀମାନେ ମୁଣ୍ଡରେ ରାଜଶାଢ଼ୀ ବନ୍ଧାଇଲେ, ପାଟଖଣ୍ଡା ଧରାଇଲେ; ନାଁବାଳକ, ନାଆଁକୁ ହେଲେ ସେ ରଜା । ରାଜ୍ୟ କୋଟ୍‌ ଅଫ୍‌ ୱାଡ଼୍‌ସ୍‌ରେ ରହିଲା । ପଲିଟିକାଲ୍‌ ଏଜେଣ୍ଟ ପରିଚାଳନା କଲେ ।

 

ରାଜସିଂହାସନ ଖେଳମେଳରେ ମାତିଥିବା ଏ କୁନି ରାଜାଙ୍କୁ ମାନିଲା ନାଇଁ କି ସହିଲା ନାହିଁ । ଚୁପ୍‌ ଚୁପ୍‌ ହୋଇ କାହା ସଙ୍ଗେ କଥା ନ କହି ବସିବାର ବୟସ ଏ ନୁହେଁ, ସାଙ୍ଗସାଥୀଙ୍କୁ ଡାକିଆଣ ବୋଇଲେ ପାତ୍ରମନ୍ତ୍ରୀ ହୁରୁଡ଼ୁଥାନ୍ତି । କିଏ ପଶିଆସିଲେ ଦୂରକୁ ଘଉଡ଼ିଦେଉଥାନ୍ତି । ସେଇ ଚିନ୍ତାରେ କି କୋଉଥି ପାଇଁ କେଜାଣି, କିଶୋର ରଜାଙ୍କୁ ଜର ଘୋଟି ଆସିଲା, ଜର ପଛେ ପଛେ ସନ୍ନିପାତ ।

 

ରଜାଘରେ, ସାଆନ୍ତଘରେ କାନ୍ଦବୋବାଳି ନ ପଡ଼ିଲେ ବି ସେଇ ଅବସ୍ଥା; ଲୁହ ଶୁଭ କି ଅଶୁଭ ମାନୁ ନ ଥାଏ ।

 

ରୋଗ ଓଷଦ ମାନୁନାଇଁ, କିଛିହେଲେ ମନ୍ତ୍ର କାଟ୍‍ କରୁନାଇଁ । ସାଆନ୍ତ ବାପା କିଛି ବାଟ ନ ପାଇ ସତ୍ୟପୀର ଠାକୁରଙ୍କ ନାମରେ ଈଶ୍ୱରଚନ୍ଦ୍ରଙ୍କୁ ପାଣି ଛଡ଼ାଇଦେଲେ । ଈଶ୍ୱରଚନ୍ଦ୍ର ମୁଣ୍ଡରେ ପଠାଣଟୋପି ପିନ୍ଧି କେତେ କାଳ ଯାଏ ରାଜ୍ୟରେ ଫକୀରବେଶରେ ଭିକ ମାଗି ବୁଲିଲେ । ଯାହା ଭିକ ମାଗି ଆଣିଲେ, ସେଥିରେ ଷୋଳ ପୂଜା ହେଲା—ଈଶ୍ୱରଚନ୍ଦ୍ର ତିଷ୍ଠିଗଲେ । ବହୁ ବର୍ଷ ପର୍ଯ୍ୟନ୍ତ ସାଆନ୍ତସାଇଆ ତାଙ୍କୁ ପଠାଣ ବୋଲି ଡାକୁଥିଲେ । ଛୁଆଁ ହେବା ଭୟରେ କି କଣ ଯମ ତାଙ୍କୁ ଛାଡ଼ିଗଲା; ହେଲେ ତାର ରାଗ ଥିଲା, ମାରିବା ଲାଗି ନାନା ଉପାୟ ଖଞ୍ଜୁଥିଲା ଯେମିତିକି ।

 

ବଣରେ ଥରେ ଗୋଟାଏ ତମ୍ପସାପ ଗୋଡ଼ାଇଥିଲା, ଗଛକୁ ଚଢ଼ିଯାଇ ପତର ଗହଳରେ ସେ ଜୀବନ ବଞ୍ଚାଇଥିଲେ । ତାଙ୍କ ସହଚରମାନେ ପଥର ଫିଙ୍ଗି ସାପକୁ ମାରିଦେଲେ ।

 

ଥରେ ହାତୀରେ ଚଢ଼ି ଶିକାରକୁ ଯାଉଥିବାବେଳେ ମହାବଳବାଘ ହାତୀର ଲାଙ୍ଗୁଳ ବାଟେ ପିଠିଉପରକୁ ଉଠିଆସିବସିଲା । ହାତୀ ହୁରୁଡ଼ି ଦଉଡ଼ୁଥାଏ । ଈଶ୍ୱର ତା ପିଠିରୁ ଖସିପଡ଼ିଲେ ଓ ଛାତିରେ ପଥର ମାଡ଼ହେଲା । ବହୁ କଷ୍ଟରେ ସେ ଭଲ ହେଲେ ।

 

ଥରେ ଅମଣିଆ ଘୋଡ଼ାକୁ ମଣ କରୁ କରୁ ସେ ଛିଟିକି ଦୂରରେ ପଡ଼ିଥିଲେ । ତାଙ୍କ ଗୋଡ଼ହାତ ଭାଜିଗଲା, ବହୁ ଚିକିତ୍ସା ପରେ ସେ ବଞ୍ଚିଲେ ।

 

ଆଉ ଥରେ ଘୋଡ଼ାଟା ପାଗଳ ଥିଲା କି କ’ଣ କେଜାଣି, ଅକଡ଼ିଆ ଜାଗାରୁ ପୁଳାଏ କାମୁଡ଼ିନେଲା; ଛ’ମାସ ପରେ କତରାଲଗା ଅବସ୍ଥାରୁ ସେ ଉଠିଲେ ।

 

ଆମ୍ବ ତୋଳୁ, ତୋଳୁ ଜୋର୍‌ ପବନ ଦୋହଲ ହେବାରୁ ଗଛର ଅଗଡ଼ାଳରୁ ସେ ଖସିପଡ଼ିଥିଲେ । ଆଉ ଥରେ ତାଙ୍କ ଚଳନ୍ତା ମଟର ଗାଡ଼ିରେ ନିଆଁ ଲାଗିଯାଇଥିଲା ।

 

କେତେ କେତେ ବିପତ୍ତି ନ ପଡ଼ିଲା

କୃଷ୍ଣ ଥିଲାକୁ କିଛି ନ ଲାଗିଲା !

 

ଭଗବାନ ତାଙ୍କୁ ଏମିତି କେତେ ବିପତ୍ତିରୁ ରକ୍ଷା କରିଥିଲେ, ବୋଧହୁଏ, ତାଙ୍କ ଦ୍ୱାରା କିଛି ସତ୍‌କର୍ମ କରିବାପାଇଁ ।

 

ଚଗଲ୍‌ ମନ, କିଛି ନ କରି ଘଡ଼ିଏ ସମ୍ଭାଳି ହେଉ ନ ଥିଲା । ବିପତ୍ତି କେବଳ ତାଙ୍କ ପଛେ ପଛେ ଗୋଡ଼ାଉ ନ ଥିଲା, ସେ ବିପତ୍ତି ପଛରେ ଗୋଡ଼ାଉଥିଲେ । କୌଣସି ଅସାଧ୍ୟ କର୍ମ କରିବାକୁ ସେ ଡରୁ ନ ଥିଲେ । ଖଣ୍ଡିଆଦଣ୍ଡିଆ ନ ହେବେ କାହିଁକି ?

 

ଦିହସାରା ସବତ୍ର କିଛି ନା କିଛି ଗୋଟାଏ ଦାଗ ଥିଲା । ରାମ୍ପୁଡ଼ାକାମୁଡ଼ାର, ଛେଚାକଚାର ଚିହ୍ନସବୁ; ସଳଖ ସୁନ୍ଦର ଭେଣ୍ଡିଆଟିଏ ହୋଇ ସେ ବଢ଼ି ନ ଥିଲେ ବା ତାଙ୍କ ପ୍ରକୃତି ତାଙ୍କୁ ବଢ଼ିବାକୁ ଦେଇ ନ ଥିଲା ।

 

ନିଜେ ଯୁଦ୍ଧ ସାମ୍ନାକୁ ଯାଇ କ୍ଷତରୁ ଅନ୍ୟମାନଙ୍କୁ ରକ୍ଷାକରିବା ପ୍ରକୃତ କ୍ଷତ୍ରିୟର କାମ । ସେ ସେଇୟା କରୁଥିଲେ । ଜୀବନମୂର୍ଚ୍ଛା ଲଢ଼େଇ ଭିତରେ ସେ ବଞ୍ଚିଥିଲେ ଜଣେ ମହାବୀର ପରି ।

 

ତାଙ୍କ ବ୍ରତଘରେ ଏକ ବିଘ୍ନ ଘଟିଲା, ଯାହା ଏ ସଂସାରରେ ଘଟେନାଇଁ କହିଲେ ଚଳେ । ଚାରି କର୍ମ କରୁ କରୁ ହଠାତ୍‌ ପୁରୋହିତଙ୍କ ପ୍ରାଣ ଛାଡ଼ିଗଲା । ଅନେକ ବିଳମ୍ବରେ ଆଉ ଜଣେ ପୁରୋହିତ ଖୋଜା ହୋଇ ଆସି କାମ ବଢ଼ାଇଲେ । ଏଥିରେ ବ୍ରତୀ ବାଳକକୁ ଅଶୌଚ ଦୋଷ ଲାଗିଲା । ଦ୍ୱିଜକୁମାରମାନଙ୍କୁ ସାବିତ୍ରୀ ଅନ୍ନ ଦାନ ନେଇ ପ୍ରାୟଶ୍ଚିତ୍ତ କରିବାକୁ ହୋଇଥିଲା ।

 

ରାଜା ଶିକାରଗଳ୍ପ ପଢ଼ିବାକୁ ଭଲପାଉଥିଲେ, ସେ ବଡ଼ ଶିକାରୀ ଭାବରେ ନିଜକୁ ଗଢ଼ିଥିଲେ । ସେତେବେଳେ ତାଳମୂଳରେ ଘୋର ଜଙ୍ଗଲ, ବହୁତ ବାଘ ଥିଲେ । ଈଶ୍ୱରଚନ୍ଦ୍ର ଜୀବନରେ ୧୦୬ଟି ମହାବଳ ବାଘ ମାରିଥିଲେ । ହରିଣ ଅପେକ୍ଷା ବାଘ ମାରିବା ତାଙ୍କ ମତରେ ସହଜତର; ବାଘ ଗାଈ କି ମଇଁଷି ମାରେ, ପରଦିନ ସନ୍ଧ୍ୟାରେ ମଢ଼ ଖାଇବାକୁ ନିଶ୍ଚେ ଆସେ । ଗଛମାନଙ୍କରେ ମଞ୍ଚା ବାନ୍ଧି ବସିଲେ ହେଲା । ଭୟଙ୍କର, ପୁଣି ଭାରି ନିର୍ବୁଦ୍ଧିଆ; ପୁଳେ ଦିପୁଳା ମଢ଼ ମାଉଁସ ଖାଏ କି ନ ଖାଏ, ମୁଣ୍ଡରେ ବା ପେଟରେ ଗୁଳିଚୋଟ ବାଜେ । ତା’ପରେ ବାଘକୁ ମଟରରେ ପକାଇ ରାଜବାଟିକି ଅଣାଯାଏ ।

 

ଶିକାରୀଭାବରେ ତାଙ୍କ ଖ୍ୟାତି ଖୁବ୍‌ ବ୍ୟାପିଥିଲା; ମୟୁରଭଞ୍ଜ, ବାମଣ୍ଡା, ବୋଡ଼ାସମ୍ବର, କନିକା, କାଶୀପୁର ଓ ନୀଳଗିରିରୁ ସେ ଶିକାର ନିମନ୍ତ୍ରଣ ପାଉଥିଲେ ।

 

ରଜା ସେ, ରଜାର ଦିଲ୍‌ ଚିହ୍ନିଲେ; ବଣର ଏଇ ରଜାଙ୍କ ପ୍ରତି ତାଙ୍କର ଅଶେଷ କରୁଣା ଓ ମମତା ଆସିଲା । ତାଙ୍କ ମତରେ ବଣର ରକ୍ଷାକର୍ତ୍ତା ସେ; ସେ ଥିବାରୁ ବଣ ନଷ୍ଟଭ୍ରଷ୍ଟ ହୁଏ ନାହିଁ-। ରାଜା ବହୁତ ଆୟ କରନ୍ତି । ରଜା ବାଘକୁ ନ ମାରି ଯନ୍ତା ବସାଇ ଧଇଲେ, ଚିଡ଼ିଆଖାନାରେ ଆଣି ରଖିଲେ ।

 

ବଣରୁ ନିଜେ ବାଘଛୁଆ ଧରିଆଣି ପାଳିଲେ । ସବୁଦିନ ବାଘ ଆଉ କୁକୁରଙ୍କୁ ଏକାଠି ବସାଇ ମଟରରେ ଯାନ୍ତି । ‘ଖଇରୀ’ ବାଘର ବହୁତ ଆଗର କାହାଣୀ ଏ । ରଜାଙ୍କ ପଛରେ କୁକୁରପରି ଏ ବାଘମାନେ ଗୋଡ଼ାଇଥାନ୍ତି । ପୋଷା ବିଲେଇପରି ଆଣି କୋଳରେ ବସାନ୍ତି, ଗେଲ କରନ୍ତି । ଏମାନଙ୍କ ମାଆ ବାଘୁଣୀ କୋଉଠି ? ବାପ ବାଘକୁ ବା ଚିହ୍ନେ କିଏ ?

 

ଅନାଥ ଶିଶୁଗୁଡ଼ିକୁ ପାଳି ସେ ଯୁଆନ୍‌ ବାଘରେ ପରିଣତ କରିଥାନ୍ତି । ସେମାନଙ୍କ ଲାଗି କଟକ କିଲ୍‌ଖାନାରୁ ଗୋମାଂସ ଆସେ, ହାଡ଼ିହାଡ଼ିଆଣୀମାନେ ଖୁଆଇବା ଦାୟିତ୍ୱରେ ଥାନ୍ତି ।

 

Unknown

ଦିନେ ତାଳମୂଳକୁ ଗୋରା ରେସିଡ଼େଣ୍ଟ ସାହେବ ଆସିଲେ, ସଙ୍ଗରେ ସାହେବାଣୀ । ସୌଜନ୍ୟଦୃଷ୍ଟିରୁ ସାହେବାଣୀଙ୍କୁ ବେଶୀ ସମ୍ବର୍ଦ୍ଧନା ଜଣାଇବା କଥା । ରାଣୀ ତ ଇଂରାଜୀ ପଢ଼ିନାହାନ୍ତି, ଓଡ଼ିଆମିଶା ହିନ୍ଦୀ କହନ୍ତି, ସାହେବାଣୀ ଇଂରାଜୀ ଛଡ଼ା ଅନ୍ୟ ଭାଷା ବୁଝନ୍ତିନାହିଁ—ଠରାଠରିରେ କିଛି କାଳ କଥାବାର୍ତ୍ତା ଚାଲିଲା । ରାଣୀସାହେବାଣୀ ବେକରେ ସୁନା ସୂତାରେ ଗୁନ୍ଥା ଗୋଟିଏ ମୋତି, ପଦ୍ମରାଗ ଆଉ ନୀଳାର ହାର ପିନ୍ଧାଇଦେଲେ । ଖୁସିହୋଇ ଅନ୍ତଃପୁରରୁ ଫେରୁ ଫେରୁ ଗୋଟିଏ ଭୟଙ୍କର ଦୃଶ୍ୟ ଦେଖି ତାଙ୍କ ଛାତି କଣ ହୋଇଗଲା ।

 

ମହାବଳ ବାଘଟାଏ ତାଙ୍କ ସ୍ୱାମୀଙ୍କ କପାଳରେ ପଞ୍ଝା ପକାଇଛି, ଝର ଝର ରକ୍ତ ଝରୁଚି, ସେ ଚାଟଚି । ସାହେବାଣୀ ଗୋଟାଏ ବିକଟାଳ ଚିତ୍କାର କଲେ, ସେଥିରେ ଚମକିପଡ଼ି ବାଘ ତଳକୁ ପାଦ ଖସାଇଦେଲା । କଥା କ’ଣ କି, ଏ କଉତୁକିଆ ବାଘଗୁଡ଼ିକ ଦେଖି ରେସିଡ଼େଣ୍ଟ ସାହେବ ସେଥିରୁ ଗୋଟିଏ ନେବାକୁ ବସିଲେ । ବାଘ କେଜାଣି କ’ଣ ବୁଝିଲା, ରେସିଡ଼େଣ୍ଟ ସାହେବଙ୍କୁ ଦେଖିବାମାତ୍ରେ ଦୁଇଗୋଡ଼ରେ ଛିଡ଼ାହୋଇ କପାଳରେ ପଞ୍ଝା ପକାଇଦେଲା; ଏତିକିରେ ଏତେ ଶଙ୍କା ହେଲା ଯେ ସାହେବଙ୍କ ବାଘ ନେବା ସକ୍‌ ମେଣ୍ଟିଗଲା । ସାହେବାଣୀ ଡରେଇଦେଲେ—ଗେଲ ଖେଳୁ ଖେଳୁ ତେଲ ବାହାରିବ, ଆଜିର ଏ ଜୀଅନ୍ତା ଖେଳଣାଟି ଦିନେ ଖେଳାଳୀକୁ ଖାଇବ ।

 

ପିତୃଶ୍ରାଦ୍ଧରେ ଗଣ୍ଡାମାଂସ ବ୍ୟବହାର କଥା ରାଜମାତା ପୁରାଣରୁ ଶୁଣିଥିଲେ । ହିମାଳୟ ପାଦଦେଶରେ ଗଣ୍ଡା ଶିକାର କରୁ କରୁ କିରାତବେଶୀ ଶିବଙ୍କୁ ଯୁଦ୍ଧରେ ହଟାଇ ଅର୍ଜ୍ଜୁନ ପାଶୁପେତ ଶର ଓ କିରାତିନୀ ପାର୍ବତୀଙ୍କଠାରୁ ଅକ୍ଷୟତୂଣୀର ପାଇଥିଲେ । ପିତୃଶ୍ରାଦ୍ଧରେ ଏ ମାଂସ ଅର୍ପଣ କରିବାରୁ ବଡ଼ ଧର୍ମ ଆଉ ନାଇଁ । ରାଜମାତାଙ୍କ ସନ୍ତୋଷବିଧାନ ଲାଗି ଈଶ୍ୱରଚନ୍ଦ୍ର ଗଣ୍ଡା ଶିକାରକରି ଆଣିବା ସଂକଳ୍ପ କଲେ ଓ ନେପାଳରାଜାଙ୍କୁ ପତ୍ର ଲେଖିଲେ । ସେତେବେଳେ ଏ ଦେଶରେ ବହୁ ଗଣ୍ଡା ଥିଲେ, ଗଣ୍ଡା ଶିକାରନେପାଳରାଜା ନିଷେଧ କରିନଥିଲେ । ତେଣୁ ରାଜାଙ୍କଠାରୁ ଅନୁକୂଳ ଉତ୍ତର ମିଳିଲା ।

 

ଈଶ୍ୱରଚନ୍ଦ୍ର କେତୋଟି ଦିନ ବୁଲିଲେ ତୁଷାରମଣ୍ଡିତ ହିମାଳୟ ପାହାଡ଼ମାଳର ପାଇନ୍ ଅରଣ୍ୟରେ ତୁଷାରଖଣ୍ଡ ଭାସମାନ ପାହାଡ଼ୀହ୍ରଦର କୂଳେ କୂଳେ । ପଶୁପତିନାଥଙ୍କ ଉପରେ ଦୁଦୁରା, ଗଇଶଫୁଲ, ବେଲପତ୍ରି ଚଢ଼ାଇଲେ । ତା’ପରେ ଶିକାରୀମାନଙ୍କ ସାହାଯ୍ୟରେ ଏକ ପାହାଡ଼ୀ ନଈକୂଳର ଦେବଦାରୁ ବଣରେ ଗଣ୍ଡାଟିଏ ଶିକାର କଲେ । ପିତୃଶ୍ରାଦ୍ଧରେ ପିଣ୍ଡପତ୍ରରେ ଗଣ୍ଡାମାଂସ ପରିବେଷଣ କରି ବଡ଼ବଡ଼ିଆଙ୍କର ତୃପ୍ତୀବିଧାନ କରାଗଲା । ତାଳମୂଳ ରାଜବଂଶରେ କେହି ଏ କଥା କେବେ କରି ନ ଥିଲା । ଜନନୀ ଅତି ସନ୍ତୋଷରେ ଆଶୀର୍ବାଦ କଲେ । ଏହି କୃତିତ୍ୱର ସ୍ମୃତିରୂପ ରାଜାଗଣ୍ଡା ମୁଣ୍ଡଟିବୈଠକଘରେ ଝୁଲାଇଦେଲେ ।

 

ଶିକାରବିଳାସୀ ରାଜାଙ୍କର ଗୋଟିଏ ବଡ଼ ବିଳାସ ଥିଲା ଗୟଳଖେଦା । ଓଡ଼ିଶାର ଗୟଳ ଆମେରିକାର ବାଇସନ୍‌ଠାରୁ ଭିନ୍ନତର—ଦେଖିବାକୁ ମଇଁଷି ଭଳି, କିନ୍ତୁ ସୁସ୍ଥତର, ସବଳତର ଅରଣାମଇଁଷି ସେ । ଆଖିରେ ତାର ତୀବ୍ର ହିଂସା, ତା କବଳରେ ପଡ଼ିଲେ ଆଉ ରକ୍ଷା ନାହିଁ । ସେଥିଲାଗି ଲେଖାଅଛି—

 

ଅରଣା ମଇଁଷି ରହିଚି ଅନାଇ

ମଇଁଷିର ପାଶେ ନ ଯାଅ ଦନାଇଁ ।

 

ବଣାଇଁ ଜଙ୍ଗଲରେ ସେତେବେଳେ ବହୁତ ଗୟଳ । ଗୟଳ ମାତିଲେ ବାଟ ପଡ଼ିଯାଏ ।

 

ଜଙ୍ଗଲରେ ଗୟଳ ଲାଗି ଢେର୍‌ ଚରା, ତେବେ ଏ ଗୟଳର ଗୋଟିଏ ନାଲିଚାପଣ ଅଛି-। ସେ ଲୁଣମାଟି ଖାଇବାକୁ ଭଲ ପାଏ । ବସନ୍ତପବନ ବୋହିଲେ ମାଟି ଫୁଲ୍‌କା ହୋଇଯାଏ-। ଏ ମାଟି ବହୁତନରମ, ଲୁଣିଆଁ ଲାଗେ । ଗୟଳ ଏଇ ଲୁଣିଆଁ ଖରିମାଟି ଖାଇବାକୁ ଭଲପାଏ । ମଣିଷ ତାର ଏଇ ଦୁର୍ବଳତାର ସୁଯୋଗ ନିଏ । ମାଟି ଖାଇବାକୁ ଆସୁଥିବାବେଳେ ସେ ଦଶଫୁଟ ଲମ୍ବ, ଦଶଫୁଟ ଗହୀର ଗାତରେ ପଡ଼େ । ତାକୁ ପ୍ରଲୋଭିତ କରିବା ପାଇଁ ବାଟରେ କଦଳୀ, ବାଉଁଶ, କିଆଗଛ ପୋତି ଦିଆହୋଇଥାଏ । ଖାଲରେ ପଡ଼ିଲାପରେ ତାକୁ ଟ୍ରକରେ ନେଇ ପାର୍କରେ ଛଡ଼ାଯାଏ ।

 

ହାତୀଖେଦା ରଜାଙ୍କର ଆଉ ଗୋଟିଏ ବିଳାସ । କଥା ଅଛି—‘ହାତୀ ମଲେ ଲକ୍ଷେ, ଜୀଇଁଲେ ଲକ୍ଷେ’ ଟଙ୍କା; ଖେଦାରେ ଧରି ହାତୀ ବିକି ରାଜା ନିଜର ଆୟ ବଢ଼ାଉଥିଲେ । ହାତୀ ବନସ୍ତରେ ଥିଲେ ରାଜାଙ୍କର; ଧରାହେଲେ ବି ସେଇ ରାଜାଙ୍କର ସମ୍ପତ୍ତି ।

 

ଯୋଉ ରଜାଙ୍କର ଘରେ ବୋଲି ହାତୀ ନାଇଁ, ସେ କି ରଜା ? ମଟରଗାଡ଼ି ଯୁଗରେ ଗଡ଼ଜାତ ରଜା ହାତୀରେ ବସୁ ନ ଥିଲେ । ତଥାପି ହାତୀଶାଳ ଥିଲା, ରଜାଙ୍କର ତିନିଘର ପାଞ୍ଚ ଘର ହାତୀ ଥିଲେ । କିଛି ନ କଲେ ବି ଅଭିଷେକ ଉତ୍ସବ, ବା ଠାକୁରଙ୍କ ରଥଯାତ୍ରା, ଚନ୍ଦନଯାତ୍ରା ପଟୁଆରରେ ହାତୀମାନେ ବାହାରୁଥିଲେ, ମୁଣ୍ଡରୁ ଶୁଣ୍ଢ ଚିତ୍ରିତ ।

 

ହାତୀ ଆମର ସାଥୀ; ଆମ ଚିତା ମୁରୁଜଝୋଟିରେ ହାତୀ, ଆମ ଗାଉଁଲୀ ଖେଳଣାରେ ହାତୀ, ଆମର ଦେଉଳେ ଦେଉଳେ ହାତୀ, ପିଲାକୁ ଗେଲ କଲାବେଳେ ଆମେ ଡାକୁ ‘ଗୁଣ୍ଠୁଣି ହାତୀ’—ଝୁଲ୍‌ ମୋ ହାତୀ ଝୁଲ୍‌ରେ, ବାଆ ପାଣି ଖାଇ ଫୁଲ୍‌ରେ ।

 

ହାତୀଟି କାଳିଆ ଅସଲ ମେଳିଆ

ନଜାଣଇ ଖାଲଖମା

ଗୋପପୁରେ ଥାଇ ଦୁଧ ସର ଖାଇ

ହୋଇଚି ଧୂସର ଧମା

ମୋ ହାତୀ ଝୁଲ୍‌ରେ ।’

 

ଶୀତଦିନେ ଗଛ ପତ୍ରଝଡ଼ା ଦିଏ, କଞ୍ଚା ପତରପାତୁରି ଖାଇ ବଞ୍ଚେ ଏ ହାତୀ; ଖାଇବା ଅଭାବ ହେଲେ ହାତୀ ବଣ ଛାଡ଼ି ପାହାଡ଼ ଉପତ୍ୟକା ଓ ଖୋଲାମେଲା ଜାଗାକୁ ଆସେ, ପ୍ରଜାଙ୍କର ପାଚିଲା ଧାନଖେତ, ଆଖୁ ଆଉ କଦଳୀ ଫସଲ ନଷ୍ଟ କରେ ।

 

ହାତୀଖେଦାରେ ରଜା ପ୍ରଜା ଦୁଇ ପକ୍ଷର ଉପକାର । ପ୍ରଜାଙ୍କ ଫସଲରକ୍ଷା ପାଏ, ରଜା ହାତୀ ବିକି ଲକ୍ଷ ଲକ୍ଷ ଟଙ୍କା ଲାଭ କରନ୍ତି ।

 

ସେ ବର୍ଷ ବ୍ରାହ୍ମଣ ନଦୀ ଡେଇଁ କେତେ ହାତୀ ବାରୁଆଁ ଜଙ୍ଗଲରେ ପଶିଲେ, ରାତିରେ ପାହାଡ଼ରୁ ତଳକୁ ଗଡ଼ି ପ୍ରଜାଙ୍କ ହେଲା ଫସଲ ନଷ୍ଟ କରି ଚାଲିଲେ; ଡେଙ୍ଗୁରାବାଦ୍ୟ ବା ତାଳଫୋଟକା ବାଣକୁ ପାସଙ୍ଗରେ ପକାଇଲେ ନାଇଁ ।

 

ରାଜା ଈଶ୍ୱରଚନ୍ଦ୍ର ପ୍ରଜାଙ୍କୁ ମେଳେଇ ପାହାଡ଼କୁ ଘେରାଉ କରିଦେଲେ । ପ୍ରଜାମାନେ ଦିନ ରାତି ଜଗିରହି ହାତୀକୁ ଅନ୍ୟ କୁଆଡ଼କୁ ଯିବାକୁ ଦେଲେ ନାହିଁ—ପଳାଇବାକୁ ଚେଷ୍ଟାକଲେ, ବମ୍ବାଜି ଫୁଟାଇଲେ, ଲୋକଙ୍କ ଏଇ ବେଢ଼ ବା ଘେରାଉକୁ ‘ଜଗତିବେଢ଼’ କହନ୍ତି ।

 

ହାତୀଦଳ ଜଗତିବେଢ଼ ମଧ୍ୟରେ ରହିବା ମାତ୍ରେ ଗିଡ଼୍‌ଦା କାମ ଆରମ୍ଭ ହୋଇଗଲା—ପର୍ବତ ଖୋଲ ଏଥିଲାଗି ସୁବିଧାଜନକ ସ୍ଥାନ । ଗିଡ଼୍‌ଦା ପଚାଶ ଫୁଟ ଲମ୍ବ, କୋଡ଼ିଏ ଫୁଟ୍‌ଓସାର, ତିନିଫୁଟ୍‌ ଖାଲ । ତାରି ଚାରି ପାଖରେ କଟା ଶାଳଗଛରେ କେତେଧାଡ଼ି ଗଣ୍ଡି ପୋତା ଦୁଇ ତିନି ପରସ୍ତର ଏଇ ବାଡ଼କୁ ହାତୀ ଭାଙ୍ଗିପାରେ ନାଇଁ । ତା ଭିତରେ ହାତୀଙ୍କ ପଶିବାଲାଗି ଗୋଟିଏ ଗୋଟିଏ ବାଟ ଖୋଲାଥାଏ, କିନ୍ତୁ ଉପରେ ଗୋଟିଏ କବାଟ ଝୁଲୁଥାଏ । ହାତୀଙ୍କି ପ୍ରଲୋଭିତ କରିବା ଲାଗି ବାଟଯାକ ଆଖୁ, ବାଉଁଶ, କଦଳୀଗଛ ପୋତା ହୋଇଥାଏ । ଖାଇବା ନିଶାରେ ହାତୀ ଗିଡ଼୍‍ଦାରେ ପଶିବାମାତ୍ରେ ଟାଙ୍ଗିଆରେ ବନ୍ଧା ଦଉଡ଼ିକି କାଟି କବାଟ ପକେଇ ଦିଆଯାଏ ।

 

ପଡ଼ିବାମାତ୍ରେ କ’ଣ କରିବ ବୁଝି ନ ପାରି ଥୋରପାର ଟେକି ଅସ୍ଥିରଭାବେ ହାତୀ ଆଗରୁ ପଛ, ପଛରୁ ଦୌଡ଼ନ୍ତି, ତା’ପରେ ଗେରଦକୁ ମୁଣ୍ଡିଆ ମାରନ୍ତି, ଦାନ୍ତରେ ଭାଙ୍ଗିବାକୁ ଚେଷ୍ଟା କରି ଦାନ୍ତ ଭାଙ୍ଗନ୍ତି, କବାଟ ଭାଙ୍ଗିବାକୁ ଚେଷ୍ଟାକରି ବଡ଼ ବଡ଼ କଣ୍ଟାରେ ରକ୍ତସ୍ନାନ ହୁଅନ୍ତି ମାତ୍ର । ବହୁତ ଗର୍ଜନ କରି ତଳେ ଗୋଡ଼ ବାଡ଼ାନ୍ତି, ଥୋରପାରରେ ଗିଡ଼୍‌ଦା ବାହାରକୁ ପଥର ଫିଙ୍ଗନ୍ତି, ଧୂଳି ଗୋଡ଼ି ମାଟି ପକାନ୍ତି । ଲୋକେ ଗିଡ଼୍‌ଦା ଚାରିପଟେ ନିଆଁ ଜାଳନ୍ତି, ହାତୀଙ୍କ ଉପରକୁ ନିଆଁହୁଳା ଫିଙ୍ଗନ୍ତି, ବନ୍ଧୁକ ବା ବମ୍ବାଜି ଫୁଟାଇ ଭୟଭୀତ କରନ୍ତି ।

 

ବଡ଼ଖିଆ ଜନ୍ତୁ; ଦୁଇ ତିନି ଦିନ ଭୋକ ଓପାସରେ ରହି କାଇଲା ହୋଇପଡ଼େ । ପାଣିଟୋପିଏ ପିଇବାକୁ ନ ପାଇ ତା ତୋଟି ଶୁଖିଯାଏ । କ୍ରୋଧରେ ଅଧୀର ସେ ପ୍ରାୟ ଅନ୍ଧ ହୋଇଯାଏ । ଏତିକିବେଳେ ମାହୁନ୍ତ ଚୋରାବାଟେ ଖେଦା ଭିତରେ ପଶି ତା ପାଦରେ ଫାଶ ଲଗାଏ । ତା’ପରେ କୌଶଳରେ ଫେରିଆସେ । ହାତୀ ତାକୁ ଦେଖିପାରେ ନାହିଁ । କଉଁଟାଏ ଲାଗିଚି ଭାବି ହାତୀ ଗୋଡ଼ ଛାଟିଲାବେଳେ ଫାଶ ଶକ୍ତ ହୋଇ ପାଦରେ ବାନ୍ଧିହୋଇଯାଏ ।

 

ତା’ପରେ ପୋଷା ହାତୀରେ ବସି ରାଜା ଈଶ୍ୱରଚନ୍ଦ୍ର ପହଞ୍ଚିଲେ । ଜଗୁଆଳୀ ପ୍ରଜାମହଲରେ ଚହଳ ପଡ଼ିଗଲା—ହେଇ ଆମେ କେତେ ଦୁଃଖରେ ଧରିଚୁ, ରାଜଯୋଗ୍ୟ ଉପହାର ନିଅ—ଏଇସବୁ ହାତୀ ।

 

ତା’ପରେ ଗିଡ଼୍‌ଦା କବାଟ ଖୋଲେ, ପୋଷା ହାତୀ ବାଟ କଢ଼ାଏ । ବଣର ସ୍ୱାଧୀନ ଜୀବ ଏବେ ବନ୍ଦୀ, ପାଦ ଛନ୍ଦା, ପୋଡ଼ାଘାଆ ପୋଡ଼ାଜଳା କରୁଛି । ଅସମ୍ଭାଳ ଭୋକ, ପ୍ରଚଣ୍ଡ ଶୋଷ । କଏଦୀମାନେ ବିକଳ ହେଣ୍ଟାଳ ଛାଡ଼ୁଛନ୍ତି, ଏକଦମ୍‌ କାବୁ । ଖସିବାର କିଛି ହେଲେ ବାଟ ନାହିଁ ।

 

ପୋଷା ହାତୀ ଆଉ ମାହୁନ୍ତ ମିଶି ବଣୁଆଁ ହାତୀମାନଙ୍କ ମନ ମନାଇଲେ । ସେ ହେଲା ମଣିଷର ଦାସ । ତଥାପି ହାତୀର ମନ ଘେନି ମଣିଷକୁ ଚଳିବାକୁ ହୁଏ । ମନ ବିଗିଡ଼ିଲେ ସେ କାହାର ନୁହେଁ, ପ୍ରଳୟ କାଣ୍ଡ ଘଟାଏ । ଆଙ୍କୁଶ, ଶିକୁଳି ମାନେ ନାହିଁ । ମାହୁନ୍ତ ଓ ଯେ ଆଗରେ ପଡ଼ିଲା, ତାକୁ ଦଳି ଚକଟି ଚାଲିଯାଏ ।

 

କେତେଥର ଖେଦା କରି ରାଜା ଈଶ୍ୱରଚନ୍ଦ୍ର ଜୀବନରେ ଶହେ ଘର ହାତୀ ଧରିଥିଲେ ଓ ବିକ୍ରୀ କରି ବିଶେଷ ଲାଭବାନ୍‌ ହୋଇଥିଲେ । କିନ୍ତୁ ପ୍ରଜାଙ୍କୁ ଅସହ୍ୟ ଦୁଃଖକଷ୍ଟ ସହିବାକୁ ହୋଇଥିଲା—ଖରା–କାକରରେ, ଅଧା ଓପାସରେ । ଘରୁ ଖାଇ ଘୋଡ଼ା ଆଗରେ ଡେଇଁବା କଥା-

 

ଚାଷବାସ ଆଉ ଯାବତୀୟ ଘରକାମ ଛାଡ଼ି ପ୍ରଜାଙ୍କୁ ମାସ ମାସ ଜଙ୍ଗଲରେ ପଡ଼ିରହିବାକୁ ହେଉଥିଲା, ଚାଉଳ ଛଡ଼ା ରାଜସରକାରରୁ ମୁଣ୍ଡପିଛା ଅଧଲାଏ ମାତ୍ର ମିଳୁଥିଲା । ଜଙ୍ଗଲର ପଚା ପାଣି ପିଇ ମଶାବଣରେ ପଡ଼ି କେତେ ମରୁଥିଲେ, କେତେ ବେମାରିରେ ପଡ଼ି କତରାଲଗା ହେଉଥିଲେ ।

 

ଈଶ୍ୱରଚନ୍ଦ୍ରଙ୍କର ବଡ଼ ବିଳାସ ହେଲା ଏକ ପ୍ରାକୃତିକ ଚିଡ଼ିଆଖାନା । ଜଙ୍ଗଲର ଏକ ବିପୁଳ ଅଂଶ ସେ ପାଚେରୀ ଘେରାଇ ଦେଇଥିଲେ । ଭାରତବର୍ଷର ବିଭିନ୍ନ ବନ୍ୟ ଜନ୍ତୁ ଧରିଆଣି ଏଥିରେ ଛାଡ଼ୁଥିଲେ । ଏହାକୁ ପାର୍କ ବୋଲି ସେ କହୁଥିଲେ, କିନ୍ତୁ ପାର୍କ ବା ଉଦ୍ୟାନର ଲାଳନା ଚିହ୍ନ କୋଉଠି ନ ଥିଲା; ସର୍ବତ୍ର ଆଦିମ ବନ୍ୟତା, ବୁଢ଼ା ବୁଢ଼ା ଶାଳ, ମହୁଲ, ଅସନ, କସି, ଗହ୍ମାରି, ପିଆଶାଳ; ଏ ଗଛରୁ ସେ ଗଛ, ସେଗଛରୁ ଆର ଗଛ ଲମ୍ବିଚି ଲଟା, ଝରୁଚି ପ୍ରାକୃତିକ ଝରଣାଟିଏ-

 

ଏଥିରେ ହଜାର ହଜାର କୃଷ୍ଣସାର, ସମ୍ବର, କୁଟରା, ଘୋଡ଼ଙ୍ଗ ଝିଙ୍କ, ମୟୁର, ବଣ କୁକୁଡ଼ା, ଶିଆଳ, ଗଧିଆ, କେନ୍ଦୁଆ, ଶୁଆସାରୀ, କପୋତ, ଭରତିଆ ଆଦି ନାନା ଜାତିର ପଶୁପକ୍ଷୀ; ଜଙ୍ଗଲ ଭ୍ରମଣର ସ୍ୱାଭାବିକ ଆନନ୍ଦ ଦେଇଥାନ୍ତି । ଭାରତର ପ୍ରଥମ ଜାତୀୟ ଅଭୟାରଣ୍ୟ ଏ, ଉଚ୍ଚ ରାଜକଳ୍ପନା ଓ କବିତ୍ୱଭରା ।

 

ଏହା ମଧ୍ୟରେ ଈଶ୍ୱର ଚନ୍ଦ୍ର ରାଜାମାନଙ୍କୁ ବଣଭୋଜି ଦେଉଥିଲେ, ନିଜେ ବେଳେ ବେଳେ ଏକୁଟିଆ ବସି କବିତା ଲେଖୁଥିଲେ—ଏକାନ୍ତ ବ୍ୟକ୍ତିଗତ; ଶାଳୀମାନଙ୍କୁ ଲିଖିତ୍, ହାସ୍ୟବ୍ୟଙ୍ଗରେ ଭରା, ଶୃଙ୍ଗାର ରସାତ୍ମକ, ରାଜଅନ୍ତଃପୁରରେ ସେଇ ଛପା ଚଟଣିଚମକ ପୁସ୍ତକ ବ୍ୟବହୃତ ଅନ୍ୟତ୍ର ନିଷିଦ୍ଧ ।

 

।। ଆଠ ।।

 

ଏବେ ଶିଳ୍ପପତି ପୁଞ୍ଚିପତି; ବହୁତ ଥିଲାବାଲା ସେ—ଯେମିତି ବହୁତ ରୋଜଗାର କରେ, ପୁଅଝିଅଙ୍କ ବିଭାଘରେ ସେମିତି ଆଖିବୁଜି ଖର୍ଚ୍ଚକରେ । କିନ୍ତୁ ସେ କାଳର ଧନୀ ବୋଇଲେ ରାଜା ବା ଜମିଦାର । ଗରିବଲୋକେ ରଜାଙ୍କ ଧନର କଳନା କରନ୍ତି—‘‘ଘିଅରେ ମୁହଁ ଧୁଅନ୍ତି, ଦୁଧରେ ଗୋଡ଼ ଧୁଅନ୍ତି, ହଂସୁଲୀ ତୂଳୀରେ ଶୁଅନ୍ତି, ପାଟପୀତାମ୍ବର ପିନ୍ଧି ଚଳବିଚଳ ହୁଅନ୍ତି । ହାତୀଶାଳେ ହାତୀ, ଘୋଡ଼ାଶାଳେ ଘୋଡ଼ା, ହୀରାନୀଳା, ମୋତିମାଣିକ, ଅସରପି ଗଦା ଗଦା । ଚାରିଆଡ଼େ ଲକ୍ଷ୍ମୀ ହସୁଛନ୍ତି ।’’ ରଜାଙ୍କ ଆୟ ଜମିବାଡ଼ିରୁ, ପ୍ରଜାଙ୍କଠାରୁ ଆଦାୟ ହେଉଥିବା ରାଜସ୍ୱରୂ; ଶିଳ୍ପଆୟ ସଙ୍ଗେ ଏହାକୁ ତୁଳନା କରାଯାଇପାରେନା । ପୁଞ୍ଜିପତିର ବିବାହମଉଛାରେ ଅର୍ଥ ସୁଅ ମୁହଁରେ ବୋହିଯାଏ—ସଜାସଜି, ଖିଆପିଆର ଆଡ଼ମ୍ବରକୁ ରାଜବିବାହ ସଙ୍ଗେ ତୁଳନା କଲେ ଦ୍ୱିତୀୟଟି ଦରିଦ୍ରତାର ବୋଧ ହେବ । ତଥାପି ଏହା ବିଶେଷ ଆକର୍ଷଣୀୟ ବୋଧ ହେଉଥିଲା ।

 

ରାଜା ଈଶ୍ୱରଚନ୍ଦ୍ର ବାମଣ୍ଡା ରାଜଜେମାଙ୍କୁ ବିଭା ହୋଇଥିଲେ । ତାଙ୍କ ସଙ୍ଗେ ୨୭ ଘର ହାତୀ, ୧୫୦ ଘର ଘୋଡ଼ା ଓ ପନ୍ଦରଶହ ବରଯାତ୍ରୀ ଯାଇଥିଲେ । ସେତେବେଳକୁ ମଟରଗାଡ଼ି ଚାଲୁ ହୋଇ ନଥିଲା, ଜୋଇଁ ଗୋଟିଏ ହାତୀଦାନ୍ତ ପାଲିଙ୍କିରେ ଶଶୁରଘରେ ବିଜେ ହୋଇଥିଲେ ।

 

ବାମଣ୍ଡା ରାଜା ଯାତାୟତ ଲାଗି ଘୋଡ଼ା, ହାତୀ ଆଉ ଟମ୍‌ଟମ୍‌ ଗାଡ଼ି, ବିଶ୍ରାମ ଲାଗି ଅସ୍ଥାୟୀ ଘର, ତମ୍ବୁ, ବାଟଯାକ ବିଭିନ୍ନ ସ୍ଥାନରେ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ । ବିବାହ ରୋଷଣିରେ ୧୫୦ଟି ଚିତ୍ରମୁଣ୍ଡ ହସ୍ତୀ, ଦୁଇଶତ ଘୋଡ଼ା; ବହୁତ ଝାଡ଼ ଆଲୁଅ; ନାଗରା, ଧୁମସା, କାହାଳୀ, ପେଙ୍କାଳି ଓ ବହୁତ ବାଇଦବଡ଼କାଠ ଶବ୍ଦରେ ଚୌଦିଗ ଉଛୁଳୁଥିଲା ।

 

ବିବାହକାଳରେ ପ୍ରତ୍ୟହ କୋଡ଼ିଏ ହଜାର ଲୋକଙ୍କ ଲାଗି ଭୋଜନବ୍ୟବସ୍ଥା ହୋଇଥିଲା, ବୃଦ୍ଧବୃଦ୍ଧା, ଦୁଃଖୀରଙ୍କୀଙ୍କୁ ବସ୍ତ୍ର ବିତରଣ କରାଯାଇଥିଲା ।

 

ପୁଞ୍ଜିପତି ଦେଉଛନ୍ତି ମଟରଗାନି ଯଉତୁକ । କିନ୍ତୁ ବାମଣ୍ଡାର ରାଜା ବହୁ ଯାନବାହନ ମଧ୍ୟରେ ଜୋଇଁକି ଦେଇଥିଲେ ଦୁଇଟି ସୁନା ହାଉଦାପକା ଦନ୍ତାବଳ ।

 

ଈଶ୍ୱରଚନ୍ଦ୍ର କିନ୍ତୁ ମଉଜମଜଲିସ୍‌ରେ ମାତିପାରି ନ ଥିଲେ, ସେ ବର୍ଷ ଘୋର ମରୁଡ଼ି ବର୍ଷ-। ବର୍ଷ ଅଧାରୁ ବର୍ଷା ବନ୍ଦ ହୋଇଗଲା । ଠକ୍‌ ଥୋଡ଼ବେଳକୁ ଧାନ ସେ ମରିଶୋଇଲା-। ସୁଖସମ୍ଭୋଗ ପଛକୁ ପକାଇ ଦେଇ ରାଜା ପ୍ରଜାଙ୍କୁ ବଞ୍ଚାଇବା ଲାଗି ଲାଗିପଡ଼ିଲେ । ଜଣେ ହେଲେ ଲୋକକୁ ସେ କିଲିକତା ବା କାଳିମାଟି ଛାଡ଼ିଲେ ନାହିଁ । ତାଳମୂଳର ଲୋକେ ଆଉ କୋଉଠିକି ଯାଇ ମୁଣ୍ଡ ବିକିବେ, ଏ କଥା ରଜାଙ୍କୁ ବାଧିଲା ।

 

ସେ ଅମାର ଖୋଲିବାକୁ ଧନୀଲୋକଙ୍କୁ ଆଦେଶ ଦେଲେ । ଯୋଉମାନେ ବାସନକୁସନ, ଅଳଙ୍କାରପତ୍ର ବନ୍ଧାରଖି ଧାନ ଦଉଥିଲେ, ଲୋକଙ୍କୁ ବିପଦରୁ ସମ୍ପଦ ଛାଣୁଥିଲେ, ସେମାନଙ୍କ ପ୍ରତି କଠୋର ଶାସ୍ତି ବ୍ୟବସ୍ଥା ହେଲା । ଯୋଉମାନେ ଅଣ୍ଟା ଭିଡ଼ି ସେବାକାର୍ଯ୍ୟରେ ବାହାରି ପଡ଼ିଲେ, ସେମାନଙ୍କୁ ସର୍ବ ସମକ୍ଷରେ ସମ୍ମାନିତ କରାଗଲା । ସୁନା କଙ୍କଣ, ସୁନା କୁଣ୍ଡଳ ପିନ୍ଧେଇ ଦିଆହେଲା କିମ୍ବା ମୁଣ୍ଡରେ ଶାଢ଼ୀ ବନ୍ଧାଗଲା ଓ ରାୟଚୌଧୁରୀ, ସୁବୁଦ୍ଧି, ସାହୁରତ୍ନ, ଦୟାସାଗର, ନୀଳେନ୍ଦ୍ର ରାୟ ଆଦି ଉପାଧି ଦିଆହେଲା ।

ଭୋକଓପାସରେ କେହି ଯେପରି ଜଣେ ନ ମରନ୍ତି, ସେଥିପ୍ରତି ରଜା ଦୃଷ୍ଟି ରଖିଲେ । ଚାଷକାମ ବନ୍ଦ; ଲୋକେ ବେକାର । ରାଜା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୋଖରୀ ଖୋଳାଇଲେ, ବନ୍ଧ ବନ୍ଧାଇଲେ, ହିନ୍ଦୁମାନଙ୍କ ଲାଗି ଦେଉଳ, ମୁସଲମାନଙ୍କ ଲାଗି ମସଜିଦ୍‌ ତୋଳାଇଲେ । ନୂଆ ନୂଆ ରାସ୍ତାଘାଟ ନିର୍ମାଣ କରାଇଥିଲେ । ଗୋଟିଏ ହାଇସ୍କୁଲ ଓ ଡାକ୍ତରଖାନା ସ୍ଥାପନ କଲେ ।

ଅଖାଦ୍ୟ ଖାଇ ହଇଜା ଲାଗିଲା । ଚିକିତ୍ସା ବ୍ୟବସ୍ଥା ନ ଥିଲା । ହଜାର ହଜାର ଲୋକ ଶୋଇଗଲେ; ଗାଁ ଜନଶୂନ୍ୟ, କୋଉଠି କେମିତି ଅନାଥ ବାଳୁତଟିଏ । ରାଜା ଏମିତି ବହୁତ ଅନାଥ ଖୋଜିଆଣି ରାଜଧାନୀରେ ପାଳିଲେ, ପାଠ ପଢ଼ାଇଲେ । କେତେ ରୋଗିଣା ବୁଢ଼ା ବୁଢ଼ୀଙ୍କି ଆଣି ଥାଇତ କଲେ । ଚଳାଚଳ ଲାଗି ଉଭୟଙ୍କୁ ବେଦୀରେ ବସାଇ ବିଭା କରାଇଲେ, ଏମିତି ବହୁତ ବୁଢ଼ାବୁଢ଼ୀଙ୍କର ବିଭାଘର ଓ ଚଳାଚଳ ଖର୍ଚ୍ଚ ସେ ଦେଉଥିଲେ । କେତେ ଦୁଃଖୀଗରିବଙ୍କ ବ୍ରତ ଓ ବିବାହ ଉତ୍ସବରେ ସେ ସାହାଯ୍ୟ କରୁଥିଲେ ।

ପ୍ରତି ସକାଳେ ବୁଲିଗଲାବେଳେ ସେ ଦଶ କୋଡ଼ିଏ ଟଙ୍କାର ରେଜା ସାଙ୍ଗରେ ନେଉଥିଲେ, ବାଟରେ ଦୁଃଖୀଗରିବ ଆଉ ରୋଗୀଙ୍କି ବାଣ୍ଟିଦେଉଥିଲେ । ତାଙ୍କ ଆସିବାବେଳେ ହେଲେ ବାଟରେ ବହୁ ଭୋକୀ, ରଙ୍କୀ ରୁଣ୍ଡ ହେଉଥିଲେ ।

ଧାନକେଣ୍ଡାରେ ମଣିଷ ଜୀବନ । ଧାନ ଲକ୍ଷ୍ମୀ, ସେ ବୁଝିଥିଲେ । ‘ପାଖ ବାଲି (ବିଲ) ଦୂର ମଟାଳ ଅପେକ୍ଷା ଭଲ । ସେତେ ସରସ ନ ହେଲେ ବି ସେ ଉଆସ ପାଖାପାଖି ଜମି ଚାଷ କରୁଥିଲେ, ବଡ଼ ବଳଦ ନ ପୋଷି ଛୋଟ ବଳଦ ପୋଷିଥିଲେ । ତାଙ୍କ ବିଚାରରେ ଛୋଟ ବଳଦ ଖାନ୍ତି କମ୍‍, କରନ୍ତି ବେଶୀ । ନିତି ଘୋଡ଼ାରେ ବସି ସେ ବୁଲି ବୁଲି ନିଜ ଚାଷ ଜମି ଦେଖୁଥିଲେ ।

ସେତେବେଳେ ରାୟପୁରରେ ରାଜକୁମାରମାନଙ୍କ ଲାଗି ଗୋଟିଏ ସ୍ୱତନ୍ତ୍ର କଲେଜ ଥିଲା । ସ୍ୱୟଂ ଈଶ୍ୱରଚନ୍ଦ୍ର ଏହାର ପରିଚାଳନା କମିଟିର ସଭାପତି ଥିଲେ । କିନ୍ତୁ ସେ ନିଜ ପିଲାଙ୍କୁ ଏହି କଲେଜରେ ପଢ଼ାଉ ନ ଥିଲେ । ସେ ବୁଝିଥିଲେ—ରାଜକୁମାର କଲେଜ ଓ ଅନ୍ୟ ସାଧାରଣ କଲେଜ ଭିତରେ ତଫାତ୍‌ କ’ଣ । ରାଜକୁମାରମାନେ ବଦଭ୍ୟାସର ଅବତାର ଥିଲେ । ସେମାନେ ନିଜ ନିଜକୁ ବହୁତ ବଡ଼ ମନେ କରୁଥିଲେ, ଲୋକସାଧାରଣଙ୍କ ସଙ୍ଗେ ଆଦୌ ମିଶିପାରୁ ନ ଥିଲେ-। ଆଡ଼ାଚୌଡ଼ା ଆଉ ଫୁର୍ତ୍ତିରେ ସେମାନେ ବହୁତ ପଇସା ଉଡ଼ାଇ ଦେଉଥିଲେ ।

ସେମାନେ ଇଂରେଜୀ ଆଦବ୍‌କାଇଦା ଖୁବ୍‌ ଶିଖୁଥିଲେ, ଦେଶୀୟ ରୀତିନୀତିକୁ ଘୋର କୁସଂସ୍କାର ବୋଲି ଘୃଣା କରୁଥିଲେ । ଗୋରା ସାହେବଙ୍କ ସାମ୍ନାରେ ଛେଳି, ଦେଶୀୟ ପ୍ରଜାଙ୍କ ଆଗରେ କଟାଶ ମହାବଳ । ଶାସନ ଶିଖିବାକୁ ଯାଇ ରାଜକୁମାରମାନେ ଗୋଟିଏ ଗୋଟିଏ ଦୁଷ୍ଟ ଦୁଃଶାସନ ହୋଇ ଫେରୁଥିଲେ—ବିଦେଶୀ ଶାସନର ଏକାନ୍ତ ପକ୍ଷପାତୀ, ମୁକ୍ତିସଂଗ୍ରାମୀମାନଙ୍କର ଗଳଗ୍ରହ; ଗଡ଼ଜାତସବୁ ଇଂରେଜୀ ଶାସନର ରକ୍ଷାକବଚ ପରି କାମ କରୁଥିଲା ।

ଈଶ୍ୱରଚନ୍ଦ୍ର ଜାତିଆଣ ଭାବ ପ୍ରସାରର ଘୋର ବିରୋଧୀ ଥିଲେ । ସେ ରାଜପୁରୋହିତଙ୍କୁ ସଭାପତି କରି ରାଜ୍ୟରେ ଗୋଟିଏ ଆଠଜଣିଆ କମିଟି ଗଢ଼ିଥିଲେ, ଗୋଷ୍ଠୀ ବା ବର୍ଣ୍ଣ ବିଭେଦ ହେଲେ ଏହି କମିଟି ସମାଧାନ କରୁଥିଲେ, ଶେଷ ମୀମାଂସା ଦେଉଥିଲେ ସ୍ୱୟଂ ରାଜା ।

ବ୍ରାହ୍ମଣମୁଖ୍ୟ ମକଦ୍ଦମ, କ୍ଷତ୍ରିୟମୁଖ୍ୟ ସର୍ଦ୍ଦାର, କରଣମୁଖ୍ୟ ବେବର୍ତ୍ତା ବା ବକସି, ପାଇକମୁଖ୍ୟ ଦଳବେହେରା, ଗଉଡ଼ଙ୍କ ମୁଖ୍ୟ ସାହସମଲ୍ଲ, ଗୁଡ଼ିଆଙ୍କ ମୁଖ୍ୟ ଯୋଗଣିଆ ମହାପାତ୍ର—ଏମାନେ ଏହି କମିଟିର ସଭ୍ୟ ଥିଲେ ।

ଶାସନ ଦିଗରେ ଅଲଗା ହେଲେ ବି ସଂସ୍କୃତି ଦିଗରୁ ଓଡ଼ିଶାର ମୋଗଲବନ୍ଦୀ ଆଉ ଗଡ଼ଜାତ ଗୋଟିଏ ଥିଲା—ଧର୍ମ ଓ ଭାଷା ଦିଗରୁ ପ୍ରାୟ ସମସ୍ତେ ଏକାକାର । ଗଡ଼ଜାତ ରାଜାମାନେ ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନ, ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଲାଗି ବହୁ ଅର୍ଥ ସାହାଯ୍ୟ ଦେଇଥିଲେ; ଉତ୍କଳସମ୍ମିଳନୀର ବାର୍ଷିକ ସଭାରେ ସେହିମାନେ ସଭାପତି ହେଉଥିଲେ, ଓଡ଼ିଆଭାଷା ଓ ସାହିତ୍ୟର ଇତିହାସ, ଉତ୍କଳପ୍ରଭା, ଭଞ୍ଜପ୍ରଦୀପ ଓ ସମ୍ବଲପୁର ହିତୈଷିଣୀ ପ୍ରଭୃତି ପତ୍ରିକା ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶରେ ସେମାନେ ବିଶେଷ ସାହାଯ୍ୟ କରିଥିଲେ । ସୋନପୁର ମହାରାଜା କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ୍‌:ଏ: ଶ୍ରେଣୀ ଖୋଲାଇଥିଲେ । ତାଳମୂଳର ରାଜା ଈଶ୍ୱରଚନ୍ଦ୍ର ଓଡ଼ିଶାର ଅଗ୍ରଗତି ଲାଗି ମୁକ୍ତ ହସ୍ତରେ ସାହାଯ୍ୟ କରିଥିଲେ ।

 

ତାଳମୂଳକୁ ରାଜା ସ୍ୱୟଂସଂପୂର୍ଣ୍ଣ ରାଜ୍ୟ କରିଥିଲେ; ସୂତା ଛଡ଼ା ଆଉ କିଛି ଆମଦାନୀ ହେଉ ନ ଥିଲା । ଗ୍ରାମେ ଗ୍ରାମେ ଚାଲିଥିଲା ତନ୍ତ; ସୂତାଲୁଗା, ଗାମୁଛା ଛଡ଼ା ବଣରୁ କୋଷା ସଂଗ୍ରହ କରି ତନ୍ତୀ ତସର କନା ବୁଣୁଥିଲା; ପଥର ତରଳାଇ କମାର ଲୁହା ଜିନିଷ, କଂସାରୀ ପିତ୍ତଳ ଜିନିଷ ତିଆରି କରୁଥିଲେ ।

 

ତାଳମୂଳର ଅଧିକାଂଶ ବନ, ପାହାଡ଼, ରଜାଙ୍କ ମନ ଯେମିତି ଜମିର ଧାନରେ, ସେମିତି ପାହାଡ଼ ବନରେ । ଆମ୍ବ, ଶାଳ, ପିଆଶାଳ ବଉଳ ଆଉ ଲାଲ୍‌ କେନ୍ଦୁପତ୍ର ଦେଖିଲେ ସେ ଆନନ୍ଦରେ ନାଚିଉଠନ୍ତି । ବସନ୍ତବନରେ ହାତୀରେ ବସି ପାହାଡ଼ ବୁଲିବା ତାଙ୍କର ଗୋଟିଏ ବିଳାସ-। ନିଜ ରାଜ୍ୟର ସବୁ ଗଛବୃଛକୁ ସେ ଚିହ୍ନନ୍ତି । ପଶୁପକ୍ଷୀଙ୍କ ସଙ୍ଗେ ପରିଚୟ ଜମେଇଥାନ୍ତି-। ବନର ପୁରୁଣା ଅଭିଭାବକ ପରି ଦିଶୁଥିବା ଗଛରୁ ଗୋଟିଏ କିଏ କାଟିନେଲେ ସେ ଜାଣିପାରନ୍ତି-। ବାରମ୍ବାର ରାଜଦୃଷ୍ଟି ପଡ଼ୁଥିବାରୁ ଜଙ୍ଗଲ ଚୋରୀ ହୁଏ ନାହିଁ; ରାଜା ପାହାଡ଼, ଜଙ୍ଗଲରୁ ପ୍ରଚୁର ଆୟ କରନ୍ତି । ଏମିତି କଡ଼ା କଟକଣା ସେ କରିଥାନ୍ତି ଯେ ଜଙ୍ଗଲରୁ ପତ୍ରଟିଏ, ପାହାଡ଼ରୁ ପଥରଖଣ୍ଡେ, ନଈରୁ ବାଲି ଟୋକେଇଏ କିଏ ନେଲେ ସେ ଜାଣିପାରନ୍ତି ।

 

ପାହାଡ଼ଉପରେ ଗଛ, ଅତଡ଼ାର ଗଛ କାଟିବାକୁ ମନା, କାରଣ ମାଟି ଧୋଇହୋଇ ଜମି ଅନୁର୍ବର ହୁଏ, ରାସ୍ତାଧାରର ଗଛ କାଟିବାକୁ ମନା, କାରଣ ସୌନ୍ଦର୍ଯ୍ୟହାନି ଘଟେ ।

 

ଭୂଇଁରୁ ପୋଛି ଗଛ କାଟିବାକୁ ଆଜ୍ଞା—ତା’ହେଲେ କଟାଗଛରୁ ପିଲା ବାହାରି, ପୁଣି ବଡ଼ ବଡ଼ ଗଛ ହୁଏ । ସହଜରେ କ୍ଷତିର ଭରଣା ହୋଇଯାଏ ।

 

ମହାଗିନ, ଶାଗୁଆ, ପିଆଶାଳ, ରବର ଆଦି ଗଛ ବହୁ ସଂଖ୍ୟାରେ ଲଗାଇବାକୁ ଜଙ୍ଗଲ ରେଞ୍ଜରଙ୍କୁ ନିର୍ଦ୍ଦେଶ ଥିଲା । ପାଣିୟା ଲଗା ଗଛରେ ପାଣିଦେଇ ବଞ୍ଚାଉଥିଲା । ହଳିଆ ଜଙ୍ଗଲର ରକ୍ଷକ । ଜଙ୍ଗଲରେ ନିଆଁ ଲାଗିଲେ ଆଖପାଖ ଗ୍ରାମବାସୀଙ୍କି ଡାକି ସେ ଲିଭାଇଥାଏ । ଘାଟିଆ ଜଙ୍ଗଲଜିନିଷର ଆମଦାନୀ ରପ୍ତାନୀ ସମ୍ବାଦ ଦିଏ ।

 

ଶଅର, ତଅଁଳା ପ୍ରଭୃତି ଆଦିବାସୀମାନେ ଜଙ୍ଗଲରୁ ବିନାନୁମତିରେ ଘାସ, ଲଇ, ପତ୍ର, ଦାନ୍ତକାଠି, କୁମ୍ଭାରମାନେ ହାଣ୍ଡି ପୋଡ଼ିବା ଲାଗି ଲଟା ଜଙ୍ଗଲ, ଘଣ୍ଟରାମାନେ କାଠକୋଇଲା, କୁନ୍ଦୁରା, ଖଡ଼ୁରା, କଂସାରୀ, ଥଟାରୀ ଓ ସିଥୁରୀମାନେ ଅଜାତିଆ କାଠ, କମାରମାନେ ପଥରକୋଇଲା, ପଥରିଆମାନେ ଶିଳ, ଚକି, ପଥୁରି, କୁଣ୍ଡ ଲାଗି ପଥର ସଂଗ୍ରହ କରିପାରୁଥିଲେ । ମୋଚିମାନେ ଛାଲି, ପତ୍ର ନେଇ ଚମଡ଼ା କଷୁଥିଲେ । ଝରାମାନେ ବର୍ଷକୁ ଏକ ଟଙ୍କା ଫି ରଜାଙ୍କୁ ଦେଇ ବ୍ରାହ୍ମଣୀନଈରୁ ସ୍ୱର୍ଣ୍ଣରେଣୁ ସଂଗ୍ରହ କରିପାରୁଥିଲେ । କୁନ୍ଦୁରାମାନେ କମକୂଟ କାମ ପାଇଁ ମିଟୁ କୁଣିଆଁ, କୁର୍ମ ଓ କଟଗଞ୍ଜ କାଠ ସଂଗ୍ରହ କରୁଥିଲେ ।

 

ଚାଷଜମି ଅପେକ୍ଷା ଏକା ତାଳମୂଳ କାହିଁକି, ସମସ୍ତ ଗଡ଼ଜାତ ରାଜ୍ୟରେ ଜଙ୍ଗଲ ପରିମାଣ ବେଶୀ ଥିଲା । ଜଙ୍ଗଲ ଖିନ୍‌ଖରାପ ହେଲେ ବା ଜଙ୍ଗଲଜାତ ଦ୍ରବ୍ୟ ଚୋରୀ ହେଲେ ରାଜାଙ୍କର ମାରାତ୍ମକ କ୍ଷତି ଘଟୁଥିଲା । ତେଣୁ ଜଙ୍ଗଲ ପରିଚାଳନାରେ କଡ଼ା ଶୃଙ୍ଖଳା ଜାରୀ ଥିଲା ଓ ଚୋରକୁ କଠୋର ଶାସ୍ତି ଦିଆହେଉଥିଲା ।

 

ଗେଙ୍ଗୁଟି, ମାଙ୍କଡ଼ାପଥର, ମାଟି, କାଠ, ଘାସ, ମୃଦଙ୍ଗାର, ବେତ, ନଳ, ଲଟା, ସଉଳ, ଫୁଲ, ଫଳ, ରସ, ଛେଲି, ମହୁ, ମହମ, ଲାଖ, ରବର, କୁନ୍ଦ, ଘାସତେଲ, ଝୁଣା, ବାର୍ଣ୍ଣିସ୍‌, କୋଷାପୋକ, ପାଳୁଅ, ହାତୀଦାନ୍ତ, ହାଡ଼, ଶିଙ୍ଘକୁ ଜଙ୍ଗଲଜାତ ଦ୍ରବ୍ୟ ଭାବେ ଧରାଯାଉଥିଲା ।

 

ଜଙ୍ଗଲ ଦୁଇ ଭାଗରେ ବିଭକ୍ତ ଥିଲା—ରକ୍ଷିତ ଓ ଛାଡ଼; ଶାଳ, ପିଆଶାଳ, ମହୁଲ, ଶିଶୁ, କେନ୍ଦୁ, ବାନ୍ଧଣ, କଙ୍ଗଲା, କୁରୁମ, ଗହ୍ମାରୀ, ଖଇର, ଆମ୍ବ, ପଣସ, ହରିଡ଼ା, ବାହାଡ଼ା, କୋଚିଲା, ନାଗେଶ୍ୱର, କୁସୁମ, ତିନ୍ତୁଳି, ଶଲପ, ଜାମୁ, ଶିମୁଳି, ଅସନ, ସାଗୁଆନ, ଅଏଁଲା, ଶିରୀଷ, ଲିମ୍ବ, ମହାଲିମ୍ବ, ଚାର, ଖୀରକୋଳି, ତାଳ, ଖଜୁରି, ସୁନାରି, ଗୋହିଗ, ବେଲ, ଆଛୁଆ ଜାତିଆ ଗଛ । ଘର ଓ ଚାଷକାମ ଲାଗି ଜୁଆଳି, ଈଷ, କଣ୍ଟି, ଲଙ୍ଗଳ ମୁଣ୍ଡା, ଶଗଡ଼ଦଣ୍ଡା, ମଇ, କିଳା, ପଟା, ଫଳ, ଖଳାବାଡ଼ି ବାଡ଼, କଣ୍ଟାଝାଟି, ଆଖୁତରୁଅ ଆଦି ଅନୁମତିକ୍ରମେ ରକ୍ଷିତ ଜଙ୍ଗଲରୁ ସଂଗୃହୀତ ହେଉଥିଲା । କାରଣ ନ ଦର୍ଶାଇ ପ୍ରଜା କୁସୁମ ଶିଶୁ, ଖଇର, ଅଏଁଳା, ଚାର, କ୍ଷୀର, ମହୁଲ, ଆଦି ଗଛ କାଟିବାକୁ ମନା ଥିଲା । ବେଏଣ୍ଟା, ଭେରୁ, ସିଧା, କଣ୍ଟମିରା, ମଇ, ରାଇପାଟଳୀ, କୁମ୍ଭୀ, ତେନ୍ତରା, ଧଉରା, ଲେମ୍ବୁରି, କମଳାଗୁଣ୍ଡ, ଘଣ୍ଟୁଳି, ଝାଟଳି ଡାଳଶିଙ୍ଗ, କୁରେଇ ଅତି ଆବଶ୍ୟକ ଗଛ ମଧ୍ୟରେ ଯାଉଥିଲେ । ଘର ପୋଡ଼ିଗଲେ ବା ଭାସିଗଲେ ପ୍ରଜା ଜାତିଆ ଅଜାତିଆ ଉଭୟ କାଠ ରକ୍ଷିତ ବା ଛାଡ଼ ଜଙ୍ଗଲରୁ କାଟିପାରୁଥିଲା । କାରଣ ‘ଆତୁରେ ନିୟମ ନାସ୍ତି ।’

 

ଜଙ୍ଗଲଜାତ ଦ୍ରବ୍ୟ ସେତେବେଳେ ରାଜା ପ୍ରାୟ ଏଇ ଦରରେ ବିକ୍ରୀ କରୁଥିଲେ—ମହୁଲଗାଡ଼ିକୁ ଚାରି ଟଙ୍କା, ହରିଡ଼ା, ବାହାଡ଼ା, ଅଁଳା ଗାଡ଼ିକୁ ଦୁଇ ଟଙ୍କା, କୋଚିଲା ଗାଡ଼ିକୁ ପାଞ୍ଚ ଟଙ୍କା, ଟୋଲ, କୁସୁମ, କରଞ୍ଜମଞ୍ଜି ମହଣକୁ ପାଞ୍ଚ ଟଙ୍କା, ଅସ୍ତା (କଞ୍ଚା) ପାଞ୍ଚ ଟଙ୍କା, ଆଛୁ ଦି ଟଙ୍କା, ଚାଉଳିଆ ଲାଖ ଚାଳିଶ ଟଙ୍କା, ଝୁଣା ଚାଳିଶ ଟଙ୍କା, ତିଳକମାଟି ଗାଡ଼ିକୁ ଆଠଅଣା, ଗୋରୁ ଦୁଇ ଟଙ୍କା, ମହଣ ସେରକୁ ଦୁଇଅଣା, ମହୁ ସେରକୁ ଛ’ ଅଣା, ଲୁହାପଥର ଦୁଇଅଣା, କମଳାଗୁଣ୍ଡି ସେର ଦି’ ପଇସା, ତିନ୍ତୁଳି ଗାଡ଼ିକୁ ଦି ଟଙ୍କା, ଖଡ଼ିମାଟି ଶହେ ଘନଫୁଟକୁ ଏକ ଟଙ୍କା, ସେବାଇ ଘାସ ଗାଡ଼ି ଆଠ ଅଣା, ଢୋଲଙ୍ଗା ହଜାରକୁ ପାଞ୍ଚ ଟଙ୍କା, ଚଣ ପନାସି ହଜାରରେ ବିଡ଼ାକୁ ଆଠ ଅଣା, ଆଖୁ ତରୁଆ ଶହେଟାକୁ ବାରଣା, ଘଣାଗଣ୍ଡି ଗୋଟାକୁ ଦି ଟଙ୍କା, ଢଙ୍କି ଗୋଟାକୁ ଚାରଣା, ଶଗଡ଼ ଚକ ଯୋଡ଼ାକୁ ଏକ ଟଙ୍କା, ବଡ଼ ଡଙ୍ଗା କାଠ ଗୋଟାକୁ ବାରଣାରେ ବିକ୍ରୀ ହେଉଥିଲା । ଖଇରାକୁ ଏକ ହାଣ୍ଡି ଖଇର ରାନ୍ଧିବାକୁ ବର୍ଷକୁ ପାଞ୍ଚ ଟଙ୍କା, ତିନିମାଣ ଜମିର କୁସୁମଗଛରେ ଲାଖ ଚରାଇବାକୁ ବର୍ଷକୁ ପାଞ୍ଚ ଟଙ୍କା, ତିନିମାଣ ଜମିରେ ଅସନ ଗଛରେ କୋଷାପୋକ ଚରାଇବାକୁ ବର୍ଷକୁ ରାଜାଙ୍କୁ ଏକ ଟଙ୍କା ଫି ଦେବାକୁ ହେଉଥିଲା । ସେତେବେଳକୁ ଜଙ୍ଗଲ ବନ୍ୟଜନ୍ତୁଭରା । ଜଙ୍ଗଲଜାତଦ୍ରବ୍ୟ ପରି ବନ୍ୟଜନ୍ତୁ ବିକି ବି ରଜା ବେଶ୍‌ ଲାଭବାନ୍‌ ହେଉଥିଲେ । ବାଘଛୁଆ ଆଠଅଣା, ଭାଲୁ ଛୁଆ ଏକ ଟଙ୍କା, ବାରହାଛୁଆ ଦୁଇ ଟଙ୍କା, ଶମ୍ବରଛୁଆ ତିନି ଟଙ୍କା, କୁଟୁରା ଏକ ଟଙ୍କା, ହଂସ ଗୋଟାକୁ ଏକ ଅଣା ଦରରେ ବିକ୍ରୀ ହେଉଥିଲା ।

 

ଅନୁମତିକ୍ରମେ ଫସଲନଷ୍ଟକାରୀ ଜନ୍ତୁଙ୍କୁ ମାରି ଶିକାରୀ ଚମଡ଼ା, ଶିଙ୍ଘର ଅଧିକାରୀ ହେଉଥିଲା । ଛାଡ଼ ଜଙ୍ଗଲରୁ ଶମ୍ବରଟିଏ ମାଇଲେ ପନ୍ଦର ଟଙ୍କା, ମୟୁର ପାଞ୍ଚ ଟଙ୍କା, ଝିଙ୍କ ବା ଗୁରାଣ୍ଡି ଲାଗି ଏକ ଟଙ୍କା, ଖରିଆ ଲାଗି ଆଠ ଅଣା ଫି ଦେବାକୁ ପଡ଼ୁଥିଲା । ବାର୍‌ହା ମାରିଲେ କୌଣସି ଫି ଦେବାକୁ ହେଉ ନ ଥିଲା । ଭାଲୁ, ମହାବଳବାଘ, ଚିତାବାଘ, ହାତୀ, ଆତ୍ମରକ୍ଷା ବ୍ୟତୀତ ମାରିବାକୁ ମନା ଥିଲା । ଚର୍ମଘଟୁଆ, ଛୋଟ ଶିଙ୍ଘାଳ, ଶିଙ୍ଘ ନ ଥିବା ଅଣ୍ଡିରା ହରିଣ ମାରିବା ନିଷେଧ ଥିଲା ।

 

ଜାଲ ମେଲା, ଗିଡ଼୍‌ଦା ତିଆରିକରି, ବିଷ ବା ବିଦ୍ୟୁତ୍‌ ଆଲୋକ ପ୍ରୟୋଗ କରି ଜଙ୍ଗଲରୁ ଜୀବହତ୍ୟା କରିବା ମନା ଥିଲା ।

 

ଜମିର ଖଜଣା, ଜଙ୍ଗଲ ଟିକସ, କୋଇଲାଖଣିର ରୟାଲ୍‌ଟି ମିଶି ପୂର୍ବରାଜାଙ୍କ ଆୟର ବହୁ ଗୁଣ ହୋଇଥିଲା । ଈଶ୍ୱରଚନ୍ଦ୍ର ଏ ଆୟକୁ ସ୍କୁଲ, ଡାକ୍ତରଖାନା, ଅନାଥାଶ୍ରମ, ଧର୍ମଶାଳା, ଅତିଥିଶାଳା ଓ ପାର୍କ ନିର୍ମାଣରେ ବ୍ୟୟ କରିଥିଲେ । ରାଜଧାନୀରେ ଟେଲିଫୋନ୍‌ ଓ ବିଜୁଳିଆଲୁଅ ଲାଗିବାରେ ବି ବହୁ ବ୍ୟୟ ହୋଇଥିଲା ।

 

ସୁନିଆଁକୁ ନୁହେଁ, ଦଶହରାକୁ ତାଙ୍କର ସୁନକଟା ନୂଆ ଅଙ୍କ ଆରମ୍ଭ ହୁଏ । ସେତେବେଳେ ଦରବାର ହଲ୍‍ ରେ ବାର୍ଷିକ ରାଜଦରବାର ବସୁଥିଲା । ରାଜା, ଯୁବରାଜ, ଦେବାନ୍‌, ସେକ୍ରେଟରୀ, ପୋଲିସ୍‍ ଅଫିସର, ଇଞ୍ଜିନିୟର, ଡାକ୍ତର, ଭାଇବିରାଦର, କବି ବା ଲେଖକ, ଗଳ୍ପସାଗର, ବିଦୂଷକ, ପଣ୍ଡିତ ପ୍ରଭୃତି ସମସ୍ତେ ରାଜ୍ୟର ବିଧିମୁତାବକ ମୁଣ୍ଡରେ ହଳଦିଆ ପଗଡ଼ି ଭିଡ଼ିଥାନ୍ତି, ଆଗରୁ ସ୍ଥିରୀକୃତ ଆସନରେ ବସନ୍ତି । ଗତ ବର୍ଷର ଆୟବ୍ୟୟ, ଶୁଭଅଶୁଭ, ରାଜାଙ୍କର ରାଜ୍ୟ ବା ରାଜ୍ୟବାହାର ଗସ୍ତ, ଯୁବରାଜ ବା ଜେମାଙ୍କର ମଙ୍ଗଳକୃତ୍ୟ, ହାତୀଖେଦା, ଇଂରାଜୀ ରାଜକର୍ମଚାରୀଙ୍କ ଆଗମନ, ଶିକାର ଉଦ୍ଦେଶ୍ୟରେ କମିସନର ସାହେବ, ହୁନାଗଡ଼ ବା ଭୋପାଳର ନବାବ, ହାଇଦରାବାଦର ନିଜାମ, କିମ୍ବା ନେପାଳ ରାଜାଙ୍କ ଆଗମନ, ପୁଷ୍କରିଣୀ ବା ମନ୍ଦିରର ଜୀର୍ଣ୍ଣ ସଂସ୍କାର, ଉତ୍କଳସମ୍ମିଳନୀର ସଭାପତିଭାବେ ଭାଷଣ ପ୍ରଦାନ ଆଦି ଯାବତୀୟ କଥା ବାର୍ଷିକ ବିବରଣୀରେ ସ୍ଥାନ ପାଉଥିଲା, ବିଶିଷ୍ଟ କବି ବା ଗାୟକଙ୍କୁ କବିଭୂଷଣ, ଗାୟକରତ୍ନ, ପଣ୍ଡିତଙ୍କୁ ବିଦ୍ୟାର୍ଣ୍ଣବ ଆଦି ଉପାଧିରେ ଭୂଷିତ କରି ସମ୍ମାନିତ କରାଯାଉଥିଲା ।

 

ପାଇକଖେଳ ଦଶହରାର ମୁଖ୍ୟ ଆକର୍ଷଣ । ଧନୁଶରରେ ପୁରାଣ ଧରଣର ଲାଖବିନ୍ଧା, ବନ୍ଧୁକର ଗୁଳିରେ ଲକ୍ଷ୍ୟଭେଦ, ତେଲଚିକିଟା ସ୍ତମ୍ଭରେ ଖାଲିଦେହରେ ଊର୍ଦ୍ଧ୍ୱାରୋହଣ, ମଲ୍ଲଯୁଦ୍ଧ, ତରବାରୀ ଯୁଦ୍ଧ, ଘୋଡ଼ାଦୌଡ଼ ପ୍ରତିଯୋଗିତା ବିଶେଷ ଆଖିଦୃଶିଆ ଥିଲା । ଖେଳବାଜାର ଆନନ୍ଦହିଲ୍ଲୋଳ ମଧ୍ୟରେ ରାଜା ଜେତାମାନଙ୍କ ମୁଣ୍ଡରେ ଶାଢ଼ୀ ବାନ୍ଧୁଥିଲେ । ଦରବାର ଆଉ ପାଇକଖେଳ ପରେ ରାଜଭୋଜି—ପାଟିରେ କେତେ ସୁଆଦିଆ ପଦାର୍ଥ ଲାଗୁଥିଲା, ବହୁଦିନର ଅରୁଚି ଛାଡ଼ୁଥିଲା ।

 

ରାଜ୍ୟବାହାରେ ରାଜା ଖୁବ୍‌ ନାଁଡ଼ାକ୍‌ ଥିଲେ; ସେ ନିଖିଳ ଭାରତୀୟ ନରେନ୍ଦ୍ର ମଣ୍ଡଳୀର ସମ୍ମାନିତ ସଭ୍ୟ ଥିଲେ, ଓଡ଼ିଶାର ପାଠୁଆ ମହଲରେ ବି ନାଆଁ କମେଇଥିଲେ; ଖାଲି ରଜା ବୋଲି ନୁହେଁ, ମନଚିହ୍ନରା ଗ୍ରାହକ ଭାବରେ ତାଙ୍କର ସମ୍ମାନ ଥିଲା । ତାଙ୍କ ଧନମାନ, ଦାନଶୀଳତା ଓ ମହତ୍ତ୍ୱରେ ମୁଗ୍‌ଧ ହୋଇ ପୁରୀ ରାଣା ସୂର୍ଯ୍ୟମଣି ପାଟମହାଦେଈ ଈଶ୍ୱରଚନ୍ଦ୍ରଙ୍କୁ ପାର୍ସୀ ଓ ଓଡ଼ିଶାରେ ଚାମରସେବା ସନନ୍ଦ ଦେଇଥିଲେ—

 

‘ତୁମ୍ଭଙ୍କୁ ଯେ ଅନୁଗ୍ରହ କରି ମହୀନ୍ଦ୍ର ବାହାଦୁର ପଦ, କଳା ଛତି, ଧଳା ଛତି, କାହାଳୀ, ମଗରମୁହାଁ ପାଲିଙ୍କି, ରୂପାବେଣ୍ଟ ଚାମର, କୟୂର ଝୁଲ, ସୋଠୀ ବରଦାର, ହାତୀ ଉପରେ ପତାକା, ଘୋଡ଼ା କାନରେ ତଅଁର, ଦୋଶାଖୀ ମସାଲ—ଆଜ୍ଞା ଦେଲୁ ଏ ସଲତନ ବିଜେ ସହର ଚାରିକ୍ଷେତ୍ର ଛାଡ଼ି ଆଉ ସବୁଠାରେ କରିବ । ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନକୁ ଆସିଲେ ଆଉ ସମସ୍ତ ସଲତନରେ ଆସି ଛତ୍ର, କାହାଳୀ ବନ୍ଦ ଥାଇ ସିଂହଦ୍ୱାର ଚକଡ଼ାତଳେ ରଖି ଦେଉଳ ବେଢ଼ା ଭିତରକୁ ସଙ୍ଗେ ଦୁଇଗୋଯି ମଶାଲ ନେଇ ଦର୍ଶନକୁ ଯିବ ଭଣ୍ଡାରରୁ ସୁନା ବେଣ୍ଟ ଚାମର ପାଇ ଅର୍ଗଳି କାଠଠାରେ ଚାମରସେବା କରିବ, ତୁମ୍ଭ ୱାରସ ଦର୍ଶନକୁ ଆସିଲେ ଦେଉଳ ଅଧା ଶୋଧ କରି ଦକ୍ଷିଣ ଦ୍ୱାର ଗୁମୁଟଠାରେ ପାଲିଙ୍କ ରଖି ଦର୍ଶନ କରାଇବ । ଆଉ ବିଷୟ ଖଟଣୀ କହିବାରୁ ଜାଣିବ, ୧୦ ଅଙ୍କ, ବିଛା ମାସ, ୭ ଦିନ । ଇ । ପୁରୀରାଜାଙ୍କ ମୋହର, ସୂର୍ଯ୍ୟମଣି ପାଟମହାଦେଈଙ୍କ ସନ୍ତକ ।

 

ରଜାଙ୍କର ଚିନ୍ତା ଥିଲା ରାଜ୍ୟର ମଙ୍ଗଳଚିନ୍ତା, କାର୍ଯ୍ୟ ମଙ୍ଗଳକାର୍ଯ୍ୟ, କିନ୍ତୁ ସମୟ ଆସିଲା, ଲୋକେ ରାଜାଙ୍କର କାର୍ଯ୍ୟକୁ ଅକାର୍ଯ୍ୟ ବୋଲି ବୁଝିଲେ; ସବୁ ଓଲଟା ବୁଝାମଣା ହେଲା ।

 

ବେଳେ ବେଳେ ହିତ କାମର ଅହିତ ଫଳ ହୋଇଥାଏ । ଯେମିତି ଦୁହାଳିଆ ଗାଈର ଜଙ୍ଘ ବାଛୁରୀର ବନ୍ଧନର କାରଣ ହୋଇଥାଏ ।

 

ହାୱା ବଦଳିଗଲା; ସୁଲୁ ସୁଲିଆ ପବନ ପାଲଟିଲା ଝାଞ୍ଜି । ରଜାଙ୍କୁ ବିଷ୍ଟିଯୋଗ ପଡ଼ିଲା; ଘରଢ଼ିଙ୍କି କିମ୍ଭୀର ହୋଇ ଖାଇ ଗୋଡ଼ାଇଲା—ସାରା ଓଡ଼ିଶାରେ ବା ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ । ଯଦୁବଂଶ ଆତ୍ମଧ୍ୱଂସର ବାଟ ନିଜେ କାଢ଼ିଥିଲେ । ଲୋକେ ମୁଣ୍ଡଧାରତା କରି ଜଣଙ୍କୁ ଆଣି ସିଂହାସନରେ ବସାଇଥିଲେ । ସେ ଆତ୍ମବିସ୍ତାର କଲା । ବୋଝ ଦାବିଲା—ବଳୀକି ପାତାଳକୁ ଚାପିଲା ପରି; ବୁହାଳୀ ଉତ୍ତାରିଦେଲା ସେ ବୋଝ । ରାଜତନ୍ତ୍ର ଲୋପ ପାଇଲା ।

 

କଥା ଅଛି—‘ବିନାଶକାଳେ ବିପରୀତ ବୁଦ୍ଧି’ । ତାଙ୍କୁ ଓଲଟା ବୁଦ୍ଧି ହିଁ ଦେଖାଗଲା; କିମ୍ବା ସେ ସମୟ ସେଇଆ । ଘଟଣା ସବୁ ତା ଦିହକୁ ତା ଦିହକୁ ତା ଦିହ ଗୁନ୍ଥିହୋଇ ଫଳ ଘଟିଯାଏ । ତୁମେ କିଛି କର ବା ନ କର ।

 

ଦହିହାଣ୍ଡିରେ କିପରି ଆସି ମୂଷକ ପଶିଲା ? ତା ଏହିପରି—ରଜା ଥରେ ହିଙ୍ଗୁଳା ଦର୍ଶନକୁ ବିଜେ ହୋଇଥିଲେ, ତାଙ୍କ ଆଖିରେ ପଡ଼ିଲା ଗୋଟିଏ ଗାଈଜଗା ଟୋକା—ଦେହୁରୀ ଘରେ ଥିଲା—ଅନାଥ, ଚଟକା ମୁଣ୍ଡରେ ଝାମ୍ପୁରି ବାଳ ଆଖିରେ ପଡ଼ିବାରୁ ଡାହାଣରୁ ବାଆଁ, ବାଆଁରୁ ଡାହାଣ ଛାଟୁଥାଏ ।

 

ସାବନା ଦିହରେ ବହଳ ମଳି, ଲାଲ୍‌ଧୂଳି । କଉପୁନୀମରା; ମୁଣ୍ଡରେ ଝାମ୍ପି, ହାତରେ ବାଡ଼ି । ଗୋବରା ଗାଈର ନାଆଁ ଧରି ଡାକ ପକାଉଥାଏ ।

 

ଈଶ୍ୱରଚନ୍ଦ୍ରଙ୍କର କ’ଣ ମନ ହେଲା କେଜାଣି, କହିଲେ—ଏ ପିଲାଟିକି ଉଆସରେ ଛାଡ଼ିଦେଇ ଆସିବ । ମୋ ପାଖରେ ରହି ବୋଲହାକ କରିବ । ରଜା ତୁଣ୍ଡ ଫିଟାଇ କହିଲେ ମାନେ ହୁକୁମ୍‌ ଦେଲେ । ଏଥିରେ ହାନିଲାଭ କ’ଣ ଅଛି ନ ଅଛି, କହିବ କିଏ ? ଦେହୁରୀ ହୁକୁମ୍‌ମତେ କାମକଲା ।

 

ରାଜଉଆସ ଦେଖି ଗୋବରାର ଆଖି ଖୋଷି ହୋଇଗଲା । ସିଉଳିଲଗା ତୁଠପରି ଉଆସ ଚଟାଣ ସାଉଁଳିଆ, ପାଦ ଚିପି ଚାଲୁ ଚାଲୁ ବି ସେ କଚଡ଼ାଏ ଦି କଚଡ଼ା ଖାଇଲା । ଭାଗ୍ୟକୁ କେହି ଦେଖିନାହାନ୍ତି । ହସିଥାନ୍ତେ । ଗୁଡ଼ାଏ ଆଲୁଅରେ ତା ଆଖି ଝଲସିଯାଏ, ପାଦ ଛନ୍ଦଣମନ୍ଦଣ ହୋଇଯାଏ ।

 

ଉଆଁସର ସଫାସୁତରା ମଣିଷ ଦେଖି ସେ ଶଙ୍କି ପଛେଇଯାଏ । ଦାସୀମାନେ ନିଜ ନିଜ ଭିତରେ କଥାଭାଷା ହୁଅନ୍ତି—ଏ ବଣଭାଲୁଟାକୁ ରଜା କୋଉଠୁ ଧରିଆଣିଛନ୍ତି, ବଣଜନ୍ତୁ ମେଳରେ ଜନ୍ତାରେ ନ ରଖି କାଇଁକି ଉଆଁସକୁ ଆଣିଛନ୍ତି ?

 

ସେ ଛାପଚିକ୍‌କଣିଆ ଚେହେରା କେତେ ଦେଖିଲା, ନ ଚାଖିଲା ଜିନିଷ କେତେ ଚାଖିଲା, ବହୁତ ମଉଜରେ ତା ଦିନ ପାଣି ପରି ବୋହିଗଲା ।

 

ପାହାଡ଼ପରି ଉଞ୍ଚ ଘର ଗୋଟାକ ଉପରେ ଆଉ ଗୋଟାଏ ନିଦ ହୋଇଛି । ଅଜାଡ଼ି ହୋଇ ପଡ଼େ ନ ପଡ଼େ ।

 

କେଡ଼େ କେଡ଼େ ହାତୀ, କାନ ହଲାଉଛନ୍ତି ନା ବିଞ୍ଚିହଉଚନ୍ତି ? କେଡ଼େ ଟିକି ଟିକିଆଖି ମିଟି ମିଟି କରୁଛନ୍ତି । ଗୋଟେଗୋଟେ ଗୋଡ଼ ଟେକିହଲାଉଛନ୍ତି । ଘୋଳି ହଉଚି ନା କ’ଣ ?

 

କେତେ ଘୋଡ଼ା—କି ଟପକ୍‌ ଟପକ୍‌ ଚାଲି ! କି ବାଘ ! ନିଆଁପରି ଜଳୁଚି ଆଖି, ମୋ ଆଡ଼କୁ ଚାହିଁଲା ନା ପଚାରିଲା—କିରେ ଟୋକା, ୟା ଭିତରେ ଅଛି ବୋଲି, ନଇଲେ ତୋ ମଜ୍ଜା ନିକାଲି ଦିଅନ୍ତି ।

 

ତଥାପି ତା ମନ ଭିତରେ ପଶି ବାହାରିଯାଉଥିଲା ଗାଈଚରା ଜୀବନର କେତେ ଭାବ ! ଗାଆଁର ସେ କଅଁଳା ବାଛୁରୀ, ଦାଣ୍ଡରେ ଯୋଉ ଡିଆଁ ମାରୁଥାଏ, ଟିକିଏ ହେଲା ଡର ଥାଏ ତା ଛାତିରେ ? କାଳେ କୋଉଠି ବୁଡ଼ିଯିବ, ଗଧିଆ କି କେନ୍ଦୁଆ ଭିଡ଼ିନେବ !

 

ଗଛକୁ ଶୁଆଉ ବସାଉଥିବା ଗୋଠର ସେ ଖୋଲା ପବନ ଏଠି ଦେଲା କିଏ ?

 

ଲୁଣ ଘିନି ଭାତ ଖାଇ ଲଙ୍ଗଳା ହୋଇ ତଳେ ଗଡ଼ୁଥିଲା । କେତେ ଛୋଚାକଚା ଖାଉଥିଲା । ଖୁଣ୍ଟା ଢେଲା ଢିମା ଝୁଣ୍ଟି ଆଙ୍ଗୁଠିରୁ କେତେ ଯଷ ଉଡ଼ିଯାଇଥିଲା । ଟାଇଁଟାଇଁଆ ଖରାରେ ମୁଣ୍ଡ, ଥୁରୁ ଥୁରୁ ଶୀତ କାକରରେ ତୁଣ୍ଡ ଫାଟିଯାଇଥିଲା । ସେ ଦୁଃଖ କ’ଣ ଦୁଃଖ ପରି ଲାଗୁଥିଲା ? ଏଠି ଆଉ ଅଧିକ କି ସୁଖ ହେଲା !

 

କେଡ଼େ ଓଲୁଟାଏ ମୁଁ ! ଘୁଷୁରିକି ପାଚିଲାକଦଳୀ ଗନ୍ଧଉଚି ! ପେଚା ଅନ୍ଧାରିଆ ଗଛ କୋରଡ଼ ଭାବି କାନ୍ଦୁଚି !

 

ଗୋବରା ଯୋଉ ଗାଆଁରୁ ଆସିଥିଲା ସେଟା ବଣମୁଲକ, ଅଧିକାଂଶ ଅଧିବାସୀ ଆଦିବାସୀ । ସମସ୍ତେ ଶ୍ରୀଅକ୍ଷର ବରୁଣେଇଁ ପର୍ବତ । ଆଖପାଖ ପାଞ୍ଚ ଦଶ କୋଶରେ କୋଉଠି ଚାହାଳୀ ନାଇଁ । ନିର୍ଜନ ପଡ଼ିଆରୁ ଅଧରାତିରେ ବେଳେ ବେଳେ ମୌଖିକ ଗୀତ ଓ ମାଦଳ ସ୍ୱରଲହର ଭାସିଆସେ । ଗୋବରାର ପାଠପଢ଼ା କଥା କାଇଁକି ଉଠିବ ? ପାଠ ନ ପଢ଼ି କାହାର କ’ଣ ହେଇଯାଉଚି ? ଗାଈଚରା ଗୋଠକୁ, ହଳିଆ ବିଲକୁ, କାଠୁରିଆ ବଣକୁ ଯାଉଚି । ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଯାହିତାହି ଚଳିଗଲେ ହେଲା, ଅଧିକାକୁ ପଚାରେ କିଏ ?

 

ଗୋବରା ରାଜବାଟିକି ବୁଝିପାରେ ନାଇଁ; ଏଠି ସେଠି ଏତେ ଚିଜ ଭର୍ତ୍ତିହୋଇଚି କାଇଁକି-? ଏତେ ଲୋକ ହାଉଜାଉ ହଉଚନ୍ତି କାଇଁକି ? ଯେ ଦାନ୍ତକାଠି ଦଉଚି, ସେ ପାଣି ଦେଇପାରନ୍ତା, ଶ୍ରୀଅଙ୍ଗରେ ତୈଳମର୍ଦ୍ଦନ କରିପାରନ୍ତା; ରାଣୀହଂସପୁରେ କେତେ ମାଇପୀ, ସବୁବେଳେ ହାଉହାଉ କାଉକାଉ; କଳି ଛିଣ୍ଡଉ ଛିଣ୍ଡଉ ରାଣୀ ମଣିମାମାନଙ୍କ ଦିନ ଯାଉଚି । ଜଣେ ଦିଜଣ ହେଲେ ତ କାମ ଚଳନ୍ତା । ଦିନରାତି ବ୍ରାହ୍ମଣୀ ନାନୀମାନେ ରନ୍ଧାବଢ଼ା କରୁଥାନ୍ତି କାଇଁକି ?

 

ଏ କଥା ଭରସି କାହାକୁ ପଚାରିପାରୁନ ଥାଏ । ଦିନେ କଳଗାଉଣାଟାଏ ବାଜିବା ଦେଖି ପଚାରିଲା—ମହାରାଜ, ଏ ଯନ୍ତରଟା ତ ଏଡ଼େ ବକଟେ; ୟା ଭିତରେ ମଣିଷ ପଶି ଗୀତ ବୋଲୁଚି କେମିତି ? ମହାରାଜା ଗୋବରାକଥାକୁ ଉଡ଼ାଇ ଦିଅନ୍ତି ନାଇଁ; ଅନାଥକୁ ଦୟା ଦେଖେଇଥାନ୍ତି ସେ; ବାପା, ମାଆ କାହାକୁ କେବେ କୋଉ ପ୍ରଶ୍ନ ପଚାରିବାର ସୁଯୋଗ ପାଇଛି ସେ ?

 

ରାଜା ଉତ୍ତର ଦିଅନ୍ତି—ମଣିଷକୁ ନୁହେଁ, ତା ସ୍ୱରକୁ ଧରି ଏଥିରେ ରଖାଯାଉଚି, ସେଇ ସ୍ୱର ବାହାରୁଚି ।

 

ଦିନେ ଲାଇବ୍ରେରୀରେ ଧୂଳି ଝାଡ଼ୁ ଝାଡ଼ୁ ଗୋବରା ପଚାରିଲା—ମହାରାଜ, ଏଗୁଡ଼ାକ କ’ଣ ?

 

‘ବହି !’

 

‘ୟାକୁ ତ କେହି ଖାଉନାହାନ୍ତି କି ମୁଣ୍ଡରେ ମାଣ୍ଡି କରି ଶୋଉ ନାହାନ୍ତି । ୟାକୁ ସବୁ ରଖିଛନ୍ତି କାହିଁକି ?’

 

‘ଏଥିରେ ପାଠ ଥାଏ, ପଢ଼ିଲେ ମଣିଷର ଅକଲ ହୁଏ ।’

 

‘ମୁଁ ପଢ଼ନ୍ତି !’

 

‘ଦୁର୍; କ’ଣ କହନ୍ତିନି—

 

ବୁଢ଼ା କାଳ ପାଠ

ଛତୁଫୁଟା କାଠ ।

ଯାହା ହୋଇନାଇଁ ପିଲାକାଳେ

ତାହା ହେବ କି ପାଚିଲାବାଳେ ?

 

ଆରେ ଏତେକାଳ ବାଡ଼ି ଧରି ଗାଈଙ୍କ ପଛେ ପଛେ ଗୋଡ଼େଇ ଗୋଡ଼େଇ ଗଲା ? ଏଖିଣି ଧରିବୁ ଖଡ଼ି ? ପାଠ ପଢ଼ି ତୋ ବୟସର ପିଲା ଏବେ ନାକରେ ଫୁଟି କାନରେ ବାହାରୁଚନ୍ତି, କୋଉଠୁ ଯାଇ କୋଉଠି ଉଠିଛନ୍ତି, ଆଉ ତୁ ପଢ଼ିବୁ ପାଠ !

 

ଏ କଥା ସିନା କହିଦେଲେ, ରଜା ଭାବିଲେ—ଏ ଟୋକା ମନକୁ ଏ କଥା କାଇଁକି ଆସିଲା ? ତାର କ’ଣ ବାପ ମାଆ ଅଛନ୍ତି ଯେ ଏକଥା ବୁଝିବେ ? ମତେ ସେ ବାପ ବିଚାରିଲା ବୋଲି ତ କହିଲା; ପିଲାଟି ସିନା ଛୋଟ, ମନଟା ଛୋଟ ନୁହେଁ; ଏତେ ଛୋଟପିଲା ତ ଉଆସରେ ଅଛନ୍ତି, କାହା ମୁହଁରୁ ଏମିତି କଥା ବାହାରେ ?

 

ଏ କଥା ସେ କହିନାହିଁ ଯେ ଭଗବାନ୍‌ ତା ମୁହଁରେ କୁହାଇଛନ୍ତି । ବିନା କୋଉ କାମ ଅଟକି ଯାଉଥିଲା ନା ଯିବ ? ସେ ପଢ଼ିବ କହୁଛି ପଢ଼ୁ !

 

ରାଜା କେତେ ଦୁଃଖୀରଙ୍କୀ ଅନାଥ ପିଲାଙ୍କୁ ପଢ଼ଉଥାନ୍ତି; ଏବେ ଗୋବରାର ପଢ଼ା ବେବସ୍ଥା କରିଦେଲେ ।

 

ସେ ମନଟାଣ ପିଲା ନୁହେଁ; ହେଲେ ମନରେ ଦୃଢ଼ ଜିଦ୍‌ । ବଳଦିଆ ରୀତି ତାକୁ ପସନ୍ଦ; ‘ଘୋଷବନ୍ତ ବଳବନ୍ତ’ ବାଟ ଅନୁସରଣ କରି ସେ କୌଣସିମତେ ମାଇନର ଫାଟକ ଡେଇଁଲା, ମାଟ୍ରିକ୍‌ ଅଧାଯାଏ ଗଲା, ତେଣିକି କ୍ଲାସ୍‌ ଉଠିପାରିଲା ନାଇଁ । ହଡ଼ବଡ଼େଇଗଲା ।

 

‘ଯେତିକି ବରାଦ ଥିଲା, ବିଧା ମାରି ପଣସ ପଚେଇ ଆଉ କି ଲାଭ ?’

 

ରଜା ଗୋବରାକୁ ଉଠାଇଆଣି ଉଆସ ପରିଚାଳନା କାମରେ ମୁକରିର୍‌ କଲେ ।

 

ସେତେବେଳେ ରାଜ୍ୟର ପାଣିପାଗ ନୁହେଁ ଥଣ୍ଡା, ନୁହେଁ ଗରମ । ଜିନିଷପତ୍ର ବାହାରକୁ ରପ୍ତାନୀ ହୁଏନାହିଁ; ଖୁବ୍‌ ଶସ୍ତା । ଚାଉଳ ଟଙ୍କାକୁ ମହଣେ, ଡାଲି ଅଧ ମହଣେ, ତେଲ ପାଞ୍ଚସେର, ଗୁଡ଼ ବତିଶ ସେର, ଗୁଆଘିଅ ଦେଢ଼ ସେର । କିଣିଖିଆ ବୋଇଲେ ରାଜକର୍ମଚାରୀ, କୋଇଲା ଖଣିର କେତେକ ଲୋକ । ପାଲିଙ୍କି ଉପରେ ପାଟଛତା ଉଡ଼ୁଥାଏ ସେଇମାନଙ୍କର । ବିକାଳୀଙ୍କ ସଂଖ୍ୟା ବେଶୀ; ସେମାନଙ୍କର ଅନ୍ତନାଡ଼ି ଦୁହିଁ ହୋଇଯାଉଥାଏ । ରାଜସ୍ୱ, ଭେଦାଚାନ୍ଦା ଦେବେ କୋଉଠୁ ? କୋଠି, ଅମାର ପଛେ ଖାଲି ହୋଇଯାଏ, ଦେଣା, ମାଗଣ, ସଞ୍ଚାପଞ୍ଚା ଲଟରା ଛିଡ଼େନାଇ । ବଡ଼ଭାବନାରେ ପଡ଼ିଥାନ୍ତି ପ୍ରଜାଏ ।

 

ସେ ଦୁଃଖ ରାଜାଙ୍କ କାନରେ ପଡ଼େନାଇଁ, ପକାନ୍ତେ ଯୋଉମାନେ ସେମାନେ ତ ଜଣେ ଜଣେ କଣ ରଜା, ନିଜ ଜମିଜମା ବଢ଼ାଇ ଲାଗିଥାନ୍ତି ନାନା ରୋଚକ ଚାଟୁବାଣୀରେ ରାଜାଙ୍କ ଦିଲ୍‌ ଉଷ୍ମ ରଖିଥାନ୍ତି ।

 

ରାଜା ଭାବୁଥାନ୍ତି ନିଜ ଗାଦି କଥା—ଏହି ବିଧିନିର୍ଦ୍ଦିଷ୍ଟ; ରାଜା ତା’ପରେ ଯୁବରାଜ । ନାତି, ଅଣନାତି, ପଣନାତି । ରଜା ତମ୍ୱାମୁଣ୍ଡ ବାନ୍ଧି ସଂସାରକୁ ଆସିଚି—ସଂସାରରେ ଯେତେ ଯାହା ହେଉ ପଛକେ ସେ ରହିବ ଚିରକାଳ—ବିହିବିଧାତା କପାଳରେ ଗାର ମାରି ଯାଇଚି—ଯେ ଅଛି, ସେ ଥିବ । ସେ ହୋଇଚି ସେ ହୋଇଥିବ, ହୋଇ ଚାଲିଥିବ ରଜାଙ୍କ ଅସଲ ଜୀବନନାଟି କୋଉଠ ଅଛି, କେହି ତାର ପତ୍ତା ପାଇବ ନାଇଁ ।

 

ଏ ସୁସ୍ଥ ଭାବନା, ଶାନ୍ତ ଭାବନା ଭିତରେ ଗାଢ଼ ନିଦ ଲାଗିଯାଇଥିବାବେଳେ ରଜା ଦିନେ ଚମକିପଡ଼ିଲେ— ଆରେ ଏ ହେଲା କ’ଣ ?

 

ହଠାତ୍‌ ଏ ନିଆଁ ହାୱା କୁଆଡ଼ୁ ବୋହିଆସିଲା ? ବଣପୋଡ଼ି ? ଘରପୋଡ଼ି ? ନା ମନପୋଡ଼ି ?

 

ବନ ପୋଡ଼ିଲେ ଜଗତ ଜାଣେ । ମନ ପୋଡ଼ିଲେ କେହି ଜାଣନ୍ତି ନାଇଁ ପରା ! ଏତେ ଡେଙ୍ଗୁରା ବାଜୁଚି କାଇଁକି ?

 

କ’ଣ ? ପ୍ରଜାମଣ୍ଡଳ ମାତିଛନ୍ତି ! ତାଳମୂଳରେ ବିପ୍ଳବ ?

 

ଗୋଠ ମାତିଲେ ଖଣ୍ଡିଆ ମାତନ୍ତି । ପରବୁଦ୍ଧି ପ୍ରଳୟ; ଗୋଟାକେତେ ପରଘରଭଙ୍ଗା ଏ କୀର୍ତ୍ତନ ଲଗାଇଚନ୍ତି ! ମୋର ସୁଯୋଗ ପ୍ରଜା, ସୁନା ପ୍ରଜ; ଏଡ଼େ ସୁଖରେମୁଁ ପାଳିଚି ତାଙ୍କୁ; ସେମାନେ ଏ ଘରପୋଡ଼ିଆଙ୍କ କଥାରେ ମାତିବେ କାଇଁକି ? ତୁମକୁ ସୁଖଶାନ୍ତିରେ ପାଳିଛି ମୁଁ, ଦୁଃଖଦୁର୍ଦ୍ଦଶା ଦୂର କରିପାରିବି ମୁଁ; ମୋତେ କହ ଏମାନେ ଖାଲି ନୁଖୁରା କଥା କହିବେ ନା, ବୋହିବ କିଏ ?

 

ଗୋବର୍ଦ୍ଧନ ଯାଅ, ଯୋଉମାନେ ଅବାଟକୁ ଯାଇଛନ୍ତି ସେମାନଙ୍କୁ ବୁଝେଇ ସୁଝେଇ ବାଟକୁ ଘେନିଆସ ।

 

ଗୋବର୍ଦ୍ଧନ ପାଠୁଆ, କହିବୋଲିପାରେ, କଥାଲହସରେ କେତେ ଗୀତ, ଢଗଢ଼ମାଳି ବି ତା ତୁଣ୍ଡରୁ ବାହାରିଯାଏ । ମନରେ ତେଜ ଅଛି, କଥାରେ ଓଜ ଅଛି, ଓଜନ ଅଛି । କଥାର ଅଛିଣ୍ଡା ସୁଅ ଛୁଟିଥିଲାବେଳେ ସମସ୍ତେ କାବା ହୋଇ ଚାହିଁଥାନ୍ତି—ଓହୋ, କେମିତି ଗୁନ୍ଥି ହୋଇ ମାଳା ପରି କଥା ବାହାରୁଚି !

 

ଗୋବର୍ଦ୍ଧନ ପହିଲେ ଦେବରାଜପୁରେ ପହଞ୍ଚିଲେ; ସେଠା ଲୋକେ ବେଶୀ ମାତିଥାନ୍ତି–ରଜାର ମୁକୁଟ ଉଡ଼ାଇଦେବୁ, ରଜାର ଉଆସ ପୋଡ଼ିଦେବୁ–ରଜାକୁ ନିକାଶ କରିଦେବୁ—ଏମିତି ଦୋହା ଚାଲିଥାଏ । ଗୋବର୍ଦ୍ଧନ ସରବରାକାର, ଦେଉଳର ପଣ୍ଡା, ମାଳୀ, ଦେହୁରୀ, ପୁଲିସ୍‌ ଆଉ ଧନୀଲୋକଙ୍କୁ ଗେନି ଗୋଟିଏ ସଭା କଲେ, କହିଲେ—ରଜା ବାପ, ପ୍ରଜା ପୁଅ; ଯୁଗେ ଯୁଗେ ଏ କଥା ଚାଲିଆସିଛି; ଆପଣା ବୁଦ୍ଧିରେ ଘାସ କାଟିବ, ପରବୁଦ୍ଧିରେ ଘୋଡ଼ା ଚଢ଼ିବ ନାଇଁ, ଏ କଥା ଋଷିମାନେ କହିଛନ୍ତି । ଯାହାଙ୍କ କଥାରେ ପଡ଼ିଚ ତାଙ୍କ ଗୁଣ ଜାଣିଚ ? ସେ ଗଛରେ ଚଢ଼େଇ ମୂଳ କାଟିଦେବେ, ତମ ସଂସାରକୁ ସୁଅରେ ଭସାଇଦେଇ ତାଳି ମାରି ହସୁଥିବେ ।

 

ଗୋବର୍ଦ୍ଧନର କଥା ଶୁଣୁ ନ ଶୁଣୁ କିଏ ସିଆଡ଼ୁ ଗର୍ଜି ଉଠିଲା ? ମୁଣ୍ଡରେ ବେଁକାଏ ଝୋଟ, ମୁହଁର ଚମ କେରାକେରା, ତୁଣ୍ଡରୁ ନିଆଁଝୁଲ ଖସୁଥାଏ, କହିଲା—ରଜା ଅଇଁଠାଚଟା ଏ ଚୂଲୀପଶାଟା କିଏ ? ଆରେ ମୋ ପୁତକୁ ଯେତେବେଳେ ରଜା ବାନ୍ଧିନେଲା, ସେତେବେଳେ ତୁ ଚୂଲୀପଶା କୋଉଠି ଥିଲୁ ? ଏଇଲେ ଦଉଡ଼ିଆସି ଆପ୍‌ତଲା ଖାଉଚୁ !

 

ହଇରେସେ ଏମିତି କି ପାପ କରିଥିଲା ? ଚୋରୀ ନା ନାରୀ ? ତାକୁ ଜିହଲରେ ଠୁଁ କିଦେଲା କାଇଁକି ବା ?

 

ଆରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଏଠି କି କଲବଲ ଛଟପଟ ହଉଚନ୍ତି ! ତାଙ୍କ ହୀନଅବସ୍ଥା କଥା ବୁଝୁଚି କିଏ ? ତତେ କିଛି ଦୁଶୁନାଇଁ କିରେ ? ପୋକ ପରି ଚାହିଁଚୁ କ’ଣ ? ତୋ ଆଖି କ’ଣ ଫୁଟିଯାଇଚି ? ତୁ ଓଲଟି ଏଠିକି ଆସି ରଜାର ବଡ଼େଇ ଦେଖେଇ ହଉଚୁ ? ଆମ ଫୁଟିଲା ଆଖିରେ ଆଙ୍ଗୁଠି ଗେଞ୍ଜୁଚୁ ?

 

ହଇରେ—ବାଟରେ ଦୂବ ଗଛଟିଏ ମିଳିଲା ନାଇଁ ? ଏ କଥା ଯାହା କରୁଚୁ, ଦୂବଗଛରେ ଦଉଡ଼ି ଦେଇ ମଲୁନାଇଁ !

 

ମାଉସୀ, ଯାଉଚି, ମୁଁ ରଜାଙ୍କୁ କହି ତୋ ପୁଅକୁ ଖଲାସ୍‌ କରିଦେବି । ରଜା ଭାରି ଦୟାବନ୍ତ, ଗରିବର ବାପ ମାଆ, ଧର୍ମାବତାର ।

 

ଆରେ ଏ ସବୁ କିଏ ? କୁଆଡ଼ୁ ଆସିଲେ ? ଛଞ୍ଚାଣ ପରି ଗୋବର୍ଦ୍ଧନକୁ କାହିଁକି ଝାମ୍ପିନେଲେ ?

 

।। ନଅ ।।

 

ଏ ମଧ୍ୟରେ ବ୍ରାହ୍ମଣୀ ନଦୀରେ ବହୁତ ଜୁଆର ମାଡ଼ିଆସିଥିଲା । ନୂଆ ମେଘର ପାଣି ଏ, ଏମିତି ମେଘ ଏ ଆକାଶରେ ଆଉ କେବେ ଉଇଁ ନ ଥିଲା । ସାତ ସମୁଦ୍ର ବାହାରେ ଗୋଟିଏ ନୂଆ ସମୁଦ୍ରରୁ ଉଠିଥିଲା ଏ ବାମ୍ଫ, ବଢ଼ାଇଥିଲା ଲୋକମନରେ ଆଗ୍ନେୟ ଫସଲ । ପ୍ରଜାଶକ୍ତି ଯେ ରାଜଶକ୍ତି ଅପେକ୍ଷା ଅନେକ ବଡ଼, ଏହା ପ୍ରମାଣିତ ହୋଇଥିଲା । ଭାଗବତ ନିର୍ଦ୍ଦିଷ୍ଟ ନୁହେଁ; ପ୍ରଜା ମତରେ ରାଜାର ସ୍ଥିତି–ଏହା ପୃଥିବୀର କେତେ ଦେଶରେ ଜାଗ୍ରତ ଜନସାଧାରଣ ଦେଖାଇଦେଇଥିଲେ ।

 

ଓଡ଼ିଶା ଗଡ଼ଜାତର ପ୍ରଜାବିପ୍ଳବ ଏକ ହଠାତ୍‌ ଉଠିଥିବ ଖଣ୍ଡିଆଭୂତ ନୁହେଁ, ଏହା ବୃହତ୍‌ ଝଡ଼ର ଅଂଶବିଶେଷ; ଭାରତୀୟସ୍ୱାଧୀନସଂଗ୍ରାମର ମଧ୍ୟ ଏହା ଏକ ଦିଗ; ସ୍ୱାଧୀନତା ମାନେ ଦେଶ ବିଦେଶୀ ସବୁ ଦାସତ୍ୱରୁ ମୁକ୍ତି ।

 

ଭାରତୀୟ ଗଡ଼ଜାତର ସଂଖ୍ୟା ଛ’ଶ । ଭାରତର ସ୍ୱାଧୀନତା ସଂଗ୍ରାମ ଓ ଗଣବିପ୍ଳବ ପ୍ରଭାବରୁ ସେସବୁ ଦୀର୍ଘକାଳ ଅଲଗା ରହିପାରି ନ ଥିଲା । ମୋଗଲବନ୍ଦୀର ବିପ୍ଳବୀ ନେତାମାନେ ପ୍ରଜାମଣ୍ଡଳ ଗଢ଼ି ଗଡ଼ଜାତମାନଙ୍କ ବିରୁଦ୍ଧରେ ବିପ୍ଳବର ସୂତ୍ରପାତ କରିଥିଲେ ।

 

ଇଂରେଜୀ ସରକାରଙ୍କ ହାତବାରିସି, ବିଦେଶୀ ହାତମୁଠାକୁ ଟାଣ କରୁଥିଲେ ଏଇ ପ୍ରତିକ୍ରିୟାଶୀଳ ଦୁର୍ଗସବୁ, ସେସବୁ ଚୂର୍ଣ୍ଣବିଚୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସ୍ୱାଧୀନତା ପୂର୍ଣ୍ଣାଙ୍ଗ ହେବନାହିଁ । ତେଣୁ ମୋଗଲବନ୍ଦୀରେ ବିପ୍ଳବୀ କର୍ମୀଙ୍କୁ ତାଲିମ୍‌ ଦେଇ ଗଡ଼ଜାତ ପଠାଯାଉଥିଲା ।

 

ପହିଲେ ଆନ୍ଦୋଳନ ତେଜିଲା ଛୋଟ ନୀଳଗିରି ରାଜ୍ୟରେ । ନୀଳଗିରି ପ୍ରଜାମଣ୍ଡଳ ରାଜଅତ୍ୟାଚାର ବିରୁଦ୍ଧରେ ଅଙ୍ଗୁଳି ଉତ୍ତୋଳନ କଲେ । ପ୍ରତିହିଂସା ସ୍ୱରୂପ ରାଜା ସ୍ଥାନୀୟ ଆଦିବାସୀଙ୍କୁ ଉସ୍କାଇ କର୍ମୀମାନଙ୍କ ଘର ପୋଡ଼ିଦେଲେ, ଧନସମ୍ପତ୍ତି ବୋହିନେଲେ । ସେମାନଙ୍କୁ ଗିରଫ କରି ଜେଲରେ ଭର୍ତ୍ତିକଲେ, ବେତ ମାଡ଼ରେ ପିଠି ଫଟାଇ ଦେଲେ । ହେଲା ଫସଲରେ ହାତୀ ଭର୍ତ୍ତିକରି ବରବାଦ୍‌ କରିଦେଲେ ।

 

ହେଲେ ଆନ୍ଦୋଳନ ଚପିଲା ନାହିଁ । କିଛି ସମୟ କୁହୁଳିଉଠି ଖୁବ୍‌ ଜୋର୍‌ରେ ଜଳିଲା । ପ୍ରଜାମାନେ ଏକଜୁଟ୍‌ ହୋଇ ରଜାଙ୍କୁ ଏମିତି ବାସନ୍ଦ କଲେ ଯେ ରଜା ଏକଘରିକିଆ ହୋଇଗଲେ, ମିଳାମିଶା ନ କରିବାଯାଏ ତାଙ୍କୁ ବାର୍‌ ସହିଲା ନାହିଁ । ଚାକରଚାକରାଣୀ ସୁଦ୍ଧା ଉଆସରୁ ଛାଡ଼ି ପଳାଇଥିଲେ । ମୁଣୋହି ଅଚଳହେବାରୁ ଚଟୁଧରି ରାଣୀଙ୍କୁ ଖନ୍ଦାଶାଳରେ ପଶିବାକୁ ହୋଇଥିଲା ।

 

ବେଳେ ବେଳେ ଛୋଟ କାରଣରୁ ବଡ଼ ବଡ଼ ଘଟଣା ଘଟିଯାଏ, ଝିମିଟିଖେଳରୁ ଯେମିତି ମହାଭାରତ; ନୟାଗଡ଼ରେ ବଡ଼ ଆନ୍ଦୋଳନଟିଏ ହୋଇଗଲା; କାରଣ କ’ଣ ? ପାନ ! ପାନ ଓଡ଼ିଶାର ଜାତୀୟ ଅଭ୍ୟାସ ବା ଦୂରଭ୍ୟାସ । ପାନଖୋର୍‌ ସଫା ଦାନ୍ତ ଦେଖିଲେ କହେ—ଗୋରୁ ହାଡ଼ ପରି ଦାନ୍ତ କାଇଁକି କରିଚୁ କିରେ ?

 

କୁଣିଆଁ ମଇତ୍ର ପହଞ୍ଚିଲେ ଆଗେ ବଟୁଆ ଥୋଇଦିଆହୁଏ । ପାନ ଖାଇ ଓଠ ଲାଲ୍‌; ଏଠି ସେଠି ଯୋଉଠିଦେଖ, ରାସ୍ତାଘାଟ ପାନ ପିକରେ ଲାଲ୍‌ ।

 

ଓଡ଼ିଶାର ଉପକୂଳ ଅଞ୍ଚଳରେ ପାନବରଜ କରି ଲୋକେ ଧନୀ; ‘ନାଗବଲ୍ଲୀଦଳ ବରଜେ ଶ୍ୟାମଳ ବିଶାଳଖଣ୍ଡ’–ଏକା ବିଶାଳଖଣ୍ଡ କାଇଁକି, ପୁରୀର ଚନ୍ଦନପୁରରୁ ବାଲେଶ୍ୱରର ଚନ୍ଦନେଶ୍ୱର ପର୍ଯ୍ୟନ୍ତ ପାନବରଜ ଲାଗିଚି–ନିବୁଜ ବାଡ଼, ଉପରେ ଛାମୁଣ୍ଡିଆ; ଘନ ଛାଇ ଭିତରେ ପାନଲତା ବଢ଼େ, ବେଳେ ବେଳେ ପଦାକୁ ମୁହଁ କାଢ଼ିଥାଏ ଡଙ୍କ ।

 

କିଛି ନଥିଲାରୁ ଅତି ଥିଲାବାଲା ପର୍ଯ୍ୟନ୍ତ ଏ ଅଭ୍ୟାସ–ଖାଇସାରି ପାନ ବକଟେ ନ ଖାଇଲେ ପାଟି ଆମ୍ବିଳା ହୋଇଯାଏ । ମୋଗଲ–ବନ୍ଦିଆଙ୍କଠୁ ଗଡ଼ଜାତିଆ ଶିଖିଛନ୍ତି, କିନ୍ତୁ ପାନ ହୁଏ ନାଇ, ମୋଗଲବନ୍ଦୀରୁ ଗଡ଼ଜାତକୁ ପାନ ରପ୍ତାନୀ ହୁଏ । ଏ ଦିଗରେ ଏକଚାଟିଆ ବ୍ୟବସାୟ କରି ବିଶେଷ ଲାଭବାନ୍‌ ହେବା ଲାଗି ଜଣେ ଛଉକ ବ୍ୟବସାୟୀ ନୟାଗଡ଼ ରାଜାଙ୍କୁ ବହୁତ ଟଙ୍କା ଦେଇଥିଲା । ରଜା ଏତେ ଛନ୍ଦମନ୍ଦ ଜାଣନ୍ତି ନାଇଁ, ତା ପାଲରେ ପଡ଼ିଗଲେ । ଏବେ ଯାନ୍ତି କୁଆଡ଼େ-?

 

ସେ ବ୍ୟବସାୟୀ ରାତିକେ ହାତୀଏ ଆଣିବାକୁ ଚାହିଁଲା–ବର୍ଷକେ ବଡ଼ଲୋକ ହୋଇଯିବା ଲାଗି ଲାଳସାର ଜିଭ ଲମ୍ବାଇ ବସିଲା । ପାନ ଦର ହୁ ହୁ ହୋଇ ବଢ଼ିଗଲା; ସେତେବେଳକୁ ନୟାଗଡ଼ରେ ବହୁତ ଅମଳୀ, ପାନ ଟିକିଏ ନ ହେଲେ ଅନ୍ନ ଜୀର୍ଣ୍ଣ ନ ହୁଏ; ମନୋମୁଖୀ ଏ ଦର ଏତେ ଆକାଶକୁ ଉଠିଗଲା ଯେ ଆଉ କାହାରି ହାତ ପାଇଲା ନାଇଁ । ଏଠିସେଠି ବସି ଲୋକେ ବିଚରାବିଚରି ହେଲେ; ଶେଷକୁ ଏ ଅସନ୍ତୋଷ ଆନ୍ଦୋଳନ ରୂପ ନେଲା ।

 

ଆନ୍ଦୋଳନର ଯୁଗ ସେ; ପାନର ଅଭାବ ଗୋଟିଏ ଆଳ; ପାନ ଅନ୍ନ, ଜଳ ପରି ଅପରିହାର୍ଯ୍ୟ ନୁହେ, ଅଫିମ ଗଞ୍ଜେଇ ପରି ଏକ ଭୟଙ୍କର ନିଶା ବି ନୁହେ । ବହୁ ଦିଗରେ ତ ଅସନ୍ତୋଷ ଥିଲା । ଏଇ ଆଳଟି ହେଲା ଏକ ରଞ୍ଜକ; ସେଥିରେ ନିଆଁ ଲାଗିଲାକ୍ଷଣି ସେ ଉତ୍ତେଜନାର ବାଟ ଦେଇ ଚର୍‌ ଚର ମାଡ଼ିଗଲା—ତାପରେ ଗଛବାଣ ଫୁଟିଲା ଠୋଓ—ଠାଆ ।

 

ରଜା ଟିକିଏ ଡରୁଆ; ଆନ୍ଦୋଳନ ଯେ ଘରପୋଡ଼ି ସେ; କୋଉଠି ଲାଗି କୋଉଠି ଛାଡ଼ିବ, କିଏ ଜାଣେ ? କାଳେ ରେସିଡ଼େଣ୍ଟଙ୍କ କାନରେ ପହଞ୍ଚିବ, ସ୍ୱାଧୀନତାଆନ୍ଦୋଳନରେ ଆକ୍ରାନ୍ତ, କଣ ନାଇଁ କଣ ସେ ବିଚାରିବେ ! ଅଡ଼ୁଆ ଭିତରେ ହୁଏତ ମୁସ୍କିଲ ପଶିଯିବ !

 

ରଜା ଦବିଗଲେ, ଏକଚାଟିଆ ପାନବ୍ୟବସାୟ ବନ୍ଦ କରି ପୂର୍ବ ରୀତି ଚାଲୁ ରଖିଲେ । ରାଜ୍ୟ ଥଣ୍ଡା ପଡ଼ିଲା ।

 

ଦେଖୁ ଦେଖୁ ପୁଣି ଧୂଆଁ ଉଠିଲା । ଦେଖ, ଦେଖ—କଣ ? ‘ଚରଉ କର’ ! ମଇଁଷି, ଗାଈ ତରେଇ ନେଲେ କର ଦବାକୁ ପଡ଼ୁଛି । କେତେ ଦେବେ ଯେ ! ଅଣ୍ଟା ଭାଙ୍ଗି ଗଲାଣି । ମେଣ୍ଢା, ଛେଳି କ କଅଁଳା ବାଛୁରୀଟାଏ ଚରିଲେ ବି ନିଷ୍କୃତି ନାଇଁ । ବର୍ଷକୁ ମଇଁଷି ପିଛା ଦିଟଙ୍କା, ଗାଈ ପିଛା ଟଙ୍କାଏ, ମେଣ୍ଢା ବା ଛେଳି ପିଛା ଆଠଣା ଟିକସ ଦେବାକୁ ପଡ଼ୁଥିଲା ।

 

‘ଚରଉକର ଉଠାଅ’ ଆନ୍ଦୋଳନରେ ବହୁ ପ୍ରଜାମଣ୍ଡଳକର୍ମୀ ଗିରଫ୍ ହୋଇ ଜେଲ୍‌ରେ ପଶିଲେ । ଦେଖୁ ଦେଖୁ ଗାଁଗଣ୍ଡାରୁ ହଜାର ହଜାର ପ୍ରଜା ବଢ଼ି ସୁଅ ପରି ମାଡ଼ି ଅଇଲେ—ରାଜବାଟି ଘେରଉ କରିବେ ! ଅବସ୍ଥା ଅସମ୍ଭାଳ । ରଜା ଯୋଉ କଥାକୁ ଡରୁଥିଲେ, ଆଖିପିଛୁଳାକେ ସେ କଥା ଘଟିଗଲା । ଲୋକଙ୍କୁ ଦମନ କରିବା ଲାଗି ରାଜାଙ୍କର ବଳ ନାହିଁ । ଫୋନ୍‌ କଲେ । ପଲିଟିକାଲ୍‌ ଏଜେଣ୍ଟ ବେଜେଲଗେଟ୍‍ସାହେବ କିଛି ଫଉଜ ଧରି ଆସି ପହଞ୍ଚିଗଲେ । ଗୁଳି କାଣ୍ଡ ହବା ଉପରେ ଏ ଉତ୍ତପ୍ତ ପରିସ୍ଥିତିରେ ରାଜା ମୁଣ୍ଡ ନୋଇଁଲେ, ଚରଉକର ଛାଡ଼୍‌ କଲେ ପ୍ରଜାମଣ୍ଡଳକର୍ମୀମାନଙ୍କୁ ବି ଖଲାସ୍‌ କରିଦେଲେ ।

 

ବେଜେଲ୍‌ଗେଟ୍‌ ଫେରିଯାଇଥାନ୍ତି । କିନ୍ତୁ ରଣପୁର ଅବସ୍ଥା ସେତେବେଳକୁ ଅଠାଠିକ୍‌ । ରଣପୁର ରାଜା ପ୍ରଜାମଣ୍ଡଳକୁ ବେଆଇନ୍‌ ଘୋଷଣା କରିଥାନ୍ତି । ଛୋଟ ଜେଲ୍‌ଟି କର୍ମୀରେ ଭରପୂର; ତିଳ ପକେଇବାକୁ ଜାଗା ନାଇଁ; ତଥାପି ରାଜଦୃଷ୍ଟିରେ ଜେଲ୍‌ ଯିବାର ପାପ ବହୁ କର୍ମୀ କରିଥାନ୍ତି । ବିପ୍ଳବୀମାନଙ୍କୁ ନେଇ କୋଉଠି ରଖିବେ ରଜାଙ୍କ ପକ୍ଷରେ ଏକ ସମସ୍ୟା ହୋଇଥାଏ ।

 

ଏତିକିବେଳେ ପ୍ରଜାମଣ୍ଡଳ ଫଉଜ ଜୁଆର ପରି ମାଡ଼ି ଅଇଲେ, ଜେଲ୍‌ପାଚେରୀ ଭାଙ୍ଗି କର୍ମୀମାନଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ । ରାଜପ୍ରାସାଦ ଘେରଉ ବି କଲେ । ‘ଆତ୍ମରକ୍ଷଣ ଅସମ୍ଭବ’ ଭାବି ରାଜା ବେଜେଲ୍‌ଗେଟ୍‌ଙ୍କ ସାହାଯ୍ୟଭିକ୍ଷା କଲେ । ରଜାଙ୍କ ଫୋନ୍ ପାଇବା ମାତ୍ରେ ଚାଳିଶି ଜଣ ଦେଶୀ ସିପାହୀ ଧରି ସାହେବ ନୟାଗଡ଼ରୁ ରଣପୁର ଆସିଲେ ।

 

ଲୋକେ ପଲିଟିକାଲ୍‌ ଏଜେଣ୍ଟଙ୍କ ପଥରୋଧ କଲେ, ବଡ଼ ବଡ଼ ଗଛ ହାଣି ରାସ୍ତାଯାକ ଶୁଆଇ ଦେଲେ । ରାସ୍ତରୁ ଗଛ କାଟି ସଫା କରି ଆସିବାକୁ ବହୁତ ବିଳମ୍ବ ହେଲା । ଏ ଘଟଣା ସାହେବଙ୍କୁ ଉତ୍ତ୍ୟକ୍ତ କରିଥିଲା । ଗଛ ହାଣି ଶୁଆଉଥିବା ଅବସ୍ଥାରେ ସେ ସଙ୍ଗୀନ୍‌ ଭୁଷି ଚାରି ପାଞ୍ଚ ଜଣଙ୍କୁ ରକ୍ତାକ୍ତ କରିଦେଲେ । ତୁ‌ଣ୍ଡ ବାଇଦ ଘଡ଼ିକେ ସହସ୍ର କୋଶ ବ୍ୟାପିଗଲା । ଏ ସାହେବଟା ମଣିଷମାରୁ, ବାଟଯାକ ମଣିଷ ମାରି ଗଡ଼ାଇ ଦେଇଚି । ପୁଣି ମାରିବା ଲାଗି ରଣପୁର ଆସିଚି । ଏଟା ମଣିଷଖିଆ ବାଘ; ଏଟାକୁ ଉପ୍ରୋଧ ନାଇଁ, ତାକୁ ଧର, ମାର; ଏକଥା ଶୁଣି ଲୋକେ ନିଆଁ ବାଣ ହୋଇ ଚାରିଆଡ଼ୁ ଘେରି ଅଇଲେ । ଗୋରା ଶାସକ ଦିମାକ୍‌ ଉପରେ ସବୁବେଳେ ରହିଛନ୍ତି, କଳା, ନେଟିଭ୍‌ ବୋଲି ଭାରତୀୟଙ୍କୁ ଘୃଣାଦୃଷ୍ଟିରେ ଦେଖି ଆସିଛନ୍ତି । ସେ କିୟା ସହନ୍ତି ତାଙ୍କ ତଳିପା ରକ୍ତ ତାଳୁକୁ ପିଚ୍‌କିଗଲା । ଦାନ୍ତ ରଗଡ଼ି ହାତ ମୁଠା ମୁଠା କରି ମାଡ଼ି ଆସୁଥିବା ଦୁଇଟାଙ୍କୁ ସେ ରିଭଲ୍‌ଭର୍‌ ଚୋଟରେ ଶୁଆଇଦେଲେ, ବାଘୁଆ ବିରୁଡ଼ି ବସାରେ ସତେ କି ପଥରଟା ବାଜିଗଲା ।

 

‘ଏଟାକୁ ମାର, ମାର’ କିଳିକିଳା ରଡ଼ି ଉଠିଲା । ଲୋକସମୁଦ୍ର ଦେଖି ଛେରୁଆ ପୁଲିସ୍‌ ଫଉଜ କିଏ କୁଆଡ଼େ ଭୟରେ ଖସିଗଲେ । ଲୋକେ କୋଳଥବାଡ଼ିଆ ଠେଙ୍ଗାରେ ବେଜେଲ୍‌ଗେଟ୍‌କୁ ପିଟି ପିଟି ମାରି ଶୁଆଇ ଦେଲେ । ତାପରେ ସେ ଶବର ହାଡ଼ ଗୁଣ୍ଡା କରି ପାଦରେ ଦଳି ଚକଟି ମାଉଁସ ମେଞ୍ଚାଟିଏ କରିଦେଲା—କୀଚକକୁ ଯେମିତି ଭୀମ, ଦିହ ମୁହଁ ମିଶି ଏକାକାର ପିଣ୍ଡୁଳାଟିଏ ମାତ୍ର ହୋଇଥିଲା ।

 

ରଣପୁର ଜେଲ୍‌ରୁ କର୍ମୀମାନେ ମୁକ୍ତ ହେଲେ । ଲୋକଙ୍କୁ କେମିତି ବଞ୍ଚେଇବାକୁ ହବ, ନେତାଙ୍କ ମୁଣ୍ଡ ଘୂରିଲା । ଗୋରା ଶାସକର ତୀବ୍ର ପ୍ରତିଶୋଧ ଲିପ୍‌ସା ଜାଗ୍ରତ ହେବ—କମାଣ ମୁହଁରେ ଗାଁଗଣ୍ଡା ଉଡ଼ାଇ ଦବ, ଯେ ସାମ୍ନାରେ ପଡ଼ିବ, ମରିବ, ବାଛବିଚାର ବିବେଚନା ଶୀତଳ ମୁଣ୍ଡରେ ଥାଏ । ବ୍ରିଟିସ୍‌ କେଶରୀ ଏବେ ଘାଏଲ୍‌ । କାହା ତୋଟି କଶା କରିବ, କାହା ପେଟରୁ ଅନ୍ତବୁଜୁଳା କାଢ଼ିବ, କିଏ ଜାଣେ ? ଗୋରା ଫଉଜ ଚାହୁଁ ଚାହୁଁ ମାଡ଼ିଆସିବ—ପଳାଅ, ପଳାଅ ମୋଗଲବନ୍ଦୀ ଜଙ୍ଗଲକୁ ପଳାଅ, ପିଲାପିଚିକା ସମସ୍ତଙ୍କୁ ଧରି ପଳାଅ, ତ୍ରାହି ନାଇଁ—ପଳାଅ, ନେତା ଶୁଣାଇଲେ, ନିଜେ ମଧ୍ୟ ଯେ ଯୁଆଡ଼େ ପଳାଇଲେ ।

 

ଲୋକେ ଘରଦୂଆର ଛାଡ଼ି ଯେ ଯୁଆଡ଼େ ପଳାଇଲେ । ଗାଁଗଣ୍ଡା ଖାଲି । ରଘୁ, ଦିବାକର ଦିଜଣଙ୍କୁ ଫାଶିଖୁଣ୍ଟରେ ଚଢ଼ାଇ ଦିଆହେଲା ସେଇ ଉତ୍ତପ୍ତ ମୁହୂର୍ତ୍ତରେ । ଧର୍ମକୁ ଆଖି ମିଟିକା ମାରିଲା ପରି । ବିଚାର ଠକ ହେଲା କି ନ ହେଲା, ବିବେଚନା କରୁଚି କିଏ ?

 

ଓଡ଼ିଶାର ସବୁ ଗଡ଼ଜାତକୁ ଢେଙ୍କାନାଳର ଅତ୍ୟାଚାର ବଳି ଯାଇଥିଲା । ରାଜା ପ୍ରଜାଙ୍କ ଇଜ୍ଜତମହତକୁ ଦିକଡ଼ାର କରିଦେଲେ ବେଠି, ବେଗାରୀ, ମାଗଣ ଗୋଟିକୁ ଆରଟି ବଳିଥିଲା । ଦେଇ ଦେଇ ପ୍ରଜାଙ୍କ ଅବସ୍ଥା ଶେଷ ହୋଇଥିଲା ।

 

ରଜାଙ୍କୁ ଘେରି ରହିଥିଲେ ଦଳେ ମନ୍ଦ ଲୋକ । ସେଇମାନଙ୍କ କୁମନ୍ତ୍ରଣାରେ ଶାସନ ଚାଲିଥିଲା । ଯୁବତୀ ଝିଅବୋହୂଙ୍କୁ ରାତିଅଧରେ ଉଆସକୁ ହରଣଚାଳ୍‌ କରି ନିଆଯାଉଥିଲା । ପ୍ରଜାଙ୍କ ଦାଢ଼ି, ନିଶ ଓପାଡ଼ିବା, ନଖରେ ପିନ୍‌କଣ୍ଟା ବାଡ଼େଇବା, ମାଡ଼ିବସି ମଇଳା ଖୋଇବା, ମୂତ ପେଇବା, ବିଧା ମାଡ଼ରେ କାନ୍ଦିଲେ ଶବ୍ଦ ଲୁଚେଇବା ଲାଗି ମାଦଳ ବଜେଇବା ଘଟଣା ପ୍ରତିଦିନ ଘଟୁଥିଲା ।

 

ପାହାଡ଼ ଉପରେ ‘ଯତନ ନଗର’ ପ୍ରାସାଦ ତୋଳାରେ ପଥର ବୋହି ବୋହି ହାତୀ କାନ୍ଦିଥିଲେ, ଶୁଣାଯାଏ । ବେଠିଆଙ୍କ ଲୁହ ଲୁହା ଆଖିକୁ ଦିଶୁ ନ ଥିଲା, ପିଠରେ ବୁଟ୍‌ ବାଜୁଥିଲା ।

 

ଅତ୍ୟାଚାର ସହି ନ ପାରି ଲୋକେ ତେଜି ଉଠିଲେ; ତାର ମୁହାଁମୁହିଁ ହେବାକୁ ରଜାଙ୍କ ପୁଲିସ୍‌ ଫୌଜକୁ ଏକଜୁଟ୍‌ କରାଗଲା, ରାଜବାଟିର ଅନିଷ୍ଟ ଶଙ୍କାରେ ହର୍ତ୍ତାକର୍ତ୍ତା ଭାଗ୍ୟବିଧାତା ଇଂରେଜ ସରକାରଙ୍କ ଗୋରାଫୌଜ ବି ମଗାଗଲା । ଗୋଟାଏ ପକ୍ଷ ନିରସ୍ତ୍ର କହିଲେ ଚଳେ—ଠେଙ୍ଗାବାଡ଼ି, ଟେକାପଥର ଭରସା । ଆର ପକ୍ଷରେ ରାଇଫଲ୍‌, ମେସିନ୍‌ଗନ୍‌ । ଦୁଇ ପକ୍ଷ ନାମକୁ ମାତ୍ର ଯୁଦ୍ଧ କଲେ, ହେଲେ ଗୋଟେ ପକ୍ଷରୁ ମରିଶୋଇଲେ ଅଠର ଜଣ । ଆର ପକ୍ଷରୁ ଜଣେ କେହି ଖଣ୍ଡିଆଖାବରା ବି ହେଲାନାଇଁ ।

 

ଏଇ ଅଠରଜଣଙ୍କ ଶବକୁ କଟକ ଅଣାଗଲା, କାଳିଥୋବାଦା ମଶାଣିରେ ପୋଡ଼ିବାଲାଗି ପଟୁଆରରେ ନିଆଗଲା । ଶହୀଦ୍‌ ସମ୍ମାନ ଦେଇ ଦାହ କରାଗଲା—ଦେଶକୁ ନିର୍ଯ୍ୟାତନାରୁ ରକ୍ଷା କରିବା ପାଇଁ ଯେଉଁମାନେ ଚରମ ନିର୍ଯ୍ୟାତନା ବରଣ କଲେ ଓ ଶେଷକୁ ଜୀବନ ଉତ୍ସର୍ଗ କଲେ, ଜାତିର ପ୍ରାଣର ଅର୍ଘ୍ୟ ସେମାନଙ୍କର ପ୍ରାପ୍ୟ ।

 

ଢେଙ୍କାନାଳର ଶେଷ ବାଳୁତ ଶହୀଦ୍‌ ବାଜିରାଉତ, ମହାଭାରତର ସପ୍ତବୀର ରଥୀଙ୍କ ସହିତ ଅଭିମନ୍ୟୁପରି ଏକାକୀ ସେଇ କୈବର୍ତ୍ତ ବାଳକ ସଂଗ୍ରାମ କରିଥିଲା । ତା ସାହସର ତୁଳନା ନାଇଁ, ତା ବୀରତ୍ୱ କଳନା କରି ହୁଏ ନାହିଁ ।

 

ବ୍ରାହ୍ମଣୀ ନଦୀରେ ବଢ଼ି; ପ୍ରଜାମଣ୍ଡଳ ନଈ ପାରି କରିବାର ଦାୟିତ୍ୱ ଦେଇଛନ୍ତି ବାଜିକୁ–ପ୍ରଜାମଣ୍ଡଳ କର୍ମୀ ଛଡ଼ା ସେ ଆଉ କାହାରିକୁ ପାରିକରିବ ନାଇଁ; ଗୋରାଫଉଜ ପହଞ୍ଚି ଡାକ ପକାଇଲେ ଡଙ୍ଗା ଆଣରେ ଟୋକା !

 

ପ୍ରଜାମଣ୍ଡଳର ହୁକୁମ୍‌ ବିନା କାହାକୁ ପାରି କରିବି ନାଇଁ କର୍ତ୍ତବ୍ୟନିଷ୍ଠାରେ ଅଟଳ ରହିଲା ବାଜି—କାସାବିଏଙ୍କା ପରି ।

 

ଗୋରା ଫଉଜ କେତେ ଲାଲ୍‌ ଆଖି, ଧମକଚମକ ଦେଖାଇଲେ । ତିଳେହେଲେ ଭ୍ରୂକ୍ଷେପ କଲାନାଇଁ ସେ ଏକଜିଦିଆ ଟୋକା—ପ୍ରାଣ ଯାଉ, ପ୍ରାଣ ରହୁ, ତାର ଜିଦ୍‌ ।

 

ସେ ମୁଣ୍ଡ ନୋଇଁଲା ନାଇଁ, ଗୁଳିଚୋଟରେ ତାକୁ ନୁଆଁଇ ଦିଆ ହେଲା ।

 

ସେଦିନ ସେ ମଲା, ରଜା ବଞ୍ଚିଲା ପରି ଦିଶୁଥିଲେ । ଏବେ ଜଣାଯାଉଛି—ସେ ବଞ୍ଚିଚି, ରଜା କୁଆଡ଼େ ଧୂଳିସାତ୍‌ ହୋଇଯାଇଛନ୍ତି ।

 

ଅଧର୍ମ ବା ଅପଖ୍ୟାତିକି ରଜାଙ୍କର ଭୟ ନ ଥିଲା । ଲେଖକ ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ସେ ବସିବାପାଇଁ ତିନିଗୋଡ଼ିଆ ଚଉକିଟିଏ ଦେଇଥିଲେ—ଦୃଶ୍ୟ ଦେଖାଇବାଲାଗି ମଟରରେ ନେଇ ତାଙ୍କୁ ରାତିରେ ଜଙ୍ଗଲରେ ଛାଡ଼ିଦେଇ ଆସିଥିଲେ । ଗଛରେ ଚଢ଼ି ରାତିସାରା ବସିରହି ଲେଖକ ବନ୍ୟଜନ୍ତୁ କବଳରୁ ଆତ୍ମରକ୍ଷା କଲେ; ସକାଳୁ ଗଛରୁ ଓହ୍ଲାଇ ବଣବାଟରେ ଯାଉଁ ଯାଉଁ ରାଜା କହିଲେ—ଓହୋ ଓ, ଆପଣ କୋଉଠି ରହିଗଲେ ? ଆମେ ରାତିସାରା ଖୋଜୁଛୁ ! ପ୍ରାଣଘେନି ଫେରିଆସି ସେ ଲେଖିଲେ—ସ୍ୱପ୍ନରେ ରାଜଯୋଗ—ଢେଙ୍କାନାଳ ରାଜାଙ୍କ ଅତ୍ୟାଚାର କାହାଣୀ ।

 

ତାଳମୂଳର ରାଜା ଈଶ୍ୱରଚନ୍ଦ୍ରଙ୍କ ବିରୁଦ୍ଧରେ ବହୁତ ଅଭିଯୋଗ, କିଛି ନୂଆ ନୁହେଁ; ଓଡ଼ିଶାର ସବୁ ଗଡ଼ଜାତ ରାଜାଙ୍କ ବିରୁଦ୍ଧରେ ପ୍ରଜାମଣ୍ଡଳ ପ୍ରାୟ ଏଇ ଅଭିଯୋଗ ଆଣିଥିଲେ—

 

ରାଜା ପ୍ରଜାଙ୍କୁ ବେଠି ଖଟାନ୍ତି, ଭାତିଆ ସୁଦ୍ଧା ନ ଦେଇ ରାସ୍ତାଘାଟ ତିଆରି, ଉଦ୍ୟାନ ପାର୍କ ତିଆରି ଓ ହାତୀଧରା କାର୍ଯ୍ୟରେ ଲଗାନ୍ତି ।

 

ରଜା ବା ତାଙ୍କ କର୍ମଚାରୀ ମଫସଲ ଗସ୍ତକୁ ଗଲେ କି ଶିକାର କରିଗଲେ ପ୍ରଜାଙ୍କୁ ଚାଉଳ, ପରିବା, ଦୁଧ, ଖାସି, କୁକୁଡ଼ା ଆଦି ରଶଦ ବିନା ପଇସାରେ ଯୋଗାଇବାକୁ ହୁଏ । ନାମଜାଦା କୁଣଆଁ ଅଇଲେ ଅତିଥି ଭବନକୁ ଚାଉଳ, ପରିବା, ଘିଅ, ଦୁଧ, ଆଦି ସଞ୍ଚା ଯୋଗାଯାଏ-। ନାମତଃ ରଜା ଯୋଗାନ୍ତି, ପ୍ରକୃତରେ ପ୍ରଜାଙ୍କଠାରୁ ଆଦାୟ କରାଯାଏ । ଏହାଛଡ଼ା ଦଶହରା, ଦୋଳ ଆଦି ପର୍ବପର୍ବାଣିରେ ପଞ୍ଚା ଅର୍ଥାତ୍‌ ଭେଦା ଚାନ୍ଦା ଆଦାୟ ହୁଏ । ରାଜାଙ୍କ ପୁଅ କି ଝିଅର ବିଭାଘର ହେଲେ ପ୍ରଜା ମାଗଣ ଦିଅନ୍ତି, ନାମକୁ ମାଗଣ, ପ୍ରକୃତରେ ଏ ଏକ ଜବରଦସ୍ତ ଆଦାୟ ।

 

ଅତି ଶସ୍ତାରେ ଫସଲ ବିକି ପ୍ରଜା ଭେଦା ଚାନ୍ଦା ସଞ୍ଚା ପଞ୍ଚା ଦେଇପାରେ ନାହିଁ; ଭୋଗେ ଶାସ୍ତି । ଖରାଦିନରେ ମୁଣ୍ଡରେ ତାତିଲା ପଥର ନଦିତାତିଲା ନଈବାଲିରେ ଏକଗୋଡ଼ିକିଆ ଛିଡ଼ା କରାଯାଏ । ଗୋଡ଼ତଳେ ପଡ଼ିଲେ ଠେଙ୍ଗୁଣିରେ ଗଣ୍ଠିକି ଗଣ୍ଠି ଛେଚି ଦିଆହୁଏ ନଇଲେ ପୁଷମାସ ରାତିରେ ପ୍ରଜାକୁ ଦଳ ଗଡ଼ିଆରେ ବୁଡ଼ାଇ କୁଲା ବାଡ଼େଇ ଧାନ ଉଡ଼େଇଲା ପରି ପବନ ମାଡ଼ ଦିଆଯାଏ । ସନ୍ନିପାତ ଅବସ୍ଥା । ପ୍ରଜାର ଊର୍ଦ୍ଧ୍ୱଶ୍ୱାସ ଉଠେ ।

 

ରାଜକର୍ମଚାରୀ ଗାଁରେ ପଶିଲାକ୍ଷଣି ବାଘ ଗୋଳ ଲାଗିଲାପରି ଗୋଳ ଉଠେ । ସେ ବାସନକୁସନ ହରଣଚାଳ କରିନିଏ, ମାଇପୀଙ୍କ ଦିହର ଅଳଙ୍କାର ବନ୍ଧାପକାଇ ଭେଦା ଚାନ୍ଦା ଦିଆଯାଏ । ବାପାଙ୍କ ଶ୍ରାଦ୍ଧ ନ କରି ବେଠିରେ ଯାଅ । ସେଥିଲାଗି ଏ ପ୍ରବଚନ ପ୍ରଚଳିତ ଥିଲା ।

 

ଛାଡ଼ ପିତୃକାର୍ଯ୍ୟ

କର ରାଜକାର୍ଯ୍ୟ

 

ହାତୀଖେଦାରେ ଘରୁ ଖାଇ ଘୋଡ଼ା ଆଗରେ ହିଁ ଡେଇଁବାକୁ ହେଉଥିଲା । ଖରା ବର୍ଷା ଶୀତକାକରରେ ମଶାବଣରେ ପଡ଼ି କେତେ ଲୋକଙ୍କ ଜୀବନ ଯାଉଥିଲା । ଶିକାର ଲାଗି ଆଡ଼ି ବା ହାକା ହେଲେ ଜୀବଜନ୍ତୁଙ୍କ ଗୋଦା ଉଣ୍ଡି ଜଗିବସିବାକୁ ହେଉଥିଲା, ଜୀବଜନ୍ତୁଙ୍କୁ ଖେଦି ମଞ୍ଚାଆଡ଼କୁ ଅଡ଼େଇ ଆଣିବାକୁ ହୁଏ । ବାଘ ମାରିବାଲାଗି ଆଖପାଖ ଗାଁ ଲୋକେ କାଠ ବାଉଁଶ ଦେଇ ମଢ଼ ପଡ଼ିବା ଜାଗାରେ ମଞ୍ଚ ବାନ୍ଧୁଥିଲେ । ରଜାଘରେ ମୃତ୍ତିକିଆ ବା ଛୁତିକିଆ ହେଲେ ପ୍ରଜା ଚାଉଳ, ଡାଲି, ଅଟା, ଚିନି, ଖାସି, କୁକୁଡ଼ା ଯୋଗାଉଥିଲେ ।

 

ବିଭା ପୁଆଣିରେ ରଜାଘରେ ଆନନ୍ଦ କୋଳାହଳ, କିନ୍ତୁ ପ୍ରଜା ଘରେ କାନ୍ଦ ବୋବାଳି ପଡ଼େ । ରଜାଘରକୁ ବହୁତ ରଜା, ଜମିଦାର ଆସନ୍ତି ।

 

ଅତ୍ୟଧିକ କାମଚର୍ଚ୍ଚାରେ କାହାର କାହାର ଯୌନଶକ୍ତି ବିଲୁପ୍ତ ହୋଇଥାଏ । ଘରଚଟିଆ ଚଢ଼େଇ ଖାଇଲେ ପୁନଃ ପୁରୁଷତ୍ୱ ଲାଭ ହୁଏ, ବୈଦ୍ୟରତ୍ନ ପରାମର୍ଶ ଦେଇଥାନ୍ତି । ଏଣେ ନିରୀହ ଘରଚଟିଆ ଧଇଲେ ପେଟକୁ ମାରେ ବୋଲି ଲୋକବିଶ୍ୱାସ ପ୍ରଚଳିତ । ଦୋଘାଇରେ ପ୍ରାଣ କଲବଲ ହେଉଥିଲେ ବି ଯୋଗାଇବାକୁ ହେଉଥିଲା ଅନ୍ୟାନ୍ୟ ଜିନିଷ ସହିତ ଅସଂଖ୍ୟ ଜୀଅନ୍ତା ଘରଚଟିଆ ।

 

ରଜା ବା ସାହେବଙ୍କ କ୍ୟାମ୍ପ୍‌ ପଡ଼ିଲେ ପ୍ରଜାର ହାଲୁକ ଶୁଖୁଥିଲା । ଖଣ୍ଡମଣ୍ଡଳର ଦୁହାଁଳ ଗାଈ ଗୋଠ ତଡ଼ା ହୋଇ ଆସୁଥିଲେ । ଏଣେ କ୍ଷୀର ସମୁଦ୍ର ଭାସିଲେ ବି ଗାଆଁରେ ଦୁଧ ଶାମୁକାଏ ବିନା ନବଜନ୍ମାର ତାଳୁକା ଶୁଖୁଥିଲା । ପୁଣି ପାଞ୍ଚ ତିନି ମାଇଲ ଦୂରବର୍ତ୍ତୀ ପାହାଡ଼ୀ ଝରଣାରୁ ପାଣି ଆଣି ଯୋଗାଇବାକୁ ହେଉଥିଲା । ଚଲାବାଟରେ କାଦୁଅ ପଡ଼ିଲେ ରଜା, ସାହେବ ବା ହାକିମଙ୍କୁ ଦୋଳା, ପାଲିଙ୍କି ବା ସୁଆରିରେ ବସାଇ ଦହପାରି କରିବାକୁ ହେଉଥିଲା ।

 

କିଏ କୋଠା ତୋଳିଲେ ସିଡ଼ିରେ ଛାତକୁ ଉଠିବା ମନା, ଦୁଆରେ ଯାଉଁଳ କବାଟ ଲଗାଇବା ମନା, ରାଜବାଟି ସାମ୍ନାରେ ଲୁଗା ଫେର ଲମ୍ବାଇ ବା ମହଣ ଛତା ଟାଣି ଚାଲିବା ମନା; ଏଥିରୁ ଔଦ୍ଧତ୍ୟ ଓ ରଜାଙ୍କ ପ୍ରତି ଅବମାନନା ପ୍ରକାଶ ପାଏ ।

 

ରାଜଦର୍ଶନରେ ସାଷ୍ଟାଙ୍ଗ ପ୍ରଣିପାତ କରିବା ବିଧି । ରାଜ୍ୟର ସବୁ ଲୋକ ଅନିଶୁଆ, ଅଦାଢ଼ିଆ । ନିଶ ବା ଦାଢ଼ି ରଖିଲେ ରଜା ଓପାଡ଼ି ଦିଅନ୍ତି । ପ୍ରତିବାଦ କଲେ ମିଛ ମକଦ୍ଦମା ଲଗେଇ ଦିଆହୁଏ, ଘରଦ୍ୱାର ପୋଡ଼ି ଦିଆଯାଏ, ସମ୍ପତ୍ତିବାଡ଼ି ଲୁଟି ନିଆଯାଏ କିମ୍ବା ରାଜ୍ୟରୁ ତଡ଼ି ଦିଆହୁଏ । ରଜାଙ୍କୁ ବେଶୀ ରଗେଇଲେ ଲୁହା ଶିକୁଳିରେ କିମ୍ବା ଆଜୀବନ ଜେଲରେ ଘଣା ପେଲିବାକୁ ହେଉଥିଲା ।

 

ଏସବୁ ଅତ୍ୟାଚାର କାହାଣୀକୁ ପଦାରେ ପକାଇଥିଲେ ପ୍ରଜା ମଣ୍ଡଳର ନେତା; ଆନ୍ଦୋଳନକୁ ଉସ୍କାଉଥିଲେ ଗଡ଼ଜାତ ବାହାରର ବହୁ ନେତା । ସ୍ୱୟଂ ମହାତ୍ମା ଗାନ୍ଧୀ ହରିଜନ ପତ୍ରିକାରେ ଏ ସଂପର୍କରେ ପ୍ରବନ୍ଧ ଲେଖୁଥିଲେ । କେମିତି ପ୍ରତିକ୍ରିୟାଶୀଳ ଅତ୍ୟାଚାରୀ ରାଜାଙ୍କୁ ବ୍ରିଟିସ୍‌ ସରକାର ନୈତିକ ସମର୍ଥନ କରନ୍ତି, ପୃଥିବୀକୁ ଜଣାଇଥିଲ; ମହାତ୍ମାଜୀ । ଏଇ ଅଗ୍ନିବର୍ଷୀ ଲେଖା ବ୍ରିଟିସ ସରକାରଙ୍କ ଆସନ ସହିତ ରାଜନ୍ୟବର୍ଗଙ୍କ ଆସନକୁ ଟଳମଳ କରିଦେଇଥିଲା ।

 

ରାଜ୍ୟରେ ପ୍ରଜାମଣ୍ଡଳର ଶକ୍ତି ବହୁତ ବଢ଼ିଯାଇଥିଲା; ରାଜାଙ୍କ ସାମ୍ନାରେ ବହୁ ଦାବୀ ଉପସ୍ଥାପିତ ହୋଇଥିଲା । ରାଜା ଜବାବ୍‌ ଦେଲେ—ଏ ବେଠ, ଭେଟି, ସଞ୍ଚାପଞ୍ଚା ଭେଦା ଚନ୍ଦା ପ୍ରଥା କଣ ମୁଁ ଚଳାଇଲି ନା ଚଉଦପୁରୁଷରୁ ଚଳି ଆସୁଥିଲା ! ମୁଁ ଯାହା ନିଜେ ଚଳାଇନାଇଁ, ଉଠାଇଦେବି କେମିତି ? ଆଗେ ତ କେହି ୟାକୁ ଅନ୍ୟାୟ, ଅତ୍ୟାଚାର କହୁ ନ ଥିଲେ, ଏବେ ଏ ନୂଆ ନାଆଁ ଦିଆ ହେଲା କାହିଁକି ? ସେତେବେଳେ ତ ପ୍ରଜା ସୁନା ପିଲାପରି ଉଁ ଚୁଁ ନକରି ସବୁ ଦେଇଦେଉଥିଲେ, ଏବେ କଣ ହେଲା ? ଏ ଶାନ୍ତ, ସୁଧାର ଲୋକଙ୍କ ମୁଣ୍ଡ ବିଗାଡ଼ିଛି କିଏ ? କାଳିସୀ ନାଚିଲା ପରି ସେମାନେ ଯେ ଆଜି ନାଚୁଛନ୍ତି, ଏ ନାଟର ଗୋବର୍ଦ୍ଧନ କିଏ ? ମୋ ଶାନ୍ତିପୁର୍ଣ୍ଣ ରାଜ୍ୟଟାକୁ ନଷ୍ଟଭ୍ରଷ୍ଟ କରିଦେଲେ ଯେଉଁମାନେ, ଆଗେ ସେଇମାନଙ୍କ ବିଚାର ହେବା ଉଚିତ ।

 

ଏ ଦାବୀରୁ ମୁଁ ଗୋଟିଏ ହେଲେ ମାନିବି ନାଇଁ; ସିଧା ଆଙ୍ଗୁଠିରେ ଘିଅ ବାହାରେ ନାଇଁ-। କେମିତି ଶାସନ କଲେ ଲୋକଙ୍କ ମୁଣ୍ଡ ଥଣ୍ଡା ହବ, ମୁଁ ଭଲଭାବେ ଜାଣେ ।

 

ବିଫଳ ହୋଇ ରାଜଧାନୀ ତାଳମୂଳରେ ପ୍ରଜାମଣ୍ଡଳ କର୍ମୀମାନେ ଗୋଟିଏ ସଭା କଲେ । ଏଡ଼େ ସାହାସ କେବେ ଦେଖାଯାଇ ନ ଥିଲା; ଗରମାଗରମ ବକ୍ତୃତା—ଏ ଗୋଟାଏ ଛଞ୍ଚାଣ, ପାରା ପରି ଆମକୁ ଝାମ୍ପିଛି, ମହାବଳ ବାଘ, ଅଜଗର ସାପ, ଘଡ଼ିଆଳ କୁମ୍ଭୀର—ମଣିଷର କି ଉପକାର କରନ୍ତି ଏମାନେ ? ସେମିତି ଏ ରଜା, ତାରିବା ନୁହେଁ, ମାରିବା ତାର କାମ । ଏ ଆମ ଗୋଛି କାଟୁଚି, ଲକ୍ଷେ ଘର ଭାଙ୍ଗି ଉଆସ ତୋଳିଚି, ୟାକୁ ତଡ଼ । ଆମ ରାଜ୍ୟରେ ଆମେ ହିଁ ରଜା ।

 

ଏ ରଜାକୁ କେହି ଖଜଣା ଦିଅନାଇଁ, ଟିକସ, ମାଗଣ, ସଞ୍ଚାପଞ୍ଚା ଭେଦାଚାନ୍ଦା କିଛି ଦିଅ ନାଇଁ, କୋର୍ଟ କଚେରୀକି ଯାଅନାଇଁ, ସ୍କୁଲ ଛାଡ଼ି ଚାଲିଆସ । ଜଙ୍ଗଲ ଆଇନି ଭାଙ୍ଗ, ଯେ ଯେତେ ପାର, ଗଛ କାଟିନିଅ । ମନଇଚ୍ଛା ଜଙ୍ଗଲରେ ବୁଲି ଶିକାର କର । ରଜା ଆଦେଶକୁ ପାଦରେ ଦଳ, ବିଦେଶୀ ସରକାର ଯେ ରଜାଙ୍କୁ ଘଣ୍ଟ ଘୋଡ଼ାଇ ରଖିଚି, ତା ଆଇନ ବି ଅମାନ୍ୟ କର । ପ୍ରତି ଗାଆଁରେ ସ୍ୱାଧୀନ ଶାସନ ଚଳାଅ ।

 

ସଭା ଅଧାଅଧି ହେଇଚି କି ନାଇଁ, ରଜାଙ୍କ ପୁଲିସ୍‌ ଫଉଜ ମାଡ଼ି ଅଇଲେ, ଲାଠି ଚଳାଇଲେ; ପିଟି ପିଟି କେତେ ଲୋକଙ୍କୁ ନେଇ ଜେଲ୍‌ରେ ପୂରେଇଲେ । ଆଉ କେତେ ଛିନ୍‌ଛତର ହୋଇ ପଳାଇ ଯାଇ ବଣବୁଦାରେ ଲୁଚିଲେ । ଯୋଉମାନେ ଧରା ପଡ଼ିଲେ ସେମାନଙ୍କୁ କଣ କଣ କରି ଆଣି ସାମ୍ନାରେ ମୁହଁ ମାଡ଼ି ତଳେ ଶୁଆଇ ଦେଲେ । ହେଲା ବେତ ମାଡ଼; ରକ୍ତସ୍ନାନ । ଅଚେତା ହେଲା ପରେ ଘାଆରେ ଆୟୋଡ଼ିନ୍‌ ଲଗାଇ ଜେଲ୍‌ ଭିତରେ ଶୁଆଇ ଦିଆହେଲା । ପଦାରେ ଲୋକଙ୍କ ଗଲାଅଇଲା ରାସ୍ତାରେ ଲହୁଲୁହାଣ କରି ମାରିବା ଅର୍ଥ ଦେଖାଇଦେବା ଯେ ରାଜବିରୋଧର ଶେଷ ଫଳକଣ । ‘ବିରି ମାଡ଼ ଦେଖି କୋଳଥ ଚୋପା’ ହେଲାପରି ଏ ମାଡ଼ ଦେଖି ଅନ୍ୟପ୍ରଜା ଚପିଯିବେ !

 

କିନ୍ତୁ ପ୍ରଜା ଚପିଲେ ନାଇଁ, ପିଚାରୁ ଘାଆ ନ ଶୁଖୁଣୁ ପୁଣି ଯାଇ ଅସହଯୋଗ ଆନ୍ଦୋଳନରେଯୋଗ ଦେଲେ, ଯେତେ ମାଡ଼ ଖାଇଲେ ସେତେ ମାତି ଉଠିଲେ; ଗ୍ରାମେ ଗ୍ରାମେ ନିଆଁ ଖେଦିଗଲା ।

 

ରଜାଙ୍କ ମୁଣ୍ଡ ବେଶୀ ବିଗାଡ଼ି ଦେଇଥାଏ ଏ ଗୋବର୍ଦ୍ଧନ । ହରଣଚାଳ ପରେ ତା ମୁଣ୍ଡଟାକୁ ଢିଙ୍କିରେ ଛେଚିଦବା କଥା କେତେ ବିଚାରୁଥିଲେ; ଆଉ କେତେ କହୁଥିଲେ—ସେଟା ନିମକ୍‌ହାରାମ୍‌, ଚୁଟି ଧରି ତା ବେକଟା ଦାଆରେ ଘୋରିଦେବା । ତାଳମୂଳ ପ୍ରଜାମଣ୍ଡଳର ତୁଙ୍ଗ ନେତା କହିଲେ—

 

ତା ଦିହରେ କେହି ଟିପ ଛୁଆଁଅ ନାଇଁ, ତାକୁ କଟକ ପଠାଅ । ସେ ତାଲିମ୍‌ ପାଇ ଆସୁ-। ପାଠ ପଢ଼ିଚି । ସେ ହବ ଆମର ନେତା ।

 

ଗୋବର୍ଦ୍ଧନ କଟକରେ କିଛି ଦିନ ଗଞ୍ଜେଇ ଅଫିମ ସାମ୍ନାରେ ପିକେଟିଂ କଲେ, କଟକ ଜେଲରେ ରହିଲେ, ଖଲାସ ହୋଇ ପୋଷାକପତ୍ର ବଦଳାଇ ସେ ହୋଇଗଲେ କଂଗ୍ରେସ ନେତା । ତାକୁଡ଼ି ଧରି ସୂତା କାଟନ୍ତି, ମୁଣ୍ଡରେ ଗାନ୍ଧି ଟୋପି, ତୁଣ୍ଡରେ ଅହିଂସ ବଚନ, ଶାନ୍ତଶିଷ୍ଟ ମନୋଭାବ-। ପ୍ରଜାମଣ୍ଡଳର ପୂରାପୂରି ତାଲିମପ୍ରାପ୍ତ କର୍ମୀ ହୋଇ ଗୋବର୍ଦ୍ଧନ ତାଳମୂଳ ଫେରି ଆସିଲେ, ରଜାଙ୍କ ବିରୁଦ୍ଧରେ ପ୍ରଜାଙ୍କୁ ମତାଇବାରେ ଲାଗିଲେ ।

 

ରାଜା ଈଶ୍ୱରଚନ୍ଦ୍ର ରାଗି ନିଆଁ ହୋଇ ଯାଇ କହୁଥାନ୍ତି—ଗାଈ ଗୋଠରେ ଗୋବରାର ମୁଣ୍ଡ ଠିକ୍‌ ଥିଲା, ମଣିଷ ଗୋଠରେ ବିଗିଡ଼ିଗଲା । ସବୁ ଓଲଟା ବୁଦ୍ଧି ଦେଖାଗଲା, ରଜାଘର ଘିଅଭାତ ଗନ୍ଧେଇଲା, ପଖାଳ ତୋରାଣି ପୁଣି ବାସିଲା ।

 

ଏତେ କାଳ ଦୁଧ ପେଇ ସାପଟାଏ ବଢ଼ାଇଥିଲି । ସେ ଚୋଟ ମାରନ୍ତା ନାଇଁ ତ କଣ କରନ୍ତା ?

 

କିଏ ଅଛରେ ସେଇଟାକୁ ଧରିଆଣି ଜେଲ୍‌ରେ ଭର୍ତ୍ତି କରି ଦିଅ, ବେତ ମାଡ଼ରେ ତା ପିଠି ସିଧା କରିଦିଅ ।

 

ମୋ ବିରୁଦ୍ଧରେ କହିବାକୁ ତା ଜିଭ କେମିତି ଲେଉଟିଲା ? ତା ଲାଗି ଏତେ କରିଥିଲି; ଶେଷକୁ ମୋ ପଛକୁ କିଳା ସଜାଡ଼ିଲା !

 

ନିଜର କିଛି ବୁଦ୍ଧି ନାଇଁ, ଯେ ଯାହା ବତେଇଦେଲା ସେଇଆ ! ଏଡ଼େ ନିମକ୍‌ହାରାମ୍‌ !

 

ଗୋବର୍ଦ୍ଧନକୁ ଜେଲ୍‌ ଫାଟକ ଡିଆଁଇଲା ବେଳେ ଦୂରରୁ ରଡ଼ି ଶୁଭୁଥାଏ—

 

ଇନ୍‌କିଲାବ ଜିନ୍ଦାବାଦ୍‌

ରଜା ରାଇଜରେ ରହିବା ନାଇଁ

ବେତ ମାଡ଼ ଆଉ ସହିବା ନାଇଁ, ସହିବା ନାଇଁ ।

 

ଜଣେ ଗୁପ୍ତଚର ଧଇଁସଇଁ ହୋଇ ଆସି କହିଲା—ମହାରାଜ, ପ୍ରଜାଏ ରାଜ୍ୟ ଛାଡ଼ି ବାହାରି ଯାଉଛନ୍ତି—

 

ବୁଟ୍‌ଜୋତା ମାଡ଼ ସହିବା ନାଇଁ, ସହିବା ନାଇଁ

ଜେଏଲରେ ଘଣା ପେଲିବା ନାଇଁ, ପେଲିବା ନାଇଁ

ରଜା ରାଇଜରେ ରହିବା ନାଇଁ, ରହିବା ନାଇଁ..... ।

 

‘‘କଣ ସମସ୍ତେ ଚାଲିଯାଉଛନ୍ତି ?’’

 

ଗରୁଗର ହେଇଚି, ଭରା ମାସ, ପାଦେ ଚାଲିବାକୁ ଯୁ ନାଇଁ, ଗର୍ଭିଣୀ ଚାଲିଛି ।

 

ଅଶୀ ବର୍ଷର ବୁଢ଼ା, ଆଖିକି ଦିଶୁନାଇଁ, କାନକୁ ଶୁଭୁନାଇଁ, ବାଡ଼ି ଠୁକ୍‌ ଠୁକ୍‌ କରି ଚାଲିଚି-

 

ପଛରେ ଉଠି ବସି ଚାଲିଚି ତାର ରୋଗିଣୀ ବୁଢ଼ୀ—ଚମ ଧୁଡ଼ୁଧୁଡ଼ୁ, ହାଡ଼ କୁଡ଼ୁକୁଡ଼ୁ ।

 

ଧାନ କୁଟିଲା ପରି ଚାଲିଛନ୍ତି କେତୁଟା ଛୋଟା ।

 

ପୁଅ ହାତରେ ବାଡ଼ି ଧରି ଭିଡ଼ି ନଉଚି, ଚାଲିଛନ୍ତି କେତୁଟା ଭିକ୍ଷାଶୀ ଅନ୍ଧ ।

 

କେତୁଟା କୁଜ୍ଜା, ବାମନ, କେତୁଟା କୋଢ଼ି ଚାଲିଛନ୍ତି, ଗୋଡ଼ରେ ପୁଳା ପୁଳା କନା ବନ୍ଧା, ହାତରେ ପଗେ ପଗେ ଆଙ୍ଗୁଠି ଅଛି ମାତ୍ର । ଶୋଥଫୁଲା ଛଉଆ ମୁହଁ । ଥରକୁ ଥର ହାତରୁ ବାଡ଼ି ଖସୁଚି ।

 

ପ୍ରେତପୁରୀରୁ ସିଧା ଉଠିଆସିଲା ପରି ଦିଶୁଛନ୍ତି ବୁଢ଼ାହଡ଼ା । ତାଙ୍କ ଆଗରେ ଚାଲିଛନ୍ତି ଦଳ ଦଳ ଜୁଆନ୍‌ । ଦୋହାରୁ ନିଆଁଝୁଲ ଖସି ପଡ଼ୁଚି ।

 

ଭାର କାନ୍ଧେଇ ଚାଲିଛନ୍ତି କେତେ, ଏ ଅଙ୍ଗାରେ ଚାଉଳ, ବାସନ କୁସନ, ସେ ଅଙ୍ଗାରେ ଚୁଡ଼ା, ଅଗଡ଼ମ୍‌ ବଗଡ଼ମ୍‌ କେତେ ଜିନିଷ ।

 

ଶଗଡ଼ରେ ନଦା ହୋଇ ଚାଲିଚି କେତେ ବସ୍ତା ଧାନ, ମୁଗ, ବିରି । ଘରଗୋଟାକର ଜିନିଷପତ୍ର ବେତା ବା ଟୋକେଇରେ ମୁଣ୍ଡେଇ ଧରି ଚାଲିଛନ୍ତି ବା କେତେ ।

 

ପଛରେ ବାଛୁରୀ, ଚାଲିଚି ଦୁହାଁଳି ଗାଈ ।

 

ଯୋଡ଼ି ଯୋଡ଼ି ସିନ୍ଦୁଳା ହେଇଛନ୍ତି, ଚାଲିଛନ୍ତି ଗଜାଦାମୁଡ଼ି, ଛଡ଼ା । ଅଧା ବଳଦ, ହଡ଼ା ।

 

ଚାଲିଛନ୍ତି ଦଳ ଦଳ ଛେଳି, ମେଣ୍ଢା । ଆଣ୍ଠୁ ପକାଇ କ୍ଷୀର ପିଉଛନ୍ତି ଛୁଆ, ସ୍ନେହବଶରେ ଦଣ୍ଡେ ଛିଡ଼ା ହେଉଚି ମାଆ, ଆଗରେ ଦଳ ଚାଲିଯିବାରୁ ମାଆ ପୁଣି ଚାଲିଯାଉଚି, ଛୁଆ ଗୋଡ଼େଇ ଯାଉଛନ୍ତି । ଏ ଗାଆଁ ବିଲେଇ କୁକୁରଙ୍କ ସଙ୍ଗେ ସେ ଗାଆଁବିଲେଇ କୁକୁରଙ୍କର ଲାଗି ଯାଉଚି କଳି-

 

କୋଉଠୁ କୋଉଯାଏ ଲୋକ ଲମ୍ବିଛନ୍ତି, ଆଖି ପାଉନାଇଁ । କେତେ ବ୍ରାହ୍ମଣୀ ନଈ ପାରିହେଇଗଲେଣି, କେତେ ଏପାରିରେ ।

 

କୁଆଡ଼େ ସବୁ ଯାଉଛ ବୋଲି ପଚାରିଲେ କହୁଛନ୍ତି—ଯୁଆଡ଼େ ମନ ସିଆଡ଼େ । କାଇଁକି ଆମ ଅନୁକୂଳ ଭାଙ୍ଗୁଚ ? ରଜାର ବଳିଆ କୁକୁରସବୁ ତମେ; କହୁଁ ନ କହୁଁ ଆସି ମାଡ଼ିବସୁଚ । ଝୁଣିଝିଞ୍ଜାରି ପକଉଚ, କୁତୁକୁତା କରି ଖାଇଯାଉଚ !

 

ରଜାଙ୍କ ସଙ୍ଗେ ବସି କୁପାଞ୍ଚ କରୁଚ; ତୁମ ପାପ ତୁମକୁ ଖାଉ । ଆମେ ଯାଉଚୁ; ସେ ଆଉ ଆମ ରଜା ନୁହଁ କି ଆମେ ତାଙ୍କ ପ୍ରଜା ନୋହୁ ।

 

ଗଙ୍ଗା ଗଲୁ ଯେତିକି

ଫଳ ପାଇଲୁ ତେତିକି ।

 

ଖୁବ୍‌ ହେଇଗଲା; କାହା ଉପରେ ଏଥର ଘୋଡ଼ା ଚଢ଼ିବ ଚଢ଼ୁଥାଅରେ ବାପା । ଏ ପୁରେ ଆଉ ପାଣି ଛୁଇଁବାକୁ ଆମ ମନ ନାଇଁ । ଇଜ୍ଜତ ଗଲା, ମହତ ଗଲା । ସବୁ ଧନଦରବ ଗଲା, ଅଧାମରା ଜୀବନ ଘେନି କି ଲାଭ ?

 

ଏଇ ତ ଆଗରେ ଅନୁଗୁଳ; ଏଠି ଦିନେ ରଜା ଥେଲେ, ଗଲେ, ଲୋକଙ୍କର କ’ଣ ହେଇଗଲା ?

 

ଏଠି ଯେ ଯାହା ରୋଜଗାର କଲା, ଚଳିଲା । ସୁଖ ତାର, ଦୁଃଖତାର । ପାଟି ଫିଟେଇବାକୁ କେହି ନାଇଁ । କଥାରେ କଟକଣା ନାଇଁ, କି ଘଡ଼ିକି ଘଡ଼ି କିଏ ସେଠି ହୁକୁମ୍‌ଜାରୀ କରୁନାଇଁ, କି ସରକାର ବିରୁଦ୍ଧରେ ଅମଣିଆ ତୁଣ୍ଡରୁ କଥା ପଦେ ବାହାରିପଡ଼ିଲେ ସେ ବାନ୍ଧି ବାଡ଼େଇ ପକାଉନାହାନ୍ତି । ଖଞ୍ଜଣା ଗଣ୍ଡାକ ଦେଇଦେଲେ ତୁମେ ସୁନାପୁଅ, ହେଣ୍ଡି ମାରୁଥା ।

 

ତାଳମୂଳକୁ ଦେଖିଲ—ଗଣଗଣିଆଁ ମାଛି ପରି ରାଜା ଲୋକେ କେମିତି କଥାକେ କଥାକେ ବେଢ଼ିଯାଉଛନ୍ତି । ସବୁବେଳେ ଖାଲି ଦିଅ, ଦିଅ । ଆଉ କୋଉ କଥାରେ କିଏ ପ୍ରଜାକୁ ବାସି ମୁହଁରେ ପଚାରେ ?

 

ମରିଗଲେ ବି ରକ୍ଷା ନାଇଁ, ପୁଅକୁ ଘୋଷରାଓଟରା କରନ୍ତି । ପୁଅ ନ ଥିଲେ ମାଇପଙ୍କ ଗହଣାଗାଣ୍ଠି ନେଇଯାନ୍ତି । ଘରକେ ଜଣେ ଖଞ୍ଜା । ସେ ରଜାଙ୍କ ବେଠିକାଠକୁ ଯିବ, ହାତୀଖେଦାକୁ ଯିବ । ଏଠି ଥେଲାକୁ ସିନା ସବୁ କଥା; ଆଉ କେତେ ଅଦଉତି ସାଧିବ ?

 

ଆମକୁ କୁକୁର ଲଗେଇବ, ସଙ୍ଗୀନ୍‌ ମୁନରେ ଛାତିକି କେଞ୍ଚିବ ! ବୁଟ୍‌ ପିନ୍ଧି ପିଠିରେ ଚାଲିବ !

 

ଆମେ ଯାଉଚୁ, ଏବେ ଏ ମାଟି ଚାଟୁଥାଅ, ପାହାଡ଼ ଚୋବଉଥାଅ, ଯେମିତି ରିହ ସାଧି ନ ପାରି ରବେଇଖବେଇ ହୋଇ ଲୋକ ଚକୁଳି ନ ପାଇ ଘଷିଫଡ଼ା ଚୋବାଏ ।

 

ମୁଁ ବହୁତ ବୁଝାସୁଝା କଲି—ସୁନା ପ୍ରଜାମାନେ, ଫେରିଚାଲ; ରଜା ନିଦା ବିଷ୍ଣୁ, ସେ କାହାରି ଅନିଷ୍ଟ ଚିନ୍ତା କରନ୍ତି ନାଇଁ, ପ୍ରଜା ତାଙ୍କ ପିଲାଝିଲା । ଯାହା ଭୁଲ୍‌ଭଟକା ହେଉଚି, ରଜାଙ୍କୁ କହି ମୁଁ ସୁଧାରିଦେବି । ତାଳମୂଳ ରାମରାଜ୍ୟ, ସୁନାର ଅଯୋଧ୍ୟା ପାଲଟିବ ।

 

‘କାଇଁ ସେ ରାମ, କାଇଁ ଅଯୋଧ୍ୟା !

ପଥ ସୁମରି ପିତାଘର ଯିବ

ଆଉ ଅଯୋଧ୍ୟାକୁ ମନ ନ କରିବ ।’

 

ଏମିତି କଥା ହଉଁ ହଉଁ ଜଣେ ପ୍ରଜାମଣ୍ଡଳ ନେତା ଗର୍ଜିଉଠି କହିଲା—ଆରେ ଏ କତରାମଡ଼ାଟା କୋଉଠି ଥିଲା ? ନେଡ଼ିଗୁଡ଼ କହୁଣୀକି ବୋହିଯିବାଯାକେ ରଜାଙ୍କୁ ବୁଝେଇ ପାରିଲା ନାଇଁ । ଏଇଲେ ଘର ବୁଡ଼ି ପାଣି ଆଣ୍ଠୁଏ ହେଲାକ୍ଷଣି ନିଦ ଭାଜୁଚି !

 

ଗୁପ୍ତଚର ମୁହଁରୁ ଏ କଥା ଶୁଣି ଈଶ୍ୱରଚନ୍ଦ୍ର ଗୁମ୍‌ ହୋଇଗଲେ । ଚାରିଆଡ଼ୁ ଏକା ଖବର-

 

ବିଲରେ ଧାନ ପାଚିଛି, କଦଳୀଗଛରେ କାନ୍ଦି ପଡ଼ିଚି, ସଜନା ଗଛରେ ଭରା ଛୁଇଁ । ବାଡ଼ିରେ ଶାଗ, ଆଳୁ, କୋବି । ତାଳଗଛ ଅଗକୁ ଉଠିଚି ତରଡ଼ା, ହଳଦିଆ ଫୁଲ, ଲମ୍ବିଚି ଜହ୍ନୀ; କଖାରୁ ମାଡ଼ିଚି ଚାଳେ ଚାଳେ । ଲୋକେ ବିଲ ବା ବାଡ଼ି ଫସଲକୁ ଚାହିଁନାହାନ୍ତି । କୋଉଠି ବିଲେଇ ପିଲାଟିଏ ନାଇଁ; କତରାଲଗା ମଳୁକୁ ବି ଲୋକେ ଉଠେଇ ନେଇଛନ୍ତି । ଘରଦୂଆର ଠିଆମେଲା । ଜଞ୍ଜିର ବି ଲଗାଇ ନାହାନ୍ତି—ପଡ଼ିଚି ଗୋଟା ଗୋଟା ଶିଳ, ଚକି, ଚାଉଳଘୁମା, ଖାଲି ଅମାର । ଦୁଆରେ ପଥର ପାହାଚ ଜଳ ଜଳ ଚାହିଁଚି; ସବୁ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ।

 

ଗୋଟା ରାଜ୍ୟ ଖାଲି ହୋଇଗଲା । କୋଉ ଶାସ୍ତ୍ରପୁରାଣରେ ଏ କଥା ଶୁଣା ଅଛି ?

 

କେଡ଼େ ଜିଦ୍‌ ! କେତେ ଏକ ମନ !

 

ଈଶ୍ୱରଚନ୍ଦ୍ର ଏବେ କାହାର ରଜା ? ପାହାଡ଼ ଜଙ୍ଗଲର ? କୋଶକୋଶବ୍ୟାପୀ ପାହାଡ଼ିଆ ରଙ୍ଗାମାଟିର ? ବାଘ, ଭାଲୁ, ଗଧିଆ, ବିଲୁଆ, କୋକିଶିଆଳି, ଶାଳିଆପତନି, ଓଧ, ନେଉଳଙ୍କର ? କୋଟି କୋଟି କୀଟପତଙ୍ଗଙ୍କର ?

 

ଏ ତାଙ୍କର ଜୟ ନା ପରାଜୟ ? ପ୍ରଜା ଡରି ପଳାଇଲେ ନା ଚଳନ୍ତୀବିଷ୍ଣୁ ରାଜାଙ୍କୁ ଗୋଇଠା ମାରି ଚାଲିଗଲେ ?

 

ପ୍ରଜାମାନେ ସେଦିନ ଅନୁଗୁଳରେ ପହଞ୍ଚିଲାବେଳକୁ ସଞ୍ଜ ଲାଗେ ନ ଲାଗେ । ଧନୀ ଗରିବ ଆଜି ସମସ୍ତଙ୍କ ସମଦଶା, ଗଛତଳ ଆଶ୍ରା; ରାତିରେ କ’ଣ କରିପାରିବେ ? ଶୀତକାକରରେ ପଡ଼ିରହିବାକୁ ହେଲା । ଚୁଡ଼ାମୁଢ଼ି ଯାହା ସାଙ୍ଗରେ ଆଣିଥିଲେ, ସମସ୍ତେ ବାଣ୍ଟିକୁଣ୍ଟି ଖାଇଲେ ।

 

କେଡ଼େ କେଡ଼େ ଅବୁଝା ଜିଦ୍‌ଖୋର ପିଲା । ଅବସ୍ଥା ବୁଝିପାରି ସତେ ବା ତୂନୀ ପଡ଼ିଲେ-! କିଏ ଅଚାନକ କାନ୍ଦିଉଠିଲେ ମୁହଁରେ ମାଆ ଥନ ମାଡ଼ିଦେଉଥିଲେ ।

 

ସିରିସିରିଆ ପାହାଡ଼ୀ ପବନ, ଏମିତି ଖୋଲାମେଲାରେ ପଡ଼ି ରହିଲେ ଜୀବନ ବାହାରିଯିବ । ଭୋର୍‌ରୁ ସମସ୍ତେ ମିଳିମିଶି ଧାଡ଼ି ଧାଡ଼ି ପତରକୁଡ଼ିଆ ତିଆରିରେ ଲାଗିଗଲେ । ଏଠୁସେଠୁ ଜାଳେଣି ଗୋଟେଇ ଆଣି ମାଇପେ ଚୂଲୀ ଲଗାଇ ରୋଷେଇ ବସେଇଦେଲେ । ଜାତିଗୋତ୍ର ବିଚାର ନାଇଁ । ମଉଛବ ପରି ପଙ୍ଗତରେ ବସିଗଲେ ସମସ୍ତେ; କି ତୃପ୍ତି !

 

ତାଳମୂଳର ଲୋକେ ଆଜି ଅନୁଗୁଳର କୁଣିଆଁ, ସାରା ଓଡ଼ିଶାର କୁଣିଆଁ । ଆଜି ତାଙ୍କର ଅସମୟ ପଡ଼ିଚି, କାଲି ଆମର ପଡ଼ିବ । ଭାଇ ଭାଇକି ଫେର୍‌ ସମ୍ଭାଳିବ ତ ?

 

ଗାଁ ଗହଳର ଲୋକେ ଡାଲି, ଚାଉଳ, ପନିପରିବା, କାଠ, ଗୋଛା ଗୋଛା ଖଲିପତ୍ର ଘେନିଆସି ପହଞ୍ଚିଗଲେ ।

 

ଓଡ଼ିଶା ଓ ଭାରତର ବହୁ ଦାନୀ, ଦାତବ୍ୟ ଅନୁଷ୍ଠାନ ଅର୍ଥ ସାହାଯ୍ୟ ପଠାଇଲେ । ଚିକିତ୍ସା ଲାଗି ଡାକ୍ତର ଆସିଗଲେ । କେତୁଟା ଅସ୍ଥାୟୀ ଡାକ୍ତରଖାନା ଖୋଲିଗଲା ।

 

ଶୃଙ୍ଖଳା ରକ୍ଷା ଲାଗି ଏଠି ସେଠି କେତୁଟା ଥାନାବି ବସିଗଲା । ଅନୁଗୁଳ ଜିଲ୍ଲାଭିତରର ଏ ଆଉ ଏକ ଜିଲ୍ଲା ହୋଇଗଲା ।

 

ହାନିଲାଭ ବୁଝିବା ଲାଗି ନେତା, ସାହାଯ୍ୟ କରିବାକୁ କର୍ମୀ ଆସିଗଲେ । ବିଭିନ୍ନ ନାଆଁ ଦିଆହୋଇ ଗୋଟିଏ ଗୋଟିଏ ଗାଁ ହୋଇଗଲା । ପ୍ରତି ଗାଁ ଦାୟିତ୍ୱରେ ଜଣେ ଜଣେ କଂଗ୍ରେସ କର୍ମୀ ରହିଲେ; କର୍ମୀମାନେ ସୁଶୃଙ୍ଖଳଭାବେ ପ୍ରତି ପରିବାର ପିଛା ସାହାଯ୍ୟ ବାଣ୍ଟିଲେ ।

 

ଲୋକେ ବେକାର ହୋଇ ବସିବେ କେତେଦିନ ? ବଳଣା, ଅରଟ ଯୋଗାଇ ଦିଆଗଲା; ଗଢ଼ାହେଲା କେତୁଟା ସୂତାକଟା କେନ୍ଦ୍ର; କେତୁଟା ତନ୍ତ ବସି ଲୁଗାବୁଣା ବି ଚାଲିଲା ।

 

ନଡ଼ିଆକତା ଯୋଗାଇ ଦିଆହେଲା । କେତେ ଦଉଡ଼ି ବୋଳିଲେ; କେତେ ବା ଝୋଟରେ ବାଣି କାଟିଲେ, ମୁନ୍ଦୁରା, ମସିଣା, ବୁଣିଲେ । ଖଲି, ଦନା ସିଇଁଲେ । କେତେ ମୂଲ ଲାଗିଲେ ।

 

ଲୋକଙ୍କୁ କାମ ଯୋଗାଇବା ଲାଗି କେତୁଟା ପୁରୁଣା ପୋଖରୀର ଜୀର୍ଣ୍ଣସଂସ୍କାର କରାଗଲା, କେତେ ନୂଆ ରାସ୍ତାଘାଟ ତିଆରି ଚାଲିଲା ।

 

ଲୋକଙ୍କୁ ବୁଝାଇ ଫେରାଇ ନେବାଲାଗି ରଜାପକ୍ଷ ଲୋକେ ଥରକୁଥର ଆସୁଥାନ୍ତି, ଆସୁଥାନ୍ତି ରଜାଙ୍କବନ୍ଧୁ ରଜା, ଦେବାନ୍‌ । ଦିନରାତି ଫୁସୁଲାଫୁସୁଲି ଚାଲିଥାଏ । ନେତାମାନଙ୍କୁ ବଶ କରିବା ଚେଷ୍ଟାର ବି ଅନ୍ତ ନଥାଏ । ଦେଶ ଚୂଲୀକି ଯାଉ ପଛେ ଚଉଦ ପୁରୁଷ ଲାଗି ଛଞ୍ଚିଯିବା—ଏ ମନୋଭାବ ସୃଷ୍ଟି ହୋଇ ନ ଥିଲା; ସେତେବେଳର ନେତା ମହାତ୍ମାଙ୍କ ଆଦର୍ଶ ଅନୁସରଣ କରିଚାଲିଥିଲେ । କେହି ରଜାଙ୍କ ପାଲରେ ପଡ଼ିଲେ ନାଇଁ, ସବୁ ଚେଷ୍ଟା ଫସରଫାଟିଗଲା । ଲୋକେ ନିଅମ କଲେ—ଏ ବସୁଧାମାତା, ୟାର ଧୂଳିମାଟି ଛୁଇଁ ଆମେ ନିଅମ କରୁଚୁ—ଏଠି ଖରାରେ ଭାଜି ହୋଇ ଭୋକଓପାସରେ ରହି ଶୀତକାକରରେ ପଡ଼ି ମରିବୁ ପଛେ ଫେରିବୁ ନାଇଁ–ସତ୍ୟ ସତ୍ୟ ତ୍ରିବାର ସତ୍ୟ ଏ ।

 

ମହାତ୍ମାଗାନ୍ଧୀଙ୍କ କଲମ ‘ହରିଜନ’ ରେ ନିଆଁ ବର୍ଷୁଥାଏ, ମାନୀ ଇଂରାଜଙ୍କ ଦିହରେ ଚିଆଁ ମାଡ଼ିହୋଇଯାଉଥାଏ । ଦୁନିଆଁର ଭଲଲୋକ ମହଲରେ କେମିତି ମୁହଁ ଦେଖାଇବେ ?

 

ଏ ତାଳମୂଳ ରାଜ୍ୟଟା କୋଉଠି ? ୟାର ଇତିହାସ କ’ଣ ? ୟାର ରାଜା କିଏ ? ଏ କ’ଣ ଏମିତି କଲା ଯେ ପ୍ରଜା ରାଜ୍ୟ ଛାଡ଼ି ପଳାଇଗଲେ !

 

ସେ ଯାହାହେଉ, ଏଟା ଗୋଟେ କଳଙ୍କ—ବ୍ରିଟିସ୍‌ ସାମ୍ରାଜ୍ୟ, ଯୋଉଠି ସୂର୍ଯ୍ୟାସ୍ତ ନାଇଁ, ଏଡ଼େ ବକଟେ ରାଜ୍ୟ ଲାଗି, ଛି, କି ବଦ୍‌ନାମ୍‌ ।

 

ଏ ରଜାଟା କେଡ଼େ ଗୁମାନୀ ! ବ୍ରିଟିସ୍‌ ପାର୍ଲାମେଣ୍ଟ ସଭ୍ୟମାନେ ନିଆଁହୋଇଗଲେ । ପ୍ରଧାନମନ୍ତ୍ରୀଙ୍କ ମୁହଁରେ କାଳି ବୋଳିହୋଇ ଯାଉଥିଲା । ସେ ଯେଡ଼େ ହୁଙ୍କାର ଦେଲେ, ତାର ଦଶଗୁଣ ହୁଙ୍କାର ଦେଲେ ଭାଇସ୍‌ରାୟ; ଅନୁଗୁଳକୁ ଧାଇଁ ଚାଲିଲେ ରେସିଡ଼େଣ୍ଟ୍‌—ଉପର ଧଡ଼ସରେ ରଜାଙ୍କୁ ପକଡ଼ି ଧଡ଼୍‌କେଇଲେ—ଢେର୍‌ ହେଲାଣି । ତୁମକୁ ଆଉ ବରଦାସ୍ତ କରାଯିବ ନାଇଁ । ଯଦି ଶୀଘ୍ର ପ୍ରଜାଙ୍କୁ ସ୍ୱରାଜ୍ୟକୁ ଫେରାଇ ନ ନିଅ, ତମକୁ ଚେଁଖେ ଦେବି । ରାଜ୍ୟରୁ ତଡ଼ିବି, ଆଉ ତୁମ ରାଜ୍ୟକୁ ଖାସ୍‌କରିଦେବି । ସାବଧାନ ।

 

ଏ ଧମକରେ ରଜା ପାଣି ହୋଇଗଲେ । ଆଗରୁ ସାଙ୍ଗସାଥୀ ରଜା କେତେ ବୁଝେଇଥିଲେ, ଶୁଭେଚ୍ଛୁ ବନ୍ଧୁବାନ୍ଧବ ଭାଇବିରାଦର ବି ଫାଟିଫୁଟି ଯାଇଥିଲେ । କିଛି ଫଳ ହୋଇ ନ ଥିଲା । ଏ ଜଟାଧାରୀ ଏବେ କ’ଣ ବତେଇଦେଲେ ଯେ ଏକାବେଳକେ ମୁଣ୍ଡ ଥଣ୍ଡା । ଦାବୀ ପୂରଣ ଲାଗି ରାଜି ହୋଇଗଲେ । ରଜାଙ୍କର କି କରୁଣ ମୂର୍ତ୍ତି ! ଗୋଟାପଣେ ଦିହରୁ ଝାଳ ବୋହିଯାଉଥାଏ । ରାଜକଳା ସତେ ବା କିଏ ହରଣ କରିନେଇଗଲା, ଅର୍ଜ୍ଜୁନ ଦିହରୁ ଶ୍ରୀକୃଷ୍ଣ ଦେବକଳା ହରଣ କଲାପରି ।

 

ପ୍ରାୟ ବର୍ଷକ ପରେ ଦାବୀ ପୂରଣର ନିର୍ଭର ଜବାବ୍‌ ମିଳିଲା । ଲୋକେ ତା’ ପରେ ଧାଡ଼ି ବାନ୍ଧିଲେ, ଆନନ୍ଦୋତ୍‌ଫୁଲ୍ଲ ବିଜୟୀ ସେନା ପରି ।

 

ତାପରେ ଗାଁ, ଘର, ସଂସାରଚିନ୍ତା ମନକୁ ମାଡ଼ି ବସିଲା । ରଜା ଘର ପୋଡ଼ି ଦେଇ ନାହାନ୍ତି ତ ? ଝଡ଼ଝଞ୍ଜାରେ ଚାଳ ଉଡ଼ିଯାଇ ନାହିଁ ତ ? ଗଲା ବର୍ଷତ ଛପରବନ୍ଦି ହୋଇନାହିଁ; ବର୍ଷା ମାଡ଼ରେ କାନ୍ଥ ଭାଜି ପଡ଼ିନାଇଁ ତ ? ଘର କଣ ଆଉ ସେମିତି ଥିବ ? ଗଛବୃଛ ?

 

ପୁଅ ବାହାଘର ହବ ଝିଅ ପହିଲିପାଳି ଯିବ । ଗଲା ସନ ବାପା, ମାଆଙ୍କ ଶ୍ରାଦ୍ଧ ହୋଇ ପାରିନାହିଁ, ବଡ଼ବଡ଼ିଆ ଡକା ହୋଇ ପାରିନାହିଁ, କିଛି ଓଷାବ୍ରତ, ପୁଣ୍ୟପର୍ବ ହୋଇ ପାରି ନାହିଁ, ଏ ସାଲେ ହବ । ହୋଇ ନାଇଁ ଗୁରୁବାର ମାଣବସା, ଗହ୍ମା ଡିଆଁ, ରଜ ଦୋଳି ଖେଳ, ଦଶହରା ଖଣ୍ଡା ଖେଳ; ଦଣ୍ଡନାଟ, ଛଉନାଟ, ହିଙ୍ଗୁଳାମେଳା, କିଛି ହେଲେ ଦିଅଁ ମେଳଣ ।

 

ବର୍ଷେ କାଳ ଠାକୁର ଠାକୁରାଣୀ ଅପାଣିଆ ହେଇ ରହିଲେ । ଫୁଲପାଣି ଟୋପାଏ ଉପରେ ପଡ଼ିଲା ନାଇଁ, ଭୋଗରାଗକୁ ପଚାରେ କିଏ ?

 

ପୂଜାଧୂଜା, ନାଚତାମସା, ଦିଅଁଦେଉଳ, ବ୍ରତଓପାସ ସବୁ ମଣିଷ କରେ, ସେ ନିଜେ ତଳିତଳାନ୍ତ ହୋଇଗଲେ ଏସବୁକୁ ପଚାରେ କିଏ ?

 

।। ଦଶ ।।

 

ମଣିଷ କ୍ଷମତାପ୍ରିୟ; କ୍ଷମତା ପାଇଲେ ତାକୁ ଜାବୁଡ଼ି ଧରି ବସିବା ତାର ସ୍ୱଭାବ । ‘ଛାଡ଼୍‌’ ବୋଇଲେ ଛାଡ଼ିଦବ କେମିତି ? କ୍ଷମତା ତାର ପ୍ରାଣର ଏକ ଅଂଶ ଭଳି ହୋଇଯାଇଥାଏ ।

 

‘ସବୁ ଦାବୀ ମାନିଯାଅ’ ଅର୍ଥ କଣ ? ପ୍ରଜା ସବୁ, ତୁମେ କିଛି ନୁହଁ, ନାମକୁ ମାତ୍ର ରଜା । ବାହାର ସରକାରୀ ଚାପରେ ଈଶ୍ୱରଚନ୍ଦ୍ର ସନ୍ତକଟାଏ କରିଦେଲେ; ହେଲେ ତାଙ୍କୁ ବଡ଼ ବାଧିଲା ।

 

ଏତେ କାଳ ହୁକୁମ୍‌ ଦେଇ ଆସିଛନ୍ତି, ଏବେ ହୁକୁମ୍‌ ମାନିବାକୁ ହବ—ବହୁତ ଲୋକଙ୍କ ହୁକୁମ୍‌; ସମୟର କାରସାଦି ଏ । ବାରଶ ବଢ଼େଇଙ୍କ କଥା ହିଁ ରାୟ ।

 

ଇଂରେଜ ସରକାର ରଜାଙ୍କର ରଜା; ତାଙ୍କ ହସ୍ତକ୍ଷେପ ବିରଳ । ଗଡ଼ଜାତରେ ରଜାଙ୍କର ଅଖଣ୍ଡ ରାଜୁତି ହିଁ ଚାଲିଥିଲା । ଏବେ ପ୍ରଜାଙ୍କ ପକ୍ଷରେ ଗୋଟା ଭାରତବର୍ଷ; ରଜାଙ୍କ ପକ୍ଷରେ କିଏ-? ସେ ଯେ ଏକାନ୍ତ ଏକା, ଅସହାୟ । ଏ ଯାକେ ଶଙ୍ଖରେ ପୂରେଇ ଯେ ଚକ୍ର ଆଢ଼ୁଆଳ କରିଥିଲେ, ଏବେ ସେ ବିରୂପ; ଆପଦବିପଦରେ ଆଉ ଭରସା କରାଯିବ କାହା ଉପରେ ।

 

ବିପଦି ଧୈର୍ଯ୍ୟଂ; ଧୈର୍ଯ୍ୟ ଧରି ରହିଲେ ରଜା; କୁଆଡ଼ ପାଣି କୁଆଡ଼କୁ ବୋହୁଚି ଦେଖିବା ଲାଗି ।

 

ଏତେ କାଳ ଜୋଇଁପୁଅ ପରି ମାନ୍ୟଧର୍ମ ଦେଖାଉଥିଲେ; ଆଜି କାହିଁକି ବିରୂପ ? ଅବସ୍ଥାକୁ ଚାହିଁ ବେବସ୍ଥା; ଇଂରେଜ ସରକାର କଣ କରନ୍ତେ ଯେ ! ତାଙ୍କୁ ଏ ଗାନ୍ଧୀବୁଢ଼ା ଠେକିଏ ପାଣି ପେଇସାରିଲେଣି । ଦୁଇଟି ଚୋଖା ମନ୍ତ୍ର ଭାରତରେ ଇଂରେଜ ଶାସନ ଶକଟର ଅଖ ହୁଗୁଳି ଦେଲା । ପଳାଇବା ଯାଏ ବାର୍‌ ସହିଲା ନାଇଁ । ପ୍ରଥମ ମନ୍ତ୍ର ‘ବନ୍ଦେ ମାତରମ୍‌’, ଦ୍ୱିତୀୟ ମନ୍ତ୍ର ‘ଭାରତ ଛାଡ଼’-

 

ପ୍ରଥମ ମନ୍ତ୍ର ରକ୍ତରେ ନିଆଁଲଗାଇ ତତାଇଲା—ଦେଶ ଗୋଟିଏ ମାଆ, ତା’ରି ଥନର କ୍ଷୀରରେ ଆମେ ବଢ଼ୁ, ତା’ର କୋଳରେ ଶେଷ ନିଶ୍ୱାସ ଛାଡ଼ୁ । ତା’ରି ଗୋଡ଼ରେ ବେଡ଼ି ଦେଇଚି, ତା’ରି ଥନ କାଟି ଦେଇଚି ବିଦେଶୀ ସରକାର । ପୁଅ ଝିଅ ହେଇ ତାର କରୁଣ ଦୁର୍ଦ୍ଦଶା ବରଦାସ୍ତ କରିପାରିବ କିଏ ?

 

ଜନମକଲା ମାଆ, ଅନ୍ନଜଳ ଯୋଗାଇଲା ମାଆ ଏକା—ଏକା ନାହି ଦିଖଣ୍ଡ । ମାଆର ହାତରେ କଡ଼ି, ଗୋଡ଼ରେ ବେଡ଼ି, ତାର ହାହାକାର ଶୁଣି କୋଉ ପୁଅ ଝିଅ ପାଟିକି ଗୁଣ୍ଡା ଯିବ ? କିଏ ବା ସୁଖନିଦ୍ରା ଯାଇ ପାରିବ ?

 

ମାଆକୁ ମୁକ୍ତ କର, ସ୍ୱାଧୀନ କର, ଉଚ୍ଚ ପୂଜାପୀଠରେ ବସାଇ ଭକ୍ତିଭାବରେ ନମସ୍କାର କର । ମାନମର୍ଯ୍ୟାଦାରେ ଅପଚ ଏଇ ନମସ୍କାର ମାଆ ଅବଶ୍ୟ ଗ୍ରହଣ କରିବ ।

 

ଏଇ ମନ୍ତ୍ରଟି ଭାରତର ଛ’ ଲକ୍ଷ ଗାଆଁରେ ଚହଳ ପକାଇ ଦେଲା—କୋଟି କୋଟି ଲୋକଙ୍କର ଏଇ ଗୋଟିଏ ମାଆ; ତୁମ୍ଭେ ଭାଇଭଉଣୀ ସମସ୍ତେ ଗୋଟିଏ ଦଦରା ନାଆରେ ବସିଚୁ; ବୁଡ଼ିଲେ ସମସ୍ତେ ବୁଡ଼ିବା । ଏଇ ନାଆରେ ବିଦେଶୀ ଶତ୍ରୁ ଜଳା ଫଟାଉଚି; ଆମକୁ ବୁଡ଼େଇ ମାରିବା ତାର ମତଲବ୍‌ ।

 

ଏଇ ମନ୍ତ୍ରଟି ଦିନେ ଭରିଦେଇଥିଲା ଦୁର୍ବଳ ମନରେ ବଳ, ଭୀରୁ ମନରେ ସାହସ, ଜଗାଇ ଥିଲା ଦିନେ ପ୍ରାଣ ବଳି ଦେବାର ସଂକଳ୍ପ । ଏଇ ମନ୍ତ୍ର ଉଚ୍ଚାରିତ ହେବା ମାତ୍ରେ ଶତସହସ୍ର ତୋପ ମୁହଁକୁ ଡେଇଁଥିଲେ, ହସି ହସି ଫାଶିଖୁଣ୍ଟରେ ଚଢ଼ିଥିଲେ, ବିଦେଶୀ ରାଇଫଲ୍‌ ଆଗରେ ଛାତିଫୁଲାଇ ଛିଡ଼ାହୋଇ ଯାଇଥିଲେ, ଘରସଂସାର, ଧନ-ଦଉଲତର ମାୟାମମତା ଛାଡ଼ି ।

 

ଏଇ ମନ୍ତ୍ରରେ କ’ଣ ଥିଲା କେଜାଣି, ଦିହରୁ ମଳି ଛାଡ଼େନାଇଁ ଯେ ସ୍ତ୍ରୀଲୋକ, ଦିହରୁ ସବୁ ଗହଣାଗାଣ୍ଠି କାଢ଼ିଦେଇ ଦେଇଥିଲା, ଗଞ୍ଜେଇ ଅଫିମ ଦୋକାନ ଆଗରେ ପିକେଟିଂ କରୁଥିଲେ ନିଶା ଛାଡ଼ି ସେଦିନର ଗଞ୍ଜେଇ ଅଫିମଖୋର୍‌ମାନେ; ବିଦେଶୀ ତିଆରି ପାଟମଠା ପେଡ଼ିରୁ କାଢ଼ି ପୋଡ଼ିଜାଳି ଦେଇଥିଲେ ଜମିଦାରମାନେ । ସରୁ ମାଞ୍ଚେଷ୍ଟର ଲୁଗା ଛାଡ଼ି ହାତରେ ସୂତାକାଟି ମୋଟା ଖଦି ବୁଣି ପିନ୍ଧିଥିଲେ କେଡ଼େ କେଡ଼େ ଘରର ଛପଚିକ୍‌କଣିଆ ଲୋକମାନେ । ଲିଭରପୁଲ୍‌ର ସଫା ତୋଫା ଲୁଣ ଫିଙ୍ଗିଦେଇ ନିଜ ସମୁଦ୍ରରୁ ମଇଳା ମାଟିଆ ଲୁଣ ମାରି ଖାଇ ଜେଲ୍‌ବରଣ କରିଥିଲେ ଅଗଣିତ ଲୋକ । ଲୁଣମରା କଟକଣା ଭାଙ୍ଗିବାଲାଗି ମହାତ୍ମାଗାନ୍ଧୀଙ୍କ ଦାଣ୍ଡିଯାତ୍ରା ସ୍ୱାଧୀନତାସଂଗ୍ରାମ ଇତିହାସରେ ଏକ ରଙ୍ଗୀନ୍‌ ଅଧ୍ୟାୟ ସୃଷ୍ଟି କରିଥିଲା ।

 

ବିଲାତରୁ ଦକ୍ଷିଣ ଆଫ୍ରିକା—ଭାରତବର୍ଷ ପତିତ, ମଥିତ, ଅତ୍ୟାଚାରିତଙ୍କ ଲାଗି ଲଢ଼ି ବହୁ ଦୁଃଖ ଦୁର୍ଦ୍ଦଶା ଭିତରେ ନିଜର ପିରାମିଡ଼୍‌ ଗଢ଼ି ଏତେ ଉଚ୍ଚକୁ ଉଠିଥିଲା ଯେ ଆଖି ପାଏ ନାଇଁ । ଦୁଃଖୀ ଗରିବର ଲଜ୍ଜାବରଣ କନ୍ଥା ଖଣ୍ଡିଏ ଅଣ୍ଟାରେ ଗୁଡ଼ାଇଥିଲା, ଛେଳି ଦୁଧ ଟୋପିଏ ମାତ୍ର ପିଇ ବଞ୍ଚିଥିଲା; ଖାଲି ଦିହ, ହାତରେ ଖଣ୍ଡିଏ ବାଡ଼ି । ଭାରତର ଏ ମୁଣ୍ଡରୁ ସେ ମୁଣ୍ଡ ସେ ବୁଲି ଏକ ମନ୍ତ୍ର ପ୍ରଚାର କରିଥିଲା । ଦେଖିବାକୁ କେଡ଼େ ଦୁର୍ବଳ, ଅଥଚ ଲୋକଙ୍କୁ ଏଡ଼େ ସବଳ କରିଦେଲା ଯେ ସେମାନେ ଭାଙ୍ଗିଲେ ପଛେ ନଇଁଲେ ନାଇଁ ।

 

ଏକମାତ୍ର ଲୋକ—ଯେ ଭାରତର ଦୁଃଖ ବୁଝିଥିଲା, କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ । କେଡ଼େ ଘରର ଲୋକ, କେଡ଼େ ବଡ଼ ବାରିଷ୍ଟର, ରହୁଥିଲା ସେ ଏକ ନୁଆଁଣିଆ ଚାଳ କୁଡ଼ିଆରେ । ଭାରତର ସବୁଠାରୁ ଦୁଃଖୀର ଯେତିକି ଖର୍ଚ୍ଚ, ସେତିକି ମାତ୍ର ଖିଆପିଆରେ ଖର୍ଚ୍ଚ କରୁଥିଲା ସେ । ଯୁଆଡ଼େ ସେ ଯାଉଥିଲା, ଗୋଟାଏ ମେଳଣ ବସୁଥିଲା—ବନ୍ଦେ ମାତରମ୍‌—ମହାତ୍ମାଗାନ୍ଧୀକେ ଜେ......ଚହଳ ସବୁଆଡ଼େ ।

 

ସ୍ୱାଧୀନତା ସଂଗ୍ରାମର ଶେଷ ପର୍ବ—ବ୍ରିଟିସ ସାମ୍ରାଜ୍ୟକୁ ବାଲିଘର ପରି ଚୁର୍‌ମାର୍‌ କରିଦେବା ଲାଗି ସେ ଫୁଙ୍କିଦେଲା ଦ୍ୱିତୀୟ ମନ୍ତ୍ର—ଭାରତ ଛାଡ଼ ।

 

‘କ’ଣ କରିବି’ର ବିମୂଢ଼ତା ନ ଥିଲା ଏଥିରେ; ଏ ଥିଲା ଏକ ଜ୍ୱଳନ୍ତ ମନ୍ତ୍ର ଲୋକଙ୍କୁ ଉଦୀପ୍ତ ଓ ଉତ୍‌କ୍ଷିପ୍ତ କରିବାଲାଗି । ସଂଗ୍ରାମରେ ସବୁ କିଛି ଜଳାଞ୍ଜଳି ଦେଇଦେବା ଲାଗି ଏ ଏକ ଆହ୍ୱାନ,—ବ୍ରିଟିସ୍‌ର ଶେଷ ମରଣ ଘଣ୍ଟି ।

 

ସାମ୍ରାଜ୍ୟବାଦୀ ଦୋଘାଇରେ ପଡ଼ି ଭାବୁଥିଲା—କ’ଣ କରିବ; ରହିବ ନା ଛାଡ଼ି ପଳାଇବ ? ଭାରତର ନିରସ୍ତ୍ର, ଅହିଂସ୍ର ମୁକୁଟବିହୀନ ସମ୍ରାଟ ଆଦେଶ ଦେଲେ—ଭାରତ ଛାଡ଼—ଏ ମହାତ୍ମାର କଥା, କିନ୍ତୁ ଭାରତର ମର୍ମବାଣୀ । ବିଦେଶୀର ଛାତି ଧଡ଼ ଧଡ଼ ପଡ଼ିଲା—ତାକୁ ସାମାନ୍ୟ ଏକ ଲଙ୍ଗଳା ଫକୀର ନିକାଲି ଦବ ? ଭାରତବର୍ଷ ବ୍ରିଟିଶ ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ରତ୍ନମୁକୁଟ, ତାକୁ ଜବରଦସ୍ତ କାଢ଼ିନବ ଏଇ ଥୁରୁ ଥୁରା ବୁଢ଼ା !

 

ଦୁନିଆଁକୁ ପାଦତଳେ ଚାପିଥିବା ସେଇ କେଶରୀର ମୁଛକୁ ଝୁଙ୍କେଇ ଆଖିରୁ ରକ୍ତ କାଢ଼ିଦେବ, ଏଡ଼େ ଦିମାକ ତାର ?

 

କ୍ରୋଧରେ ସେ ଦୁର୍ଦ୍ଦାନ୍ତ ଜନ୍ତୁର ନଖଦନ୍ତ ପଦାକୁ ବାହାରିପଡ଼ିଲା । ଟିକିଏ ପଛକୁ ଘୁଞ୍ଚିଗଲାପରି ହୋଇ ସେ ଲମ୍ଫ ଦେଲା ଗାଁଗଣ୍ଡା ଉପରେ । ବାରୁଦଘରେ ତାର ନିଆଁ ଲାଗିଲା; ଗର୍ଜିଉଠିଲା ମେସିନ୍‌ଗନ୍‌, ଚାରିଆଡ଼ ଅନ୍ଧାର କରିଦେଲା କମାଣଧୂଆଁ ଆଉ ଲୁହବୁହା ଗ୍ୟାସ୍‌ ।

 

ଦେଶର ଗଣପତି ଉଚ୍ଚାରିଛନ୍ତି ସିଂହ ବଳିଦାନର ଶେଷମନ୍ତ୍ର—ଭାରତ ଛାଡ଼ । ଶିଖଣ୍ଡୀକି ଦେଖି ଭୀଷ୍ମଦେବ ଯେପରି, ସେହିପରି କାବୁ ହୋଇଗଲା ସେ ସିଂହ, ଗୋଟାଏ ମାଟି, କାଠ କି କାଗଜ ସିଂହପରି ! ତାଠୁଁ ଭୟ ଛାଡ଼ିଯାଇଚି । ତା ଗୋଳାବୃଷ୍ଟି ଯେପରିକି ପୁଷ୍ପବୃଷ୍ଟି ! ଲୋକ ହସି ହସି ତାର ସମ୍ମୁଖୀନ ହେଲେ ।

 

ଫାଶିଖୁଣ୍ଟକୁ ତର ନାଇଁ, ଗଛ ଡାଳେ ଡାଳେ ଝୁଲାଇ ଦିଆଗଲା ଦେଶପ୍ରେମୀ ବିଦ୍ରୋହୀକୁ । ମାରି ମାରି ବାରୁଦ ସରିଗଲା । ତଥାପି ସେ ରକ୍ତତବୀର୍ଯ୍ୟ ବାହିନୀ, ଯେତିକି ସେତିକି । ଭାଙ୍ଗୁଥାନ୍ତି ଥାନା, ପୋଡ଼ୁଥାନ୍ତି ଅଫିସ, ରେଲ୍‌ଷ୍ଟେସନ୍‌, ବିଦେଶୀ ବାଣିଜ୍ୟସଂସ୍ଥା ।

 

ଏସବୁ ବିପ୍ଳବ କାଣ୍ଡ କାରଖାନା କଥା, ତାଳମୂଳ ଜେଲ୍‌ର କଏଦୀମାନଙ୍କୁ ଜଣା ନ ଥାଏ । ସେମାନଙ୍କୁ ଖବରକାଗଜ ଦିଆଯାଉ ନ ଥାଏ । ଦେଶର ସମ୍ବାଦ ଜାଣିବାକୁ ବ୍ୟାକୁଳ—ଗାନ୍ଧିଜୀ ଏବେ କୋଉଠି ? କ’ଣ କରୁଛନ୍ତି ? ଦେଶବାସୀଙ୍କୁ କ’ଣ କରିବାକୁ କହୁଛନ୍ତି ! ସ୍ୱରାଜ ହେଉଚି କେବେ ?

 

ଜେଲରେ ନିଷ୍କ୍ରିୟ ହୋଇ ପଡ଼ି ରହିବାକୁ ଭଲ ଲାଗୁ ନଥାଏ । ଖସି ପଳାଇବାକୁ ମନ ଉଚ୍ଛନ୍ନ ।

 

ସାଥୀ ମହଲରେ ବହୁତ ଫୁସ୍‌ଫାସ୍‌ ଆଲୋଚନା ହୁଏ, ସବୁ ଫସର ଫାଟିଯାଏ । ବୟାଳିଶି ବିପ୍ଳବରେ ଗଡ଼ଜାତ ସରକାର ମନରେ ନାନା ଶଙ୍କା, ସଂଶୟ; ଜଗୁଆଳୀଙ୍କ ସଂଖ୍ୟା ଦୁଇଗୁଣ ବଢ଼ାଇ ଦିଆହୋଇଛି । ଜେଲ ସମ୍ନାରେ ଗାର୍ଡ଼, ଉପର ଛାତରେ ଗାର୍ଡ଼; ତାର ଦୃଷ୍ଟି ସମଗ୍ର ଜେଲ ଉପରେ । କିଏ ପଳାଇବା ଚେଷ୍ଟା କଲେ ସଙ୍ଗେ ସଙ୍ଗେ ଗୁଳି ଖାଇ ମରିବ ।

 

ମାଘ ଶେଷ; କାଲି ଅସରାଏ ବର୍ଷା ହୋଇଥିଲା; କଥା ଅଛି—ମେଘ ଶୀତ, ନଇଲେ ମାଘେ ଶୀତ; ଏବେ ମେଘ ମାଘ ମିଶି ପ୍ରବଳ ଶୀତ ସୃଷ୍ଟି କରିଛନ୍ତି ପାହାନ୍ତା ପହରକୁ ଚାରିଆଡ଼େ ଘୋର କୁହୁଡ଼ି ଘୋଟିଯାଇଚି । ମୁହଁକୁ ମୁହଁ ଦିଶୁନାଇଁ ।

 

ଭୋର ଚାରିଟା । ୱାଡ଼ରମାନେ ଜେଲ୍‌ କୋଠରୀର ଲୁହା କବାଟ ଖୋଲିଲେ । ଜେଲ୍‌ର ଅଟେଇରେ ମେଣ୍ଢା ଗଣିଲାପରି ଅପରାଧୀ କଏଦୀଙ୍କୁ ଗଣିଲେ, ଯାହାଙ୍କ ଉପରେ ବେଶୀ ସନ୍ଦେହ, ତାଙ୍କୁ ଚିହ୍ନଟ କଲେ । ରାଜନୀତିକ ବନ୍ଦୀଙ୍କ ଉପରେ କଡ଼ା ନଜର, ତାଙ୍କୁ ଠାଆ ଠାଆ କରି ଠାବ କଲେ ।

 

ଗଣତି କରି ଚାଲିଗଲା ପରେ ମନ ଟିକିଏ ହାଲୁକା—ୱାର୍ଡ଼କୁ ହଠାତ୍‌ ଆଉ କେହି ଆସିବାର ଶଙ୍କା ଦୂର ହେଲା । ପର୍ବ ମସୁଧାମତେ ଜଣେ ଆଣ୍ଠେଇଲା, ତା’ ଉପରେ ଜଣେ ଜଣେ ଆଣ୍ଠେଇଲେ । ଜେଲ୍‌ର ପଛପଟ କଣରେ ଏତେ କୁହୁଡ଼ି ଘୋଟିଛି ଯେ ଆଗପଟ ଲୋକ ଦେଖି ପାରିବ ନାଇଁ । ଗୋବର୍ଦ୍ଧନ ଆଣ୍ଠେଇଥିବା ଲୋକଙ୍କ ପିଠିରେ ଚଢ଼ି, ପାଚେରୀ ଉପରେ ଉଠି ଦଣ୍ଡେ ଲେପ୍‌ଟି ଶୋଇଲେ, ତା’ପରେ ପାଚେରୀରେ ଘଷିହୋଇ ଧୀରେ ଖସିପଡ଼ିଲେ । ମୁଣ୍ଡରେ ଗାମୁଛା ଖଣ୍ଡେ ପଗଡ଼ି ବାନ୍ଧି ମୁହଁରେ ଗୋଟିଏ କାନି ଗୁଡ଼ାଇଦେଲା—ଯେମିତି ଶୀତ ସକାଶେ ମୁହଁ ଘୋଡ଼ାଇଲାପରି ଜଣାଯିବ, କେହି ହଠାତ୍‌ ଚିହ୍ନି ପାରିବ ନାଇଁ ।

 

ଜେଲର ନିଜେ ଗଣି ଚିହ୍ନଟ କରିଗଲା ପରେ କାହା ମନରେ କାହିଁକି ସନ୍ଦେହ ଉପୁଜିବ-? ପଳାଇବାର ଦୁଇ ଘଣ୍ଟା ପରେ ଫୁସ୍‌ଫାସ୍‌ ଶବ୍ଦରୁ ଜଣାଗଲା—ଗୋବର୍ଦ୍ଧନ ପଳାଇଛନ୍ତି-

 

ହେଲେ କେମିତିପଳାଇବେ ? ଚାରିଆଡ଼େ ତ ଜଗୁଆଳିଙ୍କ ସତର୍କ ଦୃଷ୍ଟି ! ଏଇ ଜେଲ ଭିତରେ କୋଉଠି ଲୁଚିଥିବେ, ଖୋଜ । ଜେଲ୍‌ର ଅନ୍ଦିକନ୍ଦି, ଅପରାଧୀ କଏଦୀ ମହଲ, କୂଅ, ଫାଶିଖୁଣ୍ଟତକ ଖୋଜାଗଲା ।

 

ରାଜଧାନୀ ତମାସ୍‌ ଖାନ୍‌ତଲାସ କରାଗଲା—ଗୁହାଳ, ଅମାର, ଖଣିଖାତ, ଡୁମ, ଟ୍ରଙ୍କ୍‌ ବାକ୍‌ସ । ପତ୍ତା ମିଳିଲା ନାଇଁ । ଶେଷକୁ ରାଜାଙ୍କ ନିକଟକୁ ସମ୍ବାଦ ଗଲା—ଗୋବର୍ଦ୍ଧନ ପାଚେରୀ ଡେଇଁ ପଳାଇଛି ।

 

‘ତୁମେସବୁ କଣ କରୁଥିଲ, କାହିଁକି ପଞ୍ଝାପଞ୍ଝା ଲୋକ ପୋଷା ହେଇଚ ?’ ରାଜା ରାଗିଲେ ।

 

ଜେଲର ରାଜନୀତିକ ସଙ୍ଗୀମାନଙ୍କୁ ପଚରା ଉଚରା ହେଲା । କିଛି ନ କହିବାରୁ ଜବରଦସ୍ତ ସମ୍ବାଦ ଆଦାୟ ଚେଷ୍ଟା ହେଲା; ହାତରେ କଡ଼ି, ଗୋଡ଼ରେ ବେଡ଼ି ଦେଇ ଦିହରେ ଚିଆଁ ମଡ଼ାହେଲା । କିଛି ସମ୍ବାଦ ମିଳିଲା ନାହିଁ; ସବୁଠୁ ଗୋଟିଏ ଉତ୍ତର—ଆମେ ନିଘୋଡ଼ ନିଦରେ ଶୋଇଥିବାବେଳେ ଖସି ପଳାଇଛି ।

 

କେତେ ଗାଁ ଘେରାଉ କରାଗଲା, ପ୍ରଜାମଣ୍ଡଳ କର୍ମୀ କାଳେ ଲୁଚାଇ ରଖିଥିବେ ! ସନ୍ଦେହରେ ସେମାନଙ୍କ ଘର ଖାନତଲାସ କରାଗଲା । ବାଟଘାଟସବୁ ବନ୍ଦ କରାଗଲା,. ଗତିବିଧିରେ ସନ୍ଦେହ କରି କେତେଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରାଗଲା ।

 

ସବୁ ବୃଥା ହେଲା ପରେ ରାଜା ପୁରସ୍କାର ଘୋଷଣା କଲେ—ଯେ ଜୀଅନ୍ତା ଗୋବର୍ଦ୍ଧନକୁ ଧରି ଆଣିଦବ, ସେ ଦଶହଜାର ଟଙ୍କା, ଦଶ ବାଟି ଜମି ପୁରସ୍କାର ପାଇବ; ସର୍ବଦା ରଜାଙ୍କ ସୁନଜରରେ ରହିବ ।

 

କିଏ ଧରିଆଣିବ ? ନିଃଶ୍ୱାସେ ଲୋକଙ୍କ ଅବିଶ୍ୱାସ । ଯେ ଲୋଭରେ ପଡ଼ି ଧରିବ, ପ୍ରଜାମଣ୍ଡଳ କର୍ମୀ ତାକୁ ଶେଷ କରିଦେବେ ।

 

ରଜାଙ୍କ ନିଜ ଲୋକ ବୋଇଲେ କେତୁଟା ସରବରାକାର, ଜାଗିରି ଭୋଗ କରୁଥିବା କେତେ ଜଣ ସାଆନ୍ତ, କେତୁଟା ଟହଲିଆ ଖୋସାମତିଆ, ବାହାପିଆ, କେତୁଟା ବାଦୁଡ଼ି—ଏଣେ ରଜା ପକ୍ଷରେ ହିଁ, ତେଣେ ପ୍ରଜା ପକ୍ଷରେ ହିଁ ମାରୁଥାନ୍ତି, କୋଉ ପକ୍ଷରେ ବିଶ୍ୱାସଭାଜନ ହୋଇପାରୁ ନଥାନ୍ତି । କେତୁଟା ପୁଲିସ୍‌ଙ୍କ ପାଟିରୁ ଲାଳ ବୋହୁଥାଏ । ସେମାନେ ଖୋଦାଙ୍କୁ ଡାକି ଗୋଦା ଉଣ୍ଡି ବୁଲୁଥାନ୍ତି । କେତୁଟା ରାସ୍ତା ଧାର ଗଛରେ ଲୁଚିବସିଥାନ୍ତି । ଗୋବର୍ଦ୍ଧନ ସେ ବାଟେ ଗଲେ, ଉପରୁ ଡେଇଁ ମାଡ଼ି ବସିବେ । ପ୍ରତି ଘାଟିରେ ବଣବୁଣାରେ ଲୋକ । ଛକିଥାନ୍ତି—ତିଳେମାତ୍ର ଉପ୍ରୋଧ ନ ରଖି ବଣଜନ୍ତୁ ପରି ନାଛିଦେବେ । ଏକାବେଳକେ ଭାଗ୍ୟ ବଦଳିଯିବ, ଭୂଇଁଛୁଆଁ ଚାଳ କୁଡ଼ିଆ ଜାଗାରେ କୋଠାବାଡ଼ି ଉଠିବ । ପିଲାଏ ପାଠ ପଢ଼ିବେ, ବାବୁ ହେବେ, ନାଁ ଡାକ୍‌ ହବ । କେତେ ଅନୁକୂଳ ଚିନ୍ତାରେ ପାଟିଟା ସତେ କି ମିଠା ମିଠା ହୋଇ ଯାଉଥାଏ, ଜିଭ ବୁଲାଇ ଓଠ ଚାଟି ପକାଉଥାନ୍ତି ।

 

ପାରିଧି ଆଳ; ଗୋବର୍ଦ୍ଧନ ମାରଣ ଲକ୍ଷ୍ୟ । କେତେ ରଜାପୁଅ ନିତି ନିତି ଶିକାରକୁ ଯାଉଥାନ୍ତି । ଗୋବର୍ଦ୍ଧନ କାହିଁକି ତାଙ୍କ ଗୁଳିମୁହଁକୁ ଆସିବେ, ଏ ବିଚାର ମନକୁ ଆସୁ ନଥାଏ ।

 

ହେଲେ କାହାରିକି ପୁରସ୍କାର ନ ଦେଇ ଗୋବର୍ଦ୍ଧନ ଛୁଟିଥାନ୍ତି । ‘ଆରେ ଦେଖିପକାଇଲା କି ?’ ସେଟା କିଏ ? ଦୂରରେ ପୁଲିସ୍ ଫଉଜ ପଇନ୍ତରା ମାରୁଛନ୍ତି, ପାହାଡ଼ ଉପରୁ ଦିଶୁଚି ।

 

ବୁଦିବୁଦିକିଆ ଜଙ୍ଗଲ, ଏଠିସେଠି ଗୋଟେ ଗୋଟେ ବବୁର, କୁମ୍ଭାଟୁଆ ଘୁମୁରୁଚି—ରଜାଙ୍କ ଗୁପ୍ତଚର ଯେମିତି ଏଇଟା, କହୁଚି—ହେଇ ଦେଖ ପଳଉଚି !

 

ଚୋରା ମଳୟ ଘାମୁରେଇ ଦେଇ ଯାଉଚି, ଧାଡ଼ି ଧାଡ଼ି ତାଳ, ବାହୁଙ୍ଗାର ଖଡ଼ ଖଡ଼ ଶବ୍ଦରେ ଛାତି ଧଡ଼ ଧଡ଼ କମ୍ପୁଚି ।

 

ମହୁଲ ଗଛରେ ଫୁଲ ଧରିଚି, ବାସନା ଚହଟୁଚି ଦିଗେ ଦିଗେ; କୋଉ ଗଛରେ କୁରାଢ଼ି ଚୋଟଟିଏ ବସିନାଇଁ; ରୋଜଗାରିଆ, ଗେଲବସରିଆ ପିଲାଟିଏ ପରି ମଣିଷର ସ୍ନେହ ଦୃଷ୍ଟିରେ ବଢ଼ୁଚି, ଫୁଟୁଚି, ଫଳୁଚି ସେ ।

 

ଫଳ ଅଙ୍ଗୁର ପରି ଶୁଖିଲେ କିସ୍‌ମିସ୍‌, ମଣିଷର ଦାନା, କନା ବି ଯୋଗଉଚି ଇଏ । ମନ ଦବିଗଲା ବେଳେ ଦମ୍‌ ଦଉଚି ମହୁଲୀ ।

 

କାହାର ଦଖଲରେ ରହିବ, ମଣିଷର ନା ଭାଲୁର ? ଭାଲୁ ଦଖଲ ଛାଡ଼େନାଇଁ, ମଣିଷ ନିଆଁ ବରିଆ ଦେଖାଇ ତଡ଼େ । ତଥାପି ବେଳକାଳ ଉଣ୍ଡି ଭାଲୁ ରହି ସାଧେ । ମୁହଁକୁ ଆଗେ ବିଲ୍‌ବିଲା କରିଦିଏ, ଅସଣା ନାକଟାକୁ ଚୋବାଇଯାଏ । ନାକ ନାଆଁ, କଣାଟିଏ ଥାଏ ମାତ୍ର; ପାଟି ବାଟେ କି ସେ ବାଟେ ଗିଣିଗିଣିଆଁ କଥା ବାହାରେ ଜାଣିହୁଏ ନାଇଁ । ଭାଲୁଖିଆ, ବିଲ୍‌ବିଲା ମୁହଁ କେତେ ଦିଶେ ପାହାଡ଼ୀ ଜଙ୍ଗଲ, ମହୁଲତୋଟାର ଆଖପାଖ ଗାଁରେ । ଗୋବର୍ଦ୍ଧନ ଆଖିରେ କେତୋଟି ମୁହଁ କଙ୍କାଳ ନାଚିଗଲା ।

 

ସାମ୍ନାରେ ଗୋଟେ ଆମ୍ବତୋଟା, ବଉଳ ଚଣା ହେଲାଣି, ଏଠିସେଠି କେତେ ପେନ୍ଥା ଆମ୍ବକଷି ଝୁଲିପଡ଼ିଚି ।

 

କୋଇଲିର ଋତୁ ଏ, ସେ ତୋଟା ଛାଡ଼ୁନାଇଁ । ସବୁ ଚଢ଼େଇଙ୍କ ସ୍ୱର ଦବେଇ ଉଠୁଚି କୁହୁ—ଏ ପଟ କୁହୁର ଜବାବ ସେ ପଟୁ ମିଳୁଚି ।

 

ପ୍ରେମପ୍ରୀତିର ବାଣୀ, ଆନନ୍ଦର ଗୀତି, ଗୋବର୍ଦ୍ଧନଙ୍କ ମନରେ କିନ୍ତୁ ସୃଷ୍ଟି କରୁଚି ପ୍ରତିକ୍ରିୟା—

 

‘ଚୁପ୍‌ ଚୁପ୍‌, ତୁ ଅତି ଆପଣାର ପରା, ଡେଙ୍ଗୁରା ପିଟି ଜଣାଇ ଦେଉଚୁ କାଇଁକି ମୋ ପଳାଇଯିବା କଥା !

 

କେଡ଼େ ସୁନ୍ଦର ଗୋଟାଳିଆ ପଥର, କଇଞ୍ଚ ପିଠି ପରି । ତାକୁ ଫଟାଇଲା କିଏ ? ଗଛରେ ଏଇ କଅଁଳିଆ ଚେର ! ଏଡ଼େ କୋମଳ ସେ, ଏତେ ଶକ୍ତି ଧରେ !

 

ଆରେ ଶାଗୁଆ ପତ୍ର ସମୁଦ୍ର ମଧ୍ୟରେ ଏ କି ଫୁଲ ? ଆରେ ଫୁଲ ନୁହେ, ଧଳା ଧଳା ପତ୍ର ଅତଣ୍ଡିର । ଆରେ ଏ ସରୁପତ୍ରିଆ ଶିଶୁ ଗଛ ଆଗରେ ସୁନା ସୂତା ଗୁଡ଼ାଇଚି କିଏ ? ମୂଳ କାଇଁ ? ପତ୍ର ?

 

ଓ, ନିର୍ମୂଳୀ ! ଟିକିଏ ଟିକିଏ ପ୍ରଶ୍ରୟ ପାଇ ଶେଷକୁ ଯାଇ ମୁଣ୍ଡରେ ବସିଚି, ଏବେ ଦାବୁଚି, ଦାବୁଚି ତାର ଆଶ୍ରୟଦାତାକୁ ।

 

ଓଃ, କେତେ ଉଞ୍ଚ ଏ ଘାଟି, ରଙ୍ଗା ମାଟିର ପାହାଡ଼ ଉଠାଣି ଚଲାବାଟା, ଏ ପଟେ କେତେ ବେତବୁଦା, ଲାଲ୍‌ ଶଗଡ଼ କୁରେଇ ଫୁଲର !

 

‘ହେଲେ ଏ ଉପଭୋଗର ସମୟ ନୁହେ, ଜୀବନ ଘେନି ପଳାଇଛି ମୁଁ । ମନ ଚଞ୍ଚଳ ।’

 

କେତେ କଣ ଭାବୁ ଭାବୁ ଗୋବର୍ଦ୍ଧନ ରଗଡ଼ି ପରେ ରଗଡ଼ି ପାର୍‌ ହୋଇ ବାରୁଆ ଜଙ୍ଗଲରେ ପଶିଲେ—ଲମ୍ବା ଲମ୍ବା ଶାଳ ଜଙ୍ଗଲ, ତଳେ ଲଟାବୁଦା ବେଶୀ ନାଇଁ, ଖୋଲାମେଲା । ପାହାଡ଼ ଗୁମ୍ଫା ଉପରେ ବସି ସେ କେତୁଟା ଆମ୍ବବଉଳ ଚୋବାଇଲେ ।

 

ଗୁମ୍ଫା ତଳେ ଭାଲୁ ଘୁଡ଼ୁର ଘୁଡ଼ୁର୍‌ ହଉଚି; ଛୁଆ ଦିଟା ଏପଟ ସେପଟ ହଉଛନ୍ତି । ସେ ପଟେ ‘ବୁଲାଝର’, ପଥର ପରେ ପଥର ଡେଇଁ ପାହାଡ଼ ତଳକୁ ବୋହି ଯାଉଚି ।

 

ଅଦୂରରେ ଡାକବଙ୍ଗଳା, ଖରାଦିନେ ରଜା ଆସି ରହନ୍ତି । କେତେ ଥର ରଜାଙ୍କ ସାଙ୍ଗରେ ଆସି ସେ ବି ରହିଛନ୍ତି । ଘଞ୍ଚ ଜଙ୍ଗଲ ରାତିସାରା ସରସର ମରମର କରୁଥାଏ, ଲାଗେ ଯେମିତି ସମୁଦ୍ର ଢେଉ ପିଟି ହଉଚି । ଝରକାରୁ ଚାହିଁଲେ ଦିନ ଦିପହରେ ମହାବଳ ବାଘ ଆଁ କରି ଶୋଇବାର ଦିଶେ, ମାଛି ବେଢ଼ୁଥାନ୍ତି ।

 

ଆଜି ଅବସ୍ଥା ଭିନ୍ନ, ସେ ରଜା, ଆଉ ରାଜବାଟିକି ଡରୁଚି—ଦିନେ ଯେ ଏତେ ପ୍ରିୟ ଥିଲା, ତାଙ୍କୁ ଦେଖିଲେ ଏବେ ଛାନିଆଁ ଲାଗୁଚି । ତାଙ୍କ କଥା ମନେ ପଡ଼ିଲେ ଦିହ ଶୀତେଇ ଉଠୁଚି, ଲାଗୁଚି ତାଙ୍କ ମହାବଳ ଆଖିଦିଟା ଯେମିତି ପଛେ ପଛେ ଗୋଡ଼ାଇଚି; ଏବେ ବନ୍ୟ ଜନ୍ତୁ ପରି ପଳାତକ ସେ, ଶିକାରୀ ପରି ଗୋଡ଼ାଇଛନ୍ତି ରଜା ।

 

ରଜା ପ୍ରଜା ସଂଗ୍ରାମରେ ପ୍ରଜାପକ୍ଷର ସେନାପତି ହୋଇଛି ସେ; ସେନାପତି ଭାଙ୍ଗିଲେ ସେନା ଛତ୍ରଭଙ୍ଗ ଦିଏ । ସେ ଡରିବ କାହାକୁ, କାହିଁକି ?

 

ଅଳ୍ପ ଦୂରରେ ମହାଦେବଙ୍କ ଦେଉଳ, ମୁଣ୍ଡିଆଟିଏ ମାରି ଯିବାକୁ ଭାରି ଇଚ୍ଛା, ଅଭୟ ମିଳିଥାନ୍ତା ସେଠୁ ।

 

ଡର ମାଡ଼ିଲା ବନା ପୂଝାରୀକୁ; ସେଟା ରାଜାଙ୍କ କାନକୁହା, ଦୌଡ଼ିଯାଇ ରଜାଙ୍କ ନିଜ ଲୋକଙ୍କୁ ଫୋଡ଼ିଦବ । ସେମାନେ ଗୋଡ଼ାଇ ଗୋଡ଼ାଇ ଧରିପକାଇବେ । ଏଟା ନିରାପଦ ସ୍ଥାନ ନୁହେଁ, ପଳାଇବି । ଘାଟିପରେ ଘାଟି ପାରିହେଇ ଗୋବର୍ଦ୍ଧନ ତଳକୁ ଖସିଲେ । ଏଯାକେ ପ୍ରକୃତି କୁହୁଡ଼ିର ପଣତ ଘୋଡ଼ାଇ ରଖିଥିଲା । ଏବେ ତୋଫା ଖରା; କେଡ଼େ ସୁନ୍ଦର ପକ୍ଷୀ ହଳଦି ବସନ୍ତ, ଡରାଉଚି–ହେଇ, ହେଇ, ଗଲା, ଗଲା । ହଁ, ମତେ ନ ଡରାଇବ କାଇଁକି ? ‘ସୀତା କୋକ ଲୋ’ ବୋଲି ଦିନେ ସୀତାଦେବୀଙ୍କି ତ ସେ ଡରାଇଥିଲା !

 

ଏ ମିଛ ଡରଭୟ କାଇଁକି ? ଏ ପାହାଡ଼ଟା ରଜାଙ୍କ ସମ୍ପତ୍ତି ହେଇପାରେ; ପ୍ରକୃତି କ’ଣ ରଜାଙ୍କର ? ଏ ପକ୍ଷୀମାନେ କ’ଣ ରଜାଙ୍କର ଭାଟ ?

 

ନା ନା, ସେମାନେ ରଜାଙ୍କୁ କର ଦିଅନ୍ତି ନାଇଁ; ରଜାଙ୍କ ଗୁଳିରେ ପଣ ପଣ ମରନ୍ତି, ଯେମିତି ତାଳମୂଳର ପ୍ରଜା । ସମାନ ଦୁଃଖୀ ସେମାନେ, ସମାନ କଷ୍ଟୀ ।

 

ଏଇ ସମୟରେ ପହ୍ନେ ହଂସରାଳି ଉଡ଼ିଗଲେ—ଗୋବର୍ଦ୍ଧନ ପ୍ରଶ୍ନ କଲେ—ପାଖରେ ବ୍ରାହ୍ମଣୀ ନଈ ନା କ’ଣ ? ତାଙ୍କ ପ୍ରଶ୍ନର ଉତ୍ତର ଦେଲା ପରି ବଢ଼ିଆ କାଙ୍କଟାଏ କହିଲା—ହଁ, ହଁ ।

 

କୋଉଠି ଆଣ୍ଠୁଏ, କୋଉଠି ବଳାଗଣ୍ଠିଏ ପାଣି । ଗୋବର୍ଦ୍ଧନ ନଈରେ ପଶି ପାରିହେଇ ବାଲିରେ ସାଇଁ ସାଇଁ ଚାଲିଲେ । କାହାକୁ ଦେଖିଲେ ମୁହଁ ବୁଲାଇଦିଅନ୍ତି । କିଏ କ’ଣ ପଚାରିଲେ କିଛି ନ ଜାଣିଲା ପରି ହୋଇ ରହନ୍ତି । ମନରେ ଭାବନା—କୁଆଡ଼େ ଯିବି ? ଚାରିଆଡ଼େ ତ ପୁଲିସ୍‌, ଟିକିଏ ସୁରାକ୍‌ ପାଇଲେ ବାନ୍ଧିନେବେ । ଏତିକି ତଫାତ୍‌ ଯେ ରଜାଙ୍କ ଦାଉରୁ ରକ୍ଷା ନାଇଁ, ଦେଖିଲାମାତ୍ରେ ନିକାଶ କରିଦେବେ । ତା’ଠାରୁ ମୋଗଲବନ୍ଦୀ ଜେଲରେ ବନ୍ଦୀ ହେବା ଅଧିକ ସମ୍ମାନଜନକ । ଧରାପଡ଼ିଲେ ସେଠି ସେ ରହିବେ ପ୍ରଥମ ଶ୍ରେଣୀ ବନ୍ଦୀ ହୋଇ; ରହଣି, ଖାଦ୍ୟପେୟରେ କିଛି ଭଲ ବ୍ୟବସ୍ଥା । ଯାହା ଶୁଣିଛି—ଚଳଣିରେ କିଛି ସ୍ୱାଧୀନତା । ମୁଁ ରଜାଙ୍କ ପାଲରୁ ଖସି ଆସିଚି, ଇଂରେଜୀ ଖାପଚରେ ପଡ଼ିବା ପାଇଁ ନୁହେଁ । ପୋଳୁହରୁ ଖସି ମଡ଼ାଜାଲରେ ପଡ଼ିଲା ପରି ଏ ହବ । ଲାଭ କ’ଣ ? ଯୋଉ ଗୁଳିକାଣ୍ଡ ଚାରିଆଡ଼େ ଚାଲିଚି, କେତେବେଳେ ଜୀବନ ଯିବ । ‘ଦେଖିଲାମାତ୍ରେ ଗୁଳି କର’ ଆଦେଶ; ମୋ ଉପରେ ସନ୍ଦେହ ଉପୁଜିଲେ ପୁଲିସ୍‌ ସଙ୍ଗୀନ୍‌ କେଞ୍ଚି ମାରିଦେବେ । ମରିବାକୁ ଡରୁନାଇଁ; ହେଲେ ଏମିତି ପୋକମାଛି ପରି ମରିବି କାହିଁକି ?

 

ସବୁ ବଡ଼ ବଡ଼ ନେତା ଏବେ ଜେଲରେ, ଆନ୍ଦୋଳନ ଚଳାଉଚି କିଏ ? ଯେ ଚଳାଉଛି, ମୁଁ ତାରି ହାତମୁଠା ହିଁ ଟାଣ କରିବି । ଇଂରେଜ ଗଛେ ଗଛେ ଖୋଜିଲେ ମୁଁ ପତ୍ରେ ପତ୍ରେ ଲୁଚିବି । ଲୁଚିଛପି ତ ପାତାଳପୁରେ ଏମିତି କେତେ ନେତା ରହିଛନ୍ତି; ଇଂରେଜ ପତ୍ତା ପାଇନାଇଁ ।’

 

ଗୋବର୍ଦ୍ଧନ ଏହିପରି ଚିନ୍ତାରେ ମସ୍‌ଗୁଲ୍‌ ରହି ତାଳମୂଳ ସୀମା ପାର୍‌ ହେଲେ । ତା’ପରେ ଅନ୍ତରଙ୍ଗ ବନ୍ଧୁ କୁସୁନି ପଧାନ ଘରେ ଯାଇ ପହଞ୍ଚିଲେ । ବେଶଭୂଷା ବଦଳାଇ ଚଳବିଚଳ ହେଲେ । ଦିନେ ଦୁଇ ଦିନ ବିଶ୍ରାମ ନେଲାପରେ ଲୋଟା କମ୍ବଳ ଧରି ବାବାଜୀ ବେଶରେ ବାହାରି ପଡ଼ିଲେ । ଢେଙ୍କାନାଳ ବାଟେ ଗଲେ ଧରାପଡ଼ିବାର ସମ୍ଭାବନା; ପୁଲିସ୍‌ ପ୍ରତି ଗାଡ଼ିର କୋଠରୀମାନଙ୍କରେ ଉଙ୍କିମାରୁଥାନ୍ତି, ସନ୍ଦେହ ହେଲେ ପଚରାଉଚରା କରୁଥାନ୍ତି । ଗୋବର୍ଦ୍ଧନ ଜଙ୍ଗଲର ଚଲାବାଟ ଧଇଲେ । କଟକରେ ପହଞ୍ଚି ସ୍ୱରାଜ ଆଶ୍ରମକୁ ଗଲେନାଇଁ; ସେଠି ପୁଲିସ୍‌ ଛକିଛନ୍ତ; ସାରା କଟକସହର ପୁଲିସ୍‌ ଘେରାଉ ଭିତରେ ଅଛି । କାଳିଆବୋଦା ମଶାଣିର ଗୋଟିଏ କୁଡ଼ିଆରେ ଲୁଚି ରହିଲେ । ସେଠି ଗୋପନରେ ଆନ୍ଦୋଳନ ଚଳାଉଥିବା ଜଣେ ଅଧେ ନେତାଙ୍କର ସନ୍ଧାନ ମିଳିଗଲା । ସେ ‘ଭାରତ ଛାଡ଼’ ଆନ୍ଦୋଳନ ଚଳାଇଲେ ।

 

ଏଣେ ତାଳମୂଳରେ ଭାରି ଗୋଟାଏ ଚହଳ ପଡ଼ିଗଲା—ଗୋବର୍ଦ୍ଧନ ପାଚେରୀ ଡେଇଁ ପଳାଇଯିବା କଥାଟା ଧୂଆଁବାଣ; ରଜା ତାଙ୍କୁ ମାରିପକାଇଛନ୍ତି ।

 

ମାରିପକାଇଛନ୍ତି ? କେଡ଼େ କଥା କଲା ! ଆମ ନେତାଙ୍କୁ ମାରିପକେଇଲା ! ଏ ଗାଆଁରୁ ସେ ଗାଆଁ, ସେ ଗାଆଁରୁ ଆର ଗାଁକୁ ଗୁଜବ୍‌ ଛୁଟିଲା—ଏ ରଜାଟା ଭାରି ମାରଣା, ଯେତିକି ବଣଜନ୍ତୁ ମାରିଛି, ତାଠୁଁ ବେଶୀ ମଣିଷ । ଏଥର ତା ମାରଣାପଣ ଛଡ଼ାଇଦେବା, ତା ଶିଙ୍ଘ ଭାଙ୍ଗିଦେବା ।

 

ନିଜର ଧର୍ମପୁଅକୁ ମାରିବାକୁ କେମିତି ତା ହାତ ଗଲା ? ମେଣ୍ଢା କି ଛେଳିଟିଏ ପାଳିଥିଲେ ତ ମାରିବାକୁ ହାତ ଯାଉନାହିଁ ! ସେ ରଜାର କ’ଣ ଦୟାମାୟା ଟିକିଏ ନାଇଁ ? ସେ ନିଜେ ଖଣ୍ଡାରେ ହାଣି ମାଇଲା, ନା ମରେଇଲା ?

 

ଆହା ଗୋବର୍ଦ୍ଧନ ପରି ନେତାଟାଏ ଆଉ ମିଳିବ ? ଲୋକଙ୍କ ପାଇଁ ତା ପ୍ରାଣ କାନ୍ଦୁଥାଏ । ସେ ଆମର ଭାଇବନ୍ଧୁରୁ ବଳି ।

 

ତାକୁ ମାରି ରଜା ଏବେ କୋଉ ସୋଇଁ ଘରବାଟେ ଖସିଯିବ ? ଚାଲ, ଏଥର ତାକୁ ପାନେ ଦେବା । ରାଜବଂଶକୁ ନିପାତ କରିବା ।

 

ଲୋକେ ସମାନ୍ତରାଳ ସରକାର ଗଢ଼ିଲେ; ନେତାଙ୍କ ଆଦେଶରେ ରାଜ୍ୟର ସବୁ ଲୋକ ଏକଜୁଟ୍‌ ହେଲେ, ହାତରେ ଫାର୍ସା, ଖଣ୍ଡା, ଠେଙ୍ଗାବାଡ଼ି । ମୁଣ୍ଡରେ ଝାମ୍ପି; ଝୋଟ, କିରାସିନି—ରାଜବାଟିକି ନିଆଁ ଲଗାଇ ପୋଡ଼ିବେ, ରଜାକୁ ଟିକି ଟିକି କରି କାଟି ସେଇ ନିଆଁରେ ପକାଇଦେବେ—

 

ମୂଳୁଁ ମାଇଲେ ଯିବ ସରି

ଦେବଙ୍କ ସଙ୍ଗେ କିମ୍ପା କଳି ?

 

ଲୋକେ ହଜାର ହଜାର ସଂଖ୍ୟାରେ ରାଜଧାନୀକୁ ଚାଲିଲେ । ବଂଶରକ୍ଷା କରିବା ଲାଗି ଘରେ ଜଣେ ଜଣେ ରହିଲେ ମାତ୍ର ।

 

ସଙ୍ଗରେ ଚୁଡ଼ା, ଗୁଡ଼, ଲୁଣ, ଲଙ୍କା, ପାଣିମାଠିଆ, ତୁଣ୍ଡରେ ହରିବୋଲ ! ସ୍ତ୍ରୀଲୋକେ ହୁଳୁହୁଳି ପକାଇ ବନ୍ଦେଇଲେ । ଘଣ୍ଟା, ଶଙ୍ଖ, ଯୋଡ଼ିନାଗରୀ ଆଉ ମହୁରୀ ବାଜିଉଠିଲା !

 

ଜୀବନକୁ କାହାର ଭୟ ନାହିଁ ? ପ୍ରାଣଭୟରେ ଚୌକିଦାର, କନିଷ୍ଠବଳ ପଗଡ଼ି ଥୋଇଦେଲେ । ପ୍ରଜାମଣ୍ଡଳ ଲୋକ ଥାନାରେ ଜବରଦସ୍ତି ପଶି ବନ୍ଧୁକ ଲୁଟିନେଲେ । ଖଚୁଆ, ମିଛୁଆଙ୍କ ଉପରେ ହେଲା ମାଡ଼ ।

 

ଟେଲିଗ୍ରାଫ୍‌ ତାର କାଟି ଦିଆ ହେଲା । କଚେରୀ, ଡାକବଙ୍ଗଳା, ବିଟ୍‌ଘର, ଜଙ୍ଗଲ ଅଫିସ୍‌ ପୋଡ଼ି ଦିଆଗଲା । ଗାଁମାନଙ୍କରେ ରଜାରାଜୁତିର ଚିହ୍ନବର୍ଣ୍ଣ ରହିଲା ନାଇଁ ।

 

ପରେଡ଼୍‌ ପଡ଼ିଆରେ ଜନସମୁଦ୍ର; ଚିତ୍କାର ଶବ୍ଦରେ କାନ ଫାଟୁଥାଏ । ରଜାଙ୍କ ଚଉଦ ପୁରୁଷ ଉଝାଳୁଥାନ୍ତି । ଅସହ୍ୟ ।

 

ଅଶରଣର ଶରଣ ବ୍ରିଟିଶ୍‌ ସରକାର; ରଜା ଫୋନ୍‌ କଲେ—ମୁଁ, ମୋ ପରିବାର ବିପନ୍ନ; ପ୍ରଜା ମିଛ ଅପବାଦ ଦେଇ ମାତିଉଠିଛନ୍ତି । ଯିଏ ମତାଇଯାଇଛି ସେ କୁଆଡ଼େ; ଧରାଛୁଆଁ ଦେଉ ନାହିଁ କି ନିଜେ ବଞ୍ଚିଛି ବୋଲି କହୁନାଇଁ ।

 

ରାଜବାଟି ଘେରାଉରେ; ଆମେ ବହୁତ କୁଭାଷା ସହି ଧୈର୍ଯ୍ୟଧରି ରହିଛୁ । ଶୀଘ୍ର—ଅତିଶୀଘ୍ର ଆମ ଜୀବନରକ୍ଷା ବ୍ୟବସ୍ଥା କର ।

 

ଇଂରେଜ ଫଉଜ ଦିନକ ମଧ୍ୟରେ ହେଲିକପ୍‌ଟରରେ ଉଡ଼ିଅଇଲେ, ହାତରେ ବୋମା, ମେସିନ୍‌ଗନ୍‌, ଲୁହବୁହା ଗ୍ୟାସ୍‌ । ବୋମାରୁ ଭୟଙ୍କର ଗର୍ଜନରେ ଟିକି ତାଳମୂଳ ରାଜ୍ୟଟି କମ୍ପିଉଠିଥିଲା ।

 

କେତୁଟା ବୋମାମାଡ଼ରେ ଗାଁକୁ ଛାନିଆଁ କରିଦିଆହେଲା । ପ୍ରଜା ଆଉ ଫୌଜ ମଧ୍ୟରେ ଧୂଆଁ ବାଣର ପାଚେରୀଟାଏ ଗଢ଼ାହେଲା । କିଛି ଦେଖି ନ ପାରିଲେ ମଧ୍ୟ ଆଖି ବୁଜି ଲୋକେ ଟେକା, ପଥର ଫିଙ୍ଗୁଥାନ୍ତି, ଫୋପଡ଼ ମାରୁଥାନ୍ତି । ଏଥିରେ କ’ଣ ହେବ ? ସୁଶିକ୍ଷିତ ସୈନ୍ୟଙ୍କ ସଙ୍ଗେ ପ୍ରଜାଫୌଜ କି ଲଢ଼େଇ କରିବେ ? ବୋମା ଭୟରେ ଛିନ୍‌ଛତ୍ର ହୋଇ କିଏ କୁଆଡ଼େ ପଳାଇଲେ ।

 

ହେଲିକାପ୍‌ଟର୍‌ ପଛେ ପଛେ ଗୋଡ଼ାଇ ମେସିନ୍‌ଗନ୍‌ରୁ ଗୁଳି ଫାୟାର କଲା । ହଜାର ହଜାର ଲୋକ ଶୋଇଗଲେ । ଟ୍ରକରେ ଶବସବୁ ବୋହିନେଇ ପେଟ୍ରୋଲ ଢାଳି ପୋଡ଼ିଦିଆହେଲା-

 

ଗ୍ରାମେ ଗ୍ରାମେ ପଶି ଗୋରା ସୈନ୍ୟ ସ୍ତ୍ରୀମାନଙ୍କ ଇଜ୍ଜତ ନେଲେ, ସମୂହ ଜରିମାନା ଆଉ ପିଟୁଣି ଟିକସ ଧାର୍ଯ୍ୟ କରାଗଲା ।

 

ସେ ସମୟରେ ଜଙ୍ଗଲ ହିଁ ଥିଲା ଏକମାତ୍ର ନିରାପଦ ସ୍ଥାନ । ଲୋକେ ପଳାଇଯାଇ ସେଇଠି ଆଶ୍ରୟ ନେଲେ । ଜଙ୍ଗଲ, ଯୋଉଠି ସଭ୍ୟତା ମୋଟେ ପଶିନାଇଁ, ଘୋର ଅନ୍ଧାର ଜମାଟ ବାନ୍ଧି ରହିଚି, ଡାହାଣୀ ଆଲୁଅରୁ ତାହାହିଁ ଅଧିକ ନିରାପଦ ବୋଧ ହେଲା । ସେଇ ଆଦିମ ଅନ୍ଧକାର କୋଳକୁ ଡେଇଁପଡ଼ି ଲୋକେ ବଞ୍ଚିଗଲେ ।

 

।। ଏଗାର ।।

 

କେତେବେଳେ ରାଗରେ କଣ କହିଥିବି, ଗୋବର୍ଦ୍ଧନ ମୋ ଧର୍ମପୁଅ, ମୁଁ ତାକୁ ମାରିଦେଇପାରେ ? ଏ ଅପବାଦ ରଟନା କରିବା ପାଇଁ ଲୋକଙ୍କ ତୁଣ୍ଡ ଲେଉଟିଲା କିପରି ?

 

ନା କୃତଘ୍ନ, ଦୁର୍ମୁଖର ଅକଥ୍ୟ କିଛି ନାହିଁ ?

 

ଲୋକଙ୍କୁ ଦଇବ ଛାଡ଼ିଲା ନା କଣ ? ନଇଲେ ହାଣମୁହଁକୁ ଆସିଥାନ୍ତେ କାହିଁକି ?

 

କଥା ଅଛି—‘ଆତ୍ମାନଂ ସତତଂ ରକ୍ଷ୍ୟେତ୍‌’—ଆତ୍ମରକ୍ଷା ଲାଗି ଯା କିଛି କଲେ ପାପ ନାହିଁ । ଗୁଳି ନ ଚଳାଇ ମୁଁ ଆଉ କଣ କରିଥାନ୍ତି ?

 

ଆହାରେ ମୋର ହତଭାଗ୍ୟ ପ୍ରଜା, ତୁମ କଥା ଭାବିଲାବେଳକୁ ମୋର ଛାତି ଫାଟି ଯାଉଚି । ଜୀବନସାରା ତୁମ ମଙ୍ଗଳ ଛଡ଼ା ଅମଙ୍ଗଳ ଚିନ୍ତା କେବେ କରିନାହିଁ । ସାଧ୍ୟମତେ କଲ୍ୟାଣ କରି ଆସିଛି । ଗୋଟିଏ ହେଲେ ନୂଆ ଟିକସ ବସାଇନାଇଁ ।

 

ପର ଶିଖାରେ ପଡ଼ି ତୁମେସବୁ କ’ଣ ହେଇଗଲ ? ନାଁ, ମୋର କପାଳ ମନ୍ଦ ପଡ଼ିଲା ? ସବୁ କରି ମୁଁ କାହିଁରେ ନୋହିଲେ । ଥରେ ରାଜ୍ୟ ଛାଡ଼ି ଚାଲିଗଲ । ଏବେ ମାରିବାକୁ ଆସିଲ । ଜୀବନସାରା ରାଜ୍ୟ ଲାଗି କାର୍ଯ୍ୟ କରିବାର ସୁଫଳ ମୁଁ ହାତେ ହାତେ ପାଇଗଲି !

 

ଥରେ ଏକଘରିକିଆ କଲ । ତାପରେ ଭାତରେ ମାଇଲ । ଏବେ ହାତରେ ମାରିବାକୁ ଅଇଲ !

 

ସବୁବେଳେ ମୁଁ ମାରୁଚି ବୋଲି ଅପବାଦ ଦଉଚ, ଏସବୁ କଣ ? ଆରେ, ମୁଁ ତ ଜୀବନସାରା ଦୁଃଖୀ, ଦୁଃଖ ମତେ ଡରାଇବ କଣ ?

 

ସାଆନ୍ତ ଘରେ ଜନ୍ମିଥିଲି, ଗରିବ ଚାଷୀଟିଏ ହୋଇ ଜୀବନ ଯାଇଥାନ୍ତା । ରାଜା ହୋଇ ମୋର ଗରିବାନି କଣ ଘୁଞ୍ଚିଲା ? ନା ବିପଦ ମତେ ଛାଡ଼ିଲା ? ସେଥିଲାଗି କଣ ମୋର ଭାବନା ଥିଲା ? ମୋ ଭାବନା ତୁମରି ଲାଗି । ପ୍ରଜା ଯଦି ରଜାକୁ ଛାଡ଼ିଲା, ୟାଠାରୁ ବଳି ମୋର ବଡ଼ ଦୁଃଖ କଣ୍‌ ? ଯଦି ହାତ ଉଠାଇ ମାରିବାକୁ ବସିଲ, ୟାଠାରୁ ବଳି କଷ୍ଟ କଣ ?

 

ସବୁବେଳେ ସୁନାମ ଅର୍ଜନ କରିବାକୁ ଚେଷ୍ଟା କରି ମୁଁ ଯାବତୀୟ ବଦ୍‌ନାମରେ ଭାଗୀ ହେଲି । ଏଥିଲାଗି ମୁଁ କାହାରିକି ଦୋଷ ଦେଉନାହିଁ । ସବୁ ନିଜ ମୁଣ୍ଡକୁ ହିଁ ନେଉଛି ।

 

ଲାଉ ଲଗାଇଲେ ମୋ ଭାଗ୍ୟକୁ ଚଲଣା ହିଁ ଫଳିଲା, ନା ସବୁ ସମୟର ଦୋଷ ? ଏଥିରେ କାହାରି କିଛି ଭାବିବାର ବା କରିବାର ନାହିଁ । କାଳର ତାଳ ମାନିଯିବା ହିଁ କାମ, ମୁଁ ଆଉ କାହା ଲାଗି ବଞ୍ଚିବି ? କିଏ ଏବେ ମୋର ଦୀର୍ଘ ଜୀବନ ଚାହେଁ ?

 

ଯୁବରାଜ ! ଦିନକେ ଥରେ ସାକ୍ଷାତ ବି ହୁଏନାହିଁ । କେବେ ଥିଲେ ସେ ମୋ ସୁଖରେ ନା ଦୁଃଖରେ ? ଦଳେ ପଥଚ୍ୟୁତକୁ ଘେନି ମୋ ଦୃଷ୍ଟି ଆଢ଼ୁଆଳରେ ସେ ବୁଲୁଥାନ୍ତି । ଅଭିଷେକର ସ୍ୱପ୍ନ ମୋର କେଡ଼େ କେଡ଼େ ବେମାରିରେ ଦେଖା ଦେଇ ମଉଳି ଯାଇଛି । ବହୁ ବିଳମ୍ବ ହେଲାଣି । ରାଜା ହୋଇପାରିବେ କି ନାହିଁ ? ଆଶା ନିରାଶା ମଧ୍ୟରେ ତାଙ୍କ ଜୀବନ ଚଳେ ।

 

ପ୍ରଜା ବି ମୋର ଦୀର୍ଘ ଜୀବନ ଚାହାନ୍ତି ନାହିଁ । ନୂଆ ଶାସନ ଆସିଲେ ଯୁଗ ଓଲଟିବ, ବିଶ୍ୱାସ କରନ୍ତି ସେମାନେ ।

 

ଈଶ୍ୱରଚନ୍ଦ୍ର ଭାବି ଭାବି କ୍ଷୀଣତର ହେଲେ । ସଂସାରରୁ ତାଙ୍କ ମନ ଛାଡ଼ିଲା, ସ୍ୱାସ୍ଥ୍ୟ ଭାଙ୍ଗିଲା । ହଠାତ୍‌ ଦିନେ କୁହୁଡ଼ିଆ ସକାଳରେ ତାଙ୍କ ହୃତ୍‌ପିଣ୍ଡ କ୍ରିୟା ବନ୍ଦ ହୋଇଗଲା ।

 

ଈଶ୍ୱରଚନ୍ଦ୍ର ! ପ୍ରକୃତ ରାଜକଳା ଥିଲା ତାଙ୍କର, ରାଜାର ଦିଲ୍ । ଅନ୍ତରରେ କବି ଥିଲେ ସେ । ପ୍ରାଣ ଭରି ଭଲ ପାଉଥିଲେ କବି, ଲେଖକ, କଳାକାରଙ୍କୁ । ଦେଶର ଅରଣ୍ୟସମ୍ପଦକୁ ସବୁମନ୍ତେ ରକ୍ଷା କରିଥିଲେ ସେ । ବନ୍ୟ ଜନ୍ତୁ କେତୁଟା ମାରିଥିଲେ ବି ସେମାନଙ୍କ ପ୍ରତି ଗଭୀର ପ୍ରୀତି ଥିଲା ତାଙ୍କର । ପ୍ରାକୃତିକ ଚିଡ଼ିଆଖାନାରେ ସେମାନଙ୍କୁ ଆଶ୍ରୟ ଦେଇଥିଲେ ସେ ।

 

ଅନାଥର ଭରସା, ଅସହାୟ ରୁଗ୍‌ଣର ଆଶା, ଦୁଃଖୀଗରିବଙ୍କ ବାପମାଆ । ବହୁଦର୍ଶୀ, ବିଚିତ୍ରକର୍ମା, ରସିକଚୂଡ଼ାମଣି । ଘଟଣାଚକ୍ରରେ କେତୁଟା ଘୂର୍ଣ୍ଣି ବହିଗଲା, ଗୋଠ ମାତି ହୋ ଉଠାଇ ଦେଲା ସିନା, ପ୍ରକୃତପକ୍ଷେ ସେ ହୃଦୟହୀନ କୁଶାସକ ନ ଥିଲେ । ଏବେ ଲୋକେ ତାଙ୍କ ଜୟନ୍ତୀ ପାଳନ୍ତି, ସଦ୍‌ଗୁଣ ସୁମରି ଲୁହ ଗଡ଼ାନ୍ତି ।

 

ଇଂରେଜ ଶାସନର ବେଳ ବୁଡ଼ି ବୁଡ଼ି ଆସୁଚି, ତଥାପି ଗୋରା ସାହେବଙ୍କ ଆଶା—ଆଉ କିଛି ଦିନ ତିଷ୍ଠିଯିବେ ପରା !

 

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜିଣି ଆନନ୍ଦରେ କୁରୁଡ଼ୁଛନ୍ତି । ଜର୍ମାନ୍‌ ମାଡ଼ରେ ଲଣ୍ଡନସହର ଗୁଣ୍ଡା ହେଲାବେଳେ ପ୍ରାଣ ବିକଳରେ କଣ ତୁଣ୍ଡରୁ ବାହାରି ପଡ଼ିଥିଲା । ଭାରତୀୟମାନେ ସେ କଥା ଧରିବସିବା ଉଚିତ ନୁହେ । ‘ନିଜ ଭିତର କଳି ଆଗେ ମେଣ୍ଟାଅ, ତାପରେ ସ୍ୱାଧୀନତା ଆଶା କର ।’

 

ହେଲେ ଶାସକ କଣ କରୁଛନ୍ତି ? କଳି ଲଗାଉଛନ୍ତି ନା ଛିଣ୍ଡାଉଛନ୍ତି ? ଭାଇ ପ୍ରତି ଭାଇ ଯେ ଅବୁଝା ହେଇଚି, ଭାଇକି ଭାଇ ଯେ ଛୋରା ମାରୁଚି, ଏଥିଲାଗି ଦାୟୀ କିଏ ?

 

ହଣାକଟା ଖୁବ୍‌ ଚାଲିଚି, ରକ୍ତସୁଅ ଭାସୁଚି; କିଛି ନ ଜାଣିଲା ପରି ଆଖି ବୁଜି ବିରାଡ଼ି ଦୁଧ ପିଉଚି !

 

ଭାବିଚି ‘ଦ୍ୱୟୋର୍ବିବାଦେ ତୃତୀୟସ୍ୟ ଲାଭଃ’; ଭାଇ ଭାଇ ମୁଣ୍ଡ ଫଟାଫଟି ହେଉଥିବାବେଳେ ଆମେ ନ ହଲେ ଚଳିବ ନାଇଁ ।

 

ଈଶ୍ୱରଚନ୍ଦ୍ରଙ୍କ ପରେ ଉଦୟଚନ୍ଦ୍ରଙ୍କ ଅଭିଷେକ । ବ୍ରିଟିସ୍‌ ସମ୍ରାଟଙ୍କ ଖରିତ ବା ଗାଦିନାସୀନ ସମ୍ମତିପତ୍ର ଭାଇସ୍‌ରୟଙ୍କ ପାଖେ ପହଞ୍ଚିଚି; ତାକୁ ସଙ୍ଗରେ ଘେନି ଆସି ପହଞ୍ଚିଛନ୍ତି ପୂର୍ବଭାରତୀୟ ଗଡ଼ଜାତମାନଙ୍କ ରେସିଡ଼େଣ୍ଟ ମି: ଟଡ୍‍ ।

 

ପହଞ୍ଚିଛନ୍ତି ଓଡ଼ିଶା ଗଡ଼ଜାତର ପ୍ରାୟ ସବୁ ରଜା, ପଲିଟିକାଲ୍‌ ଏଜେଣ୍ଟ୍‌ ଓ ଅନ୍ୟ ଅଫିସରବର୍ଗ । ଖରିତ ଦେବା ଆଗରୁ ରେସିଡ଼େଣ୍ଟ କହିଲେ—ରାଜ୍ୟର ଦାୟିତ୍ୱ ମୁଣ୍ଡରେ ବୋହିବା ଆଗରୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ନିଅ । ଏଇ ମହନୀୟ ରାଜ୍ୟର ଉଜ୍ୱଳ ଅତୀତର ଦାୟାଦ ଆପଣ; ସମ୍ମାନର ଆସନ ଏଇ ରାଜସିଂହାସନ-। ଏଥିରେ ବସିବା ଆଗରୁ ଶାସନଦାୟିତ୍ୱ କେଡ଼େ ଗୁରୁତର ତାହା ବୁଝିନେବା ଆବଶ୍ୟକ-

 

ଛ ବର୍ଷର ଘୋର ଯୁଦ୍ଧ ପରେ ଏବେ ଶାନ୍ତିର ଜନ୍ମଯନ୍ତ୍ରଣା ଆମେ ଅନୁଭବ କରୁଚୁ ।

 

ଏଇ ଯୁଦ୍ଧ ପୃଥିବୀର ମାନଚିତ୍ର ବଦଳାଇ ଦେଇଛି । ଏ ବଦଳାବଦଳି ଅବଶ୍ୟ ଆମ ଇଚ୍ଛାମତେ ହୋଇଛି । ଏତେ ଦୁଃଖକଷ୍ଟ ପରେ ଯେଉଁ ଶାନ୍ତି ଆସିଚି, ତାର ଉପଯୁକ୍ତ ଉପଯୋଗ ହେବା ଆବଶ୍ୟକ ।

 

ମଣିଷଜାତି ଏବେ ଘୋର ପରୀକ୍ଷାନିରୀକ୍ଷା ମଧ୍ୟରେ ଗତି କରୁଛି । କର୍ମତତ୍ପର ହେବାଲାଗି ଏ ଅନୁକୂଳ ସମୟ ।

 

ବୟସ୍କର ପୋଖତ ଅନୁଭୂତି ଘେନି ଆପଣ ସିଂହାସନରେ ବସୁଛନ୍ତି । ଏ ରାଜ୍ୟର ଓ ରାଜ୍ୟ ବାହାରର ଅବସ୍ଥା ଭଲଭାବେ ବୁଝିପାରିଥିବେ । ରାଜ୍ୟର କଲ୍ୟାଣ, ଲୋକଙ୍କ ସନ୍ତୋଷବିଧାନ ଆପଣଙ୍କ କର୍ତ୍ତବ୍ୟ । ରାଜା ଓ ପ୍ରଜାମାନଙ୍କ ମିଳିତ ସହଯୋଗରେ ରାଜ୍ୟର ମଙ୍ଗଳ ହେଉ । ଲୋକଙ୍କ ସ୍ୱାର୍ଥ ଆପଣଙ୍କ ସ୍ୱାର୍ଥ ହେଉ । ଆପଣଙ୍କ ଶାସନ ଦୀର୍ଘ, ଶାନ୍ତିମୟ, ନିର୍ମଳ ଓ ସୁନ୍ଦର ହେଉ ।

 

କ୍ଷମତାପତ୍ର ଓ ଦେଶୀୟ ରୀତି ଅନୁସାରେ ଏ ତରବାରୀ ମୁଁ ଆପଣଙ୍କ ହାତରେ ଦେଉଛି । ଏହା ଦୃଢ଼ଭାବେ ଆପଣଙ୍କ ହାତରେ ରହୁ, ଶକ୍ତି, ନ୍ୟାୟ ଓ ଶାନ୍ତିର ପ୍ରତୀକ ହେଉ ।

 

ତରବାରୀଟି କୋଷରେ ରଖି ରାଜା ସିଂହାସନରେ ବସିଲେ । ଅଭିଷେକର ଚିରାଚରିତ ବିଧିରକ୍ଷା ଓ ବ୍ରାହ୍ମଣମାନଙ୍କ ଆଶୀର୍ବାଦଲାଭ ପରେ ରାଜା ଉଦୟଚନ୍ଦ୍ର ଏଇପ୍ରକାରେ ରେସିଡ଼େଣ୍ଟଙ୍କ କଥାର ଉତ୍ତର ଦେଲେ—‘ଏ ରାଜ୍ୟର ଉଜ୍ୱଳ ପରମ୍ପରା ପ୍ରତି ମୁଁ ସଚେତନ, ମୋ ଉପରେ ନିହିତ ଗୁରୁଦାୟିତ୍ୱ ପ୍ରତି ମୁଁ ଅବହିତ । ଲୋକଙ୍କ ସ୍ୱାର୍ଥ ଜଗିବା ଓ ସୁଖଶାନ୍ତି ପ୍ରତି ଲକ୍ଷ୍ୟ ରଖିବା ମୋର ମୁଖ୍ୟ କର୍ମ ଓ ଧର୍ମ ।

 

ରାଜ୍ୟଶାସନ ଖାଲି ରାଜାର ଦାୟିତ୍ୱ ନୁହେଁ । ଏଥିରେ ପ୍ରଜା ଏବେ ମୁଖ୍ୟ ଅଂଶୀଦାର । ଲୋକଙ୍କ ସଦିଚ୍ଛା, ସହଯୋଗ ମୋର ସମ୍ୱଳ । ଲୋକଙ୍କ ଆର୍ଥିକ ଓ ନୈତିକ ମାନ ବଢ଼ାଇବା ଲାଗି ମୁଁ ଯତ୍‌ପରୋନାସ୍ତି ଚେଷ୍ଟା କରିବି ।

 

ଏ ଶୁଭ ମୁହୂର୍ତ୍ତରେ ଭାରତର ରାଜପ୍ରତିନିଧିଙ୍କ ଜରିଆରେ ଉଇଣ୍ଡସର୍‌ ହାଉସ୍‌ର ମହାମାନ୍ୟ ରାଜସମ୍ରାଟଙ୍କୁ ଗଭୀର କୃତଜ୍ଞତା ଜଣାଉଛି । ମୁଁ ଚିର ରାଜରକ୍ତ, ଆଜୀବନ ଅନୁରକ୍ତ ରହିବି ।

 

ଏ ସାମାନ୍ୟ କାର୍ଯ୍ୟ ଉପଲକ୍ଷେ ଏତେ କଷ୍ଟ ସହି ଆପଣ ଏ ରାଜ୍ୟକୁ ଶୁଭାଗମନ କରିଛନ୍ତି । ଆପଣଙ୍କୁ ସାଧୁବାଦ ଜଣାଉଛି । ଆପଣଙ୍କ ଶୁଭ ଦୃଷ୍ଟି ଏ ରାଜା ଓ ରାଜ୍ୟ ଉପରେ ଚିରକାଳ ରହୁ ।’

 

କହନ୍ତି ଯେଡ଼େ

ନୁହନ୍ତି ତେଡ଼େ

 

ସଂସାରରେ କେତେ ଲୋକ କେତେ କଥା କହନ୍ତି; କାମରେ ଦେଖାନ୍ତି କେତେଜଣ ?

 

ମୁହଁ ବୁଲାଇବା ମାତ୍ରେ ଉଦୟଚନ୍ଦ୍ର କହିବା କଥାକୁ ଭୁଲିଯାଉଥିଲେ । କଥା ସହିତ ତାଙ୍କ କାର୍ଯ୍ୟର କିଛି ସମ୍ୱନ୍ଧ ନ ଥିଲା ।

 

ରଜା ହେବା ପରେ ପରେ ସେ ସିମ୍‌ଲା ଯାଇ ନରେନ୍ଦ୍ରମଣ୍ଡଳ ବେଠକରେ ଯୋଗ ଦେଲେ; ଏହାର ସଭ୍ୟ ହେବା ତାଳମୂଳ ପକ୍ଷରେ ଏକ ଗୌରବର କଥା, ସେ ମନେ କରୁଥିଲେ; ଅନ୍ୟ ରାଜାମାନେ ତାଙ୍କୁ ଏ ଭାଗ୍ୟରେ ଈର୍ଷା ବି କରୁଥିଲେ ।

 

ତା’ପରେ ସେ ଗଲେ ରାୟପୁର ରାଜକୁମାର କଲେଜର ପୁରସ୍କାର ବିତରଣୀ ସଭାର ସଭାପତି ହୋଇ । ସେଠାରୁ ଗଡ଼ଜାତର ବନ୍ଧୁବାନ୍ଧବଙ୍କୁ ସଂଖୁଳିଯାଇ ଫେରିଲାବେଳକୁ ଏକ ମାସରୁ ବେଶୀ ସମୟ ଯାଇଥିଲା ।

 

ତା’ପରେ ଗଲେ କେଉଁଝର ରାଜାଙ୍କ ହାତୀଖେଦା ଦେଖିବାକୁ । ସ୍ୱଭାବତଃ ଶିକାରୀ; ଗୋନାସିକା ଜଙ୍ଗଲରେ କଟିଲା ପ୍ରାୟ ଦୁଇ ସପ୍ତାହ ।

 

ବାମଣ୍ଡା ଟୀକକାଏତଙ୍କ ବ୍ରତୋପନୟନ; ବନ୍ଧୁ ବାନ୍ଧବ କଥା; ନ ଗଲେ ନ ଚଳେ । ସେଠାରୁ ଫେରିଲେ ସାତ ଦିନ ପରେ ।

 

କଲିକତାରେ ଟେନିସ୍‌ ଟୋର୍ଣ୍ଣାମେଣ୍ଟ । ଏତେ ପାଖ ନ ଯିବେ କେମିତି ଯେ ! ନିହାତି ବେରସିକଙ୍କ ଛଡ଼ା କୋଉ ଗଡ଼ଜାତ ରଜା ଯାଇ ନାହାନ୍ତିକି ? ସେ ନିଜେ ସିନା ଟେନିସ୍‌ ଖେଳନ୍ତି ନାଇଁ ଜଣେ ସମଝଦାର ଦେଖାଳୀ ଭାବରେ ତାଙ୍କର ନାମ ଅଛି । ରଜା ହୋଇ ଯଦି ମନର ସଉକ୍‌ ମେଣ୍ଟାଇ ନ ପାରିଲେ, ଆଉ କ’ଣ ହେଲେ ମେଣ୍ଟାଇବେ ?

 

ତା’ପରେ ବଲାଙ୍ଗୀରରେ ‘କୋଶଳ କଳାମଣ୍ଡପ’ର ପୋଥି ପ୍ରଦର୍ଶନୀ ପାଟଣା ଆଉ କଳାହାଣ୍ଡିର ରାଜା ମିଶି ଏହି ଗବେଷଣା ଅନୁଷ୍ଠାନଟି ଗଢ଼ିଥିଲେ । ଏଥିରେ ଯୋଗ ନ ଦେଲେ ସଂସ୍କୃତି ପ୍ରୀତି ନାସ୍ତି ବୋଲି ଲୋକେ କହିବେ । ଖେଳ ପରି ଏଟା ମନୋରଞ୍ଜକ ନୁହେଁ; ଭିତରେ ପଶିବା ଲାଗି ବହୁତ ବିଦ୍ୟା, ବୁଦ୍ଧି ଲୋଡ଼ା ହୁଏ । ଏତେ ନାଟରେ କିଏ ପଶୁଚ ? ଗୁରୁଗମ୍ଭୀର ହୋଇ ଦେଖି ସବୁ ସମଝି ଗଲାପରି ମନୋଭାବ ଦେଖାଇଲେ ତ ହେଲା; ସଂସ୍କୃତିର ମାନ ରହିଲା, ନିଜର ବି ।

 

ଏ ସବୁରେ ଯୋଗ ଦେଇ ଫେରିଲାବେଳକୁ ବର୍ଷର ଅଧେ ଚାଲିଗଲା, ଲୋକଙ୍କ ହାନିଲାଭ ବୁଝିବାକୁ ବେଳ ମିଳିଲା କୋଉଠି ?

 

ରଜାଘରେ ସବୁ ବଡ଼; କିଛି ନ ଥିଲେ ଗୋଟେ ଦିଟା ସଉକ୍‌ ତ ଥାଏ, ଉଦୟଚନ୍ଦ୍ରଙ୍କ ସଉକ୍‌ ନୂଆ ଫେସନର ମଟରଗାଡ଼ିରେ ।

 

ପ୍ରତିବର୍ଷ ପୁରୁଣା ଗାଡ଼ି ବଦଳାଇ ସେ ନୂଆ ମଟରଗାଡ଼ି କିଣନ୍ତି । ସ୍ୱଭାବତଃ କୃପଣ ହେଲେ ବି ଏ ଦିଗରେ ତାଙ୍କର ଟଙ୍କା ସୁଅ ମୁହଁରେ ବୋହିଯାଏ ।

 

ଏମିତି କେତୋଟି ବଡ଼ଲୋକୀ ସଉକ୍‌ ତାଙ୍କର ଅଛି । ରହିଲେ ରହୁ । କୋଉ ଦେବାଳିଆ ହୋଇଯିବାର ଭୟ ଅଛି କି ?

 

ନାଇଁ ଯେ, ସେ ସଉକ୍‌ଟା ଯଦି ବଦଭ୍ୟାସ ହୁଏ, ସେ ତଳକୁ ଟାଣେ ତଳିତଳାନ୍ତ ହେବାଯାଏ ଟାଣୁଥାଏ । ଉଦୟଚନ୍ଦ୍ରଙ୍କର ସେଇଆ ହୋଇଥିଲା । ଖାଦ୍ୟ ପ୍ରତି ତାଙ୍କର ନଜର ନ ଥିଲା; ଭୋଜନ ତ ସୁଖେ ଦୁଃଖେ ସମସ୍ତେ କରନ୍ତି—

 

କିଏ ଘୃତାନ୍ନ, କିଏ ବା ଶାକାନ୍ନ । ପାନର ମଜ୍ଜା ଜାଣନ୍ତି କେତେଜଣ ?

 

ଭାଗ୍ୟବଳରେ ସବୁକିଛି ପାଇବା, ପୁଣି ପାନ ପ୍ରତାପରେ ସେ ସବୁ ପ୍ରତି ଆଖିବୁଜି ଦେଇ କୋଉ କଥାକୁ ପାସଙ୍ଗରେ ନ ପକାଇବାରେ ବଡ଼ଲୋକୀ ବାହାଦୁରୀ ପ୍ରକାଶ ପାଏ । ରାଜାଙ୍କର ଶୟନରେ ସ୍ୱପ୍ନ ବା ଜାଗରଣରେ କିଛି ଦୁଃସ୍ୱପ୍ନ ନ ଥିଲା । ଦୋସ୍ତି ଯେତିକି ଆସି ଜୁଟିଥିଲେ, ସମସ୍ତେ ଘରପୋଡ଼ିଆ, ପରଘରଭଙ୍ଗା, ଲଫଙ୍ଗା । ହାଣ୍ଡି ପଛେ ମାଙ୍କଡ଼ଚିତ୍‌ ମାରୁ ମାଇପ ପଛକେ ନାକରେ ନିମକାଠି ଦେଉ, ସିଆଡ଼କୁ ନିଘା ନାହିଁ । ପରସମସ୍ୟାରେ ନାକ ଗଳେଇଥାନ୍ତି ସେମାନେ—

 

ପର ବଳଦ ପରଶିଙ୍ଘା

ତା ବୋହୁଥାଏ ନରସିଂହା ।

 

ପ୍ରଜାଙ୍କ ତିଳେ ଦୋଷ ତାଳ କରି ଦେଖାନ୍ତି । ରଜାଙ୍କ ବୁଝା ଏକତରଫା । ହୋସ ଥାଏ କେତେବେଳେ କି ? ରାୟଟା ଖାଲରେ ପଡ଼େ କି ଢିପରେ ପଡ଼େ, କିଏ ଜାଣେ ? କେତେ ନିରୀହଙ୍କ ନାକ କାଟି ହୋଇଯାଏ । ହେଲେ—

 

ତୁ ତ ଯାହାକୁ କରୁଚୁ ଗୁହାରି

ମୋର ସେଇ ତ ହେଇଚି ବଇରି ।

 

ତାଙ୍କ ରୁଟିନ୍‌ ଦୁନିଆଁ ବାହାର । ସେ ରାତିକି କରୁଥିଲେ ଦିନ, ଦିନକୁ ରାତି । ମୁହଁସଞ୍ଜ ହେବାମାତ୍ରେ ସେ ଜିପରେ ଶିକାରକୁ ବାହାରି ପଡ଼ୁଥିଲେ । ସଙ୍ଗରେ କେତେ ଜଣ ବଛା ବଛା ଶିକାରୀ, କେତୁଟା ରାଇଫଲ୍‌, ବଡ଼ ଛୁରୀ, କେତୁଟା ଲମ୍ୱା ଟର୍ଚ୍ଚ ।

 

ଏ ଶିକାରୀମାନେ ନିଜେ ମାରନ୍ତି, ରାଜାଙ୍କୁ ମାରିବାର ଯଶ ଦିଅନ୍ତି । ଶିକାର ବା ଖେଳ ସବୁଠି ରଜାଙ୍କ ଜୟ, ପ୍ରମାଣ କରିବାକୁ ହବ । ତା ନ ହେଲେ ରାଜା ଯେ ରାଜ୍ୟର ଶ୍ରେଷ୍ଠ ପୁରୁଷ ପ୍ରମାଣ ହବ କିପରି ?

 

ଜୀବନରେ ରାଜା ଦୁଇ ଶହ ମହାବଳ ବାଘ ଶିକାର କରିଛନ୍ତି ବୋଲି ନାଁଡ଼ାକ୍‌ ଥିଲା । ଚିତାବାଘ, କେନ୍ଦୁଆ, ଭାଲୁ, ଗଧିଆ ଗଣତି ଭିତରକୁ ଆସୁ ନ ଥିଲେ । ଏ ମହାବଳଙ୍କ ମଧ୍ୟରୁ କେତୁଟାଙ୍କ ଉପରେ ରଜାଙ୍କ ଗୁଳି ଯେ ବାଜି ନ ଥିବ, ନୁହେଁ, ହୁଏତ ମୁଣ୍ଡରେ ବା ଛାତିରେ ନ ବାଜି ଗୋଡ଼ରେ ବା ଲାଙ୍ଗୁଡ଼ରେ ବାଜିଥିବ ।

 

ବାଘ ମଞ୍ଚା ଉପରକୁ ଝାମ୍ପ ମାରିବା ଆଗରୁ ଶିକାରୀ ଯେ ଗୁଳି ମାରି ଖସାଇ ନ ଥିବେ, ସେ କଥା ବି ନୁହେ । କିନ୍ତୁ ସେସବୁ ଇତିହାସ ଗୋପ୍ୟ, ଶିକାରୀମାନେ ସର୍ବଦା ରଜାଙ୍କ ତୀକ୍ଷ୍ମ ଲକ୍ଷ୍ୟଭେଦକୁ ତାରିଫ୍‌ କରୁଥାନ୍ତି; ଶିକାରପ୍ରତିଷ୍ଠା ରାଜ୍ୟରୁ ରାଜ୍ୟ ବାହାରକୁ ବ୍ୟାପିଯାଏ ।

 

ରାଜାଙ୍କ ଚଳାଚଳ ଘରେ ବାଘଶିକାରର ବହୁତ ଫଟୋ, ବାଘମୁଣ୍ଡ ଓ ଛାଲରେ ବୈଠକ ଘର କାନ୍ଥ ଭୟଙ୍କର ଦିଶୁଥାଏ । ଶିକାରକ୍ଳବ୍‌ଟି ସେ ଭଲଭାବେ ଚାଲୁ ରଖିଥାନ୍ତି । ଉପରିସ୍ଥ ସାହେବଙ୍କୁ ନିମନ୍ତ୍ରଣ କରି ସେ ଶିକାର ଅଭିନୟ କରନ୍ତି ।

 

ପ୍ରଜାଙ୍କ ଦ୍ୱାରା ଜଙ୍ଗଲ ଘେରାଉ କରି ସେ ଶିକାରକୁ ସାହେବଙ୍କ ମଞ୍ଚା ଆଡ଼କୁ ତଡ଼ି ଆଣନ୍ତି । ସାହେବଙ୍କ ଗୁଳିରେ କି ଶିକାରୀ ଗୁଳିରେ ବାଘ ମରୁ, ସେଥିରେ କିଛି ଯାଏ ଆସେ ନାଇଁ-। ସାହେବଙ୍କ ନାଆଁ ହେଲେ ହେଲା । ମଲା ଜନ୍ତୁ ଉପରେ ଗୋଡ଼ ଦେଇ ଫଟୋ ନିଆଯାଏ-। ବ୍ୟାଘ୍ରହୀନ ବିଲାତରେ ସାହସିକତାର ସଙ୍କେତ ଦେଖାଇବାରେ ବହୁ ଗୁରୁତ୍ୱ ବା ଗୌରବ ଥାଏ-। ମିସେସ୍‌ ବି ସ୍ୱାମୀଙ୍କ ବୀରତ୍ୱର ବହୁ ବଡ଼େଇ କରନ୍ତି, ସଙ୍ଗିନୀମାନଙ୍କ ଆଗରେ । ଉପରିସ୍ଥଙ୍କ ସାବାସ୍‌ପତ୍ର ମିଳିଥାଏ, ରଜାଙ୍କ ବହୁ ଦୁର୍ବଳତାକୁ ଘୋଡ଼ାଇ ପକାଏ । ସେଥିଲାଗି ରଜା ଉପରିସ୍ଥଙ୍କୁ ବାରମ୍ୱାର ଶିକାରନିମନ୍ତ୍ରଣ ଦେଇଥାନ୍ତି, ବହୁ ବ୍ୟୟ ହେଲେ ବି । ଅବଶ୍ୟ ବ୍ୟୟର ଅଧିକ ଭାଗ ବହନ କରନ୍ତି ପ୍ରଜା ।

 

ବାଘ ବା ବାର୍‌ହା ମାରିବା, ହାତୀ ଧରିବା କେବଳ ଗୋଟିଏ କୌତୁକର ବିଷୟ ନ ଥିଲା । ଦୁଷ୍ଟ ଜନ୍ତୁଙ୍କୁ ମାରି କ୍ଷୟକ୍ଷତିରୁ ରକ୍ଷା କରିବା ରଜାଙ୍କ ପକ୍ଷରେ ଏକ ପ୍ରଜାସେବା ବା ରାଜ୍ୟସେବା ଥିଲା । ଫସଲନଷ୍ଟକାରୀ ବାର୍‌ହା, ଚିତି, ତମ୍ପ, ଗୋଖର, ଚନ୍ଦନବୋଡ଼ା, ଅଜଗର, ଅହିରାଜ ବା ଶଙ୍ଖଚୂଡ଼ ଆଦି ବିଷାକ୍ତ ଓ ଭୟଙ୍କର ସର୍ପ ମାରି ପ୍ରଜା ରଜାଙ୍କଠାରୁ ପୁରସ୍କାର ଲାଭ କରୁଥିଲେ ।

 

ଗଡ଼ଜାତ ପ୍ରଜାବିପ୍ଳବ ପରେ ଓଡ଼ିଶାରେ କେତେକ ରାଜା ପ୍ରତିନିଧିମୂଳକ ଶାସନ ଚଳାଇଥିଲେ; କେତେକ ରାଜ୍ୟରେ ନିର୍ବାଚନ ହୋଇଥିଲା, ବ୍ୟବସ୍ଥାସଭା ଚାଲୁ ହୋଇଥିଲା, ମନ୍ତ୍ରୀମଣ୍ଡଳ ଗଠିତ ହୋଇ ରାଜ୍ୟଶାସନ ଚାଲିଥିଲା । ଫଳରେ ରଜାଙ୍କ ମନୁଆଁ ଭାବ ଓ ମନମୁଖୀ କାର୍ଯ୍ୟ ବାଧା ପାଇଥିଲା । ହେଲେ ଚାବି ଥିଲା ରଜାଙ୍କ ହାତରେ ।

 

ତାଳମୂଳରେ ଈଶ୍ୱରଚନ୍ଦ୍ରଙ୍କ ଅମଳରୁ ବ୍ୟବସ୍ଥାପରିଷଦଟିଏ ଚାଲିଥିଲା । ଏହାର ଅଧେ ସଭ୍ୟ ମନୋନୀତ, ଅଧେ ସଭ୍ୟ ନିର୍ବାଚିତ, ଶେଷ ଭୋଟଟି ରଜାଙ୍କର । ପରିଷଦ୍‌ ଡାକିବାକୁ ରଜାଙ୍କର ମୋଟେ ମନ ନ ଥିଲା । ନାମ୍‌କାବାସ୍ତେ ଏ ରହିଥିଲା ମାତ୍ର ।

 

କାଳବେଳ ଅଲଗା; କଣ୍‌ ନାଇଁ କଣ୍‌ ଅଘଟଣ କେତେବେଳେ ଘଟିଯିବ । ସରକାର ରଜାଙ୍କ ମୁଣ୍ଡରେ ଅଠା ବୋଳିବେ, ପ୍ରଜା ମଧ୍ୟ । ଏମିତି ଦୋଘାଇରେ ପଡ଼ି ରଜା ପରିଷଦ୍‌ ଡାକୁଥାନ୍ତି । ଆଲୋଚନା ସମାଲୋଚନାର ତୋଫାନ ଉଠେ—ନିଷ୍ଫଳ ଶୂନ୍ୟ ସ୍ୱର ଏ ସବୁ । କାର୍ଯ୍ୟ କିଛି ହୁଏ ନାଇଁ । ବିଦେଶୀ ଶାସକଙ୍କ ଆଗେ ଭଲେଇ ହବାକୁ ରଜାଙ୍କୁ ଏ ପ୍ରହସନ ପରେ ସୁବିଧା ମିଳେ ମାତ୍ର ।

 

ଦେଶପ୍ରେମୀଙ୍କ ଘୋର ଆନ୍ଦୋଳନ ମଧ୍ୟରେ ପାଞ୍ଚ ବର୍ଷ ବୋହିଗଲା; ବିଦେଶୀ ଶାସକଙ୍କୁ ସୁଖନିଦ୍ରା ହୋଇନାହିଁ; ସଦା ସତର୍କ ରହିଛନ୍ତି ।

 

ଯୁଦ୍ଧ ସରିଲା । ଇଂରେଜଙ୍କ ଜୟ ହେଲେ ବି ସର୍ବାଙ୍ଗ ଖଣ୍ଡିଆଖାବରା, ଦିଟା ମହାବଳ ବାଘଙ୍କ ଯୁଦ୍ଧରେ ଯେମିତି ହୁଏ; ଗୋଟାଏ ହାରେ, ହୁଏତ ମରେ । ଯୋଉଟା ଜିଣେ, ସେଟା ଲହୁଲୁହାଣ । କଥା ଅଛି—‘ଛଡ଼ା ମୁଦିରଥ ମଡ଼ା ସଙ୍ଗେ ସରି’ ।

 

ଇଂରେଜଙ୍କ ଅବସ୍ଥା ଠିକ୍‌ ସେମିତି ହୋଇଥିଲା । ଶିଖ ମଉଳି ଯାଇଥିଲା । ଦିହରୁ ଖଣ୍ଡ ଖଣ୍ଡ ହୋଇ ହାଡ଼ ଖସିଗଲା ପରି ଗୋଟି ଗୋଟି ରାଜ୍ୟ ଖସିଯାଇ ସ୍ୱାଧୀନତା ଘୋଷଣା କରୁଥାନ୍ତି-

 

‘ଆଲୋ ସଖୀ, ଆପଣା ମହତ ଆପେ ରଖି ।’

 

ଭାରତକୁ ସ୍ୱାଧୀନତା ଦେଇ ଖସିଆସ, ଆନ୍ଦୋଳନକାରୀଙ୍କ ଦ୍ୱାରା ବିତାଡ଼ିତ ହେବା ଅପେକ୍ଷା ଏହା ଅଧିକ ସମ୍ମାନାସ୍ପଦ । ବ୍ରିଟେନର ବିପଦର ବନ୍ଧୁମାନେ ସମୟୋପଯୋଗୀ ପରାମର୍ଶ ଦେଉଥିଲେ, ଟାଳଟୁଳ କରିବା ଦେଖି ଚାପ ବି ପକାଉଥିଲେ ।

 

ଯୁଦ୍ଧରେ କ୍ଳାନ୍ତ, ଦୁର୍ବଳ, ଏକାନ୍ତ ଋଣଗ୍ରସ୍ତ; ଭାରତୀୟଙ୍କୁ ଅଧିକ କାଳ ଚପାଇ ରଖିବା ବି କଷ୍ଟକର ହେଉଥିଲା ।

 

ଏଣେ ଗାନ୍ଧିଜୀଙ୍କ ଅହିଂସା ଅସହଯୋଗ ସଂଗ୍ରାମକୁ ତେଣେ ନେତାଜୀଙ୍କ ସଶସ୍ତ୍ର ମୁକ୍ତିସଂଗ୍ରାମ । ଶେଷ ଆଶ୍ରୟସ୍ତମ୍ଭ ପୁଲିସ୍‌ । ଶେଷକୁ ନୌବାହିନୀ ସହିତ ପୁଲିସ୍‌ ବି ବିପ୍ଳବ କଲେ-

 

ଗ୍ରେଟ୍‌ବ୍ରିଟେନର ନିର୍ବାଚନରେ ବି ଭାରତ ପ୍ରତି ଅନୁକୂଳ ଭାବ ସୃଷ୍ଟି ହୋଇଥିଲା । ଜାଠ ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିଲେ । ନବଗଠିତ ଶ୍ରମିକସରକାର ଭାରତୀୟ ନେତାମାନଙ୍କ ସହିତ ସ୍ୱାଧୀନତା ସଂପର୍କରେ କଥାବାର୍ତ୍ତା କରିବା ପାଇଁ ପ୍ରତିନିଧିଦଳ ପଠାଇଲେ । ଜିନ୍ନା ପାକିସ୍ଥାନ ଦାବୀରେ ଅଟଳ ରହିଲେ । ଗାନ୍ଧିଜୀ ଅବିଭକ୍ତ ସ୍ୱାଧୀନ ଭାରତ ପକ୍ଷରେ ଥିଲେ । ତାଙ୍କୁ ଛାଡ଼ିଦେଇ ଦାସତ୍ୱ ଓ ଦେଶବିଭାଗ–ଏଇ ଦୁଇ ମନ୍ଦ ଭିତରୁ ଦ୍ୱିତୀୟ ମନ୍ଦଟି ନେତାମାନେ ବାଛିନେଲେ !

 

ମାଉଣ୍ଟ୍‌ବାଟନ୍‌ ହେଲେ ସ୍ୱାଧୀନ ଭାରତର ପ୍ରଥମ ଭାଇସ୍‌ରାୟ । ଜିନ୍ନା ସ୍ୱାଧୀନ ପାକିସ୍ଥାନର ଭାଇସ୍‌ରାୟ, ଜବାହରଲାଲ ନେହୁରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଉପପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ।

 

କୂଟନୀତିରେ ଇଂରେଜଙ୍କୁ ବଳି ନାଇଁ । ଦୁଇଟି ଭାରତୀୟ ରାଜା ମଧ୍ୟରେ କଳି ଲଗାଇ ଦିଅନ୍ତି, ଗୋଟିଏ ପକ୍ଷ ସମର୍ଥନ କରି ଜିଣନ୍ତି, ତାପରେ ଅନ୍ୟଟିକୁ ନିକାଶ କରନ୍ତି । କୂଟନୀତିବଳରେ ଇଂରେଜ ଭାରତ ଜୟ କରିଥିଲା, ଏବେ ଦି ଭାଗ କରି ଭାରତର ଚରମ କ୍ଷତି ଘଟାଇଲା ।

 

ଅଗଷ୍ଟ ଚଉଦ ତାରିଖ ରାତି ବାରଟା ବେଳେ ଇଂରେଜ ଭାରତକୁ କ୍ଷମତା ହସ୍ତାନ୍ତର କଲା । ଭାଇସ୍‌ରୟ ଲର୍ଡ଼ଓ୍ୱାଭେଲ୍‌, ପ୍ରାଦେଶିକ ଗୋରା ଗଭର୍ଣ୍ଣର, ଇଂରେଜ କର୍ମଚାରୀ ଓ ସୈନ୍ୟସାମନ୍ତ ପେଡ଼ିପେଟରା ବାନ୍ଧି ଉଡ଼ାଜାହାଜ ବା ଜାହାଜରେ ବସି ରାତାରାତି ବିଦାୟ ନେଲେ-। ବିଦାୟବେଳେ ରଜା, ଜମିଦାରଙ୍କୁ ଛାଡ଼ିଦେଲେ ଅନ୍ୟ କାହାରି ଆଖିରୁ ବୁନ୍ଦାଟିଏ ଲୁହ ବୋହି ନ ଥିଲା ।

 

ଯିବାବେଳେ ଇଂରେଜ ବିପଦର ଦୋସ୍ତ, ସାମ୍ରାଜ୍ୟର ବିଶ୍ୱସ୍ତ ବନ୍ଧୁ ଗଡ଼ଜାତ ରାଜାମାନଙ୍କୁ ମଝିଦରିଆରେ ଭସାଇ ଦେଇ ଯାଇ ନ ଥିଲା । ଅତୀତର କରଦରାଜ୍ୟ, ବ୍ରିଟିସ୍‌ କରୁଣାରୁ ଭୋଗ କରିଥିଲେ ଅଧ ସ୍ୱାଧୀନତା । ଏବେ ସେମାନଙ୍କୁ ପୂରା ସ୍ୱାଧୀନତା ମିଳିଗଲା । ଏହି ବନ୍ଧୁମାନଙ୍କ ପ୍ରତି ଇଂରେଜର ଶେଷ ବାଣୀ–ହେ ପରମ ଉପକାରୀ ବନ୍ଧୁଗଣ, ମନ ହେଲେ ସ୍ୱାଧୀନ ଭାବରେ ନିଜ ନିଜ ରାଜ୍ୟରେ ରାଜତି କର, ନଇଲେ ନରେନ୍ଦ୍ରମଣ୍ଡଳୀ ବା ରାଜନ୍ୟମଣ୍ଡଳୀର ସମୂହ ପରିଚାଳନାରେ ରହ; ତା ଯଦି ସମ୍ଭବ ନ ହୁଏ, ଭାରତ ବା ପାକିସ୍ଥାନକୁ ଇଚ୍ଛାମତେ ଆଉଜି ଯାଅ ।

 

ସ୍ୱାଧୀନଭାବରେ ଚଳିବାର ଶକ୍ତି ପ୍ରାୟ କାହାରି ନ ଥିଲା । ନିୟମିତ ସୈନ୍ୟବାହିନୀ ନ ଥିଲା; ଥିଲେ କିଛି ପୁଲିସ୍‌ । ରାଜାମାନେ ଦେଶୀୟଙ୍କ ଆଗେ ଥିଲେ କଟାଶ ମହାବଳ, ଇଂରେଜଶାସକଙ୍କ ଆଗେ ଲାଙ୍ଗୁଳଜକା ଶିଆଳ ।

 

ଇଂରେଜ ହାତର ସଖୀକୁଣ୍ଢେଇ; ସଖୀନାଟୁଆ ପରି ସୂତା ଟାଣି ଇଚ୍ଛାମତେ ନଚାଉଥିଲା ସେ ବେଳ ପଡ଼ିଲେ ଅକଶ ସାଧି କଚାଡ଼ି ଚୁନ୍‌ଚାନ୍‌ କରି ଘଡ଼ିକେ ସବୁ ସୁଖସୋହାଗ ସାରି ଦେଉଥିଲା । ଇଂରେଜକୁ ସୁହାଇଲା ଭଳି ନାଚୁଥିଲେ, ଗୀତ ଗାଉଥିଲେ ରାଜାମାନେ । ଟିକିଏ ବାଁତାଳିଆ ହେଲେ ଅବସ୍ଥା ସାଙ୍ଘାତିକ; ରାଜଦ୍ରୋହୀ ! ଶାସ୍ତି—ରାଜ୍ୟଖାସ୍‌ ।

 

ଅସଲ କ୍ଷମତା ନିଜ ହାତରେ ରଖିଥିଲେ ଇଂରେଜ । ମିଛକୁ ଗୋଟାଏ ଅଭିଷେକଗହଳ ଲାଗିଥିଲା । ‘ନରେନ୍ଦ୍ରମଣ୍ଡଳୀ’ ଗଢ଼ି ଆନୁଗତ୍ୟ ଆଦାୟ କରୁଥିଲେ । ପଟିଆଲା ମହାରାଜା, କଚ୍‌ର ମହାରାଜା, ଯୋଧପୁର, ଜୟପୁର ବିକାନୀର, କାଶ୍ମୀରର ମହାରାଜା, ମୋରଭିର ଠାକୁରରାଜା, ଅରଓ୍ୱାର, ମଣ୍ଡି, କପୂରତଲା, ତ୍ରିପୁରା, ମୟୁରଭଞ୍ଜ, ନଓ୍ୱାନଗର, ପାନ୍ନାର ମହାରାଜା, ଭୋପାଳର ନବାବ୍‌ ପ୍ରଭୃତିଙ୍କି ଘେନି ନରେନ୍ଦ୍ରମଣ୍ଡଳୀ ଗଠିତ ହୋଇଥିଲା । ଏଥିରେ ଭାଇସ୍‌ରୟ ସଭାପତିତ୍ୱ କରୁଥିଲେ; ଭାଇସ୍‌ରୟ ପହଞ୍ଚିବା ପରେ ଗତାନୁଗତିକ ରୀତିରେ ଚାନ୍‌ସେଲର ରାଜାମାନଙ୍କୁ ତାଙ୍କ ସହିତ ପରିଚିତ କରାଇ ଦେଉଥିଲେ । ପହିଲେ କୌଣସି ରାଜାଙ୍କ ମୃତ୍ୟୁରେ ଶୋକପ୍ରସ୍ତାବ ଧାର୍ଯ୍ୟ ହେଲା ପରେ ବିଭିନ୍ନ ରାଜ୍ୟରେ ଶିକ୍ଷାବିସ୍ତାର, ଶିଳ୍ପବିକାଶ ଆଦି ବିଷୟରେ ଆଲୋଚନା ହେଉଥିଲା । ରାଜାମାନଙ୍କ ଆନୁଗତ୍ୟ ଆଦାୟ ସର୍ବଭାରତୀୟ ଅନୁଷ୍ଠାନ ନରେନ୍ଦ୍ରମଣ୍ଡଳୀ ଓ ପ୍ରାଦେଶିକ ଅନୁଷ୍ଠାନ ରାଜନ୍ୟମଣ୍ଡଳୀ ଗଠନର ଭିତିରୀ ଉଦ୍ଦେଶ୍ୟ ଥିଲା । କାହା ମୁଣ୍ଡ ଠିକ୍‌ ଇଂରେଜ ରାଜସିଂହାସନ ତଳେ ଲାଗୁଥିଲା ନ ଲାଗୁଥିଲା, ଟେରେଇ ଟେରେଇ ଶାସକମାନେ ଦେଖୁଥିଲେ, ଟିକିଏ ଏପଟ ସେପଟ ହେଲେ ମଜ୍ଜା ନିକାଲି ଦେଉଥିଲେ ।

 

ବିଦେଶୀ ଶୋଷଣର ଗୋଟିଏ ଗୋଟିଏ ଅସ୍ତ୍ର ଥିଲେ ଦେଶୀୟ ରାଜା । ଇଂରେଜଙ୍କ ପୋଷା ଗୋବିନ୍ଦମୂଷାଗୁଡ଼ିଏ—ଚାଳର ନୁହନ୍ତି କି ଗାତର ନୁହନ୍ତି, ଗୁଡ଼ିଏ ଜୀଅନ୍ତା ଖେଳଣା ।

 

ଏପଟୁ ଦେଖିଲେ ବହୁତ ବଡ଼, ସେପଟୁ ଦେଖିଲେ ଅତି ଛୋଟ । ଏ ପଟେ ହାତୀ, ଘୋଡ଼ା, ଉଆସ, ମଟରଗାଡ଼ି, ମହୀନ୍ଦ୍ର ବାହାଦୂର, ମହାରାଜାଧିରାଜ, କେ. ସି. ଆଇ ଇ ଆଦି ଶୁଖିଲା ଉପାଧି; ମୋଟା ଯୁଦ୍ଧଚାନ୍ଦା ପଇଠ କଲେ ଏଭଳି ମହିମାବର୍ଦ୍ଧକ ଉପାଧି ଦରବାରରୁ ସହଜରେ ମିଳି ଯାଉଥିଲା । ରାଜାଙ୍କ ମାନ ବଢ଼େଇବା ପାଇଁ ନିଜ ନାମ ପାଖରେ ‘ସାହେବ’ ଶବ୍ଦ ବସିଯାଉଥିଲା—କଣ ନା ‘ରାଜାସାହେବ’ !

 

ସେପଟୁ ଚାହିଁଲେ କେଳାର ପଦ୍ମତୋଳାରେ ପେଡ଼ିରେ ବନ୍ଦୀ ସାପଟିଏ, ଫଣା ଟେକେ, ମୁଣ୍ଡରେ କଠଉ ଚିହ୍ନ, ଫଁ ଫଁ କରେ, ଜୋରରେ ଚୋଟ ମାରେ । ବିଷାକ୍ତ ସାପ, କିନ୍ତୁ ତା କାମୁଡ଼ାରେ ବିଷ ଟେକେ ନାଇଁ । ବିଷଦାନ୍ତ ଓପାଡ଼ି ଦିଆ ହେଇଚି । କି କରୁଣ ଅବସ୍ଥା ।

 

ସ୍ୱାଧୀନତାଲାଭ ପରେ ନେହୁରୁଙ୍କ ନେତୃତ୍ୱରେ ଗଠିତ ଭାରତସରକାର ଟିକିଏ ପଛଉଥିଲେ—ବିରୁଡ଼ିଭରାକୁ କାଇଁକି ଏଇନେ ଟେକା ପକାଇବା ? କୁଆଡ଼ ପାଣି କୁଆଡ଼କୁ ବୋହୁଚି, ଆଗେ ଦେଖ ।

 

ଭଲ ଥାଏ, ମନ୍ଦ ଥାଏ । ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇବା କଣ ଠିକ୍‌-?

 

ଯଦି ଏକାଠି ମିଶି କିଛି ଗୋଟାଏ ହଟ୍ଟଗୋଳ କରନ୍ତି ! ଭାଇ ଭାଇ ବିବାଦ ବଢ଼ୁ ବଢ଼ୁ ଯଦି ଗୃହଯୁଦ୍ଧରେ ପରିଣତ ହୁଏ ! ଭାରତୀୟଙ୍କୁ ଶାନ୍ତି ଦେବା ଆଳରେ ଇଂରେଜ ଯଦି ପୁଣି ଫେରିଆସେ ।

 

ଦୁର୍ବଳ ନବଜନ୍ମା; ଭୂତପ୍ରେତଙ୍କୁ ବହୁତ ଭୟ । ରାଜସମସ୍ୟାରେ ମୁଣ୍ଡ ପୂରେଇବାକୁ ମନ ହେଉନାଇଁ କାଇଁକି ? ତେଣେ ଦେଖ, ଜନ୍ମ ହେଉଁ ହେଉଁ ପାକିସ୍ଥାନ ନାହିନାଡ଼ିକି ଅଣ୍ଟାରେ ଗୁଡ଼ାଇ ନାଭିଦୈତ୍ୟ ପରି ମାଡ଼ି ଆସୁଚି, ପାହାଡ଼ୀ ସୈନ୍ୟଙ୍କୁ ମତାଇ ଲମ୍ଫ ଦେଇଚି କାଶ୍ମୀର ଉପରେ । ତେଣେ ରାଜାକର ମାତିଉଠିଛନ୍ତି ହାଇଦରାବାଦ୍‌ରେ ।

 

ନେହୁରୁ ଶଙ୍କିଲେ—ଉଦାର ଭଦ୍ରଲୋକ, ଗୋଲାପୀ ଆଦର୍ଶ ଭାବରାଶିରେ ଆଚ୍ଛନ୍ନ, କଳ୍ପନାବିଳାସୀ କବି, ପୃଥିବୀ ଆଗରେ ଭାରି ଭଲପଣର ମୁହଁ ରଖିବା ଲାଗି । ପରିସ୍ଥିତିର ମୁକାବିଲା କରିବା ଲାଗି ବାହାରିପଡ଼ିଲେ ବାସ୍ତବବାଦୀ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ । ସତରେ ଲୁହାର ମଣିଷ ସେ, ବୀରହୃଦୟ ଘେନି ଜନ୍ମିଥିଲେ । ଲୁହା ଜାଣି ଠିକ୍‌ ଠିକ୍‌ ପାଣି ଦେବାର ଶକ୍ତି ବି ହାସଲ କରିଥିଲେ ।

 

ଏଠିସେଠି ମୁଣ୍ଡ ଟେକୁଥିବା ବିରୋଧକୁ ସମ୍ଭାଳିନେଲେ ସେ; ଜଣେ ସର୍କସ୍‌ ମାଷ୍ଟର୍‌, ହାତରେ ତାଙ୍କର ବିଜୁଳି ଚାବୁକ, ବାଘର କାନ ଧରି ଟାଣନ୍ତି, ସିଂହର ମୁଚ୍ଛ । ଭାରତୀୟ ରାଜନ୍ୟବର୍ଗଙ୍କ ପ୍ରତି ତାଙ୍କର ତିଳାର୍ଦ୍ଧ ଶଙ୍କା ବା ସମ୍ଭ୍ରମ ନ ଥିଲେ; କାରଣ ମହାରାଜାମାନଙ୍କ ମହାରାଜ ସଙ୍ଗେ ଲଢ଼େଇରେ ଯଶସ୍ତ୍ରୀ ହୋଇ ଫେରିଥିଲେ ସେ ।

 

କୋମଳ ଆଉ କଠୋର ଏଇ ମିଶ୍ରିତ ଭାବରେ ଗଢ଼ା ହୋଇଥିଲା ତାଙ୍କର ମନ । ସେ ନିଆଁ ପରି ତାତି ଯାଉଥିଲେ, ପୁଣି ଦଣ୍ଡକ ପରେ ବରଫ ପରି ଶୀତଳ; ପାଣି ହୋଇ ବୋହି ଯାଉଥିଲେ ସେ ।

 

ଗଡ଼ଜାତରାଜ୍ୟମାନଙ୍କୁ ସେ ମନେ କରୁଥିଲେ ଭାରତମାତାଙ୍କ ଦେହର ଗୋଟିଏ ଗୋଟିଏ କର୍କଟ ଘାଆ; ଉପରେ ମଇଲମ ବୋଳି ଭଲ କରିବାର ସମ୍ଭାବନା ନାଇଁ । ସେସବୁ ଅପରେସନ୍‌ କରି ଉଡ଼ାଇଦେବା ଉଚିତ ।

 

ଦିଲ୍ଲୀରେ ‘ନରେନ୍ଦ୍ର ମଣ୍ଡଳୀ’ ସଭା ବାରମ୍ୱାର ବସୁଥାଏ, ଏକାଠି ତିଷ୍ଠି ରହିବାର କିଛି ଗୋଟାଏ ନୂଆ ବାଟ ବାହାର କରିବା ଲାଗି । ଆଗେ ଭାଇସରୟ ସଭାପତି ହେଉଥିଲେ; ଡରଭୟ ଥିଲା । ଏବେ ଦଧିନଉତି ଖସିପଡ଼ିଲା ପରେ ଦେଉଳ ପରି ହୋଇଛି ଏ ଅନୁଷ୍ଠାନ । ୟା ମୁହଁ ପୂର୍ବକୁ, ତା ମୁହଁ ପଶ୍ଚିମକୁ । ଶୃଙ୍ଖଳ । ଶୂନ୍‌ । ଭୁଷୁଡ଼ି ପଡ଼ିବାର ପୁର୍ବାଭାସ ।

 

ଏବେ ପୂର୍ବଭାରତର ରାଜାମାନେ ମିଶି ପୂର୍ବଭାରତୀୟ ରାଜନ୍ୟମଣ୍ଡଳୀ ଗଢ଼ିଛନ୍ତି । ରାଜାମାନଙ୍କ ସ୍ୱାର୍ଥରକ୍ଷା ଲାଗି ଏ ଲଢ଼ିବ, ଜଣେ ରାଜାଙ୍କ ରାଜ୍ୟରେ; ବିପତ୍ତି ପଡ଼ିଲେ ଅନ୍ୟ ରାଜାମାନେ ସାହାପକ୍ଷ ହେବେ । ଯଦି ଏକାବେଳକେ ଅନେକ ରାଜ୍ୟରେ ବିପ୍ଳବ ହୁଏ, ସମ୍ଭଳା ଯିବ କେମିତି ? ଏ ରାଜାମାନଙ୍କ ସୈନ୍ୟବିଭାଗରେ କିଏ ଯୋଗ ଦେବ ? ସେଇ ବିପ୍ଳବୀ ପ୍ରଜାଙ୍କ ମଧ୍ୟରୁ ସୈନ୍ୟ ବଛାଯିବେ ତ ? ଯେଉଁ ସୈନ୍ୟ ବଛାଯିବେ, ସେମାନେ ବିପ୍ଳବୀ ଭାଇବନ୍ଧୁଙ୍କୁ ଦମନ କରିବେ ନା ରଜାଙ୍କୁ ତଡ଼ିବେ ?

 

ଆଗେ ପ୍ରଜାବିପ୍ଳବ ହେଲେ ରଜା ଇଂରେଜଶାସକଙ୍କ ସାହାଯ୍ୟରେ ତାହା ଦମନ କରୁଥିଲେ । ସ୍ୱାଧୀନ ଭାରତସରକାର ଏବେ ସାହାଯ୍ୟ କରିବେ କାହିଁକି ? ନରେନ୍ଦ୍ରମଣ୍ଡଳୀ ବା ରାଜନ୍ୟମଣ୍ଡଳୀ ପ୍ରତିନିଧିମୂଳକ ଅନୁଷ୍ଠାନ ନୁହେଁ; ଏହା ଏବ ଭାରତସରକାରଙ୍କ ସ୍ୱୀକୃତି ଲାଭ କରିନାହିଁ ।

 

ଯୋଉମାନେ ପ୍ରଜାଙ୍କୁ ମତାଇ ଗଡ଼ଜାତରେ ଆନ୍ଦୋଳନ ସୃଷ୍ଟି କରିଥିଲେ, ସେମାନେ ପ୍ରଜା ବିରୁଦ୍ଧରେ ରାଜାଙ୍କୁ ସାହାଯ୍ୟ ଦେବେ କିପରି ? ରାଜତନ୍ତ୍ରର ବିଲୋପ ତ ସେମାନେ ଚାହାନ୍ତି-

 

ଭାରତର ରାଜାମାନେ ନାନା ସଂଶୟରେ ମ୍ରିୟମାଣ । ଏତିକିବେଳେ ସର୍ଦ୍ଦାର ପଟେଲ ଓଡ଼ିଶା ଆସି କଟକ ରାଜଭବନରେ ଏକ ରାଜନ୍ୟମଣ୍ଡଳୀ ବୈଠକରେ ଯୋଗ ଦେଲେ । ଓଡ଼ିଶାର ଛବିଶଟି ଗଡ଼ଜାତର ସବୁ ରାଜା ଉପସ୍ଥିତ । ସରଗରମ୍‌ ବାତାବରଣ; ‘କଣ ଘଟିବ’ ଆଶଙ୍କା ପ୍ରତ୍ୟେକ ମନରେ । ଗୁରୁଗମ୍ଭୀର ଚତୁର୍ଦ୍ଦିଗ; ଯତ୍‌କିଞ୍ଚିତ୍‌ ସୌଜନ୍ୟମୂଳକ ଆଦାନପ୍ରଦାନ ମାତ୍ର ଚାଲିଥାଏ ।

 

ଚା ଭୋଜି ଶେଷ ହେଲା, ଲଞ୍ଚ୍‌ ବି; ପ୍ଲେନ୍‌ ଛାଡ଼ିବାକୁ ଘଣ୍ଟାଏ ବାକୀ । ରାଜାମାନଙ୍କ ଆଡ଼ୁ ଏ ଯାକେ କିଛି ନିର୍ଭରତା ନ ପାଇ ସର୍ଦ୍ଦାରଜୀ ରାଗିଥାନ୍ତି । ବିଦାୟ ଆଗରୁ ସେ କେତୋଟି କଡ଼ା କଡ଼ା କଥା ଶୁଣାଇଦେଲେ—

 

‘‘କାନ୍ଥ ଲେଖା ଆଡ଼କୁ ଆଖି ପକାଅ, ଏହାକୁ ଲଲାଟଲିପି ବୋଲି ଧରିନିଅ । ସମୟୋପଯୋଗୀ କଥା ଶୁଣ, ନଇଲେ ଚେର ଉପୁଡ଼ିଯିବ ।

 

ଯେ ସ୍ୱାଧୀନ ରହିବ, ରହ, ମୋର କିଛି କହିବାର ନାଇଁ । ରାଜ୍ୟରେ ଶୃଙ୍ଖଳାରକ୍ଷା ଦାୟିତ୍ୱ ପୂରାପୂରି ରଜାଙ୍କର । ପ୍ରଜା ବିପ୍ଳବ କରି ରଜାଙ୍କୁ ତଡ଼ିବାକୁ ବସିଲେ ସେଥିରେ ଭାରତସରକାରଙ୍କ ମୁଣ୍ଡ ବଥାଇବ ନାଇଁ । ରାଜରକ୍ଷଣ ଲାଗି ସରକାର ପ୍ରଜାମାରଣ ନୀତି ଗ୍ରହଣ କରିବେ ନାଇଁ ।

 

ଏତକ କଡ଼ା କଥା ଭଲ ଫଳ ଦେଖାଇଲା; ସ୍ୱାଧୀନଭାବେ ରହିବା ଚିନ୍ତା ପ୍ରାୟ ଲୋପ ପାଇଲା । ଭାରତୀୟ ସାଧାରଣତନ୍ତ୍ରରେ ଯୋଗ ଦେବା ଭାବ ରଜାମାନଙ୍କ ମଧ୍ୟରେ ପ୍ରକାଶିତ ହେଲା ।

 

ରାଜ୍ୟ ଗଲେ କେମିତି ଚଳିବା ? ଭାରତସରକାର ଆମ ଚଳାଚଳର କି ବ୍ୟବସ୍ଥା କରିବେ ?

 

ସର୍ଦ୍ଦାରଜୀ ସୁଚତୁର, ସହଜରେ ରାଜାମାନଙ୍କ ମନୋଭାବ ଠଉରାଇ ନେଲେ । କଠୋର, କଡ଼ା ପରେ କୋମଳ, ସୁସାର ବଚନ ବାହାରିଲା—

 

ସଂପୃକ୍ତ ପ୍ରଦେଶରେ ଦେଶୀୟ ରାଜ୍ୟଗୁଡ଼ିକ ମିଶାଇଦେବା ହିଁ ଏକମାତ୍ର ସମାଧାନର ପନ୍ଥା; ରାଜାମାନଙ୍କ ଚଳାଚଳରେ ଯେପରି କିଛି ଅସୁବିଧା ନ ହୁଏ, ତା ଦେଖିବା ମୋର କାମ ।

 

ରାଜ୍ୟ ଯିବା ପରେ ବି ରାଜା ରାଜା ବୋଲାଇବେ, ପୂର୍ବ ଉପାଧିସବୁ ଅକ୍ଷୁର୍ଣ୍ଣ ରହିବ ।

 

ନିଜ ରାଜ୍ୟର ଆୟକୁ ଚାହିଁ ରାଜାଙ୍କୁ ଯଥେଷ୍ଟ ଭତ୍ତା ଦିଆଯିବ । ଉଆସ ବା ଉଆସ ଲଗାଏତ୍‌ ବାଗବଗିଚା କିମ୍ୱା ରାଜାଙ୍କ ଚାଷଜମି, ଜମା ଟଙ୍କା, ସୁନା ଉପରେ ଆଞ୍ଚ ଆସିବ ନାଇଁ । ରାଜାଙ୍କ ପୂର୍ବ ମାନସମ୍ମାନ ରକ୍ଷା କରାଯିବ ।

 

ତୁମେମାନେ ସୁଖଶାନ୍ତିରେ ରହ, ସରକାରଙ୍କ ଆନ୍ତରିକ ଇଚ୍ଛା ।

 

ଓଡ଼ିଶା ସମଗ୍ର ଭାରତକୁ ପହିଲେ ମିଶ୍ରଣବାଟ ଦେଖାଇଲା ବା ଏ ପ୍ରକ୍ରିୟା ଏହିଠାରେ ଆରମ୍ଭ ହେଲା ।

 

ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପହିଲେ ନୀଳଗିରିର ରାଜା ଏ ପ୍ରଦେଶମିଶ୍ରଣ ଦଲିଲରେ ଦସ୍ତକତ କଲେ, ତା’ପରେ ଢେଙ୍କାନାଳ ତିଗିରିଆ, ନୟାଗଡ଼, ଦଶପଲ୍ଲା, ପାଟଣା, କଳାହାଣ୍ଡି, ଷଢ଼ୈକଳା, ଖରସୁଆଁ.... । ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ରାଜ୍ୟମାନଙ୍କ ମିଶ୍ରଣ ପରେ ମାତ୍ର ବାକୀ ରହିଲା ଓଡ଼ିଶାର ଗୋଟିଏ ରାଜ୍ୟ—ମୟୁରଭଞ୍ଜ ।

 

ମୟୁରଭଞ୍ଜ ମହାରାଜା କହିଲେ—

 

ମୋ ରାଜ୍ୟରେ ରାଜା ସବୁକିଛି ନୁହନ୍ତି । ପ୍ରତିନିଧିମୂଳକ ଶାସନ ଚାଲିଛି । ସେମାନଙ୍କ ମତ ନ ନେଇ ମୁଁ ଦସ୍ତକତ କରିବି କିପରି ?

 

ମୟୁରଭଞ୍ଜର ଟାଳଟଳ ନୀତି ଓଡ଼ିଶାର ବହୁତ କ୍ଷତି ଘଟାଇଲା । ଜଣେ ତଥାକଥିତ ଭାରତୀୟ ନେତା ମୟୁରଭଞ୍ଜକୁ ବିହାରରେ ମିଶାଇବାଚେଷ୍ଟାରେ ଲାଗିଗଲେ । ମହାରାଜା ଓଡ଼ିଆଭାଷା ଓ ସାହିତ୍ୟପ୍ରେମୀ ଥିଲେ; ଏ ରାଜବଂଶ ଆଧୁନିକ ଓଡ଼ିଶା ନିର୍ମାଣ ଲାଗି ବହୁ ଦାନ ଦେଇଥିଲେ ।

 

ଏଥିରେ ବିଫଳ ହେଲା ପରେ ସେଇ ନେତାଙ୍କ ଶ୍ୟେନଦୃଷ୍ଟି ପଡ଼ିଲା ଷଢ଼ୈକଳା, ଖରସୁଆଁ ଉପରେ; ଷଢ଼ୈକଳାରେ ଗୋଳମାଳ ସୃଷ୍ଟି ଲାଗି ଟାଟାରୁ ବହୁତ ଗୁଣ୍ଡା ପଠାହେଲା । ରାଜ୍ୟରେ ଶୃଙ୍ଖଳାରକ୍ଷା ଲାଗି ଗୁଳି ହେଲା । ଏ ରାଜନୀତିକ ଖେଳରେ ବହୁ ନିରୀହ ବଳି ପଡ଼ିଲେ-

 

ମୟୁରଭଞ୍ଜ ଓଡ଼ିଶାରେ ମିଶିନାଇଁ; ଶାସନଗତ ଅସୁବିଧାରୁ ଓଡ଼ିଶାସରକାର ଷଢ଼ୈକଳାରେ ଶୃଙ୍ଖଳା ରକ୍ଷା କରିପାରୁ ନାହାନ୍ତି । ଭୌଗୋଳିକ, ଐତିହାସିକ ଓ ଭାଷାତ୍ମକ ଐକ୍ୟ ପ୍ରତି ଆଖି ବୁଜିଦେଇ ଷଢ଼ୈକଳା, ଖରସୁଆଁକୁ ଓଡ଼ିଶାରୁ କାଢ଼ିନେଇ ଭାରତସରକାର ବିହାରରେ ମିଶାଇଦେଲେ ।

 

Unknown

ମୟୁରଭଞ୍ଜ ମିଶିବା ପର୍ଯ୍ୟନ୍ତ ଏ ଏକ ଅସ୍ଥାୟୀ ବ୍ୟବସ୍ଥା ହୋଇଥିଲା । ବର୍ଷକ ପରେ ମୟୁରଭଞ୍ଜ ଓଡ଼ିଶାରେ ମିଶିଲା ଓ ଶାସନଗତ ଅସୁବିଧା ଦୂର ହେବା ପରେ ବି ଷଢ଼ୈକଳା ଖରସୁଆଁକୁ ଆଉ ଓଡ଼ିଶାକୁ ଫେରାଇ ଦିଆହେଲା ନାହିଁ ।

 

ରାଜାର ନନ୍ଦିନୀ ପ୍ୟାରୀ

ଯା କରେ ତା ଭାଲୋ ।

 

ଓଡ଼ିଆଙ୍କ ଛାତିରେ ତିନି ଗିରା କଟା ହୋଇ ରହିଲା; ସେ ଗିରା ଏବେ ଲିଭିନାଇଁ, କେବେ ଲିଭିବ ନାଇଁ ।

 

ଆମ ବୃହତ୍‌ ଉତ୍କଳନିର୍ମାତା ନେତା ମର୍ମେ ମର୍ମେ ସେଇଆ ଚାହୁଁଥିଲେ । ଛୋଟନାଗପୁରକୁ ଓଡ଼ିଶାରେ ମିଶାଇଦେବାର ଏକ ପ୍ରସ୍ତାବ ଥିଲା । ତା’ହେଲେ ଓଡ଼ିଶା ଏକ ଆଦିବାସୀବହୁଳ ଅଞ୍ଚଳ ହୋଇଯିବ; ଏହାର ନେତା ସେ ନ ହୋଇ କୌଣସି ଆରଣ୍ୟକ ବା ଗିରିଜନ ହେବେ ।

 

ଷଢ଼ୈକଳା, ଖରସୁଆଁ ବି ଆଦିବାସୀବହୁଳ ଅଞ୍ଚଳ; ସେ ଏଇ ଦୁଇ ରାଜ୍ୟକୁ ଗୁଆ ଟେକିଦେଲା ପରି ବିହାରକୁ ଦେଇଦେଲେ । ଏ ପ୍ରଦେଶରେ ପ୍ରତିବାଦ ଉଠିବାରୁ କହିଲେ—ବଡ଼ ପ୍ରଦେଶଟାଏ କ’ଣ ହେବ ? ଅର୍ଥନୈତିକ ବିକାଶ ବଡ଼ କଥା ।

 

ଛବିଶଟି ଗଡ଼ଜାତରୁ ଚବିଶଟି ଓଡ଼ିଶାରେ ରହିଲା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ, ମୟୁରଭଞ୍ଜ, ଢେଙ୍କାନାଳ, କେଉଁଝର ଆଦି ଓଡ଼ିଶାର ଜିଲା ନାମରେ ନାମିତ ହେଲା ।

 

ରାଜା ଉଦୟଚନ୍ଦ୍ର ତାଳମୂଳରାଜ୍ୟକୁ ଓଡ଼ିଶାରେ ମିଶାଇଲାବେଳେ ସୁଖୀ ଥିଲେ ନା ଦୁଃଖୀ ?

 

ଦସ୍ତକତଟି କରିସାରି ସେ ହସୁଥିଲେ—ନଟ ଗଲା; ମୁଣ୍ଡ ଥିଲେ ସିନା ମୁଣ୍ଡବଥା ହବ ! ମୁଣ୍ଡ କାଟିବାକୁ କୁରାଢ଼ି ଉଠାଇ ଲୋକେ ଧାଇଁବେ—

 

କିଛି ଗୋଟାଏ ବୋଝ ଖସିଲାପରି ତାକୁ ଲାଗୁଥିଲା । କି ବୋଝ ସେ ? କେଡ଼େ ଭାରି-? କ’ଣ ତାଙ୍କର ଅଡ଼ୁଆ କରୁଥିଲା ? ସରକାର ମୁଣ୍ଡରୁ ବୋଝଟି ଖସାଇନେଇ ସୁବିଧା କି ଅସୁବିଧା କଲେ, ବୁଝିବାକୁ ତାଙ୍କର ବେଳ ବା ଧୈର୍ଯ୍ୟ ନ ଥିଲା ।

 

ସେ କହୁଥିଲେ—ସମସ୍ତଙ୍କର ଯାହା ହେଲା, ମୋର ସେଇଆ ହେଲା, ଏଥିରେ ଭାବିବାର କ’ଣ ଅଛି ?

 

ରାଜୁତି ଥିଲାବେଳେ ବ୍ୟକ୍ତିଗତ ଖର୍ଚ୍ଚ ଲାଗି ସେ ଯେତିକି ଟଙ୍କା ପାଉଥିଲେ, ତାଠାରୁ ଢେର୍‌ ବେଶୀ ଭତ୍ତା ପାଇଲେ । ସେଥିମଧ୍ୟରୁ ଅଧିକାଂଶ ବିଦେଶୀ ଶୁଣ୍ଢି ଝଡ଼ାଇନେଲା । ମଉଜମଜଲିସ୍‌ ଉପରେ ତିଳେ ହେଲେ ଆଞ୍ଚ୍‌ ଆସିଲା ନାଇଁ । ଭବିଷ୍ୟତ ଚିନ୍ତା ତାଙ୍କୁ ଘାରୁ ନ ଥିଲା-। ବର୍ତ୍ତମାନ ହିଁ ସବୁ ।

 

କିନ୍ତୁ କେତେକ ରଜା ବେଶ୍‌ ସତର୍କ, ସାବଧାନ ଥିଲେ । ଭତ୍ତା ଟଙ୍କାରେ କେହି ଆସାମରେ ଚା ବଗିଚା କିଣିଲା, କେହି ବା ବ୍ୟବସାୟ କଲା, ସିନେମାହାଉସ୍‌ ଚଳାଇଲା ।

 

କେହି କେହି ଗଚ୍ଛିତ ସୁନା, ଟଙ୍କା ଖେଳେଇ ରାଜନୀତିଜୁଆ ଖେଳରେ ମାତିଗଲେ । ସ୍ୱତନ୍ତ୍ର ବା ଗଣତନ୍ତ୍ର ଦଳ ଗଢ଼ିଲେ, ପ୍ରକାଶ କଲେ ‘ଗଣତନ୍ତ୍ର’ ବା ‘ସ୍ୱରାଜ’ ଦୈନିକ । ଏ ଯୁଗରେ ରଜାଠାରୁ ମନ୍ତ୍ରୀ ବଡ଼ । ଧନ ଖଟାଇ କୂଟନୀତି ବୁଦ୍ଧି ଖେଳାଇ ହୋଇପାରିଲେ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ । ଗୋଟିଏ ରାଜ୍ୟର ରଜା ଥିଲେ । ଏବେ ସମଗ୍ର ପ୍ରଦେଶର କର୍ତ୍ତୃତ୍ୱ ମିଳିଲା ।

 

ଅଧିକାଂଶ ରଜା ଥିଲେ ଅକର୍ମଣ୍ୟ, ଅପଦାର୍ଥ, ଅନାଡ଼ି । ପଛରୁ ସିଂହାସନଟି କାଢ଼ିନେବାମାତ୍ରେ ପଡ଼ିଲେ କଚ୍‌କାଚ୍‌, ତଳରୁ ଯାଇଁ କୋଉ ରାସାନ୍ତଳେ ! କେଡ଼େ ହୀନିମାନ, ନାରଖାର !

 

କି ଯୋଗ୍ୟତା ଘେନି ସିଂହାସନରେ ବସିଥିଲ ? କି ଚରିତ୍ରବଳ, କି ମଣିଷପଣ !

 

ଏବେ ଅପନ୍ତରା ନୁଖୁରା ଭୁଇଁ ଉପରେ ଛିଡ଼ାହୋଇ ଦେଖାଅ କରାମତି । ଯଦି କିଛି ନ ଥିଲା, ବୁଝିବା ଯେ ଏ ଗୋଟାଏ ଗୋଟାଏ ନରମା ଲେସମା ମାଂସପିଣ୍ଡୁଳା—ଖଡ଼ିକି ନୁହନ୍ତି କି ପେଡ଼ିକି ନୁହନ୍ତି, ଘାସକୁ ଲମ୍ୱ, ପାଳକୁ ଛୋଟ ।

 

ରାଜବାଟିରେ ଚୂନ ଦେବାକୁ ପଇସା ନାହିଁ, ପଥର ଖସୁଚି । ଡାଳପତ୍ର ମେଲାଇ ଉଠୁଚି ଗଛ, ମାଡ଼ୁଚି ଜଙ୍ଗଲ । ନାମ ମାତ୍ର ଓଜନରେ ବିକ୍ରୀ ହୋଇ ଶେଷ ହୋଇଯାଇଛି ସୁନା, ଏବେ ପାଚେରୀ ତଡ଼ା ହୋଇ ବିକ୍ରୀହେଉଚି ପଥର । ଧନଦଉଲତ, ମାନମର୍ଯ୍ୟାଦା ସବୁ ହରାଇ କିଏ ଶୁଣ୍ଢିପିଣ୍ଡାରେ ଗଡ଼ୁଚି । ପ୍ରଜା ଛଞ୍ଚାଟିଏ ଲେଖାଏଁ ଦେଇ ଦୟା ପାଇ କୋଉ ରଜା ନାମକ ଜୀବଟିକୁ ବା ବଞ୍ଚାଇଛନ୍ତି । ରଜା ଆସିଗଲେ, ହେଇ ଗାମୁଛା ପଡ଼ିଲା, କହି ରାଜା ଦୋଳବେଦୀରେ ବସୁଛନ୍ତି-। ଭିକ ମିଳିଲେ ଘେନି ଉଆସ ନାମକ ଏକ ନୁଆଁଣିଆଁ ଚାଳଘରକୁ ଫେରୁଛନ୍ତି, କନ୍ୟାଦାୟଗ୍ରସ୍ତ-

 

ରଜା ଥିଲାବେଳେ ଏମାନେ ପ୍ରକୃତ ଯୋଗ୍ୟ ଥିଲେ ନା ଲୋକେ ମିଛକୁ ଟେକିଧରିଥିଲେ ? ଜଣେ ସାଧାରଣ ମଣିଷଭାବେ ଚଳିବାକୁ ଏବେ ଅଯୋଗ୍ୟ । ସେଦିନର ଧନ୍ୟ ଆଜି ଧିକ୍‌ । ମାନ୍ୟ ଆଜି ମାନହୀନ । କର୍ପୂର ଉଡ଼ିଯାଇଛି, କନା ବି ।

 

।। ବାର ।।

 

ତା’ପରେ ହୀନିକପାଳିଆ କୀର୍ତ୍ତିଚନ୍ଦ୍ରର ହୀନିମାନିଆଁ ଅଭିଷେକ ତ ଦେଖିଲ ସୁରତରଙ୍ଗିଣୀ । କେଡ଼େ ମିଛ ଏ ରଜା, ଏବେ କେଡ଼େ ମିଛ ଏ ରାଜଗାଦି !

 

ଖାଲି ପରମ୍ପରା ରକ୍ଷା କରିବାକୁ ଏଡ଼େ କଥାଟାଏ କରିବସିଲି ସିନା; ହେଲେ ଏ ପରମ୍ପରା ସହିତ ମୋର ସମ୍ପର୍କ କ’ଣ ? ପୂର୍ବ ରଜାମାନଙ୍କୁ ଯଦି ଗୋଟିଏ ମାଳା ବୋଲି ଧରାଯାଏ, ତେବେ ତାର ଗଣ୍ଠିତ ପଡ଼ିଗଲା ବାପାଙ୍କ ଅମଳରୁ ! ଆମେ ମାଳାର ନାସିଟିଏ ମାତ୍ର, କାଟିଦେଲେ ଚଳେ, ଆମେ ରାଜା ନୋହୁଁ, ଛାର ରାଜବଂଶୀୟ ମାତ୍ର ।

 

ନାଗବଂଶ, ବାଘବଂଶ, ସିଂହବଂଶ, ସୂର୍ଯ୍ୟବଂଶ, ଚନ୍ଦ୍ରବଂଶ, ସୋମବଂଶ, ଗଙ୍ଗବଂଶ—ଏମିତି କେତେ ରାଜବଂଶ ଲୋପ ପାଇଗଲା । ଫ୍ରାନ୍‌ସର ଲୁଇକି ମାଇଲେ, ରୁଷିଆର ଜାର୍‌ବଂଶକୁ ବି ନିକାଶ କଲେ । ଏବେ ନାମକୁ ମାତ୍ର ରଜା ଅଛନ୍ତି ଯାପାନ ବା ଗ୍ରେଟ୍‌ବ୍ରିଟେନ୍‌ରେ; କିରଣହୀନ ଚନ୍ଦ୍ର ସେ, କିଛି ଭାତିଆ ପାଇ ବଞ୍ଚନ୍ତି । ପଦାକୁ ରାଜଥାଟ୍‌ ବଜାୟ ଥାଏ । ହେଲେ ସେ କଣ, ପ୍ରଜା ଜାଣନ୍ତି । ଦେଶର କୋଉ କଥାରେ ପାଟି ଫଟାଇବାକୁ ଜୁ ନ ଥାଏ ।

 

ସେ ଆଇନିଶାସିତ ପ୍ରଜା ଜଣେ, ରାଜାର ଅଭିନୟ କରନ୍ତି ମାତ୍ର । ବାହାରେ ଭାରି ସମ୍ମାନ, ଅଭିଷେକରେ ଖୁବ୍‌ ଆଡ଼ମ୍ୱର, ବିଭାଘରେ ଖୁବ୍‌ ହଇଚଇ; ସତେ ଯେମିତି ଦେଶର ସବୁ ସେଇ । କିନ୍ତୁ ବହ୍ୱାରମ୍ଭଃ ଲଘୁକ୍ରିୟା ।

 

କେଡ଼େ କେଡ଼େ ରଜା ରାଜବଂଶ କାଳର ଫୁତ୍‌କାରରେ କୁଆଡ଼େ ଉଡ଼ିଯାଉଥିବାବେଳେ କ’ଣ କହିବି ତାଳମୂଳ କଥା ? ଟିକି ଚଢ଼େଇଟିଏ ସେ, ଟିକିକ ପାଣିରେ ବୁଡ଼ିମଲା । ଶିଳଶିଳୁପତା ଗଗନେ ଉଡ଼ିଯାଉଥିବାବେଳେ ଶିମିଳିତୂଳାକୁ ପଚାରେ କିଏ ?

 

ଗଡ଼ଜାତ ରଜାସବୁ ଗଲେ, ଆପଣା ପାପରେ ଆପେ ଲୋପ ହେଇଗଲେ । ଗୁଡ଼ାଏ ହାତୀ ଏ, ଖାଆନ୍ତି ବହୁତ, ପିଅନ୍ତି ଆହୁରି ବେଶୀ । କାମ ଘର ଶୂନ୍‌ । ଏମାନଙ୍କୁ ବେଶୀକାଳ ପୋଷି ପ୍ରଜା କି ଲାଭ ପାଇଥାନ୍ତେ ? ତାଙ୍କ ଫସଲ ଚକଟନ୍ତେ, ଥରକୁଥର ତାଙ୍କୁ ବି ଚକଟୁଥାନ୍ତେ ।

 

ବିଳାସର କାଦୁଅପଙ୍କରେ ଘାଣ୍ଟିଚକଟି ହୋଇ ଅଧାବୟସରେ ମରୁଥାନ୍ତେ । ଦରବାର ହୋଇଥାନ୍ତା କାମସାହିତ୍ୟଚର୍ଚ୍ଚାର ଗୋଟିଏ ଗୋଟିଏ କ୍ଷେତ୍ର । କାମନିଆଁକୁ ହୁତୁ ହୁତୁ ଜଳାଇବାକୁ ଉଦ୍ଦୀପକ ସଙ୍ଗୀତ ବୋଲା ହେଉଥାନ୍ତା । ବକ୍ଷ ଓ ନିତମ୍ୱ ନଚାଇ ନାଚୁଣୀମାନେ ନାଚୁଥାନ୍ତେ । କବିମାନେ କାମକାବ୍ୟ ଉପହାର ଦେଉଥାନ୍ତେ । ରସାତଳକୁ ଖସୁଥିବା ରଜା ଇନ୍ଦ୍ର ସଙ୍ଗେ ସମାସ୍କନ୍ଧ ବୋଲି ଚାଟୁକାର ପଣ୍ଡିତ ଶ୍ଳୋକ ଗାଉଥାନ୍ତେ ।

 

ଲଢ଼େଈ ତ ନାଇଁ; ଅଧିକାଂଶ ରାଜା ଘୋଡ଼ା ବି ଚଢ଼ିଜାଣୁ ନ ଥିଲେ । ତରବାରୀ ବୁଲେଇ ଆସୁ ନ ଥିଲା । ବସିଖାଇ ଗୋଟାଏ ଗୋଟାଏ ମହନ୍ତ ବନିଯାଇଥିଲେ—ଅଚଳ । ତିନିଜଣ ଉଠାଇଲେ ଉଠୁଥିଲେ, ବସାଇଲେ ବସୁଥିଲେ ।

 

ମୋଟେ ବୁଦ୍ଧି ଖେଳାଇବାକୁ ନ ପଡ଼ିବାରୁ ବୋକା ବନିଯାଇଥିଲେ । ମୁଣ୍ଡରେ କିଛି ନାହିଁ । ତୁଣ୍ଡଟା ଚାଲିଥିଲା, ଲୋକ କଳନାରେ ସେ ବହୁତ ତଳକୁ ଖସିଥିଲେ । ଥରେ କୁଆଡ଼େ ଉଆଶାଳକୁ ଚୋରୀକରି ଯାଇ ସେ ଉପର ହାଣ୍ଡିଟି ନ ଉଠାଇ ତଳ ହାଣ୍ଡିଟି ଉଠାଇ ଥିଲେ; ହାଣ୍ଡି ତଳେ ପଡ଼ିଯିବା ଶବ୍ଦରେ କୁମ୍ଭାର ଉଠ ଆଖିବୁଜି ଛେଚିଲା । ରଜାଙ୍କ ଇଜ୍ଜତ ଦିକଡ଼ାର ହେଲା ।

 

ନାୟିକାର ପ୍ରୀତିଠାର ବି ବୁଝିବାକୁ ସେ ଅସମର୍ଥ ଥିଲେ । ମାଳୁଣୀ ଗାଲରେ କାହିଁକି କଳା ଥାପୁଡ଼ା ବାଜିଲା, ରାଜଜେମା ହାତ, ଗୋଡ଼ ବା ଛାତିରେ ହାତ ଲଗାଇ କି ସଙ୍କେତ ଦେଲା, ମନ୍ତ୍ରୀ ସମଜେଇଲାରୁ ସେ ସମଜିଲେ । ମନଖିଆଲରେ ଗୋଟାଏ ଗୋଟାଏ କଠୋର ଆଦେଶ ଜାରୀ କରୁଥିଲେ ସେ—ମନପବନ ଡଙ୍ଗା ତିଆରି କରି ଆଣ, ରାତିକେ ଦେଉଳଟାଏ ଗଢ଼, ପୋଖରୀଟାଏ ଖୋଳ, ନଇଲେ ସବଂଶେ ଶୂଳି । ଯେଡ଼ିକି ଅଜବ ସେ, ସେଡ଼ିକି ଅସମ୍ଭବ ତାଙ୍କ ଆଜ୍ଞା ।

 

ଏମିତି ରଜା ତ ଗଲେ, ରଜାର ଖିଆଲ ଗଲା । କିନ୍ତୁ ତାର ସେ ଦିଲ୍‌ ବା ଉଚ୍ଚ ମିଞ୍ଜାସ୍‌ ଆଉ ଦେଖିବାକୁ ମିଳିଲା ନାହିଁ । ରାଜାର ସ୍ଥାନ ଅଧିକାର କଲା ହାକିମ । ରାଜାର ମେଜାଜ୍‌ରେ ଯୋଉ ସିଂହର ବିକ୍ରମ ବା ଉଦାରତା ଥିଲା, ହାକିମୀରେ ନ ଥିଲା; ଥିଲା ଶିଆଳର ଚାଇଁଚତୁର ଭାବ ।

 

ଓଡ଼ିଶା ସଙ୍ଗେ ଗଡ଼ଜାତସବୁ ମିଶିଲା ପରେ ଗଡ଼ଜାତର ଲୋକଙ୍କୁ ଗଡ଼ିଆରୁ ପହଁରି ଯାଇ ଦରିଆରେ ପଶିଗଲା ପରି ଲାଗିଲା । ସେମାନେ ଦେଖିଲେ—ଏଠି ସବୁ ବଡ଼—ଜୁଆର ବଡ଼, ତରଙ୍ଗ ବଡ଼, ଭିତରେ ଯୋଉ ସୁଅର ତୋଡ଼ ଉଠୁଚି, ସେ ବି ବଡ଼ । ତିମି, ମଗର, ସାଙ୍କୁଶ ଆଦି ବହୁତ ବଡ଼ ବଡ଼ ଜନ୍ତୁ । ହେଲେ ସବୁଠୁ ବଡ଼ ହାକିମର ମେଜାଜ୍‌; ବଡ଼ପଣ ପରି ଦିଶେ, ସେ ବଡ଼ିମା ମାତ୍ର ।

 

ଗଡ଼ଜାତରେ ଜଣେ ଜଣେ ରଜା ଥିଲେ; ସେ ରୁଷ୍ଟ ହେଲେ ତାଙ୍କୁ ଫଳେପୁଷ୍ପେ, ଗୋଟାଏ ବେଠି କି ଭେଟିରେ ତୁଷ୍ଟ କରି ହେଉଥିଲା । ଓଡ଼ିଶାରେ ଏବେ କେତେ ରଜା ! ସଦା ରୁଷ୍ଟ ପରି ବୋଧ ହୁଅନ୍ତି ସେମାନେ, ତୁଷ୍ଟ କରିବାର ଶକ୍ତି କାହିଁ କାହାର ?

 

ରାଜସିଂହାସନ ଏବେ ମ୍ୟୁଜିଅମ୍‌ର ମଣ୍ଡନ । ଗୋଟାଏ କାଠଚୌକୀ ଉପରେ ବସି କେଡ଼େ ଦିମାକ୍‌ କାଢ଼ିଚି ଏ ହାକିମ ! ଗଡ଼ଜାତକୁ ଆସି ରାଜାର ଠାଣିରେ ସେ ଚାରିଆଡ଼କୁ ଚାହୁଁଚି-

 

ତା ମନ ଏଡ଼େ ଚଙ୍ଗଚଙ୍ଗ ହଉଚି କାଇଁକି ? ଶଙ୍କା କାହାକୁ ? ସେ ତ ସର୍ବେସର୍ବା; ଏତେ ଉଚ୍ଚ ଆସନରେ ବସି ମାରିନେବାର ନୀଚ ମନୋଭାବ କାହିଁକି ?

 

ରାଜଲାଳିତ ଚନ୍ଦନବନ କଟା ଯାଇ ହାତୀଦାନ୍ତ ବସି ପଲଙ୍କ ତିଆରି ହଉଚି, କସି କାଠର ଖଟରେ ନିଦ ହଉନାହିଁ । ହୟାନ୍ତ ହୟାନ୍ତ ପିଆଶାଳ କଟାଯାଇ ଝିଅମାନଙ୍କ ଲାଗି ଅଗ୍ରୀମ ଯଉତୁକ ସଜଡ଼ା ହଉଚି । ଅଥଚ ଝିଅ ନାଇଁ, ଝିଅ ପେଟରେ....

 

କାନତରାଟିମାନଙ୍କୁ ଠିକା ଦିଆଯାଇ କେତୁଟା ବର୍ଷ ଭିତରେ ଜଙ୍ଗଲ ସଫା—ଟାଙ୍ଗରା, ଅନୁର୍ବର; ମରୁଭୂମିରେ ନାଚୁଛି ମରୀଚିକା, ଘୂର୍ଣ୍ଣି ଗାଁମାନଙ୍କୁ ଗୁଡ଼ି ପରି ଉପରକୁ ଉଡ଼ାଇ ନେଉଛି । ନଈବଢ଼ିର ତିକ୍ତ ଆସ୍ୱାଦ ବି ମିଳି ଯାଉଛି । ଖଜଣା ବଢ଼ିଚି, ଟିକସ ବଢ଼ିଚି, ଜାଲ୍‌ଜୁଆଚୋରୀ ବଢ଼ିଚି–ବଢ଼ ବଢ଼ି ନାକବୁଡ଼ା ସ୍ତରକୁ ଆସି ଯାଇଛି ସବୁ । କି ଶସ୍ତା ଥିଲା ଏ ଗଡ଼ଜାତ, କି ମହଙ୍ଗା ଏ ମୋଗଲବନ୍ଦୀ ! ଗଡ଼ଜାତ ପ୍ରଜା ଭାବୁଚି—ମହରଗରୁ ଯାଇ କାନ୍ତାରରେ ପଡ଼ିଲା ।

 

ତାଳମୂଳ ରାଜବଂଶର କଥା, ରାଣୀ ସୁରତରଙ୍ଗିଣୀ ଶୁଣିଲେ, ଛାଡ଼ିଲେ ଗୋଟିଏ ଦୀର୍ଘଶ୍ୱାସ ।

 

ନଈ ପରି ଏ ଗୋଟିଏ ଧାରା, କେଡ଼େ ଟିକିଟିଏ ହୋଇ ବାହାରିଚି, କେଡ଼େ ବଡ଼ ହୋଇ ସମୁଦ୍ରରେ ପଡ଼ିଚି !

 

ଏବେ ସବୁ ଅତୀତରେ ପୋତି ହୋଇ ପଡ଼ିଲା । କିଏ ଖୋଜୁଚି ତାର ମୂଳ ? କିଏ ଦେଖୁଚି ତାର ମଝି ? ଏବେ କରୁଣ ଦୃଷ୍ଟିରେ ଦେଖନ୍ତି ଲୋକେ, କହନ୍ତି ୟାଙ୍କ ବାପା, ବୁଢ଼ାବାପା ଦିନେ ରଜା ଥିଲେ ! ଆମେ ୟାଙ୍କ ପ୍ରଜା ଥିଲୁ ! ଏବେ ୟେ.....

 

ଏବେ ମନୁ, ମାନ୍ଧାତା, ଶିବି, ଦିଲୀପ, ରଘୁ, ଦଶରଥ, ଭରତ, ଯଜାତି, ପରୀକ୍ଷିତ ପୌରାଣିକ ରାଜ ନାମ ଲୋକେ ଉଦାସୀନ ଭାବେ ଶୁଣନ୍ତି, ମନରୁ ପୋଛି ପକାନ୍ତି । କେଡ଼େ କେଡ଼େ ମହାରାଜା ପାଣିଫୋଟକା ପରି କାଳସିନ୍ଧୁରେ କୁଆଡ଼େ ମିଳାଇ ଗଲେ ! ମାଟି ଖୋଳୁ ଖୋଳୁ ପାଟରାଣୀଙ୍କର ଗଜମୋତିମାଳା, ସୁନାର କିଆପତ୍ରୀ, ବାରହାତ ଲମ୍ୱ କେଶର ଅଷ୍ଟରତ୍ନ ମୋତିଜାଲି ବାହାରିପଡ଼େ । କୋଉ ଦେଶର ରାଜାଙ୍କର ରାଣୀ ଏ ? କୋଉ ପର୍ଯ୍ୟନ୍ତ ତାଙ୍କ ରାଜ୍ୟର ବିସ୍ତାର ଥିଲା ? କେଡ଼େ ପ୍ରଚଣ୍ଡ ଥିଲା ତାଙ୍କର ପ୍ରତାପ ! କାଳ କାହିଁକି ତାଙ୍କ ଇତିହାସ ସଞ୍ଚି ରଖିବାକୁ ଅନାବଶ୍ୟକ ମନେ କଲା ?

 

କାଳ ସଙ୍ଗେ ବଳ କଷି ପାରିଛନ୍ତି ଅଳ୍ପ କେତେ ଜଣ ରାଜା । ଏଠିସେଠି ଗୋଟାକେତେ କୀର୍ତ୍ତି ତାଙ୍କର ଦେଖାଯାଏ—ଦେଉଳ, ଅଟ୍ଟାଳୀ ! –କୀର୍ତ୍ତିର୍ଯସ୍ୟ ସ ଜୀବତି ।

 

ସେଥି ଲାଗି କୁହାଯାଏ—ଆପଣା କଲା କର୍ମମାନ

ଆଗୁଁ..........

 

ରାଜା କୀର୍ତ୍ତଚନ୍ଦ୍ର କହିଲେ—

 

‘ପ୍ରିୟେ, ଦିନେ ତ ହେଲେ କାହାର ମନ୍ଦ ପାଞ୍ଚିନାହିଁ । ଭୋଗୁଚି କୋଉ ଅପକର୍ମର ଫଳ-?’

 

‘ନାଥ, କାଳର କଳା ପର୍ଦ୍ଦା ସବୁ ଘୋଡ଼ାଇ ପକାଇଚି । ପୂର୍ବଜନ୍ମ, କର୍ମର କଥା ତ ମଣିଷ ଭୁଲିଯାଏ । ପୂର୍ବଜନ୍ମରେ କିଏ କଣ ଥିଲା, କି ଅକର୍ମ କି ସୁକର୍ମ କରିଥିଲା, କିଏ କହିପାରିବ-? ଏ ଜନ୍ମ, ଏ ଜୀବନର କର୍ମ ହିଁ ବଡ଼, ୟା ଉପରେ ଆମ ଭବିଷ୍ୟତ ନିର୍ଭର କରେ ।

 

କାହାଣୀ ଶୁଣିସାରି ରତନା କହିଲା, ସାଆନ୍ତେ, କେଡ଼େ ବଡ଼ ରାଜବଂଶ ଏ ! ଏକମନରେ ଶୁଣିଚି, ଭୋକଶୋଷ ଭୁଲିଯାଇଚି ।

 

ଆପଣ ତ କାହାଣୀର ଖଣି, ମତେ କଣ କହୁଚନ୍ତି !

 

ବୁରୁନ୍ଦି ସାଆନ୍ତେ କହିଲେ—ଆରେ ତୁ କହୁ କଥା, ମୁଁ କହେ ସତ କଥା ।

 

‘‘ମୋ କଥାସବୁ ମିଛ ?’’

 

‘‘ନାଇଁରେ ମିଛ କାଇଁକି ହବ ? ସେ ବି ଦିନେ ଖାଣ୍ଟି ସତ କଥା ଥିଲା । କେହି ଜଣେ ଅନୁଭବୀ ତାକୁ ଏମିତି ରୂପ ଦେଇଛି । ଏ ଯୁଗରୁ ସେ ଯୁଗକୁ, ଏ ତୁଣ୍ଡରୁ ସେ ତୁଣ୍ଡକୁ ଯାଇ ବାସ୍ତବତାଟିକ କୁଆଡ଼େ ହଜି ଯାଇଛି । ସବୁ ସ୍ୱପ୍ନ ପରି ଲାଗୁଚି ।’’

 

ମୁଁ ଟିକିଏ ରାଜା କୀର୍ତ୍ତିଚନ୍ଦ୍ରଙ୍କୁ ଦେଖନ୍ତି !’’

 

‘କଣ ଦେଖିବୁ ବା ? ଲକ୍ଷ୍ମୀଛଡ଼ା ଉଆସଟା ପୁରୁଣା ଯାଦୁଘର ପରି ଦିଶେ । ତା ଭିତରୁ ମୂର୍ତ୍ତିଟିଏ ଜୀବନ୍ୟାସ ପାଇ ଆସିଲା ପରି ଦିଶନ୍ତି ରାଜା—ଏ ଯୁଗକୁ ଉଆସ, ଏ ରାଜ ରୂପ ଖାପ୍‌ଛଡ଼ା ଦିଶେ । ବାଲିଗିରିଡ଼ାକୁ ଦେଖି କିଏ ଅନୁମାନ କରିବ—ଏ ଦିନେ ପର୍ବତ ଥିଲା ! କାଳ ତାକୁ ଖାଇ ଖାଇ ଏତିକିରେ ରଖିଚି; ନଈ ସୁଅରେ ଗଡ଼ି ଗଡ଼ି ଆସି ସେ ଆହୁରି ବେଶୀ ଘୋରି ହୋଇ ଯାଉଚି । ହୁଏତ କେତେ ଦିନ ପରେ ଗୋଟିଏ ବାଲି ହୋଇଯିବ । ସେଥିରୁ ଧୂଳି ହୋଇ କୁଆଡ଼େ ବୋଲି କୁଆଡ଼େ ଉଡ଼ିଯିବ । ସେମିତି ଦିନକୁ ଦିନ ଉପରୁ ତଳକୁ, ଆହୁରି ତଳକୁ ଖସୁଛନ୍ତି ରାଜା; ଦରିଦ୍ରତର, ମଳିନକିଂର ତାଙ୍କର ରୂପତ ବା ରୂପାନ୍ତରରେ ହୋଇଛନ୍ତି କାନ ତରାଟି,ସିନେମା ହାଉସ୍‌’ର ମାଲିକ....

 

ସାଆନ୍ତେ, ସେମିତି କହନା......;

 

ସେ ରାଜା—ତାଙ୍କର ରାଜକଳା ଅଛି ବୋଲି । ତାଙ୍କ ଛାଁଟ୍‌କାଟ୍‌ ଅଲଗା ହେଇଥିବ, ଯେତେ କହିଲେ କଣ ହେବ ?

 

ଟିକିଏ ମତେ ଦେଖାଇ ଦିଅ, ସାଆନ୍ତେ, ନେହୁରା ହଉଚି ।

 

ଅଡଙ୍ଗରେ ଜୁଣ ମସିଣାଟିଏ ପଡ଼ିଚି । କାନ୍ଥକୁରାରେ କରଞ୍ଜ ତେଲର ଦୀପଟା ଜଳୁଚି । ଦୀପ ନାସିର କଳା କାନ୍ଥକୁରାର ପ୍ରାୟ ଚାଖଣ୍ଡେ ଉପରକୁ ଉଠ ହଜି ଯାଇଚି । ଶୋଉ ଶୋଉ ରତନା ଭାରିଯାକୁ କହିଲା—ବୁଝିଲୁ ରତନୀ, କାଲି ରାଜଦର୍ଶନକୁ ଯିବି । ବୁରୁନ୍ଦି ସାଆନ୍ତେ କହିଛନ୍ତି, ନେଇଯିବେ ।

 

‘ମିଛ; ରଜା ଯେ, ଦିଅଁ ସେ । ଦିଅଁ କଣ ମଣିଷଙ୍କୁ ଦେଖା ଦିଅନ୍ତି ?’

 

‘ଆଖତ ଛୁଉଁଚି, ହିଙ୍ଗୁଳାଙ୍କ ରାଣେ ।’

 

‘ତୁମ ମୁହଁକୁ ଲାଜ ନାଇଁ ? କଣ ପିନ୍ଧି ଯିବ ? ସାତସିଆଁ ଗାମୁଛା ପିନ୍ଧି ବିଲରେ ପଡ଼ୁଚ ବୋଲି......କଣ ମାନମହତ ନାଇଁ ?’

 

‘ତୋ ଭାଇ ଲଇଖିଣିଆଠଉଁ ଟିକିଏ ଦୋସଡ଼ାଟା ମାଗି ଆଣ୍‌; କୁଞ୍ଚାକୁଞ୍ଚି ହେଇ ପେଡ଼ିରେ ‘ରଣପୁରୀ’ ଖଣ୍ଡିକ ଅଛି, ତାକୁ ପିନ୍ଧି ଯିବି ।’

 

‘ମଲା ମୋର, ତାର କୋଉଠା ଦଢ଼ ଅଛି ମ ? ଅଷ୍ଟ ଶରୀର ତ ଅସରପା ଟୁକି ଯାଇଛନ୍ତି !’

 

‘ସେଇ ଚଳିବ; ଆମେ କୋଉ ଲାଟଘର ପିଲା ହେଇଚୁ କି ?’’

 

‘ହଉ ହେଲା । ଖାଲିହାତରେ କ’ଣ ଯିବ ? ଦେଉଳକୁ କି ଉଆସକୁ ଖାଲିହାତରେ କିଏ ଯାଏ ? ଆମର କିଛି ନାଇଁ ବୋଲି କ’ଣ ମହତ ନାଇଁ ?’

 

‘ଆଲୋ ହେ, ପିଢ଼ାରେ ଯୋଉ ପାଚିଲା ବୋଇତୀ କଖାରୁଟି ଅଛି, ତୋ ମନକୁ କେମିତି ପାଉଚି ?’

 

‘ଛିଆ, ଏ କ’ଣ ତାଙ୍କ ମନକୁ ପାଇବ ?’

 

‘ଚାଉଳଭୁଜା ମୁଠାଏ ଯଦି ଦ୍ୱାରକାର ରାଜା ଶ୍ରୀକୃଷ୍ଣଙ୍କ ମନକୁ ପାଇଲା, କଖାରୁଟା ଆମ ରଜାଙ୍କ ମନକୁ ନ ପାଇବ କାଇଁକି ? ଅସଲ ମନର ଭକ୍ତିଭାବ ।

 

ଆଛା, ଦେଖିଲୁ, ବାଡ଼ିଆଡ଼ ରଞ୍ଜାରେ ଯଦି କଶିକାକୁଡ଼ି ଥାଏ.....’

 

‘ମଲା, ଫୁଲ ନ ଶୁଖୁଣୁ କୁଆ କହୁଚି—ଏ ମୋର, ଲାଲ ପିମ୍ପୁଡ଼ି ସିଆଡ଼ ବେଢ଼ିଆସୁଛନ୍ତି-। ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରୁଚି—ମାନେ ଏଟା ମୋର, ମୋର । ପିଲାଏ ଦାନ୍ତ ନ ଘୁଷୁଣୁ ପତ୍ରେ ପତ୍ରେ ଦରାଣ୍ଡୁଛନ୍ତି । କଶି କାକୁଡ଼ିଟିଏ ପାଇଲେ ପଛଆଡ଼େ ଆଂଶ ଘଷି ଦେଇ ଚୋବାଇ ଯାଉଛନ୍ତି-। ୟାଙ୍କ ଦାଉରୁ ବଞ୍ଚିବ କୋଉଠି ଯେ ତୁମେ ରଜାଘରକୁ ନବ । ଦି ଚାରିଟା ପାଚିଲା ପିଜୁଳି ଟିଣ ବାଡ଼େଇ ତଡ଼ି ବାଦୁଡ଼ି ମୁହଁରୁ ଅଟକାଇଚି, କାଲିକି ହାଟକୁ ନେବି । ଘରେ ଲୁଣ ନାଇଁ-।’

 

‘ଲୁଣ ନ ହେଲେ ନାଇଁ, ଅଲଣା ଖାଇବା; ମିଳି ତ ଗଲାରେ...

ବାଃ ବାଃ ରେ ରତନୀ

ପାଟପତନୀ

ସରୁ କାଟେଣୀ

ନଅର ଜହ୍ନୀ

ଫୁଲବରଣୀ

ରତନୀ କରିଚି ଘର

ଅଠର ଖଣ୍ଡ ବାଇଦ ବାଜେ ଟଙ୍ଗର ଟଙ୍ଗର ।

 

ଛଟାଟା ବୋଲି ଘେରାଏ ନାଚି ଯାଉଁ ଯାଉଁ ରତନା ଶୁଣିଲା—ରତନୀ କହୁଚି—ମତେ ଚିଡ଼ାନା, ରାଗିଲେ ମୁଁ କାହାରି ନୁହେଁ.....ହଁ । ପିଲାଏ ପରା ସେ ଘରେ ଅଛନ୍ତି ! ତମକୁ ଟିକିଏ ଲାଜ ମାଡ଼ୁନାଇଁ ? ନାଚୁଚ ?

 

ବୁରୁନ୍ଦି ସାଆନ୍ତେ ସିଂହଦୁଆର ପାହାଚ ଉପରକୁ ଖପ୍‌ଖାପ୍‌ ଉଠିଗଲେ ।

 

ରତନା ଶଙ୍କିଗଲା । ଆଁକଲା ସିଂହ ଦିଟାକୁ ଚାହିଁଦେଇ ଛାତି ତାର ଦାଉଁ ଦାଉଁ ପଡ଼ିଲା । ଚାଲିଲାବେଳେ ପାହାଚରେ ଧୂଳି ଲାଗିଗଲେ କେହି କିଛି କହିବେ ନାଇଁ ତ ? ଆଣ୍ଠୁଯାଏ ଧୂଳି । ଗୋଡ଼ଧୋଇ ଯାଇଥିଲେ ହେଇ ନ ଥାନ୍ତା ? ପୋଖରୀ ନାଇଁ ?

 

ଓଃ, କେଡ଼େ ଉଞ୍ଚ ଘର ! ବେକ ଭାଙ୍ଗିଯାଉଚି, ମୂଳରେ ଛିଡ଼ାହୋଇ ଅଗ ଦେଖି ହଉନି-

 

କେତେ ବାଘ ମୁଣ୍ଡ, ଗୟଳ, ସିଂହ, ଓଃ, ଛାତି ଥରି ଉଠୁଚି କାଇଁକି ? ଦିହରେ ତ ଖଡ଼ିଗାର ପଡ଼ିଯିବ । କେଡ଼େ ନୁଖୁରା । ମୁଣ୍ଡଟା କେଡ଼େ ଅଲରା ବଲରା ! ଟିକିଏ କୁଣ୍ଡେଇ ଯାଇଥିଲେ ହେଇ ନ ଥାନ୍ତା । ହନୁହାଡ଼ ଉପରକୁ ଚାହିଁଚି । ଗାଲ ଆଉ ଆଖି ଗାଡ଼େ ଗାଡ଼େ ପଶିଯାଇଚି । ଏ ଅପରଛନିଆଁ ଲୋକଟାକୁ ଦେଖି ରଜା ରାଗିବେ ନାଇଁ ତ ?

 

ଡରି ଡରି ଆଗକୁ ପାଦେ ପଛକୁ ପାଦେ ହଉଁ ହଉଁ ରତନା ବୈଠକଘର ଦୁଆରେ ପହଞ୍ଚିଗଲା । ସାଆନ୍ତେ ଆଖି ଠାରି ଦେଲେ—ହେଇ ରଜା ।

 

ରତନା ଚାହିଁଦେଇ ବୋକା ପାଲଟିଗଲା । କ’ଣ କରିବ ସେ ? କେମିତି ମାନ୍ୟତା ଦେଖାଇବ ?

 

ଭାବୁ ଭାବୁ ଲମ୍ୱ ହୋଇ ଗୋଡ଼ ତଳେ ପଡ଼ିଗଲା । ତଳେ ବସି ଦେଖିଲା—ଥାଳୀ ପଟ ପରି କେଡ଼େବଡ଼ ମୁହଁ, କେଡ଼େ କେଡ଼େ କଡ଼ରା ବାଘୁଆ ନିଶ । କେଡ଼େ କେଡ଼େ ଲମ୍ୱା ଚୌଡ଼ା ଆଖି ।

 

ହେଲେ ରାଜପୋଷାକ କାହିଁ ? ମୁକୁଟ ? ପାଟଖଣ୍ଡା ? ମନ୍ତ୍ରୀ କାହାନ୍ତି ? ଦୁଆରୀ ?

 

ସିଂହାସନ କାହିଁ ? ଏ ତ ଗୋଟାଏ ଗଦି ଚୌକି, ସାଆନ୍ତଘରେ ଦେଖିଚି । ଅଧିକା କ’ଣ ?

 

ପିନ୍ଧିଛନ୍ତି ମିଲ୍‌ କୁଞ୍ଚିକରା ଧୋତି, ଦିହରେ ଖଣ୍ଡେ କୁରୁତା । ଏ ରଜା ହଁ, ଯୋଉ ଯୁଗରେ ଯେମିତି ରଜା ମରହଟ୍ଟିଆ ଯୁଗରେ ଜରୀ ବେଶ, ଜରୀ ମୁକୁଟ ଥିଲା । ଅଣ୍ଟାରେ ଖଣ୍ଡାଟାଏ ଝୁଲୁଥିଲା । ଇଂରାଜୀ ଅମଳ ହେଲା । ଯୁଗ ବଦଳିଲା, ବେଶ ବି । ସେ ଅମଳ ଯାଇ ଏବେ କଂଗରସ ଅମଳ । ଏ ଯୁଗକୁ ଚାହିଁ ଏ ବେଶ ।

 

ରାଜା କୀର୍ତ୍ତିଚନ୍ଦ୍ର ଏକଲୟରେ ଅନାଇ ରତନାର ଗତିବିଧି କଳୁଥାନ୍ତି ।

 

ରତନା କଖାରୁ ଆଉ ଚାରୋଟି ପିଜୁଳି ନେଇ ସାମ୍ନାରେ ଥୋଇଦେଲା—କଣ ମୁଁ ଦେଇପାରିବି, ଛାମୁଁ ?

 

ରଜା ପଚାରିଲେ—କଖାରୁ, ପିଜୁଳି ଆଣିଚ କାଇଁକି ? ଚଉକୀରେ ବସ, ତଳେ କାହିଁକି-?

 

ରତନା ମନେ ମନେ ବିଚାରିଲା—କ’ଣ ? ରଜାଙ୍କ ସମାସ୍କନ୍ଧ ହୋଇ ବସିବି ! ମୋ ବୁଦ୍ଧି କ’ଣ ପୋଡ଼ିଜଳି ଗଲାଣି ? ସାନ ବଡ଼ ଜ୍ଞାନ ନାହିଁ ?

 

କାହିଁ ରାମଚନ୍ଦ୍ର ମହାରାଜା

କାହିଁ ରାମା ଭଣ୍ଡାରୀ !

 

ଆଜିକାଲି ସବୁ ସମାନ । ସାନବଡ଼ ଭେଦ ଭେକର ଭିଆଣ ।’

 

‘ମୁହେଁ ମୁହେଁ କେମିତି ଜବାବ ଦେବି ? ଯୁକ୍ତି କଲା ପରି ହେବ ନାହିଁ ତ ? ସମାନ କହିଦେଲେ କ’ଣ ସମାନ ହେଇଯାଏ, ଛାମୁଁ ? ନଡ଼ା ଚାଳ କୁଡ଼ିଆ ଆଉ ପଥର ଉଆସ କ’ଣ ସମାନ ? ଅଲଣା ପଖାଳ ଆଉ ଖେଚାଡ଼ିଭାତ କ’ଣ ସମାନ ? ତଳେ ଗଡ଼େ, ଛିଣ୍ଡା କନାଧଡ଼ି ପିନ୍ଧେ, ଖପରାରେ ଖାଏ । ଏ ସବୁ କ’ଣ ଛାମୁଁଙ୍କ ପୋଷାକ ଆଉ ମୁଣୋହିଁ ସଙ୍ଗେ ସମାନ ହେଇଯିବ ?

 

କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ ?

 

କାହିଁ ହୀରା କାହିଁ ବାଉଁଶ କଣି ?

 

ରଜା ବୁଝିଲେ—ରତ୍ନାକର ଅଳପକେ ନାହିଁ । କହିଲେ—ବହୁତ ସାହେବସୁବା, ରାଜାମହାରାଜା ଅତିଥି ଏଠିକି ଆସିଛନ୍ତି । ଆଜି ତୁମେ ମୋର ଅତିଥି !

 

‘ମୁଁ କି ଛାର ମଣିଷ, ମତେ ଅତିଥି କହୁଛନ୍ତି ! ରଜାଙ୍କ ଅତିଥି ହେଇଥିଲି—ଏ କଥା ଯଦି କାହା ଆଗରେ କହେ, କିଏ ବିଶ୍ୱାସ କରିବ ? ଲୋକେ କହିବେ—ୟା ମୁହଁରୁ ଦିଶୁଚି ଏକା !’

 

‘ବୁରୁନ୍ଦି ସାଆନ୍ତେ ତୁମ ବିଷୟରେ ମତେ ବହୁତ କହିଛନ୍ତି । ଉଆସରେ ଯେତେଦିନ ପାରୁଚ ରହ, ଇଚ୍ଛାହେଲେ ଦି କାମ କରିବ, ନଇଲେ ନାଇଁ ।’

 

‘ଛି ଛି, ସାଆନ୍ତେ କାଇଁକି ଏମିତି କହିଲେ । ଛାର ମଳିମୁଣ୍ଡିଆଟାଏ, ବଡ଼ ଛିଛାକର ଜୀବନ ମୋର । କେତେବେଳେ ଗଛମୂଳେ କେତେବେଳେ ଚାଳିଆ ତଳେ ।’

 

‘ତୁମଠାରୁ ଗପ ଶୁଣିବା ।’

 

‘ମୋ ଗପ ପିଲାମାନେ ଶୁଣନ୍ତି । ଦିନେ ବକ୍‌ ବକ୍‌ ନ ହେଲେ ମତେ ନିଦ ହୁଏ ନାହିଁ । ସେ ବାଇଆ କଥାଗୁଡ଼ାକ ଛାମୁଁ କ’ଣ ଶୁଣିବେ ? ଦରବାରରେ କେତେ କବି ପଣ୍ଡିତ......’

 

‘ମୋର ଆଉ ସେ ଦରବାର ନାଇଁ । ତୁମକୁ ଘେନି ହିଁ ଏଣିକି ବେଳେ ବେଳେ ମୋ ଦରବାର ବସିବ । ତୁମେ ଏବେ କୁଣିଆଁ, ଦୁଃଖର କୋଳରେ ବଢ଼ିଚ, ଦୁଃଖ ବୁଝିପାରିବ, ରଜାର ଦୁଃଖ ?’

 

‘ରଜା ତ ପ୍ରଜାର ଦୁଃଖ ବୁଝିପାରିଲେ ନାହିଁ, ଯୁଗ ଯୁଗ ବହିଗଲା । ମୁଁ ପାମର ପ୍ରଜାଟାଏ, ମୋର ବୁଦ୍ଧି କେତେ, ମୁଁ ବୁଝିବି ରଜାର ଦୁଃଖ ! କୋଉ ଶିରାରେ ବଥ ଧକ୍‌ ଧକ୍‌ କରେ, ଅଢ଼ାଙ୍ଗୁଳି ଯନ୍ତ୍ରଣା ଦିଏ, ଅନୁଭବୀ ତା ବୁଝେ । ଅନ୍ୟ ଲୋକ ବୁଝିପାରେନାହିଁ ।

 

ମୋ ଗପଗୁଡ଼ାକ ତ ଗାଉଁଲୀ, ସକାଳୁ ଉଠିଲେ ଯେ ଲଙ୍ଗଳେ ଯାନ୍ତି, ସେଇ ବନେଇଛନ୍ତି । ତାଙ୍କରି ଲୋକଙ୍କୁ ଭଲ ଲାଗିବ । ରାଜାପୁଅକୁ ଖଜା ଅପୂରୁବ ?’

 

‘ନାଇଁ, ଖଜା ମିଠେଇ କଥା ପଡ଼ିନାଇଁ । ସେ ପାଟିରୁ ଯାଇ ପେଟରେ ମିଳେଇଯାଏ । ଗଳ୍ପ ସବୁକାଳେ ରହେ ।

 

ରତନା ଗଳା ସଫାକରି ଆରମ୍ଭ କଲା—

 

ସାତ ସମୁଦ୍ର, ତେର ନଈର ପାଣି ହାଉଜାଉ; ଢେଉଙ୍କ ଭିତରେ ଧରାଧରି, ପରାପରି; ଠେଲାପେଲାରେ ଉଘାଉଘି, ବକାବକି ହୋଇ ଏ ତା କାନ୍ଧରେ, ସେ ୟା ଛାତିରେ ଆସି ବାଜୁଚି । ଢେଉଙ୍କ ଏ ଯୁଦ୍ଧଗୋଳଗହଳ ମଧ୍ୟରେ ଗୋଟାଏ ଟାପୁ—ନାଁ ‘ସୁନା ଟାପୁ ।’

 

ଏ ଟାପୁର ରଜା କିଏ ? ରାଣୀ କିଏ ? ମନ୍ତ୍ରୀ ବା ସେନାପତି କିଏ ? କେହି ଜାଣନ୍ତି ନାହିଁ । ପ୍ରଜାଙ୍କ ବିଷୟରେ ବି କିଛି ଖବର ନାହିଁ ।

 

ଏଠି ଜଙ୍ଗଲ ଅଛି କି ନାହିଁ, ଥିଲେ ସେଥିରେ ବାଘ, ଭାଲୁ, ଗଣ୍ଡା, ହାତୀ ଆଦି ପଶୁ, ଅହିରାଜ, ଅଜଗର, ଶଙ୍ଖଚୂଡ଼ ଆଦି ସାପ, ରହନ୍ତି କି ନାହିଁ, କେହି ଜାଣେନାହିଁ । ତେବେ ଉଡ଼ି ଉଡ଼ି ଡେଣା ଘୋଳି ହେଲେ ସମୁଦ୍ରର ବଡ଼; ସାନ ପକ୍ଷୀ ଆସି ବିଶ୍ରାମ ନିଅନ୍ତି, ଡିମ୍ୱ ଦିଅନ୍ତି । ସଞ୍ଜସକାଳେ ପକ୍ଷୀଙ୍କ କୋଳାହଳ ଢେଉଗୋଳକୁ ବଳିଯାଏ ।

 

ଏ ଟାପୁର ରାଣୀ ମଉନାବତୀ । ସେ ସବୁବେଳେ ମଉନ ହୋଇ ରହିଥାନ୍ତି । ତାଙ୍କ ଦେଖାଦେଖି ମୂଦୁସୁଲୀମାନେ ବି ମଉନା, ସୈନ୍ୟସାଗର ମଉନ, ପ୍ରଜାମାନେ ବି ମଉନ । କେବଳ ଏ ରାଜ୍ୟରେ ପକ୍ଷୀ, ଗଛବୃଛ, ଢେଉ ଅମାନିଆଁ । କିଚିରିମିଚିରି, ସରସର ମରମର, କଳକଳ ଛଳଛଳ ଶବ୍ଦ ଶୁଭୁଥାଏ । ଦିପହର ହେଲେ, ପବନ ବନ୍ଦ ହେଲେ ଚାରିଆଡ଼ ନିଶବଦ ହେଇଯାଏ । ସତରେ ଏମିତି ଏକ ମଉନ ମୁଲକ ପୃଥିବୀରେ ଆଉ କାହିଁ ନାହିଁ ।

 

ମଉନା ଯୁବତୀ, ଗୋଟିଏ ଉଆ ଚାଉଳରେ ଗଢ଼ା; ସେ ସଂକଳ୍ପ କରିଥାନ୍ତି—ଯେ କଥା କୁହାଇ ପାରିବ, ସେ ତାଙ୍କୁ ବିଭା ହେବେ । କେଡ଼େ କେଡ଼େ ମୁଲକର ଯୁବରାଜ୍‌ ହଦେଇ ଗଲେଣି, କେହି ତ ପାଖରେ ପଶି ପାରୁନାହାନ୍ତି, କଥା କୁହାଇବେ କଅଣ ?

 

ସପନପୁରର ରାଜକୁମାର, ତାଙ୍କର ବେତାଳ ସାଧନା; କେଡ଼େ କେଡ଼େ ସାଧିଛନ୍ତି, ହେଲେ ମନଲାଖୀ କନ୍ୟାଟିଏ ନିଜ ଲାଗି ଆଣିପାରି ନାହାନ୍ତି । ଏଣେ ବୟସ ବଢ଼ି ଯାଉଥିଲେ ବି ବାଡ଼ୁଅପାଣି ପଡ଼ି ପାରିନାହିଁ । ରଜାରାଣୀଙ୍କ ଭାଳେଣି, ହେଲେ ପୁଅ ମନ ନ କଲେ ସେମାନେ କଣ କରିପାରିବେ ?

 

ମଉନାବତୀଙ୍କ ପଣ କଥା ଦିନେ ତାଙ୍କ କାନରେ ପଡ଼ିଲା । ସେ ଆଶ୍ଚର୍ଯ୍ୟ ହେଲେ—ଝିଅଙ୍କ ପାଟି ତ ସବୁବେଳେ ଟାକୁ ଟାକୁ, ଟିକିଏ କଣ କଥା ପଡ଼ିଲେ ଗୁଡ଼ାଏ ଗପିଯାନ୍ତି, ବହେ ହସିପକାନ୍ତି । ଏମିତି ଖୁମାଣୀ, ଗୁମାନୀ ଝିଅ ଫେର୍‌ ସଂସାରରେ ଅଛନ୍ତି, ଯେ ପଦେ ବି କଥା ନ କହି ରହିପାରେ ! କେମିତି ଝିଅ ସେ ହେଇଥିବ, ସତେ କେମିତି ?

 

ରଜାପୁଅ ଦରିଆକୂଳରେ ପହଞ୍ଚିଲା । କେତେ ଢେଉ ଏଠି ସେଠି ଛିଞ୍ଚାଡ଼ି ହେଇ ପଡ଼ୁଥାନ୍ତି, କେତେ ବା କୂଳ ସହିତ ବଳ କଷୁଥାନ୍ତି, ନ ପାରି ମୁଣ୍ଡ ନୁଆଁଇ ଲାଜରେ ଫେରିଯାନ୍ତି । କେତେ ବା କଚାଡ଼ି ହେଇ ପଡ଼ି ମରୁଥାନ୍ତି ।

 

ରଜାପୁଅର ଭାଳେଣି—କେମିତି ସେ ଟାପୁକୁ ଯିବ ? ବୋଇତ କାଇଁ ? ପହଁରିଗଲେ ମଗର, ସାଙ୍କୁଶଙ୍କ କବଳରେ ପଡ଼ିବା ହିଁ ସାର ହେବ । ସେ ଅଷ୍ଟବେତାଳକୁ ସୁମରଣା କଲା । ବେତାଳମାନେ ଆକାଶରେ ଉଡ଼ିଯାଇପାରନ୍ତି, ସମୁଦ୍ରରେ ପହଁରି ଯାଇପାରନ୍ତି । ଏମିତି କିଛି ଅସାଧ୍ୟ ନାହିଁ, ଯାହା ସେମାନେ ସାଧି ନ ପାରନ୍ତି ।

 

ରଜାପୁଅର ମନ କଥା ଜାଣିପାରି ଜଣେ ବେତାଳ ହାମୁଡ଼ିପଡ଼ି କହିଲା—ବସ । ରଜାପୁଅ ତା ପିଠିରେ ବସି ଦଣ୍ଡକେ ସେ ସୁନାଟାପୁକୁ ଉଡ଼ିଗଲା—ଲୁଣୀ ସମୁଦ୍ର, କ୍ଷୀର ସମୁଦ୍ର, ମହୁ ସମୁଦ୍ର, ତା ପରେ ପଡ଼ିଲା ଦହି ସମୁଦ୍ର । ଏଇ ସମୁଦ୍ରରେ ଖରାରେ ଚିକ୍‌ ଚିକ୍‌ କରୁଚି ସୁନାଟାପୁ । ରଜାପୁଅ ଓହ୍ଲାଇଲା ।

 

ସାମ୍ନାରେ ଶଙ୍ଖ ମଲମଲ ଉଆସ, ହୀରା ନୀଳା ମୋତି ମାଣିକ ଖଞ୍ଜା । ପ୍ରଥମ ଦୁଆରେ ସୈନ୍ୟସାଗର, ରଜାପୁଅକୁ ଦେଖିବାମାତ୍ରେ ସୈନ୍ୟ ଘେରିଯାଇ ଶର ପେଷିଲେ, ତରବାରୀ ବୁଲାଇ ପାଖକୁ ଚମକି ଆସିଲେ, ସାବେଳୀ ଫିଙ୍ଗିଲେ । ସବୁ ବେତାଳଙ୍କ ଦିହରେ ବାଜିଲା, ଟିକିଏ କୋଉଠି ରାଞ୍ଚୁଡ଼ିବି ହେଲା ନାଇଁ । ତାପରେ ବେତାଳମାନେ ମାତିଉଠି ଭୀମ ରୂପ ଧରି ସୈନ୍ୟଙ୍କ ଉପରକୁ ଡେଇଁଲେ, ଜଣକ ଉପରେ ଆଉ ଜଣକୁ କଚିଦେଲେ । କାହା ଗୋଡ଼କୁ ଧରି ବୁଲେଇ ବୁଲେଇ ପଥର ଉପରେ ପିଟିଦେଲେ, ସମୁଦ୍ରକୁ ବା ଫିଙ୍ଗିଦେଲା । ତାପରେ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ । ରଜାପୁଅ ଯାଇ ଦ୍ୱିତୀୟ ଦୁଆରେ ପହଞ୍ଚିଲା ।

 

ସେଠି ଗୋଟିଏ ବଡ଼ ଶଙ୍ଖ, ତାକୁ ଫୁଙ୍କି ବଜାଇବାର ଶକ୍ତି କାହାରି ନାହିଁ । ଶତ୍ରୁକୁ ଦେଖିଲାକ୍ଷଣି ସେ ମନକୁ ମନ ବାଜେ । ଶଙ୍ଖ ଶବ୍ଦ ଶୁଣି ମଉନାବତୀ ଅଧିକ ସୈନ୍ୟ ପଠାଏ ।

 

ଏ ଶଙ୍ଖ ବାଜିବା ଆଗରୁ ସୁଉ ସୁଉ ହବା ମାତ୍ରେ ବେତାଳମାନେ ତା ମୁହଁ ବାଲିରେ ବନ୍ଦ କରି ସମୁଦ୍ରକୁ ଫିଙ୍ଗିଦେଲେ ।

 

ତୃତୀୟ ଦୁଆରେ ଗୋଟାଏ ଅସୁର ପକ୍ଷୀ; ଉଡ଼ିଲେ ଆକାଶରୁ ଅଧେ ଘୋଡ଼ାଇ ପକାଏ, କଳାହାଣ୍ଡିଆ ବଉଦ ଘୋଟି ଆସିଲା ପରି ଦିଶେ, କେବଳ ବିଜୁଳି ପରି ଚିକ୍‌ ଚିକ୍‌ କରୁଥାଏ ତାର ଦିଟା ଆଖି । ତଳକୁ ଝାମ୍ପି ପଡ଼ି ଦି ଚାରି ଖୁମ୍ପାରେ ମଣିଷ ଦିହର ସବୁ ମାଉଁସ ଖାଇଯାଏ, ଠିଆ ହୋଇଥାଏ ଖାଲି ହାଡ଼କଙ୍କାଳ ।

 

ମୋଟା ମୋଟା ବେତାଳଙ୍କୁ ଦେଖି ପକ୍ଷୀଟା ଅତି ଖୁସିରେ ହସି ପକାଇଲା । ହସ ପରି ଥଣ୍ଟରେ କିଛି ଦିଶିଲା ନାଇଁ, ସାବଳ ପରି ଥଣ୍ଟ ଦିଫାଳରୁ ଖେଁ–ଖେଁ–ଖେଁ ଶବ୍ଦଟାଏ ମାତ୍ର ବାହାରିଲା ।

 

ବେତାଳଙ୍କ ବଳ ଜଣା ନ ଥିଲା ବୋଲି ପକ୍ଷୀର ଏ ହସ; ହେଲେ କାନ୍ଦିବାକୁ ସେ ବେଳ ପାଇଲା ନାହିଁ । ବେତାଳେ ତା ତୋଟି ଚିପିଦେଲେ । ଗୋଟାଏ ବମ୍ୱାଜି ଫୁଟିଲା ପରି ପାଟିରୁ ଶବ୍ଦ ବାହାରିଲା । ତା ପରେ ମଲା ପକ୍ଷୀର ଡେଣା ଦିଟାକୁ ଓଟାରି ବେତାଳେ ୟାଡ଼େସିଆଡ଼େ ଫିଙ୍ଗିଦେଲେ ।

 

ଚତୁର୍ଥ ଦୁଆରେ ଗୋଟାଏ ହୟାନ୍ତ ଅସୁର । ଦିହଯାକ ବାଳ, ମୁଣ୍ଡରେ ଝୋଟ ଗୋଛଟାଏ ପରି ପାଚିଲା ବାଳ । ବେତାଳଙ୍କ ସାଙ୍ଗେ ସେ ଘଡ଼ିଏ ପହରେ ମଲ୍ଲଯୁଦ୍ଧ କରି ତାପରେ ଆଲିଜା ହେଇ ତଳେ ପଡ଼ିଗଲା । ବେତାଳେ ଲୁହାପରି ହାତ ପାପୁଲିରେ ତା ଡଙ୍କ ମୋଡ଼ିଦେଲେ ।

 

ଏମିତି ଚାରି ଦୁଆର ଲଙ୍ଘି ରଜାପୁଅ ଖଣ୍ଡେ ଦୂରରେ ଛିଡ଼ା ହେଲା । ସିଂହାସନରେ ମଉନାବତୀ ବସିଚି । ରୂପକୁ ଚାହିଁଦେବାମାତ୍ରେ ରଜାପୁଅକୁ ଲାଗିଲା ଯେମିତି ବାୟା ହେଇଯାଉଚି-। ବିହିବିଧାତା କେମିତି ଏ ରୂପ ଗଢ଼ିଚି ! କେଡ଼େ ନିଖୁଣ !

 

ରଜାପୁଅ ଚମକିପଡ଼ୁଚି, କେତେବେଳେ ବା ବୋକାହେଇ ଠିଆହଉଚି । କଥା କହିଲାବେଳେ ଦୋହଲିଲେ ଏ ଓଠ ଦିଫାଳି କେଡ଼େ ସୁନ୍ଦର ଦିଶନ୍ତା ! ମୁହଁରୁ କେତେ ଚନ୍ଦ୍ରଉଦିଆର ଢେଉ ଖସନ୍ତା ! ହଳଦିଚନ୍ଦନ ମିଶା ରଙ୍ଗର ଏ ଦେହଟି—ପଥର ମୂର୍ତ୍ତିଟିଏ ପରି ବସିଚି ।

 

ଅଷ୍ଟବେତାଳଙ୍କ ଭିତରୁ ଜଣେ ଲୁଚିରହିଲା ଖଟଖୁରାରେ ଜଣେ ଦୀପରୁଖାରେ, ଜଣେ ଖମ୍ୱରେ, ଜଣେ ପୂର୍ଣ୍ଣକୁମ୍ଭରେ । ଆଉ ଚାରିଜଣ ଅଦୃଶ୍ୟଭାବେ ଦେଖଣାହାରୀ ହୋଇ ରହିଲେ । ରଜାପୁଅ ତୁଣ୍ଡରୁ ବାହାରିଲା କଥାଟିଏ କହୁଁ...... କଥା...........

 

ଘରେ ଅବିହାଡ଼ୀ ଝିଅ; ପାତ୍ର ଖୋଜି ଚାରି ଦିଗକୁ ଚାରିଜଣ ଗଲେ—ବାପ, ବଡ଼ଭାଇ, ମାମୁଁ, ଅଜା; ଯିବା ଆଗରୁ ମନ କଥା କେହି କାହା ଆଗରେ କହିଲେ ନାହିଁ । ବିଭା ଦିନ ଥିର ହୋଇଗଲା, ଚାରି ଦିଗରୁ ଚାରି ବର ଆସି ପହଞ୍ଚିଲେ । ଏତିକିବେଳେ ଝିଅ କାହିଁକି ବାଡ଼ି ଆଡ଼କୁ ଯାଇଥିଲା, ତମ୍ପସାପ ଚୋଟେ ମାଇଲା । ସେତିକିରେ ଶେଷ । ଘରର ଯେତେ, ଚାରି ବର ଆଉ ବରଜାତି କାବାକାଠ ହୋଇ ଚାହିଁ ରହିଲେ । ହେଲେ ଉପାୟ କ’ଣ ? କୋକେଇ ବନ୍ଧାହେଲା । ଜୁଇ ଗାଡ଼ରେ ନିଆଁ ହୁତୁ ହୁତୁ ହେଇ ଜଳିଲା । ଜଣେ ବର ଅତି ଦୁଃଖରେ ସେଇ ନିଆଁକୁ ଡେଇଁପଡ଼ିଲା । ଆଉ ଜଣେ ରାଇ ଶୀତଳେଇଲା ପରେ ଅସ୍ଥି ନେଇ ଗଙ୍ଗାରେ ପକାଇଲା । ଜଣେ ଛତାପୋତି ସେ ଜୁଇପାଖେ ବସିରହିଲା । ଜଣେ ସଞ୍ଜୀବନୀ ମନ୍ତ୍ର ପାଠ କରି ସେଇ କନ୍ୟା ଓ ତାଲାଗି ପ୍ରାଣବଳି ଦେଇଥିବା ବରକୁ ବଞ୍ଚେଇଲା । ଏ କନ୍ୟାକୁ ଏ ଚାରିଜଣଙ୍କ ଭିତରୁ ବିଭାହବ କିଏ ?

 

ଦୀପରୁଖା କହିଲା—ଯେ ନିଆଁକୁ ଡେଇଁ ମରିଥିଲା ।

 

ଖଟଖୁରା କହିଲା—ଯେ କନ୍ୟାର ଅସ୍ଥି ନେଇ ଗଙ୍ଗାରେ ପକାଇଲା ।

 

ପୂର୍ଣ୍ଣକୁମ୍ଭ କହିଲା—ଯେ ମନ୍ତ୍ରପଢ଼ି ଜୀବଦାନ ଦେଲା ।

 

ମଉନାବତୀ ତୁଣ୍ଡ ଖୋଲି କହିଲା—ତୁମେ ସବୁ ଭାରି ଅନ୍ୟାୟ କଥା କହୁଚ ? ଯେ ନିଆଁକୁ ଡେଇଁ କନ୍ୟା ସହିତ ନବଜନ୍ମ ପାଇ ଉଠିଲା, ସେ ହେଲା ଜାଆଁଳା ଭାଇ; ଯେ ଆତ୍ମାର ସଦ୍‌ଗତି ଲାଗି କନ୍ୟାର ଅସ୍ଥି ନେଇ ଗଙ୍ଗାରେ ପକାଇଲା, ସେ ହେଲା ପୁଅ; ଯେ ସଞ୍ଜୀବନୀ ମନ୍ତ୍ର ପଢ଼ି ନବଜନ୍ମ ଦେଲା ସେ ହେଲା ବାପ । ଯେ କିଛି ନ କରି ମଶାଣିରେ ଛତା ପୋତି ବସିରହିଲା, ସେ ହେବ ପ୍ରକୃତପକ୍ଷେ କନ୍ୟାର ବର ।

 

ରଜା ଖୁସିହୋଇ ସଖୀମାନଙ୍କୁ ସାକ୍ଷୀରଖି କହିଲେ—ତୁମ ଜେମା ମଉନାବତୀ କଥା କହିଲେ ।

 

ତା’ପରେ ଦ୍ୱିତୀୟ ଗପର କଥାଟିଏ କହୁଁ । ବଢ଼େଇ, ତନ୍ତୀ, ଶଙ୍ଖାରୀ ଓ ରଜାପୁଅ ଚାରି ସଙ୍ଗାତ । ବିଦେଶ କରି ଗଲେ ! ଚାରି ପହରେ ଚାରି ସଙ୍ଗାତ ଜଗିରହିଲେ । ନିଶା ଗରଜିଲା । ପ୍ରଥମ ପହରେ ବଢ଼େଇପୁଅ ଗୋଟିଏ ସୁନ୍ଦର ମୂର୍ତ୍ତି ତିଆରି କଲା; ଦ୍ୱିତୀୟ ପହରେ ତନ୍ତୀ ତାକୁ ଲୁଗା ପିନ୍ଧାଇଲା; ତୃତୀୟ ପହରେ ଶଙ୍ଖାରୀ ଶଙ୍ଖା ପିନ୍ଧାଇଲା; ଚତୁର୍ଥ ପହରେ ରଜାପୁଅ ନିଜ ଜୀବନରୁ ଅଧେ ଦେଇ ଜୀଆଁଇଲା । ଏ ଚାରିଜଣଙ୍କ ଭିତରୁ କନ୍ୟା ପାଇବ କିଏ ?

 

ଖଟଖୁରା—ଶଙ୍ଖାରୀ;

ପୂର୍ଣ୍ଣକୁମ୍ଭ—ରଜାପୁଅ;

ଦୀପରୁଖା—ବଢ଼େଇ;

 

ମଉନାବତୀ ରାଗିଯାଇ କହିଲା—ତୁମ ଭିତରୁ କାହାକୁ ଭଗବାନ୍‌ ଟିକିଏ ବିଚାରବୁଦ୍ଧି ଦେଇନାହାନ୍ତି କିରେ ? ବଢ଼େଇହେଲା ବାପ; ରଜାପୁଅ ନିଜ ଜୀବନରୁ ଅଧେ ଦେଇ ଜୀଆଁଇଲା । ସେ ହେଲା ଭାଇ; ଶଙ୍ଖାରୀ ଶଙ୍ଖା ପିନ୍ଧାଇଲା । ସେ ଶଙ୍ଖା ଦାମ୍‌ ପାଇବ, ଇଜ୍ଜତ ରକ୍ଷାଲାଗି ତନ୍ତୀ ଲୁଗା ପିନ୍ଧାଇଲା । ସେ ହେଲା କନ୍ୟାର ପ୍ରକୃତ ବର ।

 

ରଜାପୁଅ ସଖୀମାନଙ୍କୁ ଦ୍ୱିତୀୟଥର ସାକ୍ଷୀ କଲା—ଦେଖ, ତୁମ ଜେମା ମଉନାବତୀ କେମିତି କଥା କହିଲେ !

 

ତାପରେ ରଜାପୁଅ ଶେଷ କଥାଟି କହିଲା—‘ଜଣେ ବଣିଆଁ ତୁମକୁ ଝୁରି ମରୁଚି । ଥରେ ମାତ୍ର ଦେଖା ଦେଇ ତା ଜୀବନ ରକ୍ଷା କର ।’’ ଗଉଡ଼ୁଣୀର ଏ ପ୍ରାର୍ଥନାରେ ବିକଳ ପାଇ ଜେମାଦେଈ ରାଜି ହୋଇଗଲେ । ସେ ଦେଉଳରେ ବଣିଆଁ ଟୋକାକୁ ଦେଖାଦେଲାବେଳେ ଚତୁରୀ ଗଉଡ଼ୁଣୀ କଣ କଲା ନା, ଦେଉଳ ଦୁଆର ବନ୍ଦ କରି ଜଉମୁଦ ଦେଲା । କଟୁଆଳ ଆଗରେ ଜେମାଙ୍କ ବଦ୍‌ନାମ ରଟନା କଲା ।

 

ଏ କଥା ଶୁଣି ମାଳୁଣୀ ହଜାରେ ସୁନାମୋହର ପୂଝାରୀକି ଲାଞ୍ଚ ଦେଇ ବଣିଆର ସ୍ତ୍ରୀ ଆଉ ପୁଅକୁ ଦେଉଳରେ ଭର୍ତ୍ତି କଲା । ଜେମା ବଣିଆଁ ପୁଅ ସହିତ ଦେଉଳରୁ ଖସି ଆସିଲେ । ମାଳୁଣୀ ନଅରରେ ସିନ୍ଧି କରି ଜେମାଙ୍କୁ ପୂରାଇଦେଲା । ରଜା ଗଉଡ଼ୁଣୀ କଥାର ସତ ମିଛ ବିଡ଼ିବା ଲାଗି ଦେଉଳ ମୁଦ ଖୋଲିଲେ, ଦେଖିଲା ବେଳକୁ ଭିତରେ ବଣିଆଁ ବଣିଆଣୀ । ଦିହିଙ୍କ ଭିତରେ କାହାର ବୁଦ୍ଧି ସରସ ?

 

ଖଟଖୁରା—ଗଉଡ଼ୁଣୀର;

ଦୀପରୁଖା—ଗଉଡ଼ୁଣୀର;

ପୂର୍ଣ୍ଣକୁମ୍ଭ—ଗଉଡ଼ୁଣୀର;

 

ମଉନାବତୀ ଗର୍ଜିଉଠି କହିଲା—ଶୁଣୁଚ, ଶୁଣୁଚ—ଏମାନେ କେଡ଼େ ଭୁଲ କଥା କହୁଛନ୍ତି ! ମାଲୁଣୀ ତ ଜିଣିଲା; ତା ବୁଦ୍ଧି ସରସ ନୋହିବ କାହିଁକି ?

 

ରଜାପୁଅ ସଖୀମାନଙ୍କୁ ସାକ୍ଷୀରଖି କହିଲା—ଏଥର ବି ମଉନାବତୀ କଥା କହିଲେ । ତିନି ଥରକୁ ଧରମ ଛାଡ଼ ।

 

ମଉନାବତୀ ଅତି ଆନନ୍ଦରେ ରଜାପୁଅ ଗଳାରେ ବରଣମାଳା ଦେଲେ । ଏମିତି ଆଡ଼ମ୍ୱରରେ ବିଭାଘର ହେଲା, ଯାହା କୋଉଠି ଆଖି ଦେଖିନାହିଁ କି କାନ ଶୁଣିନାହିଁ ।

 

ମୋ କଥାଟି ସରିଲା ।

 

ଗପ ଶୁଣିସାରି ରଜା ପଚାରିଲେ—ରତନା, ତୁ କଣ ପଢ଼ିଚୁ ?

 

‘ଚାହାଳୀକି ପୂଜା ନେଇନାହିଁ, ଛାମୁଁ ।’

 

‘ଏତେ ପାଠ ଜାଣିଲୁ କେମିତି ?’

 

‘ଏଗୁଡ଼ାକ ପାଠ ନୁହେ ଛାମୁଁ, ଶାଠ, ଦାଣ୍ଡରେ ପଡ଼ି ହାଟରେ ଗଡ଼େ । ଚାହାଳୀରେ ଅବଧାନ ବତାଏ ନାହିଁ, ଶୋଇଲାବେଳେ ବୁଢ଼ୀମାଆ କହେ । ଗପ ଶୁଣୁ ଶୁଣୁ ନିଦ ଲାଗିଯାଏ । ରାତିରେ ସପନ ଦେଖେ ସେଇ କଥା–ବାଘ ଡେଉଁଚି ଖେପାକେ ବାରହାତ; ସାପମାନେ ଫଣା ଟେକି ଗୋଡ଼ାଇଛନ୍ତି, ଗୋଡ଼ାଇଛି ଅସୁରୁଣୀ ବୁଢ଼ୀ ଏଡ଼େବଡ଼ ଆଁ କରି ।’

 

‘ଗେଲବସରିଆ ରଜାପୁଅ କାନରେ ଏ ଗପ ପଡ଼େ ନାହିଁ । ରାଣୀ ମାଆ ଜେନାମଣିଜେମାଣିଙ୍କୁ ଗପ କହନ୍ତି ନାହିଁ, ପାଖରେ ବି ଶୁଆନ୍ତି ନାହିଁ । ଦାସଦାସୀ ସେମାନଙ୍କୁ ଗଢ଼ନ୍ତି । ସେବା କରୁ କରୁ ସେମାନଙ୍କର କାଳ ବୋହିଯାଏ ।

 

କେତେ ଦିଗରୁ ପ୍ରଜା ରଜାଙ୍କ ଅପେକ୍ଷା ବେଶୀ ଭାଗ୍ୟବନ୍ତ । ସେ ମନଖୁସିରେ ଏକୁଟିଆ ବିଲବଣରେ ବୁଲେ, ଗଛରେ ଚଢ଼େ, ନଈପୋଖରୀରେ ପହଁରେ । ଏବେ ଜାଣୁଚି, ପ୍ରଜା ଖାଉଥିବା ଅନେକ ଚିଜ ରଜାଙ୍କ ଖନ୍ଦାଘରେ ପଶେନାହିଁ, ଯେମିତି କି ପିତାଶାଗ, ମଦରଙ୍ଗା ଶାଗ, ହିଡ଼ିମିଚା ଶାଗ....ଖିରୀ ପୁରୀରେ ଭାସିଲେ କଣ ହେବ ? ଏକା ଜିନିଷ ଖାଇ ଖାଇ ତ ଚିଟା ଲାଗେ ।’

 

‘ରତନା ମନକୁ ଏ କଥାଟା ପାଇଲା ନାହିଁ । ହସି ହସି କହିଲା—ଛାମୁଁ ମନ କଲେ ସବୁ ଜିନିଷ ଘଡ଼ିକେ ଆସି ପହଞ୍ଚିବ ।’

 

‘ଯେତେ ଧନୀଲୋକ ହେଉ ପଛକେ ଜଣେ ଲୋକ ସବୁ ବିଷୟରେ କେବେ ଭାଗ୍ୟବାନ୍‌ ହୋଇ ନପାରେ । ସର୍ବାଙ୍ଗସୁନ୍ଦର, ସବୁ ଗୁଣରେ ଗୁଣୀ, ସବୁ ଦିଗରେ ଦୈବାନୁଗ୍ରହ ଲାଭ କରୁଥିଲା ଲୋକ ଜଣେ ହେଲେ ସଂସାରରେ ନାହିଁ ।

 

ଆଚ୍ଛା ରତନା, ତୁ ଆଉ କି କି କଥା ଜାଣୁ ?’

 

‘ଡାଳିମ୍ୱକୁମର, ବାଳବତୀ କନ୍ୟା, ହଳାହଳକୁମର, ବାଘବାଘୁଣୀ, ନାଗନାଗୁଣୀ, ଭାଲୁଭାଲୁକୁଣୀ, କଳାକୁମର କଥା, ଚମ୍ପାବତୀ କନ୍ୟା କଥା, ଉଜଳାବତୀ କନ୍ୟାକଥା, ବାନ୍ଧ୍‌ ବାନ୍ଧ୍‌ ଦଉଡ଼ି ମାର ମାର୍‌ ଠେଙ୍ଗା କଥା, ଅନନ୍ତା କଥା—ଏମିତି କେତେ କଥା, ସାତ ଦିନ ସାତ ରାତି କହିଲେ ସରିବ ନାହିଁ ।’

 

‘ମୁଁ ଡକାଇଲେ ଆସି କଥାଟିଏ କହିବୁ, ମନ ଖୁସିରେ ଯେତେ ଦିନ ଇଚ୍ଛା ଉଆସରେ ରହ ।

 

କେତେଦିନ ଉଆସ ବାସ ରତନାକୁ ତ ସ୍ୱର୍ଗବାସ ପରି ଲାଗିଲା । ଅଠିଲ୍‌ ଖିଆ, ଅଚିନ୍ତା ନିଦ, ନିଷ୍କର୍ମା ଜୀବନ ।

 

କିଛିଦିନ ପରେ ମନ ଛକପକ, ହାତ ଖୁଜୁବୁଜୁ ହେଲା; କେତେ ବସିବ ? ବସି ବସି ହାତଗୋଡ଼ ବିନ୍ଧିଲା; ଆଗରୁ ଜାଣିଥିଲା, କାମକରିବା କଷ୍ଟ । ଏବେ ବୁଝିଲା, କାମ୍‌କା ଲୋକ ପକ୍ଷରେ ବସିରହିବା ବେଶୀ କଷ୍ଟ । ଛାମୁଁଙ୍କ ହୁକୁମ୍‌ ନେଇ କୋଦାଳଟିଏ କାନ୍ଧେଇ ଦିନେ ସେ ବଗିଚାରେ ପଶିଲା ।

 

ପୋକଶୁଙ୍ଘା ବଣ, ଲାଜକୁଳି ମାଡ଼ିଚି ଏଠିସେଠି, ପାଦପକାଇ ହେଉନାଇଁ । ବୁଢ଼ିଆଣୀ ଜାଲର ଝାଲର ଝୁଲୁଚି ବଗିଚାର ମୂଳରୁ ଶେଷ, ସୁଗନ୍ଧରାଜକୁ ମାଡ଼ିବସିଚି ନିର୍ମୂଳୀ, କଞ୍ଚନରେ ଫୁଟିଚି ରୋଗିଣା, ମୁରୁକୁଟିଆ ଫୁଲ ଗୋଟେ ଗୋଟେ ।

 

ଘୂରୁଥିବା ଫୁଆରାର ଇନ୍ଦ୍ରଧନୁକୁ ଏକ ଲୟରେ ଅନାଇ ବସିଥିଲା ଯୋଉ ମାର୍ବଲ୍‌ ବଗ, ସେ ମୁହଁମାଡ଼ି ପଡ଼ିଚି; ଏଠିସେଠି ଅବହେଳିତଭାବେ ପଡ଼ିଛନ୍ତି କେତେ ଦେଶିନୀ ବିଦେଶିନୀ ଯୁବତୀ ମୂର୍ତ୍ତି, ଉଲଗ୍ନତାକୁ ଆଚ୍ଛନ୍ନ କରିଚି ବହଳ ଶିଉଳିର ଏକ ଆସ୍ତରଣ ।

 

ରାଜାଙ୍କର ସେଇ ବଗିଚା ଏ, ଯୋଉଠି ଲାବଣ୍ୟବତୀ ଲାଗି ପାଏଡ଼ା ପଡ଼ୁଥିଲା, ଏବେ ବାୟାବସା ଝୁଲୁଚି, ଚେମେଣି ଚେଁ ଚେଁ ହଉଚି, ଚୁଚୁନ୍ଦ୍ରା ପାଦଉପରେ ଚଢ଼ି ଚାଲିଯାଉଚି, ସାଲୁ ସାଲୁ ତେଲୁଣିପୋକ, ସଁବାଳୁଆ ।

 

ମୂଷାକୁ ଗୋଡ଼ଉ ଗୋଡ଼ଉ ସାଇଁକିନେ ଗୋଟାଏ ଧମଣା ସାପ ଚାଲିଗଲା; ଏଇଟା ଅହିରାଜ—ନା... ? ରତନା କେତେବେଳଯାଏ ବରଡ଼ାପତ୍ର ପରି ଥରିବାକୁ ଲାଗିଲା ।

 

କି ବଗିଚା କାମ କରିବ, ମନ ତାର ମରିଗଲା । ସେ କୋଦ୍ଦାଳଟି କାନ୍ଧରେ ପକାଇ ଫେରିଆସିଲା—ଗୋଧନ ପଡ଼ିଆ ତ ହେଇଆସୁଚି, ହେଇଯାଉ; କେତେବର୍ଷର ଅବହେଳା ଭିତରେ ମରୁ ମରୁ ବଞ୍ଚିଛନ୍ତି କେତୁଟା ଗୋଡ଼ିବାଣ, ମନ୍ଦାର, କୃଷ୍ଣଚୂଡ଼ା, କଞ୍ଚନ । ବସନ୍ତ ବା ଶରତରେ କେହି ବଗିଚାକୁ ଆସି ଆନନ୍ଦର ନିଃଶ୍ୱାସଟିଏ ମାରିନାହିଁ, ଝରିଯାଇଚି କେତେ ସୌନ୍ଦର୍ଯ୍ୟ, ଅନାଦୃତଭାବେ ।

 

ରଜାଘରକୁ ଆସି ଯୋଉ ବେବସ୍ଥା ଦେଖିଲା, କେତେଦିନ ପରେ ରତନାର ମନ ଛାଡ଼ିଗଲା । ରାଜା ରାତି ପାହାନ୍ତିଆରେ ଶୁଅନ୍ତି, ଦିନ ଦିପହରେ ଉଠନ୍ତି । ଯୁବରାଜ ତଦ୍ରୂପ । ଦିନ ପହରେ ଛ’ଘଡ଼ିକି ରାଣୀମା’ମାନଙ୍କ ପହଡ଼ ଭାଜେ । ତାର ଟିକିଏ ଆଗରୁ ଉଠି ଦାସୀମାନେ ଏଠି ସେଠି ବସି ହାଇ ମାରୁଥାନ୍ତି, ମୋଡ଼ିଭିଡ଼ି ହଉଥାନ୍ତି, ନଇଲେ ତୁଣ୍ଡରୁ ମଜରା ଛଡ଼ାଇବାଲାଗି କଳି କରୁଥାନ୍ତି—ଜଣକ ଛାଇରେ ଜଣେ କଣ୍ଟା ପୋତୁଥାଏ, ନଇଲେ ଦିଜଣଙ୍କ ଝଗଡ଼ା ଲାଗିଲେ ଜଣେ ନଖ ଘଷୁଥାଏ । ଦିନଟି କେମିତି କଟିବ, ଏଇ ଦୁର୍ଭାବନାରେ ନୂଆ ନୂଆ ଝଗଡ଼ାର ଯୋଜନା ଗଢ଼ାହେଉଥାଏ ।

 

ରତନା ତାଜୁବ୍‌—ରଜାଘର ଏଡ଼େ ଲୋକ, ତାଙ୍କର କ’ଣ ନାଇଁ ? ବିକା ହୋଇଗଲେ ଛ’ ଘର ହାତୀ, ଶାଗମାଛ ଦରରେ । ଏବେ ପଡ଼ିଚି ଐରାବତର ପାଳି । ଐରାବତ ଦନ୍ତାବଳ, ବାର ହାତ ଲମ୍ୱ ଦାନ୍ତ, ଦାନ୍ତ ଅଗରେ ସୁନା ଗୋବ ବସିଚି; ତାପରି ଉଚ୍ଚ ହାତୀ ଓଡ଼ିଶାର କୋଉ ଗଡ଼ଜାତରେ ନ ଥିଲେ ।

 

ରାଜା ଈଶ୍ୱରଚନ୍ଦ୍ର ତା ପିଠିରେ ବସି ଶିକାରକୁ ଯାଉଥିଲେ । ଥରେ ମହାବଳ ବାଘ ଲାଙ୍ଗୁଳ ଧରି ଉଠିଆସି ତା ପିଠିରେ ଗୋଟାଏ ଗାତ ଖୋଳିଦେଇଥିଲା, ସେ ଖୋପଟା ପୂରିନାହିଁ ।

 

ଐରାବତର ବୟସ ଶହେ ବର୍ଷରୁ ବେଶୀ । ତିନି ପୁରୁଷ ଧରି ରାଜବଂଶର ସେବା କରି ଆସିଛି । ଯାତ୍ରା ପଟୁଆରରେ ସେ ସବା ଆଗରେ ଚାଲେ । କେତେ କାଳ ହେଲା ରାଜା ଦାନା ଯୋଗାଇ ପାରୁନାହାନ୍ତି । ମାହୁନ୍ତ ବଣବୁଦାରେ ବୁଲାଇ ଡାଳପତ୍ର ଖୋଉଛି ।

 

ଗରାକ ଜୁଟିଲା କଣ୍ଟ୍ରାକ୍ଟର ଅଗରଓ୍ୱାଲା, ବଣରୁ ବ୍ରାହ୍ମଣୀ ନଈକି ଐରାବତ କାଠ ବୋହିବ—ତାପରେ ବର୍ଷାଦିନେ ଚାଲିବ କାଠପଟାଳି ।

 

ପାଟହାତୀ ବିକାହେଲା ମାତ୍ର ପାଞ୍ଚହଜାର ଟଙ୍କାରେ । ଗଲାବେଳେ ତା ଆଖିରୁ ଝରୁଥିଲା ଲୁହଧାର—ସତେ ଯେପରି ସେ ନିଜର ଦୁର୍ଭାଗ୍ୟ ବୁଝି ପାରୁଥିଲା—କି ଖାଦ୍ୟପେୟ, କି ବେଶଭୂଷା, କି ଆଦରଅଭ୍ୟର୍ଥନା ! ଦାନା ମୁଠାକ ଲାଗି ଏ ବୁଢ଼ା ଦିନେ ସେ ମୋଟ ବୋହିବ, ନ ପାରିଲେ ଘନ ଘନ ଆଙ୍କୁଶ କେଞ୍ଚା ଖାଇ ରକ୍ତସ୍ନାନ କରିବ !

 

ଐରାବତର ବିଦାୟ ପରେ ନାମ ମାତ୍ର ଦାମ୍‌ରେ ହାତୀଶାଳ ବିକା ହେଲା । ଘୋଡ଼ା କିଏ ଚଢ଼ୁଚି ? ମିଛକୁ କାହିଁକି ଏଥିରୁ ଦଳେ ପୋଷା ହେବେ ? ଦିଅ ବିକି । ଘୋଡ଼ା ଚଲା ପରେ ଘୋଡ଼ାଶାଳଟା କଣ ହେବ ? ଅତିଥି ତ ଆସୁନାହାନ୍ତି; ଅତିଥି ଭବନଟା କଣ ହେବ ? ଅନାଥ ପୋଷିବାକୁ ବଳ କାହିଁ ? ଅନାଥାଶ୍ରମଟା କଣ ହବ ? ଏ ହୟାନ୍ତ ହୟାନ୍ତ ବାହାର ଘରଗୁଡ଼ାକ କଣ ହବ ? ଆଗେ ବାହାଘର ବ୍ରତଘରେ ରାଜାମହାରାଜାମାନେ ରହୁଥିଲେ । ଏବେ ଭୂତ ବସା କରିଛନ୍ତି, ଚେମିଣି ତାଙ୍କ ଦୂତ ହେଇଚନ୍ତି । ରାଜବାଟିରେ ତ ଚୂନ ଲାଗି ପାରୁନାଇଁ, ଏ ବାଜେ ଘରଗୁଡ଼ାକ ମରାମତି କରିବାକୁ ପଇସା କାଇଁ ? ଏ ଗୁଡ଼ାକ ମିଛେ ମିଛେ ରଖି କି ଲାଭ ?

 

ଧାନ କୋଠି, ତହସିଲ ଘର, ଦେବାନଙ୍କ ବାସଘର, କୋର୍ଟ କଚେରୀ ଘର ଗୋଟିକ ପରେ ଗୋଟିଏ ସବୁ ବିକ୍ରୀ ହୋଇଗଲା । ଶେଷକୁ ଆଖି ପଡ଼ିଲା ରଙ୍ଗମଞ୍ଚ ଉପରେ, ଦିନେ ଛଉନାଟରେ ଏ ମଞ୍ଚ ଘୁ ଘୁ କମ୍ପୁଥିଲା; ଦଶହରାକୁ ଅମଲାମାନେ ଥିଏଟର କରୁଥିଲେ ।

 

ସବା ଶେଷକୁ ଆଖିପଡ଼ିଲା ଚିଡ଼ିଆଖାନାଟି ଉପରେ । ଚିଡ଼ିଆ ତ ନାହାନ୍ତି । ଉଡ଼ିଗଲା ଚଢ଼େଇ ଘଡ଼ିଏ ପହରେ ଆଶ୍ରା ନବା ପାଇଁ ଗୋଟେ ଝଙ୍କାଳିଆ ଗଛ ବି ନାହିଁ । ଲୋକେ ଗଛ କାଟିନେଇ ପଦା କରି ଦେଇଛନ୍ତି; ହରିଣ ଶମ୍ୱର ମାରି ଖାଇ ଯାଇଛନ୍ତି । ଏ ଟାଙ୍ଗରା ପଡ଼ିଆଟା କଣ ହବ ? ସବୁତ ଗଲାଣି । ଏଟା କୋଉ ଆଲୁଅ କରିବ ?

 

ଏମିତି ବହୁତ ବିକାବିକି କରି ବି ରାଜା ଘରଖର୍ଚ୍ଚକୁ ସମତୁଲ କରିପାରିଲେ ନାଇଁ । ଚାରିଆଡ଼େ ଯେମିତି କି ବନ୍ଧବାଡ଼ ମେଲା ହେଇ ଯାଇଚି ! ଯେତେ ସୁଅ ପଶିଲେ ବି ବିଲରେ ଟୋପାଟିଏ ପାଣି ରହୁନାଇଁ । ଦେଉଳକୁ ମୁକୁଶିଆଳି ବହୁତ ବଳି ଯାଉଚି । ରଜା ଭାବିତ ହେଉଥାନ୍ତି—କି ଉପାୟ କରିବେ ? ବିକିବାକୁ ଆଉ କଣ ଅଛି ?

 

ଏତିକିବେଳେ ପଛଆଡ଼ ବାଜିଲା ଗୋଟେ ମରଣଧକ୍‌କା ! କଥା ଅଛି—

 

ନଇଁ ପଡ଼ିଥିବ ଯେତିକିବେଳେ

ବିଧାଏ ମାରିବ ସେତିକିବେଳେ

 

ଭାରତ ସରକାରଙ୍କ ନିର୍ଘାତିଆ ମାଡ଼ଟା ଠିକ୍‌ ସେମିତି କାଟିଲା । ଭତ୍ତାକାଟ ! ରଜାଙ୍କର ଥିଲା ଏଟି ଶେଷ ଆଶ୍ରୟବୃକ୍ଷ । କିଏ ଜାଣିଥିଲା, ବିନା ଝଡ଼ରେ ଏଟା ଅଚାନକ ଉପୁଡ଼ି ପଡ଼ିବ ବୋଲି ? ଏ ପଡ଼ି ବା ଛଞ୍ଚା ଉପରେ ନିର୍ଭର କରି ଦିହକଟା ମାରିନେବେ, ରଜା ବିଚାରିଥିଲେ ।

 

ଚୁକ୍ତିପତ୍ର ହଠାତ୍‌ କ’ଣ ଏପରି ଖିଲାପ କରାଯାଏ ? ରାଜା ପିଲାଏ ବଡ଼ ଦାଣ୍ଡରେ ବସିବେ, ଏଇ ଦୃଶ୍ୟ କ’ଣ ଉପଭୋଗ ହେବ ?

 

ମୁଣ୍ଡରେ ଚଡ଼କ ପଡ଼ିଲାପରି ଲାଗିଲା । ଏତେବଡ଼ ପରିବାରଟା କେମିତି ସମ୍ଭାଳିବେ ? କୋଉ କୋଉ କାଳରୁ ଆସି ଆଶ୍ରା ନେଇଛନ୍ତି, ଏ ମୁଦୁସୁଲୀଗୁଡ଼ାଙ୍କୁ ତଡ଼ିବେ କେମିତି ? ମୋରି ଆଗରେ ଭିକମାଗି ବୁଲିବେ, ୟା ଦେଖି ଆଖି ସହିବ ?

 

ଖନ୍ଦାଘରେ ତିରିଶ ଚାଳିଶ ବ୍ରାହ୍ମଣୀନାନୀ, ବାଳଶ୍ରୀ ବିଧବା, ପତିତା; ଗାଁ ସମାଜରୁ ତଡ଼ାଖାଇ ଏଇ ତୁଠରେ ଆସି ଆଶ୍ରା ନେଇଛନ୍ତି । ଆଜି ଗରିବ ହୋଇଗଲି ବୋଲି କୋଉ ମୁହଁରେ ତାଙ୍କୁ ତଡ଼ିବି ? କହିବାକୁ କେମିତି ଜିଭ ଲେଉଟିବ ?

 

ରଜା କାନ୍ଦନ୍ତି ? ତାଙ୍କ ସୁନା ଲୁହ କିଏ ଦେଖିଚି ? ରଜାଙ୍କୁ କନ୍ଦାଇପାରେ କିଏ ? କୀର୍ତ୍ତିଚନ୍ଦ୍ର କିନ୍ତୁ ଆଜି କାନ୍ଦିଲେ—ଅକୂଳ ଦରିଆରେ ଭାସିଯିବାର ନିରାୟଶ୍ରୟତା ସେ ଅନୁଭବ କରୁଥିଲେ ।

 

ଏବେ ଚଳାଚଳର ଏକମାତ୍ର ଅବଲମ୍ୱନ ଜମି । ଟାଇଁଟାଇଁଆ ଖରାରେ, ଛେଚା ବର୍ଷାରେ ସେ ଜମିବାଡ଼ି ବୁଲି ଦେଖିପାରିବେ ? ଶିରୀଷ କୋମଳ ସୁକୁମାର ତନୁ ଶୁଖି ବିଶିବଳିତା ହୋଇଯିବ ନାଇଁ ?

 

ରାଜପଥ ବୋଲି ଆଉ ଅଲଗା ପଥ ନାହିଁ । ଲୋକଙ୍କ ଚଲାବାଟ ହିଁ ତାଙ୍କର ବାଟ । ସେ ଏବେ ଜଣେ ଗରିବ ପ୍ରଜା ମାତ୍ର । ପଦାକୁ ବହୁତ ବଡ଼ ଦିଶେ, ଭିତରଟା ଫମ୍ପା ।

 

ରତନାର ଗପ ସରିନାଇଁ; ରଜାଙ୍କ ଶୁଣାପର୍ବ ଶେଷ ହୋଇଗଲା । ଦହିହାଣ୍ଡିରେ ସତେ ବା ମୂଷଳ ପଶିଗଲା ! ତାଙ୍କ କରୁଣ କାହାଣୀ ତ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବ, ସେ ଆଉ କାହା କାହାଣୀ ଶୁଣିବେ କ’ଣ ?

 

ଖର୍ଚ୍ଚ କାଟ ଯୋଜନାରେ ରଜା ନିକାଲିବା ଆଗରୁ ରତନା ବାହାରିପଡ଼ିଲା । ‘ରଜାଘର ଖାନା, ଖଣ୍ଡ ଖଣ୍ଡ ବସାଦହି ମୁଣ୍ଡା ମୁଣ୍ଡା ଛେନା’ ଭିତରେ ଦିନେ ପିତାଶୁଖୁଆ ପୋଇଖାଡ଼ି, କଖାରୁଶାଗ, ଚାଇଁପଖାଳ ଆଉ ରତନୀର ଗେଲଗୌରବ ମନେପଡ଼ିଲା, ଘରକୁ ଯିବାକୁ ମନ ଉଚ୍ଛନ୍ନ ହେଲା—ରତନୀ—ପାଟପତନୀ.....

 

ହସଖୁସିରେ ସେ ଧାନମାନଙ୍କ ନାଆଁ ଅନୁସାରେ ପୁଅଝିଅଙ୍କ ନାଆଁ ଦେଇଥିଲା । ପୁଅଙ୍କ ନାଆଁ ଭୂତିଆ, ମକରା, କଖାରୁଆ; ଝିଅ ନାଁ ଡାଳିପୋହଳା । ପିଲାଙ୍କ ହସଖେଳ ମନକୁ ଅସ୍ଥିର କଲା ।

 

ମନେପଡ଼ିଲା ଭାଗବତ ଘର ପିଣ୍ଡାରେ ମଉସା, ପିଉସା, ସାଙ୍ଗ ସରିଶାଙ୍କ ସହିତ ଗପସପ, ପିଲାଙ୍କୁ ଗପକୁହା । ଗାଁଟା ମନରେ ଏକ ଆତ୍ମା, ଗୋଟାଏ କୁଟୁମ୍ୱପରି ଥିଲା ।

 

ଗାଁରେ ବହୁତ ଦୁଃଖ, ହେଲେ ମୁହଁ ଚୁହାଁ ଚୁହିଁ, ମନ ମିଳାମିଳି, ଲୁହ ବଦଳାବଦଳିରେ ସେ ଦୁଃଖ କୁଆଡ଼େ ଦୂର ହୋଇଯାଏ । ରତନା ଧାଇଁଲା ଗୁଣୁଗୁଣୁ ବୋଲି—ରତନୀ, ପାଟପତନୀ......

 

।। ତେର ।।

 

‘ପଦ୍ମ ଅଭିଷେକ ! ନା ନା, ଅଭିଷେକ କାହିଁକି କହୁଚ ? ଏ କଣ ରଜା ?’

 

‘ହଁ, ଅଭିଷେକ; ବୁଢ଼ାରଜା ମଲେ ଯୁବରାଜଙ୍କର ଅଭିଷେକ ହୁଏ । ବିଦେଶୀ ବ୍ରିଟିସ୍‌ ସରକାର ମଲା, ଅଭିଷେକ ହେଲା କଂଗରସ ରଜାଙ୍କର ।’

 

‘ରଜା ? ରଜା କାହିଁ ?’

 

‘ହେଲା ହୋ, ରଜା, ନ ହୋଇ ତାଙ୍କ ନାଆଁଟା ଏବେ ମନ୍ତ୍ରୀ ହେଲା । ନାଆଁରେ କ’ଣ ଅଛି ? କାମ ତ ଏକା ।’

 

‘ରଜା ତିନି ପାଞ୍ଜିରୁ ଯାଇଛନ୍ତି । ଅଭିଷେକ ନାଆଁ ଧରନାହିଁ ।’

 

‘ହଉ ହେଲା; ତମକୁ ସେ ନାଆଁଟା ଯଦି ଅପସନ୍ଦ ଲାଗିଲା, ଆଉ ଗୋଟେ ନାଆଁ ଦଉଚି—ରାଜସୂୟ ଯଜ୍ଞ । ସୂତାକଟାକୁ ସୂତ୍ରଯଜ୍ଞ କହୁଚ, ସେମିତି ଏ ଏକ ଯଜ୍ଞ । ବ୍ରିଟିସ୍‌ ରାଜ, ଗଡ଼ଜାତ ରାଜାଙ୍କୁ ମାରି ଏ ଯଜ୍ଞ ହଉଚି, ଏ ଏକ ରାଜସୂୟ ଯଜ୍ଞ । ଏଥିରେ ଘିଅର ଆହୁତି ନାହିଁ । ସ୍ୱାହା ସ୍ୱାହା ମନ୍ତ୍ର ନାହିଁ, ପଦ୍ମପାଖୁଡ଼ା ଆଉ କେଶରରେ ଆହୁତି ହବ ।’

 

‘ହଁ, ଯଜ୍ଞ ବରଂ କହ । ଯଜ୍ଞରେ କେବଳ ତ୍ୟାଗର ବାଣୀ, ପଦ୍ମରେ ଏବେ ଯାହାଙ୍କର ବନ୍ଦାପନା ହବ, ସେ ଦେଶର ଜଣେ ମହାନ୍‌ ତ୍ୟାଗୀ ପୁରୁଷ । ଗୋଡ଼ ବେଡ଼ି ଆଉ ହାତକଡ଼ାରେ ସେ ଜେଲ୍‌ର ସେଲ୍‌ ଭିତରେ ବହୁ ଦୁଃଖ ପାଇଛନ୍ତି । ଆଧୁନିକ ଓଡ଼ିଶାର ନିର୍ମାତା ସେ ।’

 

ଦେଶ ପାଇଁ ଯେ ଏତେ ତ୍ୟାଗ କରିଛି, ତାଙ୍କୁ କ’ଣ ଦୁବ ବରକୋଳି ପତ୍ରରେ ବନ୍ଦାଇବ, ଲକ୍ଷେ ପଦ୍ମରେ ବନ୍ଦାପନା କରିବା ବି କିଛି ଗୋଟାଏ ବଡ଼ କଥା ପରି ଲାଗୁନାଇଁ । କଂସ ରାଜାର ରାଣୀ ପଦ୍ମାବତୀ ଗୋଟାଏ ଗୋଟାଏ ଓଷାବ୍ରତକୁ ଏତିକି ଭାର ପଦ୍ମ ଲୋଡ଼ୁଥିଲେ । ପଦ୍ମତୋଳା ଶୁଣିନାହିଁ ?

 

କଂସର ଘରଣୀ ପଦ୍ମାବତୀ ରାଣୀ

ସେ କରେ ଧନିତିରି ଓଷା

ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ

ନ ଥିବ ପାଖୁଡ଼ା ମିଶା କି ଗୋବିନ୍ଦ ହରେ ।

 

ସେ ପୁଣି ସୁନାର ପଦ୍ମ, ମଉଳେ ନାହିଁ । ଏକମାତ୍ର କାଳିନ୍ଦୀ ହ୍ରଦରେ ଫୁଟୁଥିଲା । କାଳୀୟକୁ ଦମନ କରି ପଦ୍ମ ତୋଳି କୃଷ୍ଣ ମାମୁଁ କଂସାସୁରକୁ ଯୋଗାଇଦେଲେ, ନନ୍ଦରାଜାଙ୍କର ମାନମହତ ଆଉ ମୁଣ୍ଡ ରହିଗଲା ।

 

କୃଷ୍ଣ ଗୋଟାଏ ମାତ୍ର କାଳୀକି ଦମନ କରିଥିଲେ । ଆମ ନେତା ? ଆମ ନେତା ବହୁତ କାଳୀଙ୍କି ଦମନ କଲେ । ପ୍ରତି ଗଡ଼ଜାତ ଗୋଟାଏ ଗୋଟାଏ କାଳିନ୍ଦୀ ହ୍ରଦ ପରି ଥିଲା । ରାଜା ତାର ଦୁଃଶାସନରେ ଏଇ ହ୍ରଦକୁ ବିଷାକ୍ତ କରିଥିଲା । କୃଷ୍ଣ ଏହି ଦର୍ପିଷ୍ଠ ସର୍ପ ବା ଦୁର୍ଦ୍ଦାନ୍ତ ଅସୁରମାନଙ୍କୁ ଦମନ କଲାପରେ ହେଲେ ଦ୍ୱାରକାର ରାଜା । ଆମ ନେତା ରକ୍ଷାକଲେ ଦେଶର ମାନ, ରାଜଦମନ ପରେ ହେଲେ ଓଡ଼ିଶାର ବର ମନ୍ତ୍ରୀ ।

 

ନେତାଙ୍କ ଜୟନ୍ତୀ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀକି ବଳିଗଲା । ଲକ୍ଷେ କ’ଣ, ଚାରି ଦିଗରୁ ଚାରି ଲକ୍ଷ ପଦ୍ମ ଆସି ପହଞ୍ଚିଗଲା—ଶ୍ୱେତପଦ୍ମ, ରକ୍ତପଦ୍ମ, ଶତଦଳପଦ୍ମ । ନୀଳପଦ୍ମ ନାମରେ ଆସିଥିଲା ବହୁତ ବାସ କଇଁ ।

 

ପଦ୍ମକଢ଼ିସବୁ ଫୁଟାଇ ଅଭିନନ୍ଦନ ମଣ୍ଡପ ସଜ୍ଜା ହେଲା, ମୂଳରୁ ଚାନ୍ଦୁଆ ପର୍ଯ୍ୟନ୍ତ । ପହଞ୍ଚିଗଲେ ବାଟବଣା ମହୁମାଛି, ଅଟକିଗଲେ ବାଟୋଇ ଭଅଁର । ଉଦ୍‌ଯୋଗକାରୀଙ୍କର ଏ ହେଲା ଏକ ସମସ୍ୟାବର ମନ୍ତ୍ରୀଙ୍କି ଯଦି କାମୁଡ଼ନ୍ତି ?

 

‘ମନ୍ତ୍ରୀଙ୍କି ରକ୍ଷା କରିବା ନିରାପତ୍ତା—ରକ୍ଷୀର କାର୍ଯ୍ୟ !’

 

‘କ’ଣ ଗୁଳି କରିବ ? ନାଁ ଧରି ହାଜତରେ ଭର୍ତ୍ତିକରି ଦେଇପାରିବ ?’ ଆଉ ଜଣେ ହସି ହସି କହିଲା—ମିଛକୁ ତୁମ ମୁଣ୍ଡସବୁ ବଥାଉଚି । ମନ୍ତ୍ରୀଙ୍କି ଲୀଳାକମଳଟିଏ ଧରେଇଦେଲେ ସେ ସେଥିରେ ଭଅଁର, ମହୁମାଛି ଉଡ଼ାଇବେ । ମେଘଦୂତରେ ପକ୍ଷର ନାୟିକା, ଭଞ୍ଜଙ୍କ ଲାବଣ୍ୟବତୀ, ରାଧାନାଥଙ୍କ ପଦ୍ମାବତୀ ହାତରେ କବି ଭ୍ରମର ଦଂଶନ ସମସ୍ୟା ସମାଧାନ ଲାଗି ଧରେଇ ଦେଇଛନ୍ତି କମଳ । ଶକୁନ୍ତଳାଙ୍କ ହାତରେ ଏହା ନ ଥିବାରୁ ସେ ଛତ୍ରଭଙ୍ଗ ଦେଇ ପଳାଇ ଯାଉଁ ଯାଉଁ ବିକଳରେ ଡାକ ପକାଇଛନ୍ତି—ରକ୍ଷା କର, ରକ୍ଷା କର ।

 

ବରମନ୍ତ୍ରୀ ମଣ୍ଡପ ପାଖରେ ପହଞ୍ଚିବା ଆଗରୁ ସତେବା ତାଙ୍କ ଉପରେ ସନ୍ତୋଷରେ ଦେବତାମାନେ ପୁଷ୍ପ ବୃଷ୍ଟି କଲେ ! ହେଲିକୋପ୍‌ଟରର ପଦ୍ମ ପାଖୁଡ଼ା ବର୍ଷା ଲୋକଗହଳିରେ ଭାରୀ ଗୋଟାଏ ଚମକ ସୃଷ୍ଟି କରିଥିଲା ।

 

ତାପରେ ବରମନ୍ତ୍ରୀଙ୍କୁ ପଦ୍ମମଣ୍ଡପର ପଦ୍ମସିଂହାସନରେ ବସାଇ ପଦ୍ମମୁକୁଟ ପିନ୍ଧାଇ ଦିଆହେଲା, ଲମ୍ୱିଗଲା ମାଳା ଉପରେ ମାଳାସୁନୀତି ଓ ସଚ୍ଚରିତ୍ର ପ୍ରୋତ୍ସାହନ ବିଭାଗ, ଦୁର୍ନୀତି ଦୁଷ୍କୃତି ଦୁରାଚାର ନିର୍ମୁଳନ ବିଭାଗ, ନିଶା ଓ ନିଶାଚର ବାରେଣୀ ସଂଘ, ଦ୍ରୂତ ସାହିତ୍ୟ ଉନ୍ନତି ସମାଜ ଇତ୍ୟାଦି ଅନୁଷ୍ଠାନର ଗୋଛା ଗୋଛା ମାଳ ଭିତରେ ବରମନ୍ତ୍ରୀଙ୍କ ଶ୍ରୀମୁଖଟି ମାତ୍ର ଦିଶୁଥିଲା-। ପଦ୍ମଭାରରେ ଆକ୍ରାନ୍ତ, ଉତ୍‌ପୀଡ଼ିତ ମୁଖର ଯନ୍ତ୍ରଣା ଦେଖି ତାଙ୍କୁ ପଦ୍ମବ୍ୟୂହରୁ ମୁକ୍ତ କରାଗଲା, ଧୂପ, ଦୀପ, ଆଳତି ପରେ ବହୁ ସ୍ତୁତି ଗୀତ ବୋଲା ହେଲା, ବହୁଗୁଣବାଚକ କବିତା ଆବୃତ୍ତି କରାହେଲା । ତାପରେ ସ୍ୱର୍ଣ୍ଣାକ୍ଷରରେ ମୂଦ୍ରିତ ଦୀର୍ଘ ଅଭିନନ୍ଦନପତ୍ର ପାଠ କରାଗଲା, ତାର ସାରମର୍ମ—

 

ତୁମେ ଅସୁର ମାରି ପୃଥିବୀର ଭାଗ ଲଘ କରିଛ,

ତୁମେ ଅଚଳକୁ ସଚଳ କରିଛ, କେଡ଼େ କେଡ଼େ ଗର୍ବ ଖର୍ବ କରିଛ ।

ତୁମେ ପାହାଡ଼ ଟାଳିଛ, ସମୁଦ୍ରକୁ ଗୋଳି କରିଛ

ଭାରତମାତାକୁ ସଚୌରବେ ସୁନାଦୋଳିରେ ଝୁଲାଇଛ ।

‘ହେ ଉତ୍କଳମାତା ଯୋଗ୍ୟତମ ସୁତ

ତୁମ୍ଭ ଯୋଗୁଁ ଆମ୍ଭେ ହେଲୁ ସର୍ବେ ପୂତ ।’

 

ସମ୍ୱର୍ଦ୍ଧନାର ଉତ୍ତର ଦେଇ ବରମନ୍ତ୍ରୀ କହିଲେ—ଏସବୁ କଣ ହଉଚି ? ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏ କାଣ୍ଡ କାରଖାନା କଥା ମୁଁ କିଛି ଜାଣେ ନାହିଁ । ଏସବୁ ମୋତେ ମୋଟେ ଭଲ ଲାଗେନାହିଁ । ଏତେଗୁଡ଼ାଏ ପଦ୍ମ କୁଆଡ଼ୁ ଆସିଲା ? କିଏ ଆଣିଲା ?

 

ଜଗନ୍ନାଥଙ୍କର ସିନା ପଦ୍ମବେଶ କରାଯାଏ ! ମଣିଷଟା କି ଛାର ! ସେ ଆଜି ଅଛି, କାଲି ନାହିଁ । ଏ ଜୀବନ ପାଣିଫୋଟକା । ସମୟଟା ରେଲ୍‌ଗାଡ଼ି, ତା କୋଳରେ ବସି ମଣିଷ ଗତି କରେ-। ଯେତେବେଳେ ଯାହାର ଷ୍ଟେସନ ପହଞ୍ଚେ, ସେ ଓହ୍ଲାଇ ଯାଏ । ଏ ମର ଦେହଟାକୁ ଫୁଲ ଚନ୍ଦନରେ ବେଶ କରି ଲାଭ କଣ ? । ଏ ପଦ୍ମ ଘଡ଼ିକେ ଶୁଖି କଳା ପଡ଼ିଯିବ, ଏ ଦେହ ବି କେତେବେଳେ ଭୁଷୁଡ଼ି ପଡ଼ିବ ।

 

ଆମେ ସାଧାରଣ କର୍ମୀ; ରଜାଙ୍କୁ ତଡ଼ିଛୁ । ରାଜରାଜୁଡ଼ା ଉପଦ୍ରବ ଏଠି ଲଗାଇଲେ ଚଳିବ ?

 

ମହାତ୍ମାଗାନ୍ଧୀଙ୍କ ଶିଷ୍ୟ ଆମେ । ଜୀବନ ମାତ୍ର ବଞ୍ଚେଇବା ଲାଗି ଖାଉ, ଶକ୍ତ ଶଯ୍ୟାରେ ଶୋଉ । ହାତକଟା ସୂତାର ତନ୍ତବୁଣା ଖଦଡ଼ ଧୋତି ପିନ୍ଧୁ । ଜନକଲ୍ୟାଣ ଲାଗି ଜୀବନ ଉତ୍ସର୍ଗ କରିଛୁ । ଏଠି ଏ ପାଲା ଲଗାଇଲେ ଲୋକେ କଣ କହିବେ ?

 

ଆଜି ଦୈବାତ୍‌ ମହାରାଜା ନାହାନ୍ତି, ନଇଲେ ଲକ୍ଷେ ପଦ୍ମରେ ଏ ନେତା ବନ୍ଦନା କଥା ‘ହରିଜନ’ ପତ୍ରିକାରେ ଲେଖିଥାନ୍ତେ, ଗୋଟାଏ ମରଣଠୋକ୍‌କର ଦେଇଥାନ୍ତେ । ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯାଇଥାନ୍ତା । ଥରେ ସେ ଠୋକ୍‌କର ଖାଇଥିଲେ ଆଉ ଅଣ୍ଟା ସଳଖି ମୁଣ୍ଡ ଟେକି ଉଠିବା ସମ୍ଭବ ହୋଇ ନ ଥାନ୍ତା । ‘ବହ୍ୱାରମ୍ଭଃ ଲଘୁକ୍ରିୟା’ ଜାଣିଥିବ । ଏତେ ଆଡ଼ମ୍ୱର କରିବା କିଛି ଦରକାର ନ ଥିଲା । ଘରେ ନ ପଶୁଣୁ ଚାଳ ବାଜିବା ପରି ହେଲା ଏ । ମୋ ପ୍ରତି ସ୍ନେହ ଶ୍ରଦ୍ଧା ଥିଲେ ମୁଁ ଥରକୁଥର ଆପଣମାନଙ୍କ ସେବାର ସୁଯୋଗ ପାଇବି । ଏଇ ଯଥେଷ୍ଟ ।

 

ପୂର୍ତ୍ତୀମନ୍ତ୍ରୀ ଗୋବର୍ଦ୍ଧନ ଏ ସମ୍ୱର୍ଦ୍ଧନାର ଘୋର ବିରୋଧୀ ଥିଲେ । ତାଙ୍କ ମତରେ ଏ ଏକ ବିଳାସ, ରାଜା ମହାରାଜାଙ୍କୁ ମାନୁଥିଲା । ଜନସାଧାରଣଙ୍କ ଭୋଟରେ ନିର୍ବାଚିତ ଜଣେ କଂଗ୍ରେସ କର୍ମୀଙ୍କି ଏ ଅଳସ ଅୟସ ନ ଯୋଗାଏ । ରାଜରାଜୁଡ଼ାଙ୍କ ଇତିହାସରେ ଯୋଉ ନଜିର ନାହିଁ, ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ, ଜଣେ ସ୍ୱାଧୀନତାସଂଗ୍ରାମୀ ନିର୍ଲଜ ଭାବରେ ସେଇ ଦୃଶ୍ୟର ଅଭିନୟ କରିଗଲେ ! ମନରେ ତିଳାର୍ଦ୍ଧ ଶଙ୍କା ବା ସଙ୍କୋଚ ଆସିଲା ନାହିଁ ! କହୁଛନ୍ତି କଣ ନା, ତାଙ୍କ ଅଜାଣତରେ ଏ କଥାଟା ହେଇଗଲା ! ଏମିତି ତ ଅଜଣାରେ ବହୁତ ବଡ଼ ବଡ଼ କଥା ଘଟିଥିବ; ମନ୍ତ୍ରୀ ଅଜଣା ଚାଉଳର ଭାତ ଖାଇ ବସିଥିବେ ! ବାଆଁରେଇବେନି ତ ଆଉ କଣ କହିବେ ?

 

ଓଃ, କେଡ଼େ କଥାଟାଏ ହେଇଗଲା ! ମହାତ୍ମାଜୀ ପରା କହିଛନ୍ତି—ଭାରତବର୍ଷରେ ଦାରିଦ୍ର୍ୟର ଚୂଡ଼ାନ୍ତ ରୂପ ଯଦି କୋଉଠି ଦେଖିବାକୁ ମିଳେ, ତା ଏଇ ଓଡ଼ିଶାରେ ! ଦେଶ ସ୍ୱଧୀନ ହେଲା ପରେ ସେ ଦାରିଦ୍ର୍ୟ ବଢ଼ୁଚି ପଛେ କମୁନାହିଁ । ବେଶୀରୁ ବେଶୀ ଲୋକ ଦାରିଦ୍ର୍ୟର ସୀମାରେଖା ତଳକୁ ଠେଲି ଠେଲି ହୋଇ ଯାଉଛନ୍ତି । ଲଙ୍ଗଳା, ଅଧାଲଙ୍ଗଳା, କଉପୁନିମରା, ଓପାସିଆ, ଦରସପାସିଆ ସେଇ କଙ୍କାଳସବୁ ହାଡ଼ୁଆ ହାତରେ ପଦ୍ମଫୁଲ ଗଦାଇ ମନ୍ତ୍ରୀପୂଜା କରିବେ ? ରଜାଙ୍କୁ ଆଉ ତଡ଼ିଲେ କଣ ? କୋଉ ରାଜଦରବାର ଏ ମନ୍ତ୍ରୀଦରବାରର ଲାଭଦିଆ ହବ ? କୋଉ ଅଭିଷେକରେ ଏତେ ବାଜା, ଏତେ ମଉଜ, ଏଡ଼େ ଭୋଜି ? ଏ ଅହିଂସମାନଙ୍କ ପଲାଉ ଲାଗି କେତେ ବୋଦା ପଡ଼ିଲେ ? ଶହ ଶହ ବୋତଲ ଖାଲି କରି ସର୍ବତ ପରି ସେସବୁ କଣ ବଣ୍ଟା ହେଲା ?

 

ହାୟରେ କପାଳ ! ଏ ଦେଶର କବି, ଲେଖକ, ବୈଜ୍ଞାନିକ ଉଦ୍‌ଭାବକ, ଆବିଷ୍କାରକଙ୍କ ପ୍ରତିଭା ପୂଜା ଲାଗି ଫୁଲକେଣ୍ଡାଟିଏ ମିଳେନାହିଁ । ଅଥଚ ଜଣେ ବ୍ୟକ୍ତିର ପୂଜା ଲାଗି ଓଡ଼ିଶାର ପଦ୍ମପୋଖରୀସବୁ ପୁଷ୍ପଶୂନ୍ୟ ହୋଇଗଲା । ଏ ତ ପ୍ରତିଭା ପୂଜା ନୁହେ, ଗାଦିପୂଜା, କ୍ଷମତାର ପୂଜା-! ବୁଝିବସିଲେ ଆତ୍ମସ୍ୱାର୍ଥର ପୂଜା ! ୟାର ଭିତିରୀ ମତଲବ ଅଛି । କାନ୍‌ତରାଟି, ଠକାଦାର, ପଟାଦାର, ଅଫିସର, ଏଥିରୁ କେତେ ସୁବିଧା ମାରିନେବେ; ବେଳକାଳ ଉଣ୍ଡି ଏହି ନେତାଙ୍କଠାରୁ ଚତୁର୍ଗୁଣ ଲାଭ ଉଠାଇବେ । ମୋହମୁଲାଜାରେ ସେ କିଛି କହିପାରିବେ ନାହିଁ । ଦେଶର କ୍ଷତି, ଦୁର୍ଗତି ।

 

ଥରେ ଏ ବ୍ୟକ୍ତିପୂଜାକୁ ପ୍ରଶ୍ରୟ ଦିଆଗଲା ତ, ଏ ଚାଲିବ । ଏ ଯୁଗର ନୂଆ ଭିଆଣ ଏ ମନ୍ତ୍ରୀପୂଜା । ମନ୍ତ୍ରୀପ୍ରଜାର ଅନେକ ବାଟ ଅଛି; ପରିଷଦ୍‌, ସଂସଦ, ସଂଘ, ସ୍କୁଲ, ପାଠାଗାର, ଦୋକାନ, ବଜାର ବାଟ ହାଟ ଘାଟ ଉନ୍ମୋଚନ, ସମ୍ମିଳନୀ ଉଦ୍‌ଘାଟନ ବା ଉଦ୍‌ଯାପନ ଏବେ ନିତ୍ୟନୈମିତ୍ତିକ ବିଷୟ ହୋଇଛି । ସୁବର୍ଣ୍ଣ ତୋରଣ ତିଆରି ହେଉଛି, ସୁବର୍ଣ୍ଣ ଅକ୍ଷରରେ ଅଭିନନ୍ଦନ ପତ୍ର ମୁଦ୍ରିତ ହେଉଛି । ତୁଚ୍ଛାତିତୁଚ୍ଛ ରାଜନୀତିକ ଭାଷଣ ବଡ଼ ବଡ଼ ଅକ୍ଷରରେ ସମ୍ୱାଦପତ୍ରରେ ପ୍ରକାଶିତ ହେଉଛି । ପ୍ରକୃତ କର୍ମ ଅପେକ୍ଷା ବାଗାଡ଼ମ୍ୱର ଉଚ୍ଚତର ସ୍ଥାନ ପାଉଛି । ଏ ସମାଜରେ ସାଧୁତା, ଆନ୍ତରିକତା, ନିଷ୍ଠାପରତାର ସ୍ଥାନ କାହିଁ ?

 

ଗୋବର୍ଦ୍ଧନ ମନେ ମନେ ସମାଲୋଚନା କଲେ ବି ଏକା ଲାଉର ମଞ୍ଜି, ଏକା ଦଳର ଲୋକ, ଗୁରୁଭାଇ । ଗୁରୁଭାଇର ପାପ, ପାପକୁ ଲେଖା ନୁହେଁ । ସେ ପାପରେ ପୁଣ୍ୟର ମାର୍କା ମାରିଦେଇ ହୁଏ, ସେ ନିଆଁ ଅଣ୍ଟିରେ ପୂରେଇଲେ ଅଣ୍ଟି ପୋଡ଼େନାହିଁ ।

 

ଗୋବର୍ଦ୍ଧନ ବ୍ୟକ୍ତିପୂଜାକୁ ଘୃଣା କଲେ ବି ତାଳମୂଳକରୁ ପାଞ୍ଚ ହଜାର ପଦ୍ମ ଯୋଗାଡ଼ କରି ଆଣିଥିଲେ । ସେ ଯେ ଏ ପୂଜାର ବିରୋଧୀ ତାର ଇଙ୍ଗିତ ମାତ୍ର ପଦାକୁ ପ୍ରକାଶ ପାଇ ନ ଥିଲା । କାରଣ ବିରୋଧ ଅର୍ଥ ବିଦାୟ । କେତେ ଦୁଃଖରେ ଏ ଗାଦିଟି ମିଳିଛି । ସାମାନ୍ୟ ଭୁଲ୍‌ କରି ସେ ହରାଇବେ ?

 

ତାଳମୂଳ ରାଜାଙ୍କ କବଳରୁ ଖସିଆସିବାଠଉଁ ମନ୍ତ୍ରୀ ଗାଦିରେ ବସିବାଯାକେ ମଝି ଇତିହାସଟା ନ କହିଲେ ଗୋବର୍ଦ୍ଧନଚରିତ୍ରର କେତେ ଅଂଶ ବାଦ୍‌ ପଡ଼ିଯିବ, ଅସ୍ପଷ୍ଟ ରହିଯିବ । ଏଇ ଆଶଙ୍କାରେ ଠିକେ ଠିକେ କହିଦିଆହେଲା ।

 

ହିଂସାକୁ ହିଂସା ଦରକାର, ଯେଷାକୁ ତେଷା । ଇଂରେଜ ବନ୍ଧୁକ ଦେଖଉଛନ୍ତି; କେବଳ ବନ୍ଧୁକ ବଳରେ ତାଙ୍କୁ ତଡ଼ିହବ । ଗୋରା ଲାଲ୍‌ ଆଖି ଦେଖାଇଲେ ତାକୁ ଲାଲ୍‌ ଆଖି ଦେଖାଅ, ସେ ମାରିବାକୁ ଆସିଲେ ତାକୁ ମାର । ସେ ତିନି କୋଟିକି ଆମେ ତେତିଶ କୋଟି; ମୁହାଁମୁହିଁ ହେଇ ନ ଥିଲୁ ବୋଲି ସିନା । ଥରେ ମୁହାଁମହିଁ ହେଲେ ମଜ୍ଜା ଦେଖିବ, ଇଂରେଜ ଚେପା ହୋଇ ଭୂଇଁରେ ଲସିଯିବ ।

 

ଭାରତୀୟ ଜାତୀୟବାହିନୀର ସେନାପତି ନେତାଜୀଙ୍କ ପ୍ରତି ଗୋବର୍ଦ୍ଧନଙ୍କର ଗଭୀର ଆନୁଗତ୍ୟ ଥିଲା । ନାନା ସୂତ୍ରରେ ଅତି ଗୋପନୀୟ ଭାବରେ ଦେଶର ସମ୍ୱାଦ ତାଙ୍କ ନିକଟକୁ ପଠାଉଥିଲେ ।

 

ଭିତରେ ହିଂସ୍ର, ବାହାରେ ଅହିଂସ୍ର—ମୁଣ୍ଡରେ ଗାନ୍ଧିଟୋପି, ଦିହରେ ଖଦଡ଼ ଜାମା; ତୁଣ୍ଡରେ ଈଶ୍ୱର ଆଲ୍ଲା ତେରେ ନାମ, ବୋଲୁଥାନ୍ତି, ତେଣେ ତାକୁଡ଼ିରେ ସୂତା କାଟୁଥାନ୍ତି । ସତେ ଯେମିତି ଗାନ୍ଧିଜୀଙ୍କ ପରମଭକ୍ତ । ପ୍ରକୃତପକ୍ଷେ ସୂତାକଟା ସ୍ୱରାଜଲାଭରେ କିପରି ସହାୟକ ହେବ, ସେ ବୁଝି ନ ଥିଲେ ।

 

ନଖଦନ୍ତ ଲୁଚାଇ ବୈଷ୍ଣବବେଶ ସାଜି ଚାଲିଲେ ବି ତାଙ୍କର ଅସଲ ରୂପ ବେଳେ ବେଳେ ପଦାକୁ ଫୁଟି ପଡ଼ୁଥିଲା । ‘ଲୁଚିଛି ନା ଗୋଡ଼ ଦିଟା ଦିଶୁଛି’ ଅବସ୍ଥା ।

 

ଜେଲ ପାଚେରୀ ଡେଇଁ ପଳାଇଆସିବା ସମ୍ୱାଦକୁ ସେ ଜାଣିଶୁଣି ଗୋପ୍ୟ ରଖିଥିଲେ । ଧର୍ମବାପ, ଏତେଦିନ ପାଳିଥିଲେ, ପୋଷିଥିଲେ ବୋଲି ରଜାଙ୍କ ପ୍ରତି ତାଙ୍କର ତିଳାର୍ଦ୍ଧ ଉପ୍ରୋଧ ନ ଥିଲା । ରାଜବାଟି ଧ୍ୱଂସ ହେଉ, ରଜାଙ୍କୁ ଉଆସରୁ ଓଟାରିଆଣି ଲୋକେ ସବଂଶେ ଶୁଳି ଦିଅନ୍ତୁ, ଯେମିତି ଲୁଇକି ଦେଲେ, ଜାର୍‌କୁ ଦେଲେ, ଏହା ତାଙ୍କର ଅନ୍ତର୍ଗତ ଇଚ୍ଛା । ଏସବୁ ହଉ, କିନ୍ତୁ ନେତାଙ୍କ ଦିହରେ ଧୂଳି ନ ଲାଗୁ, ସେ ଝାଡ଼ିଝୁଡ଼ି ହୋଇ ସୁନାପୁଅ ପରି ବସିଥାନ୍ତୁ—

 

ପର ପୁଅ ମଲା

ନା ରୋଗ ବାହାରେ ବାହାରେ ଗଲା ।

 

ଗୁଜବ୍‌ କେଡ଼େ ଅନିଷ୍ଟକାରୀ, କେତେ କ୍ଷତି ଘଟାଇପାରେ, ସେ ଚେତନା ତାଙ୍କର ନ ଥିଲା । ଫଳରେ ହଜାର ହଜାର ଯୁବତୀ ରାଣ୍ଡ ହେଲେ, କେତେ ଅଥରପା ବୁଢ଼ା ତୋରାଣି ଢୋକେ ନ ପାଇ ବଡ଼ଦାଣ୍ଡରେ ବସିଲେ । କେତେ ନିରୀହ କମାଣ ମୁହଁରେ ଉଡ଼ିଗଲେ, କେତେ ଗାଁଗଣ୍ଡା ପୋଡ଼ିଜାଳି ପାଉଁଶ କରି ଦିଆହେଲା, କେତେ ତରୁଣୀଙ୍କ ଉଜ୍ଜତ୍‌ମହତ ନଷ୍ଟ କରାଗଲା, କାହା ଲୁହ ବୋହିଲା ? ସେତେବେଳକୁ ନେତା କଟକରେ ବସି ସୁକଟ ଦେଖୁଥିଲେ, ଏ ଉତ୍କଟ ଅବସ୍ଥାରେ ତାଙ୍କ ଆଖିରୁ ଲୁହ ବୋହିଲା କି ନାହିଁ କିଏ କହିବ ? ଏଥିଲାଗି ସେ ନିଜକୁ ଦାୟୀ ବା ଦୋଷୀ ବୋଲି ସାବ୍ୟସ୍ତ କରିଥିଲେ କି ନାହିଁ ? କଲେ ବା ନ କଲେ କ’ଣ ଅଛି ? ଏହା କ’ଣ ପ୍ରତିକାର ? ଯାହା କ୍ଷତି ଘଟିଲା, ଜୀବନ ଦାନରେ ବି କ’ଣ ତାର କ୍ଷତିପୂରଣ ହୋଇପାରେ ?

 

ଏ ବିଦ୍ରୋହ ଫଳରେ ରାଜବାଟିରୁ କେତେଖଣ୍ଡି ଇଟା ଖସିଲା ? ରଜାଟା ଫାଗ—ତାଙ୍କ ପଛରେ ଅସଲ ବାଘ ଲୁଚିଛି, ରଜାଙ୍କ ଦିହରେ ଟିପ ଛୋଇଁଲେ ସେ ବାରହାତ ଖେପାମାରି ଝାମ୍ପିପଡ଼ିବ, ଏ ଜ୍ଞାନ ତାଙ୍କର ଥିଲା । ଆପେ ବଞ୍ଚିଲେ ବାପର ନାମ ଭାବି ସେ ଖସିଗଲେ । କୂଟନୀତିବୁଦ୍ଧିର ଏ ଏକ ପରାଜୟ । ରଜାଙ୍କ ଉପରେ ଏ ହତ୍ୟାକାଣ୍ଡ ଲାଗି ସବୁ ଦୋଷ ନଦିଦେବା ଏକ ପକ୍ଷପାତ ବିଚାର ।

 

ରାଜନୀତି କି ନିର୍ମମ ! ପରମୁଣ୍ଡରେ ନଡ଼ିଆ ପିଟିଖାଇବା, ନିଜେ ପଣସ ଖାଇ ପରମୁଣ୍ଡରେ ଅଠା ବୋଳିବା, ଶୁଖିଲାରେ ବସି ବାଳିଆ ପିଟିବା ସୁବିଧାବାଦୀ ରାଜନୀତିକର କାମ-। ଗୋବର୍ଦ୍ଧନ ସେଇ ନୀତିର ବାହକ, ଯଦିବା ବାହାର ଦୃଷ୍ଟିରେ ସେ ସରଳ, ମୁକ୍ତପ୍ରାଣ ବୋଧ ହୁଅନ୍ତି ।

 

ଗୋବର୍ଦ୍ଧନ ରାତିରେ ଲୁଚି ଲୁଚି ଅନୁଗୁଳରୁ କଟକ ଆସିଲେ । କୁଆଁତରା ବୁଡ଼ିବା ଉପରେ, ସିନ୍ଦୂରା ଫାଟିଥାଏ, ନ ଥାଏ । ସେ ମହାନଦୀରେ ବୁଡ଼ଟାଏ ପକାଇଲେ । ମନରେ ଅସୀମ ତୃପ୍ତି ।

 

ସେତେବେଳେ ମହାନଦୀକୂଳଟା ଅତ୍ୟନ୍ତ ନିର୍ଜନ । ମଠ, ମନ୍ଦିର, ମସ୍‌ଜିଦ୍‌ ପ୍ରାୟ ସଂଶୟମୁକ୍ତ ଥାଏ । ଗୋବର୍ଦ୍ଧନ ପାଗଲାବାବାଙ୍କ ମଠର ଦୁଇଟି କୋଠରୀ ଭଡ଼ା ନେଇ ରହିଲେ; ୧୯୪୨ ବିପ୍ଳବକାଳ; କାହା ସାହାଯ୍ୟରେ ବାହାର ସହିତ ଯୋଗସୂତ୍ର ରକ୍ଷାହେବ ? ଭାବୁ ଭାବୁ ତାଳମୂଳର ଦୁଇଜଣ ବିପ୍ଳବୀଙ୍କ ସହିତ ଦେଖା ହୋଇଗଲା । ଗୋଟିଏ ଚୋରୀ ଲିଥୋ ମେସିନରେ ଲିଥୋ କରାଇ ସ୍କୁଲ, କଲେଜ, ଜେଲ୍‌ଫାଟକ, ବଜାର କାନ୍ଥରେ ମାରିଦିଆଗଲା—

 

ଦେଶର ସବୁ ନେତା ଏବେ ଜେଲ୍‌ରେ । ନିଜ ନେତା ନିଜେ ହୁଅ । ରେଲ୍‌ଲାଇନ୍‌ ତାଡ଼ି ଫୋପାଡ଼ିଦିଅ, ଟେଲିଗ୍ରାଫ୍‌, ଟେଲିଫୋନ୍‌ ତାର କାଟ । ଥାନା ପୋଡ଼, ଅଫିସ କାଗଜପତ୍ର ନଷ୍ଟ କରିଦିଅ ସ୍କୁଲ କଲେଜରେ ଧର୍ମଘଟ କର, ବଜାରରେ ହରତାଳ କର । ଇଂରେଜ ଶାସନକୁ କାବୁ କର ।

 

ଖଜଣା ଟିକସ ଦିଅ ନାହିଁ । ଯୁଦ୍ଧଚାନ୍ଦା ଦିଅନାହିଁ । ସୈନ୍ୟବିଭାଗକୁ ଧାନଚାଉଳ, ପନିପରିବା, ମେଣ୍ଢାଛେଳି ବିକ ନାହିଁ । ଇଂରେଜ ବୋଲକରା କାନକୁହାଙ୍କୁ ନିପାତ କର । ଖଜଣାଖାନା ଲୁଟ୍‌ କର, ଜଙ୍ଗଲରୁ ଯେତେ ଇଚ୍ଛା ସେତେ ଗଛବୃଛ କାଟିନିଅ । ତୁମ ନେତାକୁ ଯେ ମାରୁଛି, ତୁମେ ତାକୁ ମାର, ଯେଷାକୁ ତେଷା ନୀତି ଧର ।

 

ଅହିଂସାନୀତି ଗରମପାଣି, ଗରମପାଣିରେ ଘର ପୋଡ଼େ ନାହିଁ । ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ ।

 

ଲୋକେ ମାତିଉଠିଲେ । ଚାରିଆଡ଼େ ଭଙ୍ଗାରୁଜା, ପୋଡ଼ାଜଳା, ଧର୍ମଘଟ, ହରତାଳ, ଶୋଭାଯାତ୍ରା; ପୁଣି ଶହେ ଚୌରାଳିଶଧାରା ଜାରୀ, ଲୁହବୁହା ଗ୍ୟାସ୍‌ ପ୍ରୟୋଗ, ଗୁଳିକାଣ୍ଡ । ଲୋକଙ୍କୁ ଛାନିଆଁ କରିବାଲାଗି ଗାଁକୁ ଗାଁ ପୋଡ଼ି ଦିଆ ହେଉଥାଏ; ପିଟ୍‌ଣି ଟିକସ ଆଦାୟ ଚାଲିଥାଏ । ହଜାର ହଜାର ଲୋକ ଜେଲରେ; ସ୍ଥାନାଭାବ ଘଟିଲେ; ତାର ଘେରାଯାଇ ମେଲାରେ କଏଦୀଙ୍କୁ ରଖାଗଲା ।

 

ଗାନ୍ଧିଜୀ ଅହିଂସା ସତ୍ୟାଗ୍ରହର ପକ୍ଷପାତୀ । ସେ ଏବେ ଆଗାଖାଁ ପାଲେସ୍‌ରେ ଅଟକବନ୍ଦୀ । ସେ କେବେ କହିପାରନ୍ତି—ଅଫିସ୍‌ ପୋଡ଼, ଖଜଣାଖାନା ଲୁଟ୍‌ କର । ହିଂସାକାଣ୍ଡରେ ବିଶ୍ୱାସୀ ଏ କୋଉ ସଇତାନର କାର୍ଯ୍ୟ । ଖୋଜ ଖୋଜ ଏ ନାଟର ଗୋବର୍ଦ୍ଧନକୁ ।

 

ଏ ପାମ୍ପ୍‌ଲେଟ୍‌ ମାରୁଛି କିଏ ? ମରାହେଉଛି କେତେବେଳେ ? ସବୁଆଡ଼େ ତ ପୁଲିସ୍‌ ଜଗୁଆଳୀ; ଦେଖ କାମରେ ଖିଲାପ କରୁଛି କିଏ ? ଦାରୋଗା ରାତି ଅଧରେ ତନଖି କରୁ କରୁ ଦେଖିଲେ—କାନ୍ଥରେ ଛାପା ମାରୁଛି ଗୋଟାଏ ଛାଇ । ହୁଇସିଲ ମାଇଲେ, ଟର୍ଚ୍ଚ ପକାଇଲେ; ପୁଲିସ୍‌ ଗିରଫ୍‌ କଲାବେଳେ ସେ ଛାଇ କହିଲା—ଛୁଅଁନାଇଁ ଆଜ୍ଞା, ରୋଗସ୍ଥ ।

 

‘ଆରଜନ୍ମରେ କି ପାପ କରିଥିଲୁ ଯେ ଏ ରୋଗ ଭୋଗୁଛୁ । ପୁଣି ପାପ କରୁଛୁ କୋଉ ସାହସରେ ?’

 

‘ଏ ପାପ ନୁହେଁ, ପୁଣ୍ୟ ଆଜ୍ଞା, ଗାନ୍ଧୀ ମହାତମା କହିଛନ୍ତି—ଦେଶ ଲାଗି କାମ ମହା ପୁଣ୍ୟ ।’

 

‘କିରେ ଭାରି ତ ମୁହଁ ବଢ଼ିଯାଇଛି, ବଡ଼ ବଡ଼ କଥା କହୁଛୁ ।’

 

‘ଖାଲି ବିଦେଶୀ ଗୋରାମାନେ ବଡ଼ ବଡ଼ କଥା କହିବେ, ବିଧାତା ଲେଖିଦେଇଛି ? ଆମେ କଳା ଲୋକ ପଥରପରି ଶୁଣୁଥିବା ? ଆମ ଦିହରେ କ’ଣ ରକ୍ତ ନାହିଁ ?’

 

‘ଖଣ୍ଡିଆ ଟିଣ ଧରି ବାରଦୁଆର ଭିକ ମାଗୁଚି । ୟା ବହପ ଦେଖ ।’

 

ଥାନାକୁ ଘୋଷାରି ନିଆଗଲା; ଗୋରା ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ । ଫିଲିଫ୍‌ସାହେବ ଚିତ୍କାର କଲେ—ସେଟାକୁ ଗେଲେଇ ଗେଲେଇ ପଚାରୁଚ କଣ ? ଲଗାଓ ତାକୁ । ସେ କାହାଠୁ ଏ ପାମ୍ପ୍‌ଲେଟ୍‌ ଆଣୁଚି, କଥାଟା ଆଦାୟ କର ।

 

କୁଷ୍ଠ ଘାଆରେ ମାଛି ବେଢ଼ି ଯାଉଥାନ୍ତି । ତା’ରି ଉପରେ ବସିଲା ମାଡ଼, ମାଡ଼ ଉପରେ ମାଡ଼ । ଚେତା ବୁଡ଼ିବା ଆଗରୁ ନରୁ ପଧାନ କହିଲା—ଏ ପୁଡ଼ିଆଟି ନିଅ । କାଳିଆବୋଦାରେ ମୋ ଭାରିଯା ରାଧୀ, ଆଉ ତିନୋଟି ଛୁଆ ଅଛନ୍ତି । ତାକୁ ଦବ ।

 

‘ବଜାଅ, ବଜାଅ, ଅସଲ ଆସାମୀର ନାଆଁ କହୁନାଇଁ, ନ କହି ଯିବ କୁଆଡ଼େ ? ମାଡ଼କୁ ଯେ ମହାଦେବ ଡରନ୍ତି !’

 

ତାପରେ ଫିଲିଫ୍‌ ସାହେବର ଦିଟା ବୁଟ୍‌ ଗୋଇଠା; ଆଉ ଥରେ ‘ଜୟହିନ୍ଦ୍‌’ ଶବ୍ଦ ଶୁଣାଯାଇଥିଲା ।

 

ନରୁ ରୋଗସ୍ଥ ହେଲା । ରୋଗଭୟରେ ଗାଁ ଲୋକେ ତଡ଼ିଲେ । ସେ ମହାଦେବଙ୍କ ପାଖେ ଅଧ୍ୟା ପଡ଼ିଲା, ବାଟୁଳାଏ ପ୍ରସାଦ ମାତ୍ର ଖାଇ । ଲୋକେ ଦେଉଳରେ ପଶିବାକୁ ଡରିଲେ । ଆୟ କମିଯିବାରୁ ପଣ୍ଡା ତଡ଼ିଲା । ନରୁ ପିଲାମାଇପଙ୍କୁ ଘେନି କାନି ବିଛାଇ ବସିଲା । ଦିନରେ ଭିକ ମାଗେ, ରାତିରେ କଂଗରସ୍‌ କାମ କରେ । ଖଣ୍ଡିଆଖାବରା ଗୋଡ଼ହାତ; ସେଥିରେ ଛୋଟେଇ ଛୋଟେଇ ଯାଇ ଏଠା ଖବର ସେଠି ଦିଏ, ସେଠା ଖବର ଏଠି ଦିଏ । ତାର ବିଶ୍ୱାସ ଥିଲା—ଦେଶ ସ୍ୱାଧୀନ ହେଲେ କୋଢ଼ି ଆଉ ଭିକ ମାଗି ଯିବେନାହିଁ । ଅନ୍ଧ, କଣା, କୁଜ୍ଜା, ଛୋଟା ଆଦି ବିକଳାଙ୍ଗଙ୍କ ହେପାଜତ କରାଯିବ ।

 

କାଳିଆବୋଦା ନାଆଁଟି ଶୁଣିବା ମାତ୍ରେ ମଡ଼ାକୁ ଛାଡ଼ି ପୁଲିସ୍‌ ସଦଳବଳେ ଯାଇ ପାଗଲାବାବା ମଠକୁ ଘେରାଉକଲା । ପଳାଇବାକୁ ବାଟ ନାହିଁ । ହାତକଡ଼ା ପକାଇ ଗୋବର୍ଦ୍ଧନକୁ ହାଜତରେ ଠୁକି ଦିଆ ହୋଇଥିଲା ।

 

ବନ୍ଧୁମାନେ ଭାବୁଥିଲେ—ଅପରାଧ ଗୁରୁତର; ସିଧା କୋରାପୁଟ ଜେଲ୍‌କୁ ପଠାଇଦେବେ । ଲକ୍ଷ୍ମଣ ନାୟକଙ୍କ ସଙ୍ଗେ ଗୋବର୍ଦ୍ଧନଙ୍କର ଫାଶି ହବ ।

 

ନଇଲେ ତାଳମୂଳ ରଜାଙ୍କ ନିକଟକୁ ତାକୁ ପଠାଇଦେବେ । ମୁଣ୍ଡ ଉପରେ ଦୀର୍ଘକାଳ ହେଲା ରାଜାଙ୍କ ଓ୍ୱାରେଣ୍ଟ ଝୁଲୁଥାଏ ।

 

ଏସବୁ କିଛି ହେଲା ନାହିଁ । ନରୁର ଗିରଫ୍‌ ଖବର ଆଉ ଜଣେ କୁଷ୍ଠ ରୋଗୀଠାରୁ ପାଇ ଗୋବର୍ଦ୍ଧନ ପାଖରେ ଯାହା କାଗଜପତ୍ର ଥିଲା, ତାକୁ ନେଇ ମହାନଦୀରେ ପଥର ମଡ଼ାଇ ବୁଡ଼ାଇଦେଲେ । ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ଆଦୌ ପ୍ରମାଣିତ ହେଲାନାହିଁ, ଭାରତରକ୍ଷା ଆଇନ ବଳରେ ତାଙ୍କୁ କେବଳ ଜେଲରେ ଅଟକବନ୍ଦୀ କରି ରଖାଗଲା ।

 

ଅନ୍ୟ ନେତାମାନଙ୍କ ସହିତ ସେ ସସମ୍ମାନେ ଖଲାସ୍‌ ହେଲେ । ଦେଶ ସ୍ୱାଧୀନ ହେଲା-। ଗଡ଼ଜାତସବୁ ଓଡ଼ିଶା ପ୍ରଦେଶ ସହିତ ମିଶିଲା । ନିର୍ବାଚନ ହେଲା; ତାଳମୂଳରୁ ଗଣତନ୍ତ୍ର ଦଳରୁ ଛିଡ଼ା ହେଲେ ରାଜା କୀର୍ତ୍ତିଚନ୍ଦ୍ର, କଂଗ୍ରେସ ତରଫରୁ ଗୋବର୍ଦ୍ଧନ ।

 

ରାଜା କୀର୍ତ୍ତିଚନ୍ଦ୍ର ରାଜ୍ୟହୀନ, କିନ୍ତୁ ରାଜମହଲରେ ବଢ଼ି ଆସିଛନ୍ତି, ରାଜଅଭିମାନ ଛାଡ଼ି ପାରି ନାହାନ୍ତି, ଦୁରଭ୍ୟାସ ମଧ୍ୟ । ଦିନ ଦିପହରକୁ ଉଠନ୍ତି, ଉପରବେଳାକୁ ଖାନ୍ତି । ଅଭ୍ୟାସ ମଣିଷର ଦ୍ୱିତୀୟ ପ୍ରକୃତି; ଦୁର୍ବଳ ମଣିଷ ମନ୍ଦ ଅଭ୍ୟାସର ବଶ ହେଲେ ଦୁର୍ବିପାକ ମଧ୍ୟରେ ବି ତାକୁ ଛାଡ଼ିପାରେ ନାହିଁ । କଥା ଅଛି—ହାତରେ ନ ଥାଇ ଧନ ପୁଅ ବାହା କରି ମନ ।

 

ହାତରେ ପଇସା ନାହିଁ । ନିର୍ବାଚନ ଲଢ଼ି ବାହାରିଛନ୍ତି । ଗଣତନ୍ତ୍ରଦଳ କିଛି ପାଣ୍ଠି ଯୋଗାଇନାହିଁ । ନିଜ ମାନସମ୍ମାନ ଜଗି ରାଜା ବି ତୁଣ୍ଡ ଶୁଣାଇନାହାନ୍ତି ।

 

କଥା ଅଛି—ଉଦ୍‌ଯୋଗ କର୍ମକର୍ତ୍ତା; କୀର୍ତ୍ତିଚନ୍ଦ୍ର ସବୁ ଜାଣନ୍ତି, ବୁଝନ୍ତି, କହନ୍ତି । କିନ୍ତୁ ଅତ୍ୟଧିକ ଅଳସୁଆ । ନିଜେ ନିର୍ବାଚନମଣ୍ଡଳୀରେ ଘେରାଏ ବୁଲି ଆସିବାକୁ ସେ ସମୟ କରି ପାରିଲେ ନାହିଁ ।

 

ସେତେବେଳେ ‘ପଣ୍ଡିତ ଜବାହର ନେହୁରୁକୀ ଜୟ’ ଶୁଣିଲେ ଲୋକେ ପାଗଳ । ଲୋକସ୍ମୃତି କ୍ଷୀଣ; ଗୋବର୍ଦ୍ଧନଙ୍କ ଲାଗି ତାଳମୂଳର ଯେ ଏତେ ମରିଥିଲେ ସେକଥା ଲୋକେ ଭୁଲିଯାଇଛନ୍ତି । ଲୋକେ ଗାଈସାହାଣ ପରି ଏକମୁହାଁ ଚାଲିଲେ ଭୋଟ ଦେଇ । ରାଜାସାହେବଙ୍କ ଅମାନତ ଉଡ଼ିଗଲା; ବହୁ ତ୍ୟାଗସ୍ୱୀକାର, ବହୁ ବର୍ଷ ଜେଲ୍‌ବରଣ ଓ ସ୍ୱାଧୀନତା ସଂଗ୍ରାମ ଦାବୀରେ ଗୋବର୍ଦ୍ଧନ ଏକ ମୁଖ୍ୟସ୍ଥାନ ଲାଭକଲେ—ପୂର୍ତ୍ତମନ୍ତ୍ରୀ ।

 

ତାଳମୂଳ ରାଜଧାନୀର ଏକ ସମ୍ୱର୍ଦ୍ଧନାସଭାରେ ସେ ଏଇ ଭାଷଣ ଦେଲେ–‘‘ଆପଣମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମୁଁ ରାଜାଙ୍କ ସହିତ ଯୁଦ୍ଧ କରି ଆସିଛି । କେତେଥର ସେ ହାରିଥିଲେ, କିନ୍ତୁ କେବେ ପରାଜୟ ସ୍ୱୀକାର କରି ନ ଥିଲେ । ଏବେ ଚିତ୍‌ ହେଲେ-

 

ଅମାନତ ଉଡ଼ିଗଲା, ମାନେ ଯାହା କହନ୍ତି—ଖପୁରି ଉଡ଼ିଗଲା । ଯେମିତି ତଳିତଳାନ୍ତ ହୋଇଛନ୍ତି, ଆଉ ଦିନେ ସେ ମୁଣ୍ଡ ଟେକିବେ ନାହିଁ ।

 

ଆପଣମାନଙ୍କ ଅନୁଗ୍ରହରୁ ମୁଁ ମନ୍ତ୍ରୀ ହୋଇଛି । ମୋ ଦୁଆର ଆପଣମାନଙ୍କ ଲାଗି ସବୁବେଳେ ଖୋଲା ରହିବ । ଆପଣମାନଙ୍କ ଦୁଃଖ ମୋ ଦୁଃଖ, ନିର୍ଭର ଜାଣିବେ ।’

 

ଗୋବର୍ଦ୍ଧନ ସରଳ ଜୀବନ, ଦେଶସେବା ଆଦର୍ଶ କିଛିଦିନ ବଜାୟ ରଖିଥିଲେ । ସାଇକେଲରେ ସେକ୍ରେଟରିଏଟ୍‌କୁ ଯାଇ ସେ ଚମକ ଖେଳାଇଥିଲେ । ଦ୍ୱାର ତ ଖୋଲା, କାହା ପୁଅର ଚାକିରି ଲୋଡ଼ା, କିଏ ଅର୍ଥାଭାବରୁ କନ୍ୟାଦାୟମୁକ୍ତ ହୋଇପାରୁ ନାହିଁ, କିଏ ବା ପୈତୃକ ଋଣ ଶୁଝିପାରୁନାହିଁ, କିଏ ପରୀକ୍ଷାଫସ୍‌ ଦେଇପାରୁନାହିଁ, କିଏ ଉପରକୁ ପଢ଼ିପାରୁନାହିଁ, କିଏ ଚାରିଧାମ ତୀର୍ଥଯାତ୍ରା ଉଚ୍ଚାକାଂଖା ଘେନି ଆସିଛି, ବାଧା ଦେଉଛି ଅର୍ଥାଭାବ, କାହାର ବଦଳି ହୋଇଛି, କାହାର ପେନ୍‌ସନ୍‌ ମିଳୁନାହିଁ, ପ୍ରମୋସନ ହେଉନାହିଁ । ଏତେ ଲୋକଙ୍କୁ ସନ୍ତୁଷ୍ଟ କରିବା ଗୋବର୍ଦ୍ଧନଙ୍କ ଶକ୍ତିର ବାହାରେ, ଡାଲିଭାତ ମୁଠିଏ ଖାଇବାକୁ ଦେଇ ଛାଡ଼ିବା ମଧ୍ୟ ଅସମ୍ଭବ ହୋଇଉଠିଲା; ଘର, ପିଣ୍ଡା ସବୁଠି ନାନା ସ୍ୱାର୍ଥଲିପ୍‌ସା ଘେନି ଲୋକ ଆସି ଜମା ହୋଇଛନ୍ତି । ଗୋବର୍ଦ୍ଧନ ବୁଝିଲେ—କହିବା ବୋହିବା ସମାନ କଥା ନୁହେଁ । ସେ ବାଧ୍ୟ ହୋଇ ଦୁଆର ବନ୍ଦ କଲେ, ଗେଟ୍‌ପାଖେ ବନ୍ଧୁକଧାରୀ ଜଗୁଆଳୀ ରଖାଇଲେ । ଲୋକବ୍ୟୂହର ସମ୍ମୁଖୀନ ନ ହୋଇ ଘରୁ ଖସି ବାହାରିଯିବାର ଚୋରାବାଟ ରଖିଲେ ।

 

ଘରେ ତ ଗୋବର୍ଦ୍ଧନଙ୍କର ଯାହିତାହି ଖିଆପିଆ—ପ୍ରାୟ ସବୁଦିନ ଖଡ଼ା ବଡ଼ି ଥୋଡ଼, ଥୋଡ଼ ବଡ଼ି ଖଡ଼ା ପ୍ରାୟ ପ୍ରତିଦିନ ମିଟିଂ, ମୁଖ୍ୟତଃ ପୁଞ୍ଜିପତି ଆୟୋଜିତ । ଏଇ ବାଟରେ ପରିଚୟ ଜମେଇ ଜାଲରେ ଧରି ଖାଳୋଇରେ ପକାଇବା ଚେଷ୍ଟା ସେମାନେ କରୁଥାନ୍ତି । ଭୋଜିରେ ଯୋଗ ନ ଦେଇ ସେ ପହିଲେ ଖସିଆସୁଥିଲେ—ନିରାମିଷାଶୀ, ମିଠା ଖାଏନାହି; ନମସ୍କାର । ଏତିକି କହି ଗାଡ଼ରେ ବସି ଫୁର୍‌ର୍‌ ।

 

ଏତେ ଖର୍ଚ୍ଚବାର୍ଚ ହେଲା; ମନ୍ତ୍ରୀ ଚାଲିଗଲେ ବୋଲି ଆୟୋଜକ ମନ ଊଣା କରେନାହିଁ । ପକ୍‌କା ବ୍ୟବସାୟୀ ସେ । ପଦାକୁ ଭାରି ନିଃସ୍ୱାର୍ଥ ଭାବ ଦେଖାଏ, କହେ—ମନ୍ତ୍ରୀ ଚାଲିଗଲେ ତ କ’ଣ ହେଲା ? ଅନ୍ୟ ଅତିଥିମାନଙ୍କ ଚର୍ଚ୍ଚା ତ ହେଲା । ଭିତରେ ଭାବେ—ଏଥର ଜାଲରେ ପଡ଼ିଲା ନାହିଁ; ଆରଥର, ତା ଆରଥର...... ?

 

ଜ୍ୟୋତିଷୀ ଗଣନାଠାରୁ ତାର ଗଣନା ଅଳ୍ପ ଅଭ୍ରାନ୍ତ ନୁହେଁ । ଥରେ ସୁଆଦ ପାଟିରେ ଲାଗିଲା ପରେ ଆଉ ଛାଡ଼ିଲାନାହିଁ । ମନ୍ତ୍ରୀ ଆଉ କେଉଁଠାରୁ ନ ଖାଇ ଫେରିଲେ ନାହିଁ ।

 

ଗସ୍ତନିର୍ଘଣ୍ଟ ପହଞ୍ଚିବା ମାତ୍ରେ ଡାକବଙ୍ଗଳାରେ ଖାନାପିନାର ଯୋଗାଡ଼ ହୋଇଯାଏ; ପ୍ରାୟ ଶହେ ଲୋକଙ୍କର ରାଜକୀୟ ବ୍ୟବସ୍ଥା; କରିଛି କିଏ ? ହାଁକି, ଗୋଡ଼ାଣିଆ, ଦାନ୍ତନିକୁଟା, ଦାନ୍ତରେ କୁଟା, ଏମିତି କେତେ କିଏ । ବିଲ୍‌ ଦେବା ପାଇଁ ଏତେ ପଇସା କାହିଁ ?

 

ବିଲ୍‌ ନାମ ଶୁଣିବା ମାତ୍ରେ କେତୋଟି ବିନୀତ ହାତ ଯୋଡ଼ି ହୋଇଯାଏ—ଆଜ୍ଞା, ଆମ ଭାଗ୍ୟଦୋଷ—ଏ କଥା ଶୁଣିଲୁ । ଆମ ଘରକୁ କଣ କୁଣିଆଁମଇତ୍ର, ଅତିଥି ଅଭ୍ୟାଗତ ଆସୁନାହାନ୍ତି ? ହୋଟେଲରେ ସିନା ଦାମ୍‌ ନିଅନ୍ତି; ଏଠି ସେ କଥା ଜାଣେ କିଏ ? କୋଉ ସୁକୃତରୁ କେଜାଣି, କେତେ କାଳକେ ଆପଣଙ୍କ ପଦଧୂଳି ପଡ଼ିଛି, ଏ ସ୍ଥାନ ପବିତ୍ର ହୋଇଚି ।

 

ଦେଖୁ ଦେଖୁ ମନ୍ତ୍ରୀଙ୍କର ଜିହ୍ୱାଲାଳସା ବଢ଼ିଲା । ଫଳ, ଛେନା ପ୍ରଭୃତି ସ୍ୱତନ୍ତ୍ର ଖାଦ୍ୟର ବରାଦ୍‌ ହେଲା । ମନ୍ତ୍ରୀଙ୍କ ନିର୍ଦ୍ଦିଷ୍ଟ ଅତିଥିଭବନର କାନ୍ଥ ଖୋଳାହୋଇ ଏୟାର୍‌କୁଲର ବସାଗଲା !

 

ଚାରିଆଡ଼େ ବକ୍ତୃତା କରି କରି ମନ୍ତ୍ରୀଙ୍କ ଧାରଣା ହୋଇଯାଇଥିଲା—ସେ ଜଣେ ବଡ଼ ବକ୍ତା । ନଇଲେ ଲୋକେ ଏତେ ଡାକନ୍ତେ କାହିଁକି ? ବକ୍ତୃତା ସେମିତି ସାରବାନ୍‌ ସରସ ନ ହୋଇଥିଲେ ଲୋକେ ମନକର୍ଣ୍ଣ ଦେଇ ଶୁଣନ୍ତେ କାହିଁକି ?

 

ଲୋକସାଧାରଣଙ୍କୁ ସେ ବୋକା ଠଉରାନ୍ତି ନା କ’ଣ କେଜାଣି, ମଞ୍ଚରେ ଛିଡ଼ାହେବା ମାତ୍ରେ ପଚାରିଦିଅନ୍ତି—କି ଭାଷାରେ ବକ୍ତୃତା ଦେବି ? ହିନ୍ଦୀ, ବଙ୍ଗଳା, ଇଂରାଜୀ, ସଂସ୍କୃତ, ପାଲି ନା ଓଡ଼ିଆରେ ? ବିଜ୍ଞ ଲୋକେ ଜାଣନ୍ତି—ୟାଙ୍କ ଦୌଡ଼ କେତେ, ମନେ ମନେ ହସନ୍ତି । ନିଜ ପ୍ରଶ୍ନର କୌଣସି ଉତ୍ତର ନ ପାଇ ମନ୍ତ୍ରୀ ଓଳିଆରୁ ଗାଳିଲା ପରି ଗାଳିପକାନ୍ତି ବକ୍ତୃତା, ଅନର୍ଗଳଭାବରେ ଓଡ଼ିଆରେ । ବିଜ୍ଞାନ, ଦର୍ଶନ, ଜ୍ୟୋତିଷ କବିରାଜୀ, ହୋମିଓପ୍ୟାଥି ଆଦି ଯେ କୌଣସି ବିଷୟରେ କହିଲାବେଳେ ତାଙ୍କ ତୁଣ୍ଡ ଅଟକେ ନାହିଁ—ସତେ ବା ଗଣେଶଙ୍କ ପୁତ୍ର, ସବୁ ବିଦ୍ୟା ସାଧି ଦୋରସ୍ତ କରିଛନ୍ତି ।

 

ବକ୍ତୃତା ଶୁଣି ଲୋକେ ବହୁତ ତାଳି ଦିଅନ୍ତି—ମାନେ ବନ୍ଦ କର, ବନ୍ଦ କର । ମନ୍ତ୍ରୀ ବୁଝନ୍ତି ଓଲଟା—ତାଙ୍କ ସର୍ବଜ୍ଞତାରେ ଲୋକେ ମୁଗ୍‌ଧ, ବିସ୍ମିତ, ଅଧିକ ଶୁଣିବାଲାଗି ଆଗ୍ରହ ପ୍ରକାଶ କରୁଛନ୍ତି ! ପ୍ରକୃତରେ ଲୋକେ ତାଙ୍କର ଘୋର ଅଜ୍ଞାନତା ଆଉ ମୂଢ଼ ସବ୍‌ଜାନ୍‌ତା ଭାବ ଦେଖି ମନେ ମନେ ହସୁଥାନ୍ତି ।

 

ଘନ ଘନ କରତାଳି ପରେ ସେ ଶାଖାପ୍ରଶାଖା ମେଲନ୍ତି—ହଁ, ଗୋଟାଏ ବଡ଼ ବିଷୟ ଛାଡ଼ିଗଲି ! ଏଇ ମୋର ଶେଷ କଥା, ଏଇ ବକ୍ତୃତା ଭିତରେ ଘଣ୍ଟାକଣ୍ଟାଟା କେତେଥର ବୁଲିଯାଏ । କଥା ଅଛି—

 

ରାଜାର ନନ୍ଦିନୀ ପ୍ୟାରୀ

ଯା କରେ ତା ଭାଲୋ ।

 

ମନ୍ତ୍ରୀଙ୍କ ବକ୍ତୃତାକୁ ଭଲକହିବାକୁ ହିଁ ହବ । ନଇଲେ ରକ୍ଷା ନାହିଁ, ଆଗେ ରଜା ତ ସମାଲୋଚନାର ଉପରେ ଥିଲେ । ଏବେ ଯେଡ଼େ ଗଣତନ୍ତ୍ରୀ ବୋଲି ଦେଖାଇହେଲେ ବି ସେ ମନେ ମନେ ରାଗ ରଖିବେ, ବେଳ ଉଣ୍ଡି ରିହ ସାଧିବେ ।

 

ଏଇ ସମୟରେ ଏମିତି ଗୋଟାଏ ଘଟଣା ଘଟିଲା, ଯାହା ଓଡ଼ିଶାର ନେତାମହଲରେ ତାଙ୍କୁ ଦିକଡ଼ାର କରିଦେଲା, ଯଦିବା ଊଣା ଅଧିକେ ମନ୍ତ୍ରୀମଣ୍ଡଳର ସମସ୍ତ ସଭ୍ୟ ଏଥିଲାଗି ଦାୟୀ ଥିଲେ । ଗୋବର୍ଦ୍ଧନ ନୁଆଁଣିଆ ବୋଲି କଥାଟା ତାଙ୍କ ଆଡ଼କୁ ଗଡ଼ିଗଲା, ନୁହେଁ । ଏଇଟା ତାଙ୍କ ନିର୍ବାଚନମଣ୍ଡଳୀର ଘଟଣା । ସେ ବେଳହୁଁ ସତର୍କ ହୋଇଥିଲେ ନେଡ଼ିଗୁଡ଼ କହୁଣିକି ବୋହିଯାଇ ନ ଥାନ୍ତା ।

 

ଗାଈଜଗା ଟୋକାଟେ, ସେ କି ସପନ ଦେଖିଲା କି ନାହିଁ କେଜାଣି, ହଠାତ୍‌ ବାବା ବନିଯାଇ ଚକାପକାଇ ବସିଗଲା—କିଏନା ନେପାଳୀବାବା ! ହୁକୁମ୍‌ ଦେବେ ।

 

ସବୁ ରୋଗକୁ ଗୋଟିଏ ମାତ୍ର ଓଷଦ—କି ଗଛର ପତ୍ର । ଓଷଦ ଗୁଣରେ ରୋଗ ଭଲ ହୁଏନା, ଠାକୁରଙ୍କ ଆଜ୍ଞାରେ ? ସେ କଥା କିଏ ଜାଣେ ବା ନ ଜାଣେ ? ଭଲହେଲେ ତ ନଟ ଗଲା; ସେ କଥା ଭାବି ବା ଆଲୋଚନା କରି କି ଲାଭ ?

 

ବାତକୁ ଯେ, ପିତ୍ତକୁ ସେ, ଶେଷ୍ମାକୁ ସେ; କୁଷ୍ଠକୁ ସେ, ରାଜଯକ୍ଷ୍ମାକୁ ସେ, କାଛୁକୁଣ୍ଡିଆ, ମଇଁଷିଆ ଜାଦୁକୁ ସେ । ପାନେ ଓଷଦ ଖାଇ ଜନ୍ମଛୋଟା ଦୌଡ଼ିଛି, ଅନ୍ଧର ଆଖି ଫାଟିଯାଇଛି, ଜଡ଼ାର ମୁହଁ ଖୋଲିଛି, କୁଜ୍ଜା ପିଠି ସଳଖି ଛିଡ଼ାହୋଇଛି । କଥାଟା କ’ଣ ସତ ? ସତ ନୁହେଁ ତ କ’ଣ ? ଲୋକେ କ’ଣ ମିଛ କହୁଛନ୍ତି ? ରାଜ୍ୟ ରାଜ୍ୟ ଲୋକ ଦୌଡ଼ୁଛନ୍ତି ! ତୁମେ ପଚାରୁଛ କ’ଣ-? ଅବିଶ୍ୱାସ ହଉଚି ତ ନ ଯାଅ । ଆମ ଭାଗ୍ୟକୁ ଭଗବାନ୍‌ ଅବତରିଛନ୍ତି । ୟାଙ୍କୁ ଗନ୍ଧଉଚି-!

 

ଗୁଜବ୍‌ର ପ୍ରଭାବ ଏପରି ଯେ ଲୋକେ ଜାଣନ୍ତୁ ନ ଜାଣନ୍ତୁ, ରାଣନିୟମ ପକାଇଲେ, ଆଖି ଛୁଇଁଦେଲେ; ଧାଇଁଲେ, କେବଳ ଧାଇଁଲେ—ସୁଅ ମୁହଁରେ ଧାଇଁଲେ ।

 

ଧନ୍ୟ ଏ ଖବରକାଗଜବାଲାଙ୍କୁ । ସେମାନେ ତିଳକୁ ତାଳ କରି ପ୍ରଚାର କରିଦେଲେ—ବିଚିତ୍ର ଏକ ବାଳକର ମହିମା । ବାଳକୃଷ୍ଣ ବାଳଗୋପାଳ ଏ । ଛୁଇଁଦେଲେ ରୋଗ ଛାଡ଼ି ପଳାଉଛି-

 

କୁହୁକ, ଇନ୍ଦ୍ରଜାଲ, ମାୟାରେ ବିଶ୍ୱାସୀ ତ କମ ନାହାନ୍ତି । ଓଷଦରେ ଭଲ ହେବାକୁ ବିଳମ୍ୱ ଲାଗେ, ଭଲ ହୋଇପାରେ ନ ପାରେ; ଏଥିରେ ତ ଆଖି ପିଛୁଳାକେ । ଅନ୍ଧବିଶ୍ୱାସୀ ଲୋକେ ଦୌଡ଼ିଲେ, ଓଧ ସାଙ୍ଗରେ ବଣଭୁଆ ବାଇ ହେଲା ପରି ଦୌଡ଼ିଲେ—ଆଧୁନିକ, ଶିକ୍ଷିତ ବିଜ୍ଞାନବିଶ୍ୱାସୀ ।

 

ରେଲ୍‌ଗାଡ଼ିରେ ପାଦ ପକେଇବାକୁ ଜାଗା ନାହିଁ । ପଞ୍ଜାବ, ଗୁଜୁରାଟ, ରାଜସ୍ଥାନ, ଆସାମ, ବିହାର, କର୍ଣ୍ଣାଟକ, କେରଳ, ମାନ୍ଦ୍ରାଜ, ବମ୍ୱେ, ଦିଲ୍ଲୀ, କଲିକତା, କାଶ୍ମୀର ଲୋକେ ଛୁଟିଲେ ।

 

ଯାହାକୁ ଡାକ୍ତର ନିରାଶ କରିଛନ୍ତି, ଯେତେ ଖର୍ଚ୍ଚ ପଡ଼ୁ, ଯେତେ କଷ୍ଟ ହଉ ପଛେ, ସେ ଦୌଡ଼ିଆସିଛି । କେଜାଣି ଭଗବାନ୍‌ ଡାକ ଶୁଣିବେ, ଭଲ ହୋଇଯିବ ।

 

ଆସିଛନ୍ତି ବ୍ୟବସାୟୀ ଶେଠ, ରଜା, ଜମିଦାର, ବଡ଼ ବଡ଼ ଅଫିସର, ଦେଖିବା ବାହାନାରେ ଆସିଛନ୍ତି କେତେ ମନ୍ତ୍ରୀ—ଭିତିରୀ ଉଦ୍ଦେଶ୍ୟ—ପୁଅଟା ମାଂସପିଣ୍ଡୁଳା, ଦଶବର୍ଷ ହେଲା ଶେଯରେ ଗଡ଼ୁଚି । ଦୈବାତ୍‌ ଯଦି ଭଲ ହୋଇଯାଏ !

 

ଶଗଡ଼ ଶଗଡ଼ ପତ୍ର ପର୍ବତରୁ ବୁହାହୋଇ ଆସୁଚି । ଭୋକଶୋଷ ଭୁଲି ବାଣ୍ଟିଚାଲିଛି ନେପାଳୀବାବା..... । ଉଠୁଚି ଦୋହା....ନେପାଳୀ ବାବାକୀ ଜେ ।

 

ରନ୍ତଲେଇ ଗାଁଆରେ କି ଦିନ କି ରାତି ମେଳା ବସିଯାଇଛି, ଏତେ ଲୋକଙ୍କ ଖାଇବା କଥା ପଚାରେ କିଏ ? ଖରାଦିନ, ଗୋଟିଏ ମାତ୍ର ପୋଖରୀ । ଶୁଖି ପଙ୍କ ଉଠିଯାଇଚି । ସେଥିରେ ଲୋକ ପାଣି ସାରୁଛନ୍ତି, ସେଇ କାଦୁଅପାଣି ବି ପିଉଛନ୍ତି । ଶୋଷରେ ତୋଟ ଫାଟିଗଲେ ଆଉ କ’ଣ କରିବେ ?

 

ବାଡ଼ିଠାକୁରାଣୀଙ୍କ ପାଇଁ ମଉକା ମିଳିଗଲା । ପଟାଳିପରି ଲୋକେ ଶୋଇଗଲେ । ସ୍ୱାମୀ ପାଇଁ କାନ୍ଦୁ କାନ୍ଦୁ ସ୍ତ୍ରୀ, ବାପ ପାଇଁ କାନ୍ଦୁ କାନ୍ଦୁ ପୁଅ ମରିଶୋଇଲା । କାନ୍ଦବୋବାଳିରେ ଚାରିଆଡ଼ ଉଛୁଳିଲା । ତା’ପରେ ଦେଖୁ ଦେଖୁ ସବୁ ତୁଣ୍ଡ ନୀରବ ହୋଇଗଲା, କାନ୍ଦିବାକୁ କେହି ରହିଲେ ନାହିଁ ।

 

କେଡ଼େ କେଡ଼େ ଘରର ଲୋକ; ପାଣି ଟୋପିଏ ବିନା ପାଟି ପାକୁ ପାକୁ କରି ମରିଶୋଇଲେ । ଭଲହେବାକୁ ଆସି ମୂଳରୁ ଗଲେ । ତାଳମୂଳରୁ କଟକ ପ୍ରାୟ ପଚାଶକୋଶ ସଢ଼ା ମଡ଼ା ଗନ୍ଧରେ ଭରିଗଲା । ପୋଡ଼ଛି, ପୋତୁଛି କିଏ ?

 

ଏ ବିପଦବେଳେ ଡାକ୍ତର, ନର୍ସ ବା କୌଣସି ସେବାକାରୀ ନ ଥିଲେ । ବୁଲୁଥିଲେ ଗୋଟିଏ ଦଳ ନିର୍ଭୀକ ଭାବେ । କେଉଁ ମୁର୍ଦ୍ଦାର ପକେଟରୁ କାଢ଼ୁଥିଲେ ଟଙ୍କା, ହାତରୁ ସୁନାମୁଦି ବା ଘଣ୍ଟା; କେଉଁ ନାରୀ ଦେହରୁ କାଢ଼ି ନେଉଥିଲେ ଅଳଙ୍କାର—ନିର୍ବିକାର । ଆଖିରେ କରୁଣାର ଚିହ୍ନବର୍ଣ୍ଣ ନ ଥିଲା, ଲୋଭ—ପ୍ରଚଣ୍ଡ ଲୋଭ; ନିଷ୍ଠୁର ପ୍ରତିଯୋଗିତାରେ ମରାମରି ବି ଲାଗିଯାଉଥିଲା ।

 

ଗାଆଁର କୌଣସି ପରିବାର ବି ହଇଜା ପ୍ରକୋପରୁ ରକ୍ଷା ପାଇ ନ ଥିଲା । ରନ୍ତଲେଇଟା ଦିଶୁଥିଲା ଗୋଟାଏ ମଶାଣି ପରି । ତା ଭିତରେ ବାବାଙ୍କର ଶବସାଧନ ସତେ ବା ଚାଲିଥିଲା !

 

ଏଇ ଭୟଙ୍କର ଅବସ୍ଥାରେ ଚମକି ଆସିଲା ଜଣେ ନାରୀ, ବାବାଙ୍କ କାନକୁ ରଗଡ଼ି ପଚାରିଲା—ତୋ ଓଷଦରେ ଯଦି ରୋଗ ଭଲ ହଉଚି, କି ସକାଶେ ଏତେ ଲୋକ ମରି ଶୋଉଛନ୍ତି-? ଗୋଟାଏ ଫେଚ୍‌କାମି ଲଗେଇଚୁ ଏଠି ! ୟା କହି ଲଗାଇଲା ଗୋଟାଏ ଚାପୁଡ଼ା । ସେତିକିରେ ବାବାଙ୍କର ବ୍ରହ୍ମଜ୍ଞାନ ଆସିଗଲା । ପ୍ରାଣବିକଳରେ ପଳାଇଯାଇ ସେ କୋଉ ପାହାଡ଼ ଖୋଲରେ ଲୁଚିଲେ, କେହି ତାର ପତ୍ତା ପାଇଲେ ନାହିଁ ।

 

କେଡ଼େ ଖଣ୍ଡପ୍ରଳୟ ଘଟିଗଲା ! ଏଡ଼େ ଦୁର୍ଘଟଣା ଘଟିବାକୁ ସେ ଦେଲେ କାହିଁକି ? ଯାହା ମୁହୂର୍ତ୍ତକେ ବନ୍ଦ କରିପାରିଲା ଜଣେ ନାରୀ ଏତେ କ୍ଷମତା ଧରି ଗୋବର୍ଦ୍ଧନ ପାରିଲେ ନାହିଁ କାହିଁକି ?

 

ଏଥିରେ ଲୋକକଲ୍ୟାଣ ହେବ ବୋଲି ତାଙ୍କର ବିଶ୍ୱାସ ଥିଲା । ହୁକୁମ୍‌ ନା ଓଷଦ ? କାହା ଉପରେ ତାଙ୍କର ଆସ୍ଥା ଥିଲା ? ନା, ଦି ନାଆରେ ଗୋଡ଼ ଦେଇଥିଲେ ? ନ ଆଧୁନିକ, ନ ପ୍ରାଚୀନ; ସେ ଥିଲେ ମଝିମଝିଆ । ତେଣୁ ନିଜେ ବୁଡ଼ନ୍ତୁ ନ ବୁଡ଼ନ୍ତୁ, ଦେଶକୁ ବୁଡ଼େଇ ମାରିବା ଅବସ୍ଥା ଘଟିଲା ।

 

ଏ ବୀଭତ୍ସ ଦୃଶ୍ୟ ଆଖି ଆଗରେ ବେଳେ ବେଳେ ନାଚିଯାଉଥିଲା । ଗୋବର୍ଦ୍ଧନ ପାଗଳ ପରି ହେଉଥିଲେ । କିନ୍ତୁ ରାଜନୀତିକର ଏ ବୈରାଗ୍ୟ କ୍ଷଣିକ । ଏହା ଶ୍ମଶାନବୈରାଗ୍ୟ କୁହାଯାଇପାରେ ।

 

।। ଚଉଦ ।।

 

‘ଏ ଘର କି ଅବେଇଛତର ହେଇ ପଡ଼ିଚି ! କେତେ ବୁଢ଼ିଆଣୀ ବସା, ଅଳନ୍ଧୁ !’

 

‘ଜୀବନଟା ତ ସବୁବେଳେ ଅସଜଡ଼ା ରହିଗଲା, ଘରକୁ ପଚାରେ କିଏ ?’

 

ସଜାଡ଼ିବାକୁ କିଏ ମନା କରୁଛି ?’

 

‘ନିଜକୁ ଚାହିଁବାକୁ ମତେ ବେଳ କାହିଁ ? ଘର ଦେଖିବି କେତେବେଳେ ?’

 

‘ଘର ବାହାର, ଆପଣା ପର ସବୁ ଦେଖିଲେ ସିନା ମଣିଷ !’

 

‘ଘରକୁ ବା ନିଜକୁ ନ ଚାହିଁ ପର କାମରେ ଜୀବନ ବିତେଇଲି ବୋଲି ସିନା ଲୋକେ ମତେ ମନ୍ତ୍ରୀ କଲେ !’

 

‘ଆଗେ ମଣିଷ, ପରେ ମନ୍ତ୍ରୀ ହବା ସିନା ଭଲ ।’

 

‘ତୁମେ କାହାକୁ ମଣିଷ କହୁଚ ? ଗାନ୍ଧିଜୀଙ୍କୁ ?’

 

‘ନା, ସେ ମହାତ୍ମା, ଘର ଉପରେ ଆଖି ନ ରଖିବାରୁ ପିଲାଗୁଡ଼ାକ ବିଗିଡ଼ି ଗଲେ । ସ୍ତ୍ରୀ ବି ଜୀବନସାରା ସ୍ୱାମୀଙ୍କ ବିରୁଦ୍ଧରେ ବିପ୍ଳବ କରୁଥିଲେ । ନିଜେ ସଂସାର କରି ବି ଆଜୀବନ ଅସଂସାରୀ ହୋଇ ସେ ରହିଗଲେ । ମୁଁ ଚାହେଁ—ମଣିଷ ଘର ବାହାର ଦିଆଡ଼ କଥା ବୁଝୁ, ଦିଆଡ଼େ ସାମଞ୍ଜସ୍ୟ ରଖି ଚଳୁ ।

 

‘ଘର ନ କଲେ ବାହାର କଥା ସେ ବୁଝିପାରିବ ନାହିଁ ।’

 

‘କଣ କହୁଚ କରବୀ ? ଏ ବୁଢ଼ା ଦିନେ ମୁଁ ବିଭା ହେବି ? ହାଣ୍‌ କୁରାଢ଼ି ବେକକୁ ଆଣିବି ?

 

ଏ ବୁଢ଼ାକୁ ବେଦୀରୁ ବସିବାର ଦେଖିଲେ ଲୋକେ ହସିବେ ନାହିଁ ? ଜାଣୁ ଜାଣୁ ବଢ଼ିଲା ନଈରେ କାହା କନ୍ୟାକୁ କିଏ ଭସାଇଦେବ ?’

 

‘କନ୍ୟାଚିନ୍ତା ତୁମକୁ କାହିଁକି ଲାଗିଚି ?’

 

କରବୀ ଘର ସଜାଡ଼ିଲା; ବେହେରାମାନେ ହାତରୁ ଛାଞ୍ଚୁଣି ଛଡ଼ାଇ ନେଇ ଘର ସଫା କରିବାକୁ ଲାଗିଲେ । କରବୀ ଶୋଇବା ଶେଯ ଆଉ ଲୁଗାପଟା ସଜାଡ଼ିଲା ପରେ ଜଳଖିଆ କରି ଆଣିଦେଲା । ମାଆଛେଉଣ୍ଡ ଗୋବର୍ଦ୍ଧନ ଜଳଖିଆରେ ନାରୀ ହସ୍ତ ସ୍ପର୍ଶର ସ୍ୱତନ୍ତ୍ର ମାଧୁରୀ ଓ ସ୍ନେହସୁଧାର ସ୍ୱାଦ ଉପଭୋଗ କରିବାକୁ ଲାଗିଲେ ।

 

କରବୀ ଊଣେଇଶିଶ ବୟାଳିଶର ସହକର୍ମିଣୀ, ସେତେବେଳେ ରଣଚଣ୍ଡୀ ରୂପ; ଏବେ ତାଙ୍କ ରସରଙ୍ଗିଣୀ ରୂପ ଦିଶିଲା । ସେଦିନ ଡାଇରିରେ ଗୋବର୍ଦ୍ଧନ ଲେଖିଲେ—

 

‘ଜୀବନସାରା ନିଜକୁ ଉଜାଡ଼ିଲି; ଦେଶ ଲାଗି ନିଜକୁ ଭାଙ୍ଗିଚୁନା କଲି । ଆଉ କାହିଁକି ?

 

ତ୍ୟାଗର ଦିନ ଚାଲିଗଲା । ଏବେ କର୍ମୀମାନଙ୍କର ଭୋଗର ଦିନ; ଭୋଗବିଳାସରେ ମାତିଛନ୍ତି, ପଦାକୁ ତ୍ୟାଗଦିନର ସଙ୍କେତ ଖଦଡ଼ ଧୋତି, ଗାନ୍ଧୀଟୋପି ପିନ୍ଧିଛନ୍ତି । ଗଞ୍ଜେଇ, ଅଫିମ, ମଦ ଦୋକାନରେ ଯୋଉମାନେ ପିକେଟିଂ କରିଥିଲେ, ଏବେ ସେମାନଙ୍କର ଚାରି ନିଶା ପାସ୍‌ । ବିଦେଶୀ ଜିନିଷ ବା ନଆନ୍ଦୋଳନ ଯୋଉମାନେ କରୁଥିଲେ, ଏବେ ସେମାନଙ୍କର ବିଦେଶୀ ବୋତଲ ନ ହେଲେ ଅଚଳ ।

 

ଏ ମଧ୍ୟରେ ମୁଁ ‘ହଂସ ମଧ୍ୟେ ବକୋ ଯଥା ।’ କେଡ଼େ ନୁଖୁରାମାଖରା, ଶୁଖିଲା ଟାଙ୍ଗରାମୁଣ୍ଡିଆ ପାହାଡ଼ଟାଏ ମୁଁ । ରସ କଥା ବୁଝେ ନାହିଁ । ହସ ଉଠିଲେ ଗମ୍ଭୀର ହୋଇଯାଏ, ଆଶ୍ଚର୍ଯ୍ୟ, ମତେ କାହିଁକି ହସି ଆସେ ନାହିଁ ? ମନ ଭିତରର ଝରଣାସବୁ ଶୁଖିଗଲା କାହିଁକି ?

 

କରବୀ ମୋର କଣ ? କାଇଁକି ଛାଏଁ ଛାଏଁ ଆସି ସେ ଏତେ କାମ କରିଯାଉଛି ? ନିଜେ କନ୍ୟା ହବ ?

 

ନୁହେଁ କାଳୀ, ନୁହେ ଗୋରୀ; ନୁହେ ନିଶ୍ଚଳା, ନୁହେ ଚଞ୍ଚଳା; ଶରତର ଶିଶିରସ୍ନାତ ଅପରାଜିତାଟିଏ ପରି, ରାଧାତମାଳ ଫୁଲ ପରି ଆଖି ଦୁଇଟି, ବାସକଇଁ ପରି ମୁହଁଟି ।

 

ବୟସ କେତେ ହବ ? ‘ବୟସ କେତେ ତାଙ୍କର ଗୋ ଲଳିତେ ?’ ଚାଳିଶ ଭିତରେ; ମତେ ତ ପଚାଶ ପୂରି ଏକାବନ ପଶିଲା; କେତେ ବାଳ ଧଳା ହୋଇଗଲାଣି । କଳା କରିବା ପାଇଁ କଣ ପରା ବୋଳୁଛନ୍ତି !’

 

ଗୋବର୍ଦ୍ଧନ ଶୁଖିଲା ହସଟାଏ ହସି ମନେ ମନେ ଭାବିଲେ—ମତେ କହୁଛନ୍ତି ବ୍ରହ୍ମଚାରୀ ବୃଷଭ ! ବିବାହ ପରେ ଠିକଣା ଜବାବ୍‌ ପାଇଯିବେ ।

 

ଗୋବର୍ଦ୍ଧନଙ୍କ ବିବାହ; ପୂର୍ତ୍ତ ମନ୍ତ୍ରୀ; ଉପହାରର ଗୋଟାଏ ପାହାଡ଼, କରବୀର ଭଉଣୀ ସୁରଭି ବସି ତାଲିକା କରୁଥାଏ । ସାହାଯ୍ୟ କରୁଥାନ୍ତି ପି. ଏ., କାନ୍‌ତରାଟି, ଠକାଦାର, ପଟାଦାର; ସହମନ୍ତ୍ରୀ ଆଉ ଯନ୍ତ୍ରୀଦଳ । କଚାକୁ ପକ୍‌କା, ଭେଲକୁ ଭଲ ବୋଲି ପାସ୍‌ କରାଇନେବା ଲାଗି ଏ ସବୁ ପରୋକ୍ଷ ଫାଶ । ସବୁ କିଛି କଳାର ନାମଜାଦା କଳାକାରମାନେ ଏ ଉତ୍ସବରେ ଯୋଗ ଦେଇଛନ୍ତି ।

 

ତାଳମୂଳ ଯୁବରାଜଙ୍କ ବ୍ରତୋପନୟନ ଗୋବର୍ଦ୍ଧନ ଦେଖିଛନ୍ତି । ରାଜାମାନେ ଯୋଉସବୁ ଉପହାର ଦେବାକୁ ମୂଲ୍ୟ ଦୃଷ୍ଟିରୁ ଶଙ୍କିଥାନ୍ତି, କାନତରାଟିମାନେ ଦେଇଛନ୍ତି । କରବୀ ଉପହାରସବୁ ବୁଲାଇ ବୁଲାଇ ଦେଖାଇଲା—ଟାଇପ୍‌ ନାମସବୁ ମରା ହୋଇଛି—ମାଲ୍‌ହୋତ୍ରା, ମୋଦି, ମଲାନୀ, ମଲ୍ଲ, ଲାଠ୍‌, ଶିଖଦାର୍‌, ସିଂହ, ଦେଶାଇ..... । ଅଳଙ୍କାରର ଚାକଚକ୍ୟରେ ଆଖି ଝଲସିଗଲା । କେତେ ଅଷ୍ଟରତ୍ନମାଳା, ଦୁଲ୍‌, ମୂଲ୍ୟବାନ୍‌ ପଥରବସା ସୁନା ଚୁଡ଼ି; ହୀରା, ନୀଳା, ମୋତି, ବୈଡ଼ୁର୍ଯ୍ୟ ଆଉ ପଦ୍ମରାଗ । ଆଖି ଝଲସାଇ ଦେଲା; କୋଉ ଗଡ଼ଜାତର ରାଜରାଣୀ ଏତେ ପିନ୍ଧିବାକୁ ପାଉଥିଲା ?

 

ଗୋବର୍ଦ୍ଧନ ବୋକା ବନିଗଲା; ଏ ଘରେ କାହିଁକି ଏସବୁ ପଶିଲା ? ଏଟା ରଜା, ଜମିଦାର ନା ପୁଞ୍ଜିପତିର ଘର ?

 

ଏ ସବୁ ଅଳଙ୍କାର କଣ ହେବ ? କରବୀ ପିନ୍ଧି ପଦାକୁ ବାହାରି ପାରିବ ? ଲୋକେ କଣ କହିବେ ?

 

ଗୋବର୍ଦ୍ଧନଙ୍କୁ ଲାଗିଲା—ଏସବୁ ଡକେଇତୀ ଧନ; ଆଲିବାବା କପାଳକୁ ଜୁଟିଛି ।

 

ନେତା ମାନେ କଣ ? ଯେ ନିଏ; କଣ ନିଏ ? ଲୋକଙ୍କ ଦୁଃଖ । ନେତା ସାଙ୍ଗରେ ‘ଦେତା’ ଶବ୍ଦ ଆସେ । କଣ ଦିଏ ? ସୁଖ ।

 

ଏ ଡକେଇତୀ ଧନଗୁଡ଼ାକ ନବ ? ଘର ପୋଡ଼ି ଦବନି ଇଏ ? ଘର ପୋଡ଼ିଦବା ସଙ୍ଗେ ସଙ୍ଗେ ଘରର ବାସିନ୍ଦାକୁ ପୋଡ଼ି ଦେବାର ଶକ୍ତି ଏ ଧନର ଅଛି ।

 

ମହାତ୍ମାଙ୍କୁ ତ ଦକ୍ଷିଣ ଆଫ୍ରିକାର ଭାରତୀୟ ବ୍ୟବସାୟୀମାନେ ଏମିତି କେତେ ଉପହାର ଦେଇଥିଲେ । କସ୍ତୁରୀବା ତାକୁ କାନିରେ ସାତଗଣ୍ଠି ପକାଇ ରଖିଥିଲେ; ଦୃଢ଼ ହସ୍ତରେ ସେ ଗଣ୍ଠିଫିଟାଇ ମୋହନ ଦାସ କରମଚାନ୍ଦ ଗାନ୍ଧୀ ସର୍ବସାଧାରଣ କାର୍ଯ୍ୟ ଲାଗି ସେ ଧନତକ ସବୁ ଦାନ କରିଦେଲେ । ତାଙ୍କର ଏଇ କାମ ଅତି ଉଚ୍ଚ ମଣିଷପଣର ସୂଚକ ।

 

ହାତପତେଇବା ମାତ୍ରେ କରବୀ ଏ ଧନ ଦେଇଦେବ ? ଗାନ୍ଧୀଙ୍କ ପରି ତାଠାରୁ ଜବରଦସ୍ତି ଛଡ଼ାଇନେବାର ସାହସ ବା ଶକ୍ତି ସେ ଅର୍ଜନ କରିପାରିଛନ୍ତି ? ଗୋବର୍ଦ୍ଧନ ଭାବିତ ହେଲେ ।

 

କରବୀ ଯଦି ନ ପିନ୍ଧିବ, ଏ ଅଳଙ୍କାରଗୁଡ଼ାକ ଘରେ ରଖି କି ଲାଭ ? ରାତିରେ ଆଗେ ନିଦ ହବ ? ଚୋରୀ ଭୟ ମନକୁ ଅସ୍ଥିର ରଖିବ । ଚିରକାଳ ନ ଥିଲା ମୁଁ । ଏ ସବୁ ଜୀର୍ଣ୍ଣ କରିପାରିବି ତ ?

 

ନାଃ, ଦେଇଦେଲେ ଭଲ—ଦରିଦ୍ର କଲ୍ୟାଣପାଣ୍ଠିକୁ, ଅନ୍ଧ ସ୍କୁଲକୁ, ଅନାଥାଶ୍ରମକୁ; ହଁ, ଦାନ ଦେଲେ ହିଁ ସୁନ୍ଦର ।

 

ଯୋଉ ହାତ ଦିଏ ସୁନ୍ଦର, ଯୋଉ ମନ ଦିଏ ସୁନ୍ଦର । ଏ ଅର୍ଜିତ ଧନ ନୁହେଁ, କେହି ଖୁସିମନରେ ଦେଇନାହିଁ । ହୁଏତ ଏ ଗୋଟାଏ ଥୋପ—ଗଡ଼ିଶା ଗୁନ୍ଥି ପକାଇ ସେଉଳ ଖାଇବା ମନୋଭାବ ୟା ତଳେ ଅଛି । ଘରୁ ଉଠାଇନେଲେ ହିଁ ଟିକିଏ ପବନ ଖେଳିବ, ମଣିଷ ସନ୍ତୋଷରେ ନିଃଶ୍ୱାସ ମାରିବ । ଯୋଗୀ ଜନକାଂଖିତ ନିବୃତ୍ତିରେ ହିଁ ସୁଖ । ତାର ଅଧିକାରୀ ଯଦି ହୋଇପାରେ, ମନ୍ତ୍ରୀଗାଦିଠାରୁ ଭୂମି ଆସନ ଅଧିକ ସୁଖପ୍ରଦ ହେବ । ଦର୍ପ ବା ଦମ୍ଭକୁ ଚରିତାର୍ଥ କରିବା ପାଇଁ ଦେବୀ ବା ଦେବଙ୍କ ପ୍ରାପ୍ୟ ଫୁଲ ଆଉ ଲୁଣ୍ଠନ କରିବି ନାହିଁ ।

 

ତ୍ୟାଗୀ ଓ ଦେଶପ୍ରେମୀ ଲୋକେ ହିଁ ମନ୍ତ୍ରିତ୍ୱ ଜରିଆରେ ପ୍ରକୃତ ଦେଶସେବା କରିପାରିବେ ! ନିରନ୍ନକୁ ଅନ୍ନ, ନିର୍ବସ୍ତ୍ରକୁ ବସ୍ତ୍ର, ଅଘରୀକୁ ଘର, ନିରାଶ୍ରୟକୁ ଆଶ୍ରା ଦେଇପାରିବେ । ହଜାର ହଜାର ଲୋକ ଖୋଲା ଆକାଶ ତଳେ ଖରାକାକରରେ ପଡ଼ି ମରିବେନାହିଁ । ଚିକିତ୍ସା ଅଭାବରୁ ଶତ ଶତ ଲୋକ ଅକାଳରେ ମୃତ୍ୟୁବରଣ କରିବେ ନାହିଁ; ଭୋକବିକଳରେ ତାଟିଆ କାମୁଡ଼ିଲାପରି ହୁକୁମ୍‌ଭଳି ମରୁମରୀଚିକା ପଛରେ ଦୌଡ଼ିବେ ନାହିଁ ।

 

ମନ୍ତ୍ରୀ ହେବା ଅର୍ଥ ଚଉଦପୁରୁଷ ଲାଗି ଧନ ସଞ୍ଚିଯିବା ନୁହେଁ । ମୋବିଲ୍‌ରୁ ଗୁଆଘିଅ ବାହାରୁଚି, ସୋରିଷତେଲରେ ଅଗରା, ଶ୍ୱେତତୈଳ ନଇଲେ ଡିଜେଲ୍‌ ମିଶୁଚି । ଚା’ରେ ମିଶୁଚି ଚମଡ଼ାଗୁଣ୍ଡ, ଚିନିରେ କାଚଗୁଣ୍ଡ, ଗୋଲମରିଚରେ ରଙ୍ଗଣିମଞ୍ଜି । ବିଷାକ୍ତ ମଦଖାଇ ଶହ ଶହ ଲୋକ ମରୁଛନ୍ତି । ଆତ୍ମୀୟମାନଙ୍କ ଦୋଷ ଏ, ତେଣୁ ଧର୍ତ୍ତବ୍ୟ ନୁହେଁ । ଜଣେ ଜଣକୁ ମାଇଲେ ଫାଶି; କିନ୍ତୁ ଦେଶ ବା ଜାତିର ହତ୍ୟାକାରୀମାନେ ସୁରୁଖୁରୁରେ ଖସିଯାଉଛନ୍ତି ।

 

ଦେଶର ଆୟବୃଦ୍ଧି ନାଆଁରେ ସ୍କୁଲ କଲେଜ ଦୁଆରେ ଦେଶୀ ବିଦେଶୀ ମଦଦୋକାନ ଖୋଲାଗଲା; ଡ୍ରଗ୍‌ ବା ଗଞ୍ଜେଇ ପାନଦୋକାନରେ କିଣିବାକୁ ମିଳିଲା । ପଣ୍ଡିତେ ଧର୍ମଶିକ୍ଷା ଦେଲାବେଳେ ପିଲାଏ ତାକୁ ଖାଇ ଘୁମାଇବାକୁ ଲାଗିଲେ । ଦେଶଟା ଘୂଣ ଖାଇଗଲାରେ ଜାତିଟା ମେରୁଦଣ୍ଡହୀନ ହୋଇଗଲା । କେଡ଼େ କେଡ଼େ ଲୋକ ଅର୍ଥମୋହରେ ପଡ଼ି କି ଛିଛାକର ହୋଇଗଲେ ! ଅନ୍ଧାଧୁନିଆ ଭାବରେ କୁଆଡ଼େ ଯାଉଛନ୍ତି ସେମାନେ ? ନିଜେ ତ ଅନ୍ଧ, ଲୋକଙ୍କୁ ବାଟ ଦେଖାଇବେ କିପରି ?

 

ଲୋକେ ପଚାରୁଛନ୍ତି—ଚୋରୀ କରିବା ପାପ ? ମିଛ କହିବା ଅଧର୍ମ ?

 

ସଚ୍ଚୋଟ ହେବାକୁ ଚେଷ୍ଟାକରି ତା ପିଲାଏ ଖାଇବା ବିନା ଗଡ଼ିମରୁଛନ୍ତି । ଅମକ ଲୋକର ପ୍ରମୋସନ୍‌ ହେଉନାହିଁ । ସମକ ଲୋକ ଦି ପଇସା ଉପରିସ୍ଥକୁ ଦେଇପାରିଲା ନାହିଁ ବୋଲି ତାର ବଦଳି ହଉଚି ଫୁଲବାଣୀ ବା କୋରାପୁଟ ।

ଏତେ ଚୋରାବଜାର କଲା; ତାର କ’ଣ ହେଇଗଲା ? କି ଅସୁଖରେ ଅଛି ସେ ? ଅମକ ଲୋକ ଏତେ ଦାନଧର୍ମ କଲା, ତା ବଡ଼ପୁତ ପଡ଼ିମଲା କାହିଁକି ?

 

ଚରିତ୍ରବନ୍ତ ଲୋକଟିଏ ପାଇବା କି କଷ୍ଟକର ହୋଇଚି । ବଡ଼ ବଡ଼ ଲୋକେ, ଯାହାକୁ ଅନୁସରଣ କରି ଅନ୍ୟମାନେ ଚାଲନ୍ତେ, ସେଇମାନେ ପହିଲେ ବିଗିଡ଼ିଲେ । ଏ ପାପ ତଳକୁ ତଳକୁ ଭେଦି ଖେଦିଗଲା । ଦରଦାମ୍‌ ଏତେ ବଢ଼ିଚାଲିଲା ଯେ ଚୋରୀକରନା ବୋଲି କାହାକୁ କହିବାକୁ ସଙ୍କୋଚ ଲାଗିଲା । ତା ପିଲାକୁଟମ୍ୱ କେମିତି ଚଳିବେ ? ‘ପେଟପୋଷ ନାହିଁ ଦୋଷ’ ଢଗ କ’ଣ ସତ୍ୟ ?

ଓଃ, ମୁଁ ନିଜେ କ’ଣ କଲି ? ଏ ପାପର ସ୍ରୋତକୁ ଅଟକାଇବାକୁ ମୋର ନୈତିକ ବଳ କାହିଁ ? ମୋ ବିଭାଘରକୁ ଯୋଉ ଗୀତ ଲେଖାଗଲା, ଭାଟର ସ୍ମୃତି ଗୀତକୁ ସେ ବଳିଗଲା । ଭେଟି ନେଇ ରଜା ମହାପାପ କଲେ ବୋଲି ବଖାଣୁଥିଲି । ସେଦିନ କେତେ ଭେଟି ମୋ ଦୁଆରେ ଅଜାଡ଼ି ହୋଇପଡ଼ିଲା ! କେହି କୌଣସି ଉପହାର ଘେନି ଆସିବେ ନାହିଁ ବୋଲି ନିମନ୍ତ୍ରଣପତ୍ରରେ ଲେଖି ନ ଦେଲି କାହିଁକି ? ପାଇବାକୁ ମନଥିଲା ପରି ହେଲା ଏ । ନୀରବ ରହିବା ଦ୍ୱାରା ଲୋକେ ବୁଝିଲେ—‘ମୌନଂ ସମ୍ମତି ଲକ୍ଷଣଂ’ । ଏ ଏକ ନୀରବ ମାଗଣ କହିଲେ ଚଳେ ।

ଏତେ ଲୋକ ଯେ ଆସି ଛାମୁଣ୍ଡିଆ କଲେ, ହରରଙ୍ଗା କନା, କାଗଜରେ ବିବାହମଣ୍ଡପ ସଜାଇଲେ, ଲିଚୁ-ଆଲୋକ ଝୁଲାଇଲେ, ଘର ଚାରିପାଖେ ରଙ୍ଗୀନ୍‌ ବିଜୁଳି ଢେଉ ନଚାଇଲେ, ସେଥିଲାଗି କେତେ ଟଙ୍କା କାହାକୁ ଦେଲି ? ସେ ଏକପ୍ରକାର ବେଠି ନୁହେଁ କି ?

ଭୋଜି କିଏ ଦେଲା ? ଯାହାକିଛି ଚଳନ୍ତୀ ଶ୍ରେଷ୍ଠ ଭୋଜ୍ୟ, କିଏ ସବୁ କୁହୁକ ବଳରେ ଯୋଗାଇ ଦେଇଗଲା ? ବିଲ୍‌ ତ କୋଉଠୁ ଆସିନାହିଁ । ଏ ସବୁ ଖର୍ଚ୍ଚ କଲା କିଏ ‘ଯେ କରିଛି ସେ କ’ଣ ବିନା ସ୍ୱାର୍ଥରେ କରିଛି ? ପଇସାଏ ଦେଇଥିଲେ ତିନି ପଇସା ସେ ଆଦାୟ କରିନେବ ନାହିଁ-? ଦେଶର, ଜାତିର ଯେତେ କ୍ଷତି ହେଉ, ଖଇଚା ବିଲ୍‌ସବୁ ପାସ୍‌ କରିଦେବି ନାହିଁ କି-? ଏ ବ୍ୟବସାୟୀଙ୍କ କାରସାଦି ବୁଝିପାରିଲି ନାହିଁ । ପୋଷା ମାଙ୍କଡ଼ଟାଏ ପରି ଏବେ ତାଙ୍କ ବଚନିକାରେ ନାଚିବି ।

ସଞ୍ଚା–ପଞ୍ଚା–ଭେଦା–ଚାନ୍ଦା–ମାଗଣ–ଭେଟି–ବେଠି–କେତେ ବଡ଼ ବଡ଼ କଥା କହୁଥିଲି-? ଏବେ ଲୋକେ ବୁଝିବେ—

କହନ୍ତି ଯେଡ଼େ, ନୁହନ୍ତି ତେଡ଼େ ।

ଦିନେ ସହକର୍ମିଣୀ ଥିଲା, ଆଜି ସହଧର୍ମିଣୀ ହୋଇଛି । କରବୀ ଲୋଭ ସମ୍ୱରଣ କରିପାରିବ ? ମୋ କଥା ମାନିବ ?

କରବୀ କେତେଦିନ ହେଲା ସ୍ୱାମୀଙ୍କୁ ଅନ୍ୟମନସ୍କ ଦେଖି ଚିନ୍ତିତ ହୋଇପଡ଼ିଥିଲା; ହଠାତ୍‌ ଦାନପ୍ରସ୍ତାବ ଶୁଣି ଲୁହ ଆଖିରେ କହିଲା—ମୁଁ କ’ଣ ନାହିଁ କରୁଛି ? ମୁଁ ଏ ଘରକୁ କେତେଦିନ ହେଲା ଆସିଛି ? ମୋ କଥାରେ କି ମୂଲ୍ୟ ଅଛି ?

ହେଲେ ସଂସାର କଲ କାହିଁକି ? ସଂସାର କରିବ, ଏଣେ ଧନଦଉଲତ କିଛି ଘରେ ରହିବ ନାହିଁ, ଏ କେମିତି କଥା ? ସବୁଦିନେ କ’ଣ ମନ୍ତ୍ରୀ ଥିବ ? ଏ ଧନ୍ଦା ଗଲେ ସେତେବେଳେ କ’ଣ ପବନ ପିଇ ଏଠି ଲୋକ ବଞ୍ଚିବେ ?

ନାକରେ ନିମକାଠି ଗୁଞ୍ଜିତ ସାରା ଜୀବନ କଟିଲା । ଏବେ ଅଳଙ୍କାର ଦିଖଣ୍ଡ ପିନ୍ଧିଲେ ତୁମ ଦିହ କିଆଁ ସହୁନାହିଁ ? ମୋଟା ଖଦଡ଼ ଶାଢ଼ୀ କାଚି କାଚି ତ ମୋ ଖୁଆ ଦରଜ ହୋଇଯାଇଚି-। ଏବେ ପତଳା କଅଁଳିଆ, ଖସଖସିଆ ସିଲ୍‌କ ଶାଢ଼ୀ ଖଣ୍ଡେ ପିନ୍ଧିଲାକ୍ଷଣି ଦିହକୁ ଆହା କେଡ଼େ ଉଶୁଆସ ଲାଗୁଚି ! କୋଉ ମନ୍ତ୍ରିଆଣୀ ଫେସନ କରୁନାହିଁ ବା ଆଡ଼୍‌ଡ଼ା ଚୌଡ଼ାରେ ଚଳୁନାହିଁ ? ମୁଁ ଦରିଦ୍ରାଣୀ ବେଶରେ ସେମାନଙ୍କ ଆଗରେ ଛିଡ଼ାହେବି କାହିଁକି ? ଲୋକେ ଯେବେ ଖୁସିରେ ଦେଲେ ଆମେ ଭୋଗ ନ କରିବା କାହିଁକି ? ଆଜି କଥା ଛାଡ଼; କାଲି ପିଲାମାନେ ସଂସାରକୁ ଆସିବେ; ସେମାନଙ୍କଲାଗି କିଛି ରଖିବା ନାହିଁ ?

 

କରବୀର ମାସ ଗଡ଼ିଚି, ପେଟ ଉପରେ ହାତ ବୁଲାଉ ବୁଲାଉ ସେ ସ୍ଫୁଟ ସ୍ୱରରେ କାନ୍ଦିପକାଇଲା ।

 

ଗୋବର୍ଦ୍ଧନ କେବଳ ଦେଖିଥିଲା ଦୁଃଖୀରଙ୍କୀଙ୍କର ଲୁହ; ଏମିତି ଗୋଟାଏ ଲୁହ ଅଛି, ଯାହା ମନକୁ ଓଲଟପାଲଟ କରିଦିଏ, ସେ ଏଇ ପ୍ରଥମ ବୁଝିଲେ । ସତରେ ଧୀର ପାଣି ପଥରକାଟେ, ତା ଛାତି ତରଳି ଗଲାପରି ଲାଗିଲା ।

 

କରବୀର ଆଖି ଦୁଇଟି ଆଗେ କେଡ଼େ ଉଦାସିଆ ଥିଲା ! ଏବେ କେତେବେଳେ ଚଟ୍‌କିନେ ନିଆଁ ଜଳୁଚି ତ, ପଟ୍‌କିନେ ପାଣି ବୋହିଯାଉଚି । ଆଖିକି କେତେ ଭେଙ୍ଗି ଚା କରୁଚି । କେତେ ପେଖନା ଦେଖାଉଚି ସେ ।

 

କଥା ଅଛି—‘ଘରଣୀ ଘର; ଘରଣୀ ଲୁହକୁ ଏଡ଼ି ଦେଇ ମାଡ଼ିଗଲେ ବାଲିଘର ପରି ନୂଆ ସଂସାରଟି ଘଡ଼ିକେ ଭୁଷୁଡ଼ି ପଡ଼ିବ । ଏଣେ ବାହାରେ ମୁହଁ ରଖିବାକୁ ହବ । ଆଚ୍ଛା ଦୋଘାଇରେ ପଡ଼ିଲା ମଣିଷ !

 

ଏଣୁ ମାଇଲେ ଗୋ ହତ୍ୟା

ତେଣୁ ମାଇଲେ ବ୍ରହ୍ମହତ୍ୟା ।

 

ନୂଆ ସଂସାରକୁ ସମ୍ଭାଳିବାକୁ ଯାଇ ସେ କରବୀ ଆଖିରୁ ଲୁହ ପୋଛି କହିଲେ—ମନ ବିଡ଼ୁଥିଲ ନା; ମହାତମାଙ୍କ ଛଡ଼ା ଦେବା, ମରିବାକୁ କିଏ ଭଲପାଏ ?

 

ଏ ସଂସାର ଗୋଟାଏ ନୌକା—ୟାର ଗୋଟେ ମଙ୍ଗରେ ଘରଣୀ, ଆର ମଙ୍ଗରେ ଧରଣୀ । ‘ଏଣେ ପୁଅରେ ଦାୟ, ତେଣେ ବାରଶ ବଢ଼େଇରେ ଦାୟ ।’ ଦି ଦାୟ ଭିତରେ ସାମଞ୍ଜସ୍ୟ ନ ରଖିପାରିଲେ ବାରବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ହିଁ ଯାଏ ।

 

ଦି’ ନାଆରେ ଗୋଡ଼ଦେଲା ପରି ଅବସ୍ଥା; କଣ କହନ୍ତିନି—

 

ମାଧିଆ ଭାଇ

ସବୁ କଥାକୁ ହଇ ହଇ ।

 

ସେଇ ଦୁର୍ଦ୍ଦଶା ଗୋବର୍ଦ୍ଧନଙ୍କର ହେଲା । କୋଉ କଥାରେ ଦୃଢ଼ତା ତାଙ୍କର ନ ଥିଲା । ବାଦୁଡ଼ି ପରି କେତେବେଳେ ପଶୁପକ୍ଷକୁ, କେତେବେଳେ ପକ୍ଷୀପକ୍ଷକୁ ସେ ଉଡ଼ିଗଲେ । କୋଉ ପକ୍ଷ ବି ତାଙ୍କୁ ନିଜର ଭାବେ ଗ୍ରହଣ କରିପାରିଲେ ନାହିଁ । ତାଙ୍କ ଚିନ୍ତା, କଥା ଓ କର୍ମ ଫରକ୍‌ ଫରକ୍‌ ହୋଇଗଲା । ଯୋଉ ଆଦର୍ଶ ସେ ବଖାଣୁଥିଲେ ସେ ମୁହଁର କଥା ହୋଇ ରହିଲା, କେବଳ ସଭାରେ ବକ୍ତୃତାମାନଙ୍କରେ ପ୍ରକାଶ ପାଇଲା ।

 

ମନ୍ତ୍ରିମଣ୍ଡଳରେ ଯୋଗ ଦେଲା ପରେ ସେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଲେ—ରାଜନୀତି ଏକ ବ୍ୟବସାୟ, ସବୁଠାରୁ ଲାଭଜନକ । ରାଜନୀତି ଦେଶ ପାଇଁ, କିନ୍ତୁ ସୁଯୋଗ ଦେଖି ତାକୁ ନିଜ ଆଡ଼କୁ ଆଉଜେଇ ହୁଏ, ବହୁତ ଲାଭ ଉଠାଇ ହୁଏ ।

 

ବିଦ୍ୟା ମାତ୍ରେ ଭଲ; କିନ୍ତୁ ସବୁ ବିଦ୍ୟା ମଧ୍ୟରେ ଚୋରୀ ବିଦ୍ୟା ଭଲ, ଅବଶ୍ୟ ନେଇ ଆଣି ଥୋଇ ଜାଣିଲେ । ରାଜନୀତିରେ ସେଇଟା ସୁବିଧାଜନକ ଭାବେ କରିହୁଏ । ଗୋଳିପାଣି ସୃଷ୍ଟି କରି କଙ୍କଡ଼ା ପରି ତା ଭିତରେ ଲୁଚି ହୁଏ । ଆସନରେ ବସି ଚିକ୍‌କଣିଆ କଥା କହିହୁଏ, ବଡ଼ ବଡ଼ ଆଦର୍ଶ ବଖାଣି ହୁଏ ଓ ସେଥିରେ ଲୋକଙ୍କୁ ଭୂତେଇ ହୁଏ, ନିଜେ ଦୋଷକରି ଅନ୍ୟ ମୁଣ୍ଡରେ ଅଠା ବୋଳି ହୁଏ । ନାନା ଉପାୟରେ ପଇସା ନ କଲେ ମନ୍ତ୍ରୀମଣ୍ଡଳରୁ ଗଲେ ଚଳିବ କେମିତି ?

 

ଦେଖୁ ଦେଖୁ ଘରସଂସାରର କଇଞ୍ଚ ଖୋଳପା ଭିତରେ ପଶିଗଲେ ସେ; କୋଉ ସମାଲୋଚନା ତାଙ୍କୁ କାଟିଲା ନାହିଁ । ଖରା, ବର୍ଷା ଶୀତ—ଦେଶର ଯେ କୌଣସି ପାଣିପାଗରେ ସେ ଅଚଳ ରହିଲେ । ବେଳେ ବେଳେ ସେ ମୁହଁ କାଢ଼ୁଥିଲେ । ଲୋକେ ପ୍ରଚ୍ଛନ୍ନ ଇଙ୍ଗିତ କରି କହୁଥିଲେ—

 

ନ ଦେଖିଲା ଲୋକେ ଦେଖ

କଇଞ୍ଚ କାଢ଼ିଚି ବେକ ।

 

ବର୍ଷକୁ ଗୋଟିଏ ଲେଖାଏଁ ଛୁଆ; କୁଆଁ ଶବ୍ଦଟିଏ ଶୁଣାଯିବା ମାତ୍ରେ ଚିନ୍ତା ପଡ଼େ; ପେଟ୍ରୋଲ ଟାଙ୍କି ବା ସିନେମା ହାଉସଟିଏ ଖୋଲିଯାଏ, ନଇଲେ ଛଦ୍ମ ନାମରେ ଘରଟିଏ ତୋଳି ଭଡ଼ା ଲଗାଇ ଦିଅନ୍ତି, ପୁଅଙ୍କ ନାଆଁରେ କୋଉ କମ୍ପାନୀରେ ଅଂଶ କିଣନ୍ତି ।

 

ସନ୍ତାନ ସଂଖ୍ୟା ସୀମିତ ରଖିବା ଚିନ୍ତା କରବୀଙ୍କ ମନକୁ ଆସୁ ନ ଥାଏ—କେତେବେଳେ ବୃକ୍ଷକୁ ଫଳ କି ହୁଏ ଭାରି ?

 

ଆସନ୍ତି କେତେ ଠିକାଦାର, ପଟାଦାର । ଖାଲି ସମ୍ମାନ ଜଣାଇବାକୁ; ମନ୍ତ୍ରୀ ମୁହଁ କଡ଼ା ରଖିଥାନ୍ତି । କିନ୍ତୁ ଏଇଟା ବିବେକର ଜଳନ୍ତା ନିଆଁ ନୁହେଁ, ଶିଆଳ ପାଟିର ନିଆଁ । ମୁହେଁ ମୁହେଁ ଭାରି ଟାଣ ଟାଣ କଥା ଶୁଣାଇଲା ପରି ଜଣାଯାଏ । ଭିତରଟା କାଲୁଆ । ବିଦାୟ ପୂର୍ବରୁ କଣ ଖାମଟିଏ ଛାଡ଼ିଗଲା ପରି ଯାନ୍ତି—ଗୋବର୍ଦ୍ଧନ ଦେଖି ନ ଦେଖିଲା ପରି ହୋଇ ରହନ୍ତି ।

 

ହତ୍ୟା ଯେଡ଼େ ଗୋପନୀୟ ହେଲେ ବି ଲୁଚି ରହିପାରେ ନାହିଁ । ସେହିପରି ପ୍ରେମ, ଅର୍ଥ କାରବାର । ସୁନାମ ଅପେକ୍ଷା ଦୁର୍ନାମ ଆହୁରି ଶୀଘ୍ର ବ୍ୟାପେ, ବ୍ୟାପୁଥାଏ । ଯେଉଁମାନେ ଲାଞ୍ଚ ଦେଇ ସମାନ ଅପରାଧ ଅର୍ଜିଥାନ୍ତି, ସେହିମାନେ ବେଶୀ ବଦ୍‌ନାମ ପ୍ରଚାର କରନ୍ତି ।

 

ରାଜାଜମିଦାରମୁଖ୍ୟ ସ୍ୱତନ୍ତ୍ର ଦଳ ସହିତ ହାତ ମିଳାଇ ନ ଥିଲେ ଗୋବର୍ଦ୍ଧନ ଏଥର ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡ଼ିଥାନ୍ତେ । ସେ ବିଚାରିଲେ—ରାଜନୀତିରେ ଶତ୍ରୁ ମିତ୍ର କଣ ? ଆଜିର ଘୋର ଶତ୍ରୁ କାଲିର ପରମ ବନ୍ଧୁ । ଗଡ଼ଜାତ ପ୍ରଜା ଆନ୍ଦୋଳନରେ ନେତୃତ୍ୱ ନେଇଥିଲି । ସେ ଭାବରେ ରଜା ମୋର ଶତ୍ରୂପକ୍ଷ ଥିଲେ, ସେ ଶତ୍ରୂତା ଭୁଲିଯାଇ ଆଜି ସାଙ୍ଗସରିଶା ହୋଇ ବସିବାକୁ ସ୍ନେହାଦରେ ନିମନ୍ତ୍ରଣ କରୁଛନ୍ତି । ଯାଚିଲା ମାଲ ଛାଡ଼ିବାର ନୁହେ । ସ୍ୱତନ୍ତ୍ର ଦଳକୁ ଗଢ଼ିଲା ପରେ ରଜାଗନ୍ଧ ଛାଡ଼ି ଯାଇଛି । ରାଜାମାନେ ଏବେ ଲୋକପ୍ରତିନିଧି, ଯେମିତି ଆମେ ।

 

ଧନ ଆଉ କ୍ଷମତାରେ ବାଇ ହୋଇ ବହୁ ସ୍ୱାଧୀନତାସଂଗ୍ରାମୀ ଦେଶସ୍ୱାର୍ଥ ଅପେକ୍ଷା ଆତ୍ମସ୍ୱାର୍ଥକୁ ବଡ଼ କରି ଦେଖୁଥିଲେ, ସେମାନଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଇଥିଲା । ଜଣେ ମନ୍ତ୍ରୀ ହେବା ଲାଗି ଶିକ୍ଷାଗତ ଯୋଗ୍ୟତାକୁ ବଡ଼ କରି ଦେଖାଯାଉ ନ ଥିଲା । ଜେଲ୍‌ ଯିବାଟା ଥିଲା ବଡ଼ ଯୋଗ୍ୟତା । ଫଳରେ ସ୍ୱଳ୍ପଶିକ୍ଷିତ ଲୋକ ମନ୍ତ୍ରୀଭାବେ ଆସି ଗାଦିରେ ବସୁଥିଲେ । ଫାଇଲି ଭିତରେ ପଶିବାର ଶକ୍ତି ତାଙ୍କର ନ ଥିଲା । କିରାନୀ, ଅଣ୍ଡରସେକ୍ରେଟରୀ, ଡେପୁଟି ସେକ୍ରେଟରୀ, ସେକ୍ରେଟରୀ ଯୋଉ ନୋଟ୍‌ ଦେଉଥିଲେ, ତାକୁ ମନ୍ତ୍ରୀ ବୁଝିପାରୁ ଥିଲେ କି ନାହିଁ ସେ ଜାଣନ୍ତି—ଲେଖିଦେଉଥିଲେ ମୁଁ ସମ୍ମତ ବା ଅସମ୍ମତ । ୟା ଫଳରେ ମନ୍ତ୍ରୀ ଶାସନର ପ୍ରକୃତ ଉପକାର ଲୋକେ ପାଉ ନ ଥିଲେ । ଅମଲାତାନ୍ତ୍ରିକ ଶାସନର ମନ୍ଦ ଫଳ ହିଁ ଲୋକଙ୍କୁ ଭୋଗ କରିବାକୁ ହେଉଥିଲା ।

 

ଦୁର୍ନୀତି, ପ୍ରିୟାପ୍ରୀତିତୋଷଣ ତାଙ୍କର ନୈତିକ ଅଧୋଗତି ଘଟାଇଥିଲା । ଅନୁନ୍ନତ ଗଡ଼ଜାତ ଅଞ୍ଚଳରେ ବିଶେଷ ଉନ୍ନତି ହୋଇପାରି ନ ଥିଲା, କେତେକ ରାଜା ଅଦ୍ୟାପି ସ୍ୱରାଜ୍ୟରେ ଲୋକପ୍ରିୟ ଥିଲେ, ସେହିସବୁ ଅଞ୍ଚଳରୁ ନିର୍ବାଚିତ ହୋଇ ଆସି ଓଡ଼ିଶାର ରାଜନୀତିକି ଅକ୍ତିୟାରରେ ରଖିବାକୁ ସମର୍ଥ ହେଲେ । ରାଜାମାନଙ୍କ ମଧ୍ୟରୁ କେତେକ ସୁଦକ୍ଷ ଶାସକ ଓ କୂଟନୀତି ଦିଗରେ ପ୍ରବୀଣ ଥିଲେ । ଅନ୍ତରରେ ଦୃଢ଼ ସଂକଳ୍ପ ଘେନି ସେମାନେ ରାଜନୀତିକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ–‘ଯୋଉମାନେ ଆମ ହାତରୁ ରାଜ୍ୟ ଛଡ଼ାଇ ନେଇଛନ୍ତି, ସେମାନଙ୍କ ହାତରୁ ଆମେ ଓଡ଼ିଶା ଛଡ଼ାଇନେବୁ ।’

 

ସେମାନଙ୍କ ହାତରେ ଯଥେଷ୍ଟ ଗଚ୍ଛିତ ଧନ ଥିଲା । ନିର୍ବାଚନରେ ସଂଖ୍ୟାଧିକ୍ୟ ହାସଲ କରି ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ସେମାନେ ସମର୍ଥ ହେଲେ । ରାଜବିଜେତାଭାବେ ଗର୍ବିତ ଗୋବର୍ଦ୍ଧନ ସମସ୍ତ ନିଜତ୍ୱ ବଳି ଦେଇ ନତମସ୍ତକରେ ଜଣେ ମନ୍ତ୍ରୀଭାବେ ଏଥିରେ ଯୋଗ ଦେଲେ-। ଜଣେ ମହାରାଜ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

 

କେତେବର୍ଷ ମଧ୍ୟରେ ନୀତିଗତ ବିଭେଦ ଘଟିଲା । ବ୍ୟବସ୍ଥାସଭାରେ । ସଂଖ୍ୟାଗରିଷ୍ଠତା ଲାଗି ସଭ୍ୟ କିଣାବିକା ଚାଲିଲା । ଲକ୍ଷ ଲକ୍ଷ ଟଙ୍କା ଦିଆନିଆ ହେବାଫଳରେ କେତେଜଣଙ୍କର ଆଜନ୍ମ ଦାରଦ୍ର୍ୟ ଘୁଞ୍ଚିଗଲା । ବୁଦ୍ଧି କଷାକଷି, ଟଙ୍କା ଫୋପଡ଼ାଫୋପଡ଼ି ଆଉ ଟଣାଓଟରା ମଧ୍ୟରେ ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା ।

 

ଛ’ମାସର ରାଷ୍ଟ୍ରପତି ଶାସନ ପରେ ପୁଣି ନିର୍ବାଚନ । କଂଗ୍ରେସ ପକ୍ଷରୁ ଗୋବର୍ଦ୍ଧନ, ସ୍ୱତନ୍ତ୍ର ପକ୍ଷରୁ ରାଣୀ ସୁରତରଙ୍ଗିଣୀ ତାଳମୂଳରେ ଓଡ଼ିଶା ବ୍ୟବସ୍ଥାସଭାର ସଭ୍ୟପଦ ଲାଗି ଛିଡ଼ାହେଲେ ।

 

ଗୋବର୍ଦ୍ଧନ ନିର୍ବାଚନ ଭାଷଣରେ କହିଲେ—ହୀରାକୁଦ ବନ୍ଧ ଗଢ଼ିଚୁ, ପରାଦୀପ ବନ୍ଦର କରିଚୁ । ରାଉଲ୍‌କେଲା ଲୁହାକାରଖାନା ବସାଇଛୁ । ଶିକ୍ଷାବିସ୍ତାର ଲାଗି ବହୁତ ସ୍କୁଲ, କଲେଜ ଗଢ଼ିଚୁ, ଡାକ୍ତରଖାନା ବସାଇଛୁ । ଆମେ ଦରଦାମ୍‌ କମାଇବୁ, ଚୋରାବଜାରୀ, ଅପମିଶ୍ରଣକାରୀଙ୍କୁ ଧରି ସର୍ବସମକ୍ଷରେ ବିଚ୍‌ବଜାରରେ ନିକଟତମ ଆଲୁଅଖୁଣ୍ଟରେ ଫାଶି ଦବୁ । ବିଶ୍ୱାସରେ ଏ ଜାତିକୁ ଯୋଉମାନେ ବିଷ ଖୋଉଛନ୍ତି, ସେମାନଙ୍କ ନାକରେ ଦୌଡ଼ି ବାନ୍ଧି ଘୋଷାରିବୁ ।

 

ରଜା ଗଡ଼ଜାତଗାତରୁ ବାହାରି ଏବେ ମୋଗଲବନ୍ଦିରେ ଫଣା ଟେକୁଛନ୍ତି, ବିଷଦାନ୍ତ ଦେଖାଉଛନ୍ତି । ସେ ଦାନ୍ତ ଆମେ ଭାଙ୍ଗିବୁ; ସାପ ଯୋଉଠି ଥିଲେ ବି ତାକୁ ବିଶ୍ୱାସ ନାହିଁ । ‘ସସର୍ପ ଚ ଗୃହେ ବାସଃ ମୃତ୍ୟୁରେବ ନ ସଂଶୟଃ ।’

 

ରଜାମାନେ ଏକାଠି ହୋଇଛନ୍ତି; ନିଜ ନିଜ ରାଜ୍ୟ ପୁଣି ଫେରିପାଇବା ମତଲବ୍‌ ରଖିଛନ୍ତି । ସେ କଥା ଆମେ କରାଇଦେବୁ ନାହିଁ । ଯେ ରଜା ହୋଇ କିଛି କଲା ନାହିଁ, ସେ ମନ୍ତ୍ରୀ ହୋଇ କ’ଣ କରିବ ? ପ୍ରଶ୍ନ ହେଲା–ରଜା ଯଦି ଖରାପ, ତାଙ୍କ ସହିତ ମିଳିତ ମନ୍ତ୍ରିମଣ୍ଡଳ ଆପଣ ଗଢ଼ିଥିଲେ କିପରି ? ଜେଲ୍‌ କାନ୍ଥ ତିନିଫୁଟ ବଢ଼ାଇଦେବା ଛଡ଼ା ଆପଣ ତାଳମୂଳର କି ଉପକାର କରିଛନ୍ତି ? ଜଙ୍ଗଲ ନିର୍ମୂଳ; ଆମେ ଜାଳିବାକୁ ଖଣ୍ଡେ କାଠ ପାଉନାହୁଁ । ଗୋବର୍ଦ୍ଧନ ୟାର ଉତ୍ତର ଦେବାକୁ ଅଣ୍ଟା ଭିଡ଼ୁଥିଲାବେଳେ ଶୁଣାଗଲା—ରାଣୀ ସୁରତରଙ୍ଗିଣୀ ଜିନ୍ଦାବାଦ, ଗୋବର୍ଦ୍ଧନ ମୁର୍ଦ୍ଦାବାଦ । କୁଆଡ଼ୁ ଦି ଚାରିଟା ଟେକା ପଡ଼ିଲା, ଆଲୁଅ ଲିଭିଗଲା, ମୁହଁପାଖରୁ ମାଇକ୍‌ଟା କିଏ ଭିଡ଼ି ନେଇଗଲା ?

 

ଗୋବର୍ଦ୍ଧନ ତଥାପି ଗର୍ଜନ କରୁଥିଲେ—ଟେକା ପକାଇ ମତେ କେହି ଦବାଇପାରିବେ ନାହିଁ, ମୁଁ ଗୁଳିଗୋଳାକୁ ଛାତି ପତାଇଛି, ବୋମା ମାଡ଼କୁ ଡରିନାହିଁ । କଂସାରୀଘର ପାରା ମୁଁ, ଏ କୁଲା ଢାଉଁଢାଉଁକୁ ଡରିବି ?

 

ବକ୍ତୃତା କଳାଟିକ ଗୋବର୍ଦ୍ଧନ ଆୟତ୍ତ କରିଥିଲେ । ରାଣୀ ସୁରତରଙ୍ଗିଣୀ ଏଇ ବାହାରକୁ ବାହାରିଲେ; ସଭାମଞ୍ଚରେ ସେ କେବେ ଠିଆହୋଇ ନ ଥିଲେ । ସ୍ୱାମୀ ରାଜା କୀର୍ତ୍ତିଚନ୍ଦ୍ରଙ୍କ ପରାଜୟଗ୍ଳାନି ତାଙ୍କ ମର୍ମଭେଦ କରିଥିଲା । ତାର ମୁକାବିଲା କରିବା ପାଇଁ ସେ ପଦାକୁ ବାହାରିଥିଲେ ।

 

ମଫସଲ ଗାଁ ମୁଣ୍ଡରେ ଜିପ୍‌ଟି ରଖିଦେଇ ସେ ଘରକୁ ଘର ବୁଲୁଥିଲେ, କାହାକୁ ମାଆ, କାହାକୁ ମାଉସୀ, କାହାକୁ ଝିଅ କରି । ପୁରୁଷସମାଜକୁ କିଛି କହିବାକୁ ତାଙ୍କୁ ଭାଷା ପଇଟୁ ନ ଥିଲା, ଲାଜ ବି ମାଡ଼ୁଥିଲା । ଗୋବର୍ଦ୍ଧନଙ୍କ ବିରୁଦ୍ଧରେ ସେ ପଦଟି କହୁ ନ ଥିଲେ, ତୁଣ୍ଡ ଗନ୍ଧେଇବ ବୋଲି ।

 

ସ୍ୱୟଂ ରାଣୀ, ଯାହାଙ୍କୁ ଚନ୍ଦ୍ରାସୂର୍ଯ୍ୟ ଦେଖୁ ନ ଥଲେ, ସେ ଦୁଆରକୁ ଆସିଲେ, କି ଭାଗ୍ୟ-! ସାକ୍ଷାତ୍‌ ଲକ୍ଷ୍ମୀପ୍ରତିମା; ପ୍ରଜାମାନେ ଲମ୍ୱ ଲମ୍ୱ ହୋଇ ପାଦତଳେ ପଡ଼ିଲେ ।

 

ରାଣୀ ସୁରତରଙ୍ଗିଣୀ ବିଜୟିନୀ ହେଲେ । ଗୋବର୍ଦ୍ଧନଙ୍କ ଅମାନତ ଉଡ଼ିଗଲା । ରାଜଅତ୍ୟାଚାର ଭୟରେ ଦିନେ ଗୋବର୍ଦ୍ଧନ ଏ ରାଜ୍ୟ ଛାଡ଼ି ପଳାଇଯାଇଥିଲେ । ଆଜି ରାଜଉପଦ୍ରବ ନାହିଁ । ପ୍ରଜାମାନେ ତାଙ୍କୁ ରାଜ୍ୟରୁ ତଡ଼ିଦେଲେ ।

 

ଘୋର ପରାଜୟଗ୍ଳାନି ମଧ୍ୟରେ ଗୋବର୍ଦ୍ଧନ ଭାବୁଥିଲେ—

 

ଆରେ କଣ୍ଡୁରିଆ

ଆପଣା ହସ୍ତେ ହରାଇଲୁ ନିଜର ଟାଙ୍ଗିଆ ?

 

କି ଅଭାଗ୍ୟ ! ରାଜାଙ୍କୁ ଆମେ ତଡ଼ିଥିଲୁ, ଏବେ ରାଜାମାନେ ଆମକୁ ତଡ଼ିପାରିଲେ, ରାଜଅତ୍ୟାଚାରରୁ ଆମ ଉପଦ୍ରବ ବଳିଯିବାରୁ । ଲାଞ୍ଚ, ପ୍ରିୟାପ୍ରୀତିତୋଷଣ, ଶାଠ୍ୟ, ଜୁଆଚୋରୀ ! କି ଅଧଃପତନ ! ବେଠି, ଭେଟି, ମାଗଣ, ରସଦ କୋଉଟିକି ଆମେ ଛାଡ଼ିଲୁ ?

 

ଜାତୀୟ ସମ୍ପତ୍ତି ଯେ, ଠାକୁରଙ୍କ ଅମୁଣିଆଁ ଭୋଗ ସେ । ତାକୁ ବ୍ୟକ୍ତିଗତ ସମ୍ପତ୍ତିପରି ଖର୍ଚ୍ଚ କଲୁ । କେମିତି ନିର୍ବାଚନରେ ଜୟଯୁକ୍ତ ହେବୁ, ଏଥିଲାଗି ଅକାତରେ ପଇସା ପିଙ୍ଗିଲୁ, ଦେଶର ସ୍ୱାର୍ଥକୁ ବନ୍ଧାପକାଇ ପଇସା ଗଦେଇଲୁ; ବ୍ୟବସାୟୀଙ୍କଠାରୁ ମୋଟା ଚାନ୍ଦା ସଂଗ୍ରହ କରିବାରୁ ସେମାନେ ଆଖି ବୁଜି ଦର ବଢ଼ାଇଲେ; ଆମେ ପାଟି ଫିଟାଇଲୁ ନାହିଁ । ମିଛ ଧମକଗୁଡ଼ାଏ ଦେଲୁ-। ଭବିଷ୍ୟତ ପାଇଁ ବିଦେଶୀ ବ୍ୟାଙ୍କ୍‌ରେ କେତେ ଯେ ଟଙ୍କା ସାଇତିଲୁ, ତାର ଠିକ୍‌ଠିକଣା ନାହିଁ-। ଜୀଇଁ ଥାଉଁ ଥାଉଁ ଏବେ ମଲୁ । ଲୋକେ ଆମକୁ ସମାଧି ଦେଇଦେଲେ ।

 

ଯୁବତୀ ଝିଅଙ୍କୁ ରାଜା ଅଧରାତିରେ ଉଆସକୁ ଟେକିନେଉଥିଲେ କହି ଆମେ ଲୋକଙ୍କୁ ଉତ୍ତେଜିତ କରିଥିଲୁ । ଏବେ ଆମେ କ’ଣ କଲୁ ?

 

ସର୍ବଭାରତୀୟ ରାଜନୈତିକ ସମ୍ମିଳନୀ । ସେବାଭାବରେ ଉଦ୍‌ବୁଦ୍ଧା ହୋଇ କୁମାରୀ ନନ୍ଦିତା ଆସିଥିଲା—ହାତରେ ଦି ଦି ପଟ ପାଣିକାଚ, ଦିହରେ ମୋଟା ଖଦଡ଼ ଶାଢ଼ୀ, ବ୍ଲାଉସ୍‌; ହାତରେ ବ୍ୟାଗ୍‌ଟିଏ । କଥା କହୁଁ କହୁଁ ତାକୁଡ଼ିରେ ସୂତା କାଟେ । ତାକୁଡ଼ି ହିଁ ତାର ଏକମାତ୍ର ଆୟୁଧ । ପରନ୍ତା ଯୌବନ ଚମତ୍କାର ବସ୍ତ୍ର ଆଉ ଅଳଙ୍କାରର ଅଭାବ ପୂର୍ଣ୍ଣ କରିଛି । ନନ୍ଦିତା ଯେତେ ସେବାକଲା, ତା ଅପେକ୍ଷା ବେଶୀ ସେବିତ ହେଲା । ତାର ସେବା କରିବାପାଇଁ ବହୁତ ପ୍ରୌଢ଼ ଆଉ ଯୁବକ ବାହାରିପଡ଼ିଲେ ।

 

ଦିନେ ଉଦୟଗିରି ପାହାଡ଼ର ନିର୍ଜନତା ସୁଯୋଗରେ ତା ଉପରେ ପାଶବିକ ଅତ୍ୟାଚାର–ଗଣଧର୍ଷଣ । ଆଖିରେ ଅନ୍ଧପୁଟୁଳି, ମୁହଁରେ ମେଞ୍ଚାଏ ଲୁଗା ମଡ଼ାହୋଇଛି । ଚିତ୍କାରଟିଏ କରି ନିଜର ପ୍ରତିବାଦ ଆଉ ବିକଳ କାରୁଣ୍ୟ ପୃଥିବୀକୁ ଜଣାଇବା ପାଇଁ ନନ୍ଦିତା ସୁଯୋଗ ପାଇଲା ନାହିଁ-। ତା ପ୍ରାଣ ଛାଡ଼ିଗଲା ।

 

ଆକ୍‌ସିଡ଼େଣ୍ଟ ! ଆକ୍‌ସିଡ଼େଣ୍ଟରେ ମୃତା ସେବାପରାୟଣା ନନ୍ଦିତା ! ଶବର ପୁଣି ଆକ୍‌ସିଡ଼େଣ୍ଟ କ’ଣ ?

 

ପ୍ରକୃତ ଆକ୍‌ସିଡ଼େଣ୍ଟରେ ମଲେ, ଅବଶ୍ୟ ଆସ୍ତେ ଆସ୍ତେ, ନିରୀହାର ଧର୍ଷଣକାରୀ ପାଷଣ୍ଡମାନେ, କ୍ଷମତା ଆଉ ମଦ୍ୟ ଯାହାଙ୍କୁ ପଥଚ୍ୟୁତ କରିଥିଲା; ପଦଚ୍ୟୁତ ସେଇ ଶାସ୍ତିର ରୂପାନ୍ତର ମାତ୍ର ।

 

।। ପନ୍ଦର ।।

 

ରଜା ଆଉ ରାଜବାଟିର ହାଲ୍‌ଚାଲ୍‌ ଦେଖି ରତନାର ମନ ବିଷେଇ ଯାଇଥିଲା । ଅଳସୁଆ—ପଟା ଅଳସୁଆଦଳ । ଅୟସରେ ଗଡ଼ଗଡ଼ଉଥାନ୍ତି । ତିଳେ ହେଲେ ଚିନ୍ତାଦକ ନାହିଁ । ଦିହ ଟିକିଏ ହେଲେ ଦୋହଲେ ନାହିଁ । ହାଡ଼ଭଙ୍ଗା କାମ କରି ଝାଳ ବୋହିବା କଥା ଶୁଣାନାହିଁ । ତୋଟିଯାଏ ଗିଳି ଗଡ଼ି ଗଡ଼ି ଶେଷରେ ଗାତକୁ ଯାନ୍ତି ।

 

କଥା ଅଛି—‘ଆପଣା ଦୋଷେ ପ୍ରାଣୀ ମରେ’; ମଣିଷ ଏ ସଂସାରରେ ଯେତେ ଦୁଃଖକଷ୍ଟ ପାଏ, ସେଥିପାଇଁ ସେ ଅଧେ ଦାୟୀ ନିଜେ । ରଜାଙ୍କ ପକ୍ଷେ ବି ଏ କଥା ସତ । ରାଜୁତି ପଛକେ ନାଇଁ, ରଜା ବୋଲି କେଡ଼େ ଗଉଁ ! ଦିନକୁ ଦିନ ତଳକୁ ତଳକୁ ଯାଇ ତଳିତଳାନ୍ତ ହେଲେ ପଛେ ଗଉଁ ଛାଡ଼ିଲେ ନାହିଁ । ରୀତି ବଦଳିଲା ନାଇଁ । ଦେହ ହଲିଲା ନାଇଁ, ମୁଣ୍ଡରେ ବୁଦ୍ଧି ପଶିଲା ନାଇଁ । ଖଳ କଥାରେ ଚାଲିଲେ, ମନ୍ଦ ମେଳରେ ବସିଲେ । ଟିକିଏ ହେଲେ ତାକତର୍କ ନାହିଁ, କିଏ କଣ କହୁଛି, କାହିଁକି କହୁଚି, ତା କଥାରେ ଚାଲିଲେ ଖାଲରେ ପଡ଼ିବେ କି ଢିପରେ ପଡ଼ିବେ, ଭାବିଲେ ନାହିଁ । କେଡ଼େ କେଡ଼େ ସମ୍ପତ୍ତି ନାମମାତ୍ର ଦାମ୍‌ରେ ହାତଛଡ଼ା ହେଇଗଲା । ଭଲ କଥା କହିଲେ ବିଷ । କାହିଁକି ଏ ବୃଥା ଖିଆଲ୍‌, ଦିମାକ୍‌, ବଡ଼େଇ ?

 

ରଜାଙ୍କୁ ଦେଖିବା ଲାଗି ମନରେ କେଡ଼େ କୌତୂହଳ ଘେନି ସେ ଆସିଥିଲା । ଫେରିଲାବେଳକୁ ସବୁ ସରାଗ ମରିଯାଇଥିଲା । ସେ ଯାହା ବୁଝିଥିଲା, ହାଡ଼େ ହାଡ଼େ ସେଇଆ ଅନୁଭବ କଲା—

 

ଏ ନୁହନ୍ତି ରଜା

ଖଣ୍ଡି ଖଜା !

 

ରାଜବାଟିରେ ରହି ସାଆନ୍ତମାନଙ୍କ ଇତିହାସ ବୁଝିପାରିଥିଲା । ଘୃଣାରେ ସେ ବୁରୁନ୍ଦି ସାଆନ୍ତଙ୍କ ଦୁଆର ଆଉ ମାଡ଼ିଲା ନାହିଁ, ଯଦି ବା ସାଆନ୍ତେ ବଂଶର କୌଣସି ପାପ ଲାଗି ଦାୟୀ ନ ଥିଲେ, ମଣିଷ ହିସାବରେ ଭଲ ଥିଲେ—ଦୁଃଖୀର ଦୁଃଖ ବୁଝି ତାହା ଦୂର କରିବା ଲାଗି ସାଧ୍ୟମତେ ଚେଷ୍ଟା କରୁଥିଲେ ।

 

ଏ ଭିତରେ କୁଟୁମ୍ୱର ପେଟ ବହୁତ ବଢ଼ିଥିଲା । ଗଉଣିକ ଧାନ ମୂଲରେ ଆଉ ଚଳୁ ନ ଥିଲା, ଯଦି ବା ରତନୀ ମାଇପୀ ମଜୁରୀ ଧାନ ଦି ପା ଆଣି ତା ସାଙ୍ଗେ ମିଶାଉ ଥିଲା, ପୁଅ ଭୂତିଆ ଗାଁଗୋଠିଆ ଗାଈ ଜଗୁଥିଲା ।

 

ରତନା ଭଣଜା ସପନାକୁ ଘେନି କୋଇଲାଖଣିରେ ପଶିଲା । ଦିନକୁ ମଜୁରୀ ଚାରିଟଙ୍କା । ପେଟ ବିକଳରେ ମୂଲିଆ ମଜୁରିଆ ହେବାର କରୁଣ ଇତିହାସ ଏ ।

 

ଲିପ୍‌ଟରେ ବହୁତ ତଳକୁ ଓହ୍ଲାଇବାକୁ ହୁଏ—ପାତାଳପୁର କିରେ ! ନାଗ ମୂଲକ ! ବାସୁକୀ ଆଉ କେତେ ଦୂରେ ?

 

ମୁହଁକୁ ମୁହଁ ଦିଶୁନାଇଁ । ତୁଣ୍ଡ ବାରି ବୁଝି ହୁଏ—ଏ କିଏ, ସେ କିଏ । କି ଗରମ ! ହାଡ଼ ତରଳିଗଲା ପରି ଲାଗେ । ଦିହଯାକ ଫୋଟକା ଉଠିଯାଏ; ପରସ୍ତେ ଚମଡ଼ା ଉତୁରିଯାଏ । ତା ପରେ ସବୁ ଆରେଇଯାଏ ।

 

ଝୁଣ୍ଟିବା ଭୟରେ ଗୋଡ଼ ଟେକି ଟେକି ପକାଇବାକୁ ହୁଏ । କେତେ ବାଟ ଗଲାପରେ ଆଲୁଅ ପଡ଼େ । ଲିପ୍‌ଟ ପାଖ ରାସ୍ତାରେ ପବନ ଚାଲେ ।

 

ଗଇଁତିରେ କୋଇଲା ଖୋଳି ଟ୍ରଲିରେ ନଦି ଲୁହାଲାଇନରେ ଠେଲି ଠେଲି ନେବାକୁ ହୁଏ । ସେ ଟ୍ରଲିକି ଶୂନ୍ୟେ ଶୂନ୍ୟେ ଲିପ୍‌ଟ ଉପରକୁ ଉଠାଇନିଏ ।

 

ଖଣିରେ ପଶିଲା ଦିନରୁ ରତନାର ପ୍ରାଣ ଶୁଖିଗଲା, ତାର ରସପ୍ରାଣର ମୃତ୍ୟୁ ଘଟିଲା କହିଲେ ଚଳେ । ରସିକର ପ୍ରାଣରସ ଶୁଖିଗଲେ ଗାଆଁର କି କ୍ଷତି ଘଟେ, ତା ବୁଝେ କିଏ ? ଏହିପରି ଗୋଟିଏ ଗୋଟିଏ ଲୋକର ଅଭାବରୁ ଲୋକେ କଳ ପରି ହିଁ ଚଳବିଚଳ ହୁଅନ୍ତି, ଛାଇ ପରି ନିର୍ଜୀବ । ଧୋଇମରୁଡ଼ି, ଦୁଃଖଦାରିଦ୍ର୍ୟ ଲୋକଙ୍କୁ ଯେତେ ଅସହ୍ୟ ନୁହେ, ପ୍ରାଣର ଦାରିଦ୍ର୍ୟ ତାଠାରୁ ବଳି ଅସହ୍ୟ । ରତନା ବିନା ଗାଁ ମରୁଭୂମି ପରି ନୀରସ ହୋଇଗଲା, ଅଥଚ ଖଣି ଅଞ୍ଚଳର କିଛି ଲାଭ ହେଲା ନାହିଁ । ଖଣିରେ ଗୀତ ବୋଲୁଚି କିଏ, ଶୁଣୁଚି ବା କିଏ ? କଳା ଭୂଇଁ, ଅନ୍ଧାର ଆଉ କଳା କଳା ମଣିଷଙ୍କୁ ଦେଖିଲେ ମନ ମରିଯାଏ ।

 

କୋଇଲା ଭାଙ୍ଗିବାର କର୍କଶ ଶବ୍ଦ, ଲିପ୍‌ଟ ଆଉ ଫ୍ୟାନ୍‌ମାନଙ୍କର ଗର୍ଜନ । ଫେରିଲା ବେଳକୁ ଦିହ ଦରପୋଡ଼ା କାଠ ପରି ଦିଶେ, ଜୀବ ଛାଡ଼ିଗଲା ପରି ଲାଗେ ।

 

ଖଣିରେ କେତେ ବର୍ଷ କାମ କଲାପରେ ଦିନେ ସପନା କହିଲା—କୁମ୍ପାନୀ ଜାଳିବାକୁ ଆମକୁ ଢେର୍‌ କୋଇଲା ଦଉଚି; ମଜୁରି ବି ବଢ଼ାଉଚି । ହେଲେ ଏଠି ଆଉ କିଛି ଦିନ ରହିଲେ ମରିଯିବା, ଲୋ ମାମୁଁ ।

 

କାହିଁ ଆଉ ସେ ସୁଖର ଦିନ ? ଧାନ କଟାକଟିବେଳେ ତୁ କେଡ଼େ ମଜ୍ଜା କଥାସବୁ କହୁଥିଲୁ—କାଚଖୁମ୍ୱ କଥା, ସାହାଡ଼ା ସୁନ୍ଦରୀ କଥା... ।

 

ବିଲରେ କି ମିଠାଳିଆ ଖରା, କି ଦିହଉଲୁସା ସୁଲୁସୁଲିଆ ପବନ, ଝୁରୁଝୁରିଆ ବରଷା । ବେଙ୍ଗବେଙ୍ଗୁଲୀଙ୍କ ଶଙ୍ଖମହୁରୀ, କୋଇଲି କୁମ୍ଭାଟୁଆଙ୍କ ଗେହ୍ଲାଳିଆ ଗୀତ ଆଉ ଗଛବୃଛଙ୍କ ସରସର ସ୍ୱରରେ ଆଖିରେ ଛାଇନିଦ ଘୋଟିଆସେ । ଯେଡ଼େ ଭିଡ଼ କାମ ପଡ଼ିଲେ ବି ସେତେବେଳେ ମୋଟେ ବାଧୁ ନ ଥିଲା । ତୋ ମନଭୁଲାଣିଆ ଗପ ଶୁଣିଲେ ଦିହରୁ ମଜରା ଛାଡ଼ିଯାଉଥିଲା ଲୋ ମାମୁଁ; ଅଳ୍ପ ମଜୁରି ମିଳୁ ପଛକେ ମୂଲିଆ ଜୀବନର ସୁଖ ମଜୁରିଆ ଜୀବନରେ ନାହିଁ ।

 

ଦିନେ ଭାରି କାନଅତଡ଼ା ପଡ଼ିଲା; ଭୂଇଁଟା ଦୁଲୁକି ଗଲା, ଆଲଅଟା ଲିଭିଗଲା, ପବନ ସୁଅ ବନ୍ଦ ହୋଇଗଲା । ନିଃଶ୍ୱାସଟା ରୁନ୍ଧି ହେଲା ପରି ଲାଗିଲା । ସପନା ହାଉଳି ଖାଇ ଭୟରେ ରତନାକୁ କୁଣ୍ଢେଇ ପକାଇଲା, ଚିତ୍କାରି କହିଲା—ପୃଥିବୀ କଣ ଓଲଟି ପଡ଼ିଲା ? ଏ କଣ ହେଲା ମାମୁଁ ? ହେ ମା ହେଙ୍ଗୁଳା....

 

ଘୋର ଅନ୍ଧାର; ପାଟି ଅଠା ଅଠା; ନିଃଶ୍ୱାସ ବନ୍ଦ ହୁଏ ନ ହୁଏ ଅବସ୍ଥା; ଦିନ ଗଲା କି ରାତି ହେଲା, କେତେ ଦିନ, କେତେ ରାତି ବା ଗଲା କିଛି ଜଣା ପଡ଼ିଲା ନାହିଁ । ହେକ୍‌କା ଉଠିଲା ପରି ହେଉଥିବାବେଳେ ଆଲୁଅ ସୁଅଟିଏ କୁଆଡ଼ୁ ଲମ୍ୱି ଆସିଲା, ଦଲକାଏ ପବନ ବା ଆସି ଧକ୍‌କା ଦେଲା କୁଆଡ଼ୁ ? ଅଚେତା ଅବସ୍ଥାରେ ରତନା, ସପନାକୁ ଲିପ୍‌ଟରେ ଉଠାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଗଲା; ଚେତା ହେଲା ପରେ ବି ଦି ଜଣଙ୍କ ଦିହ ଭୟରେ ଥରୁଥାଏ । ବହୁ ଆଶ୍ୱାସନା ଓ ଟଙ୍କାପଇସା ଦେଇ ଦୁହିଙ୍କୁ ଏକମାସ ଛୁଟିରେ ଘରକୁ ପଠାଇ ଦିଆହେଲା ।

 

କାହାର ହାତଗୋଡ଼ ଭାଙ୍ଗିଥିଲା, କାହାର ମୁଣ୍ଡ ଛେଚି ହୋଇ ଯାଇଥିଲା, କାହାର ମେରୁଦଣ୍ଡ ଗୁଣ୍ଡା ହୋଇ ଯାଇଥିଲା । କାହାର ଆଖି ଫୁଟିଥିଲା, ଦାନ୍ତ ଦିଭାଡ଼ି ବା ଉଡ଼ିଯାଇଥିଲା । ମଜୁରିଆ ଦେଖିଲେ ଡରି ଖଣିରେ ଆଉ ପଶିବେନାଇଁ ! ଖଣିରୁ ଉଠାହୋଇଥିବା ଖଣ୍ଡିଆଖାବରା, ମଲା, ଦରମଲା ଲୋକଙ୍କୁ ଟ୍ରକ୍‌ରେ କୁଆଡ଼େ ହରଣଚାଳ୍‌ କରି ନିଆଗଲା । ଶୁଣାଶୁଣିରେ ମାମୁଁ ଭଣଜା ଜାଣିଲେ—ନଟିଆଇ, କାଶିଆଇ, ବରଜୁଆଇ ଆଉ ଜୀବନରେ ନାହାନ୍ତି । ଦିନେ ସପନା କହିଲା—ଭାବିଲାକ୍ଷଣି ମୋ ଛାତି କଣ ହେଇଯାଉଚି ଲୋ ମାମୁଁ, ଆମେ ଆଉ ଖଣିଖାତରେ ପଶିବା ନାଇଁ । କୋଉ ମୁହୂର୍ତ୍ତରେ ପ୍ରାଣ ଯିବ ।

 

ଦିହେଁ ଖଣିକାମ ଛାଡ଼ି ତାପଜ ବିଦ୍ୟୁତ୍‌ କାରଖାନାରେ ଯୋଗ ଦେଲେ । କୋଇଲାରୁ ବିଦ୍ୟୁତ୍‌ଶକ୍ତି ବାହାର କରାଯାଉଚି । ସେଥିରେ କେତେ କଳକାରଖାନା ଚାଲିଚି, ଲକ୍ଷ ଲକ୍ଷ ଘରେ ଆଲୁଅ ଜଳୁଚି, ଫ୍ୟାନ୍‌ ବୁଲୁଚି । କିନ୍ତୁ ଗୋଟା ତାଳମୂଳ ରାଜ୍ୟରେ ଅଦିନ କୁହୁଡ଼ି ଘୋଟିଚି; ଝରଣାର ପାଣିରେ ପାଉଁଶ, ଫୁଲରେ ପାଉଁଶ, ଗଛପତ୍ରରେ, ନଡ଼ା ଚାଳରେ, ରାସ୍ତାଘାଟରେ, ମୁହଁ ଦିହରେ ସବୁଠି ଧଳା ଧଳା କୋଇଲା ପାଉଁଶ । ସନ୍ତାନମାନଙ୍କୁ ଆଢ଼ୁଆଳରେ ରଖିବା ଲାଗି ବନମାତାର ସବୁଜ ପଣତ ଆଉ ନାଇଁ ।

 

କୁଳି କଲାବେଳେ ପାଟିରୁ, ନାକ ପୋଛିଲାବେଳେ ନାକରୁ କୋଇଲା ଗୁଣ୍ଡ ବାହାରେ, ଆଖିରେ ଗୁଣ୍ଡ ପଡ଼ିବାର ଜ୍ୱାଳା ମାମୁଁ ଭଣଜା ଅନୁଭବ କରନ୍ତି । ହେଲେ ଉପାୟ କଣ ? ମଜୁରିଆକୁ ମନଲାଖୀ କାମଟାଏ ମିଳିବ କାହୁଁ ? ଜୀବନ ଯେ ବଞ୍ଚେଇବାର ଯେତେକ କଠିଣ ଯୁଦ୍ଧ ତା’ରି ଭାଗ୍ୟରେ ହିଁ ଘଟେ ।

 

ଦିନେ କାରଖାନା ଗଲା ବାଟରେ ହଠାତ୍‌ ମଟର ଗାଡ଼ିଟାଏ ଅଟକିଗଲା । ଦିହିଙ୍କି ଟେକି ନେଇ ଥୋଇ ଦେ ଦୌଡ଼ । ଦିହେଁ ବୋକା ପାଲଟି ଯାଇ ମୂକ ହେଇ ବସିଥାନ୍ତି, ଦି ପଟେ ପିସ୍ତଲ ଉଞ୍ଚା ହେଇଥାଏ । ଟିକିଏ ଉଁ କି ଚୁଁ କଲେ ନାଛି ଦେଇ ଜଙ୍ଗଲକୁ ଫିଙ୍ଗିଦେବ ।

 

ଗାଡ଼ି ବୁଦୁବୁଦିକିଆ ଜଙ୍ଗଲର ଚଲା ବାଟରେ ଯାଇ ପାଲହଡ଼ାର ମାଲ୍ୟଗିରି ମୂଳରେ ପହଞ୍ଚିଲା । ଦୁହିଙ୍କୁ ଗାଡ଼ିରୁ ଚଲାଇନେଇ ଗୁମ୍ଫା ଭିତରେ ରଖିଦିଆଗଲା । ଏ ଗୁମ୍ଫା ପାହାଡ଼ ତଳେ ତଳେ କୁଆଡ଼େ ବୋଲି କୁଆଡ଼େ ଲମ୍ୱିଚି । ସହସ୍ରାଧିକ ଲୋକ ୟା ଭିତରେ ସହଜରେ ଚଳାଚଳ ହୋଇପାରିବେ । ଉପରେ କୋଉଠି ଜଳା ଅଛି, ଚନ୍ଦ୍ରକିରଣ ଆଉ ଖରା ପଡ଼େ, ଖିଲିଖିଲି ପବନ ବହେ ।

 

କେତେ କାଳ ବସିଲା ପରେ ଜଣେ ଦାଢ଼ିଆ ପଣ୍ଡିତ ଆସି ଆଶ୍ୱାସନା ଦେଲେ—ଆମେ ଚୋର କି ଡକାଇତ ନୋହୁ । ଦେଶର ଭଲମଙ୍ଗଳ ଲାଗି କାମ କରୁ । ତୁମ ପିଲାକୁଟୁମ୍ୱଙ୍କୁ ଓପାସଭୋକରେ ଛଟପଟ କରି ମାରିବୁ ନାଇଁ; ପୋଷଣ ଭାର ଆମର । କିଛି ଭାବନା କର ନାହିଁ । ଘରେ ତୁମ ଶୁଭ ସମ୍ୱାଦ ଦିଆଯିବ; କୋଉ ସୂତ୍ରରେ ଘରେ ଟଙ୍କା ଯାଇ ପହଞ୍ଚିବ, କେହି ଟେର୍‌‌ ପାଇବେ ନାହିଁ । ଆମର ଟଙ୍କାର ଅଭାବ ନାହିଁ । ଦେଶପ୍ରେମୀ, ଧନୀ ଭାରତୀୟମାନେ ଆମ ଭଣ୍ଡାର ପୂର୍ଣ୍ଣ କରି ରଖିଛନ୍ତି । କାଶ୍ମୀରରୁ କନ୍ୟାକୁମାରୀ, ଦ୍ୱାରକୁ କାମାକ୍ଷା ଆମର ଅନୁଷ୍ଠାନ ସେମାନଙ୍କ ଦାନରେ ସୁରୁଖୁରୁରେ ଚାଲିଛି ।

 

ତୁମକୁ ଏବେ କିଛି କାମ କରିବାକୁ ହେବ ନାହିଁ । କୁସ୍ତିକସରତ କରି ଖାଇପିଇ ଆଗେ ଦେହର ବଳ କମାଅ । ପଢ଼ାପଢ଼ି କର, ପଣ୍ଡିତମାନଙ୍କ ବକ୍ତୃତା ଶୁଣ । ଦେଶକୁ ଚିହ୍ନ, ଜାଣ । ଦେଶ ଲାଗି କିପରି ଧନ, ମନ, ପ୍ରାଣ ବଳି ଦେଇ ଶହୀଦନ୍‌ ହେବାକୁ ହୁଏ, ବୁଝ । ଦେଶର ଭୂଗୋଳ ପଢ଼, ନକ୍‌ସା କାଟି ଶିଖ । ଜାତିର ଇତିହାସରୁ ଶିଖ–କେଉଁ ସଦ୍‌ଗୁଣରୁ, ମହାନ୍‌ ‌ସାଧନାରୁ ଆମେ ମଣିଷଜାତିର ଚରମ ଉନ୍ନତିକ୍ଷେତ୍ରରେ ପହଞ୍ଚିଥିଲୁ, କେଉଁ ଦୁର୍ଗୁଣରୁ ଆମର ପତନ ହେଲା । ଏ ଦେଶ କେତେ ପୁରୁଣା, କେଡ଼େ ସଭ୍ୟ, ଏ ଦେଶରେ କିପରି ମହାଯୋଗି ବ୍ରହ୍ମର୍ଷି, ମହାନ୍‌ ଦାର୍ଶନିକ, ମହାକବି, ବୈଜ୍ଞାନିକ, କଳାକାର, ବିଶ୍ୱଧର୍ମଗୁରୁମାନଙ୍କ ଆବିର୍ଭାବ ଘଟିଥିଲା, ସେମାନେ କିପରି ଅସାଧ୍ୟକୁ ସାଧ୍ୟ, ଦୁର୍ଗମକୁ ଗମ୍ୟ କରି ନବ ନବ ମାର୍ଗର ଦିଶାରୀ ହୋଇଥିଲେ, ସେ ତତ୍ତ୍ୱ ବୁଝ ।

 

ତା ସଙ୍ଗେ ବୁଝ, କି ଦୋଷ, ଦୁର୍ବଳତା ହେତୁରୁ ଆମର ପତନ ଘଟିଲା, କାହିଁକି ବୈଦେଶିକମାନେ ବାରମ୍ୱାର ଏ ଦେଶ ଆକ୍ରମଣ କରୁଥିଲେ, ସେମାନଙ୍କ ସମକ୍ଷରେ କାହିଁକି ଭାରତୀୟମାନେ ପଛଘୁଞ୍ଚା ଦେଉଥିଲେ, ଆମ ଦଳାଦଳି ଆଉ କନ୍ଦଳର ସୁଯୋଗ ନେଇ ଗୋଟାଏ ବେପାରୀ ଜାତି ଶେଷକୁ ଆମକୁ ଆଉ କନ୍ଦଳର ସୁଯୋଗ ନେଇ ଗୋଟାଏ ବେପାରୀ ଜାତି ଶେଷକୁ ଆମକୁ କେମିତି ଅକ୍ତିଆର କଲା, ଏକଜୁଟ୍‌ ହୋଇ ତା ବିରୁଦ୍ଧରେ ଲାଗିଲା କ୍ଷଣି ସେ କିପରି କୂଟନୀତି ବଳରେ ଆମକୁ ଭାଙ୍ଗି ଚୂରମାର୍‌ କରି ଚାଲିଗଲା, ଭାଇକି ଭଗାରି କରି ଚିରକାଳ ଲାଗି ଝଗଡ଼ାର ସୂତ୍ର ଖଞ୍ଜିଦେଲା,ସେସବୁ ଭଲଭାବେ ନ ବୁଝିଲେ ଆମେ ପାହୁଣ୍ଡେ ବି ଆଗେଇ ପାରିବା ନାହିଁ ।

 

ଆମ ଦେଶ ଲୋକଙ୍କ ଶାସନକାଳରେ ଦଳେ ଚତୁର, ଦଳେ ଆତ୍ମସ୍ୱାର୍ଥୀ କିପରି ଆଲୁଅର ଧନକୁ ଅନ୍ଧାରକୁ ଘେନିଗଲେ, ଲୋକଙ୍କ ପାଟିରୁ ଦାନା, ଅଣ୍ଟାରୁ କନା ହରଣଚାଳ୍‌ କରି କିପରି ଦିନୁଁ ଦିନ ଅଧିକ ସଂଖ୍ୟାରେ ସେମାନଙ୍କୁ ଦାରିଦ୍ର୍ୟର ସୀମାରେଖା ତଳକୁ ଠେଲିଦେବାକୁ ଲାଗିଲେ, ଦେଶଧେନୁକୁ ଅଜସ୍ରସ୍ରାବୀ ବୋଲି ବିଚାରି ଦୁହୁଁ ଦୁହୁଁ ସେମାନେ କିପରି ରକ୍ତ ଦୁହିଁ ପକାଇଲେ ଓ ସେହି ରକ୍ତରେ ମନଖିଆଲରେ ହୋରି ଖେଳି ଲାଗିଲେ, ଦେଶର ପାଣିପବନକୁ ବିଷାକ୍ତ କରିଦେଲେ, ଏ କରୁଣ କଳଙ୍କିତ ଇତିହାସ ଜାଣିବା ଆବଶ୍ୟକ । ଦୁର୍ନୀତିର ମୂଳ ଯୋଉମାନେ, ସେମାନଙ୍କୁ ନିକାଶ କରିବା ଆମର ଲକ୍ଷ୍ୟ ।

 

ବାହାରକୁ ବହୁତ ଉନ୍ନତି ଦିଶେ—ଜଳସେଚନ, ବିଦ୍ୟୁତ୍‌ ଉତ୍ପାଦନ, କାରଖାନା, ନବ ନବ ନଗର, ପଥଘାଟ, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ନିର୍ମାଣ; ଦେଶ ବହୁତ ଉଜ୍ୱଳ ଦିଶେ, କିନ୍ତୁ କି ବିକୃତଭାବେ ମଳିନ, ବହୁ ସମୃଦ୍ଧି ମଧ୍ୟରେ କି ଦାରିଦ୍ର୍ୟ । ପ୍ରଚଣ୍ଡ ଆଲୋକ ମଧ୍ୟରେ କି ବିକଟ ଅନ୍ଧକାର ! ଜାତୀୟ ଚରିତ୍ର ମଧ୍ୟରେ ଆହା ମୂଳରୁ ଚୂଳ କି କାଳିମା ଘୋଟିଯାଇଛି !

 

ଶହୀଦ୍‌ ରକ୍ତରେ ଉର୍ବର ମାଟିରୁ ଉଚ୍ଚ ଜାତୀୟ ଚରିତ୍ର ଜନ୍ମଲାଭ କରିବ; ଉଚ୍ଚ ମଣିଷପଣ କରିପାରିବ ଉନ୍ନତି, ସୁନ୍ଦର, ସର୍ବାଙ୍ଗୀନ ଏଇ ବିଶ୍ୱାସରେ ଆମର ଅଭିଯାନ ଓ ଜୟଯାତ୍ରା ।

 

ଘର ବାହାର କାହାରି ଉପରେ ତାଙ୍କର କିଛିହେଲେ ଅକ୍ତିୟାର ନାହିଁ—ଘରେ ଏକଘରିକିଆ, ବାହାରେ ଗୋଠଛଡ଼ା । ଘରେ ତାଙ୍କ କଥାଟା ଆଉ କାହା ତୁଣ୍ଡରୁ ବାହାରିଲା ପରି ଶୁଣାଯାଏ; କରବୀ ସେ କଥାକୁ ପାସଙ୍ଗରେ ପକାଏ ନାହିଁ । ଉଚ୍ଚ ରାଜନୀତିକ ଆଦର୍ଶର ସମାଧି ଉପରେ ଆତ୍ମସ୍ୱାର୍ଥର ବିଦ୍ରୂପ ବାଣୀ । ବାହାରେ ତାଙ୍କ ମତକୁ କେହି ଗୁରୁତ୍ୱ ଦିଏ ନାହିଁ । ବକ୍ତୃତା ଦେଲାବେଳେ ତାଙ୍କ ସ୍ୱରଟା ଫମ୍ପା ମାଠିଆରୁ ବାହାରିଲାପରି ଲାଗେ ।

 

ଲୋଡ଼ା ଆତ୍ମନିରୀକ୍ଷଣ, ସଂଶୋଧନଳ ତପସ୍ୟା । ଲୋକସେବାର ଆନନ୍ଦ କ୍ଷମତାରେ ନାହିଁ । ସେବା ତାଙ୍କୁ ଗଢ଼ିଥିଲା, କ୍ଷମତା ତାଙ୍କୁ ପୋଡ଼ିଖାଇଚି । ରାସ୍ତାଧାରରେ, ଫୁଟ୍‌ପାଥ୍‌ରେ ସେ ଯୋଉ ମଣିଷପଣ ହାସଲ କରିଥିଲେ, ଘରେ ପଶି ସିଂହାସନରେ ବସି ସେ ତାକୁ ହରାଇଲେ । ଆଜି ସବୁ ଥାଇ ସେ ଆତ୍ମହରା । ଗୋବର୍ଦ୍ଧନ ପୂର୍ବ ନିଜତ୍ୱ ଫେରିପାଇବା ପାଇଁ ଆଶ୍ରମ ଗଢ଼ିବେ, ତପସ୍ୟା କରିବେ, ସେ ହେବେ ରାଜନୀତିକ ସନ୍ନ୍ୟାସୀ—ଲୋକସେବା ତାଙ୍କର ଆଦ୍ୟ, ମଧ୍ୟ ଓ ଶେଷ ଦୀକ୍ଷା ।

 

ରାଜଧାନୀ ତାଳମୂଳରେ ଲୋକସହଯୋଗ ଆଶାରେ ସେ ଗୋଟିଏ ସଭା ଡକାଇଲେ, ଲୋକଙ୍କ ମୁହାଁମୁହିଁ ହେବାକୁ ତାଙ୍କୁ ଡର ମାଡ଼ୁଚି କାହିଁକି ? କାହିଁକି ?

 

ସଭାରେ ଲୋକ କାହାନ୍ତି ? କେତେ ଜଣ ପୁରୁଣା କର୍ମୀ ମାତ୍ର । ମାଇକଟା କାହିଁକି ଅଣାଯାଇଚି ? ଯୋଉଠି ଫୁଲମାଳା ଭାରରେ ବେକ ଭାଙ୍ଗିପଡ଼ିଥିଲା, ସେଠିକି ଫୁଲକେଣ୍ଡାଟିଏ ବି କେହି ଆଣିନାଇଁ । ଯୋଉଠି ହାଟ ମେଳଣର ଲୋକ ଗଦା ହୋଇଯାଉଥିଲେ, ସେଠି କଥା କହିଲାବେଳେ ପ୍ରତିଧ୍ୱନି ଖତାଇ ହଉଚି । ଏଠି ସେଠି ବିଞ୍ଚିବୁଣି ହୋଇପଡ଼ିଥିବା ସାହସକୁ ଠୁଳ କରି ଗୋବର୍ଦ୍ଧନ କହିଲେ—ଏବେ ଲୋକସେବାକୁ ଜୀବନର ବ୍ରତ କରିଚି–ବିପ୍ଲବକାଳରେ ଯେମିତି....ଏତିକିବେଳେ ଗୁଳି ଫାଟିଲା, ଆଲୁଅ ଲିଭିଗଲା, ମାଇକଟା ଓଲଟି ପଡ଼ିଲା । ରତନା ରାଗିଯାଇ ପଚାରିଲା—ମୋତେ ଲକ୍ଷ୍ୟଭ୍ରଷ୍ଟ କଲୁ କାହିଁକି ? ସପନା କହିଲା—ଏଟା ତମାଦି ରାଜନୀତିକ, ଅମାନତ ହରାଇଚି, ଜାଣ ମରିଚି; ଶବ ଉପରକୁ ଗୁଳି ମାରି ଲାଭ କ’ଣ ?

 

‘ଏଟା ରଜାଙ୍କୁ ତଡ଼ି ଆପେ ରାଜା ହେଇଚି । ଦୁର୍ନୀତିର ଏମିତି ଯେତେ ଗୋଡ଼ା ଦେଶରେ ଅଛନ୍ତି, ସମସ୍ତଙ୍କୁ ମାରିବା । ଏଇମାନଙ୍କ ଉପଦ୍ରବରୁ ରକ୍ଷା ପାଇଲେ ଯାଇ ଦେଶ ଉଧେଇବ ! ଭଦ୍ର ଦିଶକ୍ତ, ଅସଲ ଡାକୁ ଏ । ରକ୍ଷକ ପରି ଦିଶନ୍ତି, ଅସଲ ଭକ୍ଷକ; ଦିଶାରୀ ପରି ଦିଶନ୍ତି, ବିଭ୍ରାନ୍ତ କରନ୍ତି ଏମାନେ । ରାଟ୍‌ ପରି ଦିମାକ୍‌ ୟାଙ୍କର, ଅସଲ ବିଭ୍ରାଟକାରୀ ଏ ।

 

ଦୁହେଁ ପଳାଇଯାଇ ଜଙ୍ଗଲ ଅନ୍ଧାରରେ ହଜିଗଲେ; କିଛି ସମୟ ଥାକ ମାଇଲା ପରେ ସପନା କହିଲା—ମାମୁଁ, ଗୁମ୍ଫା ଭିତରେ ତ ସବୁ ଚୁପ୍‌ଚାପ୍‌, ଠାରେଠୁର୍‌; ଏଠି ଟିକେ ଖୋଲାଖୋଲି କଥାବାର୍ତ୍ତା ହବା । କେତେକାଳ ହେଲା ଶୁଣିନାଇଁ, ଗୋଟେ କଥା କହ ।

 

ରତନା କହିଲା—କ’ଣ କହିବି ? ବଳିଆ କୁକୁର ଗୋଦା ଉଣ୍ଡି ବୁଲୁଛନ୍ତି । ୟାଙ୍କ ହାବୁଡ଼ରେ ଯଦି ପଡ଼େ, ଦଫା ଶେଷ । ଗପୁଡ଼ି ମାମୁଁଟାର କଥା ମନେ ପକାଇବୁରେ ସପନା ।

 

ମୋ ମୁହଁରୁ କିଏ ସବୁ ଗପ କାଢ଼ିନେଇଛି ? ଗୁମ୍ଫାରେ ପଶିବା ଆଗରୁ ବହେ ଗପିଯିବାକୁ ମନ । ହେଲେ କିଛି ତ ପଇଟୁ ନାହିଁ । ଯାହା କହନ୍ତି—ନଦହସ ବିଦ୍ୟା, ସତ । ହଉ ଯାହା ମନେ ପଡ଼ୁଚି, ଶୁଣ୍‌, ଏ ମୋର ଶେଷ ଗପ ହୋଇପାରେ ।

 

ଆଗକାଳ ହେଇଥିଲେ କହନ୍ତି—ଜଣେ ରଜା ଥିଲେ । ଏବେ ତ ସହରଯାକ ଉଆସ, କାହିଁ କେତେ ରଜା । ଆଗେ ଯାହା ନାଆଁ ତିନିରେ ଆସୁଥିଲା—ସେଇ ସାଧୁତ, ସାଧବପୁଅ, ସାହୁକାର ବା ବେପାରୀ ଏବେ ସେଇ ରାଜାଙ୍କ ଭିତରେ ମହାରାଜା । ସାରା ଦେଶଟା ସେ କାହାଠୁ କେମିତି ପଟା ନେଇଗଲା ?

 

ସବୁଆଡ଼େ ଲମ୍ୱିଚି ତାର ବଜାର—ବେପାର । ଦଣ୍ଡି ଧରି ବସିଚି ସେ । ତାର ପଣ୍ୟ ନୁହେଁ କ’ଣ ବା କିଏ ? କାହାକୁ ନ ବିକୁଚି, ନ କିଣୁଚି ସେ ? ସେଇ ବଜାରର ଦରଦାମ୍‌ ଠିକଣା କରେ; ଆପଣା ମାନରେ ବିକାକିଣା ଚଳାଏ । ତାର ମିଟର ସବୁବେଳେ ଉପରକୁ ଉଠେ, ଉଠୁଥାଏ-। ସେ ମହଜୁତ୍‌ କରେ, ବଜାରରେ ଘୋର ଅଭାବ ହେଲେ ଜିନିଷପତ୍ର ଆସ୍ତେ ଆସ୍ତେ ଛାଡ଼େ, ଦରଜାର ପଛପଟେ । ସେ ଅପମିଶ୍ରଣ କରେ ବୋଲି ଲୋକେ ଅପବାଦ ଦିଅନ୍ତି । ଭାରତର ଜନସଂଖ୍ୟା କମାଇ ବହୁତ ଉପକାର କରୁଚି ବୋଲି ସେ କୈଫତ୍‌ ଦିଏ ।

 

ଯେତେ ସୁନାରୂପା ସେ ଠୁଳ କରିଚି, ତାର ବେଶୀ ଭାଗ ଅନ୍ଧାରରେ, ଆଖିଦୃଶିଆ କିଛିଟା ଆଲୁଅରେ ଖେଳାଏ ମାତ୍ର । ତାକୁ ଧରିବା ଚେଷ୍ଟା ବୃଥା, ପୁରୁଣା ମୂଷା ସେ, ଶତଦ୍ୱାର ବିବର ତାର ।

 

ପାହାଡ଼, ବଣରୁ ସେ ସବୁ ଗଛବୃଛ କାଟିନିଏ, ସବୁଜଶ୍ରୀ ଦେଖିଲେ ପୋଛିଦିଏ । ଦେଶକୁ ନିର୍ମଳ କରି ବଣୁଆଙ୍କୁ ପଦାକୁ ଆଣି ସଭ୍ୟ କରିଚି, ତାର ଦାବୀ । ସୁସ୍ପଷ୍ଟ ମରୁଭୂମିରେ ଅକାଳେ ଅବେଳେ ଖଣ୍ଡିଆଭୂତ ନାଚିଲେ, ପାହାଡ଼ୀ ନଈ ପ୍ରଳୟକାଣ୍ଡ ଘଟାଇଲେ ସେ ଆନନ୍ଦରେ ନୃତ୍ୟ କରେ ।

 

ଧନଦଉଲତ ଚିନ୍ତାରେ ସେ ବେପାରୀକି ନିଦ ହୁଏନାହିଁ । କିନ୍ତୁ ସେ ଶୁଏ । ଦିନେ ଛାଇନିଦ ଲାଗିଥିଲା ବେଳେ ସେ ସ୍ୱପ୍ନ ଦେଖିଲା—ସଦଳବଳେ ଶିକାରକୁ ଯାଇଚି, ଚିତ୍ରମୃଗଟିଏ ତା ଗୁଳି ମୁହଁରେ ପଡ଼ିଲା । ପ୍ରାଣ ଛାଡ଼ିବା ଆଗରୁ ସେ ବିକଳ ସ୍ୱରରେ କାନ୍ଦିଉଠି କହିଲା—

 

ପୂର୍ବଜନ୍ମରେ ଗନ୍ଧର୍ଭ ଥିଲି, ଇନ୍ଦ୍ରଙ୍କ ଅଭିଶାପ ମୋ ପକ୍ଷରେ ବର ସଦୃଶ ହୋଇଥିଲା । ପିଲାପିଲିଙ୍କି ଘେନି ଗୋଟିଏ ପ୍ରପାତ ପାଖ ବଣରେ ମହା ସୁଖରେ ଥିଲି । ସ୍ୱର୍ଗରେ ତ ସ୍ନେହ, ପ୍ରେମ ନାହିଁ । ସ୍ନେହ ପ୍ରେମ ଯୋଗୁଁ ଏ ବଣଘର ମତେ ବୈକୁଣ୍ଠପୁର ପରି ଲାଗୁଥିଲା । ଜଙ୍ଗଲ ପଦା ହେଲା, ପ୍ରପାତ ଶୁଖିଗଲା । ପାଣିଟୋପାଏ ପାଇଁ କଲବଲ ହୋଇ ବୁଲି ବୁଲି ଶୋଷରେ ତୋଟି ଫାଟି ଯାଉଥିବା ବେଳେ ତୁ ବେପାରୀ ପାଣି ବଦଳରେ ମୋ ମୁହଁରେ ଦେଲୁ ନିଆଁ; ଏବେ ନେ ମୋ ଅଭିଶାପ—

 

ଜଙ୍ଗଲ ଶୂନ୍‌; ହିଂସ୍ର ଜୀବଜନ୍ତୁ ଆଉ ଲୁଚି ରହିବେ କୋଉଠି ? ରହିବେ ଅତି ଅରମା ଅରଣା ତୋ’ରି ଭିତରେ । ତୋର ଆଉ ତୋ ଦଳର ସମସ୍ତଙ୍କର ମଣିଷ ପରି ଆକୃତିଟି ମାତ୍ର ଥିବ-। ପ୍ରକୃତି ଭିନ୍ନ ହୋଇଯିବ । ଅଜଗର ପରି ନିର୍ବିକାରରେ ଗିଳିଯିବୁ, ସୁନା ଦେଖିଲେ ବିବେକବୁଦ୍ଧିକୁ ମାଡ଼ିକୁଦି ଗଣ୍ଡା ପରି ଏକମୁହାଁ ମାଡ଼ିଯିବୁ, ଭାଲୁ ପରି ରାମ୍ପୁଡ଼ି କାମୁଡ଼ି ଦେଶମାତାର ମୁଖକୁ ବିକୃତ, ବିବର୍ଣ୍ଣ କରିପକାଇବୁ ।

 

ତୋ’ରି ହାତରେ ରହିବ କଳା କଳା ଗନ୍ତାଘରର ଚାବି । ତ୍ରିଗୁଣ ରଜ୍ଜୁ ହାତରେ ଧରି ଦେଶକୁ ନିଜ ଦୋହାରେ ନଚାଇବୁ ତୁ । ୟା କହୁଁ କହୁଁ ଚିତ୍ରମୃଗଟିର ପ୍ରାଣ ଛାଡ଼ିଗଲା, ଛିଡ଼ା ହେଲା ସ୍ୱର୍ଗର ଗନ୍ଧର୍ବ; ତା ଚାରିପଟେ ଆଲୋକର ଏକ ମଣ୍ଡଳ । ଦେଖୁ ଦେଖୁ ସେ ସିଧା ଆକାଶକୁ ଉଠିଗଲା, ଆସ୍ତେ ଆସ୍ତେ ଛୋଟ ହୋଇ ଦିଶୁଥିଲା ଗୋଟିଏ ତାରା ପରି; ତାପରେ କଳାମେଘ ଘୋଟିଗଲା । ଘୋର ବତାସ, ବିଜୁଳି, ଚଡ଼ଚଡ଼ି । ତା ଭିତରେ ନିଜ ନିଜର ବେକରେ ପିସ୍ତଲ ଲଗାଇଥିଲେ ତା ନିଜ ଲୋକେ । ସ୍ୱାର୍ଥର ଯୁଦ୍ଧ ଏ । ଜାତିକି ହତ୍ୟା କରିବାର ସମସ୍ତ କାରସାଦି ପଦାରେ ପଡ଼ିଯାଇଥିଲା ।

 

ଏଇ ବିଭେଦର ଦୁର୍ଦ୍ଦିନରେ ମାଡ଼ି ଆସୁଥିଲା ଗୋଟାଏ ସମୁଦ୍ର, ପାହାଡ଼ ପରି ଉଞ୍ଚ ଉଞ୍ଚ ଢେଉ ତାର, ଝଡ଼ ପରି ଗର୍ଜନ । ସେଇ ସମୁଦ୍ରର ଗୋଟାଏ ଭୀଷଣ ଜୁଆର ଘେରି ଯାଇଥିଲା ସେ ବେପାରୀ ବୁଢ଼ାକୁ, ଟାଣି ନେଉଥିଲା ତା ଅଣ୍ଟାରୁ ଯେତେ ଦେଶବିରୋଧୀ ଷଡ଼ଯନ୍ତ୍ରର ଚାବି । ମାରିବାକୁ ପିସ୍ତଲ ଉଞ୍ଚାଇଲାବେଳେ ସେ ପ୍ରାଣ ବିକଳରେ ଚିତ୍କାର କଲା; ଆତଙ୍କରେ ବିଳିବିଳାଇ ଅଚେତାରେ ତଳେ ପଡ଼ିଯାଉଥିଲାବେଳେ ଧରି ପକାଇଲା ଯାବତୀୟ କଳା କାଳିମ ଆଉ କଳଙ୍କର ଧରିତ୍ରୀ ।

 

ମୋ କଥାଟି ସରିଲା; କିନ୍ତୁ ଫୁଲ ଗଛଟି ମଲା ନାଇଁ । ଯେତେ ଅରଣା କାଳୀ ଗାଈ କଳା କଳା ଜିଭ ବଢ଼ାଇଥିଲେ, କେହି ତାକୁ ଚାଟି ଦେଇ ପାରିଲେ ନାହିଁ । ଏଇ ବଣୁଆଁ କାଳୀ ଗାଈଙ୍କି ଆୟତ୍ତରେ ଆଣିବା ଲାଗି ସେଇ ଘୋର ସମୁଦ୍ରରୁ ବାହାରିଲା କିଏ ସେ ରଖୁଆଳ ବାଟକଢ଼ୁଆଳ, ଅତ୍ୟୁଜ୍ୱଳ ମଶାଲଧାରୀ ଦିଶାରୀ ?

 

ମହାନ୍‌ ଚିରନ୍ତନ ମଣିଷ, ତା’ରି ମହାମନ୍ତ୍ରରେ ଫୁଲଗଛଟି କଢ଼ା ମେଲି ଶାଖାପ୍ରଶାଖା ଖୋଲି ଚତୁର୍ଦ୍ଦିଗକୁ ଉଜ୍ୱଳ, ସୁନ୍ଦର କରି ଉଠିଲା—ସ୍ୱର୍ଗେ ଲାଗେ ଡାଳ, ମଞ୍ଚେ ଲାଗେ ଡାଳ—ଦେଖୁଚୁଟିକି ସପନା, ଏ ଆଗତ ଗଛର ରଙ୍ଗୀନ୍‌ ଫୁଲ, ସୁନାର ଫଳ !

 

ଶ୍ରୀଗୁଣ୍ଡିଚା, ୩–୭–୮୧

Image